Unknown

 

 

 

 

 

 

 

 

 

 

 

ସବୁଜ ସ୍ଵପ୍ନ

ରାଜକିଶୋର ରାଉତରାୟ

 

ଉତ୍ସର୍ଗ

 

ଯିଏ, ମୋତେ କୋଳେଇ, କାଖେଇ ଏଡ଼ୁଟିରୁ ଏଡ଼ୁଟିଏ କରି ମୁଣ୍ଡଝାଳ ତୁଣ୍ତରେ ମାରି ପିଠିରୁ ପେଟରୁ କାଟି, ଦୁନିଆଁ ଭିତରେ, ମଣିଷ ପରି, ମଣିଷଟିଏ କରି ଛିଡ଼ା କରାଇଲେ, ସେହି ପରମ ଆରାଧ୍ୟ ମୋର ପୂଜ୍ୟ ପିତା ଶ୍ରୀ ବାଞ୍ଛାନିଧି ରାଉତରାୟଙ୍କର କରକମଳରେ, ଭକ୍ତିର ନିଦର୍ଶନ ସ୍ୱରୂପ ଏ ପୁସ୍ତକଟି ଉତ୍ସର୍ଗ କଲି । ଇତି ।

 

ସ୍ନେହର ରାଜୁ

 

ମାନ୍ୟବର କୃଷିମନ୍ତ୍ରୀ ଶ୍ରୀଯୁକ୍ତ ରାଜବଲ୍ଲଭ ମିଶ୍ର ଓ ସାହିତ୍ୟ ରସିକ ଶ୍ରୀଯୁକ୍ତ କମଳ ଲୋଚନ ମହାନ୍ତିଙ୍କର ମନ୍ତବ୍ୟ ମୋର ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଗ୍‍ଦର୍ଶନର ପଥ ଉନ୍ମୁକ୍ତ କରିଚି । ସେଥିପାଇଁ ତାଙ୍କ ନିକଟରେ ମୁଁ ଚିର କୃତଜ୍ଞ ।

 

॥ ଇତି ॥

ଲେଖକ

 

ଶ୍ରୀ ରାଜବଲ୍ଲଭ ମିଶ୍ର

ମନ୍ତ୍ରୀ

ଶ୍ରମ ଏବଂ କୃଷି

ଭୁବନେଶ୍ଵର

ତା ୨୩-୫-୭୦

 

ଜାତି ଓ ବର୍ଣ୍ଣଭେଦ ଅତିକ୍ରମ କରି ମଣିଷ ମଣିଷକୁ ଆନ୍ତରିକ ଭଲ ପାଇପାରେ, ସବୁଜ ସ୍ୱପ୍ନର ଲେଖକ ଶ୍ରୀ ରାଉତରାୟ ଦକ୍ଷତାର ସହିତ ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି । ବିଂଶଶତାବ୍ଦୀର ଉତ୍ତରାର୍ଦ୍ଧରେ ସମାଜର ଚାଲିଚଳନ–ଗ୍ରାମ୍ୟ ଜୀବନରେ ରାଜନୈତିକ ପ୍ରଭାବ ଯୁକ୍ତ ସ୍ୱରୂପ ପ୍ରକାଶ କରିବାରେ ଲେଖକ ସଫଳ ହୋଇଛନ୍ତି । ସବୁଜ ସ୍ଵପ୍ନ ପ୍ରକାଶିତ ହେଲେ ଜନସାଧାରଣରେ ଆଦୃତ ହେବ, ସନ୍ଦେହ ନାହିଁ ।

 

ଶ୍ରୀ ରାଜବଲ୍ଲଭ ମିଶ୍ର

ଶ୍ରମ ଓ କୃଷିମନ୍ତ୍ରୀ, ଓଡ଼ିଶା

 

ଶ୍ରୀମାନ ରାଜକିଶୋର ତରୁଣ ଔପନାସିକ ହିସାବରେ ଗାଁ ଗହଳରେ ବେଶ୍‍ ପରିଚୟ ଲାଭ କରିଛନ୍ତି ।

 

ତାଙ୍କର ସଂସ୍କାର ଧର୍ମୀ ଉପନ୍ୟାସ “ସବୁଜ ସ୍ୱପ୍ନ” ପଢ଼ିଲି, ଭଲ ଲାଗିଲା । ପ୍ରକାଶ ଭଙ୍ଗିରେ ଚାତୁର୍ଯ୍ୟତା ତଥା ଚିନ୍ତାରେ ମୌଳିକତା ଥିବାପରି ମନେହେଲା ।

 

ଓଡ଼ିଆ ଉପନ୍ୟାସ ଜଗତରେ ବହୁକ୍ଷେତ୍ରରେ ଚିତ୍ରିତ ଅଶ୍ମୀଳତାର ଦାଗ ଏଥିରେ ନାହିଁ ।

 

ଗୋଷ୍ଠୀଉନ୍ନୟନ ପାଇଁ ହରିଜନ ନାୟକର ଅକ୍ଳାନ୍ତ ପ୍ରଚେଷ୍ଟା ଓ ବ୍ରାହ୍ମଣ ଝିଅ ସୁକାନ୍ତୀର ଆତ୍ମନିୟୋଗ ମୋତେ ବେଶ୍‍ ଭଲ ଲାଗିଲା ।

 

ଏହି ଧର୍ମ ଓ ଆତ୍ମବିହ୍ୱଳତାରେ ମଜିଯାଇ ଆଜିକାର ସମାଜର ବ୍ରାହ୍ମଣ, କରଣ ଭେଦଭାବ ଓ ଆତ୍ମକୈନ୍ଦ୍ରିକ ଲାଭାଂଶବିହ୍ୱଳ ପୁର ପଲ୍ଲୀ ଲୋକେ କେତେକ ପରିମାଣରେ ଚେତନା ପାଇବେ ବୋଲି ମୋର ଧାରଣା ।

 

ତରୁଣ ରାଉତରାୟଙ୍କର ମଙ୍ଗଳ କାମନା କରେ ।

 

କମଳ ଲୋଚନ ମହାନ୍ତି

 

ପଦେ ଅଧେ

 

ବଣରେ କେତେ ବୃକ୍ଷଲତା ମାଡ଼ିରହିଛନ୍ତି । କେତେ ରଙ୍ଗର ଫୁଲଫୁଟେ । ତାକୁ କେହି ଦେଖନ୍ତିନି । ବଗିଚା ଭିତରେ ମାଳି ଯେତେବେଳେ ସଜାଇ ରଖେ ସେହି ବଣ ମଲ୍ଲୀକି, ସମସ୍ତେ ଚାହାନ୍ତି ତାକୁ । ଆଗ୍ରହ କରନ୍ତି ବେଶୀ ।

 

ଆମ ପଲ୍ଲୀ ଗାଁ’ଗୁଡ଼ିକ ବଣ ଉହାଡ଼ରେ ପାହାଡ଼ କଡ଼ରେ ଲୁଚିରହି ବଣମଲ୍ଲୀପରି ଝାଉଁଳନ୍ତି । ଗୋଟିଏ ଡାଳର ଫୁଲହୋଇ ସୁଦ୍ଧା ଛୁଆଁ, ଅଛୁଆଁ ଭେଦଭାବ ଜାତିଗତ ପାର୍ଥକ୍ୟ ସେମାନଙ୍କୁ କରେ ଅଲଗା–ଦୂରଛଡ଼ା । ମଧୁର ଭ୍ରାତୃଭାବର ବନ୍ଧନ ଛିନ୍ନ ହୁଏ । ଜାତୀୟ ଐକ୍ୟ ହୁଏ ପ୍ରତିହତ । ଗ୍ରାମଗୁଡ଼ିକ ନେଇ ଭାରତ ବଞ୍ଚିଛି । ଗ୍ରାମ ଧ୍ଵଂସ ହୋଇଗଲେ ସୁନାର ଭାରତ ମଧ୍ୟ ଧ୍ଵଂସ ହୋଇଯିବ । ସୁତରାଂ ପ୍ରତ୍ୟେକ ଗ୍ରାମ ଏକ ସାଧାରଣତନ୍ତ୍ର ହେବା ଆବଶ୍ୟକ ଏବଂ ତାହା ସର୍ବକ୍ଷମତା ସମ୍ପନ୍ନ ପଞ୍ଚାୟତ ଗଠନ କରିବା ବିଧେୟ ।

 

ଗାନ୍ଧିଜୀଙ୍କ ସ୍ଵପ୍ନ ଆଜି ସତ୍ୟରେ ପରିଣତ ହୋଇଚି । ସ୍ଵାଧୀନତା ସଂଗ୍ରାମ ପରେ ସମଗ୍ର ଦେଶରେ ସହସ୍ର ସହସ୍ର ଗ୍ରାମରେ ପଞ୍ଚାୟତରାଜ ପ୍ରତିଷ୍ଠା ହୋଇଛି । ସେହି ମହତ ଆଦର୍ଶ କାର୍ଯ୍ୟକାରୀ ହୋଇପାରି ନାହିଁ । ଆଜିର ପଞ୍ଚାୟତରାଜ କେବଳ ସୁରଭିତ ଗୋଲାପ ନୁହେଁ ତାହା କଣ୍ଟକିତ ମଧ୍ୟ । କଣ୍ଟକିତ ଦୁର୍ଗବାସିନୀ କେତକୀ କୁସୁମ ଆତ୍ମଗୋପନ କଲେ ସୁଦ୍ଧା ତା’ର ଆମୋଦ ଗନ୍ଧ ବହୁ ଦୂରକୁ ଭାସିଯାଏ । ସବୁରିଙ୍କ ମନ ପ୍ରାଣ ପୂରି ଉଠେ । ସୌରଭରେ ସୌରଭାନ୍ୱିତ ହେବା ପାଇଁ ପ୍ରତ୍ୟେକ ନାଗରିକ ନିଜର କଠିନ ସେବା ବଳରେ ପରକୁ ଅତି ଆପଣାର କରିପାରେ ।

 

ସେଥିପାଇଁ ସ୍ୱପ୍ନକୁ ସତ୍ୟରେ ପରିଣତ କରିବାର ଲକ୍ଷ୍ୟ ସବୁଜ ସ୍ଵପ୍ନରେ ପ୍ରତିବିମ୍ବିତ ।

 

କଥାରେ ଅଛି :–

 

“ସେବା କର୍ପୁଣ୍ୟ ଦୟାବଳେ

କିବା ଅସାଧ୍ୟ ମହୀତଳେ ।”

 

ଲେଖକ

 

ଅଗଷ୍ଟ ପନ୍ଦରର ଶିହରଣରେ ନଗରବାସୀ ନିମଜ୍ଜିତ । ନଗର ଉପକଣ୍ଠରେ ପ୍ୟାରେଡ୍‍ ପାଇଁ ଛାତ୍ର ଆଉ ପୋଲିସ କର୍ମଚାରୀଙ୍କ ଏକତ୍ର ସମାବେଶ, ଜନତାର ମନକୁ କରୁଥିଲା ଆକର୍ଷଣ-। ତ୍ରିରଙ୍ଗ ପତାକାଟି ମୁଣ୍ଡହଲାଇ ବାୟୁ ଲହରରେ ଦେଉଥିଲା ସ୍ଵାଧୀନତାର ନୂଆ ସଂକେତ-

 

ଅନ୍ଧାର ରଜନୀର ବୁକୁଚିରି ବିଜୁଳି ଆଲୋକରେ ମଣ୍ଡିତ ନଗର ପ୍ରାସାଦ ଦିଶୁଥିଲେ ଦୀପ୍ତିମନ୍ତ । ସହର-ବଜାର ସବୁ ମୁଖରିତ ଆଜି ଜାତୀୟ ସଙ୍ଗୀତର ଉଦବୋଧନରେ ।

 

ଜମାଟବନ୍ଧା ଅନ୍ଧାରିଆ ପଲ୍ଲୀ କଣକୁ ଆଶ୍ରୟକରି ପଲ୍ଲୀବାସୀ ଦେଖୁଥିଲେ ସ୍ୱପ୍ନର ଜୁଆର । ସ୍ଥାଣୁପରି ମୁଣ୍ଡଟେକି ଛିଡ଼ା ହେଉଥିବା ବୃକ୍ଷଲତାଙ୍କ ସଙ୍ଗେ ତାଙ୍କର ଥିଲା ମଧୁର ଆଳାପ-। ଝିଙ୍କାରିର ଝିଂ’ ରବି ଚାଷୀର ପ୍ରାଣରେ ତୋଳୁଥିଲା ଅପୂର୍ବ ଗୁଞ୍ଜନ । ସବୁଜ ପ୍ରାନ୍ତର ଭିତରେ ଘୂରିବୁଲୁଥିବା ନାଲି ଗୁଲୁଗୁଲୁ ସାଧବ ପୋକଗୁଡ଼ାକ ଚାଷୀଭାଇକି ନୂତନ ମନ୍ତ୍ରରେ କରୁଥିଲେ ଅଭିମନ୍ତ୍ରଣ । ତୋଟା ଗହଳି ଭିତରେ ପକ୍ଷୀଙ୍କ କାକଳି ସଙ୍ଗକୁ ଭିକାରିର କେନ୍ଦରା ବାଜଣା ତୋଳୁଥିଲା ମଧୁର ମୂର୍ଚ୍ଛନା ।

 

ଶାନ୍ତପଲ୍ଲୀର କାନ୍ତକମନୀୟ ରୂପ ମାଧୁରୀ ଭିତରେ ଅହରହ ବୁଡ଼ି ରହିଥିଲେ ସରଳ କୋମଳମତି ପଲ୍ଲୀବାସୀ ।

 

ଗାଢ଼ ଅନ୍ଧକାର ଭିତରୁ ଆଖି ଯୋଡ଼ିକି ମୁକ୍ତିପାଇ ଉଜ୍ଜ୍ଵଳ ଆଲୋକର ସତ୍ତାକୁ ଯିମିତି ଅପେକ୍ଷା କରି ବସିଲେ ।

 

“ସେ ଆଲୋକର ଧାରା କିଏ ବିଞ୍ଚିଦେଇଗଲା ?”

 

ସମସ୍ତଙ୍କ ମୁଖରେ ଏକଭାବ–ଏକ ଭାଷା ଯିମିତି ଫୁଟି ବାହାରି ପଡ଼ିଲା “ସ୍ଵାଧୀନ”– !

 

ସ୍ୱାଧୀନ ପଦାର୍ଥ କ’ଣ ? କେଉଁଥିରେ ଗଢ଼ା ? ସ୍ପର୍ଶବିନା ପବନର ଦର୍ଶନଲାଭ ହୋଇପାରେନା । ସେ ପରି ସ୍ଵାଧୀନତା ଛାଇ ଢାଙ୍କିହୋଇ ରହିଲା ଲୋକଙ୍କ ମନରେ । ମାତ୍ର ତାକୁ ଦେଖନ୍ତେ କେମିତି ? ସମସ୍ତଙ୍କର ଇଚ୍ଛା ।

 

ସ୍ଵାଦ ଅସ୍ଵାଦନ ନକରି ଅମୃତ ଯେପରି ମିଠା, ଦର୍ଶନଲାଭ ନକରି ଅପ୍‍ସରା ଭାରୀ ସୁନ୍ଦରୀ । ସେହିପରି ସ୍ଵାଧୀନତାରେ ମଧୁରତା ପୂରି ରହିଛି । ନାଁ ଟା ଶୁଣିଲେ କର୍ଣ୍ଣ ପବିତ୍ର, ଚିତ୍ତ ଆନନ୍ଦ, ମନ ପ୍ରଫୁଲ୍ଲ ହୋଇଉଠେ ।

 

ମନରେ ବିଭୀଷିକାର ଖେଳ ଜାଗରିତ ହେଲା । ଅନିଷ୍ଟକାରୀ ରୋଗର ଜୀବାଣୁ ଲୁକ୍କାୟିତ ଭାବରେ ମଣିଷର ହୃଦ ମନ୍ଦିରରେ ପ୍ରବେଶ କରି ବସା ବାନ୍ଧେ । ସୁନ୍ଦର ମୁଖକୁ କଦର୍ଯ୍ୟ କରି କାନ୍ତ-କମନୀୟ ରୂପ ପସରାକୁ ଝାଉଁଳା ଲତା ପରି ଟାଣି ନିଏ ଅକାଳ ମରଣ ମୁଖକୁ ।

 

“ସ୍ୱାଧୀନତା ସେମିତି କିଛି ନୁହେଁତ ?”

 

ସେଇଠି ଚମକି ଉଠେ ମଣିଷର ମନ । ସରଳ ପ୍ରାଣରେ ଲାଗେ ଆଘାତ । ସେ ଯିମିତି ଚାହେଁନା ଓଲଟ ପାଲଟା ଆଉ ପରିବର୍ତ୍ତନ ।

 

ମଣିଷର ଆଖି ଝାପ୍ସାକରି ନାଲି ନୀଳ ରଙ୍ଗର ପତାକା ଗୋଟିଏ ଗୋଟିଏ ସହର ବଜାରରେ ଉଡ଼ୁଛି । କେତେ ବାନା ସେମାନେ ଦେଖିଛନ୍ତି । ଠାକୁର ମନ୍ଦିରର ଧୋଜାଚକ୍ର ଉପରେ ଉଡ୍‍ଡୀୟମାନ କେତନ ଏ ନୁହେଁ ବା ଅଷ୍ଟପ୍ରହରୀ ସଂକୀର୍ତ୍ତନ ମେଳର ବାନା ନୁହେଁ । ଯାତ୍ରା ପଟୁଆର ଭିତରେ ଯେଉଁ ସାଜସଜ୍ଜା ଭିତରେ ବାନାଗୁଡ଼ାକ ଉଡ଼ୁଥାଏ ସେ ଚିରାଳ ଏ ବି ନୁହେଁ ।

 

ମଝିରେ ଗୋଟିଏ ଅଶୋକ ଚକର ଚିହ୍ନ ଏ ପତାକାରେ ଅଛି । ଚକପରି ଏ ଦେଶଟା ଗଡ଼ି ଚାଲିବ ଆଗକୁ ନା ସୌନ୍ଦର୍ଯ୍ୟ ସମ୍ପାଦନ ପାଇଁ ଏପରି ନିର୍ମାଣ କରା ଯାଇଛି । ବିଶ୍ୱାସ କରି ପାରନ୍ତିନି ସରଳ ପଲ୍ଲୀବାସୀମାନେ ।

 

ବ୍ୟଥିତ ପ୍ରାଣ ଶୀତଳ ହେଲାପରି ଜଣାଯାଉଥିଲା । ଭାରାଶକ୍ତ ମନ ସାନ୍ତ୍ଵନାର ଶାନ୍ତିବାରିରେ ଆହ୍ଲାଦ ହୋଇଉଠୁଥିଲା । ଏହି ତ୍ରିରଙ୍ଗୀ ପତାକାର ରୂପ, ଗୁଣ ମର୍ଯ୍ୟାଦା କେହି ଅନୁଭବ କରି ନଥିଲେ ସୁଦ୍ଧା ବାୟୁ ଲହରରେ ଏ ଯେତେ ଶୀଘ୍ର ଉଡ଼ିବ ମଣିଷର ଭୋକିଲା ପେଟର ଜ୍ଵାଳା କମି ଆସିବ ।

 

ପୁଣି ସେମାନେ ଶୁଣନ୍ତି ଅନ୍ନଚିନ୍ତା ଆଉ ରହିବନି । ବଡ଼ଦେଉଳର ସୁବାସିତ ଅନ୍ନରେ ଯାତ୍ରୀମାନଙ୍କର ପେଟ ପୂରି ଉଠେ–ସେଥିରେ ଯେଉଁ ଶାନ୍ତି ମିଳେ, ଏଇ ପତାକା ଚାଖଣ୍ଡକର ଗୁଣ ସେହିପରି । ବିନା ପଇସାରେ ଘର ଘର ବୁଲି ଅଭଡ଼ା ଅନ୍ନର ବଣ୍ଟନ ଏହାରି ଯୋଗେ ହେବ ସମ୍ଭବ । ଭକ୍ତମାନଙ୍କୁ ମହାପ୍ରସାଦ ପାଇଁ ପଇସା ଦେବାକୁ ପଡ଼େ ମାତ୍ର ଏ ପତାକା ଭକ୍ତ ଦେଶବାସୀଙ୍କୁ ମାଗଣା ପରଷିବ ଅନ୍ନ ।

 

କେବଳ ଅନ୍ନଚିନ୍ତା ଦୂର କଲେ ହେଲାନି । ତାହାରି ଆଜ୍ଞାରେ କୃଷ୍ଣ କାର୍ପାସ ମୃତ୍ତିକା ଦେହରୁ ସଜ ଫୁଟା ଧବଳ କପା ହସି ଉଠିବ । ଅରଟ ଚରଖିର ଖିଟ୍ ଖିଟ୍ ତାନରେ ଯେଉଁ ଟାଣ ସୂତା ଏ ବଳିବ, ଲୁଗା ସହଜରେ ଚିରିବନି । ଗ୍ରୀଷ୍ମ ସମୟର ଗରମ ଦେହଟାକୁ ଶୀତଳ କରିବ ଖଦଡ଼ ଖଦି ଆଉ ହେମନ୍ତର ଥଣ୍ଡା କୁହେଳିକା ଭିତରେ ଯେଉଁ କାକର ବିନ୍ଦୁ ମଣିଷର ଅଙ୍ଗକୁ ଥରାଏ ତାକୁ ଉଷୁମ କରିବ ଏଇ ଅରଟ ବୁଣା ବସ୍ତ୍ର । ଏଥିରେ ବି’ ପଇସା ଲାଗେନି । ସେହି ପତାକାର ଆଦେଶରେ ସବୁ ମାଗଣା । ଘରେ ଘରେ ଆସି ଆପେ ଆପେ ପହଞ୍ଚିଯାଏ ।

 

ଅନ୍ନ ବସ୍ତ୍ର ପାଇଁ ମଣିଷ କରେ କଠିନ ଶ୍ରମ । ଏହାର ଅଭାବରେ ଶାନ୍ତ ମନ ତା’ର ଭୀମକାନ୍ତ ରୂପଧରି ଆନ୍ଦୋଳନର ବାତ୍ୟା ବୁହାଇ ଦିଏ । ଏହି ପତାକା ସେ ଅଭାବକୁ ପୂରଣ କରିବ । ତେବେ ଆଉ ଚିନ୍ତା କ’ଣ ?

 

‘ନା’–ପୁଣି ରହିଲା ଗୋଟାଏ ଅଭାବ । ସେ ଅଭାବ, ସହଜରେ ମେଣ୍ଟିବ । ମଣିଷ ମାତ୍ରକେ ଖଣ୍ଡିଏ ଚାହେଁ ଭଲ ଘର । ତାହା ବି ଏ ପତାକା ଦେବ ଆକୁଣ୍ଠିତ ଚିତ୍ତରେ ।

 

ଢିପ ଜମି ହେବ ସବୁ ଖାଲ । ସେହି ମୃତ୍ତିକାରେ ଗଢ଼ାହେବ ଇଟା–ପୋଡ଼ାହେବ ଟାଇଲ ମାନ । ଗାଁ ଗଜଳରେ ସହର ବଜାର ପରି ଗଢ଼ିଦେବ ଏ ବିଶ୍ଵକର୍ମା ପରି ଉଆସ ସବୁ । ସେହି ଖାଲ ଜମିକି କେନାଲ ସାହାଯ୍ୟରେ ଗଡ଼ିଆସିବ ପାଣି ବହୁତ ଦୂରରୁ ଫଳେଇବାକୁ ଚାଷୀର ସୁନାର ଫସଲ ।

 

ଗାଁର ଲୋକେ ସବୁ ଶୁଣନ୍ତି । ମନ ମାନେନି ତାଙ୍କର । କେତେବେଳେ ଏ ସବୁ ଜିନିଷ କରିବ ସେ ଚାଖଣ୍ଡେ ଲମ୍ବର କନା ପତାକାଟି କାଉଁରୀ ହାଡ଼ ଖଣ୍ଡିକ ସ୍ପର୍ଶରେ ନାନା ହଟଚମଟ ବିଦ୍ୟା ଦେଖାଇଲା ପରି । ଦିନ ଯାଇ ହୁଏ ରାତି । ପୁଣି ଆସେ ସକାଳ । ସୂର୍ଯ୍ୟଦେବତା ପୃଥିବୀକି ସୁନେଲି କିରଣରେ ଝଲସେଇ ବାହାରନ୍ତି ପୂରୁବ ନଭରୁ ଅସ୍ତାଚଳରେ ଲୁଚିବାକୁ ନାଲି ରଙ୍ଗର ଢେଉ ଖେଳାଇ ପୁଣି । ସନ୍ଧ୍ୟା ଆକାଶରେ ମିଟିମିଟି ଆଖିକରି ଜଳି ଉଠନ୍ତି ତାରକା ପୁଞ୍ଜ । ଧନୁ ଆକୃତି ଚାନ୍ଦଟା ବଢ଼ି ବଢ଼ି ପୁଣି ଶଗଡ଼ଚକ ପରି ହୁଏ ଗୋଲ । ଦିନ ଗଡ଼ି ଚାଲେ ଆଗକୁ–କାହାକୁ ମୁହୂର୍ତ୍ତେ ଅପେକ୍ଷା ନ କରି ।

 

କାହିଁ କିଛି ତ ପରିବର୍ତ୍ତନ ହେଇନି । ପୃଥିବୀଟା ଆଗପରି ଯିମିତ ଥିଲା ଅଛି ସିମିତି । ଚାଷୀ ତା’ର ହାଡ଼ୁଆ ଦିହରେ କଙ୍କାଳସାର ହଡ଼ା ଦି’ଟାକୁ ଅଡ଼ାଇ ଚାଲିଛି ଚାଷ କରିବାକୁ ଭୂଇଁ ଚାଖଣ୍ଡକୁ ।

 

ଦଶଘଡ଼ି ବେଳକୁ ସେ ଫେରେ ମେହେନତ କରି କେତେ । ତୁଣ୍ଡରେ ଦେବାକୁ ହାଣ୍ଡିରେ ନଥାଏ ତୋଡ଼ାଣି ଟୋପାଏ ଘରେ । ପେଟ ତା’ର ଜଳେ ଭୋକରେ । ଛଟପଟ ହୁଏ ମନ । ପ୍ରାଣ ହୁଏ ଡହଳ ବିକଳ । ଗରିବ ମଜୁରିଆ ମୂଲଲାଗି ଫେରେ ମହାଜନ ପାଖରୁ । କରଜ ଟଙ୍କା ବାବଦକୁ ଦେହରେ ଶ୍ରମ ଦେଇ ସେ ପରିଶୋଧ କରେ ସାହୁକାର ଧନ । ରିକ୍ତ ହସ୍ତରେ ସେ ଫେରେ ତା’ର ଝାଟିମାଟିର କୁଡ଼ିଆଟି ଭିତରକୁ ।

 

କେତେ ବୋଧଦେବ ସେ ବିକଳ ମନକୁ । ବଣ ପୋଡ଼ିଗଲେ ଲିଭେଇ ହୁଏନା । ବର୍ଷା ଜଳକୁ ଅଳ୍ପକେ ରୋକି ହୁଏନି । ତା’ର ବିକଳ ନୟନର ଉଷ୍ମ ଅଶ୍ରୁ ଅବାରିତ ଗତିରେ ଛୁଟିଥାଏ ଦୁଇଗଣ୍ଡ ଦେଶକୁ ପ୍ଳାବନ କରି ।

 

“କିଏ କହିଲା ?”

 

ତା’ର ଝାଟି ମାଟିର ଘର ପରିବର୍ତ୍ତେ ମୁଣ୍ଡଟେକି ଛିଡ଼ାହେବ ସୁବର୍ଣ୍ଣ ଉଆସ । ତାରି ଘର, ବିଲ, ତୋଟା, ବଗିଚାରେ କରିବ ସେ ମେହନତ୍ । ଅନ୍ୟପାଖେ ନିଜର ଜୀବନଟାକୁ ବିକି କଲବଲ ଆଉ କରିବନି ।

 

କାଞ୍ଜି ଖୁଦ ପରିବର୍ତ୍ତେ ଖାଇବ ଖିରି-ପିଠା । ଛିଣ୍ଡା କନା ଛାଡ଼ି ପିନ୍ଧିବ ସେ ନୂଆ ଧୋତି-। ଏସବୁ ମିଛ–ସବୁ ଭାଣ୍ଡାମି–ସବୁ ପ୍ରତାରଣା ! ଏଣିକି ସେ କାହା କଥା ଆଉ ବିଶ୍ଵାସ କରିବନି-!

 

କିନ୍ତୁ ସତକୁ ସତ କେତୋଟି ଦିନ ଭିତରେ ପ୍ରତି ଗାଁକୁ ଆସିଲା ଖବର । ସରକାର ଆଉ କେହି ନୁହେଁ–ଏ ନିର୍ଜୀବ ଅଳ୍ପାହାରୀ ପରିଶ୍ରମୀ ଚାଷୀ ମୂଲିଆ ଗଢ଼ିବେ ତାଙ୍କର ସରକାର–ଚଳେଇବେ ରାଇଜକୁ ଶାସନ କରିବେ ସେମାନେ ।

 

ଲୋକେ ଏକାଠି ରୁଣ୍ଡ ହେଲେ । ଚାଷୀର ହଳ ଘଡ଼ିଏ ଅଟକି ଗଲା–ଲୁହା ଅଧପୋଡ଼ା ଅବସ୍ଥାରେ ପକାଇ ଚାଲି ଆସିଲା କମାର–କୁମ୍ଭାରର ଘଡ଼ିଏ ବନ୍ଦ ହୋଇଗଲା ହାଣ୍ଡିଗଢ଼ା ଚକ–ତନ୍ତୀର ତନ୍ତ ଖଟଖଟ ନ ହୋଇ ରହିଗଲା କ୍ଷଣେ–ଜାଲ ପୁଳାକ କାନ୍ଧରେ ଝୁଲାଇ ଛିଡ଼ାହେଲା କେଉଟ ଗାଁ ଦାଣ୍ଡରେ–ସାଆନ୍ତଙ୍କୁ ଅଧା କ୍ଷିଅର କରି ଭଣ୍ଡାରୀ ଦଉଡ଼ିଲା ଖୁରକୁ ଧରି ହାତରେ ।

 

“ଆରେ,–ଏ ପୁଣି କ’ଣ ?”

 

ସମସ୍ତଙ୍କୁ ଟାଣି ଆଣିଲା କି’ଏ ? ଜାତି, ଅଜାତି କିଛିନାହିଁ–ଛୁଆଁ, ଅଛୁଆଁ ବାରଣ ନାହିଁ ଏମାନେ ହେଇଛନ୍ତି ଏକାଠି । କ’ଣ ସବୁ ଶୁଣିବେ ବୋଲି ନିଜର କର୍ତ୍ତବ୍ୟ ପଥରୁ ଚାଲି ଆସିଛନ୍ତି ଏତେ ଦୂର । ସମସ୍ତେ ଏକଲୟରେ କଟାସ ଚାହିଁ ରହିଲା ପରି ଚାହିଁ ରହିଛନ୍ତି ଆଗନ୍ତୁକ ଲୋକଟି ଆଡ଼େ । ଲୋକଙ୍କ ମନକୁ କିଏ ଯିମିତି ବାନ୍ଧି ଦେଇଛି ଏକ ସ୍ନେହ ଡୋରିରେ ।

 

ଚପରାସିଟି ଗାଁ ଭାଗବତ ଘର କାନ୍ଥରେ ମାରିଲା ନୋଟିସ । କେହି କେହି ଦୋ’ ଦୋ ଚିହ୍ନା ହେଇ ପଢ଼ିଲେ “ପଞ୍ଚାୟତ ଶାସନ ।” ମହାଭାରତ ଯୁଦ୍ଧରେ ଅଭିମନ୍ୟୁକୁ ସପ୍ତରଥୀ ଘେରିଗଲା ପରି ଏ ଲୋକମାନେ ଅଚିହ୍ନା ଚପରାସିଟିକୁ ବେଢ଼ିଗଲେ ।

 

ପ୍ରଶ୍ନ ଉପରେ ପ୍ରଶ୍ନ କେଡ଼େ ଉଦବେଗ ମନରେ ପଚାରି ଚାଲିଥାନ୍ତି ଗ୍ରାମବାସୀମାନେ । ତା’ର ଉତ୍ତର କ’ଣ ହେବ ଜାଣି ପାରିଲାନି ଚାପରାସିଟି । ସେ ଖାଲି କହିଲା–ଗାଁ ପଞ୍ଚାୟତ ଗଢ଼ା ହେବ ?

 

ଲୋକେ ଛାଡ଼ୁ ନ ଥାନ୍ତି ତାକୁ । ସେ ଏପରି କେତେଖଣ୍ଡ ଗାଁକୁ କହିବାକୁ ଯିବ । ବେଳ ପାଇବନି ଆଜି । ସେ କ’ଣ ଭଲଭାବେ ବୁଝିଛି ଯେ, ଲୋକଙ୍କୁ ବୁଝେଇବ । ନୀଳଚକ୍ରକୁ ଦେଖେଇ ଚକ୍ର ମଣୋହି କଲାପରି ଲୋକେ ଚପରାସିର କଥାଗୁଡ଼ାକୁ ଅମୃତ ତୁଲ୍ୟ ମଣିଲେ । ସେ ବଡ଼ ସହରରୁ ବଡ଼ ହାକିମଙ୍କ ପାଖରୁ ଏ ପରଓ୍ୟାନା ନେଇ ଆସିଛି । ଲୋକେ ବିଶ୍ଵାସ ନ କରନ୍ତେ କିମିତି ?

 

ବହୁତ ଦିନରୁ ତ୍ରିରଙ୍ଗୀ ପତାକାଟି ଉଡ଼ୁଥିବାର ଲୋକେ ଦେଖୁଥିଲେ ସିନା–ଆଜି ଜଣାଗଲା ତା’ର କରାମତି । କନା ଖଣ୍ଡକ ପୁଣି ଏପରି କରିପାରେ ହଟଚମଟ ବିଦ୍ୟା । ସମସ୍ତଙ୍କ ଆଖିରେ ବୋଳେ ମାୟାର ଅଞ୍ଜନ–ମନରେ ଆଣେ ବିରାଟ ପରିବର୍ତ୍ତନ । ଗ୍ରାମବାସୀମାନେ କେତେ କ’ଣ ଆଲୋଚନା କଲେ ୟା’ ବିଷୟରେ–ଭୋକଶୋଷ ତାଙ୍କର ହରଣ କରି ନେଇଛି ଏ ପତକା ।

 

ସନ୍ଧ୍ୟାବେଳ ହେଲେ ଲୋକେ ପଶନ୍ତି ଯେଝା ଘରେ । କିନ୍ତୁ ଆଜି ଏକମନ, ଏକ ପ୍ରାଣରେ ସଭିଏଁ ହେଇଛନ୍ତି ଏକାଠି । ପହରିକିଆ ବିଲୁଆଗୁଡ଼ାକ ରଡ଼ି ଛାଡ଼ିଲେ ବିଲମାଳରେ ଯିମିତି, ଲୋକମାନେ ତାଙ୍କର ସଭା ଭାଙ୍ଗିଲେ । ରାତି ସେତେବେଳକୁ ପ୍ରାୟ ଦଶଟା ବାଜିଥିଲା ।

 

ଗାଁଟି ନାଁ ଶିଖରପୁର । ପଲ୍ଲୀ ଗାଁଟିଏ । ପ୍ରକୃତିର କୋଳରେ ନିଘୋଡ଼ ନିଦରେ ଶୋଇ ରହିଥିଲା–ତୋଟାମାଳ ଘେରା ଗହୀର ବିଲ ମଝିରେ ଟିକି ଦେହଟି ତା’ର ଲୋଟେଇ ଦେଇ । ପାଖେ ପାଖେ ଗଡ଼ ପ୍ରାଚିର ପରି ପାହାଡ଼ଟି ଲମ୍ବି ରହିଛି–ତା’ର ଶ୍ୟାମଳ ଅଙ୍ଗ ଶୋଭାକୁ ମୁକୁଳା କରି । ନାଁଟି ୟା’ର ଶୋଲରୀ ପାହାଡ଼–ଇତିହାସ ପ୍ରସିଦ୍ଧ ବୋଲି ଜାଣନ୍ତି ସମସ୍ତେ । ପାଦଦେଶର ବାଉଁଶବଣ ଅତି ନିଘଞ୍ଚ–ତା’ ପାଖକୁ ଲାଗି ରହିଛି ଆମ୍ବତୋଟା–ଏହି ତୋଟାମାଳ ଡେଇଁଲେ ପଡ଼େ ସବୁଜ ଧାନ ଖେତ ମାନ । ଗାଁଟିର ସମ୍ପତ୍ତି ଏଇ ଗହୀର ବିଲ ସବୁ । ଝରଣାଟିଏ ବହି ଆସିଛି ଝର ଝର ହେଇ ଏଇ ନିଭୃତ ବଂଶକୁଞ୍ଜ ଦେଇ କେଉଁ ଅଜଣା ଜାଗାରୁ । ତା’ କେହି ଦେଖି ନାହାନ୍ତି କେବେ । ଛୋଟ ଝରଣାଟି ସର୍ପିଳ ଗତିରେ ଦେହକୁ ହଲେଇ ହଲେଇ ଗତି କରିଛି ଏଇ ଧାନ କ୍ଷେତ ପାଖ ଦେଇ ।

 

ବର୍ଷାଦିନେ ଗୋଳିଆ ପାଣି ପାହାଡ଼ ବୁକୁରୁ ନାଲି ଗୋଡ଼ି ମାଟି ଟାଣିଆଣେ ଏହାର ମୃଦୁ ସ୍ରୋତରେ । ଖରାଦିନେ ଝିମେଇଁ ଝିମେଇଁ ଆସେ ପାଣି । ଏହି ଜଳ ଓଦାକରେ ସିନା ମାଟିକି–ହେଲେ ଚାଷ ଭୂଇଁର ପେଟ ପୂରେନା । ଅଳ୍ପ ଦୂରରେ ଝରଣାଟି ହଜିଗଲା ପରି ଜଣାଯାଏ-। ଖାଲି ଭୂଇଁ ଟିକିଏ ଟିକିଏ ଓଦା–ଆଉ ଝରଣାର ଚିହ୍ନବର୍ଣ୍ଣ ନାହିଁ କିଛି ।

 

ପାଖ ପଡ଼ୋଶୀ ହେଇ କେଉଁ ଗାଁ ଗଣ୍ତା କିଛିନାହିଁ–ଏ ଗାଁଟି ଖାଲି ଛିଡ଼ା ହେଇଛି ସମସ୍ତଙ୍କଠୁଁ ଦୂରଛଡ଼ା ହେଇ । ଅନ୍ୟ ଗାଁମାନେ ସିନା ବାସନ୍ଦ କରିଛନ୍ତି ତାକୁ ବୋଲି ସେ ନିରିମାଖି ହେଇ ଛିଡ଼ା ହେଇଛି ଗଭୀର ଦୁଃଖରେ ?

 

ଏଇ ଗାଁକୁ ଲୋକେ ଆସନ୍ତିନି କାହିଁକି ? ଲାଜରେ ନା ଭୟରେ, ଦୁଃଖରେ ନା ଶତ୍ରୁତା ଭାବକୁ ମନରେ ରଖି !

 

ଝିଅମାନେ ଅମଙ୍ଗ ହୁଅନ୍ତି ବୋହୂ ହେଇ ଯିବାକୁ ଏଇ ଗାଁକୁ । ନୂଆବୋହୂ କାନ୍ଦେ ବାହୁନି ବାହୁନି ଏଇ ଗାଁ ନାଁରେ । ବନ୍ଧୁବାନ୍ଧବ ସୁଖ ପାନ୍ତି’ନି ଏଗାଁକୁ ଯିବାକୁ । ଶଗଡ଼ିଆ ଝଗଡ଼ା କରେ ଶଗଡ଼ ନେବାକୁ ଏଇଠିକି । ସମସ୍ତେ ଯିମିତି ନାକ ଟେକନ୍ତି ଶିଖରପୁରର ନାଁ ପଡ଼ିଲେ ।

 

କାହିଁକି ଏମିତି ହୁଅନ୍ତି ସମସ୍ତେ ! ପ୍ରଶ୍ନଉଠେ କେତେ ମନରେ । ଗାଁଟିରେ ତ ଥିବେ ଲୋକ–ଘରଦ୍ୱାର–ଗାଈ ଗୋରୁ ଯିମିତି ଥାଆନ୍ତି ଅନ୍ୟ ଗାଁମାନଙ୍କରେ । ଅନ୍ୟ ଗାଁକୁ ସମସ୍ତେ ଆସନ୍ତି ଯା’ନ୍ତି–ଏ ଗାଁରେ କ’ଣ ବାଘ, ଭାଲୁ ଅଛି ଅବା ଭୂତ ଚିରୁଗୁଣି ବସା କରିଛି ଯେ ଲୋକ କରନ୍ତି ଭୟ !

 

ସତକୁ ସତ କାରଣ ନ ଥାଇ କଥା ବାହାରେ ନାଁ । ନିଆଁ ବିନା ଧୂଆଁ ଉଠିବା ଅସମ୍ଭବ । ଲୋକେ ଜାଣି ପାରନ୍ତିନି ଅସୁବିଧା କ’ଣ ତାଙ୍କର । ଏମିତି ଚଳଣି ତାଙ୍କର ହେଇଚି ଦିହସୁହା ରାସ୍ତାଟିଏ କରିବାକୁ ଯେମିତି ସେ ଭୁଲି ଯାଇଛନ୍ତି । ସେଇଥି ପାଇଁ ଶିଖରପୁର ଗାଁଟି ଆଜି ସମସ୍ତଙ୍କ ଆଖିରେ ହେୟ–ଗାଁ ଲୋକଙ୍କୁ ପସନ୍ଦ କରନ୍ତିନି ବାହାର ଲୋକେ ।

 

ଗାଁ’ଟି ଭିତରକୁ ରାସ୍ତାଟିଏ ନାହିଁ ଏ କଥା ସମସ୍ତଙ୍କୁ ଜଣା । ଖରାଦିନେ ଧାନଜମିରୁ ଫସଲ ଉଠିଲେ ହିଡ଼ହଣା ହେଇ ଫିଟେ ଶଗଡ଼ ବାଟ । ବାକି ଆଠମାସ ଏଇ ଗାଁ ଲୋକେ ହୁଅନ୍ତି ହଇରାଣ । ବର୍ଷାଦିନେ ଯମ ପଶେନି ଏ ଗାଁରେ । ଚିକିଟା ମାଟିରେ ଗୋଡ଼ ଖସେ ସଡ଼୍‍ ସାଡ଼୍‍–ଲୋକେ ପଡ଼ନ୍ତି ଆଣ୍ଠୁମାଡ଼ି ଭାଙ୍ଗେ ତାଙ୍କର ଗୋଡ଼ ହାତ ।

 

ଏତେ ହଇରାଣରେ ଏତେ ଅସୁବିଧାରେ ପଡ଼ି ମଧ୍ୟ ରାସ୍ତାଟିଏ କରି ପାରନ୍ତିନି ।

 

କାହିଁକି ସେ ଫିଟାନ୍ତିନି ବାଟଟିଏ–କ’ଣ ଧ’ନ ଅଭାବରେ ?

 

ନା ନା ଏଥିପାଇଁ ଧନ ଦରକାର ହୁଏନି କେବଳ ହେଲା ମନ । ଏହି ମନ ଅଭାବରେ କିଛି ହେଇ ପାରେନା ଏ ଦୁନିଆଁରେ ।

 

ଏଇ ଗାଁର ଲୋକଙ୍କ ମନ ମୁକୁଳା ଏଇ ମୁକୁଳା ମନକୁ ଏକାଠି କରି କେହି କେବେ ବାନ୍ଧି ପାରେନି । ସେମାନେ ୟା’କୁ ନିଜକାମ ବୋଲି ଜାଣି ନାହାନ୍ତି କେବେ ।

 

ଗାଁଟି ଭିତରକୁ ପଶିଲେ କେତେ ଯେ, ଖଣ୍ଡିଆ କାନ୍ଥ ମୁଣ୍ଡଟେକି ରହିଛନ୍ତି ତା’ର ହିସାବ କେହି ରଖିନି । ତେବେ ଏ ସବୁଘର ମୁକୁଳା ପଡ଼ିଛି କାହିଁକି ? ଏହାରି ଭିତରେ ରହୁଥିବା ଲୋକେ ଗଲେ କୁଆଡ଼େ ?

 

ପ୍ରଧାନ, ପଢ଼ିଆରୀ, ଜେନା, ମହାରଥୀ ଏହିପରି କେତେ ମୁଖିଆ ଲୋକ ସେହି ଖଣ୍ଡିଆ ଚାରିକାନ୍ଥ ଭିତରେ ରାଜତ୍ଵ କରି ଫେରିଯାଇଛନ୍ତି ଆରପୁରକୁ ।

 

କେତେ ଭଙ୍ଗାଘର ଗଢ଼ିଉଠିଛି । ପୂରନ୍ତାଘର ସବୁ ଭାଙ୍ଗି ଟିକି ଟିକି ହେଇଛି–ତା’ର ଉତ୍‍ଥାନ ପତନ ଦେଖି ଆସିଛି ମରହଟ୍ଟା ଅମଳର ସେହି ଗାଁ ମୁଣ୍ଡେ ଥିବା ବଡ଼ ବରଗଛଟି । ତାରି ମୂଳରେ ସିନ୍ଦୂର ବୋଳା ଦୁଇଟି ପଥର ଯୋଡ଼ି ହେଇ ପୂଜାପାଇ ଆସିଛନ୍ତି ଅନେକ ଦିନୁଁ ।

 

ସେହି, ଗାଁଟିର ଗ୍ରାମ ଦେବତୀ ! କେହି କେହି କହନ୍ତି ବଟମୂଳ ବାସିନୀ ବଟଠାକୁରାଣୀ–ଆଉ କେହି ନାଁ ଦେଇଛନ୍ତି ଗାଁ ବାଟରେ ବସିଥିବାରୁ ବାଟ ମଙ୍ଗଳା । ଗାଁ’ର ଭଲମନ୍ଦ ରୋଗ ବ୍ୟାଧି ଖଣ୍ଡନ କାରିଣୀ ସେ–ଲୋକଙ୍କର ବାହା ପୁଆଣି ଓଷା ବରତରେ ମଙ୍ଗଳ କାରିଣୀ । ସେଥିପାଇଁ ଗାଁ ଲୋକଙ୍କର ପୂଜା ଆରାଧନା, ଧୂପମାଜଣରେ ଆସ୍ଥାନଟି କମ୍ପିଉଠେ ।

 

ଆଫ୍ରିକାର ନିବିଡ଼ ଜଙ୍ଗଲ ଭିତରେ ଘନ ଅନ୍ଧକାର ବନ୍ଧୁର ପଥକୁ ଦିବ୍ୟାଲୋକ ଦେଇଥିଲେ ଲିଭିଂଷ୍ଟୋନ । ଆଜି ଏ ଗାଁଟିର ପଥ ଆବିଷ୍କାର କରି ନ ପାରି ଜଣେ ଅପରିଚିତ ବ୍ୟକ୍ତି ଘୂରି ବୁଲିଲା ଏଣେତେଣେ । ବହୁତ କଷ୍ଟରେ ଦରାଣ୍ଡି ଦରାଣ୍ଡି ଅବାଟରେ ପଶି ସେ ପହଞ୍ଚିଲା ଆସି ଶିଖରପୁରରେ ।

 

ସକାଳ ସମୟ । ବେଳ ଦୁଇଘଡ଼ି ହେଲାଣି । ଲୋକଟି ବସିଛି ଗାଁ-ମୁଣ୍ଡ ବରଗଛ ମୂଳେ-। ଅଚିହ୍ନା ଲୋକକୁ ଦେଖିଲେ ଲୋକଙ୍କ ମନରେ ଆସେ ସନ୍ଦେହ । ସେ ଦଉଡ଼ନ୍ତି ତା’ ପାଖକୁ ।

 

ଗାଁ ଲୋକେ ଜଣଜଣ ହେଇ ରୁଣ୍ଡ ହେଲେ ଆସି ତା’ପାଖେ । ଲୋକଟିଏ ମୁହଁକୁ ଚାହୁଁଥାନ୍ତି ସେମାନେ–କେହିହେଲେ ପଚାରିଲେନି କଥାପଦେ ।

 

ତାମସା ଦେଖିଲା ପରି ଲୋକେ ଘେରି ରହିଲେ ତାକୁ । ଯେଉଁଠି ଦଳେ ଲୋକ ଏକାଠି–ସେଇଠି ସନ୍ଦେହ ହୁଏ ଅନ୍ୟମାନଙ୍କର ବେଶୀ । ସମସ୍ତେ ଭାଗ ନିଅନ୍ତି ଆସି ସେଇ ଭିଡ଼ ଗହଳି ପାଖରେ ।

 

ଲୋକଟି ପଚାରିଲା କେତେକଥା–କିନ୍ତୁ କେହି ଦେଲେନି ପଦେ ହେଲେ ଉତ୍ତର । ଲୋକଙ୍କ ମନରେ ଗୋରା ଶାସନର ଭୟ ଆଶଙ୍କା ଯିମିତି ଲାଗିରହିଛି ! ସେ ଗାଁ ଖବର କହନ୍ତେ କିମିତି ?

 

ଲୋକଟିର ଜାଣିବାର ପ୍ରବଳ ଇଚ୍ଛା–ସେ ଗାଁଟିର ଜଣାଶୁଣା ଲୋକ କିଏ ? କେହି କହୁ ନାହାନ୍ତି ତାକୁ । ସମସ୍ତେ ଯିମିତି ମୂକ, ବଧିର ।

 

ସେତେବେଳକୁ ନିଧି ମାହାପାତ୍ରେ ଯାଉଥିଲେ ସେହି ବାଟରେ । ସେ ଲୋକ ଗହଳି ଦେଖି ପଶି ଆସିଲେ ଭିତରକୁ ।

 

ଲୋକେ ପାଖେଇ ଗଲେ ଟିକିଏ–ରାସ୍ତା ଦେଲେ ତାଙ୍କୁ । ମାହାପାତ୍ରେ ବ୍ରାହ୍ମଣ ଆଉ ସେମାନେ ହେଲେ ଶୂଦ୍ର ଲୋକ । ତାଙ୍କୁ ମାନନା କରନ୍ତି ବେଶୀ ।

 

କେହି କେହି ଓଳଗି ହେଲେ ତାଙ୍କୁ । ମହାପତ୍ରେ ଶ୍ଳୋକ ପାଠ କରି କଲ୍ୟାଣ ଦେଉ ଦେଉ ପହଞ୍ଚିଲେ ଲୋକଟି ପାଖରେ ।

 

ସେହି ଗୋଟିଏ ପ୍ରଶ୍ନ ପାଇଲେ ସେ–“ଗାଁର କିଏ ମୁଖିଆ ଲୋକ !” ଅଜଣା ଲୋକଟିର ପ୍ରଣାମକୁ ସାଦରରେ ଗ୍ରହଣ କଲେ ମହାପାତ୍ରେ ।

 

ପୁଣି ପଚାରିଲା ସେ ମହାପାତ୍ରଙ୍କୁ–“ଆପଣ ଏ ଗାଁର କ’ଣ ପ୍ରଧାନ ଲୋକ ?”

 

ମାହାପାତ୍ରେ ରାଗମିଶା ଗଳାରେ ଉତ୍ତର ଦେଲେ ତାକୁ । କାନ୍ଧରେ ତାଙ୍କର ପଡ଼ିଛି ବ୍ରହ୍ମପଇତା–ଛତିଶି ପାଟକ ଜାତି ଭିତରେ ଶ୍ରେଷ୍ଠ ସେ–ତାର କ’ଣ ଆଖି ଥାଉ ଥାଉ ସେ ଅନ୍ଧ ! ଜାଣିଶୁଣି ପଚାରିବ ପୁଣି ।

 

ଆପଣ ରାଗିଗଲେ କି ମୋ ଉପରେ–ସେ ଟିକିଏ ହସି ଆରମ୍ଭ କଲା–ମୋର ହେଇଛି ଭୁଲ୍‍ । ଆପଣ ଦୟାକରି କହିବେକି–“ଧନୀଲୋକ ଏଗାଁର କିଏ ?”

 

ଏତେକଥା ପଚାରୁଛି କାହିଁକି ? କେଉଁ ଆଡ଼ିକା ଲୋକ–ଏଠିକି ପୁଣି ଆସି ଏଣୁତେଣୁ ପଚାରିବାରେ ତା’ର କ’ଣ ଦରକାର ଅଛି । ମାହାପାତ୍ରେ ଟିକିଏ ନୀରବ ହେଲେ ।

 

ଆପଣଙ୍କ ନାଁଟି ଟିକିଏ ଦୟାକରି କହିବେକି ? ଭଦ୍ରଲୋକଟି ପୁଣି ପଚାରିଲା ।

 

ମାହାପାତ୍ରେ କହିଲେ–“ତାଙ୍କ ନାଁ କିଏ ନ ଜାଣେ–କିଏ ନ ଚିହ୍ନେ ତାଙ୍କୁ !” ସେ କାହିଁକି ପଚାରୁଛି ତାଙ୍କ ନାଁ !

 

ପୁଣି ମାହାପାତ୍ରେ ଭାବିଲେ ଏ କ’ଣ ଗୁଇନ୍ଦା ବିଭାଗର କର୍ମଚାରୀ–ଏଠି କ’ଣ କିଏ କରିଛି ଚୋରୀ–ଖୁନ୍ ଆସାମୀ କ’ଣ ହେଇଛି ଫେରାର୍‍ ! ଏ ଗାଁ ଭୂଇଁରେ ସେ କାହିଁକି ତନଖି କରୁଛି ଏତେ ? ତାଙ୍କ ମନରେ ବି ଟିକିଏ ଭୟ ହେଲା ।

 

ସେ ଟିକିଏ ଶଙ୍କିଯାଇ କହିଲେ–“ତୁମେ ଏ ଗାଁ ଭୂଇଁରେ କାହିଁକି ପାଦ ପକେଇଲ–ତୁମକୁ ପଠେଇଛି କିଏ ?

 

ଭଦ୍ରଲୋକଟିର ମନକୁ ବେଶ୍‍ ପାଇଲା–ତା’ର ମନର କାମନା ପୂର୍ଣ୍ଣ ହୋଇଛି ନିଶ୍ଚୟ । ସେହି କଥାକୁ ସେ ଯିମିତି ଅପେକ୍ଷା କରିଥିଲା–ଶୁଣିବ ବୋଲି କାହା ମୁହଁରୁ ।

 

ସେ କହି ପକାଇଲା–“ହଁ ମହାଶୟ–ମୁଁ ଆସିଛି ଆପଣମାନଙ୍କ ସେବା କରିବାକୁ । ଏ ଗାଁର ଅସୁବିଧାକୁ ସୁବିଧା ବାଟକୁ ଆଣିବାକୁ । ମନ୍ଦ ଜାଗାରେ ଭଲ କରିବାକୁ ।” ମୋତେ ଜାତୀୟ ସରକାର ପଠେଇଛନ୍ତି ଆପଣମାନଙ୍କ ପାଖକୁ । ଏଇ ଗାଁ ଭିତରେ ମୁଁ ଜଣେ ହେଇ ରହିବି । ମୋତେ ଚଳେଇବେ ଗ୍ରାମବାସୀ ।

 

ମହାପାତ୍ରଙ୍କ ବେଳ ନଥିଲା ସେ ବକ୍ତୃତାକୁ ଶୁଣିବାକୁ । ସେ ବଟୁଆଟି କାଖରେ ଜାକି ସକାଳୁଆ ବାହାରିଥିଲେ ବଇଦ ବୃତ୍ତି କରି କେଉଁଆଡ଼େ ।

 

ହେଉ, ହେଉ, କହି–ଯିବାକୁ ସେ ବାହାରିଲେ । ଲୋକମାନଙ୍କୁ ସେ ଇସାରା ଦେଲେ ମହାଜନ ନବଘନ ବଳବନ୍ତରାଙ୍କ ଘର ପାଖକୁ ଲୋକଟିକୁ ନେଇ ପହଞ୍ଚାଇ ଦେବାକୁ ।

 

ଏ କଥା ଶୁଣି ଯୁବକଟି ଆଗେ ଆଗେ ଚାଲିଲା–ଲୋକମାନେ ତା’ର ପଛେ ପଛେ ଯାଇ ପହଞ୍ଚିଲେ ମହାଜନଙ୍କ ଦୁଆରେ ।

 

ପଛକୁ ବୁଲି ଚାହିଁଲା ସେ । ଲୋକେ ଅଟକି ଗଲେଣି ପଛରେ । ଆଉ ସନ୍ଦେହର ଅବକାଶ ନାହିଁ । ସେହି ଟାଇଲି ଛପର ଘରଟି ମହାଜନଙ୍କର ନହୋଇ ହେବ ଆଉ କାହାର ? ସିମିତି ଘରଖଣ୍ଡେ ଗାଁ ଭିତରେ ନ ଥିଲା ଆଉ ଯିମିତି !

 

ଲୋକେ ଘରଟି ଦେଖେଇ ଦେଇ ଚାଲିଗଲେ ଯେଝା କାମରେ । ଯୁବକଟି ଛିଡ଼ାହେଇ ଚାହୁଁଥାଏ କେତେ ? ମହାଜନଙ୍କ ଦୁଆର ଆଗରେ ପଥର ଚାନ୍ଦିନୀ–ତା’ ଉପରେ ପୁଣି ଠିକ୍‍ ମଝିକି ଗୋଟିଏ ପଥର ଚଉରା–ଝଙ୍କାଳିଆ ତୁଳସୀ ଗଛଟିକୁ ମୁଣ୍ଡରେ ମୁଣ୍ଡେଇ ଛିଡ଼ା ହେଇଛି । ଦାଣ୍ଡ ଦୁଆରେ ପଡ଼ିଛି ଯୋଡ଼ିଏ ଚଉକି ଏକାଠି ଯୋଡ଼ିଯାଉଁଳି ହେଇ ।

 

ଆଗକୁ ପଛକୁ ନିରୀକ୍ଷଣ କଲା ଯୁବକଟି କେତେ । ସେ କାହିଁକି ଦୁଆର ମୁହଁଟାରେ ଛିଡ଼ାହେଇ ରହିଥିବ ଏମିତି ? ବସି ରହିବାକୁ ଭଲ ଲାଗିଲାନି ତାକୁ । ଗ୍ରାମବାସୀ ସମସ୍ତେ ଲାଗିଛନ୍ତି ତାଙ୍କ କାମରେ–କେହି ନାହାନ୍ତି କେଉଁଠି–ଗାଁ ଦାଣ୍ଡଟି ହେଇଛି ଶୂନଶାନ୍‍ ।

 

ଆଗେଇ ଚାଲିଲା ସେ ଆଗକୁ ଟିକିଏ–ଦେଖିଲା ଘର ଆଉ କାହାର ନାହିଁ । ଗୋଟିଏ ବିରାଟ ପଥର ପାଚେରୀ ଘେରି ରହିଛି ଚାରିଆଡ଼କୁ । ତା’ ମନରେ ଜାତ ହେଲା କୌତୂହଳ । ସେ ଦେଖିଲା ପାଚେରୀ ସାମନା ଲାଗିଛି ବଡ଼ ବଡ଼ ଦୁଇଟି କବାଟ–ଆସ୍ତେ ଫିଟାଇଲା ତାକୁ । ତା’ର ମନହେଲା ପଶିବାକୁ ଭିତରେ ।

 

କିଛିବାଟ ଯାଇଁ ସେ ଭିତରେ ଦେଖିଲା ଗୋଟିଏ ଠାକୁର ମନ୍ଦିର ଛିଡ଼ା ହେଇଛି ସେ ବେଢ଼ା ଭିତରେ । ତା’ର କଡ଼କୁ ଅଛି ଗୋଟିଏ ଉଚ୍ଚ ଦୋଳମଣ୍ଡପ । ସେ ଚଢ଼ିଲା ତା’ ଉପରେ ପୁଣି ଦେଖିଲା ହାତୀଶାଳ ପରି ଘରଗୁଡ଼ାଏ ଧାଡ଼ି ବାନ୍ଧି ଲମ୍ବରେ ଠିଆ ହେଇଛନ୍ତି । କୁବେରର ଗନ୍ତାଘର ନା ଲକ୍ଷ୍ମୀଙ୍କର ସ୍ଵର୍ଣ୍ଣ-ଭଣ୍ଡାର ଏ ବିଶ୍ୱାସ କରି ପାରିଲାନି ସେ ।

 

ପୁଣି ଆଗକୁ ଚାଲିଲା ଦେଖିଲା ଗୋଟିଏ ଘର । ତା’ ଭିତରେ ଥୁଆ ହୋଇଛି ଗୋଟିଏ କାଠ ନିର୍ମିତ କୁଞ୍ଜ । ତା’ ଦେହରେ ମଣ୍ଡଣି ହେଇଛି ନାଲି ନେଳି ରଙ୍ଗର ଜରିପକା କାଗଜର ଫୁଲମାନ ଅଷ୍ଟସଖୀଙ୍କ ପାଇଁ କୁଞ୍ଜ ଭିତରେ ଆଠଟି ଦୁଆର ବନ୍ଧ ।

 

ତେବେ ଏଠି ହୁଏ ଝୁଲଣ ଦୋଳି । ତା’ର ମନରେ ସନ୍ଦେହ ରହିଲାନି ଆଉ । ରାଧାକୃଷ୍ଣଙ୍କର ମନ୍ଦିର ଏ ନିଶ୍ଚୟ । ହେଇଛି ଦୋଳ ମଣ୍ଡପ ଖେଳନ୍ତି ଫଗୁ ଝୁଲନ୍ତି ସରାଗରେ ଦୋଳ ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ବିଜଡ଼ିତ ରଜନୀରେ ।

 

ପୁଣି ଏ ଜାଲିକବାଟ ଫାଙ୍କରେ ଦିଶୁଥିବା କୁଞ୍ଜରେ ଖେଳନ୍ତି ରାଧାକୃଷ୍ଣ ଅଷ୍ଟସଖୀଙ୍କି ନେଇ–ରଚନ୍ତି ଶରତ ସମୟର ରାସଲୀଳା । ସେ ଦେଖିଥିବା ନୀଳାଚଳ ଧାମରେ ମଠବାଡ଼ିମାନଙ୍କରେ ଏଇ ଶ୍ରାବଣ ମାସରେ ଝୁଲଣ କୁଞ୍ଜ ସବୁ । ସେ କୁଞ୍ଜ ଏ କୁଞ୍ଜ ଭିତରେତ ତଫାତ୍‍ କିଛି ନାହିଁ । ବେଶ୍‍ ଡଉଲ-ଡାଉଲ, ଚିକ୍କଣ-ସୁନ୍ଦର ଦିଶୁଛି ଏ ଛୋଟିଆ କୁଞ୍ଜଟି ଯେଉଁଥିରେ ରାଧାକୃଷ୍ଣ ରଚନା କରନ୍ତି ରାସକ୍ରୀଡ଼ା ।

 

ତାରି କଡ଼କୁ ସେ ଦେଖିଲା ଗୋଟିଏ ବଉଳ ଫୁଲର ଗଛ । ଫୁଲରେ ମଣ୍ଡିତ ହୋଇଛି ସେ ଗଛଟି । କେଡ଼େ ଝଙ୍କାଳିଆ ହେଇଛି ସତେ ? ୟାକୁ କିଏ ସଜ୍ଜେଇ ରଖିଛି ? ବଉଳ ଫୁଲରେ ରାଧାକୃଷ୍ଣଙ୍କର ଭାରୀ ଶରଧା ସେଇଥି ପାଇଁ ତାଙ୍କର ବକୁଳ ମୂଳର ପ୍ରୀତି ସୁହାଗକୁ ସ୍ମରଣ କରେଇବାକୁ ଏ ଗଛଟି ଡାଳ ଶାଖା ମେଲାଇ ଛିଡ଼ା ହେଇଛି ଏମିତି ।

 

ତା’ ତଳକୁ ସେ ଗଲା ଟିକିଏ–“ଆହା କି ଆରାମ ସତେ ?” ଜମା ସୂର୍ଯ୍ୟ କିରଣ ପଡ଼ୁନି–କେଡ଼େ ଶୀତଳ–ବଉଳଫୁଲ ଶେଯ ପଡ଼ିଲା ପରି ବିଛେଇ ହେଇ ରହିଛନ୍ତି ତଳେ । ତା’ର ମନହେଲା ଶୋଇପଡ଼ିବାକୁ ସେହି ବକୁଳ ଫୁଲର ଶେଯ ଉପରେ ଟିକିଏ ।

 

ସେ ପୁଣି ଚାଲିଲା ଆଗକୁ । ଦେଖିଲା, ପାଚେରୀ ପାଖରେ ଆଉ ଗୋଏ ଛୋଟ ଦୁଆର । ତାକୁ ଟାଣିଲା । “ଆରେ ! ଦୁଆର ତ ଖୋଲାଅଛି–ସେ ଚାଲିଲା ଭିତରକୁ ।”

 

ଯାହା ଦେଖିଲା ପ୍ରାଣ ତା’ର ପୁଲକିତ ହେଲା । ନୟନ ମନ ସାର୍ଥକ ହେଲା । “କ’ଣ ଏ-? ତା’ର ଆଖି ପାଉନି । କାହାକୁ ସେ ଦେଖିବ–କ’ଣ ଅବା ଚାହିଁବ ?’’

 

ଅଦୂରରେ ପାହାଡ଼ ପର୍ଯ୍ୟନ୍ତ ଲମ୍ବି ଯାଇଛି ନଡ଼ିଆ ବଗିଚା । ତା’ ପାଖକୁ କଲମୀ ଗଛର ଆମ୍ବ ତୋଟାମାନ । ସେ ଟିକିଏ ଆହୁରି ଭିତରକୁ ଗଲା । ସତରେ ବୃକ୍ଷଲତାଗୁଡ଼ିକ ଫଳଫୁଲରେ ମଣ୍ଡିତ ହେଇଥିବାର ଦେଖିଲେ ମନରେ ଆସେ ପରିବର୍ତ୍ତନ–ହୃଦୟ ହୁଏ ଆତ୍ମହରା–ନୟନ ହୁଏ ପବିତ୍ର ।

 

ଖାଲି ସେତିକି ନୁହେଁ । ସେ ଦେଖିଲା ଛୋଟ ଛୋଟ କମଳା, ନାରଙ୍ଗୀ, କରମଙ୍ଗା ଗଛରେ ନାଲି ଟହଟହ ଫଳ ସବୁ ପତ୍ରଗହଳି ମଧ୍ୟରେ ଲୁଚି ରହି ଝୁଲୁଛି । କେତେ ଲୋକ ଲାଗିଛନ୍ତି କାମରେ । କିଏ କରୁଛି ଗଛମୂଳେ ମଳା ତିଆରି ତ କିଏ ଢାଳୁଛି ପାଣି । ଏଡ଼େ ପରିଷ୍କାର–ଏତେ ସଫା ସୁତୁରା ?

 

ଏ ଲୋକଗୁଡ଼ାଙ୍କୁ ସେତ ଦେଖିଥିଲା ସକାଳେ ସେହି ଗାଁମୁଣ୍ଡ ବରଗଛ ମୂଳେ । ଏମାନେ ସବୁ ଏଇ ଗାଁର ଲୋକ–ଏପରି ଜଣଙ୍କର ତୃପ୍ତି ସାଧନ ପାଇଁ ସମସ୍ତେ ହେଇଛନ୍ତି ଆତ୍ମହରା–ଖଟିଛନ୍ତି ଦିନରାତି–ୟା’ ବଦଳରେ ପାଆନ୍ତି କ’ଣ ?

 

ସେହି କର୍ମରତ ମୂଲିଆଗୁଡ଼ିକ ଆଡ଼େ ଦୃଷ୍ଟି ପକାଇଲା ସେ । କେହି କେହି ତା’ଆଡ଼େ ଚାହିଁ ନ ଚାହିଁଲା ପରି ପୁଣି ମନଦେଲେ କାମରେ । ସେ ତୋଟା ଭିତରେ ଫଳଫୁଲ ଭରା ଗଛଗୁଡ଼ିକୁ ଦେଖି ଦେଖି ଚାଲିଛି ଆଗକୁ ।

 

ପୁରାଣବର୍ଣ୍ଣିତ ଖାଣ୍ଡବ ବନ, ନା–ସୁବର୍ଣ୍ଣଲଙ୍କାରେ ଥିବା ଅଶୋକ ବନ ? ସେ ବିଶ୍ୱାସ କରି ପାରିଲାନି ନିଜକୁ । ଯେତେ ଆଗକୁ ମାଡ଼ି ଯାଉଥାଏ ସେ, କୌତୂହଳ ସେତିକି ଚମକପ୍ରଦ ହେଉଥାଏ । ମନରେ ଫଳଫୁଲଭରା ବୃକ୍ଷଲତାଗୁଡ଼ିକ ଯେତିକି ଆନନ୍ଦ ଦେଉଥାଏ,–ଗରିବ ରକ୍ତରେ ଗଢ଼ା ଏହି ବିଭବକୁ ଦେଖି ଧନୀ-ଜମିଦାରଙ୍କର ଉପରେ ରାଗ ବଢ଼ୁଥାଏ ସେତିକି ।

 

ନଡ଼ିଆ ବଗିଚା ଭିତରକୁ ପଶିଲେ ସତରେ ଭାରି ଆରାମ ଲାଗେ । ସତେ କିଏ ବଗିଚା ଗୋଟାକରେ ଟାଣିଛି ଗୋଟିଏ ଚାନ୍ଦୁଆ । ସବୁଆଡ଼େ ଛାଇ । ମଝିରେ ମଝିରେ ନଡ଼ିଆ ପତ୍ରର ଫାଙ୍କବାଟେ ଖରା ଆସି ପଡ଼ିଥାଏ ବଗିଚାଟି ଭିତରେ ।

 

ତାରି ଭିତରେ ଦେଖିଲା ସେ ଗାଡ଼ିଆଟିଏ । ପାଣି ଭରି ହେଇ ରହିଛି ସେଥିରେ । କଇଁଫୁଲଗୁଡ଼ାକ ଫୁଟିରହିଛନ୍ତି ଉପରକୁ ମୁଣ୍ଡଟେକି । କଇଁପତ୍ରଗୁଡ଼ିକ ଜଳକୁ ଯିମିତି ଘୋଡ଼େଇ ରଖିଛି ଚାରିଆଡ଼େ । ନାରିକେଳ ବୃକ୍ଷ ଛାଇରେ ଅନ୍ଧାରିଆ ହେଇଛି ସେ ସ୍ଥାନ । ପାଖକୁ ଲାଗି ଲାଗି ଟଭା,–କରମଙ୍ଗା ଗଛ ସବୁ ।

 

ସେ ଦେଖିଲା ଅଦୂରରେ ପାଣିଟା କାହିଁକି ଦୋହଲୁଛି । ତା’ ଭିତରେ ଥିବା କଇଁ ଫୁଲଗୁଡ଼ିକ ମୁଣ୍ଡ ହଲାଇ ନାଚୁଛନ୍ତି ଯିମିତି । ତା’ର ମନରେ ସନ୍ଦେହ ହେଲା–ସେ ଗଲା ଆଉ ଟିକିଏ ଆଗକୁ । ପାଟି ଶୁଣିଲା କାହାର । ଆଖି ଖୋଜି ବୁଲିଲା ଦେଖିବ ବୋଲି–“ସେ କିଏ ?”

 

ଦେଖି ଚମକି ପଡ଼ିଲା ହଠାତ୍‍ । ଗୋଟିଏ ନୁହେଁ–ଦୁଇଟି ବି ନୁହେଁ, ଏକ ସଙ୍ଗରେ ଚାରୋଟି ଅବଳା ନିରୋଳାରେ କରୁଛନ୍ତି ସ୍ନାନ । ନିର୍ଜ୍ଜନତାକୁ ଉପଲବ୍ଧି କରିଛନ୍ତି ସେମାନେ । ତାଙ୍କର ସେ ନଥିଲା ସ୍ନାନ–ମାତ୍ର ଜଳକ୍ରୀଡ଼ାରେ ମଜ୍ଜି ରହିଥିଲେ ଯିମିତି ।

 

ତା’ର ଗୋଡ଼ ଅଟକି ଗଲା ସେଇଠି । ମନହେଲା ଉଚ୍ଛନ୍ନ, ଆଖି ଲାଖି ରହିଲା ସେ’ ଆଡ଼େ ।

 

ପଲ୍ଲୀଯୁବତୀ ଚାରୋଟି ପାଣି ଫିଙ୍ଗୁଥିଲେ ପରସ୍ପରକୁ । କିଏ ଆଖି ବୁଜି ରହିଛି ସିମିତି, ପାଣି ମାଡ଼ରେ ହେଇଛି ଆକାତା । ଜମା ଚାହିଁ ପାରୁନି କୁଆଡ଼େ !

 

ସେ ପୁଣି ଦେଖିଲା କାହାର ଦେହରୁ ଖସିଲାଣି ଲୁଗା । କାହାର ବାଳ ହେଇଛି ମୁକୁଳା-। ବୁକୁ ପଡ଼ିଛି ମେଲା । ସେ ଆଡ଼କୁ ନଜର ନାହିଁ ଜମା । ସେମାନେ ଗାଧୋଇବାକୁ ଆସି ନାହାନ୍ତି ଖାଲି ବୋହୂ ଭୁଆସୁଣୀଙ୍କ ପରି ବେକ ପର୍ଯ୍ୟନ୍ତ ଡୁବେଇ ବସିବାକୁ ଜଳରେ । ପାଣିରୁ ଉଠି ଓଦା ସଲବଲରେ ଓଢ଼ଣା ଟାଣି ଯିମିତି ମୁହଁପୋତି ଚାଲି ଯା’ନ୍ତି ଘର ମୁହାଁ ପଲ୍ଲୀ ସୀମନ୍ତିନୀଗଣ-

 

ଅଭିଆଡ଼ୀ ଝିଅଗୁଡ଼ାକ ଭାରୀ ଦୁଷ୍ଟା । ଲାଜ ନାହିଁ–ସରମ ନାହିଁ–ଦିହରେ ମୁଣ୍ଡରେ ଲୁଗାନାହିଁ–ସେମାନେ ପୁଣି ଉଲଗ୍ନା ହୋଇ ଗାଧୋଉଛନ୍ତି ଜଳରେ । ସେ ଫେରେ ଗାଧୁଆ ନୁହେଁ–ପାଣି ଫିଙ୍ଗା ଫିଙ୍ଗି–ଠେଲା ଠେଲି–ପେଲା ପେଲି ଏମିତି କେତେ କ’ଣ ?

 

ସେ କାହିଁକି ଦେଖିବ ଏ ଉଲଗ୍ନ ଅବଗାହନକୁ ତାଙ୍କର । କିନ୍ତୁ ମନଟା ଭାରି ଅମାନିଆଁ–ସେ ଗୋଟିଏ ସ୍ଥାନରେ ରହେନି । ଜଳରେ ଟିକିଏ ତେଲ ଚାରିଆଡ଼େ ମାଡ଼ିଗଲାପରି ଟିକି ମନଟି ବିରାଟ ଆକାର ଧାରଣ କରି ମାଡ଼ିଚାଲେ ଆଗକୁ ।

 

ଏହି ପଲ୍ଲୀବାଳିକାଙ୍କ ଉନ୍ମକ୍ତ ଯୌବନ ପ୍ରଭାକୁ ସେ କରିବ ଅନୁଭବ । ଭାଗ୍ୟରେ ଥିଲେ ଏହା ମିଳେ । ଏ ସୁଯୋଗ ସେ ଛାଡ଼ିବ କାହିଁକି ? ଚୋର ପରି ସେ ଦେହଟିକୁ ଲୁଚାଇଲା ନେଇ ଗୋଟିଏ ନାରଙ୍ଗୀ ବୃକ୍ଷର ପତ୍ର ଉହାଡ଼ରେ ।

 

ତାକୁ ଆଉ କେହି ଦେଖି ପାରିବେନି । ମାତ୍ର ସେ ଦେଖିବ ସମସ୍ତିଙ୍କୁ । ସେ ଚାହିଁ ରହିଥାଏ ଗାଧୋଉଥିବା ଯୁବତୀଙ୍କ ଆଡ଼େ । ଗୋରା ଦକଦକ ଦିହରେ ତାଙ୍କର ପାଣି ପଡ଼ି ଆହୁରି ଦିଶୁଥିଲା ତେଜୀୟାନ–ଉଜ୍ଜ୍ଵଳ–ଦୀପ୍ତିମନ୍ତ । ଏହି ରୂପର ନିଆଁରେ କେତେ ଯେ ପ୍ରେମିକ–ପତଙ୍ଗ ପରି ଝାସ ଦେଇ ମରିବେ ତା’ର ଠିକଣା ନାହିଁ ।

 

ନିଆଁରେ ପାଣି ଢାଳିଲେ ସେ ଲିଭିଯାଏ । ମାତ୍ର ଯୁବତୀ ରୂପ ନିଆଁରେ ଯେତେ ଜଳ ଢାଳିଲେ ସୁଦ୍ଧା ସେ ବେଳୁଁବେଳ, ହେଉଥାଏ କାନ୍ତିମୟ । ଶୋଭା ପସରା ତାଙ୍କର ସୂର୍ଯ୍ୟ କିରଣଠାରୁ ଆହୁରି ଉଜ୍ଜ୍ଵଳ । ଜ୍ୟୋତ୍ସ୍ନାଠାରୁ ଅଧିକ ଶୀତଳ ।

 

ମନରେ ଭୟ ହେଲା ତା’ର । ଛନକା ପସିଲା ଛାତିରେ “ସେ ଆସିଥିଲା କୁଆଡ଼େ–କର୍ତ୍ତବ୍ୟ ତା’ର କ’ଣ–ଆଜି ପୁଣି ସେ କରୁଛି କି’ ଜଘନ୍ୟ କାର୍ଯ୍ୟ !” ଏ ଅବସ୍ଥାରେ ତାକୁ ଯେବେ କି’ଏ ଦେଖେ, ତା’ର ପରିଣତି ହେବ କ’ଣ ? ସେ କ’ଣ ପ୍ରାଣ ଘେନି ଫେରିବ ଆଉ ତା’ର ଜନ୍ମ ଭୂଇଁକି !

 

ବିଦାୟ ବେଳର ଦୃଶ୍ୟ ନାଚିଲା ତା’ର ମନରେ । ବାପ ମା’ଙ୍କ ହିତ ଉପଦେଶ–କଡ଼ା ତାଗିଦାକୁ ସେ ଶୁଣିଛି । “ବିଦେଶ ଭୂଇଁରେ ଚଳିବୁ ସମସ୍ତିଙ୍କୁ ନିଜର କରି ! କାହାରି ମନ୍ଦ ତୁ ପାଞ୍ଚିବୁନି । ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ହେବୁ–ଭୁଲ୍‍ ବାଟକୁ ଯିବୁନି ।”

 

ତା’ର ଭାବନା ଅଟକି ଗଲା ସେଇଠି । ସେ ବାପା ମା’ଙ୍କ ଉପଦେଶ ଗ୍ରହଣ କଲାନି ତ ପଦେ ହେଲେ । ଆସୁ ଆସୁ ସେ ଭୁଲ୍‍ ବାଟ ଧରିଲାଣି । ତା’ର ଜୀବନରେ ଆଉ ଉନ୍ନତି କ’ଣ ?

 

ସାନ ଭଉଣୀର ହସ ହସ ମୁହଁଟି ନାଚିଗଲା ତା’ର ମାନସ ପଟରେ । ସେ ଗେଲ୍ଲେଇ ହେଇ କହିଛି କେତେ–“ଭାଇ ! ତୁମେ ମୋ’ପାଇଁ ପଠାଇବ ଟଙ୍କା–ମୁଁ କିଣିବି କ୍ରୂସୁକଣ୍ଟା, ସୂତା, କନା କେତେ କ’ଣ !” ସିଲେଇ ଶିଖିବ ବୋଲି କେତେ ଅଳି କରିଥିଲା ତା’ ପାଖରେ ।

 

ବୋଉ କହିଥିଲା–“ତୁ ଆସିବୁ ଶୀଘ୍ର–ବିଦେଶ ଭୂଇଁରେ ବେଶୀ ଦିନ ନରହି ।” ତାକୁ ନ ଦେଖିଲେ ସେ ଯିମିତି ହେବ ବାୟାଣୀ ।

 

ତେବେ ସେମାନଙ୍କର ଆଶା ଉପରେ ସେ କୁଠାରଘାତ କରିବ ସିନା ! ଖାଇବା ପତ୍ରରେ ସେ ଦେବ ଧୂଳି । ଏମିତି ସେ ଭାବନାରେ ହେଲା ବିଚଳିତ ।

 

ବିବେକର ତାଡ଼ନାରେ ମନ ଯିମିତି ଦବିଗଲା ତା’ର । ସେ ଶଙ୍କିତ ମନରେ ଆଖି ଫେରେଇ ପାରୁନି ସୁଦ୍ଧା ସ୍ନାନରତା ଅବଳାଙ୍କ ପାଖରୁ । “ଛି,–କି’ ଲଜ୍ୟା ! ଗୋଟିଏ ଯୁବତୀ ସମ୍ପୂର୍ଣ୍ଣ ଉଲଗ୍ନା ହୋଇ ଛିଡ଼ାହେଇଛି–ଆଉ ତା’ର ଫୁଙ୍ଗୁଳା ଯୌବନ ପ୍ରଭା ଉପରେ ଅନ୍ୟ ଯୁବତୀଙ୍କର ପଡ଼ୁଥିଲା ଆଞ୍ଜୁଳା ଆଞ୍ଜୁଳା ପାଣି । ନ ଦେଖି କିମିତି ଛାଡ଼ିବ ଏ ଦୃଶ୍ୟ !

 

ମନ ଖୁବ୍‍ ଚିଡ଼ି ଉଠିଲା ବିବେକ ଉପରେ । ଖାଲି ବିବେକର ଉପଦେଶ ଶୁଣି ଶୁଣି ମନ ହୋଇଯାଏ ହାଲୁକା ସେ ଆଉ ଦାୟିତ୍ଵ କାମରେ ହାତ ଦେଇପାରେନା । କାଳେ ସେଥିରେ କ’ଣ ଥିବ ? ସୁନାରେ ହାତ ଦେଉ ଦେଉ କାଳେ ପାଲଟିବ ଗରଳ । ମଣିଷ ଏଥିରେ ପାଏନା ତା’ର ଚିର ଅଭିଳାଷର ପଦାର୍ଥ ।

 

ମନକହେ–“ଦୁନିଆଁ ସୁନ୍ଦର । ତାରି କୋଳରେ ଯେଉଁ ଅଗଣିତ ଶୋଭାରାଶି ଅଛି–ସେ ମନୋରମ । ଜଣେ ସୃଷ୍ଟିର ସମସ୍ତ ପଦାର୍ଥକୁ ଉପରୁ କଣ୍ଢେଇ ପରି ସୂତାଟାଣି ନଚଉଛି । ସେଥିରେ ସମସ୍ତେ ନ ନାଚି ଯିବେ କୁଆଡ଼େ ?”

 

ପ୍ରେମ ପାଖରେ ବାନ୍ଧି ହେଇ ରହିଛନ୍ତି ତା’ର ସହଚରୀମାନେ ଏଇ ସ୍ନେହ ମାୟା ମମତା । ଏମାନେ ବିପଦରେ ବନ୍ଧୁ ପରି କରନ୍ତି କାମ–କେବଳ ପ୍ରେମ ସଙ୍ଗିନୀକୁ ତାଙ୍କର ନିରାପଦରେ ରଖିବାକୁ ।

 

ଟିକିଏ ଅବାଟରେ ନପଶିଲେ ଲାଭ ହୁଏନା । ବିନା ଦାୟିତ୍ଵରେ ଦୁନିଆଁର ଲୋକ ଫୁଙ୍ଗୁଳା ମନକୁ ନେଇ ବୁଲନ୍ତି । ପରିଣାମ ଯାହାହେଉ–‘ଦାୟିତ୍ଵ’ କର୍ମମୟ ଜୀବନର ଉଜ୍ଜ୍ଵଳ ରତ୍ନ ।

 

ସେ ଶୁଣିଲା କାହାର ଚିତ୍କାର । ଧ୍ୟାନ ତା’ର ଭାଙ୍ଗିଲା । ଏ ଯେ ପଲ୍ଲୀ ରମଣୀମାନଙ୍କର ରମଣୀୟ କଣ୍ଠର ଧ୍ୱନି । ସେ ଚିତ୍କାରରେ ଥିଲା ଆବେଗ–ଉତ୍କଣ୍ଠା–ଆଉ ତନ୍ଦ୍ରା ।

 

ସେ ଯେ ଦେଖୁଥିଲା ବାଳିକାମାନେ ହସ ହସ ବଚନରେ ମଝିରେ ମଝିରେ କୁହାଟ ଦେଇ ଉଲଗ୍ନ ଅବସ୍ଥାରେ ପଡ଼ୁଥିଲେ ଜଳରେ । “ଆରେ, ! ତା’ର ସନ୍ଦେହ ବାସ୍ତବରେ ପରିଣତ ହେଲା । ସେ କିମିତି ଯାଇଁ ପଚାରିବ ତାଙ୍କୁ ? କେଉଁ ଆଶାରେ କେଉଁ ଭରସାରେ ।

 

ପୁଣି ଚିତ୍କାର ଶୁଣିଲା ସେ । ଧାଇଁ ଆସ ବୁଡ଼ି...ସୁକୀନାନୀ ବୁଡ଼ି ଯାଉଛି । ପାଟି ତାଙ୍କର ଖନେଇ ଯାଇଥିଲା ଯିମିତି । ସେ ଆଉ ସମ୍ଭାଳି ପାରିଲାନି ମୁହୂର୍ତ୍ତେ । ହଠାତ୍ ଗୋଡ଼ ଖସିଆସିଲା ବୃକ୍ଷ ଉପରୁ । ଦୁମ୍‍ କରି ପଡ଼ିଲା ସେ ତଳେ ।

 

ତାକୁ ଲାଜ ଲାଗୁଥିଲେ ବି’ ସେ ଚାଲିଲା ଜୋରରେ । ତା’ର ପାଦ ଯିମିତି ପଛକୁ ଟାଣିଛି । କାଳେ ଥଟ୍ଟାରେ ସେମାନେ ସିମିତି ହେଉଥିବେ ! ସେ ହେବ ଅଲାଜୁକ–ମୁହଁ ଲୁଚେଇବ କୁଆଡ଼େ !

 

ଯୁବତୀମାନଙ୍କର ପୁନର୍ବାର ଖନେଇ ଖନେଇ ଡାକ ସେହି ପଦକ–ସୁକିନାନୀ ବୁ...ଡ଼ି...

 

ସେ ପହଞ୍ଚିଯାଇଥିଲା ସେମାନଙ୍କ ପାଖରେ ।

 

‘ଛିଃ,–କି ଲଜ୍ୟା । ସେ ତଳକୁ ପୋତିଲା ମୁହଁ । ଅଭିଆଡ଼ୀ ଝି’ଅ ତିନୋଟି ଉଲଗ୍ନା ହେଇ ଠିଆହେଇଛନ୍ତି ଗଡ଼ିଆ କୂଳରେ । ଯୌବନର ମାଦକତାରେ ବିହ୍ଵଳା ହେଇ ସେମାନେ ହେଇଥିଲେ ଆତ୍ମବିସ୍ମୃତା ।

 

ଲାଜରେ ତିନୋଟି ବାଳିକା ଖପ୍‍ଖାପ୍‍ ଡେଇଁ ପଡ଼ିଲେ ଜଳ ଭିତରକୁ । ସେମାନେ ନିଜକୁ ଡୁବେଇ ଦେଲେ ଜଳରେ ମୁହଁଟିମାନ ଖାଲି ଦିଶୁଥିଲା ଉପରକୁ । ସେମାନେ କ’ଣ ଯିମିତି ଖୋଜିବାରେ ଥିଲେ ବ୍ୟସ୍ତ ।

 

ଯୁବକଟିର ମନେ ପଡ଼ିଲା ରାସକ୍ରୀଡ଼ା ପୁସ୍ତକର ବସ୍ତ୍ରହରଣ କଥା । ଶ୍ରୀକୃଷ୍ଣ ଯମୁନାକୁ ସ୍ନାନକରି ଯାଇଥିବା ରମଣୀମାନଙ୍କର ଲୁଗାକୁ ନେଇଥିଲେ ଏମିତି । ସେମାନେ ସ୍ନାନ ସାରି ଉଠନ୍ତେ–ଦେଖିଲେ ନାହିଁ ବସ୍ତ୍ର–ସେହି ହଟ ନାଗର କୃଷ୍ଣକୁ ଦେଖି ସେ ଜଳରେ ଲୁଚେଇଲେ ପୁଣି ତାଙ୍କର ଭରା ଯୌବନର ମୁକୁଳା ଅଙ୍ଗକୁ ।

 

ଆଜି ଗୋପାଙ୍ଗନା ପରି ତିନୋଟି ରମଣୀ ତାଙ୍କ ରୂପ ଯୌବନକୁ ଲୁଚାଇଲେ ନେଇ ଜଳ ଭିତରେ–କାହାଯୋଗେ ! –ସେ କ’ଣ ତାଙ୍କର ହଟନାଗର ନା’ ଦ୍ୱାପର ଯୁଗର କୃଷ୍ଣଚନ୍ଦ୍ର ! ସେ’ତ ତାଙ୍କର କିଛି ନୁହେଁ ।

 

ସେ ଦେଖିଲା ଲାଜକୁଳୀଲତା ପରି ଝାଉଁଳି ଯାଇଥିଲେ ଯିମିତି ସେ ତିନିହେଁ !

 

ଯୁବକଟି ପୁଣି ଦେଖିଲା, ବାଳିକାଟି ମଝିଗଣ୍ତରେ କଇଁନାଡ଼ରେ ଛନ୍ଦି ହେଇ ରହିଛି । ପାଣି ତା’ପାଟିରେ ପଶିଛି–ସେ ଦୁଇଥର ଡୁବ ମାରି ଉଠିଲାଣି ଉପରକୁ । କଥା କହି ନ ପାରି ଗଁ-ଗଁ ଶବ୍ଦକରୁଛି ସେ । ପାଟିମେଲା କରିବାରୁ ପାଣି ପଶୁଛି ପାଟିରେ । ସେ ହେଲାଣି ଆକ୍ରାନ୍ତ । ତା’ର ଜୀବନ ଦୀପ ଯିମିତି ଲିଭିଲିଭି ଆସୁଥିଲା ।

 

ଯୁବକଟି ଡେଇଁ ପଡ଼ିଲା ଜଳ ଭିତରକୁ–ସେ ତିନୋଟି ବାଳିକା ଆଡ଼ହେଇ ଗଲେ ତାକୁ-। ସେ ଆସ୍ତେ ଆସ୍ତେ ଯାଇ ଧରିଲା ଯୁବତୀର ବାହୁଲତା ଦୁଇଟିକି । ସେ ଯିମିତି ଖୋଜୁଥିଲା କାହାର ଆଶ୍ରା । ଭାଙ୍ଗି ପକେଇଛି ସେ କଇଁବନକୁ । ତାକୁ କେହି ଦେଲେନି ଟିକିଏ ସାହାଯ୍ୟ-

 

ଜଣା ବା ଅଜଣାରେ ହେଉ ପାଇଲା ଜଣକ ଆଶ୍ରା । ସେ ଯାହା ଖୋଜୁଥିଲା ଆକୁଳ ପ୍ରାଣରେ । ଲତା ବୃହତ୍‍ ବୃକ୍ଷକୁ ଆଶ୍ରା କଲାପରି ସେ ତା’ର ଦୁଇବାହୁ ଲତାକୁ ଯୁବକଟିର ଅଙ୍ଗରେ ଛନ୍ଦିଦେଲା ନିବିଡ଼ ଭାବରେ ।

 

ସେତେବେଳକୁ ଏହି ତିନୋଟି ବାଳିକା ଲୁଗା ତାଙ୍କର ପାଇଥିଲେ ସେହି ଜଳ ଭିତରୁ–ତାଙ୍କର ଖୋଜିବା ସାର୍ଥକ ହେଲା ସେମାନେ ବସ୍ତ୍ର ପିନ୍ଧୁ ପିନ୍ଧୁ ଦଉଡ଼ି ଚାଲିଲେ ଘରମୁହାଁ....

 

ଯୁବକଟିର କାନରେ ଖାଲି ବାଜୁଥିଲା ସୁକୀନାନୀ ବୁଡ଼ିଗଲା....ଧାଇଁ ଆସ ।

 

ଓଦା ସଲବଲରେ ସେ ସୁକୀକି ଧରି ଆସିଲା କୂଳକୁ । ସେ’ତ ଜାଣି ନଥିଲା ଏ ଝିଅଟିର ଲୁଗା ନାହିଁ ବୋଲି । ତାକୁ ଆହୁରି ଲାଜ ଲାଗିଲା । ସେ କ’ଣ ତେବେ କରିବ ?

 

ସେ ତାକୁ କାନ୍ଧରୁ ତଳକୁ ଥୋଇବାକୁ ଟାଣିଲା–ତା’ର ଦେହଟି ଘୁଞ୍ଚିଲାନି ଟିକିଏ, ସେ ସିମିତି କାନ୍ଧରେ ତା’ର ଝୁଲୁଛି । ତା’ର ସୁକୋମଳ ଅଙ୍ଗଲତାଟିକି ଖୁବ୍‍ ଜୋରରେ ଟାଣି ସେ ତଳେ ଥୋଇବାକୁ କଲା ଚେଷ୍ଟା–ହେଲେ ସବୁ ବୁଦ୍ଧି ହେଲା ତା’ର ପଣ୍ଡ । ସେ ନିରେଖି ଚାହିଁଲା–ସୁକୀର ଚେତନା ନାହିଁ–ସେ ଯିମିତି ଜାବୁଡ଼ି ଧରିଛି ତା’ ଛାତିକି ସିମିତ ପଡ଼ିଛି ମୁଠା–ସେ ମୁଠା ସହଜରେ ଫିଟିବାର ନୁହେଁ ।

 

ସେ କିମିତି ଜୋରକରି ଫିଟେଇବ ଏବେ । ତା’ର ହାତର ମୁଠାତ ରହିଲାଣି ପିଠି ପଟକୁ ପଛକୁ ହାତ ପାଇଲେ ସୁଦ୍ଧା ବଳ ପାଇବନି ତା’ର ବନ୍ଧନ ମୁକୁଳାଇବାକୁ ।

 

ସେ ଏବେ କ’ଣ କରିବ ? ଯୁବତୀ ତିନୋଟି ଚାଲି ଗଲେଣି ଘରମାନଙ୍କୁ । ଆଉ ଟିକକୁ ଚାଲି ଆସିବେ ଗାଁ ଲୋକେ । ଏ ଅବସ୍ଥାରେ ଦେଖିବେ ତାକୁ । ଛିଃ, ତା’ ମୁହଁ ପୋଡ଼ିଯିବ ସିନା ! ସେ ଲାଜରେ ମୁହଁ ଦେଖେଇବ କାହାକୁ ?

 

ଏକେତ ଝିଅଟି ଉଲଗ୍ନ–ତାକୁ ପୁଣି ଫୁଙ୍ଗୁଳା ଅଙ୍ଗର ମୁକୁଳା ଯୌବନକୁ ସେ ସମର୍ପି ଦେଇଛି–ଖସିଯିବା ଭୟରେ ସେ କରିଛି ବନ୍ଧନ ତାକୁ । ସେ ଉପାୟ ପାଇଲାନି କିଛି–ସିମିତି ଦଣ୍ଡାୟମାନ ଅବସ୍ଥାରେ ନିଜଲୁଗା କାନିରୁ ଖଣ୍ଡେ ଦାନ୍ତରେ ଛିଣ୍ଡାଇ ଘୋଡ଼ାଇ ଦେଲା ସେ ସୁକୀର ଅଙ୍ଗରେ ।

 

ସେତେବେଳକୁ ପୋଖରୀ କୂଳରେ ଜମା ହେଇଥିଲେ ବହୁତ ଲୋକ । ସେ କ’ଣ କରିବେ କିଛି ଭାବିପାରୁ ନାହାନ୍ତି । “କାହିଁ ! କିଏ ବୁଡ଼ିଗଲା କେଉଁଠି ?” ସମସ୍ତେ ଦେଖିଲେ ଯୁବକଟିଏ ଯୁବତୀଟିକୁ କାନ୍ଧରେ ଶୁଆଇ ମୁହଁପୋତି ଛିଡ଼ା ହେଇଛି ।

 

ସେ ଡାକିଲା ଦୁଇଜଣଙ୍କୁ ପାଖକୁ । ବତେଇଲା ତାଙ୍କୁ ସୁକୀହାତର ମୁଠା ଫିଟାଇବାକୁ । ସେମାନେ କଲେ କେତେ ଚେଷ୍ଟା ମାତ୍ର ପାରିଲେନି ।

 

କେତେ ସମୟ ଛିଡ଼ା ହୁଅନ୍ତା ସେ ସିମିତି–ନିଜେ ନିଜେ ତା’ର ବଳିଷ୍ଟ ଦେହଟିକୁ ଘୂରେଇଲା ପିଲା ଯିମିତି ଖେଳନ୍ତି ଚକା ଭଉଁରୀ ତା’ ମନରେ ଭୟ ହେଉଥାଏ, କାଳେ ସେ ମୁହଁ ବୁଲେଇ ହେଇ ତଳେ ପଡ଼ିବ ଦୁମ୍‍କରି ।

 

ହେଲେ ତା’ର ପରିଶ୍ରମ ସାର୍ଥକ ହେଲା । ଗୁଡ଼ାଏ ପଙ୍କପାଣି ତା’ର ପିଠିଯାକ ବୋହିଗଲା ସୁକୀର ନାସାରନ୍ଧ୍ର ଦେଇ ।

 

ସେ ଏଥର କହିଲା ହାତ ମୁଠାକୁ ଛଡ଼େଇବାକୁ ସୁକୀର । ତା’ର ହାତ ମୁଠା ଛାଡ଼ିଲା–ତଳେ ଶୁଆଇଲା ସେ ତାକୁ ।

 

ଲୋକେ ଚାହିଁ ରହିଥାନ୍ତି ତା’ରି ଆଡ଼େ । ପୁଣି କହିଲା ସେ ଆଣିବାକୁ ଗୋଟିଏ ଶଗଡ଼ ଚକ । ଗାଁ ଦାଣ୍ଡରୁ ଲୋକେ ଆଣିଲେ ଟାଣି ତା’ କଥାରେ–ସେ ଯିମିତି ଏ ଗାଁର ଜଣେ ମାମଲତକାର ।

 

ଶଗଡ଼ ଚକ ଉପରେ ପକେଇ ଘିରିଘିରି ସେ ବୁଲେଇଲା ସୁକୀକି । ପଙ୍କ ପାଣି ବାହାରିଲା କେତେ । ସେ ସମସ୍ତଙ୍କ ଅଜଣାରେ ସୁକୀର ନାକପୁଡ଼ାରେ ମାରିଲା ହାତ । ନିଃଶ୍ଵାସ ଟିକିଏ ଟିକିଏ ଯାଉଛି–ଏଇ ପଙ୍କ ପାଣିଗୁଡ଼ାକ ପବନକୁ ରୋକି ଦେଇଥିଲା ତା’ର ।

 

ଏହି ସମୟରେ ମହାପାତ୍ରେ ଛତା ବାଡ଼ି କାଖରେ ଜାକିଛନ୍ତି–ସକାଳୁ ଯାଇଥିଲେ କେଉଁ ଗାଁ ଆଡ଼େ ଆସି ପହଞ୍ଚିଲେ । ସେ ଯିମିତି ଶୁଣିଛନ୍ତି–“ଏକମାତ୍ର ଝିଅ ତାଙ୍କର ବୁଡ଼ି ଯାଇଛି–ସେ କାନ୍ଦ କାନ୍ଦ ହୋଇ ଦଉଡ଼ିଛନ୍ତି କଇଁ ଗଡ଼ିଆକୁ । ମା’ଆ ତା’ର ପଡ଼ିଥିଲା ଜରରେ–ସେ ଝିଅ କଥା ଶୁଣି ଦରାଣ୍ଡି ହୋଇ ଆସିଲା ବେଳକୁ ବାଟରେ ପଡ଼ିଲାଣି ଦି’ କଚଡ଼ା ।

 

“ମୋ’ ସୁକୀଲୋ,–ତୁ ମୋର ଏକୋଇରବଳା ଲୋ ।” ଯୁବକଟି ଏଇ କେତୋଟି ପଦ କଥା ଶୁଣି ଜାଣିଲା ଯେ, ଏ ସୁକୀର ମା’ଅ–ଆଉ ଯେଉଁ ମାହାପାତ୍ରେ ସକାଳେ ଯୁକ୍ତି କରୁଥିଲେ ତା’ ସଙ୍ଗେ ସେ ହେଉଛନ୍ତି ତା’ ବାପା । ମହାପାତ୍ରେ ଦେଖିଲେ ସେହି ଯୁବକଟି ଯିଏ ବସିଥିଲା ବଟଗଛ ମୂଳେ ସକାଳେ । ସେ କାନ୍ଦ କାନ୍ଦ ହେଇ କହିଲେ ଆଉ କାହିଁକି ତା’ ସାଙ୍ଗରେ ଲାଗିଛ ? ସେ କ’ଣ ବଞ୍ଚିଛି ଯେ କଥା କହିବ ! ସେ ଆଉ କଥା କହି ପାରିଲେନି–“ମୋ ସୁକୀଲୋ, ବୋଲି ଡକାପାଡ଼ି କଚାଡ଼ି ହେଇ ପଡ଼ିଲେ ତଳେ ।”

 

ବାଟରେ ପଡ଼ିଥିବା ଚେତାଶୂନ୍ୟା ମାତାଙ୍କୁ ଆଉ ପୋଖରୀ କୂଳରେ ସଂଜ୍ଞାହୀନ ମହାପାତ୍ରଙ୍କୁ ଲୋକେ ଟେକିନେଲେ ତାଙ୍କ ଘରକୁ । ଏଣେ ଡେରି ହେଲେ ସର୍ବନାଶ । ଯୁବକଟି କହିଲା–ଗାଁ ଲୋକଙ୍କୁ, ସୁକୀର ବ୍ୟସ୍ତ ଶରୀରଟିକୁ ତାଙ୍କ ଘର ପାଖକୁ ନେବାକୁ । କେହି ଶୁଣିଲେନି ତା’ କଥା–ସମସ୍ତେ ଚାହିଁଥାନ୍ତି ମୁହଁକୁ ତା’ର ବଲବଲ କରି ।

 

ଲୋକେ ଭାବିଲେ ମଲା ଶରୀରଟାକୁ ଆଉ ଘରକୁ ନେଇ ଲାଭ କ’ଣ ! ପାଗଳଙ୍କ ପରି ଏ ଲୋକଟା ଏମିତି କହୁଛି କାହିଁକି ?

 

ଲୋକଙ୍କ ମତଲବ ବୁଝିଲା ସେ ନିଜେ । ସୁକୀକି ପକାଇଲା କାନ୍ଧରେ–ଚାଲିଲା ଧୀରେ ଧୀରେ । ଲୋକେ ଆଗେ ଆଗେ ଚାଲିଲେ ମହାପାତ୍ରଙ୍କ ଘରଆଡ଼େ ।

 

ସେ ତ ଅପରିଚିତ । କାହାଘର କଥା ତାକୁ କ’ଣ ଜଣା ? ଲୋକେ କେହି ତାକୁ କଲେନି ସାହାଯ୍ୟ । ସେ ସିମିତି ସୁକୀକି ଟେକି ଆଣି ଥୋଇଲା ତାଙ୍କ ବାଡ଼ିଘରେ । ଗୋଟିଏ ଦଉଡ଼ିଆ ଖଟ କେଉଁ କାଳର ଅଧଭଙ୍ଗା ହେଇ ଡେରା ହେଇଥିଲା ସେଇଠି–ତାକୁ ସେ ଯତ୍ନରେ ପକେଇଲା–ଆଉ ସୁକୀକି ଶୁଆଇଲା ତା’ ଉପରେ ।

 

ଗୋଟିଏ କମ୍ବଳ ପାଇଁ ସେ ଘୂରି ବୁଲିଲା ଏ ପଟ ସେପଟ କାହିଁ ପାଇଲାନି ସେ । ଘରେ ଦେଖିଲା ମହାପାତ୍ରେ ଆଉଜି ବସିଛନ୍ତି–ଶୋଇଛନ୍ତି ସେଇଠି ସୁକୀର ମା’ଆ । ପୁଣି ସେ ଗଲା ମଝି ବଖରାକୁ । ଫିଟାଇଲା ଗୋଟିଏ ଗଣ୍ଠିଲି । ଦଇବ ଯୋଗକୁ ଗୋଟିଏ ଗୋଟିଏ କମଳ ବନ୍ଧା ହୋଇଥିଲା ସେଥିରେ । ଜଣେ ରେଙ୍ଗୁନ ଫେରନ୍ତା ଲୋକର ପେଟ ବେମାରି ଭଲ କରିଥିଲେ ମହାପାତ୍ରେ–ସେ ସେଇଟିକି ଦେଇଥିଲା ତାଙ୍କୁ ପୁରସ୍କାର ।

 

କମଳଟିକି କାଖରେ ଜାକି ସେ ଚାହିଁଲା ଘରକୁ–କାନ୍ଥ ବାଡ଼କୁ । ଗୋଡ଼ ଅଟକିଗଲା ତା’ର । ଆରେ; ଏଠି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି–ତା’ ପାଖକୁ ଶିବ ପାର୍ବତୀ, ମୟୂର ମୟୂରୀଙ୍କ ନୃତ୍ୟ–ହରିଣ ଛିଡ଼ା ହେଇଛି ଶିଙ୍ଗକୁ ତା’ର ଠିଆକରି । କେଉଁଟା ସୂତାର ତିଆରି–କେଉଁଟା ତୁଳାକଟା ହେଇ ଛବି ଅଙ୍କା ହେଇଛି । କି ଜୀବନ୍ତ ଛବିଗୁଡ଼ାକ ଚାହିଁ ରହିଲା ସେ ଗୋଟାକପରେ ଗୋଟାଏ କାହା ହାତର ଏ କୌଶଳ–କିଏ ଫୁଟେଇଛି ଏମିତି ଜୀବନ୍ତ କରି ଛବି ସବୁ ? ସୁକୀର ମୁହଁ ଯିମିତି ଦିଶୁଛି ଏଥିରେ । ଚମକି ପଡ଼ିଲା । ସେ ଏ କ’ଣ କରୁଛି ? କେଉଁ ଆଡ଼େ ଆସି ପୁଣି କିକାମ ଦେଖିଲାଣି ଏଠି ।

 

ସେ ତରବର ହୋଇ କମ୍ୱଳଟାକୁ ଧରି ଚାଲିଗଲା ସୁକୀ ପାଖକୁ । ଯତ୍ନକରି ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କିଦେଲା ସେ ତା’ର ଦେହଟିରେ । ଜଗି ବସିଲା ପାଖରେ ।

 

କିଛି ସମୟ ପରେ ମହାପାତ୍ରେ କୁନ୍ଥେଇ କୁନ୍ଥେଇ ଆସିଲେ ବାଡ଼ି ଘରକୁ । ସେ ଦେଖିଲେ ସୁକୀର ଦେହଟି ଉପରେ ଟଣା ହେଇ ରହିଛି ଗୋଟାଏ ମୋଟା କମ୍ୱଳ । ବେଶୀ କୋହ ଉଠିଲା ତାଙ୍କର ।

 

ସେ ମନେମନେ ଭାବିଲେ–ସେ ତ ମଲାଣି–ଏ ଲୋକଟା ପାଗଳାଙ୍କ ପରି ତା’ ସାଙ୍ଗରେ କାହିଁ ଲାଗିଛି । ମୁର୍ଦ୍ଦାରଟା କ’ଣ କଥା କହିବ କି ?

 

ମାଆ ତା’ର କାନ୍ଦ କାନ୍ଦ ହେଇ ଆସି ପଚାରିଲା–“ପୁଅ, ସତ କହିଲୁ–ମୋ ସୁକୀ ବଞ୍ଚିବଟି !”

 

ଯୁବକଟି ଉତ୍ତର ଦେଲା ଭାରୀ ନାମ୍ର ଆଉ ଆଶ୍ୱାସନା ବାଣୀରେ–“ମାଉସୀ ! ତା’ର କ’ଣ ହେଇଛି କି’ ସେ ବଞ୍ଚିବନି !” ତୁମ ଝିଅ ଏଇନେ କଥା କହିବ ।

 

ବୁଢ଼ୀ ସେହି କଥାରେ ଖୁସି ହୋଇଗଲା କାହିଁରେ କ’ଣ ? ସେ ଖାଲି କହୁଥିଲା–ତା’ର ସେହି ହଉଛି ପୁଅ ଆଉ ଝିଅସବୁ !

 

ସାଇ ମାଇପେ ମଝିରେ ମଝିରେ ଆସି ଦୁଆର ମୁହଁରେ ଛିଡ଼ାହେଇ ଯାଉଛନ୍ତି । ଯିଏ ତାକୁ ପଚାରୁଛି ସେ ସମସ୍ତଙ୍କୁ କହୁଛି ଗୋଟିଏ ପଦ କଥା–ତା’ର କିଛି ହେଇନି, ଭଲ ହେଇଯିବ । “ସେ ଏଇନେ କଥା କହିବ ।”

 

ଯୁବକଟି ଦେଖିଲା–ଏମାନେ ସବୁ ମଣିଷ ନୁହଁନ୍ତି–ପରର ଦୁଃଖ ଦେଖିଲେ ଏମାନେ ହୁଅନ୍ତି ଦୂରଛଡ଼ା । ଯେଝା କଥା ତା’ର । –ସାହାଯ୍ୟ–ସହାନୁଭୂତି ଆଦୌ ନାହିଁ । ଏଠି ଯିମିତି ଗୁଡ଼ିଏ ଅକର୍ମଶୀଳା କିଏ ଆଣି ଥୋଇଛି । ସେ ତାଙ୍କୁ କର୍ମଠ କରେଇବ କିମିତି ?

 

ସେ ଅନୁଭବ କଲା ନିଜେ । ସୁକୀଟା ସକାଳୁ ଖାଇ ନ ଥିବ କିଛି । ସାଙ୍ଗମାନଙ୍କ ସଙ୍ଗେ ଖେଳିଖେଳି ହେଇଥିଲା ହାଲିଆ–ପୁଣି ପାଣିସାଙ୍ଗେ କରିଛି ଲଢ଼େଇ ତା’ର ସୁକୋମଳ ଅଙ୍ଗକୁ କେତେ ଆଘାତ ଦେଇ ।

 

ବେଳ ହେଲାଣି ଦି’ପହର । ତା’ ପେଟରେ ପଡ଼ିଲାନି କିଛି । କମ୍ବଳ ଘୋଡ଼ାଇ ଦେଇଛି ସେ ତାକୁ । ଥଣ୍ଡାଦିହଟିରେ ଗରମ ଆସିଯିବଣି । ନିଃଶ୍ୱାସ ନେଉଥିବ ନକବାଟେ । ଚେତନା ଆସିଯିବଣି ।

 

ସେ ତାକୁ ପିଆଇବ ଗରମ ଦୁଧ ଟିକିଏ । ତା’ର କ୍ଳାନ୍ତ ଶରୀରରେ ସେ ଆଣିଦେବ ବଳ–ମନରେ ଭରିବ ଉନ୍ମାଦନା–ଶିହରି ଉଠିବ ତା’ର ପ୍ରାଣ ।

 

ତାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଖଣି ଭିତରର ମଣି ସେ–ଆକାଶ ରାଇଜର ପୂନେଇଁ ଚାନ୍ଦ–ଘନବନାନୀର ହେମ ହରିଣୀ–କଳାବାଦଲ କୋଳର ବିଜୁଳି ଆଲୁଅ ତା’ ପାଖରେ ଆସି ପହଞ୍ଚଲା କିମିତି ?

 

ପାଖରେ ଛିଡ଼ାହୋଇଥିଲେ ମହାପାତ୍ରେ ତଳକୁ ମୁହଁପୋତି । ସେ କହିଲା–“ଆଜ୍ଞା ! ଟିକିଏ ଗରମ ଦୁଧ ଆଣି ଦିଅନ୍ତୁ ଝିଅ ପାଇଁ । ତା’ ଦିହ ଝାଇଁ ମାରିବଣି–ତୋଟି ଶୁଖି ଯିବଣି ।”

 

“ଏଁ, ଚମକି ପଡ଼ିଲେ ମହାପାତ୍ରେ । ଏ’ କ’ଣ କହୁଛି ଲୋକଟା–ଝିଅ ତାଙ୍କର ବଞ୍ଚିଛି–ସୁକୀ ପିଇବ ଦୁଧ । ଏ’ କ’ଣ ଜାଣିଛି କିମିଆଁ–ମଲାଲୋକଙ୍କୁ ବଞ୍ଚାଇବାର ଶକ୍ତି ଅଛି ୟାରିଠିଁ ?”

 

କିଛି କହିଲେନି ମହାପାତ୍ରେ ଆଉ । ମୁହଁ ବୁଲେଇ ଚାଲିଲେ ଘର ଭିତରକୁ । ପଛେ ପଛେ ସୁକୀର ବୋଉ ଗଲେ ମହାପାତ୍ରଙ୍କୁ ଖୋଜି ଖୋଜି ।

 

ସମସ୍ତେ ଚାଲିଗଲେ ଯେ ଯୁଆଡ଼େ ନିଜଘରମାନଙ୍କୁ । ହେଲେ ତିନୋଟି ମହିଳା ଛିଡ଼ା ହୋଇଥାନ୍ତି ବାଡ଼ି ଦୁଆର ପାଖରେ । ସେମାନେ ଥିଲେ ଚିନ୍ତାମଗ୍ନା । ଶୁଖି ଯାଇଥିଲା ତାଙ୍କର ଗୋଲାପୀ ଅଧର ।

 

ଯୁବକଟି ଚାହୁଁଥିଲା ସମସ୍ତଙ୍କର ଅନ୍ତର୍ଦ୍ଧାନ ଯିମିତି । ସେ କମ୍ବଳ ଟେକି ଟିକିଏ ଦେଖିଥାନ୍ତା ସୁକୀର ପୁନେଇଁ ଚାନ୍ଦର ହସ ହସ ମୁହଁ ! ସମସ୍ତେ ଗଲେ–ମାତ୍ର ତା’ର ପାଖେ ପାଖେ ଜଗି ରହିଲେ ଏହି ତିନୋଟି ନାରୀ । ସେ ଦୋ’ ଦୋ’ ଚିହ୍ନା ହେଲା ତାଙ୍କୁ ।

 

କହିବାକୁ ଇଚ୍ଛା ନଥିଲେ ମଧ୍ୟ ସେ କହି ପକାଇଲା ସେମାନଙ୍କୁ ଏଇ କେତେପଦ କଥା–“ଆଉ କାହିଁକି ଛିଡ଼ା ହେଇ ରହିଲା ? ଯାଅ ! ପଛକୁ ଆସିଲେ ଦେଖିବ ତାକୁ । ତା’ର ଦେହ ଭଲ ହେଇନି ଏବେ ।”

 

ଏଇ କେତେ ପଦ କଥାରେ କାନ୍ଦକାନ୍ଦ ହେଲେ ସେମାନେ । ତାଙ୍କର ବିକଳ ମନର ଆବେଗ ଅଶ୍ରୁଧାର ଛୁଟି ଆସିଲା ଆଖି କୋଣରୁ । ଆକୁଳଭରା ପ୍ରାଣରେ ପଚାରିଲେ ସେମାନେ–“ସୁକୀନାନୀ ତାଙ୍କର ବଞ୍ଚିବଟି ? ସେ’ତ ସମସ୍ତଙ୍କୁ କହୁଛନ୍ତି ସେଇ ଗୋଟିଏ କଥା । ତା’ର ଜୀବନ ରଖିଛନ୍ତି ଯେ–ଯେବେ ସେ ବଞ୍ଚେ ଖାଲି ତାଙ୍କରି ସାହାଯ୍ୟରେ–ସେ ଉପକାର କେହି ଶୁଝି ପାରିବେନି କେବେ ।”

 

ସେମାନେ କେତେ ଲଗାଇଲେ ତା’ ସଙ୍ଗରେ ଟିକିଏ ଟେକିବାକୁ କମ୍ବଳଟି ମୁହଁ ଉପରୁ-। ତା’ର ହସହସ ବଦନ ଦେଖିଲେ ସେମାନେ ହେବେ ଖୁସି–ଯିବେ ଯେଝା ଘରକୁ ।

 

ତାଙ୍କର ଏକଥା ଶୁଣିଲାନି ଯୁବକ କିଛି । ସେ ଖାଲି ଜଗିବସିଥାଏ ସିମିତି ।

 

ପୁନର୍ବାର ଆରମ୍ଭକଲେ ସେମାନେ–“ବାବୁ ! ତୁମେ ତ ସକାଳୁ କିଛି ଖାଇ ନଥିବ ! ଏବେ ସୁକୀନାନୀ ସଙ୍ଗରେ ଲାଗିଛ ଓଳିଏ ହେଲା ! ଭୋକ ହେବଣି ତୁମକୁ । କିଛି ଜଳଖିଆ ଆଣିବୁଁ–ତୁମେ ଖାଇବ !”

 

ପଲ୍ଲୀବାଳାମାନଙ୍କର ସ୍ନେହ ଆଦର ଯିମିତି ବାନ୍ଧୁଥିଲା ତା’ ଶୁଷ୍କ ମନକୁ । ସେ ହସିଦେଇ କହିଲା–ତୁମ ସୁକୀନାନୀ ନ ଖାଇଲା ପର୍ଯ୍ୟନ୍ତ ସେ ଖାଇବନି କିଛି । ଛାତିଟା ତା’ର ହେଲା ଦପ୍‍ ଦପ୍‍–ମନଟା ଚହଲି ଗଲା । ସେ କହିଲା କାହିଁକି’ ଏମିତି । କାଳେ ସେ କ’ଣ ଭାବିଥିବେ ମନରେ ! ସୁକୀ ତା’ର ଅବା କିଏ ? ମଣିଷକୁ ମଣିଷ ସହାଯ୍ୟ କରେ ତା’ର ବିପତ୍ତି ବେଳେ–ଦୁଃଖକୁ ହରଣ କରେ ମିଠାକଥା କହି–ଅଧୀର ସମୟରେ ସେ ଦିଏ ସାନ୍ତ୍ୱନା ।

 

ତା’ର କର୍ତ୍ତବ୍ୟ ସେ କରିଛି । ମଣିଷ ହିସାବରେ କରିଛି ମଣିଷକୁ ସାହାଯ୍ୟ । ତା’ର ନିଜର ମା’ ବାପ–ସାଇପଡ଼ିଶା–ବାଲ୍ୟ ସଙ୍ଗିନୀମାନେ କେହି ହେଲେତ ଖାଇବା କଥା କହିଲେନି ପଦେ । ସେ ତା’ର କ’ଣ ! ଅଜଣା ଲୋକ ହିସାବରେ ଆସି ଗୋଡ଼ ଦେଇଛି ଏ ଗାଁରେ–କହିବ ପୁଣି ଏତେ କଥା ?

 

ବାହାନା ଦେଖାଇ ସେ ଟିକିଏ ଟେକିଲା କମ୍ୱଳକୁ । ସୁକୀର ଆଖିପତା ଢଳଢଳ ହେଉଥିଲା ଯିମିତି–ଏ’ସବୁ କଥାରେ ମନ ତା’ର ଭାଗନେଇଥିଲା ସିମିତି । ମୁହଁଟି ତା’ର ଦିଶୁଥିଲା ସଦ୍ୟଫୁଟନ୍ତା ଗୋଲାପ କଳିଟି ପରି । ବିନ୍ଦୁ ବିନ୍ଦୁ ପାଣି ଲାଗିଥିଲା ତା’ର କପାଳ ଉପରେ ସକାଳର କାକର ବିନ୍ଦୁ ଝରିପଡ଼ିଥାଏ ଯିମିତି ଫୁଲର ପାଖୁଡ଼ାରେ ।

 

ଚେତନା ଫେରି ଆସିଛି ତା’ର । ଜାଣି ପାରୁଛି ସବୁ । କଥା ଶୁଣିଲା କେତେ । ମାତ୍ର ବଳପାଉ ନଥିଲା କହିବାକୁ ତା’ର ମନ ଗହନର ଗୋପନବାର୍ତ୍ତା । ତା’ର ଜଳମଗ୍ନ ଶରୀରଟିରେ ଉତ୍ତାପ ଆଣିଛି ଏହି ମୋଟା କମ୍ବଳଟି । ହଠାତ୍ ଅପରିଚିତ ଲୋକର ମୁଖମଣ୍ଡଳଟି ସେ ଥରେ ଚାହିଁଦେଇ ଲାଜକୁଳୀ ଲତାପରି ଆଖିପତା ଢାଙ୍କି ହେଲା ଧୀରେ । ଜାଣି ପାରିଲା ଯୁବକଟି ତା’ର ମନର କଥା । ସେ ଆଉ ଅଧିକ କଷ୍ଟ ନ ଦେଇ ପୁଣି ଘୋଡ଼େଇଦେଲା ସେ ମୋଟା କମ୍ବଳଟା ମୁହଁ ଉପରେ ।

ତିନୋଟି ରମଣୀ ବାହାରେ ରହି ଚାହିଁଛନ୍ତି ତାକୁ । ସେ ଭଦ୍‍ବିଘ୍ନମନା ହୋଇ ଇଚ୍ଛା କରିଥିଲେ ଦେଖିବାକୁ ତାଙ୍କର ସଙ୍ଗିନୀର ମୁଖମଣ୍ଡଳଟି–ହେଲେ ଯୁବକଟି କ’ଣ ଦେଖି ଘୋଡ଼େଇଲା ପୁଣି ? ତାଙ୍କୁ ଏଇଟା ବାଧିଲା ବେଶୀ ।

ଜଣେ କହିଲା–“କ’ଣ ଦେଖିଲ ! ସେ ଚେତା ପାଇଲାଣି ?”

ଯୁବକଟି ନୀରବ ହୋଇ ବସିଥାଏ ସିମିତି ।

ଆଉ ଜଣେ କହିପକାଇଲା–“କ’ଣ କହିବାକୁ ମନା ଅଛି ନାଁ କ’ଣ ।”

ଯୁବକଟି ତଳକୁ ମୁହଁପୋତି ପୁଣି ନୀରବ ।

ତୃତୀୟ ଜଣକ କହି ପକାଇଲା–“ମଲା । ଆମେ କାହିଁକି ଛିଡ଼ା ହେଇ ରହିଲୁମ । ତୁମେ ଖାଲି କମଳ ଟେକି ସୁକୀନାନୀର ମୁହଁଟିକି ଦେଖୁଥିବ ମନ ଇଚ୍ଛା । ସେ କ’ଣ ମନାକରି ଦେଲା କି’ କିଛି କହିବନି ବୋଲି ତା’ କଥା !”

ଯୁବତୀ ତିନିହେଁଙ୍କର କଥାରେ ତାକୁ ଲାଜ ଲାଗିଲା ବେଶୀ । ସେ ଭଲକରି ଜାଣିଲା ତାଙ୍କୁ । ସକାଳେ ଦେଖିଥିଲା ତାଙ୍କର କୌତୁକ କ୍ରୀଡ଼ା ଆଉ ମନଖୋଲା ଖିଲିଖିଲି ହସ ସେହି କଇଁ ଗାଡ଼ିଆ ଭିତରେ । ସେ ଆଜି ତା’ ଆଗରେ ଏତେ କହିବେ ପୁଣି ?

 

ଯୁବକଟି ମୁଖଟେକି ଆରମ୍ଭ କଲା–“ତୁମେମାନେ ସୁକୀସଙ୍ଗେ ସକାଳେ ଗାଧୋଇଯାଇଥିଲ ନା !”

 

ସମସ୍ତେ ହେଲେ ନୀରବ ।

 

କୌତୁକ ଦେଖିବାପାଇଁ ଯୁବକଟି ପୁଣି କଲା ପ୍ରଶ୍ନ । ତୁମେ ପାଣି ଫିଙ୍ଗୁଥିଲ ସବୁ କଇଁ ଗଡ଼ିଆ ଭିତରେ ପଶି ତୁମର ଏଇ ସୁକୀନାନୀକି ! “ନୁହେଁ ! ସତକି’ ମିଛ ?”

 

ସେ ଦେଖିଲା ତିନୋଟି ଅବଳାର ଗୋଲାପୀ ମୁଖମଣ୍ଡଳରେ ଲଜ୍ୟାର ମେଘ ପଟ୍ଟଳ ଢାଙ୍କି ହୋଇଗଲା ଯିମିତି । ତଳକୁ ମୁହଁ ପୋତିଲେ ସେମାନେ ।

 

ପୁଣି ପଚାରିଲା ସେ–“ତୁମ ସୁକୀନାନୀକି ଦୋଳିକରି ପାଣିରେ ବୁଡ଼ାଇଲା କିଏ ?”

 

ଏ ପ୍ରଶ୍ନରେ ସେମାନେ ହେଲେ ଅଥୟ । ବାଣବିଦ୍ଧ ହରିଣୀ ସଦୃଶ କେଉଁଆଡ଼େ ହେଲେ ଅଦୃଶ୍ୟ । ସେମାନଙ୍କ ମୁଖମଣ୍ଡଳ ରାଗ ମିଶା ସ୍ନେହରେ ଯେପରି ଲାଲ ହୋଇଥିଲା । ପରସ୍ପରକୁ ଠେଲି ସେଠାରୁ ହେଲେ ଅନ୍ତର ଖାଲି ବାହାନାରେ ।

 

ଯୁବକଟି ବିଷୟରେ ଚାଲିଲା ତାଙ୍କର ମନ୍ତ୍ରଣା । ସତେ କ’ଣ ସେ ସବୁ ଦେଖିଛି ତାଙ୍କର କ୍ରୀଡ଼ା କୌତୁକ ? ସବୁ ନ ଦେଖିଲେ ଜାଣିଲା କିମିତି ?

 

“ଛିଃ,–ଛିଃ, । ତାଙ୍କର ତ ଲୁଗା ନଥିଲା । ଉଲଗ୍ନ ଅବସ୍ଥାରେ ସେ ଦେଖିଲା ସେମାନଙ୍କୁ-। ଆଉ ଉପାୟ ନଥିଲା କିଛି । ଲାଜସରମରେ ଜଳିଗଲେ ସେ । ଜଳରେ ପଶି ମହତ ରଖିବା ଛଡ଼ା କ’ଣ ଥିଲା ଆଉ ?

 

ଭାଗ୍ୟକୁ ମିଳିଲା ଲୁଗା ଖଣ୍ଡକମାନ ଜଳ ଭିତରୁ–ନୋହିଲେ ଏତେଲୋକଙ୍କ ସାମନାରେ ସେମାନେ ହୋଇଥାନ୍ତେ ଅଲାଜୁକୀ–ବେକୁବ–ସବୁ ।

 

ଦୂରରେ ଚାଲିଥିବା ମନ୍ତ୍ରଣାରୁ କିଛି ପାଇଲା ଯୁବକଟି । ସେ ତା’ର ମନକୁ ଗାଳିଦେଲା ବହୁତ । କାହିଁକି ସେ କହିଲା ଇମିତି କଥା । ସେମାନେ ଚାଲିଗଲେ ବହୁ ଦୂରକୁ ତା’ଠାରୁ ପକ୍ଷୀ ଯିମିତି ଉଡ଼ି ଯାଆନ୍ତି ବାଣୁଆ ଭୟରେ ଆଉ ତାଙ୍କର ନୀଡ଼ରେ ନରହି । ସେ କଲା ଆହାତ ତାଙ୍କ ମନକୁ ।

 

ନିଜ ଭୁଲ୍‍କୁ ଢାଙ୍କିବା ପାଇଁ ମଣିଷ କରେ ଚେଷ୍ଟା । ସେ ଭୁଲ୍‍ ଧରାପଡ଼ିଲେ ତା’ ମନରେ ଛୁଏଁ ପାପ–ଦବିଯାଏ ହୃଦୟ । ସେମାନଙ୍କ ଅବସ୍ଥା ହେଇଛି ଆଜି ସେୟା । ତାଙ୍କ କଅଁଳ ମନରେ ସେ ଦେଇଛି ଆଘାତ ।

 

ସେ ତାଙ୍କୁ ତଡ଼ିଲା କେଉଁ ଆଶାରେ ! ସୁକୀର ମୁହଁ ଆଉଥରେ ଦେଖିବ ବୋଲି ତା’ର ପ୍ରବଳ ଇଚ୍ଛା । ହାତ ଚାଲିଯାଉଥିଲା ଆପେ ଆପେ କମ୍ବଳ ପାଖକୁ । କିନ୍ତୁ ଅଟକି ଗଲା କାହିଁକି ? ତା’ର ଛାତି ଦପ୍‍ଦପ୍‍ ହୋଇ ପଡ଼ିଲା ଖାଲି । କାଳେ ସୁକୀ ଭାବିବ ମନରେ କ’ଣ ? ତା’ ଆଖିରେ ସେ ହେବ ନିଲଜ–ବଜାରୀ ଲଫଙ୍ଗା–କେତେ କ’ଣ !

 

ପର ଝିଅର ମୁହଁ ଦେଖିବାରେ ସେ ପାଇବ କ’ଣ ? ତା’ ମନ ବ୍ୟାକୁଳ ହେଇଛି କାହିଁକି ଆଜି । ଦେଖିବାର ଲାଳସାକୁ ସେ ରୋକିପାରିଲାନି–ଅମାନିଆଁ ମନକୁ ବୋଧ ଦେଲାନି । ପାଖରୁ ତଡ଼ିଲା ସେ ସମସ୍ତଙ୍କୁ ଏଇଥି ପାଇଁ । ଦୁନିଆ ଆଖିରେ ହୀନ–କାପୁରୁଷ ସେ ।

 

ନିରୋଳା ନିଛାଟିଆ ସମୟକୁ ମଣିଷ ଖୋଜେ । ଆଜି ପାଇଛି ସେ ଏକଲା ସୁକୀକି–ତା’ର ମୁହଁକୁ ସେ ଦେଖିବ । ହସହସ ବଦନରୁ କଥାପଦେ ଶୁଣିବ । ଏଇ ଆଶାରେ ଥରିଲା ହାତରେ ସେ ଖୋଲିଲା ମୁହଁରୁ କମ୍ବଳଟି । ଝାଳ ସଲବଲ ହେଇଛି ମୁହଁଟି ତା’ର । ସେ ଲୁଗାକାନିରେ ପୋଛିଲା ସେ ଝାଳ ବିନ୍ଦୁକୁ, ମୁହଁଟିକୁ କରିବାକୁ ସତେଜ ।

 

ଖୋଲିଥିବା ଢଳଢଳ ଆଖିପତା ତା’ର ବୁଜିହୋଇ ଆସିଲା ଧୀରେ ଧୀରେ । ସେ ଯିମିତି ଭାବୁଥିଲା କେତେ କ’ଣ ମନରେ । ବିରାଡ଼ି କପାଳକୁ ଦୁଧହାଣ୍ଡି ମିଳିଲା ପରି ସୁକୀ ଚାହୁଁଥିଲା ସେୟା । କମ୍ବଳଟା ଟେକିଲେ ସେ ଟିକିଏ ଦେଖନ୍ତା ଅଜଣା ଲୋକର ନୂଆ ମୁହଁଟି । ସେ କମ୍ବଳ ଭିତରେ ଥାଇ ସବୁକଥା ଶୁଣୁଛି–ତା’ ବାଲ୍ୟ ସଙ୍ଗିନୀଙ୍କ କୌତୂହଳ ପୂର୍ଣ୍ଣ ବାକ୍ୟାଳାପ ମନେମନେ ଅନୁଭବ କରୁଛି ସେ । ଯୁବକଟି ତା’ର ସବୁ । ପ୍ରାଣ ବଞ୍ଚାଇଛି ସେ ।

 

ତା’ ମୁଣ୍ଡପାଖ ଖଟିଆଟିରେ ବସି ସେ ଆଲୁଳାୟିତ କେଶକୁ ତା’ର ସଜାଡ଼ୁ ଥିଲା ନିଜ ହାତରେ । ସୁକୀର ଭାବନା ଚାଲିଥିଲା ମନ ଭିତରେ । ତା’ର ମନେ ପଡ଼ିଲା ସେଇ ସକାଳ ଗାଧୁଆ କଥା । କଇଁ ଗଡ଼ିଆ ଭିତରେ ବୁଡ଼ି ମରୁଥିଲା ସେ । ମଣିଷ ମଲାବେଳେ, ପ୍ରାଣ ତା’ର ଛାଡ଼ିଲାବେଳେ, ଏମିତି ସେ ହୁଏ ବିକଳ ! ସେ ଏ ସବୁ କିଛି ଜାଣି ନଥିଲା ।

 

ତା’ର ଉଡ଼ିଯାଉଥିବା ଜୀବନକୁ ଟାଣି ଆଣିଲା କିଏ ? ଲିଭି ଯାଉଥିବା ଦୀପକୁ ଜଳେଇ ରଖିଲା କାହିଁକି ? ତା’ର ସେ କେହି ନୁହେଁ–ଭାଇ ବନ୍ଧୁ କିଛି ବି ନୁହେଁ । ଏକ ଗାଁର ମଣିଷ କେତେ ଅଛନ୍ତି । କେହି ତାକୁ ରଖି ପାରିଲେନି । କିନ୍ତୁ ଏ ମନର ମଣିଷ ତା’ର ମନକୁ ଚିହ୍ନିଲା ଆଜି । ତା’ର ବିକଳ ପ୍ରାଣରେ ଢାଳିଲା ଅମୃତର ଧାରା । ସେ କିଏ ତେବେ ?

 

“ମଣିଷ ନା, ଦେବତା ?”

 

ଆଉ ପୁଣି ସେ ଭାବେ ମନେମନେ । ନା, ନା, ସେ ଭୁଲ୍‍ ବୁଝିଛି, ସେ ଆଉ ମର୍ତ୍ତ୍ୟପୁରୀରେ ନାହିଁ । କେଉଁ ଦେବତା ତାକୁ ନେଇ ଆସିଛି ସରଗ ଧାମକୁ ଯେଉଁଠି ନାହିଁ ରୋଗ–ଶୋକ–ଲୋଭ–ମୋହମାୟା । ସେ ଶାନ୍ତିରେ ଅଛି ତା’ର ପାଖରେ । ମର୍ତ୍ତ୍ୟପୁରୀ ମାୟାପୁରୀ ଖାଲି–କେହି ନୁହଁନ୍ତି କାହାର ! ଯେ କାନ୍ଦେ ପରପାଇଁ,–ପ୍ରାଣଢାଳେ ଅନବରତ,–ଦୁଃଖରେ ହୁଏ ଦୁଃଖୀ, ବିପଦରୁ କରେ ଉଦ୍ଧାର, ସେ ନୁହେଁ ମଣିଷ–ସେ ହେଉଛି ଦେବତା । ସେହି ସରଗପୁରର ଦେବତାକୁ ଆଜି ପାଇଛି ପଖରେ । ବାପା ମା’ଆ ତା’ର କେହି ନାହାନ୍ତି ପାଖରେ । ସାଇପଡ଼ିଶାଙ୍କ ପାଟି ଶୁଭୁନି ତାକୁ । ଜଣେ ବସିଛି ତା’ ପାଖରେ ଜଗି । ସେ’ ତା’ର ପ୍ରକୃତ ଦେବତା–ମନର ମଣିଷ । ତା’ର ମନ ବାନ୍ଧି ହେଇଗଲା ଅଜଣାରେ ସେଇ ଯୁବକଟିର ପାଖରେ ।

 

ଏ ବନ୍ଧନରେ ରସି ଆବଶ୍ୟକ ହୁଏନା–ରେଶମୀ ଫିତା ମୁକୁଳା କେଶକୁ ବନ୍ଧନ କରି ସଜାଇଦିଏ କ୍ଷଣକ ପାଇଁ । ଭଲ ପୋଷାକ ବନ୍ଧନ କରେ ମୁକୁଳା ଦେହକୁ ଲୋକର ଘଡ଼ିକ ପାଇଁ । ମୁଣ୍ଡର ପଗଡ଼ି ବନ୍ଧାହୁଏ କେତେ ଭଙ୍ଗରେ–ଚିତ୍ରଫଳକ ଚିତ୍ରିତ ହୁଏ କେତେ ପ୍ରକାର ରଙ୍ଗରେ, ସେ ବନ୍ଧନ ସବୁ ଅକାରଣ–କ୍ଷଣସ୍ଥାୟୀ । ମାତ୍ର ସ୍ନେହ–ପ୍ରେମ ସେ କେଡ଼େ ନିବିଡ଼–ଗମ୍ଭୀର–ଅବନିଶ୍ଵର-। ଅନ୍ୟ ବନ୍ଧନ ମୁକୁଳା ହୁଏ ମୁହୂର୍ତ୍ତକରେ ମାତ୍ରେ ଏ ବନ୍ଧନ ଥରେ ହେଲେ ରହେ ସବୁଦିନ ପାଇଁ-। ମଉଳି ଯାଏ ନି କେବେ ।

 

ଏହି ସମୟରେ ତା’ର ମା’ର ତୁଣ୍ଡ ସେ ବାରିଲା । ବୁଢ଼ୀ ନଇଁ ନଇଁ ଗୋଟିଏ ଗିନାରେ ଧରି ଆସିଛି ଗରମ ଦୁଧ । “ମୋ ସୁକୀ ଚେତା ପାଇଲାଣି କିରେ, ପୁଅ ?” ମାଆ ତା’ର ପହଞ୍ଚିଲା ଆସି ଝିଅ ପାଖରେ । ସୁକୀର ମୁହଁଟିକି ଦେଖି ସେ ହେଲା କାନ୍ଦ କାନ୍ଦ । ଆଖି ତା’ର ବୁଜି ହେଇଥିଲା ସିମିତି । ବୁଢ଼ୀ ହାତ ମାରିଲା ତା’ର ନାକପୁଡ଼ାରେ । ଦେଖିଲା ପବନ ଟିକିଏ ଟିକିଏ ଯାଉଛି । ହାତ ମାରିଲା ଦିହରେ–ଗରମ ଜଣାଗଲା ତାକୁ । ନିଶ୍ଚୟ ତା’ ସୁକୀ ବଞ୍ଚିଛି । ସେ ହଲେଇଲା ତାକୁ ଖିର ଟିକିଏ ପିଇବାକୁ । ଯୁବକଟି ଧରିପକେଇଲା ବୁଢ଼ୀର ହାତକୁ । “ଏ କ’ଣ କରୁଛ ମାଉସୀ । ତା’ର ଦେହ କ’ଣ ଭଲ ହେଲାଣି ଯେ ଏମିତି ହଲଚଲ କରୁଛ ତାକୁ ?”

 

ମାତ୍ର ବୁଢ଼ୀ ଶୁଣିଲାନି ତା’ର କଥା । ସେ ପାଟିକି ଟିକିଏ ମେଲାଇ ଢାଳିଲା ଖିର । ଖିର ବୋହିଗଲା ତା’ର ଦୁଇପାଖେ ଦୁଇ ଧାର ହୋଇ । ଦାନ୍ତ ଚିପି ହେଇଥିଲା ସୁକୀର । ଦୁଧ କିମିତି ଯାଆନ୍ତା ପେଟକୁ ତା’ର ?

 

ଯୁବକଟି କହିପକାଇଲା “ମାଉସୀ । ଗୋଟେ ଗୋଳା କିମ୍ଵା ଚାମଚ୍‍ ଆଣି ମୋତେ ଦିଅ–ମୁଁ ପିଆଇଦେବି ତାକୁ ଆସ୍ତେ ଆସ୍ତେ କରି ।”

 

ବୁଢ଼ୀ ଯିମିତି ଚିହିଁକି ଉଠିଲା ତା’ ଉପରେ । କ’ଣ ସେ କହିଲା–ସୁକୀକି ତା’ର ସେ ପିଆଇବ ଦୁଧ ? ଯୁବତୀ ଝିଅ ପାଟିରେ ଗୋଟେ କୁଆଡ଼ିକା ଲୋକ ଦେବ ଖିର । ଗାଁରେ ଲୋକେ କହିବେ କ’ଣ ?

 

ସେ ହେଲା ବ୍ରାହ୍ମଣ ଘରର ଝିଅ–ଶୂଦ୍ର ଲୋକ ହାତରୁ କିମିତି ଗ୍ରହଣ କରିବ ସେ ଖାଇବା ଜିନିଷ ? ପେଟକୁ ଗଲେ ସବୁ ହେବ ମାରା, କାୟା ହେବ ଅପବିତ୍ର । ସେ ଜିଇଁ ଥାଉଁ ଥାଉଁ ଏ କଥା କରାଇ ଦେବ କିମିତି ?

 

ଯୁବକଟିର ମୁହଁ ପଡ଼ିଲା ଫକା । ସେ ପୁଣି କହିଲା–“ମାଉସୀ ! ମଣିଷକୁ ଛୁଇଁଲେ ହୁଏନି ଛୁଆଁ । ଜୀବନ ଗଲା ବେଳେ ଏ ଛୁଆଁ ଭଲ ମାନିଲେ ହେବ ସର୍ବନାଶ ।”

 

ବୁଢ଼ୀ ରାଜିହେଲାନି ତା’ କଥାରେ । ସେ ଖିର ଗିନାଧରି ଲେଉଟିଲା ଡାକିବାକୁ ମାହାପାତ୍ରଙ୍କୁ । ଗଲାବେଳେ କହିଦେଇ ଗଲା–“ପୁଅ ତୁ ଏଥର ଯାଆ, ଆମେ ତାକୁ ପିଆଇବୁ ।”

 

ଯୁବକଟି ବୃଢ଼ୀର କଥାରେ ହେଲା ଅଧିକ ମର୍ମାହତ । ସେ ଦେଖିଲା ସୁକୀ ଅର୍ଦ୍ଧମୁଦ୍ରିତ ନୟନରେ ଚାହିଁରହି ଶୁଣୁଛି ଯିମିତି ସବୁକଥା । ସେ ମନେମନେ ଭାବିଲା–ଏ ଗାଁଟି ଯିମିତି ରହିଛି ଦୂରଛଡ଼ା ହୋଇ–ଏଇ ଲୋକଗୁଡ଼ିକ ସିମିତି ଚଳୁଛନ୍ତି ଖାପ୍‍ଛଡ଼ା ମନରେ । ରାସ୍ତାଟିଏ ବି ନାହିଁ ଗାଁ ଭିତରକୁ । ଲୋକଙ୍କ ଭିତରେ ନାହିଁ ସ୍ନେହ, ମମତାର ବନ୍ଧନ । କାହା ସହିତ କାହାର ନାହିଁ ସମ୍ବନ୍ଧ ।

 

ସେ ସୁକୀର ହାତ ପାପୁଲିକି ଧରିଲା ତା’ ହାତ ମୁଠାରେ । ଛଳଛଳ ନୟନରେ କହିଲା ତାକୁ ଅନାଇଁ–‘ସୁକୀ’ ତୋତେ ବଞ୍ଚାଇ ମଧ୍ୟ ବଞ୍ଚାଇ ପାରିଲିନି । ଦରମଲା ଶରୀରଟିକି ପକେଇ ଦେଇ ତୋର–ଚାଲିଲି ମୁଁ । କିଛି ଭାବିବୁନି । ଥାଆ–ମୁଁ ଯାଉଛି ।

 

ଥରଟିଏ ମୁହଁକୁ ତା’ର ଚାହିଁ ଲେଉଟିଲା ସେ । ଏ’ କ’ଣ ? ସେ ଯାଇ ପାରୁନି କାହିଁକି-? ତା’ର କାମିଜିଟା କ’ଣ ଖଟିଆ ଆଙ୍କୁଡ଼ାରେ ଲାଗିଗଲାକି ? କାମିଜ୍‍ଟା ମୁକ୍ତ କରିବାକୁ ବୁଲି ପଡ଼ିଲା ସେ । କାହିଁ କେଉଁଠି— କିଛିତ ଲାଗିନି । ତାକୁ ପୁଣି ବାଧା ଦେଲା କିଏ ?

 

ସେ ଦେଖିଲା ହାତ ବୁଲାଇ ତା’ର ପଛ ପାଖକୁ । କାହାର ନରମ ହାତର ସ୍ନେହ ସ୍ପରଶ ପାଇଛି ସେ ଆଜି । ନିରେଖି ଚାହିଁଲା ସେ ସୁକୀ ମୁହଁକୁ । ଜଳଜଳ କରି ଆବେଗଭରା ପ୍ରାଣରେ ଭିଡ଼ି ଧରିଛି ସେ କାମିଜିକି ତା’ର ।

 

“ସୁକୀ । ଏ କ’ଣ କରୁଛୁ ତୁ–ଛାଡ଼ି ଦେ’ କାମିଜଟା ମୁଁ ଚାଲିଯାଏ ମୋର କର୍ତ୍ତବ୍ୟ ପଥରେ ।” ସେ କହିଲା ଥର ଥର ଗଳାରେ ।

 

ଚତୁରୀ ନାରୀ ମୁଣ୍ଡ ହଲାଇ ନାହିଁ କଲା ଛାଡ଼ି ଦେବାକୁ ତାକୁ ପାଖରୁ ।

 

ସବୁ ବୁଝିଲା ସେ । କାମିଜଟା ଆସ୍ତେ ଟାଣି ଆଣିଲା ସୁକୀର ହାତ ମୁଠାରୁ । ସେ ତାକୁ ଦେଲା ଆଶ୍ୱାସନା ବାଣୀ । ତା’ ପାଖରେ ସେ ଅଛି ସବୁବେଳେ–ଥିବ ବି’ ସବୁକାଳେ । କାହିଁକି ସେ ଭୟ କରୁଛି ?

 

ସୁକୀର ଆଖିହେଲା ଛଳଛଳ ଏଇ କଥା ପଦକରେ ତା’ର । ଆଖି କୋଣରୁ ବୋହି ଆସିଲା ଦୁଇଟି ଲୁହ ଧାର ଦୁଇ ଗଣ୍ଡଦେଶ ଦେଇ ।

 

ଯୁବକଟି ଲୁଗା କାନିରେ ପୋଛିଦେଲା ସେ ଲୋତକପୂର୍ଣ୍ଣ ନୟନକୁ ତା’ର ।

 

ରାତି ପାଇଚି । ଜାଲୁଜାଲୁଆ ଅନ୍ଧାରପୁଳାକ କବାଟ କଣରେ ବୋହୂ–ଭୁଆସୁଣୀ ଓଢ଼ଣା ଟାଣି ମୁହଁ ଲୁଚେଇଲା ପରି ପାହାଡ଼ କନ୍ଦରର କୋରଡ଼ ମଧ୍ୟରେ ଆଶ୍ରୟ ନେଲାଣି । ତୋଟା ଗହଳ ଗଛପତରରେ ମେଞ୍ଚାମେଞ୍ଚା ଅନ୍ଧାର ଜମାଟ ବାନ୍ଧି ରହିଛି । କୁଆଁ ତାରାଟା କେତେବେଳୁ ପୂରୁବପଟେ ମୁହଁ ଦେଖାଇ ଲିଭିଗଲାଣି । ପୂର୍ବ ଆକାଶଟାରେ ନାଲି ନେଳିର ପାଟପତନି ସତେ କିଏ ବିଛେଇଛି ସୂର୍ଯ୍ୟ ଦେବତାଙ୍କ ଅଭ୍ୟର୍ଥନା ଲାଗି !

 

ଗାଁମୁଣ୍ଡ ବଡ଼ ବରଗଛ ଶିଖ ଉପରୁ କୁରୁବଳ ପକ୍ଷୀ ଦୁଇଟି କେତେବେଳୁ ଉଡ଼ିଗଲେଣି ଡେଣା ଫଡ଼୍‍ଫଡ଼୍‍ କରି ଚିଲିକା ଆଡ଼େ । ସକାଳୁଆ ଥଣ୍ଡାପବନ ଟିକିଟିକି ଲହରୀ ସୃଷ୍ଟିକରେ କେତେ ଚିଲିକା ବକ୍ଷରେ ।

 

ସେହି ନିଳ ଜଳ ତରଙ୍ଗ ଭିତରେ ଆଖି ମିଟିମିଟି କରି ଡୁବ ମାରୁଥାନ୍ତି ମାଛମାନେ । ଚିଲିକାସୁନ୍ଦରୀ ତା’ର ମୁକ୍ତ ନିଳ ନୀର ବେଣୀକି ତରଙ୍ଗାୟିତ କରି ବିଛାଇ ଦେଇଥାଏ ପୃଷ୍ଠ ଦେଶରେ । ସେତିକିବେଳେ ଏ କୁର୍ବଳପକ୍ଷୀ ଦୁଇଟି ଚକର ମାରୁଥାନ୍ତି ଠିକ୍‍ ଚିଲିକା ବକ୍ଷରେ ଝାମ୍ପମାରିବାକୁ ଲହରୀ ଦୋଳିରେ ଖେଳି ବୁଲୁଥିବା ମତ୍ସ୍ୟମାନଙ୍କୁ । ସମୟେ ସମୟେ ଏଇ ବୃହତ୍‍କାୟ ପକ୍ଷୀଦ୍ୱୟ ଧରି ପଳାନ୍ତି ଥଣ୍ଟରେ ବଡ଼ ବଡ଼ ଖଙ୍ଗା ମାଛଟାମାନ । ବଣ ଭିତରେ ବ୍ୟାଘ୍ର ମହିଷକୁ ଆକ୍ରମଣ କଲାପରି, ସେ ସିଧା ଉଡ଼ି ଆସନ୍ତି ଏକ ବରଗଛ ଉପରକୁ ଶିକାରକୁ ଜାବୁଡ଼ି ଧରି । ଲୋକେ ଦେଖନ୍ତି ସକାଳୁ ଉଠି ବଡ଼ ବଡ଼ ମାଛ କଣ୍ଟା ପଡ଼ିଥାଏ ବରଗଛ ମୂଳେ କେତେ ।

 

ସେହି ବରଗଛ ପାଖକୁ ଲାଗି ବିରାଟ ପୁଷ୍କରିଣୀ ଲମ୍ବି ରହିଛି ଗାଁ ଲୋକଙ୍କର ଆବର୍ଜ୍ଜନା ଶରୀରକୁ ପବିତ୍ର କରିବା ଲାଗି–କେତେ ଗୋ-ମହିଷାଦିଙ୍କର ସ୍ନାନ ସନ୍ତରଣକୁ ସେ ସହ୍ୟକରି ଆସୁଛି ଦଳ ବିମଣ୍ଡିତ ବକ୍ଷକୁ ତା’ର ମେଲାଇ । ଶୋଲରୀ ପାହାଡ଼ କୋରଡ଼ରୁ ନିତି ଚାଲିଆସେ ଭାଲୁଟା ଏଇ ପୋଖରୀ କୂଳକୁ । ବନ୍ଧହୁଡ଼ା ତଳେ ତାଡ଼େ ସେ ଉଇ ସବୁ ଖାଇବାକୁ । ଜାଲୁଜାଲୁଆ ଅନ୍ଧାର ଭିତରେ ରାତି ନ ପାଉଣୁ ପେଟେପାଣି ପିଇ ସେ ପୁଣି ଚାଲିଯାଏ ପାହାଡ଼ କୋରଡ଼କୁ ।

 

ନୂଆ ବୋହୂଟି ଢାଙ୍କି ଢୁଙ୍କି ରହିଥିଲା ପରି ପୁଷ୍କରିଣୀଟି ଚିଙ୍ଗୁଡ଼ିଆ ଦଳରେ ଢାଙ୍କି ହୋଇଥାଏ ଜଳଭରା ମୁଖଟିକି ଲୁଚେଇ ।’ ପୋଖରୀ ହୁଡ଼ାଉପରେ ଧାଡ଼ିଧାଡ଼ି ହୋଇ ବରକୋଳି ଗଛ ଧାଡ଼ିବାନ୍ଧି ଛିଡ଼ା ହୋଇଥାନ୍ତି ପାଣିକି ଚାହିଁ । ହିଞ୍ଜଳ ଗଛଟା ତା’ର ଡାଳପତ୍ରକୁ ମେଲେଇ ଦେଇ ଲୋଟି ପଡ଼ିଛି ଏଇ ଜଳ ଭିତରକୁ । ନୂଆ ବୋହୂଟିର ଓଢ଼ଣା ଖୋଲିଲେ ଯିମିତି ସେ ଆଖି ବୁଜି ପକାଏ, ଏହି ଦଳକୁ ଟିକିଏ ଆଡ଼େଇ ଦେଲେ ପାଣି ଟିକକ ମୁହୂର୍ତ୍ତକ ପାଇଁ ଦେଖାଦେଇ ପୁଣି ଢାଙ୍କି ହେଇଯାଏ ବୋଳଝାଞ୍ଜିରେ ।

 

ଦଳ ଉପରେ ମାଛରଙ୍କା, କାଦୁଅଖୁମ୍ପି ତାଙ୍କର ଲମ୍ବା ଲମ୍ବା ଗୋଡ଼କୁ ଆସ୍ତେ ଆସ୍ତେ ପକେଇ ଦଳ ଭିତରୁ କେତେବେଳେ ଚିପୁଥାନ୍ତି ମୀନ କି ଦଣ୍ଡେଇଟାଏ । ଖଣି ଭିତରେ ପଶିଲେ ମଣିଷ ଯିମିତି ହୁଏ ଉବେଇ ଟୁବେଇ ଏହି ପୁଷ୍କରିଣୀରେ ଥରେ ପଶିଲେ ସେ ଉଠିବାକୁ ପାଏନା ବାଟ । ମାଟିରେ ପଡ଼ିରହିଥିବା ଗୋଟିଏ ଗୋଟିଏ କାଠଗଣ୍ଡି ଆଉ ଅକର୍ମଶିଳା ମଣିଷକୁ ଦେଖାଏ ରାହା ।

 

ପର ଗାଁ ମଶାଣିରେ ଲୋକ ଚାଲେ ନିର୍ଭୟରେ–ଗାଁ ପାଖ ନଈ ତା’ର ସବୁଦିନିଆଁ ସାଥୀ ଏଇ ଗାଁ ପୋଖରୀଟି ତା’ର ନିତ୍ୟ ପରିଚିତ ବନ୍ଧୁ । ସବୁଦିନ ସଞ୍ଜ ସକାଳେ ଆହ୍ୱାନ କରେ ସେ ଗ୍ରାମବାସୀଙ୍କି ତା’ର ହୃଦୟରେ ଦେବାପାଇଁ ସ୍ଥାନ । କ୍ଳାନ୍ତିପୂର୍ଣ୍ଣ-ଶରୀରରେ ଦିଏ ସେ ଆହ୍ଲାଦ ତା’ର ସୁଶୀତଳ ଜଳକୁ ବିତରଣ କରି ।

 

ଖରାଦିନ । ଦକ୍ଷିଣା ପବନଟା ବୋହି ଆସୁଛି ଶୀତଳ ଜଳକଣା ବାରିଧି ଗର୍ଭରୁ ଆଣି ସିଞ୍ଚିବାକୁ ପୃଥିବୀ ବକ୍ଷରେ । ବସନ୍ତର ନବୀନ ଉତ୍ସବରେ ମାତି ଉଠିଛନ୍ତି ବୃକ୍ଷଲତା ତାଙ୍କର ମୁଣ୍ଡକୁ ହଲାଇ ନୂଆ ନର୍ତ୍ତକୀ ବେଶରେ । ବନ୍ଧକଡ଼ ବାଉଁଶ ବୁଦା ଭିତରୁ କୁମ୍ଭାଟୁଆର କୁହାଟ ଡାକ ନିର୍ଜ୍ଜନତାକୁ କରୁଥିଲା ମୁଖରିତ ।

 

ତିରିଶି ଚାଳିଶି ଖଣ୍ଡ ଧାନ ଶଗଡ଼ ଫିଟିଛି ଏଇ ପୋଖରୀ କୂଳରେ । ଗୋରୁଗୁଡ଼ାକ ହଳିହଳି ହୋଇ ବନ୍ଧା ହୋଇଛନ୍ତି ଯିମିତି ବେପାରୀମାନେ ହାଟରେ ବାନ୍ଧିଥାନ୍ତି ବିକିବା ପାଇଁ ।

 

ବରଷକେ ଥରେ ଠିକ୍‍ ଏହି ସମୟରେ ଯେତେବେଳେ ବିଲଗହୀରରେ ଫିଟେ ଶଗଡ଼ ବାଟ–ଏହି ପୁଷ୍କରିଣୀ ତଟରେ ବସେ ଶଗଡ଼ିଆଙ୍କ ହାଟ । ଧାନ ବସ୍ତାସବୁ ଲଦା ହେଇଛି ଏଇ ଶଗଡ଼ ମାନଙ୍କରେ । ଜମିଦାର ବଳବନ୍ତରାଏଙ୍କର ସମ୍ପତ୍ତି ଏଇ–ପ୍ରଜାମାନେ ମହାପ୍ରସାଦକୁ ମୁଣ୍ଡରେ ଲଗାଇଲା ପରି ଏଇ ଧାନସବୁ ଅତି ଯତ୍ନରେ ନେଇ ଆସନ୍ତି ସାହୁକାରଙ୍କ ଅମାରରେ ଭରି ଦେବାପାଇଁ ।

 

ବଳବନ୍ତରାଏଙ୍କର ଏଇ ଶିଖରପୁର ଗାଁଟିରେ ଦଶବାଟି ହାତଚାଷ–ତା’ ଛଡ଼ା ବାହାର ମୌଜାମାନଙ୍କରେ ଚାଳିଶିବାଟି ସରିକି ପ୍ରଜା କରନ୍ତି ଚାଷ । ବାହାର ଲୋକେ ଭାରୀ ମାନନା କରନ୍ତି ତାଙ୍କୁ । ତାଙ୍କ ଧାନ ପୁଞ୍ଜାକ ଯିମିତି ହଳାହଳ, ବିଷ । ତାକୁ ଛୁଇଁବ କିଏ ? କାହାର ପ୍ରାଣ ପ୍ରତି ଭୟନାହିଁ ? ବରଷ ତମାମ ଏଇ ନିରୀହ ପ୍ରଜାଗୁଡ଼ିକ ମାଟି ତାଡ଼ି ତାଡ଼ି କରନ୍ତି ଫସଲ । ତାଙ୍କର ମୂଲ ବାବଦକୁ ଚାରିପଣ ରଖି ବାକି ବାରପଣ ଆଣି ହାଜର କରନ୍ତି ସାହୁକାର ଦୁଆରେ । ତାଙ୍କର ହାତୀଶାଳ ପରି ଧାନ-ଅମାର ସବୁ ପୂରିଉଠେ ଏଇମାନଙ୍କ ମେହନତରେ ।

 

ଏହିତ ହେଲା ନିତିଦିନିଆଁ କଥା । ସଂସାର ଭିତରେ ଘର କରି ମଣିଷର ଅଭାବ ଅନାଟନ ଲାଗିରହିଛି ସବୁବେଳେ । ଆଜି ପୁଅ ବିଭା–କାଲି ନିମିତ୍ତ–ବ୍ରତ ପୁଆଣୀର ଖର୍ଚ୍ଚ ଲାଗି ରହିଛି । ଗରିବ ଚାଷୀ ମୁହଁ ଶୁଖେଇ ଛିଡ଼ାହୁଏ ବଳବନ୍ତରାଏଙ୍କ ପାଖରେ ।

 

ବଳବନ୍ତରାଏ ଏସବୁ ବିଷୟରେ ପଛାନ୍ତିନି । ସେ ଆଦର କରି ଘର ଭିତରକୁ ଡାକି ନିଅନ୍ତି । ଟିପ ଦସ୍ତଖତ ମନଇଚ୍ଛା କରି କାଗଜ ଉପରେ ତା’ପରେ ଗଣି ଦିଅନ୍ତି ଟଙ୍କା । ଏ ଥୋପ ଥରେ ଯେ ଗିଳିଛି ସେ ବନିଶୀ କଣ୍ଟାରେ ମାଛଟାଣି ହେଇ ଆସିଲା ପରି ମହାଜନର ହୁଏ ଆୟତ୍ତ । ଏମିତି କେତେପ୍ରଜା ଜମିର ଅମଳ ଧାନ ସବୁ ମାପିଦେଇ ଗଉଣି ମୁଣ୍ଡେଇ ମୁଣ୍ଡରେ ନିରାଶରେ ଫେରନ୍ତି ଘରକୁ ।

 

ବାହାରର ଲୋକେ ଯିଏ ଚାହିଁଲା କରିବାକୁ କରଜ–ପଡ଼ିଆ ଜମି କରିବାକୁ ଉଠିଆ–ସେ ଚାଲିଆସେ ସିଧା ସିଧା ବଳବନ୍ତରାଏଙ୍କ ପାଖକୁ । ତା’ର ପଡ଼ିଆ ଜମି ଉଠିଆ କରେନି ସେ ନିଜର ସଂସାରକୁ ଚଳେଇବାକୁ–ସେ ଜମି ଚକ୍ରବୃଦ୍ଧି ସୁଧରେ ଡେଇଁ ପଶେ ଯାଇ ଜମିଦାରଙ୍କ ସମ୍ପତ୍ତି ସାଗରରେ ଯିମିତି କ୍ଷୁଦ୍ରନଦୀ ଝାସ ଦିଅନ୍ତି ଦରିଆ ଭିତରେ ।

 

କାଗଜ ଉପରେ ବାଁ ଅଙ୍ଗୁଳିର ଟିପ ଘୋଷାଡ଼ି ଘୋଷାଡ଼ି ସେଥିରୁ ଗାରସବୁ ଲିଭିଗଲାଣି ତା’ର–ମଟରର ଚକ ରାସ୍ତା ଉପରେ ଗଡ଼ି ଗଡ଼ି ଯିମିତି ହେଇଥାଏ ।

 

ଟିକିଏ ନିଆଁରେ ଦୁନିଆଁ ପୋଡ଼େ–ସାମାନ୍ୟ ରୋଗ ବଢ଼ି ହୁଏ ଭୀଷଣାକାର–ମଣିଷକୁ ଟାଣେ ଯମ ପୁରକୁ–ଅଳପ ଋଣ ସିମିତି ମାଡ଼େ ଜଳ ଭିତରେ ତୈଳପରି ।

 

ଶେଷକୁ ଲୋକହୁଏ ହତାଶ । ଛାଡ଼େ ଗାଁ ଭୂଇଁ, ପିଲାକୁଟୁମ୍ବ, ବନ୍ଧୁବାନ୍ଧବ ଆକୁଳ ପ୍ରାଣରେ ଚାଲେ ସେ ବିଦେଶ ଭୂଇଁ ।

 

ଏହି ବିଦେଶ ଭୂଇଁ ତାକୁ କରେ ହତାଦର–ଖାଇବା ବିନା ଦିହ ହୁଏ ଦୁର୍ବଳ–ମନ ଭିତରେ ବସା ବାନ୍ଧେ ଭୂତ–କାରଖାନା ମାଲିକର ଲାଲଆଖି ଆଉ ଭୀମକାୟ ଲୌହ ଚକର ଘଡ଼ ଘଡ଼ ଗର୍ଜ୍ଜନ ତା’ର ପ୍ରାଣକୁ କରେ ଆକୁଳ ବେଶୀ । ଉପାସିଆ ଦିହରେ ସେ ଜାବୁଡ଼ି ଧରେ ଲୌହ ନିର୍ମିତ କଳର ଯନ୍ତ୍ରପାତିଗୁଡ଼ିକୁ । ଏଇ କାରଖାନାର ହୁତାଶନ ଭିତରେ ଜଳିଯାଏ ସେ–ତା’ର ସତ୍ତା ଲିଭିଯାଏ ସେଇଠି ।

 

କୋଇଲା ଖଣି ଭିତରକୁ ଧାଇଁଯାଏ କିଏ ପାଇବ ବୋଲି ଟିକିଏ ଆଶ୍ଵାସନା–ସଞ୍ଚୟ କରିବ ପେଟରୁ କାଟି ଚଳେଇବାକୁ ନିଃସ୍ୱ ପରିବାରଟିକି । ମାତ୍ର ତା’ର ଆଶା ଭରସା ମଉଳି ଯାଏ ଖଣି ଗହ୍ଵର ଭିତରେ ଡିନାମାଇଟର ଶବ୍ଦରେ ଇତସ୍ତତଃ ବିକ୍ଷିପ୍ତ ପଥର କୋଇଲାର ଆକ୍ରମଣ ଫଳରେ । ବିକଳ ମନର ଆକୁଳ ପ୍ରାର୍ଥନା ଶୁଣନ୍ତିନି କେହି । ତା’ର ସମାଧି ତିଆରି ହୁଏ ଘନଅନ୍ଧକାର ଖଣି ଗହ୍ଵର ଭିତରେ ।

 

ଯିଏ ବଞ୍ଚିରହେ ଏଥିରୁ–ସେ ଫେରେ ତା’ର ଦେଶକୁ ହାଡ଼ କଙ୍କାଳ ଦିଖଣ୍ଡ ଦିହରେ ଧରି । ଚିହ୍ନି ପାରନ୍ତିନି ଗାଁ’ରେ ତାକୁ । ଆସିଥାଏ ସେ ଖାଲି ହାତରେ–ମୁକ୍ତି ପାଏନା ବନ୍ଧକ ଜମି । ଖାଇବାବିନା ରୋଗ ମାଡ଼ିବସେ ତାକୁ–ଶେଷରେ ସେ ହୁଏ ଶିକାର ।

 

ଯୁବକଟି ସକାଳୁ ଉଠି ବୁଲୁଛି । ଗାଁ ଏ ମୁଣ୍ଡରୁ ବାହାରି ଯେଉଁଠି ଶେଷ ଘର ସେ ପର୍ଯ୍ୟନ୍ତ ଗଲା ସେ ଗଣି ଗଣି ତା’ ମନ ଭିତରେ ସମସ୍ତଙ୍କର ଦୁଆର ବନ୍ଧକୁ । ତା’ର ମନର ହିସାବ ରହିଲା ମନରେ । କେତୋଟି ଘର ଏ ଗାଁ’ରେ ତାକୁ ଯେ କେହି ପଚାରିଲେ ସେ କହି ପାରିବ ଏଥର । ସମୁଦାୟ ହେଲା ଏକଶହ ତେଇଶି ଘର ସଂଖ୍ୟା । ତା’ର ମନ ହେଲା ଖୁସି । ଗାଁ’ଟିର ଘର ସଂଖ୍ୟା ଭଲ ସଂଖ୍ୟାନେଇ ରହିଛି । ଏମିତି କ୍ଵଚିତ ଦେଖିବାକୁ ମିଳେ, ଏକ-ଦୁଇ-ତିନି ଭିତରେ ।

 

ପୋଖରୀ କୂଳକୁ ଧାଇଁଲା ତା’ ମନ କାହିଁକି–କେଜାଣି ? ସେ ଚାଲ ଚାଲ ହୋଇ ଯାଇଁ ପହଞ୍ଚିଲା ସେଇଠି । କାଲି ସେ ଦେଖିଥିଲା ନୀରବ ନିସ୍ତବ୍ଧ ଏଇ ପୁଷ୍କରିଣୀ ତଟ–ଆଜି ପୁଣି କାହିଁକି ଇମିତି ହୋଇଛି ମୁଖରିତ ।

 

ସେ ଆଖି ବୁଲେଇଲା ତା’ର ଚାରିଆଡ଼କୁ । ‘ଆରେ ! ଆଜି ଏଠି ହାଟ ନା’ ବଜାର ବସିବ ? ଖାଲି ଯୁଆଡ଼ିକି ଚାହିଁଲା ଦେଖିଲା ହଳକୁ ହଳ ବନ୍ଧା ହୋଇଛନ୍ତି ବଳଦ–ତା’ ପାଖକୁ ଧାଡ଼ି ଧାଡ଼ି ହୋଇ ଖଞ୍ଜିହୋଇ ରହିଛି ଶଗଡ଼ମାନ । ସେ ତ ଗୁଡ଼ାଏ ଶଗଡ଼–ଅନେକ ବଳଦ–କାହାକୁ ସେ ଗଣିବ ?

 

ଆହୁରି ଆଗ୍ରହ ବଢ଼ିଲା ତା’ର । ସେ ଦେଖିଲା ଧୂଆଁର କୁଣ୍ଡଳି ଘୂରି ବୁଲୁଛି ଚାରିଆଡ଼େ-। ଗହଳି ଚହଳି ଲାଗିଛି ଖାଲି । ଗୁଡ଼ାଏ ଲୋକ ପାଣି ବୋହି ଲାଗିଛନ୍ତି ପୋଖରୀ ଭିତରୁ–କିଏ ଚୁଲି ଲଗଉଛି ବସି–ପବନରେ ନିଆଁ ନ ଧରି କାହାର ବାହାରୁଛି ଧୂଆଁ ଖାଲି–ଆଖିସବୁ ପଡ଼ିଲାଣି ଲାଲ–ନାକରୁ ବୋହୁଛି ପାଣି । ତଥାପି ଲାଗିଛନ୍ତି ଏଇ ଲୋକଗୁଡ଼ିକ ତାଙ୍କର ନିଜ ନିଜ କାମରେ-। ସମସ୍ତଙ୍କ ମନରେ ସେ ଦେଖିଲା ଭୟର ସଂକେତ । କେହି କେହି ପଦେ ଅଧେ କଥା ହେଉଥାନ୍ତି ମଝିରେ ମଝିରେ । କେତେବେଳେ ମାପାହେବ ଧାନ ତାଙ୍କର–ସେ ସବୁ ଯିବେ ଘରକୁ ଖୁସି ମନରେ ।

 

ସେ ବୁଝିଲା କେତେ–ପଚାରିଲା ଜଣ ଜଣ କରି । ସମସ୍ତେ ଆସିଛନ୍ତି ଏକାଠି–ଏକ ମନରେ–ଏକ ପ୍ରାଣରେ–ଆଣିଛନ୍ତି ବି ଗୋଟିଏ ଜିନିଷ । ଧାଇଁଛନ୍ତି ସର୍ବେ ଜଣକ ପାଖକୁ । ସମସ୍ତେ ଯିମିତି ବସିଛନ୍ତି ଗୋଟିଏ ନାବରେ ।

 

ଯୁବକଟିର ସନ୍ଦେହମନ ଖୋଜିବୁଲୁଥିଲା ଜାଣିବା ପାଇଁ ସତ ଘଟଣା । ସେ ଘଟଣା ଠିକ୍‍ ହୋଇଛି–ମନ ତା’ର ମାନିଛି । ତା’ର ଭାବନା ଭିତରର ହାଟ ବଜାର ସେଠି ନାହିଁ–କିଣାବିକା ପାଇଁ କେହି ଆସିବେନି–ଗ୍ରାମଲୋକମାନେ ହେବେନି ଏକାଠି–ହାଟର ଗହଳି ମନକୁ ଟାଣିବନି ତା’ର ।

 

ଏ ହାଟ ବହୁ ଲୋକଙ୍କର ନୁହେଁ–କିଣାବିକା ମନଖୁସୀ ସମସ୍ତିଙ୍କ ପାଇଁ ନାହିଁ–ଏ ହାଟ ହେଲା ଜଣକର । ମାଲିକ ହଉଛି ସେ । ହାଟରୁ ଫେରନ୍ତିନି ଖାଲି ହାତରେ–କିଣିବା ଲୋକ ନିଏ ଭଲ ଜିନିଷ ପୁଣି ଭାରି ଶସ୍ତାରେ–ବିକିବା ବାଲା ଘରକୁ ଯାଏ ଲାଭ ଉଠେଇ । ସମସ୍ତଙ୍କ ମନ ଭାରୀ ଆନନ୍ଦ–ପୁଟୁଳି ଫିଟାନ୍ତି ସମସ୍ତେ । ନେଇ ଘର ଭିତରେ । ପିଲାଏ ଚାହାଁନ୍ତି ଆଗ୍ରହ ହୋଇ ହାଟ ଖଜାପିଠା ଖାଇବା ପାଇଁ–ସ୍ତ୍ରୀ ଚାହିଁଥାଏ ତା’ପାଇଁ ଆସିଛିକି ମନଲାଖି କୁମ୍ଭପକା ଶାଢ଼ି–ମାଆ ଦେଖିନିଏ ଦରକାରୀ ଯାହା ଆସିଛି କି ନାହିଁ ଘରକୁ ।

 

ମାତ୍ର ଏ ହାଟରୁ କେହି ଆଣନ୍ତିନି କିଛି । ଧନ ଦରବ ନେଇ ସଜାଡ଼ି ଆସନ୍ତି ଜଣେ ଲୋକର ହାଟକୁ । ସେ ହାଟକୁ ନିଲାମ ନେଇଛି ଜଣେ କେତେ କାଳପାଇଁ ତା’ର ହିସାବ ରଖିନି କେହି । ଘରକୁ ଫେରନ୍ତି ଏ’ମାନେ ଖାଲି ଶଗଡ଼ ବଳଦ ନେଇ ।

 

ଏଇ ଲୋକମାନେ ତରବର ହେଇ ଲାଗିଛନ୍ତି ତାଙ୍କ କାମରେ । ତାଙ୍କୁ ଫୁରସତ ନାହିଁ । ଟିକିଏ ଯୁବକଟି ସଙ୍ଗେ ହେବାକୁ ଦୁଃଖସୁଖ କଥା ।

 

ଗୁମାସ୍ତାମାନେ ଆସି ତରବର ଲଗେଇଛନ୍ତି ଶୀଘ୍ର ଧାନମାପ ହେଲେ ବାକିଆ ଖାତା ପଡ଼ିବ ପଇଠ । ମାପୁଣିମାନେ ଭାରୀବ୍ୟସ୍ତ ସାରିବେ ତାଙ୍କର କାମ । ବୋଝିଆମାନେ ଟୋକେଇ ଧରି ପାଗଭିଡ଼ି ମୁଣ୍ଡରେ ଧାନ ବୋହିବାକୁ ପ୍ରସ୍ତୁତ ହେଇ ଗଲେଣି ।

 

ଯୁବକଟି ସବୁ ବୁଲି ଦେଖୁଛି–ତାକୁ କେହି କାହିଁ ପଚାରୁ ନାହାନ୍ତି ପଦେ । ଗାଁରେ ପଶି ସେ ଖୋଜୁଛି କେତେ ବଳବନ୍ତରାଏଙ୍କୁ କାଲିଠୁଁ ଆଜିଯାଏ । କାହିଁ ଭେଟ ହେଲାନି ତାଙ୍କ ସଙ୍ଗେ । ସେ ଖବର ପଠେଇଛି କାଲିଠୁଁ–ନିଶ୍ଚୟ ଦେଖା କରିବ ଆଜି ତାଙ୍କୁ ।

 

ମହାଜନ ଜାଣିଲେଣି କାଲିଠୁଁ ଏ ସବୁ କଥା । ତାଙ୍କ ମନରେ ସେଇ ଖିଆଲ–ଅଜଣା ଲୋକ–ଦେଖା ନାହିଁ, ଚିହ୍ନା ନାହିଁ, କେଉଁଆଡ଼ୁ ଆସି ଏମିତି କରିଛି କାମ । ବୁଡ଼ିଯାଉଥିବା ଝିଅକୁ ସେ କରିଛି ଉଦ୍ଧାର–ମଲା ଲୋକର ପିଣ୍ଡରେ ଭରିଛି ଜୀବନ । “କ’ଣ ପାଇଁ ସେ ଖୋଜୁଥିଲା ତାଙ୍କୁ-?” ସେ ତାକୁ ଦେଖା କରିବେ–ପଦେଅଧେ କଥା ହେବେ ତା’ ସଙ୍ଗରେ । ଗାଁ’ ଲୋକଗୁଡ଼ାକ କିଛି କହି ନପାରି ଚୁପ୍‍ ରହିଲେ ଖାଲି ।

 

ସନ୍ଧ୍ୟାବେଳର ଖବର ତାଙ୍କର ରାତିଅଧକୁ ଲିଭିଲାଣି ମନରୁ । ସେ ଏ ଟଙ୍କା-ପଇସା, ଧନ-ସମ୍ପତ୍ତି କଥା ଭାବୁ ଭାବୁ କେତେବେଳେ ଦିନ ଶେଷ ହୋଇ ବୁଡ଼େ ସଞ୍ଜ–ରାତି ପାହି ହୁଏ ସକାଳ, ତାଙ୍କୁ କିଛି ଜଣାଯାଏନା । ସବୁଦିନ ପରି ସେ ପଶିଲେ ଟଙ୍କା ଘରେ ତାଙ୍କର ।

 

ଦିନଭରି ସେ ଜଗିଛନ୍ତି ମୂଲିଆମାନଙ୍କୁ । କାମ ଦେଖିଛନ୍ତି ହଳିଆଙ୍କର । “କେତେ ସମ୍ଭାଳିବେ ଆଉ ?” ଯେଉଁଠି ଧନ–ସେଇଠି ଜୀବନ । ସେ ଟଙ୍କା ପଇସାଗୁଡ଼ାକୁ ଚାହିଁ ବସିଥାନ୍ତି ସିମିତି ପୋଖରୀ କୂଳରେ ବଗ ମାଛକୁ ଚାହିଁ ବସିଥିଲା ପରି । ତାଙ୍କ ମନରେ ଭାରୀ ଭୟ–ରାଇଜଟା ଚୋର ଖଣ୍ଟରେ ପୂର୍ଣ୍ଣ । “କାଳେ ଯଦି କିଏ ମାରିନେଲା–ସେ କରିବେ କ’ଣ ?”

 

ଏଇ ଭୟରେ ସେ ବସିଥାନ୍ତି ମୁହଁପୋତି–ତାଙ୍କର ଆଖିପତା ବନ୍ଦହୋଇ ଯାଇଥାଏ କେତେବେଳେ ତାଙ୍କୁ ଜଣାନଥାଏ । ସେ ସିନ୍ଦୁକ ବାକ୍ସଗୁଡ଼ାକ ସପନ ଦେଖନ୍ତି । ରୂପାଟଙ୍କାଗୁଡ଼ାକ ବୋଝେଇ ହୋଇ ଝଟକୁଛି ସେଥିରେ । ସୁନା ଅଳଙ୍କାରଗୁଡ଼ାକ ତାଙ୍କ ଆଖିକି କରେ ଭେଳିକି–ଚିକି ଚିକି । ସ୍ୱପ୍ନରେ ସେ ଦେଖନ୍ତି ସେଗୁଡ଼ାକ ଚାଲି ଯାଉଛନ୍ତି–ତାଙ୍କର ଯିମିତି ଦେହରେ ଲାଗିଲାଣି ଡେଣାସବୁ । ସେ ଗୋଡ଼େଇଛନ୍ତି । ଧରିପାରୁ ନାହାନ୍ତି ଗୋଟିକୁ ହେଲେ ।

 

କାନ୍ଦୁଛନ୍ତି ସିମିତି ସ୍ୱପ୍ନରେ କଇଁ କଇଁ ହୋଇ । ପୁରାଣ ପଢ଼ି ଜାଣିଛନ୍ତି ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା–ସେ କାହା ପାଖରେ ରହନ୍ତିନି ବେଶୀ ସମୟ–କେତେଘର ବୁଲନ୍ତି । ଭାଙ୍ଗିବାଘର ଜୋଡ଼ନ୍ତି–ପୂରନ୍ତା ଘର ଛାଡ଼ନ୍ତି । ତାଙ୍କ ଛାତିହୁଏ ଦପ୍‍ ଦପ୍‍ । ସେ ଆଖି ମେଲାନ୍ତି–ଦରାଣ୍ଡନ୍ତି ସିନ୍ଦୁକ ବାକ୍ସ ସବୁ । “ଆରେ ! ସବୁତ ଠିକ୍‍ ଅଛି,–ସେ ପୁଣି ଏମିତି କ’ଣ ସପନ ଦେଖିଲେ ସବୁ ?”

 

ସେ ଲେଉଟି ଆସି ଚକା ପକାଇ ପୁଣି ବସନ୍ତି ଯୋଗଧ୍ୟାନରେ ଯିମିତି ବସିଥାନ୍ତି ଯୋଗୀ । କୁବେରପୁର ପରି ତାଙ୍କୁ ଜଣାପଡ଼େ ସେ ଘର । ନିଦ ଆସେନି ଆଖିକି ଜମା ।

 

ମନେମନେ ସେ କଳ୍ପନା କରି ଯା’ନ୍ତି କେତେ ? ପୁରୀର ସିନା ଗୋଟିଏ ବଡ଼ ଦେଉଳ ଅଛି–ତାଙ୍କର ବାଡ଼ିରେ ସେ ତୋଳିଛନ୍ତି ସିମିତ ପାଞ୍ଚୋଟି ବଡ଼ବଡ଼ ଦେଉଳ ଧାନ କଳେଇରେ । ଦେଉଳର ମୁଣ୍ଡି ମରା ହୋଇ ବାନା ଉଡ଼ୁଥାଏ–ଏଗୁଡ଼ିକ ମଧ୍ୟ ସିମିତି ଦେଉଳ ପରି ଉପରକୁ ଗୋଜିଆ ହୋଇ ଆମ୍ବଡାଳ ସଙ୍ଗେ ମକମଲ୍ଲୀ ଫୁଲମାଳ ପିନ୍ଧିଥାନ୍ତି । ଭାରୀ ସୁନ୍ଦର ଡଉଲ ଡାଉଲ ଦିଶେ ଦୂରକୁ । ପାଖରେ ଛିଡ଼ାହୋଇ ଉପରକୁ ଚାହିଁଲେ ମୁଣ୍ଡରୁ ଖସେ ଠେକା ।

 

ପୁଣି ଭାବନ୍ତି ସେ । ସିନ୍ଦୁକ ସିନ୍ଦୁକ ଟଙ୍କା ପଇସା ସୁନା ଗହଣା ଭରି ହୋଇଛି ତାଙ୍କର । ଇମିତି କେତେ ଯୁଗ ବସିଖାଇଲେ ସେ କ’ଣ ସରିବ ? ସେତିକିରେ କ’ଣ ସରିଲାଣି କି ? ଯେଉଁ ବାଡ଼ି ପାଖ ତୋଟା ବିଗିଚା–ସେଥିରୁ ବାହାରେ ଶଗଡ଼ ଶଗଡ଼ ଲେମ୍ବୁ କମଳା–ନାରଙ୍ଗ–କଦଳୀ–କାହାକୁ ଦିଅନ୍ତିନି ସେ ଗୋଟିଏ ହେଲେ ପାଚିଲା ଫଳ । ସବୁ ଶଗଡ଼ ଗାଡ଼ିରେ ଯାଏ ବିକ୍ରିହେବା ପାଇଁ ବାଲୁ ଗାଁ–ବାଣପୁର ବଜାରକୁ । ବାଡ଼ିପଟ କଇଁଗଡ଼ିଆରୁ ଧରା ହୁଏ ରୋହି–ଭାକୁର–ସାରଣା । କି’ ଚମତ୍କାର ଭାବରେ ସେଗୁଡ଼ାକ ଖେଳୁଥାନ୍ତି ପାଣିରେ ?

 

ମନରେ ପଡ଼ିଲା ତାଙ୍କର । ବାଇଦା ଅଛି ପୋଖରୀ କୂଳରେ ଫିଟିବ ଧାନ ଶଗଡ଼ମାନ–ଶହ ଶହ ଭରଣ ଧାନ ଭରିହେବ ରାତି ପାହିଲେ ଅମାରରେ । ଏ’ ସବୁ ଧନ ସମ୍ପତ୍ତି କଥା ଭାବୁ ଭାବୁ ସେ ଆଖିବୁଜି ଧ୍ୟାନ ଦିଅନ୍ତି ଗାଁଟିର ପରିବାର କଥା । ଘର ପରେ ଘର ତାଙ୍କ ମନ ଭିତର ଆଖିରେ ନାଚିଉଠେ ଖାଲି । ଆଉ କାହାର ରହିଗଲା କି ଭଲ ଜମି–ପକ୍କା ଘର ସୁନା ଅଳଙ୍କାର–ଗାଈଗୋରୁ–ବାଡ଼ି ବଗିଚା ? ସେ ନେଇପାରି ନାହାନ୍ତି ମାୟାଜାଲ ବିଛାଇ ଭୁଲାଇ ମଣିଷର ମନକୁ ? ସେ ଦେଖନ୍ତି ଆଉ କାହାର ନାହିଁ କିଛି–ମନ ହୁଏ କଷ୍ଟ । ଜୋକ ରକ୍ତ ଶୋଷି ଶୋଷି ଫୁଲିଗଲେ ଆପେ ଆପେ ଖସିପଡ଼େ ତଳେ–ସିମିତି ବଳବନ୍ତ ରାଏଙ୍କୁ ଆଉ ବାକି ନାହିଁ କିଛି–ସବୁ ସରିଛି ।

 

ମହାଜନଙ୍କର ନିଦ ଭାଙ୍ଗିଛି । ସେ ଶୁଣିଲେଣି ଆସିଛି ଧାନ ଶଗଡ଼ ମାନ । ମାପ ହେବ ଧାନ ସକାଳୁ ଯେ, ସଞ୍ଜ ଯାଏଁ ତାଙ୍କୁ ତରକାହିଁ ? ଭଦ୍ରଲୋକ ସଙ୍ଗେ କଥା ହେବାକୁ ତାଙ୍କୁ ସମୟ ନାହିଁ । ସେ କଥା ଜମା ମନେ ନାହିଁ ।

 

ଧାନ ମାପ ଚାଲିଛି ଗଉଣି ମୁହଁରେ । ମାପୁଣିଙ୍କ କଣ୍ଠସ୍ଵର ସବାରିବୁହା ଗଉଡ଼ଙ୍କ ପରି ଶ୍ରମଜନିତ କଣ୍ଠର କୁହାଟ ଧ୍ଵନି ସଂଖ୍ୟାରେ ପ୍ରକାଶ ପାଉଥିଲା ।

 

ମହାଜନେ ପାକଲା ଗାମୁଛାକୁ କାନ୍ଧରେ ପକାଇ–ଥନ୍ତଲା ପେଟକୁ ନଚେଇ ନଚେଇ ଗୁମାସ୍ତାମାନଙ୍କ ପାଖକୁ ଯାଉଥାନ୍ତି–ଆସୁଥାନ୍ତି । ସେ ଭଲଭାବେ ଜାଣନ୍ତି–‘ଗୁମସ୍ତାମାନେ ଜାତିରେ ମାହାନ୍ତି–ସେମାନେ ଖାତା ଖତିଆନରେ ଏମିତି ଧୁରନ୍ଧର ଯେ ସ୍ୱୟଂ ବୃହସ୍ପତ୍ତି ସୁଦ୍ଧା ଭୁଲ୍‍ ଧରିବା ଭାରୀ କଠିନ । ବଳବନ୍ତରାଏ କେତେକର ଲୋକ ଯେ କରଣ ଭେଉରେ ପଶିବେ ? ସେଇଥିପାଇଁ ସେ ଗୋଡ଼େ ଗୋଡ଼େ ଜଗିଥା’ନ୍ତି ତାଙ୍କୁ । ଇଲକାବାଡ଼ି ବଞ୍ଚି ରହିଛି ଖାଲି ତାଙ୍କରି କଲମରେ ।

 

କାନ୍ଥମରା ଘଡ଼ିର ଓଳମ ପରି ମହାଜନେ ଶିଙ୍ଗର ବାଡ଼ିଟାକୁ ଠକ୍‍ ଠକ୍‍ କରି ଏ ପଟକୁ ସେ ପଟ ହେଉଥାନ୍ତି । ଏଇ ବାଡ଼ିଶବ୍ଦ ପାଖେଇ ଆସିଲେ ମାପୁଣି ପାଟିକରେ ବେଶୀ ସଂଖ୍ୟାଗଣତିରେ–ଗୁମାସ୍ତାଏ ଲାଗିଥାନ୍ତି ହିସାବରେ । ଶବ୍ଦ ଦୂରେଇ ଗଲେ–ମାପୁଣି ପୋଛେ ଝାଳ-। ମୁଣ୍ଡରୁ ଠେକା ଖୋଲେ ବୋଝିଆ । ମୁଣ୍ଡା ପେନସିଲଟାକୁ କାନରେ ଖୋସି ଘୁମାନ୍ତି ବସି ଗୁମାସ୍ତାଏ ।

 

ଯୁବକଟି ଥରେ ଧାନମାପ ପାଖକୁ ଆସିଗଲେ–ପୁଣି ପୋଖରୀ କୂଳକୁ ଯାନ୍ତି ସେହି ନିରୀହ ଚାଷୀଙ୍କର ରନ୍ଧନ ପ୍ରଣାଳୀକୁ ପର୍ଯ୍ୟବେକ୍ଷଣ କରିବାକୁ । ପ୍ରତ୍ୟେକେ ଦୁଇଖଣ୍ଡି ଲେଖାଏଁ ଇଟାଥୋଇ ଲଗେଇଥାନ୍ତି ଚୁଲି–କିଏ ଭାତ ରାନ୍ଧି ସାରି ବସାଇଲାଣି ଗୋରୁଙ୍କ ପାଇଁ ଆହାର । ତେଲ ଲଗଉଛି କି’ଏ ସ୍ନାନ କରିବାକୁ ଏ’ଇ ଦଳପୂର୍ଣ୍ଣ ପୁଷ୍କରିଣୀଟିରେ । ଦଳ ପେଲିପେଲି କାହାର ଡେଣା ପିଠି ହେଲାଣି ହାଲିଆ–ସେ ଦଳ ପୁଣି ଲାଗୁଛି ଆସି ଦେହରେ ।

 

ସମସ୍ତେ ଲାଗିଛନ୍ତି ତାଙ୍କ ଧନ୍ଦାରେ । ସେ ଦେଖିଲା ବୁଢ଼ାଟିଏ ପାକୁଅ ପାଟିରେ ଚୁଲି ଫୁଙ୍କୁଛି ତା’ର ରହି ରହି । ଧୂଆଁରେ ଆଖି ପଡ଼ିଲାଣି ଲାଲ–ପାଣି ଗଡ଼ିଲାଣି ନାକରୁ । ଦକ୍ଷିଣା ପବନ ଉଡ଼େଇ ନେଉଛି ନିଆଁଝୁଲ ସଙ୍ଗେ ଚୁଲିଭିତରର ପାଉଁଶ । ବେଦମ୍‍ ହେଲାଣି ବୁଢ଼ାଟା । କେହିହେଲେ ପଚାରୁ ନାହାନ୍ତି ପଦେ । ସାହାଯ୍ୟ କରୁ ନାହାନ୍ତି ଟିକିଏ । ଗୋଠଛଡ଼ା ହେଇ ବୁଢ଼ାଟା ଅଲଗା ବସେଇଛି ତା’ର ରସର ଡେକିଚି ଚୁଲି ଉପରେ । “କି ଅପରାଧ ତା’ର–କେହି ପଚାରୁ ନାହାନ୍ତି କାହିଁକି ତାକୁ ?” ସେ ଛିଡ଼ା ହୋଇ ଭାବୁଥିଲା କେତେକ’ଣ ଏଇ ସରଳ ଗାଉଁଲି ଲୋକଙ୍କ କଥା ।

 

ଦୁଇଜଣ ଲୋକ ଛାତିକି ଫୁଲାଇ–ଡେଣା ବାହାସ୍ଫୋଟ ମାରି ଚାଲିଆସିଲେ ପୋଖରୀ କୂଳକୁ । ସେମାନେ ପଚାରିଲେ–“ତୁମ ଭିତରୁ ନଟିଆ ପଧାନ କିଏ ?”

 

ସମସ୍ତେ ଚାହିଁଲେ ଆଶ୍ଚର୍ଯ୍ୟ ହୋଇ । ସମସ୍ତେ ଗଣିଲେ ପ୍ରମାଦ । ପିଆଦାମାନେ ଆସିଲେ କାହିଁକି ? ବୁଢ଼ାଟା ନିଶ୍ଚେ କରିଛି ଗଲତି–ବାକି ରଖିଛି କ’ଣ–ପଇଠ ପଡ଼ିନି ତା’ର । ନୋହିଲେ ଖୋଜା ପଡ଼ନ୍ତା କାହିଁକି ? ସେ ଏପରି ଝିଙ୍କା ହେଇ ଯାଇଛନ୍ତି କେତେଥର–ବନ୍ଧା ହେଇଛନ୍ତି ନଡ଼ିଆ ଗଛରେ–ମାଡ଼ ବି ଖାଇଛନ୍ତି ଅନେକବାର । ଆଜି ନୂଆ ନୁହେଁ ଏକଥା–ଦିହସୁହା ପୁରୁଣା କଥା ।

 

ସମସ୍ତେ ହାତଠାରି ଦେଖେଇ ଦେଲେ ବୁଢ଼ାଟିକି । ସେ ନଇଁପଡ଼ି ଫୁଙ୍କୁଥିଲା ଚୁଲି । ଚୁଲିରେ ସିମିତି ବସିଛି ହାଣ୍ଡି–ପାଣି ନଖ ଉଷୁମ ହେଇଛି । ବୁଢ଼ା ପକେଇଛି ଚାଉଳ । ଭାତ ଫୁଟିନି-। ପାଖରେ ପହଞ୍ଚିଲେ ଦୁଇଜଣ ଲୋକ ।

 

କଥା ନାହିଁ–ବାର୍ତ୍ତା ନାହିଁ–ପଚରା ନାହିଁ–ଶଙ୍ଖୋଳା ନାହିଁ ସେମାନେ ଲଗେଇଲେ ଗୋଟେ ଦଉଡ଼ା ରସି ପଧାନଙ୍କର ଅଣ୍ଟାର । ତାକୁ ଟାଣି ନେଲେ ଚୋରକୁ ଯିମିତି ନିଅନ୍ତି ପୋଲିସମାନେ ବାନ୍ଧି କଇଦୀ ଘରକୁ ।

 

ଯୁବକଟି ବୁଝିପାରିଲାନି କିଛି । ସେ ସିମିତି ଚାଲିଲା ବୁଢ଼ାର ପଛେ ପଛେ । ତାକୁ ହାଜର କରାଗଲା ଜମିଦାରଙ୍କ ପାଖରେ । ବଳବନ୍ତରାଏ ଲାଲ ଆଖିକରି ଚିହିଙ୍କି ଉଠିଲେ ଲୋକଟି ଉପରକୁ । ସେ ଉଠିପଡ଼ି କହିଲେ–“କିରେ ପଧାନବୁଢ଼ା ତୋର ସୁଧ ବାବଦ ବାକି ଥିଲା ପାଞ୍ଚଟଙ୍କା–ମାପୁଣି ଧାନ ତିନିଟଙ୍କା–ଗୁମାସ୍ତା ଧାନ ସାତ ଟଙ୍କା–ଖାତା ପୂଜା ଆଠଣା–ପିଆଦା ଖର୍ଚ୍ଚ ଆଠଣା ଏମିତି ଗାଏମୋଟ ଷୋଳଟଙ୍କା ଉପରେ ସୁଧ ହେଲା ଚାରିଟଙ୍କା । ସମୁଦାୟ କୋଡ଼ିଏ ଟଙ୍କା ଦାଖଲ କର–ନୋହିଲେ ତୋର ଧାନ ମାପ ବନ୍ଦ ।

 

ପଧାନ ବୁଢ଼ା ଦାନ୍ତରେ କୁଟା ଧରି–ବେକରେ ଗାମୁଛା ପକାଇ ନଇଁ ସଇଁ ହେଇ ମହାଜନଙ୍କ ପାଖରେ ଲମ୍ବହୋଇ ପଡ଼ି ରହିଲା । ସେ ବିକଳ ହୋଇ କହଲା–“ମୋ ପାଖରେ କିଛି ନାହିଁ ମହାଜନ ଆଜ୍ଞା–ମୁଁ ସବୁ ତୁଟେଇ ଦେଇଛି । ଗୁମାସ୍ତା ହଜୁର ପଇଠ ପକାଇ ନାହାନ୍ତି ।”

 

ବୁଢ଼ାପାଟିରୁ କଥା ସରିନି–ଗୁମାସ୍ତାଏ ହେଲେ ବିରକ୍ତ ଅଗ୍ନିଶର୍ମା ପରି । “ବୁଢ଼ାଟାଏ ହେଲାଣି ଆଜି ଲକ୍ଷ୍ମୀ ସିରସ୍ତାରେ କହିଲୁ ମିଛ ।” ତାରି ହେଲା ଖାଲି ଭୁଲ୍‍–ଆଉ ତ ସିମିତ ହେଲାନି କାହାର ? ପାଠ କହିଛି ସହସ୍ର ଭାକା–ଏକା ଲେଖା । ସେଇଥି ପାଇଁ ତାକୁ ବାସନ୍ଦ କରିଛନ୍ତ ଗାଁଲୋକେ ।

 

ମହାଜନେ ଆଖି ମିଞ୍ଜି ମିଞ୍ଜି କରି କହିଲେ “ଗୁମାସ୍ତାଏ ! ହେଉ, ହେଉ, ଭୁଲ୍‍ତ କଲାଣି–ପାଟି ଖସି ଗଲା କହି ପକାଇଲା–ସେଥିପାଇଁ କ’ଣ କରାଯାଏ ! ସେ ଏବେ ନଗଦ କୋଡ଼ିଏ ଟଙ୍କା କାହୁଁ ପାଇବ ଯେ ଦେବ । ତା’ର ବଳଦ ହଳକ ଛାଡ଼ିଦେଇ ଯାଉ । ଟଙ୍କାଦେଲେ ପରେ ନେବ ।

 

ଏଇ ପଦକ କଥାରେ ବୁଢ଼ାର ଅକଲ ହେଲ ଗୁଡ଼ୁମ୍‍ । ତା’ ପାଟିରୁ ବାହାରିଲାନି ପଦେ କଥା । ତା’ର ସମ୍ବଳ ହେଲା ସେଇ ବଳଦ ହଳକ–ଯାହାକୁ ସେ ଚାହିଁଲେ ଭୋକ ଶୋକ ପାସୋରେ । ବଳଦ ନ ଖାଇଲେ ବୁଢ଼ାରହେ ଉପାସ । ଯାହା ନ ଖାଏ ନିଜେ ପେଟରୁ କାଟି ଦିଏ ବଳଦ ମୁହଁରେ । ଗୋବର ଟିକିଏ ଲାଗିଲେ ଦିହରେ ବୁଢ଼ା ସଫାକରେ ତାକୁ । କୁଟା ପାରିଦିଏ ଶୋଇବାକୁ । ଧଳା କଇଁଫୁଲିଆ ରଙ୍ଗର ବଳଦ ଦି’ଟାଙ୍କୁ ଚାହିଁଲେ ଦୁଃଖ ପାସୋରି ଯାଏ । ଶତ୍ରୁ ଚାହିଁ ରହେ ଘଡ଼ିଏ ।

 

ଯୁବତୀମାନେ ସ୍ଵର୍ଣ୍ଣହାରକୁ ଯତ୍ନରେ ଲମ୍ବାଇ ଥାଆନ୍ତି ଗଳାରେ । ଗର୍ବରେ ବେକ ପାଖରୁ ଟାଣି ଦିଅନ୍ତି ଲୁଗାକୁ ବାହାରକୁ ଦେଖାଇବାକୁ ତାଙ୍କର ଗର୍ବର ଧନ ସେହିପରି ପ୍ରଧାନବୁଢ଼ା ଯତ୍ନରେ ରଖିଛି ତାଲିମ ଦେଇ ଏଇ ବଳଦ ହଳକୁ ତା’ର ଗଳାର ହାର–ଆଦରର ଧନ ପରି ।

 

ଅନ୍ୟ ମୁହଁରୁ ବଳଦ ହଳକ କଥା ଶୁଣିଲେ ତା’ର ଛାତି ଗର୍ବରେ ଫୁଲିଉଠେ । ଲୋକଙ୍କ ଆଗେ ମୁହଁ ଟେକି ବାଟ ଚାଲେ ସେ । ଜଙ୍ଗଲରୁ ଓଝାଳ ଉଠି ବଳଦ ଦୁଇଟି ବଡ଼ବଡ଼ କାଠ ଲଦା ଶଗଡ଼ଟିକୁ କାନ୍ଧରେ ଥୋଇ ଟାଣି ଆଣନ୍ତି ଯାହା ନ ପାରନ୍ତି ଅନ୍ୟ ବଳଦମାନେ । ବିଲ ଚାଷ କରିବାରେ ସମସ୍ତଙ୍କଠୁଁ ଅଧିକା–କୁରୁଳି ଭିଡ଼ିବାରେ ପ୍ରଥମ । ଏହିପରି ତାଲିମ ସେ ଦେଇଛି ତାଙ୍କୁ-

 

ସେ ପୁଣି ଆଜି ଛାଡ଼ିଦେଇ ଯିବ ବଳଦ ହଳକୁ କାହା ପାଖରେ ? ଏଇ ଜମିଦାର ପାଖରେ ପାଇଲେ ଶାଗ ପରିବା ପରି ଝିଙ୍କି ନିଅନ୍ତି ଚେର ସୁଦ୍ଧା । ସେ କ’ଣ ଆଉ ଫେରି ପାଇବ-। ବୁଢ଼ାର ଭାବନା ଚାଲିଥାଏ । ସେ ମୁହଁପୋତି ବସି ରହିଥାଏ ତଳେ ।

 

ମହାଜନଙ୍କର ହୁକୁମ ହେଲା ପିଆଦାମାନଙ୍କୁ ବାନ୍ଧି ଆଣିବାକୁ ପ୍ରଧାନ ବୁଢ଼ାର ବଳଦ ହଳକୁ । ପ୍ରଧାନଙ୍କ ମନ ଯେତେ ଛାଟିପିଟି ହେଲେ ସେ’ କ’ଣ କରିବେ ? ଗାଁ ଲୋକମାନେ ତାକୁ କରିଛନ୍ତି ବାସନ୍ଦ–ଏକ ଘରିଆ । ବିପଦ ପଡ଼ିଲେ ସେ ଦେଖିବେ ସୁକୁଟ ।

 

ଭାକୁର ମାଛ ଥୋପ ଗିଳେନି । ମାତ୍ର ଥରେ ଗିଳିଲେ ଆଉ ଉଦ୍ଧାର ପାଏନି । ସେ ଯେତେ ଛାଟିପିଟି ହେଲେ ମଧ୍ୟ ଶେଷରେ ନିସ୍ତେଜ ହୋଇ ଧରାଦିଏ ଆପେ ଆପେ ସୁନା ପିଲାଙ୍କ ପରି । ପ୍ରଧାନଙ୍କ ଦଶା ଆଜି ସେହିପରି ।

 

Unknown

ଯେଉଁ ପଦାର୍ଥରେ ଯାହାର ହୁଏ ଲୋଭ ସେ କଳେବଳେ ଚକ୍ରାନ୍ତକରି ଟାଣି ନିଏ ପାଖକୁ ତା’ର । ଭଲମନ୍ଦ ବିଚାର ନଥାଏ କିଛି ।

 

ମହାଜନେ ଶୁଣିଥିଲେ ବହୁଲୋକଙ୍କଠୁଁ ପଧାନଙ୍କର ବଳଦ ହଳକ କଥା । ତାଙ୍କର ଧଳା କଇଁଫୁଲିଆ ରଙ୍ଗର ଚେହେରା ଦେଖିଲେ ବଳବନ୍ତରାଏଙ୍କର ମନହୁଏ ହାଇଁପାଇଁ । ସେ ଖୋଜନ୍ତି ବାଟ–ସୃଷ୍ଟି କରନ୍ତି କେତେ ଐନ୍ଦ୍ରଜାଲମାନ ।

 

ଆଜି ନଟିଆ ପଧାନ ପଡ଼ିଛି ଧରା ତାଙ୍କ ପାଖରେ । ମନରେ ବହୁଦିନରୁ ଉଙ୍କି ମାରୁଥିବା ଅତୃପ୍ତ ଆଶାକୁ ଆଜି ମେଣ୍ଟାଇବେ ସେ । ପଧାନଙ୍କ ବଳଦ ହଳକ ତାଙ୍କର ଗୋ’ଶାଳା ମଣ୍ଡନ କଲେ ସେ ପାଇବେ ଶାନ୍ତି–ଆନନ୍ଦ–ସବୁ କିଛି ।

 

ମଣିଷ ଭାବେ ତା’ର ଇପ୍‍ସିତ ପଦାର୍ଥ–ମାତ୍ର ଫଳଫଳେ ଓଲଟା । ପରର ଧନ ଅପହରଣ–ଚୋରୀ ଡକାୟତି–ଭଣ୍ଡାମି କରି ଯେଉଁ ସମ୍ପତ୍ତି ଗଢ଼ି ଉଠିଥାଏ ତାହା ବରଫ ପରି ତରଳି ବୋହିଯାଏ କେଉଁଆଡ଼େ । ତା’ର ଚିହ୍ନ ରହେନି ଜାଣିବା ପାଇଁ–ସତ୍ତା ରହେନି ସ୍ମରଣ ପାଇଁ–ହଜିଯାଏ ପୁଣି ସେହି ବିସ୍ମୃତି ଗର୍ଭରେ ଘଡ଼ିକ ଭିତରେ । ମାମୁଦଙ୍କ ଲୁଣ୍ଠନ କି’ଏ ବା ନଜାଣେ । ରକ୍ତପିପାସୁ ଯବାନଟା ଗାଁ ଗଣ୍ଡାରେ ପଶିଲା–ପରର ଘର ପୋଡ଼ିଲା–ଯାହା ପାଇଲା ବୋହିନେଲା ଧନରତ୍ନ ସବୁ । ମନର ପିପାସା ମେଣ୍ଟିଲାନି ଆଖି ପକାଇଲା ମନ୍ଦିରକୁ ଯେଉଁଟା ଥିଲା ହିନ୍ଦୁର ପ୍ରଧାନ ଦେବତା ସୋମନାଥେଶ୍ୱର । ସୁନାର ତିଆରି ସୋମନାଥ ମନ୍ଦିର ଭାଙ୍ଗି କଲା ଖଣ୍ଡ ଖଣ୍ଡ–ମୂର୍ତ୍ତିକି କଲା ବିକଳାଙ୍ଗ ଖାଲି ଧନ ଲୋଭରେ । ସେହି ଧନରତ୍ନ ତା’ର ଶେଷରେ ହେଲା କାଳ । ମୃତ୍ୟୁଶଯ୍ୟାରେ ଚାରି ପାଖରେ ଦାଉଦାଉ ଜଳୁଥିବା ମୋତିମାଣିକକୁ ହା ହତାଶମୟ ପ୍ରାଣରେ କଟମଟ କରି ଚାହୁଁ ଚାହୁଁ ଜୀବନଗଲା ତା’ର । ସେ ଧନ ଯାଇଥିଲା ଯେଉଁଠୁ–ରହିଲା ପୁଣି ସେଇଠି । ଲୁଣ୍ଠନ ବିଭବ ଦୂରଛଡ଼ା ହେଲେ ମଲା ବେଳକୁ । ମନର ଆଶା ମେଣ୍ଟିଲାନି–କାହାର ହେଲେ ମେଣ୍ଟିନି ।

 

ବଳବନ୍ତରାଏ ସେହିପରି ଧନପାଇଁ ହେଲେ ବିକଳ । ଆକୁଳଭରା ପ୍ରାଣରେ କଲେ ଚକ୍ରାନ୍ତ–କାହାର ନେଲେ ଧାନ ଜମିତ–କାହାର ତୋଟା ବନ୍ଧକ–କିଏ ଛାଡ଼ିଲା ବଗାୟତ–ସୁଧକୁ ଦେଲା ଘର । କାହାର ବୁଡ଼ିଲା ସୁନାତ–କିଏ ଦେଲାଣି ବାସନ । ଏହି ଅପହରଣ–ଜାଲ–ଭଣ୍ଡାମି କରି କରି ସେ ବଢ଼େଇଲେ ତାଙ୍କ ସମ୍ପତ୍ତି । ମନର ତୃପି; ହୃଦୟର ଆଶା ମେଣ୍ଟିଲାନି–ସେ ପୁଣି ହାତ ବଢ଼େଇଲେ ପଧାନଙ୍କ ଗୋରୁ ହଳକ ଟାଣିଆଣି ବାନ୍ଧିବାକୁ ନିଜ ଗୁହାଳରେ । ଶେଷଫଳ ସମସ୍ତେ ଭୋଗ କରନ୍ତି ମହାଜନେ ସାମାନ୍ୟ ବଳଦ ହଳକ ପାଇଁ ସର୍ବସ୍ୱାନ୍ତ ହେବେ ନାହିଁତ ?

 

ମଣିଷ ସବୁବେଳେ ଭଲଚାହେଁ ଆଶାକରେ ସୁଖ । ଆଲୁଅକୁ ଦେଖେ । କରେ ଉପଭୋଗ ସବୁ । ହେଲେ ୟାଙ୍କର ବିମାତା ଭାଇମାନେ କ’ଣ ଥରେ ଅଧେ ନ ସଙ୍ଖୋଳି ଛାଡ଼ିବେନି ?

 

ମଣିଷ ସର୍ବଦା ଚେଷ୍ଟାକରେ ଦେବତା ପରି ପୂଜାପାଇବାକୁ । ସେ ଭଣ୍ଡାଏ ଲୋକଙ୍କୁ କେତେ–କୌଶଳରେ ଆୟତ୍ତ କରେ ମନକୁ ତାଙ୍କର–ହେଲେ ମଣିଷ ଅଜଣାରେ ଦିଏ ଫୁଲମାଳ ଦେବତା ଜ୍ଞାନ କରି । ଯେତେବେଳେ ସେ ଜାଣେ ୟେଟା ମାୟା–କପଟ–ଐନ୍ଦ୍ରଜାଲ–ଶଠତାର ଅବତାର–ସେ ଫୁଲରେ ମାଳ ନଗୁନ୍ଥି ପିନ୍ଧାଏ ପଥରର ମାଳ । ପୂଜାପାଇଁ ଘଣ୍ଟି ନହଲାଇ ହଲାଏ ଯଷ୍ଟି–ଝୁଣା ଧୂପର ପରିବର୍ତ୍ତେ ସେ ଦିଏ ଗୋଳା ବାରୁଦର ଧୂଆଁ । ସୁଖରେ ଥିଲାବେଳେ ମଣିଷ ଏଗୁଡ଼ାକ ଜାଣି ପାରେନା । ମାତ୍ର ତା’ପାଇଁ ସଜଡ଼ା ହୋଇ ଥୁଆ ହୋଇଥାଏ ଏସବୁ ଆଗକୁ ।

 

ମହାଜନେ ଅଳ୍ପହସି ପୁଣି ଆରମ୍ଭ କଲେ–“ପଧାନେ ବଳଦ ନେବତ ଟଙ୍କା କାଢ଼ ।” ଏ ବାଗ ଛାଡ଼ିଦେଲେ ତୁମ ଲାଞ୍ଜ ଧରିବା ବଡ଼ କଠିନ । କାହାରିଠୁଁ ଧାର କରି ଟଙ୍କା ଥୁଅ । ମୋର ଟଙ୍କାରେ ଦାୟୀ । ତୁମ ବଳଦ ମୁଁ କାହିଁକି ବାନ୍ଧି ରଖିବି ?

 

ମହାଜନେ କହିବାର ତାତ୍ପର୍ଯ୍ୟ ଅଛି । ପଧାନେ ଗାଁରୁ ସାଇପଡ଼ିଶାରୁ ବାସଦ–ନିଆଁ ପାଣି ମନା–ତାକୁ ଥାଇ ସୁଦ୍ଧା ମନା କରିବେ ସମସ୍ତେ । ଏତେ ଟଙ୍କା ସେ କାହୁଁ ପାଇବ ଯେ ଗଣିବ-? ଏହି ବାହାନାରେ ସେ ରଖିବେ ବଳଦ ଦୁଇଟି । ଚକେ ଗଡ଼ିଲେ ବାରହାତ–ରୁକୁଣା ରଥ ଅଣଲେଉଟା । ଥରେ ଯେ ଆସିଛି କବଳକୁ ସେଥିରୁ ମୁକୁଳିବା ବଡ଼ କଠିନ । ନେଲେ ନେବ ଆଉ ପାଞ୍ଚିକି ଦଶ । ବଳଦ ନେବାଟି ମିଛ କଥା ।

 

ମାହାଜନଙ୍କର ହୁକୁମରେ ପିଆଦାମାନେ ବାନ୍ଧିଆଣି ହାଜର କଲେଣି ବଳଦ ଦୁଇଟିକି ଦିଅଙ୍କ ବେଢ଼ା ଭିତରେ । ନିରୀହ ପଶୁ ଦୁଇଟି ଲାଞ୍ଜହଲେଇ ପଧାନଙ୍କ ମୁହଁକୁ ଚାହିଁଥାନ୍ତି କଟ୍‍ମଟ୍‍ କରି । ତଳେ ବିଞ୍ଚାହୋଇଥିବା କଅଁଳ କଞ୍ଚା ଘାସକୁ ସେ ଯିମିତି ମୁହଁ ମାରୁ ନାହାନ୍ତି ଏହି ଅନ୍ୟାୟର ପ୍ରତିବାଦ କରି । ହଡ଼ା ଦିଓଟି ସତେ ମର୍ମେ ମର୍ମେ ଉପଲବ୍ଧି କରୁଥିଲେ ମାଲିକର ନୀରସ ଶୁଷ୍କ ମୁହଁକୁ ବାରମ୍ବାର ଚାହିଁ ।

 

ବିପଦ ସମୟରେ ରଖନ୍ତି ହରି । ସେହି ଭଗବାନ କେବଳ ସାହା ପଧାନଙ୍କର । ଭୋକ ଉପାସରେ ମୁହଁପୋତି ସେ ଦୋଳ ବେଦୀ ତଳେ ସିମିତି ବସି ରହିଲେ । ହଠାତ୍ ଗହଳ ଚହଳ ବନ୍ଦ ହୋଇଗଲା ସବୁଆଡ଼ । ଧାନମାପର ଡାକ ଆଉ ଶୁଣାଗଲାନି ମାପୁଣିଙ୍କଠୁଁ । ବେଠିଆମାନେ କୋଠି ତଳେ ମୁଣ୍ଡରୁ ଠେକା ଖୋଲି ଛିଡ଼ା ହେଲେ–ଗୁମାସ୍ତାମାନେ ଖାତା ବନ୍ଦକରି ବସିରହିଲେ ମୁହଁପୋତି–ମହାଜନ ବସିଛନ୍ତି ଦୋଳବେଦୀ ଉପରେ-। ସମସ୍ତେ ଚାହିଁରହିଥାନ୍ତି ବଳଦ ହଳକ ଆଡ଼େ–କେତେବେଳେ ବା’ ପଧାନଙ୍କ ମୁହଁକୁ । ସେଇ ବଳଦ ହଳକ ଯିମିତି ଘଟେଇଛନ୍ତି ଆଜି ଏତେ କାଣ୍ଡ ।

 

ଯୁବକଟି ଛିଡ଼ାହୋଇ ଦେଖୁଥାଏ ଏ ଅଭିନୟ ସବୁ ।

 

ଶେଷଫଳ କ’ଣ ହେବ କେହି ଜାଣିପାରିଲେନି । ସମସ୍ତେ ମୂକପରି ଛିଡ଼ାହୋଇ ରହିଥାନ୍ତି । ଯୁବକଟି ଦେଖିଲା ପଧାନଙ୍କର ଏଇ ବଳଦ ହଳକ ସର୍ବସ୍ୱ । ସେ ତା’ର ଛୋଟିଆ ସଂସାରଟିକୁ ଚଳାଏ ୟା’ଙ୍କରି ସାହାଯ୍ୟରେ । ତାଙ୍କୁ ଛାଡ଼ି ସେ ରହିବ କିମିତି ?

 

ବିପଦ ଆସି ପହଞ୍ଚିଲେ ପାଖରେ ମଣିଷ ଠେଲନ୍ତି ମଣିଷକୁ ତାରି କରାଳ ମୁଖରେ ଝାସଦେବା ପାଇଁ । ଗାଁ ମଣିଷଗୁଡ଼ାକ ଜଡ଼ପରି ଛିଡ଼ାହେଇ ରହିଛନ୍ତି ସିମିତି । ପଦେହେଲେ ପଧାନଙ୍କ ପାଇଁ କହୁନାହାନ୍ତି କେହି । ବିଦ୍ରୋହ ହୋଇ ଉଠିଲା ମନ ତା’ର । ସେ ତା’ର ଦବ ଜବାବ ।

 

ନୀରବତାକୁ ଭଙ୍ଗକରି ଆରମ୍ଭ କଲା ସେ କଥା । ଶୁଖିଲା ଗଛରେ ଧରିଲା କଅଁଳ ପତ୍ରସବୁ–ମଉଳି ଥିବା ପତ୍ରସବୁ ଝଡ଼ିପଡ଼ିଲା ବସନ୍ତ ପବନ ବାଜି । ଅଜାଣତରେ କୋଇଲିର ମଧୁର ଡାକ ସମସ୍ତଙ୍କୁ କଲା ସ୍ତମ୍ଭିତ–ଅଜଣା ଲୋକର ଅଚିହ୍ନା ମୁହଁକୁ ଚାହିଁଲେ ଲୋକେ ଶୁଣିବାକୁ କ’ଣ ସବୁ ।

 

ସମସ୍ତଙ୍କର ଅନ୍ୟମନସ୍କ ଆଖିକି ସେ ଟାଣିଆଣିଲା ତା’ ପାଖକୁ । ଏକଧ୍ୟାନରେ ତା’ ଆଡ଼େ ଚାହିଁଛନ୍ତି ସମସ୍ତେ ।

 

ଯୁବକଟି ହାତ ଯୋଡ଼ିଲା ସମସ୍ତିଙ୍କି । ହସିହସି ଆରମ୍ଭକଲା । ସେ ହେଉଛି ଅପରିଚିତ–ତାକୁ ଦେଖି ମଧ୍ୟ ଲୋକେ ଦେଖିନାହାନ୍ତି ଜାଣି ମଧ୍ୟ ଜାଣି ନାହାନ୍ତି । ସେ କହିବ ଆଜି ଏ ସଭା ଭିତରେ ତା’ର ମନର କଥା–ଗୋପନ ବାର୍ତ୍ତା । ଲୋକେ ହେବେ ସୁଖୀ–ସେ ପାଇବ ଶାନ୍ତି-

 

ସେ କହିଲା ମହାଜନଙ୍କୁ ବିନୟୀ ହୋଇ । ଆଜି ସଭାରେ ସମସ୍ତଙ୍କ ପାଇଁ ଭୁଲ୍‍ ମାଗିନେଲା ସେ । ତା’ର ଅନୁରୋଧ ପଧାନଙ୍କୁ କ୍ଷମା କରନ୍ତୁ । ତା’ର ହଡ଼ା ଦି’ଟାକୁ ଫେରାଇ ଦିଅନ୍ତୁ ।

 

ସମସ୍ତେ ହେଲେ ଆଶ୍ଚର୍ଯ୍ୟ । ଏ ଲୋକଟି କି’ଏ ? ନୂଆଲୋକଟିର ନୂଆତଥ୍ୟ ସେମାନେ ଶୁଣିଲେ ଆଜି । ବଳବନ୍ତରାଏଙ୍କ ଆଗରେ କଥା କହିବ କିଏ ? ସମସ୍ତେ ଡରନ୍ତି ତାଙ୍କୁ–ସବୁ ନିଷ୍ପତ୍ତି ଭଲ ହେଉ କି ମନ୍ଦ ହେଉ ମାନିନିଅନ୍ତି ଲୋକେ ।

 

ବଳବନ୍ତରାଏ କେତେ ସମୟ ଚାହିଁ ବସିଥାନ୍ତେ ସିମିତି ? ତାଙ୍କର କଥା ଉପରେ ଆସିଛି ଆଞ୍ଚ–ତାଙ୍କର ମନର କଳ୍ପନା ଭାଙ୍ଗି ପଡ଼ିଛି ସବୁ । ସେ’ ବି ଚାହିଁଲେ ଲୋକଟି ଆଡ଼େ । “ପଚାରିଲେ ତୁମେ କିଏ ?”

 

ଭଦ୍ରଲୋକଟି ଜାଣିଥିଲା ତା’ କଥାରେ ଆସିବ ପ୍ରତିବାଦ । ସେ ହୋଇଥିଲା ଜବାବ ଦେବାକୁ ପ୍ରସ୍ତୁତ । ଯୁବକଟି କହିଲା–“ଆପଣ ଜାଣିଛନ୍ତି କାଲିଠୁଁ ମୁଁ ଆସିଛି ଦେଖା କରିବାକୁ ବହୁ ଦୂରରୁ–ଚିହ୍ନା ଦେବାକୁ ସମୟ ପାଇନି–ମନର କଥା କହିନି–ଆଜି ମୋର ଭାଗ୍ୟ ଦେଖିଲି ଆପଣଙ୍କୁ–ଚିହ୍ନାଦେବି ଏଥର ।”

 

ତୁମର ଯାହାକାମ ଅଛି ମୋତେ କୁହ–ଆଗ ଶୁଣିଲେ ତୁମ କଥା ପରେ ବୁଝିବ ଆଉ ସବୁ । ମହାଜନେ କହିଲେ ଯୁବକଟିକୁ ।

 

‘ହଁ ! ମହାଶୟ, ଠିକ୍‍ କଥା–ଲୋକଙ୍କ ଭିତରେ ଆପଣ ଜଣେ–ଲୋକଙ୍କ ଭଲମନ୍ଦ ବୁଝନ୍ତି କେତେଜଣ ? ଆପଣ ନଥିଲେ ଏ ଗାଁ ଚଳନ୍ତାନି । ତା’ର ଗୁହାରି ସେ ଜଣେଇ ଦେଇଛି । ଆଗ ପଧାନ ବୁଢ଼ାକୁ କରନ୍ତୁ ସେ ବିଦାୟ । ତା’ପରେ ଯାଇ ଅନ୍ୟକଥା । ଏହିକଥା ସେ ଜଣେଇଲା ପୁଣି ମହାଜନଙ୍କୁ ।

 

ସେ ପାଇବ ସେଥିରୁ କ’ଣ ? ଇଲକା ବାଡ଼ିର କଥା । ସାହୁ–ଖାତକର ବିଚାର । ସଞ୍ଜାଧାନର ପାଉଣା–ଖାତା ଖତିୟାନ ହିସାବ । ଏ ସବୁରେ ଅନ୍ୟ ମୁଣ୍ଡ ବଥେଇବା କ’ଣ ଠିକ୍‍ ? ରାଗ ମିଶା ଗଳାରେ କଥାଗୁଡ଼ାକ ଡଗ୍‍ ଡଗ୍‍ କରି କହିପକାଇଲେ ବଳବନ୍ତରାଏ ।

 

ଯୁବକଟି ପୁଣି କହିଲା–“ସେ ରହିଲା ଯାମିନୀ । ଟଙ୍କା ତାଙ୍କର ଯେତେ ଆଣିଦେବ କାଲି । ବଳଦ ହଳକ ଛାଡ଼ି ଦିଅନ୍ତୁ ପଧାନଙ୍କର ।”

 

ଏଇ କେତେପଦ କଥାରେ ମହାଜନେ ରାଗିଲେ ଭୀଷଣ । ତାଙ୍କ ପାଟିରୁ କଥା ବାହାରିଲାନି ପଦେ । ସେ ବାୟା ପରି ହୋଇ କହିଲେ କେତେ କ’ଣ ? ସେ କେଉଁଠାର ଲୋକ–ଚୋରୀ କରିବାକୁ ଆସିଛି ଏଠିକି । ଡାକ ଚଉକିଆକୁ ସେ ତାକୁ ଦେବେ ପୁଲିସ ଜିମା ।

 

“ମହାଶୟ, ସେଇଟା ଠିକ୍‍ । ପୁଲିସ ହେଉଛି ଆମରି ଭାଇ–କର୍ତ୍ତବ୍ୟ ତା’ର ଅଶାନ୍ତି ଭିତରେ ଆଶିବ ଶାନ୍ତି । ନିୟମ ଭଙ୍ଗକୁ ଦେଖିବ ସିଏ–ଚୋରୀ ପଦାର୍ଥକୁ ଧରିବ ଖୋଜି । ଆମେ ରଖିଛେ ତାକୁ–କରିବା ପାଇଁ ଆମରି କାମ । ପୁଲିସ ନୁହେଁ ବଣ ମଣିଷ–ପଶୁ ଜାନୁଆର–ଯାହାଇଚ୍ଛା ତାହା କରିବ–ନିର୍ଦ୍ଦୋଷୀକି ଦେବ ଦଣ୍ଡ–ଭଲ ଲୋକକୁ ଦେବ ଚାବୁକ ମାଡ଼ ।”

 

ଯୁବକଟିର ଉତ୍ତରରେ ମହାଜନେ ପାଇଲେନି ସ୍ଥଳକୂଳ କିଛି । ମନ ସମୁଦ୍ରରେ କହିଲା ଖାଲି ପ୍ରଳୟର ବାତ୍ୟା । ସେ ଜାଣିଲେ ଲୋକ ଅଛନ୍ତି କେତେ–ସେ କଥା ହୋଇଛନ୍ତି ଅନେକଙ୍କ ସଙ୍ଗେ ମାତ୍ର ଏମିତି ପାଇ ନଥିଲେ ଜଣେ । ନିଜର ଦୋଷକୁ ଘୋଡ଼େଇବାକୁ ସେ କ’ଣ କରିବେ ପୁଣି ?

 

ତାଙ୍କ ମୁଣ୍ତକୁ ଢୁକିଲାନି କିଛି । ସେ କହି ପକେଇଲେ ତରତରରେ–ତାଙ୍କର ଟଙ୍କାରେ ଦାୟୀ । ଯେ ଦେବ ସେ ଟଙ୍କା ସେ ଫିଟେଇ ଦେବେ ବଳଦ ହଳକ ପ୍ରଧାନ ବୁଢ଼ାର ।

 

ଯୁବକଟି ଖୋଜୁଥିଲା ସେଇଆ । ବାଟ ମିଳିଲାନି ମହାଜନଙ୍କୁ ସେ କହନ୍ତେ ଅବା କ’ଣ-? ସେ ଆଗରୁ କଥାର ଜାଲରେ ଦେଇଛି ତାଙ୍କୁ ବାନ୍ଧି । ବନ୍ଧନରୁ ମୁକୁଳିବା ଗଣ୍ଠିଟି ସେ ଧରିଛି ହାତ ମୁଠାରେ । ସେ ହାତ ମୁଠାରେ ତା’ର ଯାଦୁକର ପରି ଖେଳ ଦେଖେଇବ କେତେ କ’ଣ-? ସମସ୍ତେ ହେବେ ଅବାକ୍‍ ।

 

ପର ଆପଣା ଭେଦ ନାହିଁ–ଜଣାଶୁଣା କିଛି ନାହିଁ ସେ କାଢ଼ିଲା କାମିଜ ପକେଟରୁ ଦୁଇଖଣ୍ଡ ଦଶ ଟଙ୍କିଆ କାଗଜ ନୋଟ୍‍ । ସମସ୍ତେ ଚାହିଁ ରହିଲେ କାବା ହୋଇ–କଥା ବାହାରିଲାନି କାହା ତୁଣ୍ତରୁ । ପରପାଇଁ ଯେ ଗଣେ ଟଙ୍କା–ଭୋକିଲା ପେଟକୁ ପରଷେ ଅନ୍ନ–ମନକଥା ଜାଣେ ସୁବୁରିଙ୍କର–ସେ କିଏ ? ମଣିଷ ନା ଦେବତା ? ସାହି ମାଇପେ ଦୁଆର ବନ୍ଧରେ ଗୋଡ଼ଟେକି ଚାହିଁ ରହିଥିଲେ ସେହିଆଡ଼େ । କିଏ କହୁଥିଲା–କାଲି ସକାଳେ ଇୟେ ଆଣିଥିଲା ବୁଡ଼ିଲା ଦିହକୁ ସୁକୀର–କରିଥିଲା କେତେ ଉପକାର ।

 

ବଳବନ୍ତ ରାଏଙ୍କର ଆଉ ଚାରା କ’ଣ ? ସେ ଚାହିଁଥିଲେ ଟଙ୍କା–ତାଙ୍କୁ ମିଳିଲା । ତେଣୁ ସେ ତଳକୁ ମୁହଁକରି ଘରକୁ ଚାଲିଲେ ।

 

ପଧାନେ ଚାହିଁଥାନ୍ତି ସିମିତ । ତାଙ୍କୁ କିଏ କଲା ସାହାଯ୍ୟ । ଭଙ୍ଗାମନ ଗଢ଼ିଲା କିଏ ? ଭାସିଲା ସଂସାରକୁ ଏକାଠିକରି ବାନ୍ଧି ପକାଇ ରଖିଲା ଯେ ସେ’ତ ନୁହେଁ ମଣିଷ ? ସବୁ ଭଗବାନଙ୍କର ଖେଳ–ବିଚାର ।

 

ଯୁବକଟି ନିଜହାତରେ ଫିଟାଇଲା ରସିଟି ପଧାନଙ୍କ ଅଣ୍ଟାରୁ–ବଳଦ ହଳକ ପିଠିରେ ଥାପୁଡ଼ାମାରି ସେ ଉପହାର ଦେଲା ପଧାନଙ୍କୁ । ପଧାନେ ଚାହିଁଲେ ବଲବଲ କରି ମୁହଁକୁ ତା’ର । କଥା ବାହାରିଲାନି ତୁଣ୍ତରୁ ।

 

ସେ ସବୁ ବୁଝେଇଲା କେତେ ଗାଁ ଲୋକଙ୍କୁ । ତା’ କଥା ମାନିଲେ ସମସ୍ତେ । ଶଗଡ଼ ସବୁ ହେଲା ଏକାଠି–ବଳଦମାନେ ଯୋଚାହେଲେ ସେଥିରେ । ପଧାନଙ୍କୁ ସମସ୍ତେ କହିଲେ କଥା । ନିଆଁପାଣି ବାସନ୍ଦ ଉଠିଲା ଯୁବକଟିର କଥା ପଦକରେ । ସମସ୍ତେ ପୁଣି ବାନ୍ଧିହେଲେ ଏକାଠି ଏକମନ ଏକ ପ୍ରାଣରେ ଛୁଟେଇ ଦେଲେ ଶଗଡ଼ସବୁ ଗହୀରବିଲ ମଝିରେ ।

 

ଯୁବକଟି ଚାହିଁ ରହିଥାଏ–ଧୂମ୍ରପଟଳ ଭିତରେ ସେହି ଚାଳିଶିଖଣ୍ଡି ଶଗଡ଼ ଗହୀର ମଝିରେ କୁଆଡ଼େ ଲିଭିଗଲେ ।

 

ସଙ୍ଗୀତର ମୂର୍ଚ୍ଛନା ସହିତ ବାଦ୍ୟଯନ୍ତ୍ରଗୁଡ଼ିକ ଯେତିକି ତାଳଦେଇ ଚାଲିଥାଏ, ଗାଁ ଲୋକଙ୍କ ମନ ଉଲ୍ଲାସରେ ବିଭୋର ହେଉଥାଏ ସେତିକି । ସମସ୍ତେ ଚାହାନ୍ତି ଚାରିଆଡ଼କୁ–କୁଆଡ଼େ ଗାଉଛି କିଏ ? ବିଭିନ୍ନ ବାଦ୍ୟଯନ୍ତ୍ରଗୁଡ଼ାକୁ ସମତାନରେ କିଏ ବଜଉଛି ପୁଣି ? କାହିଁ କେହିତ ନାହାନ୍ତି କୁଆଡ଼େ । ଏ ସଙ୍ଗୀତ ଭାସି ଆସୁଛି କୁଆଡ଼ୁ ?

 

କାନଡେରି ଗାଁ’ ଲୋକେ ଚାଲିଲେ ଆଗକୁ । ଭାଗବତଟୁଙ୍ଗି ପାଖରେ ରୁଣ୍ଡ ହୋଇଛନ୍ତି ପିଲାବୁଢ଼ା ସମସ୍ତେ ।

 

କାଠର ବାକ୍ସଟିଏ ଥୁଆ ହୋଇଛି ଗୋଟିଏ ଛୋଟିଆ ଟେବୁଲ ଉପରେ–ସେ ଫେରେ ରଡ଼ି ଛାଡ଼ିଲା ଇମିତି ସେ ଭିତରେ ତ କେହି ନାହିଁ–ଗାଉଛି ପୁଣି କିଏ ? ସେତିକି ନୁହେଁ ? ନୃତ୍ୟର ତାଳେ ତାଳେ ଘୁଙ୍ଗୁରର ଝମ ଝମ ବାଜେଣି ମନକୁ ଭୁଲାଇଲା ଲୋକଙ୍କର । ନାଟ ତାମସା–କଥା ଗୀତ ଏଗୁଡ଼ାକ ସବୁ ଆସୁଛି କିମିତି,–କୁଆଡ଼ୁ ? ମନ ମାନେନି ସେମାନଙ୍କର । ରୁଣ୍ଡହୋଇ ଶୁଣୁଥାନ୍ତି ସିନା–ମନ ହେଉଥାଏ ଜାଣିବାକୁ ୟା’ରି ବିଷୟରେ କେତେକଥା ।

 

ଦିନେ ସେ ଡାକିଲା ସବୁଲୋକଙ୍କୁ–ବୁଝାଇଲା ଗାଁ ବିଷୟରେ କେତେକଥା–କହିଗଲା ନିଜର ପରିଚୟ । ଗାଁର ଲୋକେ ସେଇଦିନଠୁ ଜାଣିଲେ ତାଙ୍କୁ ‘ଗ୍ରାମସେବକ’ ବୋଲି । ନାଁଟି ତା’ର କହିଛି ସେମାନଙ୍କୁ “ନରହରି କାଣ୍ଡି ।” ଲୋକେ ଡାକନ୍ତି ନରିବାବୁ ତାକୁ । ତା’ ସହିତ ମିଶିଲେ କେତେହେଲେ କଥାବାର୍ତ୍ତା–ଭଲମନ୍ଦ–ଦୁଃଖସୁଖ । ସେ ଯିମିତି କହିଛି ଗାଁକୁ କରିବା ରାସ୍ତା–ପଙ୍କ ଓଝାଳିବା–ଦଳ କାଢ଼ିବା ପୋଖରୀରୁ–ସମସ୍ତେ ଖସିଲେ ଗୋଟି ଗୋଟି ହୋଇ । ସେ ତେବେ ତାଙ୍କୁ ମନେଇବ କିମିତି ?

 

ତା’ର ତାଲିମ୍‍ର କୌଶଳ ସେ କରିବ ପ୍ରୟୋଗ ବାନ୍ଧିବାକୁ ଏଇ ଲୋକଙ୍କର ମନକୁ । ସମସ୍ତ ଯୁବକମାନଙ୍କର ନାଁଟି ମାନ ପଚାରି ସେ ଲେଖିଲା ଖାତାରେ । ମନକୁ ନ ବାନ୍ଧି–ଖାତାରେ ବାନ୍ଧିଲା ସେ ‘ଯୁବକସଂଘ’ ।

 

ସେ ଜାଣିଥିଲା ଆଗ କାମ–ପଛେ ଟଙ୍କା । କାମ ନକରି ସରକାରୀ ମହଲରୁ କିଛି ମିଳେନି । ମିଛରେ ଦେଲା ସେ ଗଢ଼ିଛି ବୋଲି ଯୁବକସଂଘ । ଖାତାପତ୍ର ଦେଖେଇଲା ସେଇ ଅଫିସରେ ତାକୁ ମିଳିଲା ସଂଘ ପାଇଁ ଗୋଟିଏ ପେଟ୍ରୋମାକ୍ସ ଲାଇଟ୍‍ ଆଉ ଦରି ।

 

ଗାଁ ପାଠାଗାର କରିବା ପାଇଁ ସେ ବୁଝେଇଲା ଲୋକଙ୍କୁ କେତେ । ମନ ଭୁଲେଇବା ପାଇଁ ଦେଖେଇଲା ସବୁ ଲୋଭ । ଲୋକେ ଶୁଣିଲେନି ତା’ କଥା । ଆଖି ଆଗରେ ନ ଦେଖିଲେ ସେମାନେ ଖାଲି ଖାଲି କରନ୍ତିନି ବିଶ୍ୱାସ । ସେଇଥି ପାଇଁ ସେ ପାଠାଗାର ସକାଶେ ଲେଖିଲା ବହୁତ । ଯୋଗାଡ଼ କଲା ବେଶୀ । ତାରି ଫଳରେ ଟଙ୍କା ମିଳିଲା, ବହି ବି ମିଳିଲା । ତା’ ସାଙ୍ଗକୁ ସରକାର ଦେଲେ ରେଡ଼ିଓଟିଏ ଖୁସିହୋଇ । ଖାଲି ସେହି ପାଠାଗାରକୁ ନୁହେଁ–ଓଡ଼ିଶା ଭିତରେ ଯେତେ ପଞ୍ଚାୟତ ସବୁ ଅଛି–ସମସ୍ତେ ଶୁଣିବେ ୟାରି ଭିତରୁ ସଙ୍ଗୀତ–ନୃତ୍ୟ ଗୀତ ସବୁ । ସରକାରଙ୍କ ଠାରୁ ଗୋଟିଏ ଗୋଟିଏ ଉପହାର ଏ ଜନମନକୁ ହରଣ କରିବାକୁ ମିଳେ ।

 

ଦରିଟିଏ ବିଛେଇ ଦେଲା ସେ । ସେତେବେଳକୁ ସନ୍ଧ୍ୟାହୋଇ ଆସୁଥିଲା । ସରକାର ଯୁବକସଂଘକୁ ଦେଇଥିବା ଦାନ ସେହି ପେଟ୍ରୋମାକ୍ସ ଲାଇଟିଟି ଜଳେଇଦେଲା ବାହାରେ । ଲୋକେ ବସିଲେ ଦରିଟି ଉପରେ ଦେଖିବାକୁ କ’ଣ ସବୁ । ରେଡ଼ିଓଟି ବାଜୁଥିଲା ସିମିତି । କଟକ ବେତାର କେନ୍ଦ୍ରରୁ ଭାସି ଆସୁଥିଲା ବାଣୀକଣ୍ଠ ନିମାଇଁ ଚରଣଙ୍କର ଭଜନମାଳା । ଲୋକେ ଶୁଣୁଥିଲେ ଆଗ୍ରହରେ । ସେ ଛିଡ଼ାହେଲା ଟେବୁଲଟି ପାଖରେ । ସମ୍ବୋଧନ କରି କହିଲା–“ଭାଇମାନେ; ଏ ଯେଉଁ କାଠର ଯନ୍ତ୍ରଟି ଭିତରୁ ବାହାରୁଛି ସଙ୍ଗୀତର ମଧୁର ମୂର୍ଚ୍ଛନା ତାହା ଆମପରି ଲୋକ ଜଣେ ଗାଉଛି ବହୁଦୂରରେ ଥାଇ । ସେହି ଗୀତ ଆମେ ଶୁଣୁଛେ ଏତେ ବାଟରେ ରହି ।”

 

କେହି କେହି ପଚାରିଲେ ଟିକିଏ ଆଗକୁ ଆସି–“ଏହା କିମିତି ଆସୁଛି କାଠର ପେଡ଼ି ଭିତରକୁ ?”

 

ଠିକ୍‍ ପ୍ରଶ୍ନ । ନରିର ମନହେଲା କୁଣ୍ଢେମୋଟ । ସେ ବୁଝାଇବ ଲୋକଙ୍କୁ ଏଥର । ସେ ଆରମ୍ଭ କଲା । ସମସ୍ତେ ଜାଣନ୍ତି ରେଳଧାରଣା ଉପରେ ମାଡ଼ିଚାଲେ ରେଳଗାଡ଼ି ଏମିତି ଯୁଆଡ଼ିକି ସେ ରେଳଧାରଣା ଦୁଇଟି ସମାନଭାବେ ମାଡ଼ିଯାଇଥାଏ । ସିମିତି ମଟର ଗାଡ଼ିଟି ଛୁଟେ ସଡ଼କରାସ୍ତା ଉପରେ ଦ୍ରୁତ ଗତିରେ । ଏ ରେଡ଼ିଓ ଯନ୍ତ୍ର ଭିତରକୁ କଥା ଆସେ ବହୁ ଦୂରରୁ ଗୋଟିଏ ସିଧା ରାସ୍ତାରେ । ଏ ଯନ୍ତ୍ର ବାୟୁମଣ୍ଡଳରୁ ଭାସିବୁଲୁଥିବା ସଙ୍ଗୀତର ମୂର୍ଚ୍ଛନାକୁ ଟାଣିଆଣେ ତାରି ଭିତରକୁ । ଆମେ ଶୁଣୁ ସବୁ ।

 

ଏଁ । ଏମିତି କିମିତି ହୁଏ ତେବେ ? ଲୋକେ ଆଗ୍ରହରେ ଶୁଣିବାକୁ ଚାହିଁ ରହିଲେ ।

 

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସେ ଦିନ ସେ କେତେ ବୁଝେଇଥିଲା ଏ ବିଷୟରେ । ସରକାର ଦେବେ ଗାଁକୁ ଗୋଟିଏ ରେଡ଼ିଓ–ସେମାନେ ଗଢ଼ନ୍ତୁ ଗୋଟିଏ ପାଠାଗାର । ସମସ୍ତେ ଏକମତ । ହେଲେ ମାତ୍ର ତା’ ସଙ୍ଗେ ସହଯୋଗ କେହି କଲେନି । ସେ ଯାହାହେଉ ସରକାର ଖୁସି ହୋଇ ଦେଇଛନ୍ତି ଏ ରେଡ଼ିଓଟି ଗ୍ରାମବାସୀଙ୍କି–ଖାଲି ଏତିକି ନୁହେଁ ? ଯୁବକସଂଘକୁ ଲାଇଟିଏ । ତାହା ଜଳୁଛି ଏଠି । ସତରଞ୍ଜି ଦରିଟିରେ ବସିଛନ୍ତି ସେମାନେ । ସବୁ ହୋଇଛି ତାଙ୍କରି ପାଇଁ । ତା’ର କିଛି ନୁହେଁ ଏ ଜିନିଷ ।

 

ଲୋକେ ବସିଥିବା ଦରିଟିକି ଏପଟ ସେପଟ କରି ଚାହୁଁଥାନ୍ତି । ତାଙ୍କର ସବୁ ଇଏ–ତେବେ ଏଠି ସେ କାହିଁ ରଖିଛି–ତାଙ୍କୁ ଦେଇ ଦେଉନି !

 

ସେ ପୁଣି ଆରମ୍ଭ କଲା–“ଭାଇମାନେ ! ସମସ୍ତେ ଚାଲିଛନ୍ତି ରାସ୍ତାରେ । ରେଳଗାଡ଼ି କଥା କହିଲି । ମଟର ଗାଡ଼ି ସିମିତି ଏ ଯନ୍ତ୍ରଟି ମଧ୍ୟ ସେୟା । ହେଲେ ଏ ଗାଁ’କୁ କାହିଁ ରାସ୍ତା ? ଏଠି ଲୋକଙ୍କ କଥା ଜାଣିବା ପାଇଁ ବାହାରୁ କିମିତି ଆସିବେ ଲୋକ । ଖାଲି ଏତିକି ନୁହେଁ–ସେ ଦେଖେଇଲା କେତେ ଛବି । ଗାଁମାନଙ୍କୁ କିମିତି ମୋଟର ଗାଡ଼ିସବୁ ଛୁଟିଛି । ଚଳଚ୍ଚିତ୍ର ସବୁ ଦେଖୁଛନ୍ତି ଲୋକେ । ଏସବୁ ଦେଖିଲେ ସେମାନେ । ତାଙ୍କପରି ଗାଁ ଲୋକ ହୋଇଛନ୍ତି ରୁଣ୍ତ । ଗାଁ ଭିତରକୁ କେଉଁଠି ପଡ଼ୁଛି ସଡ଼କ । ଛୋଟ ନାଳଟି ଉପରେ ତିଆରି ହେଉଛି କେଉଁଠି ଟିକି ପୋଲଟିଏ, ଲୋକେ ଏକାଠି ହେଇ କାମରେ ଲାଗିଛନ୍ତି ସବୁ । ଲୋକଙ୍କ ମନଭିତରେ ଖେଳିଲା ଆଗ୍ରହ । ସେମାନେ କହିପକାଇଲେ “ଆମେ କ’ଣ କରିପାରିବୁ ଏମିତି ?”

 

“ନିଶ୍ଚୟ କରିବ ତୁମେ ।” ତୁମରି ହାତରେ ହବ ସଡ଼କ ତିଆରି–ତୁମେହିଁ କାଢ଼ିବ ଦଳ ପୋଖରୀରୁ–ଗଢ଼ିବ ଯୁବକସଂଘ–ନିର୍ମାଣ କରିବ ନୂଆ ପାଠାଗାର–ଏ ଗାଁ’ଭୂଇଁ ହସି ଉଠିବ ତୁମରି ହାତର ମେହନତରେ ।

 

ତେବେ ଆମେ ସବୁ କ’ଣ କରିବୁ କୁହ ? ସମସ୍ତେ ଏକ ସ୍ୱରରେ କହିପକାଲଲେ ।

 

ଏଥର ଲୋକେ ବୁଝିଛନ୍ତି ତାଙ୍କର ଭୁଲ୍ । ସେ ଭୁଲ୍‍କୁ ସଜାଡ଼ିବାକୁ ସେ ହେଲେଣି ତିଆର । ମନେମନେ ଖୁସି ହେଲା ନରି । କୌଶଳରେ ସେ ଟାଣି ଆଣିଲା ଲୋକଙ୍କ ମନକୁ ଏକାଠି କରି । ଏଥର ସେ ଆରମ୍ଭ କରିବ ତା’ର କାମ ।

 

ସେ ଆହୁରି ବୁଝେଇଲା ସବୁ । ଆସେମ୍ଲି କଥା–ମନ୍ତ୍ରୀମାନଙ୍କର କାର୍ଯ୍ୟ । ଏହି ମନ୍ତ୍ରୀମାନେ ଯାଇଛନ୍ତି ତାଙ୍କରି ପାଇଁ କାମ କରିବାକୁ ତାଙ୍କରି ଭୋଟରେ । ଆଜି ଯେଉଁ ଯୁବକସଂଘ ଗଠନ କରାହୋଇଛି ସେମାନଙ୍କ ଭିତରେ ସେ ବାଣ୍ଟିଦେବ ଦାୟିତ୍ଵ ସବୁ ।

 

ତାଙ୍କ ଭିତରେ କିଏ ହେବ ମୁଖ୍ୟମନ୍ତ୍ରୀ ହାତ ଟେକିବାକୁ କହିଲା ନରି । ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲେ–ତାଙ୍କୁ ଯିମିତି ଲାଜଲାଗିଲା ଏ’ କଥାଗୁଡ଼ାକ ।

 

ସଂକୋଚ କରିବାର କିଛି ନାହିଁ–କାର୍ଯ୍ୟପାଇଁ ସବୁ ଇମିତି ହୋଇଥାଏ । ସେମାନେ ହେଲେ ରାଜ୍ୟର ମନ୍ତ୍ରୀ । ତୁମେମାନେ ହେବ ଏ ଗାଁର ମନ୍ତ୍ରୀ–ଏ ପଞ୍ଚାୟତର ସବୁକାମ ଦେଖିବ ।

 

ନରୋତ୍ତମ ଜଣେ ଯୁବକ । ବେଶ୍‍ ଚେହେରା । ବୟସ ବାଇଶ ତେଇଶି । ସେ ଆଗ ଉଠାଇଲା ହାତ । ତା’ର ଆଗ୍ରହ ଦେଖି ଖୁସି ହେଲା ନରି । ତାକୁ ମୁଖ୍ୟମନ୍ତ୍ରୀ କରି ଦିଆଗଲା ସଙ୍ଗେ ସଙ୍ଗେ । ତାରି କଥାରେ ଅନ୍ୟାନ୍ୟ ମନ୍ତ୍ରୀ ସବୁ ବଛାଗଲେ ରହିବାକୁ ବିଭିନ୍ନ କାର୍ଯ୍ୟ ଦାୟିତ୍ୱରେ । ରାସ୍ତା, ପୋଲନିର୍ମାଣ, ଗମନାଗମନ ପାଇଁ ଜଣେ, ତା’ପଛକୁ ସ୍ଵାସ୍ଥ୍ୟ ସଫେଇ ପାଇଁ ବାହାରିଲେ ଅନ୍ୟ ଜଣେ । ଖାଦ୍ୟମନ୍ତ୍ରୀ–ଅର୍ଥମନ୍ତ୍ରୀ–ନିର୍ମାଣମନ୍ତ୍ରୀ–କୃଷିମନ୍ତ୍ରୀ ଏମିତି ଆଠ ଦଶଟି ମନ୍ତ୍ରୀ ମନୋନୀତ ହେଲେ ସାଙ୍ଗେ ସାଙ୍ଗେ ।

 

ତହିଁଆର ଦିନ କିଏ କାହାକୁ ଡାକିନି–ଖୁସାମତି କରିନି–ସମସ୍ତେ ହୋଇଛନ୍ତି ଏକାଠି । କାହାର ଆଖିକି ନିଦନାହିଁ–ସମସ୍ତେ ଲାଗିଛନ୍ତି କାମରେ । ସକାଳ ପାହି ସଞ୍ଜହେଲା–ରାତି ମାଡ଼ି ଆସିଲା ତା’ର କଳାପରଦାକୁ ପୃଥିବୀ ବକ୍ଷରେ ବିଛେଇ ଦେଇ । ତଥାପି ଗାଁ ଲୋକେ ଲାଗିଛନ୍ତି ସଡ଼କ କାମରେ । ରାସ୍ତା ନିର୍ମାଣମନ୍ତ୍ରୀ ଉତ୍ସାହ ଦେଉଥାନ୍ତି ଲୋକଙ୍କୁ । ଘରମାନଙ୍କରୁ ବୁହାହେଇ ଆସିଲା ଖାଇବା ଜିନିଷ । ଯୁବକସଂଘର ପେଟ୍ରୋମାକ୍ସ ଆଲୁଅଟି ଜଳିଉଠିଲା ସେହି ବିଲଗହୀରର ନୂଆରାସ୍ତା ପାଖରେ ।

 

ନୂଆ ରାସ୍ତାଟି ସର୍ପିଳଗତିରେ ଯିମିତି ଗତି କରୁଛି–ଲୋକଙ୍କ ମନ ଆନନ୍ଦରେ ଭରପୂର ହେଉଛି ସେତିକି । ଦିନ ଦୁଇଟାରେ ସବୁ ହୋଇଗଲା ଠିକ୍ । ମାଡ୍ରାସ କଲିକତା ଟ୍ରଙ୍କ ରୋଡ଼ରୁ ଏ ରାସ୍ତାଟି ଯିମିତି ନୂଆ ଜନ୍ମ ହୋଇ ଧାଇଁଛି ଶିଖରପୁର ଗାଁ ଭିତରକୁ ତା’ର ପୃଥୁଳ ଅଙ୍ଗଟିକି ମାଟି ଗୋଡ଼ିରେ ବିଛେଇ ଦେଇ ।

 

ଯେଉଁ ଗାଁ ଲୋକେ ସେ ବାଟରେ ଯିବାକୁ ସଂକୋଚବୋଧ କରୁଥଲେ–ଦିନନାହିଁ ରାତିନାହିଁ, କାମ ଥାଉ ବା ନଥାଉ ଚାଲିଛନ୍ତି ସେହି ନୂଆସଡ଼କଟି ଉପରେ । ପୁରୁଣା ଗୋହିରି ବାଟ କ୍ରମେ ଲିଭି ଲିଭି ଆସିଲାଣି । ନୂଆ ପୁରୁଣାର ଏମିତି ଭେଦ ସତେ ? ନୂଆ ଲୁଗା ପାଇଲେ ଲୋକ ପୁରୁଣାକୁ ଚାହେଁନି–ନୂଆ ପୁଅଟିଏ ଜନ୍ମହେଲେ ଦେଖିବାକୁ ସମସ୍ତେ ହୁଅନ୍ତି ଆତ୍ମହରା–ନୂଆବୋହୂଟିକୁ ଚାହିଁବାକୁ ଖୁସିଲାଗେ ସମସ୍ତଙ୍କୁ–ନୂଆଘରଟିରେ ରହିବାକୁ ଶାନ୍ତିଲାଗେ ଯିମିତି–ଆଜି ଏହି ନୂଆ ସଡ଼କଟି ସମସ୍ତଙ୍କୁ କରିଛି ନିମନ୍ତ୍ରଣ ତା’ର ନବଗଠିତ ବୁକୁ ଉପରେ ପାଦ ପକେଇ ଚାଲିବାକୁ ।

 

ପ୍ରକୃତରେ ନିଜ ହାତକାମ ଦେଖିବାକୁ ଭାରି ଆଗ୍ରହ ଲାଗେ । ବାରମ୍ଵାର ଦେଖିଲେ ସୁଦ୍ଧା ମନ ତୃପ୍ତି ହୁଏନି ।

 

ଯେଉଁଲୋକ ଏଇ ଗାଁରେ ପଶୁ ନ ଥିଲେ ଦିନେ–ସେ ଆସିଲେଣି କେତେଥର । ସଡ଼କଟି ଉପରେ ଚାଲିଛନ୍ତି ସମସ୍ତେ । କେହି କଥାବାର୍ତ୍ତା ହୁଅନ୍ତି–ଆଗରୁ ଗାଁ ଲୋକେ ଏମିତି କରିନଥିଲେ କାହିଁକି ? ୟାକୁ କଲା ପୁଣି କିଏ ? ଏତେ କଥା ବତେଇଲା ଯିଏ ସେ ସତରେ ତାଙ୍କର ଜଣେ ଭାଇ-ବନ୍ଧୁ-କୁଟୁମ୍ବପରି । ଗ୍ରାମସେବକ ନରିର ନାଁ ସବୁ ପଞ୍ଚାୟତମାନଙ୍କରେ ଲୋକେ କହିବୁଲିଲେ । ତାକୁ ଜମା ତର ନାହିଁ–ସେ ଲୋକଙ୍କ ଆଗ୍ରହ ଦେଖି ଖାଲି ଘୂରି ବୁଲୁଛି ସବୁଆଡ଼େ ।

 

ଲୋକେ ଭାବନ୍ତି କେତେ । ଭୋକେ ଓଡ଼ିଆ ନିଦଗଲା ପରି ଲୋକେ ଜାଣିଶୁଣି ମଉନ ଥିଲେ । ଏଇଟା କ’ଣ ଆଉ କାହାର କାମ ? ହାତ ଅଳସରେ ନିଶବଙ୍କା ପରି ଏ ଲୋକଙ୍କ ମନ ଅଭାବରେ ଏ ଗାଁ ଭୂଇଁ ହୋଇଛି ଇମିତି । ସମସ୍ତଙ୍କ ମେହନତରେ ଦୁଇଦିନରେ ଏତେବଡ଼ ଲମ୍ବସଡ଼କଟାଏ ହୋଇପାରିଲା । ଶିଖରପୁରର ନାଁ ବଦଳିଗଲା–ଝିଅ ବୋହୂଙ୍କ ଢଗଢମାଳି ଲୁଚି ରହିଲା–ନୂଆ ବୋହୂର କାନ୍ଦଣା ପୋଥିରୁ ଏଇ ଗାଁ ନାଁ ଏଥର ଲିଭିଲା । ସମସ୍ତେ କହିଲେ–“ଧନ୍ୟ ସେ ଗ୍ରାମସେବକ ନରିବାବୁ, ଆଉ ଯେ ତାକୁ ଏମିତି ତାଲିମ ଦେଇ ପଠେଇଛି ଧନ୍ୟ ସେ ଜାତୀୟ ସରକାର ।”

 

ମନକଥା ଜାଣେ ମନର ମଣିଷ । ବୁକୁତଳର ବେଦନା ଜାଣେ ଯେ, ସେ ହେଉଛି ନିକଟ ସମ୍ପର୍କ–ରକ୍ତର ସମନ୍ଧ । ମହାନଦୀର ଅଙ୍ଗରୁ ଯେତେ କ୍ଷୁଦ୍ରନଦୀ ସବୁ ବାହାରିଛନ୍ତି ସେ ରଖିଛନ୍ତି ମହାନଦୀର ମହତ୍ତ୍ଵ–ଟେକ ସବୁ । ତା’ର ସୁଖରେ ସେମାନେ ସୁଖୀ–ଦୁଃଖରେ ମଧ୍ୟ ଦୁଃଖୀ । ପାଣିର ସୁଅ ଯେତେବେଳେ ଛୁଟେ ମହାନଦୀ ବକ୍ଷରେ–ଏହି ଛୋଟ ନଦୀମାନେ ସେଇ ଜଳରୁ ମୁନ୍ଦିଏ ମୁନ୍ଦିଏ ଟାଣି ନିଅନ୍ତି ତାଙ୍କ ଗର୍ଭକୁ । ମହାନଦୀ ଖାଲି ହସେନି–ହସାଏ ତା’ର ନିକଟ ସମ୍ପର୍କ ଏଇ ଛୋଟନଦୀଗୁଡ଼ିକୁ । ସମସ୍ତେ ପେଟରେ ପେଟେ ଗୋଳିଆ ପାଣି ପୂରେଇ ଦୌଡ଼ନ୍ତି ସମୁଦ୍ରରେ ମିଶିବା ପାଇଁ । ପାଣିଯେବେ ଛାଡ଼ିଯାଏ–ନଦୀପେଟ ପଡ଼େ ଖାଲି । ମାସ ମାସ ଧରି ଅନ୍ନବିନା କାଙ୍ଗାଳ ଯେପରି କଙ୍କାଳସାର ଛାତି ତଳକୁ ଗାଡ଼ୁଆ ପେଟକୁ ଦେଖେଇ ରହିଥାଏ–ଏଇ ବଡ଼ ନଦୀଟା ଜଳଶୂନ୍ୟ ହେଲେ ଦିଶେ ସିମିତି । ଏହି ଛୋଟ ନଦୀ ମଧ୍ୟ ତା’ର ଦୁଃଖରେ ହୁଅନ୍ତି ଦୁଃଖିନୀ ।

 

ଏଇ ଜାତୀୟ ସରକାର ହେଲେ ସେହିପରି । ଲୋକଙ୍କର ଦୁଃଖରେ ଦୁଃଖୀ–ସୁଖରେ ସୁଖୀ–ସେଥିପାଇଁ ସେ କାହିଁର ଲୋକଙ୍କୁ କୁଆଡ଼େ ପଠାଇ ଆରମ୍ଭ କରିଛନ୍ତି କାମ । ଅବୁଝା ଲୋକଙ୍କୁ ବୁଝେଇବା ତାଙ୍କର କର୍ତ୍ତବ୍ୟ । ଅଜଣା କଥାକୁ ଜଣେଇବାରେ ତାଙ୍କର ଆଗ୍ରହ–ନୂତନ ତଥ୍ୟକୁ ପହଞ୍ଚାଇବାରେ ସେ ପାଆନ୍ତି ଆନନ୍ଦ ।

 

ଖାଲି ଆକାଶଟା ଦିଶେ ଅସୁନ୍ଦର I ଚାହିଁଲେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଭିତରେ ମଣିଷ ମନ ହଜିଯାଏ । ଯେତେବେଳେ ଚାନ୍ଦ ଆସେ ଆକାଶକୁ, ସେ ତା’ର ରଜତ ଆଲୋକରେ ଧୋଇଦିଏ ଉଭୟ ଆକାଶ ଆଉ ପୃଥିବୀକୁ ।

 

ଖାଲି ଚନ୍ଦ୍ରମା ସୁନ୍ଦର ଦିଶେନି । ପାଖକୁ ଡାକେ ତା’ର ଲକ୍ଷ ଲକ୍ଷ ତାରକା ସଙ୍ଗିନୀଙ୍କି ଏକାଠି ହେବାକୁ I ତାଙ୍କର ମିଟିମିଟି ଚାହାଣି ଭାରି ସୁନ୍ଦର ଦିଶେ । ସେପରି ଏ ନିରୀହ ଜନତାଙ୍କୁ ନେଇ ସରକାରଙ୍କର ଉତ୍ପତ୍ତି । ଲୋକଙ୍କ ବିନା ସରକାର ବଞ୍ଚି ପାରିବନି । ଜନତାର ଉନ୍ନତି ଦେଶର ଗର୍ବ । ସରକାରଙ୍କର ସେଥିରେ ଆନନ୍ଦ । ଗାଁ ମାଇପେ ପୋଖରୀ ତୁଠରେ ସଭା କରନ୍ତି । ରାଧୀ, ପଦୀ, ପୁନି ପାଣି ଭିତରେ ବେକ ପର୍ଯ୍ୟନ୍ତ ଡୁବିରହି ଦାନ୍ତକାଠି ଡିହ ମାରୁଥାନ୍ତି–ଆଉ ତାଙ୍କ ଖୁସି କହିଲେ ନ ସରେ । ଏଇ ପୋଖରୀଟି ଆଜି କେଡ଼େ ସଫା ନ ହୋଇଛି ? ଚିଙ୍ଗୁଡ଼ିଆ ଦଳସବୁ ପାଣିକି ଘୋଡ଼େଇ ରଖିଥିଲା । ଗାଁର ପୋଢ଼ ମଇଁଷି ଗାଧୋଉ ଥିଲେ–ମଳମୂତ୍ର ଭାସୁଥିଲା କେତେ–ଧୋବାଟା ମଇଳା ଲୁଗାଆଣି ବାରଗାଁରୁ ତୁଠ କରିଥିଲା ଏଇଠି । ବଡ଼ ପଥରଟା ସଙ୍ଗେ ଯୁଦ୍ଧ କରି କରି ସେ ଖାଲୁଆ କରିଛି ତାକୁ ।

 

ପଦୀନାନୀ ଦେଖେଇଲା ତା’ର ବଳିଲା ଜଙ୍ଘ ପେଣ୍ଡା ଉପରେ ଗୋଟିଏ ଆଲିଭା ଦାଗ-। ଏତେବଡ଼ ଜୋକଟାଏ ଲାଗିଗଲା ସେ ଦିନ ତା’ର ଦିହରେ–ଟାଣି ଟାଣି ଛାଡ଼ିଲାନି ଜମା-। ତା’ ଦେହରୁଗଲା ରକ୍ତ କେତେ–ବେହୋସ ହେଲା ସେ ଘଡ଼ିଏ ଯାକେ । ତା’ର ଦିହ ଶୀତେଇ ଗଲା–ମୁହଁ ବିକୃତ ହେଲା କହିଲାବେଳକୁ ସେ ଦିନର ଘଟଣା । ସେ ଘା’ଆ ଶୁଖିଲା ବହୁ ଦିନରେ ମାତ୍ର ଚିହ୍ନ ଆଉ ଲିଭିଲାନି ।

 

ମଇଁଷିଆ ଜୋକ ଭୟରେ ଲୋକେ ଉଠନ୍ତି ପାଣିରୁ ପାଣିକୁଆ ଯିମିତି ଡୁବମାରି ଉଠେ-। ଆଜି ମାଇପେ ମରଦ ହୋଇଛନ୍ତି ଏକାଠି–ସ୍ନାନ କରୁଛନ୍ତି ମନଇଚ୍ଛା । ନିର୍ମଳ ଜଳ ଭିତରୁ ବାହାରିବାକୁ ଯିମିତି କାହାର ଇଚ୍ଛାନାହିଁ ।

 

ଦଳ ଆଉ ପୋଖରୀଟିରେ ନାହିଁ–ସବୁଟଣା ହେଇ ଉପରକୁ ଆଇଛି । କୃଷିମନ୍ତ୍ରୀ ସଦେଇ ପଧାନଙ୍କ ଆଦେଶରେ ସେ ବୁହାହେଇ ଗଲା ଶଗଡ଼ରେ । ଧାଡ଼ି ଧାଡ଼ି ହୋଇ ପଚାଶ ସରିକି ଗାତ ଖୋଳା ହେଲା ସେହି ଶୋଲରୀ ପାହାଡ଼ କଡ଼ରେ ଥିବା ଗୋଟିଏ ଖୋଲା ପଡ଼ିଆରେ-

 

ସେଗୁଡ଼ିକ ଦେଖିବାକୁ କେଡ଼େ ସୁନ୍ଦର । ଲୋକେ ରୁଣ୍ଡହେଲେ ଯାଇଁ ସେଇଠି । ଗ୍ରାମସେବକ ଛିଡ଼ାହୋଇ ବତେଇଲେ ଖୋଳିବାକୁ ଗାତ ତିରିଶ ଫୁଟରେ ଦଶଫୁଟ; ଗହୀର ତିନିଫୁଟ । ସୂତା ଟଣା ହେଇ ସମାନ ପଡ଼ିଲା ଗାର–ଧାଡ଼ି ଧାଡ଼ି ହୋଇ ସମାନ୍ତର ଭାବେ ସେଗୁଡ଼ିକ ଗହିଡ଼ିଆ ହୋଇ ପେଟରେ ତାଙ୍କର ପୂରେଇ ଧରିଲେ ଏହି ଦଳସବୁ । ସେଥିରେ ଫେରେ ଗାଁର ଅଳିଆ–କୁଟା–କାଠି–ସୂତୁଲି କେତେ କ’ଣ ପଡ଼ୁଛି ।

 

ରାଧୀ କହିଲା–ଅଳିଆ ଅସକରା ଗୁଡ଼ାଏ ଏତେ ମେହନତ୍‍ କରି କାହିଁକି ନେଇ ସେଇଠି ପକେଇଛନ୍ତି । ଆମ ରାମବାପା କହୁଥିଲେ ସେ ଯିବେ ଦିନେ ତାକୁ ତଳ ଉପର କରି ଘାଣ୍ଟିବେ । ସେଥିରେ ତିଆରି ହେବ ସାର–ଜମିରେ ସବୁ ପଡ଼ିବ । ଆମ ତୁଣ୍ତ ନେଉଟୁନି ତାକୁ ଗୋଟାଏ କ’ଣ କେଡ଼େ ସୁନ୍ଦରିଆ ନାଁ ଦେଇଛନ୍ତି କମ୍ଫଟ ଖତ ବୋଲି ।

 

ପଦୀ କହିଲା–“ଆଲୋ ! କି କାଳ ହେଲା ଇଏ ? ଆଖି ନ ଦେଖିବା କଥା–କାନ ଶୁଣିଲା ନାଁ ସବୁ । ସେ ଦିନ ଗୋବର ପୁଞ୍ଜାଏ ଶୁଖେଇଥିଲି–ଚୁଲି କୁହୁଳା ପକେଇବାକୁ, ହେଲେ ମୋ ପୁଅର ବଡ଼ ରାଗ । ସେ ଛଡ଼େଇ ନେଇ ପକେଇ ଦେଲା ସେ ଖାତରେ । ସେ ଫେରେ କମିଟିରେ ଗୋଟାଏ କ’ଣ ମେଁହେମ୍ବର, ତାକୁ ଘରେ ଘଡ଼ିଏ କିଏ ଦେଖେ ? ଭୋକ ଶୋଷ ସବୁ ଭୁଲି ଗଲାଣି ।

 

ପୁନୀ ପୁଣି କହିଲା–ଦେଖ ବା ! ଏ ନରିବାବୁ କଥାକୁ । ଗାଁ ମଝିରେ କିମିତି ଖୋଳେଇ ପକେଇଲା ଗୋଟିଏ କୂଅ–ତା’ ଉପରେ ଫେରେ ଗୋଟାଏ ଲାଗିଛି କଳ । ପାଣି କି ଦେଖି ପାରୁନି କିଏ–ଦିଥର ହାତରେ ଝାଙ୍କିଦେଲେ ଗଦ ଗଦ ପାଣି–ଗରା ମାଠିଆ ଉଛୁଳି ପଡ଼ୁଛି ।

 

ଜମିଦାର ଘର ଯଉଁ ଗଉଁ ପଣିଆ–ତାଙ୍କ ବାଡ଼ିରେ କଇଁ ଗଡ଼ିଆରୁ ପାଣି ଆଣିବାକୁ କେତେ ଖୁସାମତ । ଭାରୀ ଲାଳେଇ ପାଳେଇ ହେବାକୁ ପଡ଼ୁଥିଲା । ପାଣି ଏତେ ବାଟରୁ ବୋହି ବୋହି ମୁଣ୍ଡ ଚନ୍ଦା ହୋଇଛି–ଅଣ୍ଟା ବଙ୍କା ହୋଇଛି ।

 

ଫେରେ ମରଦଙ୍କ ପରି ମାଇକିନିଆଁକୁ କଲାଣି ଏକଜୁଟ । ବ୍ରାହ୍ମଣ ଘରର ସେ ଟୋକୀ ଖଣ୍ଡକ ତାରି କଥାରେ ସମସ୍ତଙ୍କ ମନକୁ କିଣି ନେଲାଣି । ସେ ଗୋଟାଏ ମଇଳା ସମିତି କରୁଛି କୁଆଡ଼େ ? ସେରେକେଟି ହେଇଛି ସେ । ତାକୁ ସେ କଇଁ ଗାଡ଼ିଆରୁ କାନ୍ଧରେ ପକେଇ ଆଣି ଲୋକଙ୍କ ଆଗରେ ଛିଡ଼ା ହୋଇଥିଲା । କେଡ଼େ ଅଲାଜୁକ କଥା ଲୋ ମାଆ ! ଅଭିଆଡ଼ୀ ଯୁବତୀ ଝିଅଟାକୁ ଏମିତି ଟେକି ଟେକି ପୁଣି ଆଣିଲା ତା’ ଘର ଯାଏଁ ।

 

ରାଧୀ କହିଲା–“ତାକୁ ସେ ବାହାହବଲୋ ତୁ କେତେ କଥା କହି ହଉଛୁ ?” ଦି’ ଜଣଙ୍କ ଭିତରେ ସଲା ସୁତୁରା–ରାଜିରୁଜା ସବୁ ହେଇଛି ।

 

ପୁନୀ ତା’ର କାନ୍ଧକୁ ହଲେଇ ଦେଇ କହିଲା–“ଏ ରାଧୀନାନୀ ! କେତେ ଗାଧୋଉଚ ଲୋ–ଉଠୁନୁ ଯିବା–ଡେରି ହେଲାଣି । ରାଧୀ ବୁଲିପଡ଼ି ଚାହିଁଦେଇ ଜିଭ କାମୁଡ଼ିଲା ତା’ର । ପାଖରେ ଆସି ସୁକୀ ପହଞ୍ଚିଥିଲା ।

 

କଥାକୁ ବୁଲେଇଲା ରାଧୀକେତେ । କାଳେ ସୁକୀ ଶୁଣିଥିବ ତା’ କଥା–ରାଗ କରିବ ମନରେ–ମୁହଁ ସୁକେଇବ–କଥା କହିବନି ତାକୁ ।

 

ସେ କଅଁଳେଇ କହିଲା–“ଝିଅ ! ଗାଧୋଇବାକୁ ଆସି ଏତେ ଡେରି କଲୁ କାହିଁକି ? ଘରେ କ’ଣ କରୁଥିଲୁ କି ?’’

 

ସୁକୀ ଅଳ୍ପ ହସି କହିଲା–“ମାଉସୀ ! ବୋଉର ଦିହ ଖରାପ ଅଛି–ତା’ପାଇଁ ବାଲିପାଣି ଟିକିଏ ବସେଇଥିଲି ।”

 

ହଉ ! ହଉ ଡେରି ହେଲାଣି–ଆମେ ଯାଉଛୁ । ତୁ ଗାଧୋଇ ପଛରେ ଆସେ । ପରସ୍ପରକୁ ଚାହିଁ ମୁଡ଼ୁକିହସା ଦେଇ ସେମାନେ ଚାଲିଲେ ଘରମୁହାଁ ।

 

ସୁକୀ ଦେଖିଲା–ଲୋକଙ୍କ ମନ ବଦଳିଛି–ସେମାନେ ତାଙ୍କର କର୍ତ୍ତବ୍ୟରେ ଆତ୍ମହରା । ସେମାନଙ୍କୁ ସବୁ ଲାଗୁଛି ନୂଆ ନୂଆ । ଏଇ ପୋଖରୀଟିରେ ସେ ବହୁ ଦିନର ମଳିପୂର୍ଣ୍ଣ ଅଙ୍ଗକୁ ଯିମିତି ଘଷିମାଜି ହେଇ ସଫା କରୁଛନ୍ତି ।

 

ସେ ଭାବିଲା–ଘରେ ବାହାରେ–ଦାଣ୍ଡରେ ହାଟରେ–ପୋଖରୀ କୂଳରେ ସେହି ଗ୍ରାମସେବକ କଥା । ସମସ୍ତଙ୍କ ତୁଣ୍ଡରେ ନରିବାବୁ ନାଁଟି ସେ ଶୁଣେ । ସେ ପର ପାଇଁ କଷ୍ଟସହି କେତେ ମେହନତ୍‍ ନ କରିଛି ? ସୁକୀ ସମସ୍ତିଙ୍କ କଥା କାନ ପାରି ଶୁଣେ । ତା’ର ମନ ମାନିଯାଏ । ସେ ହୃଦୟର ସହିତ ଭଲପାଏ ନରିବାବୁକୁ । ତା’ର ଜୀବନକୁ ସେ ଫେରେଇ ଆଣିଛନ୍ତି ଯମପୁରରୁ-। ମଲାବେଳେ ତା’ର ବ୍ୟାକୁଳ କଣ୍ଠର ଆକୁଳ ପାର୍ଥନା କେହି ଶୁଣି ନାହାନ୍ତି । କିନ୍ତୁ ଶୁଣିଛି ଜଣେ-। ସେ ତା’ର କିଏ ? ପ୍ରଶ୍ନ ଉଠେ କେତେ ମନରେ ।

 

ତା’ର ଆଖି ଆଗରେ ଢଳ ଢଳ ହୋଇ ନଡ଼ିଆବାଡ଼ିର କଇଁଗଡ଼ିଆ ଦୃଶ୍ୟ ନାଚିଗଲା । ପାଣି ଫିଙ୍ଗୁଛନ୍ତି ତା’ର ସାଙ୍ଗ ବଉଳମାନେ–ଆକ୍ତା ହେଉଛି ସେ । ତାକୁ ଟେକି ନେଉଛନ୍ତି କେତେବେଳେ ଗେଲରେ ସେ ଜାଣୁନି ଜମା । ଖେଳ ଭିତରେ କାଳ ଲୁଚିଥିଲା । ସେ କାହୁଁ ଜାଣିବ ଏକଥା ? ଗୋଡ଼ ଖସିଗଲା ତା’ର । ପାଦ ଥୟ ହେଲାନି ଆଉ । ବହୁତ ପାଣିରେ ବୁଡ଼ିଗଲା ସେ–ଉଠିଲା ପୁଣି–ଛନ୍ଦି ହେଇଗଲା କଇଁନାଡ଼ରେ ଗୋଡ଼ । କଥା କହିପାରୁନି–ଗଁ ଗଁ ଦେଇ ଡାକ ପକେଇଛି ବିକଳରେ । ତା’ ପାଟି ଖୋଲିଯାଏ ଭୟରେ ୟେ–ୟେ । ସେ ଅନୁଭବ କରେ ନିଜେ ବୁଡ଼ିଯାଉଛି–କେହି ନାହାନ୍ତି ପାଖରେ ।

 

ସେ ନିଜକୁ ଚାହେଁ–ଚାହେଁ ପାଣିକି । ସେ ବୁଡ଼ିଗଲା ଦିନୁଁ ପାଦେ ପାଣିକି ଯାଏନି କେଭେଁ । ତା’ର ମୁଣ୍ଡ ବୁଲେଇ ହୁଏ–ଭାରୀ ଡରଲାଗେ–କାଳେ ସେ ବୁଡ଼ିଯିବ ? ଶୁଖିଲାରେ ବସି ସେ ଚଳ ଚଳ କରି ପାଣିନେଇ ପକାଇଲା ଦିହରେ–ଏକୁଟିଆବେଳେ ଜମା ରହେନି ପୋଖରୀ କୂଳରେ । ତରତର ହୋଇ ଚାଲିଆସେ ଘରକୁ ।

 

ସୁକୀର ସାଙ୍ଗସାଥୀମାନେ କେତେ କରନ୍ତି ଥଟ୍ଟା ତାକୁ । କିଏ କହେ–“ବୁଡ଼ି ଯାଉଥିଲୁ ତୁ–ତୋ–ଦିହରେ ନ ଥିଲା ଲୁଗା–ତୋତେ କିଏ ସେ ଆଣିଲା ଟାଣି ସେଇ କଇଁଗାଡ଼ିଆରୁ ତୁ ଜାଣୁ କିଲୋ–ସୁକୀନାନୀ ?”

 

ମୁହଁ ତଳକୁ ପୋତେ ସେ ଲାଜରେ ।

 

ତା’ର ନଇଁଲା ମୁହଁକୁ ଜୋରକରି ଟେକି ଧରନ୍ତି । ପୁଣି କହନ୍ତି–ତୋର ଫୁଙ୍ଗୁଳା ଦିହକୁ ଦେଖି ଲାଜ ଲାଗିଲା ତାକୁ । ସେ ନିଜ ଲୁଗାକୁ ଚିରି ତୋର ଇଜତ ରଖିଲା ପୋଖରୀ କୂଳେ । ତୋତେ କାନ୍ଧରେ ପକେଇ ଆଣିଲା ଘରକୁ–ତୁ ଶୋଇଥାଉ ଆରାମରେ ତା’ର ବଳିଷ୍ଠ ଛାତିଟିରେ ସିମିତି ।

 

ଲାଜରେ ସେ ରହିପାରେନି ସେଠି । କି ଉତ୍ତର ସେ ଦେବ ତାଙ୍କୁ । ଉତ୍ତର ସିନା ଖୋଜିପାଏନି ମାତ୍ର ମନେମନେ ବୁଝେ “ସେମାନେ ଠିକ୍‍ କହିଛନ୍ତି ।”

 

ସେ ଫେରେ ମନେମନେ ଭାବେ କେତେ କଥା । ନରିବାବୁଟା କୁଆଡ଼ିକା ଲୋକ ଏଠି ପହଞ୍ଚିଲା କେମିତି ? ତା’ର ଉଲଗ୍ନ ଜଳ କ୍ରୀଡ଼ାକୁ ଖାଲି ଦେଖିନି–ମୁକୁଳା ଅଙ୍ଗର ଭରା ଯୌବନକୁ ଅନୁଭବ କରିଛି ସେ । ତାଙ୍କୁ କିଏ କ’ଣ ଡାକିଥିଲା ସେ ବଗିଚା ଭିତରକୁ ? ସେ ଲୁଚି ଲୁଚି ତା’ର ସର୍ବସ୍ଵ ଅପହରଣ କରିଛନ୍ତି–ତା’ର ରୂପ ପସରାକୁ ଚୋର ପରି ଲୁଣ୍ଠନ କରିଛନ୍ତି । ସେ ପ୍ରକୃତରେ ଭାରି ଦୁଷ୍ଟ । ସରଳ ବାଳିକାର ମୁକୁଳା ମନକୁ ବାନ୍ଧିଲେ ସେ କାନ୍ଦିବ ? ଆପେ ଆପେ ମୁଣ୍ଡ ତା’ର ନଇଁଆସେ । ସେ ମନେକରେ ତା’ର ସେ ମନର ମଣିଷ–ହୃଦୟର ଦେବତା–ଜୀବନର ସାଥୀ ।

 

ସେ ଖାଲି ବାହାନାରେ ମୁହଁ ଫଣଫଣ କରି ରାଗିଯାଏ ସାଙ୍ଗମାନଙ୍କ ଉପରେ । ଗାଳିଦିଏ କେତେ କ’ଣ ?

 

“ତୁ ! ଉପର ମନରେ ଗାଳି କରୁଛୁ ଲୋ–ତୋ ମନକୁ ପଚାରେ ?” ଗାଁରେ ଗଣ୍ଡାରେ ସବୁଆଡ଼େ ନରିବାବୁଙ୍କର କଥା ଲୋକେ ଝୁରି ହେଉଛନ୍ତି । “ତୁ ଖାଲି ବାହାନାରେ କହୁଛୁ ! ନା ?”

 

ମାଳିଆ ଯାହା କହିଲା–“ସୁକୀର ମୁହଁ ଲାଲପଡ଼ିଗଲା କିନ୍ତୁ ତାକୁ ଦରଜ ଜାଗାରେ ଚରମ ସେକ ଦେଲାପରି ଭାରୀ ସୁହାଉ ଥିଲା । ସେ ପଲ୍ଲୀ ଗାଁଟି ଭିତରେ ଯେ’ ଯାହା କହୁ ପଛକେ କାହା କଥା ସେ ଧରେନି । ସମସ୍ତଙ୍କୁ ସେ ହସି ହସି ଉତ୍ତର ଦିଏ । କାମ କରେ ବି ସିମିତି-

 

ରୂପ ସହିତ ଗୁଣର ସାମଞ୍ଜସ୍ୟ ଥିଲେ ସମସ୍ତେ ଚାହିଁରହନ୍ତି ତା’ ଆଡ଼କୁ । କଳା ବାଦଲ କୋଳରେ ଖେଳୁଥିବା ବିଜୁଳି, ପୁଷ୍କରିଣୀରେ ଫୁଟିଥିବା ପଦ୍ମ, ବୃକ୍ଷରେ ପାଚିଥିବା ଫଳ, ପାହାଡ଼ କନ୍ଦରରୁ ଝରି ଆସୁଥିବା ଝରଣା, ସନ୍ଧ୍ୟାକାଶର କଇଁ ଫୁଲିଆ ଜହ୍ନ ଯିମିତି ସମସ୍ତଙ୍କ ମନ ଆକର୍ଷଣ କରେ, ସୁକୀ ଅନ୍ଧାର ପଲ୍ଲୀ କଣର ଉଜ୍ଜ୍ୱଳ ଦୀପଶିଖା, ଖତ ଗଦାର କଇଁ–ସମସ୍ତଙ୍କର ସ୍ନେହର ପିତୁଳି–ଆଦରର ଧନ ।

 

ବିଧାତା ସବୁ ପଦାର୍ଥ ସୁନ୍ଦର କରି ନ ଥାଏ । ସେ କରିଥାଏ ତା’ର ମନଲାଖି ଜିନିଷକୁ । ମଣିଷ ବାଛି ବାଛି ଦେଇଥାଏ ତା’ର ନାଁ ଆଉ ଲିପିବଦ୍ଧ କରି ରଖିଥାଏ କାଳ କାଳକୁ ପୁସ୍ତକ ଭିତରେ କାଳେ ମନରୁ ସେ ଭୁଲିଯିବ ।

 

ସେହି ପଦାର୍ଥମାନଙ୍କ ଭିତରୁ ସୁକୀ ହେଉଛି ଗୋଟିଏ । ବିଧାତା ଯେଉଁ ଜିନିଷକୁ ମନୋହର କରିବା ପାଇଁ ଅମୃତ ହସ୍ତରେ ଛୁଇଁଲେ ତା’ରି ପାଖରେ ଛିଡ଼ା ହୋଇଥିଲା ସୁକୀ । ସେହି ଅମୃତରୁ କଣିକାଏ ଛିଟିକି ଆସିଛି ତା’ଆଡ଼େ । ସେଥିପାଇଁ ସେ ହେଇଛି ଇମିତି ।

 

ଲୋକେ କହନ୍ତି–ମହାପାତ୍ରଙ୍କର ତପସ୍ୟାର ଫଳ । ନିତି ଦିଅଁ ଦେବତାଙ୍କୁ ସେ ପୂଜା, ଆରାଧନା, ଉପାସନା କରନ୍ତି । ତାଙ୍କୁ ଭଗବାନ ଖୁସିହେଇ ଏ କନ୍ୟାରତ୍ନଟି ଦେଇଛନ୍ତି । ୟେ’ଟା ଦେବତାଙ୍କର ଆଶୀର୍ବାଦ ଯିମିତି ।

 

ମହାପାତ୍ରେ ଝିଅର ମୁଖମଣ୍ଡଳଟି ଚାହିଁ ଦୁନିଆର ଦୁଃଖଶୋକ ପାସୋରନ୍ତି । ସେହି ତାଙ୍କର ପୁଅ ଆଉ ଝିଅ ସବୁ ।

 

ପିଲାଟି ଦିନରୁ ମୃଗିଣୀ ଶିଶୁ ଡେଇଁ ଡେଇଁ ଖେଳି ବୁଲିଲା ପରି ଏଇ ଗାଁ ଭୂଇଁରେ ସୁକୀ ଅତି ଅଲିଅଳ–ତା’ର ପାଦ ପଡ଼େ ସମସ୍ତଙ୍କ ଘରେ–ସେ ବୁଲିଆସେ ଘର ଘର କରି ।

 

ଭଲରେ ହେଉ ବା’ ମନ୍ଦରେ ହେଉ ସୁକୀ ଯାଇଁ ହାଜର । ବାହା ପୁଆଣୀରେ ସୁକୀ ପର ଆପଣା ବାରେନି । କାମକରେ, ବୋଲହାକ କରେ । କୁଣିଆ ଚରଚାରେ ସେ ହୁଏ ଆଗ । ଖାଲି ହସଖୁସିର ସଂସାର ଭିତରେ ସେ ଘୂରି ବୁଲେନି । ବୁଲେ ଯିଏ ପଡ଼ିଛି ଜରରେ, ସାହାଯ୍ୟ କରେ ରୋଗୀକି । ପରର ଦୁଃଖକୁ ସେ ଭାବେ ନିଜର, କାହାର ମଲାମୁତିକାରେ କାନ୍ଦ ବୋବାଳି ପଡ଼ିଲେ ସହିପାରେନି ସେ । ନିଜର ଭାବି କାନ୍ଦେ କେତେ ତାଙ୍କ ସାଙ୍ଗରେ ।

 

ତା’ର ଏହି ଗୋରା ଦକଦକ ଦେହ–ସରଳ ସୁନ୍ଦର ମୁହଁ, କଳା କୁଞ୍ଚିତ କେଶ ସାଙ୍ଗକୁ ମଲ୍ଲୀ ପାଖୁଡ଼ି ପରି ହସ ଟିକକ ସସସ୍ତଙ୍କ ମନକୁ କିଣେ । ସମସ୍ତେ ରୂପକୁ ଦେଖିଲେ ଗୁଣକୁ ଅନୁଭବ କରନ୍ତି । ମାତ୍ର ମୁହଁ ଶୁଖାନ୍ତି ଏଇ ସୁକୀ ନାଁଟି ଶୁଣି ।

 

ସମସ୍ତେ କହନ୍ତି–“ଏଡ଼େ ସୁନ୍ଦର ଏତେ ଗୁଣର ଝିଅଟିକି, କିଏ ଦେଇଛି ଇମିତି ନାଁ–କେଡ଼େ ଅପରଛନିଆ ନାଁଟି ତା’ର ।”

 

ମାତ୍ର ସତକୁ ସତ ପିଲାସମୟରେ ବାପ ମାଆଙ୍କ ଗେହ୍ଲାଳିଆ ନାଁଟି ସିନା ସୁକୀ–କିନ୍ତୁ ଅସଲ ନାଁଟି ଧରି ପାରନ୍ତିନି କେହି–ଯିମିତି ପାଣି ଦିହରେ ନବାତ ତା’ର ରୂପଟିକି ଗୋପନ କରି ରଖିଥାଏ । ରଖିଲେ ଜଣାପଡ଼େ ତା’ର ସ୍ୱାଦୁ ।

 

ନବାତ ପାଣି ପରି ନାଁଟି ତା’ର ମିଳେଇ ରହିଛି ଏଇ ଗାଁ ଭୂଇଁରେ । କାହାରିକି ଜଣା ଯାଏନି । ସେଇ ଗେହ୍ଲ ଡାକ ସୁକୀ । ବାହାର ଲୋକ ନାକଟେକନ୍ତି କେତେ ।

 

ପ୍ରକୃତରେ ରୂପଟି ଯିମିତି ନାଁଟି ବି ସିମିତି । ସମସ୍ତଙ୍କ ଅଜଣାରେ ନାଁଟି ତା’ର ଥିଲା ସୁକାନ୍ତୀ । ଅଜଣା ଲୋକ ଜାଣି ପାରେନି । ରୂପ ଦେଖି ନାଁ ପଚାରିବାକୁ ଇଚ୍ଛାହୁଏ । ସୁକାନ୍ତୀ ନାଁଟି ଶୁଣିଲେ ସମସ୍ତେ ହୁଅନ୍ତି ଖୁସି–ପ୍ରଶଂସା କରନ୍ତି କେତେ ଯେ ଦେଇଥିଲା ଏ ନାଁଟି ।

 

ସୁଶୀଳା, କାଇଁଚ, ମାଳିଆ ତା’ର ବାଲ୍ୟ ସଙ୍ଗିନୀ । ଘଡ଼ିଏ ନ ଦେଖିଲେ ତାଙ୍କୁ ସେ ହୁଏ ବଣା । କେହି କେବେ କୁଣିଆଘର ଗଲେ ସେ ମନ ଶୁଖାଏ । କେତେ ଛାଟିପିଟି ହୁଏ । ଏଇ ତା’ର ସଙ୍ଗିନୀମାନେ ଭଲ ପା’ନ୍ତି ଖେଳିବାକୁ । ଅନାଇଁ ଥାନ୍ତି ଯିବାକୁ ବନ୍ଧୁବାନ୍ଧବ ଘରକୁ । ସୁକାନ୍ତୀ ମନାକରେ ତାଙ୍କୁ । ଅବଧାନେ କେତେ ରାଗନ୍ତି କାଇଁଚ ମାଳିଆଙ୍କ ଉପରେ । ଗୋପିଭାଷା–ରାସକ୍ରୀଡ଼ା–ଗୁଣସାଗର ବହି ପଢ଼ି ଆସେନି ତାଙ୍କୁ । ମୁଖସ୍ତ କରି ବୋଲିଯାଏ ସୁକୀ ।

 

ଚାଟ ପିଲାମାନେ ଭୟ କରନ୍ତି ବେଶୀ ଏଇ ପେଟା ଅବଧାନକୁ । ଗୋଟେ କାଠର ପିଢ଼ା ଉପରେ ତାଙ୍କ ପୃଥୁଳ ଶରୀରଟିକି ଥୋଇ ସେ ଘୁମଉଁଥାନ୍ତି । ମଝିରେ ମଝିରେ ପିଲାଙ୍କ ପାଟି ବନ୍ଦ ହେଇଗଲେ ସେ ଚାହାନ୍ତି ଆଖି ତରାଟି । ତିନିହାତ ଲମ୍ବର ଲାଲ ଚହଚହ ବେତ ବାଡ଼ିଟି ଡରାଏ ସମସ୍ତିଙ୍କି ।

 

ରାଗରେ ବୁଢ଼ା ସେଇଠି ବସି କାଠ ପିଢ଼ାଟାକୁ ଫିଙ୍ଗିଦିଏ କେତେବେଳେ ପିଲାଙ୍କ ଉପରକୁ । ସେଇଥି ପାଇଁ ସମସ୍ତେ ବସିଥାନ୍ତି ଦୂରଛଡ଼ା ହୋଇ ।

 

ପେଟା ଅବଧାନ ବେଶୀ ଭଲପାଏ ସୁକାନ୍ତୀକି । ସେ ମୁହେଁ ମୁହେଁ ବୋଲେ ଛାନ୍ଦ–ଗାଇଯାଏ ପଣିକିଆ ଖନ୍ଦାମାନ–ସେଇଥିପାଇଁ ସେ ସମସ୍ତଙ୍କ ଉପରେ ବଡ଼ଚାଟ ।

 

ରବିବାର ହେଲେ ଚାଟଶାଳିଘର ଲିପିବାକୁ ଡାକେ ସୁକାନ୍ତୀ । ଗୋବରହାତ ହେବାକୁ କେହି ମଙ୍ଗନ୍ତିନି । ମାତ୍ର ଚତୁରୀ ସୁକୀ ସମସ୍ତଙ୍କୁ କୌଶଳରେ ଟାଣିନିଏ ସେଠିକି ।

 

ଆରଓଳି ସେ ତା’ର ସାଙ୍ଗମାନଙ୍କୁ ସଙ୍ଗରେ ଧରି ମୁଷ୍ଟିଭିକ୍ଷା ମାଗେ ଦୁଆର ଦୁଆର ବୁଲି ଏଇ ପେଟା ଅବଧାନଙ୍କ ପାଇଁ । ସମସ୍ତେ କହନ୍ତି ଭିକାରୁଣୀ ସାଜି ଚାଉଳ ମାଗିବ କିଏ ବାରଦ୍ୱାର ବୁଲି ? ମାତ୍ର ସୁକୀ କଥାକୁ କେହି ପକାନ୍ତିନି ତଳେ ।

 

ସୁକୀ ବୋଲେ ଗୋପିଭାଷା ରାସକ୍ରୀଡ଼ାର ଛାନ୍ଦ–ପିଲାମାନେ ଧରନ୍ତି ପାଳି । ସାଇମାଇପେ ତା’ର ବୀଣାଜିଣା କଣ୍ଠର ଧ୍ୱନି ଶୁଣି ରୁଣ୍ଡ ହୁଅନ୍ତି ଦାଣ୍ଡ ଦୁଆରେ । ଆଉ ବୋଲିବାକୁ କହନ୍ତି ତାକୁ–ବେଶୀ ଚାଉଳର ଲୋଭ ଦେଖାନ୍ତି । କାହାରି ମନ ଭଙ୍ଗେନି ସେ । ଗାଁଟି ଯାକ ବୁଲି ବୁଲି ସେ ଗଣ୍ଠିଲି ବାନ୍ଧେ ଚାଉଳ ଡାଲି ପରିବା ସବୁ । ଦିନେ ଦିନେ ବେଳ ବୁଡ଼ି ହୁଏ ସଞ୍ଜ । ଲୋକେ ଛାଡ଼ନ୍ତିନି ତାକୁ । ଜିଗର କରନ୍ତି ଗାଇବାକୁ ଗୀତ ।

 

ଗାଁର ଅଜାବୁଢ଼ାମାନେ ନାତୁଣୀ ଲେଖାକରି ତାକୁ କରନ୍ତି କେତେ ଥଟ୍ଟା–‘‘ଘଇତା ଘରେ ଏମିତି ବୋଲିବୁ ଛାନ୍ଦ ଯେ ସେ ତୋତେ ଛାଡ଼ିବନି ପାଖରୁ–ସୁକୀ ତୁ ରହିଯାଆ ଏ ଗାଁ ଭୂଇଁରେ ଆମରି ପାଖେ ।’’ ସତୁରା ଅଜାକୁ ବେଶୀ ଡରେ ସେ । ତାକୁ ଦେଖିଲେ ମୁହଁ କରେ ତଳକୁ । ସେ ଖାଲି କହେ–“ବାହା ହବୁ କିଲୋ ନାତୁଣୀ ମୋତେ ?” ତାକୁ ଲାଜଲାଗେ ବେଶୀ ।

 

ସେ ପିଲାଦିନ କଥା ଗଲାଣି କୁଆଡ଼େ । ନରିବାବୁ ଏଇ ଗାଁ ଭୂଇଁରେ ପାଦ ଦେଲାଦିନୁଁ ପେଟା ଅବଧାନ ଗଲା ତା’ର ଘରକୁ । ଚାହାଳି ଭାଙ୍ଗି ହେଲା ସ୍କୁଲ । ଦୁଇ ଦୁଇଟା ମାଷ୍ଟର ଆସି ପଢ଼େଇଲେଣି କେତେ ପ୍ରକାର ପାଠ । ସୁକୀର ମନହୁଏ ହାଇଁପାଇଁ–ସେ ହେଲେ ପଢ଼ିଥାନ୍ତା ଇମିତି ।

 

ତା’ର ମୁଷ୍ଟିଭିକ୍ଷାକୁ ସେ ଏବେସୁଦ୍ଧା ଚାଲୁରଖିଛି । ନରିବାବୁର କଥାରେ ପ୍ରତି ପରିବାରରେ ସେ ରଖିଦେଇଛି ଗୋଟିଏ ଗୋଟିଏ ମାଟିର ଘଡ଼ି । ପ୍ରତି ଘରେ ସବୁଦିନ ଭାତ ଚାଉଳରୁ ମୁଠିଏ ରଖନ୍ତି । ସାତଦିନରେ ସୁକୀ ତାକୁ ଆଣେ ଯାଇଁ । ଏମିତିରେ ଏତେ ହୁଏ ଚାଉଳ-! ମୁଠିଏ ମୁଠିଏ ଚାଉଳରେ ମାପହୁଏ ଗଉଣି ଗଉଣି । ଜମା ହେଲାଣି ଶହ ଶହ ଟଙ୍କା-। ନରିବାବୁ କହୁଥିଲା ଏଇ ଟଙ୍କାରେ ଲୋକଙ୍କ ପାଇଁ ହେବ ଗୋଟେ ଛୋଟ ଡାକ୍ତରଖାନା–ସବୁ ଔଷଧ ରହିବ ସେଇଠି । ଲୋକେ ରୋଗରେ ଆଉ ଛଟପଟ ହେବେନି । ସରକାରଙ୍କର ଏ ହେଲା ମୁଷ୍ଟିସଂଚୟନ ଯୋଜନା ଅଳପ ଧନ ବଢ଼ି ବଢ଼ି ପୁଣି ହୁଏ ଇମିତି ?

 

କାହାର ନୂଆ ବୋହୂଟିଏ ଘରକୁ ଆସିଲେ ସୁକୀ ଯାଇ ତା’ ପାଖରେ ହାଜର । ସେ ବୁଝେ ତା’ର ଭଲମନ୍ଦ । ଶିଖାଏ କେତେ କଥା ।

 

କାହାର ମୁଆଁ ପାଗ ବସିଛି । ପିଠା ଜନ୍ତଣି ପଡ଼ିଛି–କେଉଁଠି ହେଉଛି ଖଟା ଆଚାର । ସେଇଠି ଥିବ ସୁକୀ । ଦେଖି ଦେଖି ସବୁ ସିଏ ପାଇଲାଣି ତାଲିମ ।

 

ବାହା ପୁଆଣିରେ ଅଣ୍ଟାରେ ଲୁଗାଭିଡ଼ି ସୁକୀ ପଶେ ଖନ୍ଦା ଶାଳରେ–ରାନ୍ଧେ ସବୁ ଜିନିଷ-। ପର ଆପଣା ଭାବ ନାହିଁ–ତା’ର ମନ ଯିମିତି ଏଇଥିରେ ଖୁସି ।

 

ୟେ ସବୁ ବିଷୟରେ ଭୁଲ୍‍ ଦେଖିଲେ ସେ କହେ–“ଭାଉଜ ଛାଡ଼ ଛାଡ଼ ତୁମେ ପାରିବନି-। ପିଲାଙ୍କ କଥା ଆଗ ବୁଝ । ମୋତେ ଦିଅ ମୁଁ କରିବି ।” ତା’ର କଥା ଶୁଣି ସମସ୍ତେ ହୁଅନ୍ତି ଅବାକ୍-

 

ବଳବନ୍ତରାଏଙ୍କ ପୁଅ ଗୌର ତାକୁ ଭାରି ଭଲପାଏ । ସେ ଡାକେ ତାକୁ ଭାଇବୋଲି । ବାଣପୁରରେ ସେ ପଢ଼େ ପାଠ ହାଇସ୍କୁଲରେ । ବଡ଼ଲୋକ ଘର ପୁଅ । ତା’ର ଅଭାବ ନଥାଏ କିଛି-। ନାନାପ୍ରକାର ଗପବହି ଛାନ୍ଦ କବିତାରେ ସେ ତା’ର ପଢ଼ା ଘରଟି ସଜାଇଥାଏ-। ସୁକୀର ପଢ଼ିବାରେ ଭାରି ଇଚ୍ଛା । ସେ ପଢ଼ିବାକୁ ମାଗେ ବହିସବୁ ଗଉର ଭାଇଠୁ ।

 

ଗଉର କହେ ତାକୁ କେତେକଥା–ବୁଝାଏ ଦେଶ ବିଦେଶର ସମାଚାର । ସେଥିରେ ସୁକୀର ମନହୁଏ ଆନନ୍ଦ । ଥରେ ସେ ଗୌର ପକେଟରେ ଦେଖିଲା ଗୋଟିଏ ସୂତାର ମନିବ୍ୟାଗ । ସେ ମାଗିଲା ଦେଖିବ ବୋଲି ଟିକିଏ । ଗଉର ବଢ଼େଇ ଦେଲା ତା’ ହାତକୁ ।

 

ଓଲଟପାଲଟ କରି ସେ ମୁଣିଟିକି ଦେଖିଲା । ଦେଖୁ ଦେଖୁ ସେ ଆଗ୍ରହରେ ସୂତାକୁ ଟାଣି ଫିଟାଇ ପକେଇଲା । ବ୍ୟାଗଟି କେତେ ରଙ୍ଗ ସୂତାରେ ଫୁଲ ପଡ଼ି ହୋଇଥିଲା ବୁଣା । ଏବେ ସେ କଲା କ’ଣ ? ହାତରେ ତା’ର ଖାଲି ମେଞ୍ଚାଏ ସୂତା । ବ୍ୟାଗଟିର ରୂପ ଲିଭିଲା କୁଆଡ଼େ ।

 

ମୁହଁ ଶୁଖିଗଲା ଗଉରର I ତା’ର ଏତେ ସୁନ୍ଦର ହାତବୁଣା ବ୍ୟାଗଟିକି ସେ ଫିଟାଇଲା କାହିଁକି ? ଗୋଟିଏ ପିଲା, ବାଳିକା ସ୍କୁଲରେ ବୁଣି ଦେଇଥିଲା ତା’ପାଇଁ । ତା’ର ସ୍ନେହର ଉପହାରଟି ଉଭେଇଗଲା କୁଆଡ଼େ ?

ସୁକୀ କହିଲା–“ଗଉର ଭାଇ ମନକଷ୍ଟ କଲ କି ? ଦେଖ ମୁଁ ଆଉଥରେ ବୁଣି ଦଉଛି । ସତକୁ ସତ ଥରକରେ ସେ ଶିଖିଗଲା ବ୍ୟାଗବୁଣା । ଗଉରକୁ ଦେଲା ପୁଣି ବୁଣି ସାରି ସେଇ ସୂତାରେ ଆଉ ଗୋଟିଏ ମୁଣି । ଗଉର ବହୁତ ଖୁସି ହେଲା । ସେ ତା’ପାଇଁ ବାଣପୁର ବଜାରରୁ କିଣି ଆଣିଲା କେତେ ରକମର ରଙ୍ଗନୀ ସୂତା ଆଉ କ୍ରୂସ୍‍କଣ୍ଟା । ଶୀତଦିନ ପାଇଁ ଭଲ ଉଲ ସୂତାରେ ସେ ବୁଣିଲା ସୁଇଟର–ମଫଲାର ସବୁ । ଗଉର ଭାଇକି ସେ ବି ଦେଲା ଉପହାର ।

ତାରି ମନ ଲାଗିଲା ସେଥିରେ–ସେ ସାହିର ପିଲାଙ୍କୁ ଡାକିଲା ପାଖକୁ–ଶିଖାଇଲା ଏହି ସୂତାର ବୁଣା କେତେପ୍ରକାର ଜିନିଷ ।

ସାଇ ମାଇପେ କାମ ତୁଟେଇ ଦ୍ଵିପହର ଘଡ଼ିଟି ପରଚୁଗୁଲିରେ ମାତନ୍ତି । କଳି ଆରମ୍ଭ ହୁଏ ସେଇଥିରୁ । “କାହାର ହେଇଥିଲା କି ତିଅଣ–କାହା ବୋହୂ ଶାଶୁକୁ ମାନୁନି । କାହା ଗେରସ୍ତ ଭଲ ପାଉନି କାହାର ସ୍ତ୍ରୀ କି ।” ଇମିତି କଥାରେ ଥାଏ କ’ଣ ? ପର ଚୁଗୁଲିରେ ମିଳେନି କିଛି ।

ସୁକୀ ବୁଝାଏ କେତେ । ସମସ୍ତଙ୍କ ମନକୁ ଟାଣେ ସେ ଲଗେଇବ ବୋଲି କାମରେ । ଏଇ କଳିହୁଡ଼ୀ ଗାଁ ମାଇପେ ସହଜେ ଶୁଣିଲେନି ତା’ କଥା । ସେ କାଟିଲା ସୂତା ସରକାର ଦେଇଥିବା ଅମ୍ବର ଚରଖାରେ । ସେ ସୂତା ବିକ୍ରିହେଲା କେତେ–ପାଇସା ମିଳିଲା ତାକୁ । ସାହି ମାଇପେ ଯିମିତି ଦେଖିଲେ ଏ ସବୁ–ସେ ସୁକୀ କଥା ମାନିଲେ–ତା’ ପାଖରେ ଆସି ଶିଖିଲେ ସୂତାକଟା ।

ଗାଁରୁ କଳି କମିଗଲା–ସାହି ମାଇପେ ତା’ର ହେଲେ ଗୋଟିକ ଯାକ । ତାଙ୍କର ସମୟ ଗଲା ଏଇଥିରେ । ସେ ପାଇଲେନି ସମୟ କଳି କରିବାକୁ । ସୁକୀ ହେଲା ଖୁସି । ତା’ର ଔଷଧ କାଟୁ କରିଛି । ବୁଢ଼ିଆଣୀ ଜାଲରେ ମାଛି ପଡ଼ିଲା ପରି ସେ ତା’ର ମନର ଜାଲରେ ବାନ୍ଧିଲା ସମସ୍ତଙ୍କୁ । ଏଇମାନେ ଭାଙ୍ଗୁଥିଲେ ବେଶୀ ଗାଁକୁ–ସେ ଗଢ଼ିଲା ପୁଣି ଭାଙ୍ଗିଲା ମନକୁ ଏକାଠି କରି-। ପ୍ରତିଘରେ ଲାଗିଲା ସୂଚି ସୂତାର ଯୁଦ୍ଧ । ସେ ପାଇଲା ସେଥିରେ ଆନନ୍ଦ ।

ଦିନେ ଇମିତି ମଟର ଗାଡ଼ିସବୁ ଛୁଟି ଆସିଲା ଗାଁକୁ ସେହି ଛୋଟ ନୂଆ ସଡ଼କଟି ଉପରେ । ମହିଳା ସମିତି ଖୋଲା ହେଲା ଗୋଟିଏ–ନରିବାବୁ ମଗାଇଲା ସବୁ ତାଙ୍କ ହାତ ତିଆରି ଜିନିଷ । ସେ କିମିତି ଜାଣିଲେ–ତା’ର ଅଛି ଏମିତି ହାତ କାମ ସବୁ ?

ଲୁଚି ରହିଥିବା ପଲ୍ଲୀବାଳିକାଙ୍କ ହସ୍ତକର୍ମକୁ ଦେଖିଲେ ସମସ୍ତେ । ତା’ର ଜିନିଷ ପ୍ରଥମ ହେଲା ସମସ୍ତଙ୍କ ଆଖିରେ । ସେ ପାଇଲା ଦଶଟି ଟଙ୍କା ପୁରସ୍କାର–ଆଉ ଗୋଟିଏ ପ୍ରଶଂସା ପତ୍ର ।

ଟଙ୍କାକୁ ହାତରେ ଧରିଲା ସେ–ପ୍ରଶଂସା ପତ୍ରଟି ପଢ଼ିଲା ତା’ ନାଁ–ଗାଁ ସବୁ ଲେଖା ହେଇଛି ସେଥିରେ । ନରିବାବୁର ମୁହଁଟି ନାଚିଲା ତା’ ଆଖି ଆଗରେ । ସେ ଭାବିଲା କେତେ କ’ଣ-

କାଇଁଚଟା କେଉଁଆଡ଼େ ଥିଲା ଆସି ପହଞ୍ଚିଲା ତା’ ପାଖରେ । ସେ ପଛ ପଟୁ ଆଖିକି ତା’ର ଚାପି ଧରିଲା । ଚମକି ପଡ଼ିଲା ସେ । ଭାବନା ତା’ର ଉଭେଇଲା–ମନର ଧ୍ୟାନ ଭାଙ୍ଗିଲା । ଦରାଣ୍ଡି ଧରିଲା କାଇଁଚର ହାତକୁ ।

କାଇଁଚ ମୁହଁ ଶୁଖେଇ କହିଲା କେତେ କଥା ତାକୁ । ତା’ର ମନର କଥା ପ୍ରାଣରେ ଆଘାତ ଆଣିଲା । ନରିବାବୁ ପଡ଼ିଛି ରୋଗ ଶଯ୍ୟାରେ । କିଛି ଖାଇନି ଦୁଇଦିନ ହେଲା । ଲୋକେ ପଚାରନ୍ତିନି ତା’ର ଭଲମନ୍ଦ କଥା ।

 

“ଏଁ ! କାହିଁକି ? ସେ କ’ଣ କଲେ କି ?” ସେ ଏଗାଁର କରିଛନ୍ତି ଉନ୍ନତି । ଅଜଣା ଲୋକକୁ ଜ୍ଞାନ ଦେଇଛନ୍ତି ସିଏ–ଅବାଟରେ ବାଟ ଫିଟେଇଛନ୍ତି ଆସି ସେ ଲୋକକୁ ପୁଣି ଏତେ ହତାଦର କାହିଁକି ? ସେ ବିଶ୍ୱାସ କରିପାରିଲାନି ତା’ କଥାକୁ ।

 

ପୁଣି କହିଲା କାଇଁଚ–“ଆଶ୍ଚର୍ଯ୍ୟ ଲାଗୁଛି କିଲୋ ତତେ, କାବାହେଇ ରହିଲୁ କାହିଁକି ?” ମୋ କଥାରେ ବିଶ୍ୱାସ ପାଉନି ଯେବେ ଆ’–ଦେଖିବୁ ଦାଣ୍ଡକୁ । କିମିତି ଭୁଟୁର ଭାଟର ହଉଛନ୍ତି ସମସ୍ତେ । ସଭା ବସିଛି ନରିବାବୁ ନାଁରେ । ସେ ସିନା କରିଛି ଏତେ କାମ । ଏ ଗାଁ ଭୂଇଁ ତାକୁ ଗ୍ରହଣ କରୁନି–ଲୋକେ ତା’ ପାଖ ମାଡ଼ୁ ନାହାନ୍ତି । ସେ ହେଉଛି ଛୁଆଁ, ପାଣ କି କଣ୍ଡରା ।

 

କି ଜାତିର ଲୋକ ଏ ଗାଁ ଭୂଇଁକି କରିଛି ଅପବିତ୍ର । ସେ ଶୁଣି ଆସିଲା ଲୋକଙ୍କ ମୁହଁରୁ ଆଜି । କାମର ବାହାନା ଦେଖାଇ ଚାଲିଗଲା କାଇଁଚ ତା’ ପାଖରୁ ।

 

ବଜ୍ର ପଡ଼ିଲା ପରି ଲାଗିଲା ତାକୁ, ସେ କ’ଣ କଲା ? ବ୍ରାହ୍ମଣ ଘର ଝିଅ ହେଇ କଣ୍ଡରା ପିଲା ପାଖରେ ବିକିଲା ତା’ର ମନ–ପ୍ରାଣ ସବୁ । ସମାଜ ତାକୁ ଧରିବ । ଲୋକେ ନାକ ଟେକିବେ । ଜାତି ତା’ର ଗଲା । ସେ ପୁଣି କ’ଣ କରିବ ?

 

ତା’ର ଭାବନାଟା ଭୁଲ୍‍ । ଚଇତି ପୂନେଇର ଜ୍ୟୋତ୍ସ୍ନା ଜୁଆର ଭିତରେ ପାଇଲା ସେ ଅମା ଅନ୍ଧାରର ଶ୍ରାବଣୀ ଝଡ଼ । ଭାବନା ପଥରେ ପୁଷ୍ପ ବୃଷ୍ଟି ବିନା ସେ ଅନୁଭବ କଲା ପଥର ବୃଷ୍ଟି-। ଏମିତି ଭୁଲ୍‍ ସେ କେବେ କରିନଥିଲା । ସେ ପଚାରି ପାରିଲାନି ନରିବାବୁକୁ ତା’ ଜାତିଟା’ କ’ଣ ବୋଲି । ସେ କିଛି ନଜାଣି ହେଲା ଆତ୍ମହରା କାହିଁକି ?

 

ତା’ପରେ ପୁଣି ନାଚିଲା ତା’ ଆଖି ଆଗରେ ନରିବାବୁର ହସ ହସ ମୁହଁ । ରୋଗରେ ପଡ଼ିଛନ୍ତି ସେ–ମୁହଁଟି ଶୁଖି ଯିବଣି ! ଲୋକେ ପଚାରୁ ନାହାନ୍ତି ତାଙ୍କ ଭଲମନ୍ଦ କଥା ପଦେ ।

 

ତା’ ମନରେ ପ୍ରଶ୍ନ ଉଠେ ପୁଣି । ଛୁଆଁ ଅଛୁଆଁ ଗୋଟେ କ’ଣ ? ସବୁ ମଣିଷ ସମାନ । ମଣିଷର କର୍ମ ତାକୁ ଉଚ୍ଚାସନ । ସେ ହୁଏ ବଡ଼ ସମସ୍ତଙ୍କ ଆଖିରେ । ଲୋକେ ବୁଝନ୍ତିନି ଏ ସବୁ । କେଉଁକାଳୁ ଏ ଛୁଆଁ ରୋଗ ବସା ବାନ୍ଧି ରହିଛି ତାଙ୍କ ମନରେ । ସେ କାହା କଥା ଶୁଣିବନି । ତା’ ମନଯାହା ସେୟା କରିବ ।

 

କାଇଁଚ କଥାରେ ସେ ଦବି ଯିବନି ଆଜି । ଗାଁ ଲୋକେ ଯାହା କହିଲେ କୁହନ୍ତୁ ପଛକେ ସେ ମନ ଦେଇଛି ତାଙ୍କୁ । ସେ ମନ ଅଣଲେଉଟା ।

 

ଏଇ କଥା ଭାବୁ ଭାବୁ ସେ ନିଜର ଅବଶ ଦେହଟିକୁ ମସିଣା ଉପରେ ଲମ୍ବେଇ ଦେଲା ମୁହଁଟିକୁ ତକିଆ ଉପରେ ରଖି । ସେତେବେଳକୁ ସଞ୍ଜହେଇ ଆସୁଥିଲା ।

 

ମଣିଷର ସବୁଦିନ ସମାନ ଯାଏନା । କେତେବେଳେ କେଉଁ କଥା ଆସି ପହଞ୍ଚେ । ପୃଥିବୀର ଋତୁଚକ୍ର ପରି ମଣିଷର ଜୀବନ ଚକ ମଧ୍ୟ ଘୂରେ । ଗ୍ରୀଷ୍ମର ପ୍ରଚଣ୍ଡ ଅଗ୍ନିଶିଖାକୁ ସହେ ଲୋକ । ବରଷାରେ ତିନ୍ତାଏ ତା’ର ଦେହ । ଶୀତରେ ଥରେ କେତେ । ମାତ୍ର ବସନ୍ତ ଆସିଲେ ସେ ଭୁଲିଯାଏ ତା’ର ବେଦନା ଦଗ୍ଧ ହୃଦୟର କ୍ଳେଶ ।

 

ସେହି ମଧୁ ମାସ ମଧୁମୟ କରିଥିଲା ବଳବନ୍ତରାଏଙ୍କ ଜୀବନକୁ । ସେ ବସନ୍ତ ତାଙ୍କ ମନ ଉପବନରେ ବୋହୁଥିଲା ଖାଲି ହୃଦୟକୁ ଆହ୍ଲାଦ କରିବାକୁ । ତାଙ୍କର ଇଚ୍ଛାଥିଲା ଏ ମଳୟ ସିମିତି ସାରାଜୀବନ ବୋହିଥାନ୍ତା । ମାତ୍ର ସେ ଜାଣି ନଥିଲେ ଏମିତି ହବ ବୋଲି ବିରାଟ ପରିବର୍ତ୍ତନ । ଜୀବନର ମଧୁମାସ ସରିଆସିଲା ତାଙ୍କର । ପ୍ରଚଣ୍ଡ ଦାବାନଳ ତାଙ୍କ ପ୍ରାଣକୁ କଲା ଦଗ୍ଧିଭୂତ ।

 

ଦିଅଁ ଦେଉଳ ଗଲା ଏଣ୍ଡାଉମେଣ୍ଟକୁ । ବାଡ଼ିବଗିଚା ନେଲେ ଗାଆଁ ଲୋକେ । ଜମିବାଡ଼ି ବାଣ୍ଟିନେଲେ ଚାଷୀମାନେ–ଯିଏ କରିଥିଲେ ବହୁତ ଦିନୁଁ ଚାଷ । ସରକାରଙ୍କର ଆଦେଶ ଏ ତାକୁ ନମାନିବେ କିମିତି ? ଭାଗଚାଷ ଆଇନ ଅନୁସାରେ ଚାଷୀ ହେଲେ ଜମିର ମାଲିକ । ସେ ତେବେ ଏତେ ସମ୍ପତ୍ତି କରିଥିଲେ କାହାପାଇଁ ? ଏଇ ଚାଷୀ ମୂଲିଆମାନଙ୍କ ପାଇଁ ସିନା ? ମୁଣ୍ଡ ତାଙ୍କର କ’ଣ ହୋଇଯାଏ । ରକ୍ତଗୁଡ଼ାକ ବେଗରେ ପ୍ରବାହିତ ହୁଏ ମସ୍ତିଷ୍କରେ । ପାଗଳ ପରି ହୁଅନ୍ତି ସେ–ମୁଣ୍ଡର ବିଚାର ଶକ୍ତି ଲୋପ ପାଏ ।

 

ପୁଣି ବାହାର ଦୁନିଆକୁ ଚାହାନ୍ତି ସେ ଆଖି ଖୋଲି । କେଉଁ କାଳରୁ ଯେଉଁ ରାଜା ମହାରାଜାମାନେ ଗାଦି ମାଡ଼ି ବସିଥିଲେ–ଶାସନ କରୁଥିଲେ ଏ ଦେଶରେ–ସେ ସବୁତ ନାହାନ୍ତି । ସେମାନଙ୍କର ଉଆସରେ ହେଲା ସରକାରୀ ଅଫିସ । ଘୋଡ଼ା ହାତୀ ଗଲେ ଜଙ୍ଘଲକୁ । ଦାସଦାସୀ ଛାଡ଼ିଲେ ରାଜବାଟୀକି । ଶେଷରେ ରାଜାମାନେ ଗଲେ ଆସାମର ଚାହାବାଗାନକୁ–କିଏ ଧରିଲା କେଉଁ ଧନ୍ଦା କେଉଁ ରୂପରେ ତାହା କାହାରିକି ଜଣାନାହିଁ ।

 

ବଳବନ୍ତ ରାଏଙ୍କର ମନରେ ଆସେ ଦମ୍ଭ । ହୃଦୟରେ ପଶେ ସାହସ । ସେ ବା କେତେକର ଲୋକ !

 

କେଡ଼େ କେଡ଼େ ରାଜା ମହାରାଜାଙ୍କର ସୁନାର ସିଂହାସନ ଚୂନାହେଲା । ତା’ ତୁଳନାରେ ତାଙ୍କର ବା ଯାଇଛି କ’ଣ ?

 

ସେ ସିନା ବୋଧଦିଅନ୍ତି ମନକୁ, ମାତ୍ର ଅମାନିଆଁ ମନ ମାନେନି । ସେ କେତେ ପରିଶ୍ରମ କରି ସେ ଧନ ଅର୍ଜ୍ଜନ କରିଥିଲେ । ତାହା ଘଡ଼ିକରେ ଉଭେଇଗଲା କୁଆଡ଼େ ?

 

ଗ୍ରାମସେବକ ନରିକଥା ମନେ ପଡ଼ିଲା ତାଙ୍କର, ସେ କହିଲା ତାଙ୍କୁ ଏ ସମ୍ପତ୍ତି ସେ ବାଣ୍ଟିଦେବେ ଲୋକଙ୍କୁ ଖୁସିମନରେ ଦିନେ ସତକୁ ସତ ସେ ପାଣ ଟୋକାଟାର କଥା ଲାଖ ମାଇଲା ପରି ବାଜିଲା । ତା’ କଥାକୁ ସେ ଖିଆଲରେ ଉଡ଼େଇ ଦେଲେ ସିନା–ଏତେବେଳକୁ କଲବଲ ହେଉଛନ୍ତି ।

 

ସେ ବଦମାସ ପାଣ ଟୋକାକୁ କିମିତି ତଡ଼ିବେ ଏ ଗାଁ ଖଣ୍ଡକରୁ । ତାଙ୍କର ମନରେ ହେଲା ରାଗ ତା’ ଉପରେ । ସେଇ ଏକା ଦାୟୀ । ଲୋକଗୁଡ଼ାକ ନିରୀହପଶୁଙ୍କ ପରି ଚଳୁଥିଲେ–ସେ ଶିଖାଇଲା ତାଙ୍କୁ ଫିସାଦ । ଋଣପାଇଁ କେହି ମାଡ଼ିଲେନି ତାଙ୍କ ଦୁଆର । ଅଳ୍ପ ସୁଧରେ ସମବାୟ ଋଣ ସମିତିରୁ କରେଇ ଦେଲା ତାଙ୍କ ପାଇଁ ଟଙ୍କା । ପୁଣି ପଞ୍ଝାଏ ଯୁବକ ଟୋକାଙ୍କୁ ଏକାଠି କରି ଲଗେଇଛି ଗୋଟେ ପାଲା । ଜମେଇଛି ଗୋଟେ ଆଖଡ଼ା । ଜବରଦସ୍ତି ପଡ଼ିଆରେ ତାଙ୍କର କରି ପକେଇଲେ ଗୋଟାଏ ଘର । ନାଁ ହେଲା ତା’ର ଯୁବକସଂଘ । ଏମିତି କେତେକ’ଣ ସେ କଲା ଓଲଟପାଲଟ ତା’ର ହିସାବ ନାହିଁ ।

 

ନଟିଆ ପଧାନକୁ ସେ ଅକଲ ଦେଲା ସେଇଦିନ । ପକେଟରୁ ବାହାର କରିପକେଇଲା କୋଡ଼ିଏ ଟଙ୍କା । ବଳଦ ମୁକୁଳେଇ ନେଲା । ସେ ଚିହ୍ନିଲେଣି ତାକୁ ସେଇଦିନଠୁଁ ।

 

ଲୋକେ କହୁଛନ୍ତି ପଡ଼ିଛି ସେ ବାଧିକିରେ । ଭଲ ହୋଇଛି । ପଡ଼ି ପଡ଼ି ମରୁ ସେଇଠି ସେ । ତାଙ୍କର ଅମଙ୍ଗଳ ସେ ପାଞ୍ଚିଛି । ନିଜେ ହବନି ହଇରାଣ–ଆଉ ହବ କିଏ ?

 

କେତେଦିନ ସେ ଲୁଚେଇ ରଖନ୍ତା ତା’ର ଘର କଥା । ଚିଠି ଆସିଥିଲା ଗାଁରୁ ଘର ପୋଷ୍ଟପିଅନ ଦେଲା ତାଙ୍କ ହାତକୁ । ନରି ନଥିଲା ଯାଇଥିଲା କୋଉ ଗାଁକୁ ସେ ଦିନ । ସେହି ଚିଠିରେ ଲେଖା ହୋଇଥିଲା କେତେ କଥା । ବାପା ମା’ ଲେଖିଛନ୍ତି ତା’ ପାଖକୁ ସେ କିମିତି ଚଳୁଛି ସେ ଗାଁରେ ? ଲୋକେ ଛୁଆଁଛୁତି କରି ତା’ ସାଙ୍ଗରେ ଚଳୁଛନ୍ତି ତ ? ଭଗବାନ କଣ୍ଡରା ଘରେ ତ ଜନ୍ମ ଦେଲେ–ଏତେ ପାଠ ପଢ଼ି ଶିକ୍ଷିତ ହେଲେ ଲାଭ କ’ଣ ?

 

ଏହାର ମର୍ମ ବୁଝେଇଲେ ସେ ଗାଁ ଲୋକଙ୍କୁ । କଣ୍ଡରା ଟୋକାଟା ଗାଁରେ ପଶି ସମସ୍ତିଙ୍କି କଲା ଛୁଆଁ । ପାଗଳ ପରି ଦିନରାତି ଖଟି ଲୋକ ଗୋଡ଼େଇଲେ ତା’ ପଛରେ । ଧରମ ଛାଡ଼ିଲା ଗାଁରୁ । ଘର କଣର ବୋହୂ ଭୁଆସୁଣୀ ସେ ଟୋକା ବୋଲରେ ପାଦ ପକେଇଲେ ପଦାରେ ।

 

ଚିଠି ପଢ଼ିଲେ ଗାଁ ଲୋକେ । ଚିଡ଼ି ଉଠିଲେ ନରି ଉପରେ । ସେ ଲୁଚେଇ ରଖିଛି ଏତେକଥା ପୁଣି ।

 

ଲୋକଙ୍କ ରାଗ ରହିଲା ନରି ଉପରେ । ସେ ତା’ ପାଖକୁ ମାଡ଼ନ୍ତିନି । ଚାଷକାମ କିଛି ବୁଝନ୍ତିନି । କିମିତି ଯିବେ ତା’ ପାଖକୁ–ସେଟା ହଉଛି ଅଛୁଆଁ ଜାତି । ଛୁଇଁଲେ ତାକୁ ଜାତିଯିବ ତାଙ୍କର । ଏଇ ଛୁଆଁ ରୋଗ ସମସ୍ତଙ୍କ ମନରେ ଯିମିତି ବସାବାନ୍ଧି ରହିଛି ।

 

ଗାଁ ଲୋକେ ଚାହାନ୍ତି ବାହାରକୁ । ଧଳା ଧଳା କୋଠାକାନ୍ଥ ଉପରେ ପଡ଼ିଛି କେଉଁଠି ରାଣିଗଞ୍ଜ ଟାଇଲର ଛାତ । କେଉଁଠି ବା ସିମେଣ୍ଟ ଚଦରର ଛପର । ତାଙ୍କରି ପିଲେ ଏହି କୋଠା ଭିତରେ ପାଠ ପଢ଼ୁଛନ୍ତି ବସି କେତେ ଆରାମରେ । ବିଲ ଗହୀର ଭିତରେ ପଶିଲେ ଲୋକେ ଦେଖନ୍ତି ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛି ଧାନକ୍ଷେତ ସବୁ । ଜାପାନୀ ପ୍ରଣାଳୀରେ ଚାଷ ହୋଇଛି କେତେ ରକମରେ । ଧନିଚା ଗଛ ହିଡ଼ମାନଙ୍କରେ ଛିଡ଼ା ହେଇଛନ୍ତି ମୁଣ୍ଡ ଟେକି ଧାନ ଖେତର ପ୍ରହରୀ ପରି ।

 

ନରିବାବୁ କେତେ ବୁଝେଇଛି ତାଙ୍କୁ ଏଇ ଧନିଚା-ଚାଷ ବିଷୟରେ ସେ ଦିନ । ଧନିୟ ମଞ୍ଜି ଯାହାକୁ ସେ ଭାବୁଥିଲେ ସାମାନ୍ୟ–ଅତି ନଗଣ୍ୟ ବୋଲି–ସେ ଆଜି ତାଙ୍କରି ଫସଲର ବାଡ଼ ହେଇ ଜଗି ରହିଛି । କେବଳ ସେତିକି ନୁହେଁ–ହିଡ଼ ଚାଖଣ୍ଡକ କାହିଁକି ପଡ଼ନ୍ତା ସେମିତି–ତାରି ଉପରେ ଛତା ଟେକିଛି ଏ ଧନିଚା ଗଛ ସବୁ । ବିହନ ପାଇଁ ମଞ୍ଜି ଯୋଗାଇବାକୁ ଚାଷୀଙ୍କି ୟାରି ଉପରେ ବସନ୍ତି କଜଳପାତି–ଅନ୍ୟାନ୍ୟ ଛୋଟ ଛୋଟ ପକ୍ଷୀ ଟିକିଏ ବିଶ୍ରାମ ନେବାକୁ–ତା’ପରେ ଧାନ ପୋକ ଝିଣ୍ଟିକାକୁ କିଆରୀରୁ ବାଛି ପେଟ ପୂରାନ୍ତି ତାଙ୍କର । ଧାନଗଛ ସବୁ ପୋକ ଦାଉରୁ ଆରାମ ପାଆନ୍ତି ବେଶୀ ।

 

ବୁଝେଇଲା ସେ ୟାରି ମରମ କଥା–ଏ ଅକଲ ସେମାନେ ପାଇ ନ ଥିଲେ ଆଗରୁ । ଧାନ ସାଙ୍ଗରେ ବୁଣାଯିବ ଧନିଚା ମଞ୍ଜି–ଲୋକେ ପୁଣି ଜିଭ କାମୁଡ଼ିଲେ–ଏ କ’ଣ କହୁଛି ? ଧାନ ସାଙ୍ଗରେ ଉଠିବ ଧନିଚା ଗଛ–କିଆରୀଟି ହେବ ଝାବରା–ଘାସ ଅନବନା ବାଳୁଙ୍ଗା ପାଟରେ ଧାନ ଗଛ ବଞ୍ଚିବଟି ?

 

ସତକୁ ସତ ତାଙ୍କର ବୁଝିବା ଭୁଲ୍‍ । ଧାନ ଆଉ ଧନିଚା ଗଛ ଯେତେବେଳେ ହେଲା ଚାଖଣ୍ତେ ଚାଖଣ୍ଡେ ଲମ୍ବ–ଠିକ୍‍ ସେହି ସମୟରେ କହିଲା ନରି କରିବାକୁ ବେଉଷଣ ! ଧାନ ଧନିଚା କାଦୁଅରେ ହେଲା ଲଟେଇ ପଟେଇ । ମଇ ଦେଇ ସମାନ କଲେ ଜମିକି ସେମାନେ–ଚେଙ୍ଗା ଚେଙ୍ଗା ହୋଇ ଉଠିଲା ଧାନ ଗଛ ମାତ୍ର ଉଠିଲାନି ଧନିଚା । ସେ ସଢ଼ି ମିଳେଇ ଗଲା ସେହି ଧାନ କିଆରୀ ଭିତରେ । ୟାଟା ପୁଣି ସବୁଜସାର–ଧାନ ପତ୍ର ସବୁ ସବୁଜ ରଙ୍ଗରେ ହେଲେ ଝଙ୍କାଳିଆ–ମୂଲ ହେଲା ମୋଟା–ଦେଖିବାକୁ କି ସୁନ୍ଦର ସତେ ?

 

ଧାନ କିଆରୀ ଭିତରେ ପଶିଲେ ସେମାନଙ୍କର ପେଟ ପୂରି ଉଠେ । ବାଡ଼ି ବଗିଚାର ଫୁଲଫଳକୁ ଚାହିଁଲେ ମନ ଲାଖି ରହେ । ସମସ୍ତଙ୍କ ଆଖିକି ଦିଶେ ଗ୍ରାମସେବକ ନରିବାବୁର ମୁହଁ ଯିମିତି ପ୍ରତି ଫୁଲଫଳରେ ପ୍ରତିଫଳିତ ହୋଇଛି ।

 

ଆଜି କାହିଁକି ତାଙ୍କ ମନ ଗାଁ ଭୂଇଁକି ଚାହୁଁନି–ସମାଜକୁ ପଚାରୁନି–ଜାତି ଅଜାତି ମାନୁନି-। କେତୋଟା ଦିନ ରୋଗରେ ପଡ଼ିଲା ନରି । ଏ ଧାନଗଛ ସବୁ ହେଲାଣି କ’ଣ ?

 

ପୋକ ଚଢ଼ି ଗଲେଣି ଧାନ ଗଛରେ । ସବୁଜପତ୍ରକୁ ଖାଇ ଖାଇ କଲେଣି ଧଳା । କି ଅସୁନ୍ଦର ଦିଶୁଛି ? ଚାଷୀର ମନ ଭାରୀ ବିକଳ–ତା’ର ହୃଦୟ ଯିମିତି ଦୁଃଖରେ ଫାଟି ଯାଉଛି ।

 

ସେମାନେ କାହାକୁ ପଚାରିବେ ଏ ବିଷୟରେ ତାଙ୍କୁ ବତେଇବ କିଏ ଏ ସବୁ ! ବଣି, କଜଳପାତିଗୁଡ଼ାକ କେତେ ଖାଇବେ ଏଇ ପୋକକୁ । ପଙ୍ଗପାଳ ଦଳ କାହୁଁ ମାଡ଼ିଆସିଛନ୍ତି କେଜାଣି ? ତାଙ୍କର ସୁନାର ଫସଲ ଚୂନା ହେଲା ।

 

ନରିର ହାତ ଗଢ଼ା ସେଇ ଯୁବକସଂଘ–ତାରି ଭିତରେ ଦଳପତି ମନ୍ତ୍ରୀ । ତା’ର ସବୁ ମନଗଢ଼ା କଥା କାମ ହାସଲ କରିବା ପାଇଁ । ସମସ୍ତେ ଯାଇଁ କହିଲେ କୃଷିମନ୍ତ୍ରୀ ସଦେଇ ପଧାନଙ୍କୁ-। ସେ ଅବା କରିବେ କ’ଣ ? ପରାମର୍ଶଦାତା ତାଙ୍କର ରୋଗ ଶଯ୍ୟାରେ । ସେ କିମିତି ଯିବେ ଏ କଥା ପଚାରି–କାଳେ ହେଇଯିବେ ଛୁଆଁ ।

 

ସମସ୍ତେ ଚାହାନ୍ତି ସେହି ଭାଗବତଟୁଙ୍ଗି ଆଡ଼େ–ଯେଉଁଠି ଶୋଇଛି ନରି ଗୋଟିଏ ଛିଣ୍ଡା ମସିଣା ଉପରେ ତା’ର ପୀଡ଼ିତ ଅଙ୍ଗଟିକି ଲୋଟେଇ ଦେଇ ।

 

କେହି କେହି ଯାଇ ଉଣ୍ଡନ୍ତି–କାନପାରି ଶୁଣନ୍ତି ସେଇ ଭାଗବତଟୁଙ୍ଗି ପାଖେ ଥାଇ । ବେଳେବେଳେ ତା’ର ବେଦନା ଦଗ୍ଧ ହୃଦୟର କରୁଣ ଚିତ୍କାର ଗୃହଭେଦ କରି ବାହାରକୁ ଚାଲିଆସେ । ବିଚଳିତ ମନର ଦୁର୍ବଳ ଛାତିତଳୁ ଥରେ ଥରେ ଦୀର୍ଘଶ୍ୱାସର ଆଭାସ ରୂପପାଏ କ୍ଷୀଣକଣ୍ଠରେ...ଉଁ–ଉଁ ଶବ୍ଦରେ–ବୋଉ–ବୋଉ ଡାକରେ । ବାହାର ମଣିଷ ହୃଦୟରେ ସୃଷ୍ଟିକରେ କମ୍ପନ ଏଇ ଆକୁଳଭରା କୁନ୍ଥନକୁ ଶ୍ରବଣ କରି ।

 

ସେ ଡାକରେ ଥିଲା ସାହାଯ୍ୟ–ପ୍ରାର୍ଥନା–ସେବା । ଲୋକେ ଅନୁଭବ କଲେ ସିନା ମାତ୍ର ତାଙ୍କର ଗୋଡ଼ ଦୁଇଟି ସେ ଘର ପାହାଚ ଉପରକୁ ଉଠିଲାନି ।

 

ଲୋକେ ଆଉ ସମ୍ଭାଳନ୍ତେ କେତେ ? ନିଜର ଫସଲରେ ଲାଗିଲେଣି ପୋକ–ତାଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ଯେ ବାଟ ବତାନ୍ତା ସେ ଶୋଇଲା ରୋଗରେ । ତାକୁ ସେମାନେ କଲେନି ସାହାଯ୍ୟ–ସେ’ବି କିମିତି ଚାହିଁବ ତାଙ୍କୁ ? ଦୁନିଆଁ ଭିତରେ ପରସ୍ପରର ସାହାଯ୍ୟ ସହାନୁଭୂତି ଥାଏ ଇମିତି ?

 

ଶେଷରେ ସମସ୍ତେ ହେଲେ ବିଚଳିତ । ରାଗଉଠିଲା ବଳବନ୍ତ ରାଏଙ୍କ ଉପରକୁ । ସେ ପରଚିଠି ପଢ଼ିଲେ କାହିଁକି ? ଇମିତି ଗୁଡ଼ାଏ କଥା କହି ତାଙ୍କ ସରଳ ମନରେ ଆଘାତ କଲେ ସିନା-!! କିଏ କିଏ କହିଲେ–“ଭାଙ୍ଗ ଏ ସମାଜ–ଉଠା ଏ ଜାତି ପ୍ରଥା । ସମସ୍ତେ ଗୋଟିଏ ଧର୍ମ ଗୋଟିଏ ଜାତିର ଲୋକ । ଏତେ ଜାତିଭେଦ ରହି ସମାଜ ଦୁର୍ବଳ–କାମକରିବାରେ ବିଭ୍ରାଟ–ଆଉ ମନକୁ କରେ ଫାଙ୍କ ଫାଙ୍କ ।”

 

ସମସ୍ତେ କହିଲେ ଡକାଯିବ ଗୋଟିଏ ସଭା । ଯୁବକସଂଘର ସଭ୍ୟମାନେ ସବୁ ଏକାଠି ହେଲେ । ସେ ଏ ସଭାରେ ଡାକିବେ ବଳବନ୍ତରାଏ ଆଉ ମାହାପାତ୍ରଙ୍କୁ ଯୋଗ ଦେବାକୁ । ଦୁଇ ମୁଖିଆ ଲୋକଙ୍କ ପରାମର୍ଶରେ ସବୁକଥା ହେବ ନିଷ୍ପତ୍ତି । ନରି ସଙ୍ଗେ ମିଶିବେ ସେମାନେ । ଛୁଆଁ ଅଛୁଆଁ ବାରଣ ଗୋଟେ ବାହାନା ସିନା–ତାଙ୍କର ସୁନାର ଫସଲ ଚୂନା ହେଲେ ତା’ପାଇଁ ଦାୟୀ କିଏ ?

 

ସୁକୀ ଖାଇନି ଦି’ ଦିନ ହେଲା । ତା’ କଥା କେହି ବୁଝିନି ତାକୁ ପଦେ ପଚାରିନି–“କ’ଣ ତା’ର ହେଇଛି ?”

 

କାଇଁଚ ଘରଆଡ଼େ ଆଉ ଆସିନି–ତା’ର ମୁଣ୍ଡକୁ ସେ କଲା ଗୋଳମାଳ–ସେ ପାଗଳିନୀ ହୋଇଛି ତା’ ଲାଗି । ପୁଣି ସେ ଭାବେ–ତା’ର କ’ଣ ଭୁଲ୍‍–ସେ ବାହାରୁ ଯାହା ଶୁଣିଲା–ତା’ ପାଖରେ ଆସି କହିଲା । ସମସ୍ତଙ୍କ ମୁହଁରେ ସେ ଶୁଣିଛି ସେହି ଗୋଟିଏ କଥା ନରି ବାବୁଟା ବାଉରି କି କଣ୍ଡରା ।

 

ତିନିଦିନ ହେଲା ସେ ପଡ଼ିଛନ୍ତି ବାଧିକା । ଏ ଗାଁ ଲୋକେ ପାଖ ପଶୁ ନାହାନ୍ତି କେହି–ଖାଇଲେ କି ନ ଖାଇଲେ ? କିମିତି ଅଛନ୍ତି ? କ’ଣ ହେଇଛି ତାଙ୍କର ? କେହି ଜାଣିଲେନି ଖବର ।

 

କେହି ବୁଝୁନାହାନ୍ତି କିଛି ଖାଲି ଛୁଆଁ ଡରରେ । କେତେ କାମ କରି ନାହାନ୍ତି ସେ ଲୋକଙ୍କ ପାଇଁ । ଦିନ ନାହିଁ ରାତିନାହିଁ ସେ ହୋଇଛନ୍ତି ଏ ଗାଁ ପାଇଁ ପାଗଳ । ତାଙ୍କୁ ଏବେ ଲୋକେ ପାସୋରିଲେ । ମଲାବେଳେ ସୁଦ୍ଧା ଠିଆ ହେଲେନି ପାଖରେ ।

 

ସେ କ’ଣ କରିବ ? ଗାଁ ଲୋକ ହୋଇଛନ୍ତି ବିପକ୍ଷ । ସେ କିମିତି ଯିବ ? ପଚାରି ଆସିବ ପଦେ ଭଲମନ୍ଦ କଥା ।

 

କାଇଁଚଟା କୁଆଡ଼େ ଥିଲା ଦଉଡ଼ି ଆସିଲା ସେତିକିବେଳେ ତାକୁ ଦେଖିଲେ ସୁକୀର ଦେହ ଥରେ । ମୁଣ୍ଡ ଝାଇଁ ମାରେ । ସେ ପୁଣି ଆଣିଥିବ କି ଖବର–ଧ୍ୟାନ ଭାଙ୍ଗିଲା ତା’ର । ଉଦ୍‍ବିଘ୍ନ ମନରେ ଚାହିଁ ରହିଲା ସେ କାଇଁଚ ଆଡ଼େ ।

 

ଧଇଁ ସଇଁ ହୋଇ ଧାଇଁଚି ସେ ତା’ପାଖକୁ କାହିଁକି ? କେତେ ପାପ ଛୁଇଁଲା ମନରେ ତା’ର । ଅଜଣା ଭୟରେ ଦିହଟା ଥରି ଉଠିଲା ।

 

କଥା କହିପାରୁନି ସେ–ଛାତିଟା ତା’ର ଦପ୍‍ ଦପ୍‍ ହେଇ ପଡ଼ୁଚି ଉଠୁଚି । ସେ ଘାବୁରି ଗଲାପରି କ’ଣ ଗୁଡ଼ାଏ କହିବାକୁ ଆରମ୍ଭ କଲା । କିଛି ବୁଝି ପାରିଲାନି ସୁକୀ ।

 

ସେ ତାକୁ ପାଖରେ ବସେଇଲା–ପିଠିକି ଥାପୁଡ଼େଇ କହିଲା “ବସେ କାଇଁଚ । ଯାହା ଭାଗ୍ୟରେ ଥିବ ତାହା ଘଟିବ । ଯାହା ଭଲ କି ମନ୍ଦ ଏଇ କାନ ଶୁଣିବ । ମଣିଷ ସବୁ ସହିବାକୁ ଏ ସଂସାରକୁ ଆସିଛି । ଏମିତି ହେଲେ ସେ କ’ଣ ଶାନ୍ତି ପାଇବ ?”

 

ଟିକିଏ ଦମ୍‍ ମାରିଲା କାଇଁଚ–ପ୍ରଖର ନିଃଶ୍ୱାସ ତା’ର ଉଶ୍ୱାସ ହୋଇ ଆସିଲା–ଦପ୍‍ଦପ୍‍ ହେଇ ପଡ଼ୁଥିବା ଛାତି ନରମି ଗଲା । ସେ ଆରମ୍ଭ କଲା କଥା ।

 

“ସୁକୀ ନାନୀ ! ତୋ ନାଁରେ ସଭା ବସିବ ଆଜି ରାତିରେ । ମୁଁ ପାଇଲି ଏ ଖବର ଗାଁ ବାଲାଙ୍କଠୁଁ । ଲୋକ ଗଲେଣି ପରା ତୋର ଶାଶୁଘର ଗାଁକୁ–କାଲି ଆସିବ ବାଉରି । ତୁ ସତରେ ସୁକୀନାନୀ ମୋତେ ଛାଡ଼ିଦେଇ ଯିବୁ ?”

 

“ଆଚ୍ଛା କାଇଁଚ ! ଏତିକି ନାଁ ଆଉ କିଛି ଅଛି ? ପଚାରିଲା ସୁକୀ ।’’

 

ଆହୁରି ଅଛି ଲୋ ମୋ କଥା ସରିନି କହିଲା ସେ ।

 

ମୁଡ଼ୁକି ହସି କହି ପକାଇଲା ସୁକୀ ତାକୁ–“ତେବେ କହି ଯାଆ–ଆଉ ଡେରି କାହିଁକି ?”

 

“ସତେ ! ତୁ ଖିଆଲ ଭାବିଛୁ ମୋ କଥାକୁ ନୁହେଁ !”

 

ସୁକୀ ମୁଣ୍ଡ ହଲାଇ କହିଲା–“ମିଛ ନୁହେଁ–ତୋ ଖବର ସବୁ ସତ । ମୁଁ କାହିଁକି ଅବିଶ୍ୱାସ କରିବି ?”

 

ସୁକୀନାନୀ ତୁତ କାଲି ଚାଲିଯିବୁ । ଟିକିଏ ଗଲୁନି ନରିବାବୁଙ୍କୁ ଦେଖି ଆସିବାକୁ । ମୁଁ ବାଟରେ ପଧାନ ଘର ଆଡ଼େ ଯାଉଥିଲି ଯେ–ତାଙ୍କର ଯେଉଁ ଆକୁଳ ଚିତ୍କାର ଆଉ ବିକଳ କ୍ରନ୍ଦନ ଧ୍ଵନି ସହିପାରିଲିନି ଜମା–ତଟି ପଡ଼ି ଗଲାଣି–ଚେଁ ଚେଁ ଶବ୍ଦ–କଥା କହିପାରୁ ନାହାନ୍ତି । ଏ ଅବସ୍ଥାରେ ତୁ.....

 

ପାଟିକି ତା’ର ଜାବୁଡ଼ି ଧରିଲା ସୁକୀ । ଆଖିପତା ହେଲା ତା’ର ଛଳଛଳ । ପର ଗାଁରେ ପରଲୋକଙ୍କ ପାଖରେ ଜୀବନ ଦେବ ସେ–ତାଙ୍କର କେହି ନାହିଁ ଆହା କରିବାକୁ ପାଖରେ । ମନ ତା’ର ତରଳିଗଲା ସେ ଚାହିଁ ପାରିଲାନି କାଇଁଚ ମୁହଁକୁ ।

 

କାଇଁଚ ଲୁଗା କାନିରେ ପୋଛିଲା ତା’ର ଲୁହ । “ଛିଃ ! ସୁକୀନାନୀ ତୁ କାନ୍ଦୁଛୁ ଏମିତି ପିଲାଙ୍କ ପରି । ତୋ ମନ ଘାଣ୍ଟି ହଉଚି କିଲୋ ? ଦେଖି ତୋ ଚନ୍ଦ୍ରମା ବଦନ ।”

 

“ନାହିଁ ଲୋ, ସେ ମୋର କ’ଣ ଯେ, ମନ ମୋର ଘାଣ୍ଟିହେବ–ତାଙ୍କ ପାଇଁ ଲୁହ କାଢ଼ିବି ଆଖିରୁ । କାନ୍ଦିବି କଇଁ କଇଁ ହେଇ ।’’

 

ପୁଣି କହିଲା କାଇଁଚ “ତୁ ଦେଖି ଆସିଲୁଣିକି ତାଙ୍କୁ ?” ଚାରି ଆସନଛାଡ଼ି ସେ ପଡ଼ିଛନ୍ତି ଯିମିତି–କେହିହେଲେ ମଣିଷ ଜୀବନ ଧରି ସହିପାରିବେନି ସେ କରୁଣ ଦୃଶ୍ୟକୁ ଦେଖି ।

 

“ହଇଲୋ ! ତୋ ଉପରେ ସମସ୍ତଙ୍କର ଏତେ ରାଗ କାହିଁକି ? ତୁ ମିଶୁଛୁ ନରିବାବୁ ସାଙ୍ଗେ । ତତେ ସେ ଦେଖି ହସେ । ତୁ ତାକୁ ଭାରୀ ଭଲପାଉ । ତୋତେ ସେଇଥିପାଇଁ ଶାଶୁଘରୁ ଡାକରା ଭାର ଆସିବ । ତୋତେ ଗାଁ ବାଲା ପଠେଇବେ ଜବରଦସ୍ତି ଜୋର କରି ସେହି ଗାଁ’କୁ ।’’

 

ଆଜି ସଭାରେ ତୋ ନନାକୁ ଖାଲି ପଚାରିବେ । ୟା’ ହୋଇଛି ଠିକ୍‍ ।

 

“ଥା ! ଥା ! ବେଳବୁଡ଼ିଲାଣି । ସଞ୍ଜ ଉଖୁରିଲାଣି । ଘରେ କେହି ନାହାନ୍ତି । ମୁଁ ଯାଉଛି । କେତେ ପାଇଟି ପଡ଼ିଛି ।” ତରତର ହୋଇ ଚାଲିଗଲା କାଇଁଚ । ତାକୁ କଟମଟ କରି ଚାହିଁ ରହିଲା ଖାଲି ସୁକୀ !

 

ସତକୁ ସତ ରାତି ଦୁଇ ଘଡ଼ିଠେଇଁ ଖବର ଆସିଲା ଗ୍ରାମବାସୀଙ୍କ ପାଖରୁ । ଦୁଇଜଣ ଲୋକ ଆସି ମାହାପାତ୍ରେ, ମାହାପାତ୍ରେଆଜ୍ଞା–“ଘରେ ଅଛନ୍ତି କି’ ବୋଲି ପାଟିକରି ଡାକିଲେ ।” ସେ ଡାକରେ ସେ ହେଲା ଛାନିଆଁ । କାଇଁଚ କଥା ମନେପଡ଼ିଲା ତା’ର । ସେ ସତରେ ଚାଲିଯିବ ଏ ଗାଁ ଭୂଇଁ ଛାଡ଼ି । ମୋହ ମାୟା ତୁଟିବ । ସ୍ନେହ ମମତା ଭୁଲିବ । ଆଉ ଗୋଟେ ଗାଁରେ ସେ ବୋହୂ ହୋଇ ବସିବ କବାଟ କଣରେ ଏମିତି ଓଢ଼ଣା ଟାଣି ତା’ର ନୂଆ ଭାଉଜମାନେ ଦିନେ ବସିଥିଲେ ଯିମିତି !

 

ସେ ହସି ହସି ସେହି ନୂଆ ମଣିଷଙ୍କର ହାତେ ଲମ୍ବର ଓଢ଼ଣାଟା ଟାଣିଆଣେ–କହେ କେତେକଥା । ଦୁନିଆଁ ଯାଇଁ କେଉଁଠି ପାଇଲାଣି । ଆଉ ଯୁଗଅଛି ଇମିତି ଗୋଟେ ମୁଣ୍ଡରେ ଢାଙ୍କି କୁଜି ଭଳି ନଇଁ ନଇଁ ଚାଲିବାକୁ ।

 

ଜିଭ କାମୁଡ଼ନ୍ତି ଭାଉଜମାନେ । ଏ କ’ଣ କହୁଛି ସୁକୀ । ସମାଜର ନିୟମ–ଗାଁର ଚାଲିଚଳଣ–ଦେଖା ଶିକ୍ଷା ବିଦ୍ୟା । ସେମାନେ କିମିତି ୟା’କୁ ଛାଡ଼ି ତା’ କଥା ମାନିବେ ।

 

ସେ ପୁଣି ନଇଁ ନଇଁ ପଶିବ ସବାରି ଭିତରେ । ବାହୁନି କାନ୍ଦିବ ୟାକୁ–ତାକୁ ଧରି । ବିଦାୟ ମାଗିବ ସମସ୍ତଙ୍କୁ ଛଳ ଛଳ ନୟନରେ । ଗଉଡ଼ମାନେ ବୋହିନେବେ ତାକୁ ମଲା ମଣିଷକୁ ଯିମିତି ନିଅନ୍ତି କାନ୍ଧରେ ପକେଇ ମଶାଣି ଭୂଇଁକି ।

 

ରାଗ ଆସେ ମନରେ ତା’ର । ସେ କରି ପାରିବନି ସିମିତି–ଯାହା ଚାହୁଁଛି ଏ ମଣିଷ ଗଢ଼ା ସମାଜ । ସେ ଶୁଣିବନି କାହାକଥା–ଯାହା ତାକୁ ଭଲ ଲାଗୁନି ଜମା । ସେ ରଖିବନି ପିତା ମାତାଙ୍କ ସ୍ନେହ ସୁହାଗ–ଯେଉଁଠି ମନ ମାନୁନି ତା’ର ।

 

କ୍ରୋଧ ନଇଁ ଆସେ ଆପେ । ମନ ହୁଏ ବ୍ୟାକୁଳ । ସେ କିମିତି ନାହିଁ କରିବ ସମସ୍ତଙ୍କୁ-? ଯାହା ସମାଜ ବିରୋଧ ସେ ତାକୁ କିମିତି ଗ୍ରହଣ କରିବ । ପିତାମାତାଙ୍କର ସ୍ନେହ ଶରଧା ଯାହା ଅମୃତ ତୁଲ୍ୟ–ତାକୁ ସେ ତ ଛାଡ଼ି ପାରିବନି ।

 

ସେ ତା’ର ମନକୁ ପଚାରେ । କ’ଣ କରିବ ସେ ? ତା’ର କର୍ତ୍ତବ୍ୟ କ’ଣ ! ସେ କ’ଣ ସମସ୍ତଙ୍କ କଥାମାନି ସୁନାପିଲାଟି ପରି ନଇଁ ନଇଁ ପଶିବ ସବାରି ଭିତରେ । ଲୋକେ ବୋହିନେବେ ତାକୁ ଦୂର ଗାଁକୁ କୁହାଟ ମରା ଡାକ ଛାଡ଼ି ।

 

ମାହାପାତ୍ରେ ଲୋକଙ୍କ ସଙ୍ଗେ ଚାଲିଲେ ସେଇ ଗାଁମୁଣ୍ଡ ବରଗଛ ମୂଳକୁ ଯେଉଁଠି ତିଆରି ହୋଇଛି ବଖରାଏ ଟାଇଲ ଛପର ଘର ଯୁବକସଂଘ ପାଇଁ । ଗାଁ ଗୋଟିକରୁ ସବୁଲୋକେ ଗଲେ ଡକାଡକି ହୋଇ । ଘରେ ଆଉ କେହି ନାହାନ୍ତି । ସମସ୍ତଙ୍କର ତାଟି କବାଟ ବନ୍ଦ । ଗାଁ ଦାଣ୍ଡ ନିଛାଟିଆ ହୋଇଛି । ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି ।

 

ସୁକୀ ନନାକୁ ତା’ର ଛାଡ଼ିଲା ବାହାରକୁ–ଝିଞ୍ଜର ଲଗାଇଲା ଭିତର ପଟୁ । ତା’ ମନ ଅଥୟ ହେଉଥାଏ । ସେ ବସି ପାରିଲାନି ଘର ଭିତରେ । ଏପଟ ସେପଟେ ହେଉଥାଏ ଖାଲି । ବୋଉପାଇଁ ବାଲିପାଣି ଟିକିଏ ଆଉଟିଲା ସେ । ତାକୁ ରଖିଦେଇ ପୁଣି ଆସିଲା ଦାଣ୍ଡ ଘରକୁ । ଲଣ୍ଠନ ଆଲୁଅଟି ମିଞ୍ଜିମିଞ୍ଜି ହେଇ ଜଳୁଛି ସିମିତି । ସେ ଗୋଟିଏ ପେଟରାକୁ ଆଉଜି ବସିଲା ଧ୍ୟାନମଗ୍ନ ଚିତ୍ତରେ ।

 

ଏଣେ ଗାଁର ସଭା ଚାଲିଥାଏ । ଯୁବକସଂଘର ନୂଆ ପେଟ୍ରୋମାକ୍ସ ଆଲୁଅଟି ସେଁ ସେଁ ଗର୍ଜ୍ଜନ ଛାଡ଼ି ଉଜ୍ଜ୍ୱଳ ଆଲୋକି ବିଚ୍ଛୁରିତ କରିଥାଏ ଚାରିଆଡ଼କୁ । ମହାଜନ ବଳବନ୍ତ ରାଏ ନରି ବିଷୟରେ କଲେ ଭୀଷଣ ପ୍ରତିବାଦ । ମାତ୍ର ତାଙ୍କର ଯୁକ୍ତିକୁ କେହି ରଖିଲେନି ଟିକିଏ ହେଲେ ।

 

ସମସ୍ତେ କହିଲେ–ମଣିଷକୁ ଛୁଇଁଲେ ଛୁଆଁ କେହି ହୋଇ ଯାଏନି । ସେ ଉପକାର କରିଛି ତାଙ୍କର–ତା’ ଯୋଗେ ଏ ଗାଁ ଭୂଇଁ ହସି ଉଠିଛି । ତାକୁ ସେ ଛାଡ଼ି ରହିପାରିବେନି । ତା’ର ଭଲମନ୍ଦ ସେମାନେ ନ ବୁଝିଲେ ତା’ର ଏଠି କିଏ ଅଛି ଯେ ସବୁ ବୁଝିବ ? ଆଉ ହେଳାକଲେ ବାଧିକା ଦେହରେ ତା’ର ଜୀବନ ହେବ ସଂକଟାପନ୍ନ । ଗାଁର ହେବ ନିନ୍ଦା । ସେମାନେ ସମସ୍ତେ ହେବେ ଦୋଷୀ ।

 

ବଳବନ୍ତରାଏଙ୍କର ଅକଲ ହେଲା ଗୁଡ଼ୁମ୍ । ସେ କ’ଣ ଦେବେ ଜବାବ୍‍ ଚିନ୍ତାକରି ପାରିଲେନି । ସେ ଗୁମ୍‍ମାରି ଟିକିଏ ବସିଗଲେ । ତାଙ୍କରି ମନେ ପଡ଼ିଗଲା ସକାଳର କଥା । କାଇଁଚ ଆସି ଗଉରକୁ କହୁଥିଲା ସବୁ ବିଷୟ । ସୁକୀ ଯାଏ ଲୁଚି ଲୁଚି ନରି ପାଖକୁ ରାତିଅଧରେ । ତା’ର ସେବା ସେ କରେ । ଦୁଇ ଜଣଙ୍କ ଭିତରେ ନିବିଡ଼ ପ୍ରେମର ବନ୍ଧନ ଜମାଟ ବାନ୍ଧି ହୋଇ ରହିଛି । ସେ ଘନିଭୂତ ପ୍ରେମକୁ ସମସ୍ତେ ଅନୁମାନ କରି ଜାଣୁଥିବେ ସିନା–କେହି ଦେଖିପାରି ନାହାନ୍ତି ।

 

କାଇଁଚ କହିଲା ଗଉରକୁ ଆଜି, ସୁକୀ ଯିବବୋଲି କହୁଥିଲା ନରି ପାଖକୁ–ସେ ପଡ଼ିଛି ବାଧିକାରେ ଅତିବ୍ୟସ୍ତ ଭାବରେ । ନିଶ୍ଚୟ ନଆସି ରହିପରିବନି ।

 

ବଳବନ୍ତ ରାଏ ସେହି କଥାକୁ ନେଇ ସଭାରେ କହିଲେ ଗୋଟି ଗୋଟି କରି । ଛୁଆଁ ପାଇଁ ସେ ପ୍ରତିବାଦ କରୁନାହାନ୍ତି ମାତ୍ର ଅଜଣା ଲୋକ ଜଣେ ଯେବେ ଗାଁର ଝିଅ ବୋହୂଙ୍କୁ କରେ ଅତ୍ୟାଚାର–ତାଙ୍କର ଇଜ୍ଜତ ତଳେ ପକାଏ–ତେବେ ସମସ୍ତିଙ୍କି ଏଟା ବାଧିବ ବେଶୀ ।

 

ମହାପାତ୍ରଙ୍କ ଝିଅସଙ୍ଗେ ତା’ର ଅଛି ଘନିଷ୍ଠ ସମ୍ପର୍କ । ସେ ରାତ୍ରିରେ ଆସେ ତା’ ପାଖକୁ ପ୍ରତିଦିନ । ଗାଁର ଲୋକେ ଏଇଟା କ’ଣ ଜାଣି ନାହାନ୍ତି ?

 

ଗ୍ରାମବାସୀମାନେ ପରସ୍ପର ମୁହଁକୁ ଚାହିଁ ରହିଲେ । କ’ଣ ଏ କହିଲା ମହାଜନ ? ସଭା ମଧ୍ୟରେ ଗୋଟିଏ ପଲ୍ଲୀବାଳିକା ଇଜ୍ଜତକୁ ଖୋଲିଲା ଇୟେ । ସତ ହେଉ ବା’ ମିଛ ହେଉ ଲୋକେ ଦୋଷଗୁଡ଼ିକୁ ଘୋଡ଼ାଇ ପକାନ୍ତି । ଲୋକର ଭଲ କଥାକୁ ଆଖି ଖୋଲି ଦେଖନ୍ତି ସିନା–ତା’ର ଦୋଷଗୁଡ଼ିକ ପାଇଁ ଚକ୍ଷୁ ବନ୍ଦ କରିବାକୁ ପୁରାଣ ଶାସ୍ତ୍ର ସବୁ କହୁଛି ।

 

ମହାପାତ୍ରେ ଖପା ହୋଇ ଉଠିଲେ । ତାଙ୍କର ସୁକୀ ଫେରେ କରିଛି ଇମିତି କାମ ? ନା, ନା–ସେ ବରଦାସ୍ତ କରିପାରିବେନି ଏ କଥାଗୁଡ଼ାକ । ସେ ଯୁକ୍ତି କରି କହିଲେ–“ନିଜେ ସେ ରାତ୍ରିରେ ବାଡ଼ି କବାଟରେ ପକାନ୍ତି ତାଲା–ଆଉ ଦାଣ୍ଡଘରେ କବାଟ ପାଖକୁ ଲାଗି ଶୁଅନ୍ତି । ସୁକୀ ତା’ ମା’ଆ ପାଖରେ ସିମିତି ଶୋଇଥାଏ ରାତି ପାହିଲା ଯାଏଁ । ସେ କିମିତି ଘରଛାଡ଼ି ରାତି ଅଧରେ ପଦାକୁ ଗଲା ? କି’ଏ ୟାର ପ୍ରମାଣ ଦେବ ?”

 

ବଳବନ୍ତରାଏ ନିଶଫୁଲାଇ କହିପକେଇଲେ ସେ ତା’ର ପ୍ରମାଣ ଦେବେ ଆଜିକାଲି ଭିତରେ । ସମସ୍ତେ ଏ କଥାରେ ହେଲେ ତାଟକା ।

 

ଯୁବକସଂଘର ସେକ୍ରେଟେରୀ ଛିଡ଼ା ହୋଇ କହିଲେ–“ଏତେ କଥାରୁ କ’ଣ ମିଳିବ ? ସୁକୀ କାଲି ରାତିପାହିଲେ ଯିବ ପୁଆଣୀ ହେଇ ତା’ର ଶାଶୁଘରକୁ । ଖବର ଯିବ କାଲି ସକାଳୁ ହରିପୁର ଗାଁକୁ ।”

 

ତେବେ ମହାଜନେ ଯାହା କହିଲେ–ସେ କଥାର ଏ ଦୁଇ ଦିନ ଭିତରେ ଗ୍ରାମବାସୀଙ୍କି ଚାକ୍ଷୁଷ ପ୍ରମାଣ ଦେବେ ।

 

ପ୍ରମାଣ ଦେଇ ନ ପାରିଲେ ଗାଁ ଭାଇମାନଙ୍କଠାରୁ ବାସନ୍ଦ ହୋଇ ରହିବେ । ସମସ୍ତେ ହେଲେ ନିରବ । ଏ କଥାକୁ ଯିମିତି ସମର୍ଥନ କରୁଥିଲେ ଗ୍ରାମବାସୀ ।

 

ଏବେ ସୁକୀର ମନ ଅଥୟ । ସେ ବସି ପାରୁନି ଗୋଟିଏ ଜାଗାରେ–ଶୋଇ ବି ପାରୁନି–ତା’ ଆଖିରେ ଲଗେଇଛି କିଏ ମାୟାର ଅଞ୍ଜନ । ସେ ଆଉ ସମ୍ଭାଳି ପାରିଲାନି । ଦାଣ୍ଡଘର ପେଟେରା ପାଖରୁ ଉଠିଲା । ଆସ୍ତେ ଆସ୍ତେ ମଝି ଘରକୁ ଗଲା । ବୋଉ ତା’ର ଶୋଇଛି ଜରରେ ହେଂସ କତରା ଉପରେ ଢାଙ୍କି ହୋଇ । ସେ ଦୁଆରକୁ ଆସ୍ତେ ଆଉଜେଇ ଆଣିଲା । ବାଲିପାଣି ଟିକିଏ ଗିନାରେ ଢାଳି ସେ ବାହାରିଲା ଯିବ ବୋଲି ନରି ବାବୁ ପାଖକୁ ।

 

ତାକୁ ଜଣାନାହିଁ । ତା’ର ଗତିବିଧି ଲକ୍ଷ୍ୟ କରୁଛି ଅନ୍ୟଜଣେ ଦାଣ୍ଡ ପିଣ୍ଡାର ଝରକା ପାଖରେ ଛିଡ଼ାହୋଇ । ସେ ଯିମିତି ଫିଟେଇଛି କବାଟ–ସିମିତି ଘନ ଅନ୍ଧକାର ଭିତରେ ଜଣେ କିଏ ଛିଡ଼ା ହେବାର ଦେଖିଲା ଆଖିରେ ।

 

ଚମକି ପଡ଼ିଲା ସୁକୀ । ତା’ର ହାତରୁ ବାଲିପାଣି ଗିନାଟି ପଡ଼ିଗଲା ତଳେ ।

 

“ଭୟ କଲୁକି ସୁକୀ ! ମୁଁ ପରା ତୋ ଗୌର ଭାଇ !”

 

ତା’ ପିଣ୍ଡରେ ପଶିଲା ପ୍ରାଣ । ସେ ଦୁଆର ପାଖକୁ ଘୁଞ୍ଚିଯାଇ କହିଲା–“ଗଉର ଭାଇ ! କାଳେ ନାହିଁ ବେଳେ ନାହିଁ । ତୁମେ ଆସି ଏତେ ରାତିରେ ଛିଡ଼ା ହୋଇଛ ବାରଣ୍ଡାରେ ?”

 

ଗଉର କହିଲା–“ସୁକୀ ତୋ ଉପରେ ସମସ୍ତଙ୍କର ରାଗ । ସବୁକଥା ପରେ କହିବି । ମୋର ବୋଲ ମାନ । ତୁ କାହିଁକି ପଦାକୁ ବାହାରିଥିଲୁ କହିଲୁ ।”

 

ଛାତିଟା ସୁକୀର ଦପ୍‍ ଦପ୍‍ ହୋଇ ପଡ଼ିଲା ଉଠିଲା । ସେ କ’ଣ ଦେବ ଜବାବ ?

 

ଗଉର ପୁଣି କହିଲା–ଆଜି ତୁ କୁଆଡ଼େ ଯାଆନା ମୁଁ କହୁଛି । ବିପଦ ତୋ ମୁଣ୍ଡ ଉପରେ । ତୋତେ ମୁଁ ଏତେ ଭଲ ପାଇଥିଲି କେଉଁ ଆଶାରେ ତୁ ଜାଣିଥିବୁ । କାଲି ସକାଳେ ତୁ ଯିବୁ ପର ଘରକୁ । ଏ ଗାଁ ଭୂଇଁ ଛାଡ଼ିବୁ । ହେଲେ ପିଲାଦିନର ଘନିଷ୍ଠ ସମ୍ପର୍କ ତୁ କାଟି ଦେଇ ଯିବୁ ସିନା ?

 

ନା–ନା ଗଉର ଭାଇ, ତୁମକୁ ମୁଁ ଭଲପାଏ ସବୁଠୁଁ ବେଶୀ ତୁମେ ଚିନ୍ତା କରନି ସେ କଥାକୁ । ତୁମେ ଯାଅ । ମୁଁ ଦୁଆର ଦେଇ ରହିଲି ତୁମ କଥା ମାନି । ସେ କହୁ କହୁ ଦାଣ୍ଡ କବାଟରେ ଲଗେଇଲା କିଳିଣି ।

 

ଗଉର ଫେରିଲା ପୁଣି । ଆଉ କ’ଣ ସବୁ ଶୁଣିବ ବୋଲି ସେ ଗଲା ସଭା ପାଖକୁ ।

 

ସୁକୀ ଦେଖିଲା ଗୌର ଚାଲିଗଲାଣି କୁଆଡ଼େ । ସେଟା ପାଠଶାଠ ଛାଡ଼ି ହୁଣ୍ଡାଙ୍କ ପରି ଖାଲି ବୁଲୁଛି । ପର ଝିଅ ବୋହୂଙ୍କ ପିଛା ଧରି ସେ କ’ଣ ପାଏ କେଜାଣି ?

 

ସେ ଜାଣେ–ଗୌରର ଆଖିଅଛି ତା’ ଉପରେ । ସେ କାଇଁଚ ହାତରେ କେତେକ’ଣ ଯୁବତୀ ମନଲୋଭା ପଦାର୍ଥମାନ ପଠାଇଥିଲା ତା’ ପାଖକୁ । ରାଗ ଲାଗିଲା ତାକୁ–ଫେରେଇ ଦେଲା ସାଙ୍ଗେ ସାଙ୍ଗେ ।

 

ଅଲାଜୁକକୁ ଲାଜଲାଗିଲାନି ଜମା–ସେ ପୁଣି ପଠେଇଲା ମାଳିଆକୁ ଆଉ କେତେ ସୁନା ଗହଣା ସବୁ ଦେଇ । ସେ ମାଳିଆକୁ ଗାଳିଦେଲା କେତେ । ଫେରେଇ ନେବାକୁ କହିଲା ସେ ବହୁମୂଲ୍ୟର ଅଳଙ୍କାର ସବୁ । ତା’ର ବାଲ୍ୟସଙ୍ଗିନୀ ସେ–କିମିତି ଧରି ଆସିଛି ଏ ସବୁ ତା’ ପାଖକୁ । ରତ୍ନର ମୋହ ଦେଖାଇ ସେ ଯୁବତୀ ଯୌବନ ରତ୍ନକୁ ନଷ୍ଟ କରିବାକୁ ବସିଛି କାହିଁକି ?

 

ସେ ତାକୁ ଡାକୁଛି ଭାଇ ବୋଲି । ସେ ପୁଣି ଭଉଣୀକି ତା’ର ଟାଣୁଛି କାହିଁକି ନରକପୁରୀକି ତା’ର ନାରକୀୟ ବାସନକୁ ମେଣ୍ଟାଇବାକୁ । କାଇଁଚ ଏ କଥା ପଦକରେ ଖାଲି କାନ୍ଦିଲା । ସେ କ୍ଷମା ମାଗିଲା ତା’ ପାଖରେ । ଗରିବ ଘରର ଝିଅ ସେ–ଖାଇବା ଗୁଜୁରାଣ ମେଣ୍ଟାଏ ବୋଲି ସେ ଭାଙ୍ଗି ପାରିଲାନି ଗଉର କଥାକୁ । ସାଙ୍ଗକୁ ତା’ର ବିପଦରେ ପକାଇବାକୁ ସେ ଏ ସମ୍ପଦ ନେଇ ଆସିଛି ଆଜି ତା’ ପାଖକୁ ।

 

ଲୋତକଭରା ଆଖିକି ସେ ଲୁଗା କାନିରେ ପୋଛି ଜିନିଷ ଧରି ଲେଉଟିଲା ପୁଣି ।

 

ସୁକୀ ଭାବିଲା ପୁଣି–ଆଜି କଥା କାଲିକି ନାହିଁ । ସେ ଡେରି କଲେ ଚଳିବନି । ଏତେ ଭାବିଲେ କିଛି ଲାଭନାହିଁ । ସେ ଯିମିତି ବାହାରିଥିଲା ଯିବାକୁ । ସେଇ ସଜ୍ଜରେ ସେ ଚାଲିଯିବ ନରିବାବୁକୁ ଦେଖିବାକୁ । କାହାକଥା ସେ ଶୁଣିବନି–କାହା ମୁହଁକୁ ସେ ଚାହିଁବନି ।

 

ବିଚାର କଲା ସେ ମନରେ–ଯେବେ ଗାଁ ସଭା ଭାଙ୍ଗେ ନନା ତା’ର ଆସିବେ ଘରକୁ । ଦେଖିବେ ସୁକୀ ନାହିଁ ଘରେ । ସେ କ’ଣ ଭାବିବେ ? ନା ନା ସେ ତା’ ବିଷୟରେ ଚିନ୍ତା କରିବାକୁ ଦେବନି । ସେ ତା’ ବାଟ ସଫା କରିଯିବ । ସେ ଦାଣ୍ଡ କବାଟକୁ ଖୋଲିଲା ପୁଣି–ଚାରିଆଡ଼କୁ ଚାହିଁଲା । ଗାଁ ଦାଣ୍ଡ ନିଶୂନ । କେହି ନାହାନ୍ତି କୁଆଡ଼େ । ସେ ପୁଣି ବନ୍ଦକଲା ଦୁଆର–ଭଲକରି ଲଗେଇଲା ଖିଡ଼ିକି ।

 

ମଝିଘରେ ଶୋଇଛି ମାଆ । ତା’ର ବାତଜର । ସେ ଉଠିପାରେନି । କମ୍ୱଳ ଢାଙ୍କି ପଡ଼ିରହିଛି ସେ ! ଆଉଥରେ ଦେଖି ସେ କବାଟ ଆଉଜେଇ ଆଣିଲା । ବାଲିପାଣି ଡିକିଚିରୁ ଗିନାକୁ ଢାଳିଲା । ସେ ପୁଣି ଚାଲିଲା ଅଗଣାକୁ । ଖାଲି ବାଲିପାଣି ଟୋପାଏ କ’ଣ ନିଅନ୍ତା ? ହାତ ବଢ଼େଇ ଅଗଣା ପାଖରେ ଥିବା ଲେମ୍ବୁ ଗଛରୁ ସେ ତୋଳିଲା ଗୋଟିଏ କାଗଜି ଲେମ୍ବୁ । ମନରେ ସେ ଭାବିଲା–“ଆହା ଚାରିଦିନର ବାଧକିରେ ତୁଣ୍ଡ ତାଙ୍କର ପିତା ହୋଇଥିବ–ଅରୁଚି ଭାଙ୍ଗିବ ଏଇ ଲେମ୍ବୁ ପାଣି ଟିକକ ।”

 

ଏଇ ଆଶାରେ ସେ ଧଇଲା ତାକୁ–ବାହାରିଲା ବାଡ଼ି ପଟକୁ । ତାକୁ ଆଜି ଭୟ ନାହିଁ–ଅନ୍ଧାରଗୁଡ଼ାକ ଜମାଟ ବାନ୍ଧି ଗଛଲତା ଭିତରେ ରହିଛି । ମୁହଁକୁ ମୁହଁ ଦିଶୁନି । ସେ ବାଡ଼ି ଦୁଆରଟି ଆଉଜେଇ ଆଣି ଚାଲିଲା ଏକମୁହାଁ ।

 

ବାଡ଼ି ପାଖ ନଡ଼ିଆ ତୋଟା ଭିତରେ ଗଛଗୁଡ଼ାକ ଅନ୍ଧାର ଭିତରେ ଆକାଶକୁ ମୁଣ୍ଡଟେକି ଭୂତ ପରି ଛିଡ଼ା ହୋଇ ରହିଛନ୍ତି–ସେ କାହାରିକୁ ନ ଚାହିଁ ଚାଲିଲା ସିମିତି । ଏହି ନଡ଼ିଆ ବଗିଚାର ବାଡ଼ ହୋଇ ରହିଛି କିଆ କେତକୀର ବଣ । ତାରି ପାଖରେ ପହଞ୍ଚିଲା ବେଳକୁ ସେ ଶୁଣିଲା ଖଡ଼ ଖଡ଼ ଶବ୍ଦ । କିଆ ପତରଗୁଡ଼ାକ ମଡ଼ମଡ଼ ହୋଇ ଭାଙ୍ଗି ପଡ଼ିଲା । ସେ ଚମକି ପଡ଼ିଲା ଟିକିଏ–ଆଉ ଆଗକୁ ଯାଇ ପାରିଲାନି ଭୟରେ ।

 

ସେ ଦେଖିଲା ଦୁଇଟି ବିଲୁଆ ସେଇ କେତକୀ ବଣରୁ ବାହାରି ଆଗପଛ ହୋଇ ଚାଲିଛନ୍ତି ଗହୀର ମାଳକୁ । ତା’ର ମନରୁ ଭୟ ତୁଟିଲା–ସେ ସ୍ଥାନଟି କିଆ କେତକୀର ମୃଦୁ ଗନ୍ଧରେ ଭରପୁର ହୋଇଥିଲା । ତା’ର ଶଙ୍କିତ ମନ ଆଉ ଭୟ ବିହ୍ଵଳିତ ଚିତ୍ତକୁ ଏ କେତକୀ ଫୁଲ ଗନ୍ଧ ଯେମିତି ଆମୋଦ ଦେଇ ଲାଘବ କରୁଥିଲା । ଭାବନାରେ ଭରି ହେଉଥିବା ମନଟା ତା’ର ହୋଇଗଲା ହାଲୁକା । ଆଗେଇ ଚାଲିଲା ପୁଣି ।

 

ସେହି ଅନ୍ଧକାର ରାତ୍ରି ଭିତରେ ଗଛ ଡାଳପତ୍ରରେ ଅସଂଖ୍ୟ ଜୁଳୁ ଜୁଳୁକା ପୋକ ଲିଭୁଥିଲେ ପୁଣି ଜଳୁଥିଲେ । ଘନ ଅନ୍ଧକାର ରଜନୀର ଭୀମକାନ୍ତ ଶୋଭା ଦର୍ଶନ କରି ସୁକୀ ପହଞ୍ଚିଲାଣି ଯାଇଁ ସେହି ଭାଗବତଟୁଙ୍ଗି ନିକଟରେ । ତାକୁ ଜମା ଜଣାଯାଉନି ବାଟ–ସେ ଚିହ୍ନି ପାରୁନି ଘର ।

 

ସେ ବେଶ୍‍ ଧରି ପାରିଲା । ଏଇଠି ସେ ଘରଟା ଯେଉଁଠି ଶୋଇଛି ନରିବାବୁ ରୋଗରେ-। ସେ ଆଉ ବିଳମ୍ବ ନକରି ଚଢ଼ିଗଲା ପାହାଚ ଉପରକୁ । କାହା ଉପରେ ସେ ପକେଇଲା ପାଦ–ତାକୁ ନରମ ଲାଗିଲା ସିନା–ଭୋ, ଭୋ ରଡ଼ି ଛାଡ଼ି କାଳିଆ କୁତିଟା ଚାଲିଗଲା କେଉଁଆଡ଼େ-। ସୁକୀ ଚମକି ପଡ଼ିଲା–ତା’ର ଗୋଡ଼ ଖସିଗଲା ସେହି ପାହାଚରୁ । ଅନ୍ଧାରରେ ସେ ଜାଣିପାରିଲାନି କିଛି । ଦୁମ୍‍କିନା କଚାଡ଼ି ହୋଇ ସେ ପଡ଼ିଲା ତଳେ । ତା’ର ବାଲିପାଣି ଟିକକ ଢାଳିଗଲା–ଲେମ୍ବୁଟି ହାତରୁ ଗଡ଼ିଗଲା କାହିଁ କେତେ ଦୂର ସେହି ଅନ୍ଧାରରେ ।

 

କୁକୁର ଶବ୍ଦ ସଙ୍ଗକୁ କାହାର ପଡ଼ିବା ଆବାଜ ନରି ଶୁଣିଲା । ବୁଜିହୋଇଥିବା ଆଖିପତା ତା’ର ଖୋଲିଗଲା ଆପେ ଆପେ । ସେ ଶୋଇ ରହି ସିମିତ ଚାହିଁଥାଏ । ଉଠିବାକୁ ବଳ ପାଉନଥାଏ ଜମା । କାଳେ ନାହିଁ, ବେଳେ ନାହିଁ, କେହି ମାଡ଼ନ୍ତିନି ତା’ ଦୁଆର । ଦିନରାତି କବାଟ ନଥିବା ଦୁଆରଟି ମୁକୁଳା ହୋଇ ରହିଥାଏ ସିମିତ । ସେ ବୁଲିବୁଲି ଆସେ ଗାଁ ମାନଙ୍କରୁ କେତେରାତିକି । ହାଲିଆ ହେଇଥାଏ ସେ । କେଉଁଦିନ କ’ଣ ଖାଏ ନ ଖାଏ କିଏ ଦେଖେନି କି କେହି ବୁଝେନି । ସେ ଲମ୍ବହୋଇ ପଡ଼ିଯାଏ ସେଇ ଖଣ୍ଡିଆ ସପ ମସିଣାଟି ଉପରେ ।

 

ସେତିକିବେଳେ କାହିଁ ବୁଲିବୁଲି ଆସି କାଳିଆ କୁତିଟା ଶୋଇଯାଏ ତାରି ଦୁଆର ମୁହଁରେ । ତାକୁ ସେ ଜଗେ ରାତ୍ରିରେ । ତା’ ସହିତ ନରିର ନିବିଡ଼ ସମ୍ପର୍କ । କାଳିଆ କୁତିର ଜୀବନ ସହିତ ତା’ର ଜୀବନର ବହୁତ ସାମଞ୍ଜସ୍ୟ ରହିଛି । ତାକୁ ପୁଣି କିଏ ତଡ଼ିଦେଲା ଗୋଇଠା ମାରି ଦୁଆର ମୁହଁରୁ ?

 

ମନ ତା’ର ମାନିଲାନି । କୁନ୍ଥେଇ କୁନ୍ଥେଇ ଉଠିଲା ସେ । ମୁଣ୍ଡ ବୁଲେଇ ଦଉଛି । କାଳେ ସେ ଯେମିତି କଟା ଗନ୍ଥପରି ଦୁଲ୍‍କିନା ପଡ଼ିବ ମୁହଁ ମାଡ଼ି । ଏହି ଭୟରେ ସେ କାନ୍ଥବାଡ଼ ଧରି ପିଲାଙ୍କ ପରି ଠୁକେଇ ଠୁକେଇ ଚାଲିଲା ।

 

ସେ ଯାଇଁ ପହଞ୍ଚିଲା ଦୁଆର ମୁହଁରେ । ବିଶ୍ୱାସ କରି ପାରିଲାନି । ତା’ର ତୁଣ୍ଡରୁ କଥା ବାହାରିଲାନି ପଚାରିବାକୁ । ପ୍ରଶ୍ନ ଉଠିଲା ମନରେ ।

 

ସେ କିଏ ?

 

କେଡ଼େ ଅବସ୍ଥାରେ ସେ ପଡ଼ିଛି ଗାଁ ଦାଣ୍ଡରେ ! ଗୋରା ଦକଦକ ଦେହଟି ତା’ର ସ୍ପଷ୍ଟ ବାରି ହେଉଥିଲା ଅନ୍ଧାର ରାତିରେ । ତା’ର ମନକୁ ପାପ ଛୁଇଁଲା । ସେ ତ ପୁରୁଷପରି ଦେଖାଯାଉନି–ନିଶ୍ଚୟ ଜଣେ ଅବଳା–ସେ ସିମିତ ଅଣ୍ଡାଳି ଅଣ୍ଡାଳି ଗଲା ପାହାଚ ପାଖକୁ । ଦେଖିଲା ସେ ଉଠିବାକୁ ଚେଷ୍ଟା କରୁଛି–ମାତ୍ର ଉଠିପାରୁନି ।

 

ତା’ ମନରେ ଚେତା ପଶିଲା–ସେ ତେବେ କିଏ ? ଅଜଣାତରେ ଶୁଖିଲା କଣ୍ଠରୁ ତା’ର ଭାସି ଆସିଲା ନରମ କଥା...କିଏ ?

 

ସୁକୀ ବ୍ୟସ୍ତଭରା କଣ୍ଠରେ ନରିବାବୁକୁ ଏମିତି ଦେଖି ଧିରେ ଡାକିଲା...ନରିବାବୁ ?

 

ନରିର ଭାବନା ହେଲା ଠିକ୍‍ । ତା’ର ସୁକୀ ଆଦରର ସେହି ସୁକୀ ଆସିଛି ଏତେ ରାତ୍ରିରେ–ପୁଣି ଗୋଟେ କଣ୍ଡରା ଟୋକାର ଦୁଆରକୁ । ତା’ର ନରମ ରକ୍ତ ଗରମ ହୋଇଗଲା–ମାଡ଼ି ଆସିଲା ଦେହରେ ଭୀମର ବଳ ଚାହୁଁ ଚାହୁଁ । ସେ ପାହାଚ ଡେଇଁ ଚାଲିଲା ତଳକୁ–ସୁକୀ ଯେଉଁଠି ପଡ଼ିଛି ଅନ୍ଧାରରେ ।

 

ସେ ସୁକୀ କି ଟେକି ନେବାକୁ ବସିଲା ଘର ଭିତରକୁ । ଆହତ ଅଙ୍ଗକୁ ତା’ର ସେ ଦେଖିବ । କୁକୁରଟା କାମୁଡ଼ିଥିବ କାଳେ କେଉଁଠିକି । କିନ୍ତୁ ସେ ପାରିଲାନି । ଉପାସିଆ ଦିହରେ ତା’ର ବଳ କାହୁଁ ଆସନ୍ତା ? ସୁକୀ କି ଟାଣି ଛିଡ଼ା କରେଇଲା ସେ ।

 

ତା’ପରେ ସେ ମୁହଁ ବୁଲେଇଲା ଯିବବୋଲି ଘରକୁ । ଖାଲି ପଦେ କହିଲା–ସୁକୀ ତୁ ଶୀଘ୍ର ଚାଲି ଯା’ଆ ଘରକୁ । ଗାଁ ଲୋକେ ୟିଲାଗେ ଫେରିବେ ସଭା ସାରି । ଦେଖୁନୁ, ଲାଇଟ ଜଳୁଛି କିମିତି ସେ ବରଗଛ ମୂଳ ପାଖ ଘରଟିରେ ।

 

ନରିବାବୁ ! “ମୁଁ ଫେରିଯିବାକୁ ଆସିନି । ମୁଁ ଆସିଛି ତୁମ ପାଖକୁ–ତୁମରି ଶୁଖିଲା ମୁହଁକୁ ଦେଖିବି ବୋଲି ଚାରିଦିନ ହେଲା ଆସି ପାରିନି । ଆଜି ଗାଁଟି ଖାଲି ପଡ଼ିଛି–କେହି ନାହାନ୍ତି କୁଆଡ଼େ । ସେହି ସୁବିଧା ଦେଖି ଚାଲି ଆସିଲି । ସୁକୀ ଏଗୁଡ଼ାକ ଏକା ଧାରାରେ ବକ୍ତୃତା ଦେଲାପରି କହିଗଲା । ଦିହ କିମିତି ଅଛି ନରିବାବୁ ? ପୁଣି ପ୍ରଶ୍ନ କଲା ସେ !

 

ନରି ଦେଖିଲା–ଏଣେ ଗ୍ରାମବାସୀ ଛୁଆଁ ଛୁଆଁ ବୋଲି ତା’ ପାଖ ପଶୁନାହାନ୍ତି–ତା’ପରେ ସୁକୀର ହଠାତ୍‍ ଆଗମନ ତା’ପକ୍ଷେ ଧୂମକେତୁ ପରି ଜଣାଗଲା । ଲୋକେ ଦେଖିଲେ ତା’ର ହେବ ସର୍ବନାଶ ।

 

କ’ଣ ଭାବୁଛ କହି, ସୁକୀ ହାତଧରି ନରିକୁ ଧୀରେ ଧୀରେ ନେଲା ଘର ଭିତରକୁ । ମାତ୍ର ନରିର ଦିହରେ ସତେ ଆଉ ଜୀବନ ନାହିଁ ? ସେ ଆଉ କିଛି କହି ପାରିଲାନି ।

 

ସେ ଖାଲି ପଚାରିଲା କୁକୁର କେଉଁଠିକି କାମୁଡ଼ିଛି ?

 

ସୁକୀ କହିଲା–ଆଣ୍ଠୁ ପାଖଟା କାହିଁକି ଟିକିଏ ପୋଡ଼ୁଛି ।

 

ହଠାତ୍‍ ନରି ଖୋଜି ପକେଇଲା । ତା’ର ଲ୍ୟାମ୍ପଟି ସେ ଦରାଣ୍ଡି ପାଇଲାନି–ମାତ୍ର ସୁଟକେଶ ତଳୁ ଖଣ୍ଡିଆ ମହମବତୀଟିଏ ପାଇଲା–ସେ ଲଗେଇଲା ତାକୁ ।

 

ଗୋଡ଼ଟିକି ଟେକି ଦେଖିଲା ସୁକୀର–ରକ୍ତ ଧାର ଲାଗିଛି–ଆଞ୍ଚୁଡ଼ା ଚିହ୍ନ ନିଶ୍ଚୟ–ଦାନ୍ତ ବସିନି । ସେ ତା’ର ଫାଷ୍ଟଏଡ୍‍ ବାକ୍ସଟି ଦରାଣ୍ଡି ଆଣିଲା–ସେହି କ୍ଷତ ସ୍ଥାନଟିକି ଆୟୋଡିନରେ ତୁଳା ଲଗାଇ ପୋଛିଲା । ତା’ପରେ ମଲମ ଦେଇ ତୁଳା ପଟି ପକେଇ ବାନ୍ଧିଦେଲା । ସୁକୀକି ଭାରି ଆରାମ ଲାଗୁଥିଲା । ସେ ପୁଣି ପଚାରିଲା ଆଉ କେଉଁଠି ଆଘାତ ଲାଗିଛି କି ?

ସୁକୀ ଟିକିଏ ହସି ଉତ୍ତର ଦେଲା...ନା !

ସେ ଗିନାଟି ସୁକୀ ହାତରେ ଦେଖି ପୁଣି ପଚାରିଲା–“ଏଥିରେ କ’ଣ ଧରିଛୁ ସୁକୀ !”

ତାକୁ ଭାରୀ ଲାଜ ଲାଗିଲା–ସେ କ’ଣ ଉତ୍ତର ଦେବ ଭାବିପାରିଲାନି । ବାଲିପାଣି ଟିକକ ଅଜାଡ଼ି ହୋଇ ଆଉ ଟିକିଏ ଲାଗିଛି ଗିନା କଣରେ ।

ତା’ର ଲଜ୍ଜାବନତ ମୁଖ ଦେଖି ନରି ନିଜେ ଗିନାଟି ଛଡ଼େଇ ନେଲା–ସେ ଦେଖିଲା ବାଲିପାଣି ଟିକିଏ ଅଛି । ଏଇ ମୋର ଯଥେଷ୍ଟ ‘ସୁକୀ’ ଏଇ ମୋର ସବୁ । ଗାଁ ଚାହିଁନି–ଲୋକେ ଆସିଲେନି ମୋ ପାଖକୁ ମାତ୍ର ସେଇ ଗାଁର ସରଳା ଅବଳା କିମିତି ପାରିଲା । ସେ ଆଗ୍ରହରେ ପିଇଦେଲା ସେ ବାଲିପାଣି ଟିକକ ।

“ସୁକୀ ! ଏଥର ତୋ ମନ ବୋଧ ହେଲା ? ଘରକୁ ଚାଲିଯା ବହୁତ ରାତି ହେଇଗଲାଣି-। ମୋ ଦେହ ଭଲ ହେଇଯିବ କାଲିକି । ତୁ ବ୍ୟସ୍ତ ହୁଅନି । ପରେ ସବୁ କଥାବାର୍ତ୍ତା ।”

ସୁକୀ ମୁଣ୍ଡଟେକି ଚାହିଁଲା ତାକୁ । ସେ ଚାହାଣିରେ ଥିଲା ଆବେଗ–ଉତ୍କଣ୍ଠା । ସେ ସମ୍ଭାଳି ପାରିଲାନି । ଆଖି ପତା ତା’ର ଓଦା ହେଇ ଆସିଲା ।

ଜଳୁଥିବା ମହମବତୀ ଟେକି ଧରିଲା ନରି । ଆରେ ଏ କ’ଣ ? ତୁ କାନ୍ଦୁଛୁ କାହିଁକି ? ତୋର କ’ଣ ହୋଇଛି ? ନରି ଏ ଗାଁ ଭୂଇଁରେ ଥିବା ପର୍ଯ୍ୟନ୍ତ କିଛି ତୋର ହବନି–ତୁ ଆଉ କାନ୍ଦେନି ସୁକୀ ।

 

ଏଇ କଥା ପଦକରେ ସୁକୀର କୋହ ଉଠିଲା ବେଶୀ । ସେ ପଣତ କାନି ଉହାଡ଼ରେ ମୁହଁ ଲୁଚେଇ ପିଲାଙ୍କପରି କାନ୍ଦିଲା ଖାଲି । ସେ କୋହରେ ଦେହଟି ତା’ର ଥରୁଥିଲା ଯିମିତି ।

 

ନରି ଆଶ୍ୱାସନା ଦେଲା କେତେ । ପିଠିକି ତା’ର ସ୍ନେହରେ ଆଉଁଶି ବୋଧ ଦେଲା । ପଚାରିଲା ଆଦରରେ “କ’ଣ ହେଇଛି ସୁକୀ ?

 

ସୁକୀର କୋହ ଚାପିହୋଇଗଲା ଟିକିଏ । ସେ ଖନେଇ ଖନେଇ କହୁଁ କହୁଁ ପୁଣି ଆସିଲା ଧକ ।

 

ନରି ଜାଣି ପାରିଲା ତା’ର ମନର ବେଦନା । ସରଳା ବାଳିକା ପ୍ରାଣରେ ଦେଇଛି କିଏ ଦାରୁଣ ଆଘାତ । ସେ ତା’ର ମନର ବାସନା ଖୋଲି ପାରୁନି ।

 

ସେ ମିଛରେ ତା’ ମନକୁ ଭୁଲେଇବା ପାଇଁ କହିଲା–“ଏ ସୁକୀ ! ଦେଖ୍‍ ଦେଖ୍‍ ଗାଁ ଲୋକଙ୍କ ସଭା ଭାଙ୍ଗିଗଲାଣି । ସେ ଲାଇଟିଟି ଧରି ଆସିଲେଣି ଗାଁ ଦାଣ୍ଡରେ ।”

 

ସୁକୀର କାନ୍ଦ ବନ୍ଦ ହୋଇଗଲା । ସେ ଲୁହପୋଛି ଚାହିଁଲା ପଛକୁ । କାହିଁ ଆଲୁଅ–କାହାନ୍ତି ଲୋକେ । ସବୁ ମିଛ । ଯେଉଁ ଅନ୍ଧାରକୁ ସେଇ ଅନ୍ଧାର ଘୋଟି ରହିଛି ଗଛପତର ବାଟ ଘାଟ ସବୁ ।

 

ତାକୁ ଲାଜ ଲାଗିଲା ବେଶୀ–ସେ ତଳକୁ ମୁହଁପୋତି କହିଲା–“ଏଁ ମୋତେ ଏମିତି ଡରଉଛ ଯେ ମୁଁ ଡରିବି !”

 

ତୋର ତ ଡର ନାହିଁ । ମନରେ ଭୟ ନାହିଁ କାହାକୁ ! ତେବେ ମୋ କଥାରେ ଚାହିଁଲୁ କିମିତି ପଛକୁ ।

 

ତା’ର ଅବୁଝା ମନକୁ ବୁଝେଇବାକୁ ସେ କଲେ ଏମିତି କୌଶଳ–ସୁକୀ ଜାଣି ପାରିଲା ସବୁ ।

 

ନରିବାବୁ ! “କାଲିଠୁଁ ଆଉ ମୋତେ ଏ ଗାଁରେ ଦେଖିବାକୁ ସପନ ।” ତୁମଠାରୁ ଛଡ଼େଇ ଜୋରକରି ଗାଁ ଲୋକେ ପଠେଇବେ ମୋତେ ବହୁ ଦୂରକୁ । ସେଇଥି ପାଇଁ ତାଙ୍କର ଏ ସଭା । ମୁଁ କାଲି ଯିବି ମୋ ଶାଶୁଘରକୁ ।

 

ସେଇଥିପାଇଁ ତୁ ଏତେ ରାତିରେ ଚାଲିଆସିଲୁ ଗରିବ ଭାଇଟି ପାଖକୁ । ମୋର ଆଶୀର୍ବାଦ ନେଇ ତୁ ସୁଖରେ ତୋର ଘରସଂସାର କରେ । କହିଲା ନରି !

 

ତାଟକା ହେଲା ସୁକୀ । କ’ଣ ସେ କହିଲେ “ଭାଇ !” ଫେରେ ସେ ପ୍ରଶ୍ନକଲା ଆଶ୍ଚର୍ଯ୍ୟ ହେଇ–“ତୁମେ ମୋର ଭାଇ ?”

 

“ହଁ ଲୋ, ସୁକୀ ! ତୁ ମୋର ସାନ ଭଉଣୀଟିଏ । ବେଦନା ଦଗ୍ଧ ନିଃସ୍ୱ ଭାଇର ହୃଦୟକୁ ତୁ ତରଳେଇ ଦେଇଛୁ ଆଜି ।” ନରି ଆଖିରେ ଲୁହ ଛଳଛଳ ହେଲା ।

 

ନରିବାବୁ ତୁମେ କ’ଣ କଲ–ଜିଇଁ ଥାଉଁ ଥାଉଁ ତୁମର ହତଭାଗିନୀ ସୁକୀକୁ ଜାଚି ଦେଲ ପରକୁ । ତା’ର ଜୀବନ କଲ ମାଟି । ଏୟା ଥିଲା ତୁମର ଶେଷ ଆଶା । ସୁକୀ ଲୁହ ପୋଛିଲା ଆଖିରୁ ।

 

କ’ଣ ଆଉ କରିବି ସୁକୀ ତୋ’ପାଇଁ–ମୁଁ କିଛି ଦେଇ ପାରିଲିନି ଉପହାର । ଗରିବ ଭାଇ ତୋର ଆଜି ପାଇଛି ହୀନିମାନିଆ ଗ୍ରାମସେବକ ଚାକିରି । ପଇସାଟିଏ ପାଖରେ ନାହିଁ । କିମିତି ସେ କିଣିବ ଭଉଣୀ ପାଇଁ ଗୋଟେ ଉପହାର । ଖାଲି ହାତଟାରେ ସେ ବିଦାୟ ଦେବ କିମିତି ତାକୁ-? ସେ ପିଲାଙ୍କ ପରି କାନ୍ଦିଲା ।

 

ସୁକୀ ଲୁହ ପୋଛିଲା ନରିର ଆଖିରୁ ନିଜ ଲୁଗା କାନିରେ । ସେ ବି କାନ୍ଦୁଥାଏ ସିମିତି ।

 

ତୁମେ ମୋର ଦେବତା । ମୁଁ ମନ ସମର୍ପି ଦେଇଛି ତୁମକୁ ତୁମେ ଏମିତି... ? ସେ ଆଉ କହିପାରିଲାନି କଥା ।

 

ସଙ୍ଗେ ସଙ୍ଗେ ପାଟିକି ତା’ର ଚାପି ଧରିଲା ନରି । ଏମିତି କଥା କୁହନ୍ତି ? ତୁ ପରା ମୋର ସାନ ଭଉଣୀ । ତୋ’ପାଇଁ କାଲି କିଣି ଆଣିବି ଗୋଟିଏ ସୁନାର ହାର । ଯେତେ ଯାହାହେଉ ତୁ ତାକୁ ଗ୍ରହଣ କରିବୁ । ତୁ ନାଇବୁ ତାକୁ ବେକରେ–ମୁଁ ହେବି ସିନା ଖୁସି । ତୋର ଗରିବ ଭାଇର ଯୌତୁକ ସେ । ତୁ ମନା କଲେ ମୋ ମନ ହେବ କଷ୍ଟ । ସେ କାନ୍ଦିଲା କଇଁ କଇଁ ହେଇ ସୁକୀର ହାତଟିକୁ ନିଜହାତ ଭିତରେ ରଖି ।

 

ସୂକୀ ବି କାନ୍ଦୁଥିଲା ସିମିତି । କି’ଏ କାହାକୁ ବୋଧଦେଇ ପାରିଲେନି । କାହାର କଥା କିଏ ବୁଝିଲେନି ।

 

ଏହି ସମୟରେ ଗାଁ ଦାଣ୍ଡରେ ଦେଖାଗଲା ପେଟ୍ରୋମାକ୍ସ ଲାଇଟର ଉଜ୍ଜ୍ୱଳ ଆଲୁଅ । କଥାବାର୍ତ୍ତା ହୋଇ ଫେରୁଛନ୍ତି ଗ୍ରାମବାସୀମାନେ ।

 

ସୁକୀ ହଠାତ୍‍ ଲୁହପୋଛିଲା ତା’ର । ତରବର ହେଇ ଛିଡ଼ା ହେଲା । କ’ଣ ସେ କରିବ–କୁଆଡ଼ିକି ଯିବ ?

 

ନରି ତା’ର ହାତଧରି ବସେଇଲା ପୁଣି । ତୁ କାହିଁକି ସିମିତି ହଉଛୁ ସୁକୀ ? ଏଇ ଛୁଆଁ ଲୋକ ପାଖକୁ କିଏ କାହିଁକି ଆସିବ ? ଏ ଦୁଆର ସମସ୍ତଙ୍କୁ ମନା । ତା’ର ଛାଇ ପଡ଼ିଲେ ସେ ହେବେ ଛୁଆଁ । ସେମାନେ ଯାଆନ୍ତୁ ତାଙ୍କ ଘରମାନଙ୍କୁ–ତୁ ଚାଲିଯିବୁ ତାଙ୍କ ପଛେ ପଛେ ।

 

ତାଟକା ହୋଇ ଚାହିଁଲା ସୁକୀ । “ଏ କ’ଣ ତୁମେ କହୁଛ ?” ସେ ପରା ଆସିବେ ତୁମ ପାଖକୁ–ନିଦ ତାଙ୍କର ଭାଙ୍ଗିଛି–ମନ ତାଙ୍କର ବୁଝିଛି ଏତେଦିନେ । ସେ ପଚାରିବେ ଏଥର ଭଲମନ୍ଦ କଥାସବୁ । ଏ ସଭାରେ ତୁମ ବିଷୟ ମଧ୍ୟ ଥିଲା ବିଚାରାଧୀନ ।

 

ବିଶ୍ୱାସ କରି ପାରିଲାନି ନରି–ସେ ଚାହିଁ ରହିଲା ସୁକୀ ମୁହଁକୁ ବଲବଲ କରି ।

 

ସତକୁ ସତ ଲାଇଟିଟି ଅଟକି ଗଲା ଆସି ତାରି ଦୁଆର ମୁହଁରେ । ତା’ର ମୁଣ୍ଡ ହେଲା ଗୋଳମାଳ ବେଶୀ । କେଉଁ ଦିନର ଲମ୍ବ ହେଁସଟା ଡେରା ହେଇଥିଲା ସେଇ ଘର କଣକୁ । ସେଇଟା ଗ୍ରାମବାସୀଙ୍କର ହାତ ପାଣ୍ଠିରୁ କିଣା ହୋଇ ରହିଛି । ପାଲା–ଦାସକାଠି–ଗୋଟିପୁଅ–ଦଣ୍ଡନାଟ ଆସିଲେ ଲୋକେ ବସିବାକୁ ଏ ଓସାରିଆ ହେଁସ ପଟିଟି ବୁକୁରେ ତା’ର ଦିଏ ସ୍ଥାନ ।

 

ତାରି ଭିତରେ ଗୁରେଇ ହେଇ ରହିଲା ସୁକୀ–ସେ ବି ତାରି କୋଳରେ ଶେଷରେ ସ୍ଥାନଦେଲା ତାକୁ । ମହତ ତା’ର ରଖିଲା ସେ ।

 

ଗ୍ରାମବାସୀ ଟୁପୁରୁଟାପର ହେଉଥାନ୍ତି ବାହାରେ । ନରି ଲିଭେଇ ଦେଲା ସେହି ମହମବତୀଟି ତା’ର । ସେ ଚିତିହୋଇ ଲୁଗା ଢାଙ୍କି ଶୋଇ ରହିଲା । ଆଉ ଦୁଇ ଆଖିପତା ବନ୍ଦକରି ଡାକୁଥିଲା ଭଗବାନଙ୍କୁ କିମିତି ତା’ର ସୁକୀକି ଏ ବିପଦରୁ ରକ୍ଷା କରନ୍ତୁ ସେ ।

 

ସେ ଶୁଣୁଥାଏ ସିମିତି ଶୋଇ ରହି । ଗ୍ରାମବାସୀମାନେ ପେଲା ଠେଲା ହେଉଥାନ୍ତି କେତେ । କିଏ ଆଗ ଚଢ଼ିବ ପାହାଚ ଉପରକୁ–ଆଗ ପଶିବ ଘରେ–କଥା କହିବ ନରିକି । ଏଇସବୁ କଥା ସେ ଜାଣି ପାରୁଥାଏ ଘର ଭିତରେ ଥାଇ ।

 

କିଛି ସମୟପରେ ନରତ୍ତମ ଯେ ଦଳର ମୁଖିଆ ସେ ଉଠିଲା ଉପରକୁ ଲାଇଟିଟି ହାତରେ ଧରି । ଅନ୍ୟମାନେ ତା’ର ପଛେ ପଛେ ଚାଲିଲେ । ସେ ଉଜ୍ଜ୍ୱଳ ଆଲୁଅଟିରେ ଘରଟି ଆହୁରି ଦିଶୁଥିଲା ଉଜ୍ଜ୍ଵଳ ।

 

“ନରି ବାବୁ । ଏ ନରି ବାବୁ ।” ଡାକିଲା ନରତ୍ତମ ପାଖକୁ ଯାଇ ।

 

ମନରେ ଭୟ ହୃଦୟରେ କୋହ ରଖି ସେ ଅଳ୍ପ ଆଖିପତା ଫିଟାଇଲା । ସେତେବେଳକୁ ନରତ୍ତମ ତା’ ଦେହରେ ହାତମାରି ଦେଖିଲାଣି । ଗ୍ରାମବାସୀମାନେ ଉଦ୍‍ବିଘ୍ନ ମନରେ ଚାହିଁରହିଛନ୍ତି ତାକୁ ।

 

ନରତ୍ତମ କହିଲା–ଅଳ୍ପ ଉଷୁମ ଅଛି ଦିହ । ଜର ଭଲକରି ଛାଡ଼ିନି । ସେ କହିଲା ମଦନକୁ ଦୁଧ ଟିକିଏ ଗରମ କରି ଆଣିବାକୁ ।

 

ଆଖି ଫିଟାଇ ସମସ୍ତଙ୍କୁ ଚାହିଁ ଦୁଇହାତ ମୁଣ୍ଡରେ ଲଗାଇ ନରି ପ୍ରଣାମ ଜଣେଇଲା । ସେ ପୁଣି ହାତ ହଲେଇ ନାହିଁକଲା କିଛି ଖାଇବାକୁ ।

 

ଗାଁବାଲାଙ୍କ ଏକଜିଦ୍‍ ତାକୁ ସେ ନ ଖୋଇ ଛାଡ଼ିବେନି । ସେ ଉପାୟ ପାଇଲାନି ଆଉ । ତୁଣ୍ଡ ଫିଟେଇବାକୁ ବାଧ୍ୟ ହେଲା । କ୍ଷୀଣ କଣ୍ଠରେ ସେ କଥା ଢୋକି ଢୋକି କହିଲା–“ଜର ଛାଡ଼ିନି ମୋତ କିଛି ଭଲ ଲାଗୁନି–ଯାହା ଖାଇବି ସକାଳେ ।”

 

ଗ୍ରାମବାସୀ ବୁଝିଲେ ତା’ର ମନର କଥା । ସେ ଭଲ ଅଛି । କଥା କହିଲା ତାଙ୍କୁ । ଜବାବ ଦେଲା ସକାଳେ ଖାଇବାକୁ । ଆଉ ସେ ବିଳମ୍ବ କରନ୍ତେ କାହିଁକି ? ସମସ୍ତେ ଫେରିଲେ ସେ ଭାଗବତଟୁଙ୍ଗିରୁ ।

 

ଉଜ୍ଜ୍ଵଳ ଘରଟି ପୁଣି ହେଲା ଅନ୍ଧକାର । ସୁକୀ ଝାଳ ସଲବଲରେ ବୁଡ଼ି ଯାଇଥିଲା । ସେ ହେଁସ ଭିତରେ ରହି । ସେ ଡାକୁଥିଲା ଭଗବାନଙ୍କୁ କେତେ । କିମିତି ଲୋକେ ଯିବେ ସେ ଘରୁ–ସେ ବାହାରିବ ପଦାକୁ ।

 

ନରି ଇଠିପଡ଼ି ଜଳେଇଲା ପୁଣି ତା’ର ସେହି ଖଣ୍ଡିଆ ମହମବତୀଟା–ସେ ସୁକୀକି ଡାକିଲା ଆସ୍ତେ ଆସ୍ତେ କରି । ବିପଦ ସଂକୁଳ ବଣ୍ୟ ହରିଣୀଟି ପରି ସେ ବାହାରିଲା ସେ ଭିତରୁ । ଦେହ ତା’ର ଥରୁଥିଲା–ମନଟି ଯିମିତି ଦୁର୍ବଳ ହୋଇଥିଲା ।

 

ନରି ହାତଟି ତା’ର ଧରି ବାହାରିଲା ପଦାକୁ । ଆଗ ସେ ଚାହିଁଲା ଚାରିଆଡ଼କୁ–କେହି ନାହାନ୍ତି କୁଆଡ଼େ–ତାକୁ ଯିବାକୁ କହିଲା ।

 

ସୁକୀ ପାହାଚରୁ ଓହ୍ଲାଉଚି ତଳକୁ ତା’ ଉପରେ ପୁଣି ପଡ଼ିଲା ଲାଇଟର ଆଲୁଅ । ସେ ଚମକି ପଡ଼ିଲା । ତଳକୁ ସେ ଓହ୍ଲାଇନି ମାତ୍ର ଜିପ୍‍ଗାଡ଼ିଟି ଘର୍ ଘର୍‍ ଶବ୍ଦ କରି ଆସି ଛିଡ଼ା ହେଇଗଲା ତାରି ପାଖରେ ସେଇ ଦୁଆର ମୁହଁରେ ।

 

ମଟର ରହିଲାଣି କିନ୍ତୁ ଆଗ ଆଲୁଅ ଦୁଇଟା ଲମ୍ବ ଭାବରେ ଅସୁର ଚାହିଁଲା ପରି ଚାହିଁ ରହିଛନ୍ତି ତାକୁ । ତା’ ଆଖି ହେଲା ଜଳକା ସେ କିମିତି ଯିବ ? କୁଆଡ଼ିକି ?

 

ବି.ଡ଼ି.ଓ. ଆଦିକନ୍ଦ ବାବୁ ମଟର ଷ୍ଟିୟରିଂଟି ସିମିତି ଧରି ବସି ରହିଛନ୍ତି । ସେ ସୁକୀର ରୂପ ପସରାରେ ହେଲେଣି ମୋହିତ । ତାଙ୍କ ହାତ ଚଳୁନିକି ଗୋଡ଼ ବାହାରୁନି ପଦାକୁ । ନରି ସେତେବେଳକୁ ଯାଇଁ ଶୋଇ ଗଲାଣି ତା’ର ରୋଗ ଶଯ୍ୟା ଉପରେ ।

 

ନଟିଆ ପଧାନ ଆଗବାହାରିଲା ଜିପ୍‍ଟି ଭିତରୁ । ସେ ଘର ଭିତରକୁ ପଶିଲା ନରି ପାଖକୁ । ବି.ଡ଼ି.ଓ. କାହିଁକି ଏତେ ରାତିରେ ପୁଣି ତା’ର ବସାଘରେ ? ଶୋଇରହି ଭାବୁଥିଲା ନରି । ନିଶ୍ଚେ କିଛି ଜରୁରି କାମ । ଆଠଦିନି ହେଲା ସେ ବ୍ଲକ ଅଫିସ୍‍କୁ ଯାଇନି । ଲୋକଙ୍କ ସୁବିଧା ଅସୁବିଧା ବୁଝିନି । ଦେହ ବ୍ୟସ୍ତରେ ପଡ଼ିଛି ।

 

ବି.ଡ଼ି.ଓ ତାକୁ ଖୋଜୁଛନ୍ତି ବହୁତ । କାଲି ଆସି ପହଞ୍ଚିବେ କେନ୍ଦ୍ରରୁ ମନ୍ତ୍ରୀ । ସେ ଦେଖିବେ ସବୁ କାମ–ଏତେ ଟଙ୍କା ମଞ୍ଜୁର କରିଛନ୍ତି ସେ । ଖର୍ଚ୍ଚ ସବୁ ହୋଇଛି କିମିତି ? ଲୋକଙ୍କର ଉପକାର କ’ଣ ? ତାଙ୍କ ଗସ୍ତ ତାଲିକା ପାଇଛନ୍ତି ବି.ଡ଼ି.ଓ । ତାଙ୍କୁ ରାତିଦିନ ନିଦ ନାହିଁ-। ସବୁ ପଞ୍ଚାୟତକୁ ଯାଇ ତନଖି କରୁଛନ୍ତି । କେଉଁଠି କିଛି ହେଇନି କାମ–ଖାଲି ଭରସା ତାଙ୍କର ନରି ଉପରେ । ଶିଖରପୁର ପଞ୍ଚାୟତରେ ସବୁ ହୋଇଛି । ସେ କରିଛି ସବୁ ସେଇଠି ଲୋକଙ୍କ ମନକୁ ଏକାଠି କରି । ସେ ଶୁଣିଲେ ନରି ପଡ଼ିଛି ଜରରେ–ଉଠି ପାରୁନି ସେ–ଖବର ଦେଲା ନଟିଆ ପ୍ରଧାନ ।

 

ତାକୁ ସେ ସଙ୍ଗରେ ଧରି ଆସିଛନ୍ତି ଏତେ ରାତିରେ ଦେଖିବେ ବୋଲି ନରିକି–ଆଉ ବୁଝିବେ ତା’ଠାରୁ ପଞ୍ଚାୟତର ଭଲମନ୍ଦ ସବୁ ।

 

ସୁକୀ ସେଇ ଆଲୁଅରୁ ନିଜକୁ ମୁକୁଳାଇ ଅନ୍ଧାର ଭିତରେ କେଉଁଆଡ଼େ ହଜିଗଲା–ବି.ଡ଼ି.ଓ ଖାଲି ଚାହିଁ ବସିଥାନ୍ତି ସିମିତି । ତାଙ୍କ ମନରେ କେତେ ଭାବନା ଖେଳିଲା ଏ ସୁନ୍ଦରୀ ତରୁଣୀଟି ବିଷୟରେ । ସେ ଏତେ ରାତିରେ ଏ ଘର ପାଖକୁ ଆସିଥିଲା କାହିଁକି ?

 

ସେ କଥା ସେ କିମିତି ପଚାରନ୍ତେ ନରିକି । ସରକାରଙ୍କର ହୁକୁମ୍‍କୁ ଖାଲି ଜଣେଇ ଦେଇ ସେ ଜିପ୍‍ଗାଡ଼ିଟି ଛୁଟେଇ ଦେଲେ ସେହି ନୂଆ ସଡ଼କଟି ଉପରେ ।

 

ଏଣେ ସୁକୀ ଚାଲିଛି ଦରାଣ୍ଡି ଅନ୍ଧାରରେ ସେହି କେତକୀବୁଦା ପାଖ ନଡ଼ିଆ ବଗିଚାଟି ଭିତରେ । ତାକୁ ଭୟ ଲାଗୁନି ଆଉ । ସେ ଛାତିକି ତା’ର କରିଛି ପଥର । ସେ କିମିତି ପହଞ୍ଚିବ ଘରେ ।

 

ନନା ତା’ର ଆସିବେଣି କେତେବେଳୁ । ସେ ଦୁଆର ବାଡ଼େଇ ବାଡ଼େଇ ଥକି ଯିବେଣି । ତା’ ଉପରେ ବ୍ୟସ୍ତହୋଇ କେତେକ’ଣ ଭାବୁଥିବେ ମନରେ । ତା’ର ଆଜି ଏ ଦୁଃସାହାସିକା କାମ ପାଇଁ ଦାୟୀ ଆଉ କିଏ ? ସେ ନିଜେ ସବୁ ଭୁଲ୍‍ କରିଛି । ସବୁ ଦୋଷ ତାରି ।

 

ସେ ଏଇକଥା ଭାବୁ ଭାବୁ ଆସି ପହଞ୍ଚିଲା ବାଡ଼ିପାଖ ଦୁଆରେ । ସେ ତରତର ହୋଇ ଉଠିଗଲା ପାହାଚ ଉପରକୁ । ହାତ ମାରିଲା ବାଡ଼ି କବାଟରେ । କବାଟଟା ତା’ ଭାଗ୍ୟକୁ ଖୋଲିଲାନି । ସେ ତ ଆଉଜାଇ ଦେଇ ଯାଇଥିଲା । ପୁଣି ସେ ଠେଲିଲା ଜୋରରେ । କାହିଁ ଫିଟିଲାନି ତ ? ଭିତରୁ କିଏ ଦୁଆର ବନ୍ଦ କଲାକି ? ଛନକା ପଶିଲା ତା’ର ଛାତିରେ । କାଳେ ବୋଉ ଉଠିଥିବ ବାହାରକୁ । ଦେଖିଲା ଝିଅନାହିଁ–ଖୋଜିଥିବ । ବାଡ଼ି ଆଡ଼କୁ ଆସିଥିବ । ଦରଆଉଜା କବାଟକୁ ସେ ଭିତର ପାଖରୁ ଲଗେଇଛି ଖିଡ଼ିକି ।

 

କି ବିପଦ ? ସର୍ବନାଶ । ସେ କାହିଁକି ଗୋଡ଼ କାଢ଼ୁଥିଲା ପଦାକୁ । ଭଗବାନଙ୍କର ଇଚ୍ଛା କ’ଣ ? ସେ ଜାଣିପାରୁନି କିଛି ।

 

ଶେଷଥର ପାଇଁ ସେ କବାଟରେ ମାରିଲା ହାତ–ଅଣ୍ଡାଳିଲା କେତେ । ଛାତିଟା ତା’ର ପଡ଼ିଲା ଉଠିଲା ଖାଲି । ମୁଣ୍ଡ ଝାଇଁମାରିଲା । କିଏ ଏମିତି କଲା ? ବାହାରେ ଗୋଟାଏ ମସ୍ତବଡ଼ ତାଲା ଝୁଲୁଛି । ଏ ତାଲା ପକେଇଲା କିଏ ବାହାରପଟୁ । ତାକୁ ହଇରାଣ କରିବାକୁ କାହାର ମନ । ସେ ଏବେ ଯିବ କୁଆଡ଼େ ?

 

ସମସ୍ତେ ଜାଣିବେ ଗାଁରେ । ନିର୍ମଳ ନାଁରେ ତା’ର କଳଙ୍କ ଲାଗିବ । ଘରୁ ତଡ଼ା ଖାଇବ–ଜାତି କରିବ ବାସନ୍ଦ–ଗାଁ ଲୋକେ ନାକ ଟେକିବେ । ମୁହଁ ଲୁଚେଇବ ସେ କୁଆଡ଼େ ?

 

ବାଡ଼ି ଦୁଆରଟିରେ ମୁଣ୍ଡରେ ହାତଦେଇ ସେ ବସି ପଡ଼ିଲା ସିମିତି । କାହାକୁ ଡାକିବ–କୁଆଡ଼େ ଅବା ଯିବ ? ତା’ର ମରଣ ତାକୁ ବାଟ କଢ଼େଇଲା ପୁଣି ।

Unknown

 

ଜୀବନ ତେଜିବ–କୂଅ ପୋଖରୀରେ ପଡ଼ିବ ମନରେ ଆସିଲା ଭାବନା । କାହିଁ ସେତ କଇଁ ଗାଡ଼ିଆରେ ବୁଡ଼ିସୁଦ୍ଧା ବୁଡ଼ିପାରିଲାନି । ଅଧମୃତ ଜୀବନକୁ ପୁଣି ବଞ୍ଚେଇ ରଖିଲା କେଉଁ ଆଶାରେ । ଏମିତି କ’ଣ ଦହଗଞ୍ଜ ହେବାକୁ ?

 

ନନା ତା’ର ଦାଣ୍ଡପଟେ ମୁଣ୍ଡରେ ହାତ ଦେଇ ବସି ବ୍ୟସ୍ତ ହେଉଥିବେ । ଏଣେ ସେ ଗାଲରେ ହାତ ଦେଇ ବସି ରହିଲା ବାଡ଼ି କବାଟ ପାଖରେ । ତାକୁ କାନ୍ଦ ଲାଗିଲା–ସେ କୋହକୁ ଆଉ ସମ୍ଭାଳି ପାରିଲାନି !

 

ତା’ ମନରେ ସେ ଭାବୁଥାଏ ଯେତିକି ଚିଡ଼ୁଥାଏ–ସେତିକି ଗଉର ଉପରେ । ବଜାରୀଟା ତାକୁ ହଇରାଣରେ ପକେଇବାକୁ ଏହା କରିନିତ ?

 

ସତକୁ ସତ କାହାର ଛାଇ ସେ ଦେଖିଲା ଆଗରେ । ଚମକିପଡ଼ିଲା । ଦିହହାତ ତା’ର ଝିମା ମାରିଲା । କଥା ବାହାରିଲାନି ପାଟିରୁ ।

 

“ସୁକୀ ଭୟ କଲୁକି ? ମୁଁ ପରା ତୋ ଗଉର ଭାଇ” ସେ ଅନ୍ଧାର ଭିତରେ ଛିଡ଼ାହେଇ କହିଲା, ପୁଣି ବିପଦ ଉପରେ ବିପଦ । ଗଉର ନାଁ ଶୁଣି ତାକୁ ଆହୁରି ଭୟ ଲାଗିଲା । ସେ ଭୟ ବାଘ ଭାଲୁ ଠାରୁ ବଳି–ପ୍ରେତ ପିଶାଚଠାରୁ ଆହୁରି ସାଂଘାତିକ ।

 

ବୁଦ୍ଧିଥିଲେ ମଣିଷ ସବୁଠି ଜିତେ । ବିପଦ ତା’ର ଘୁଞ୍ଚିଯାଏ କୁଆଡ଼େ । ସେ ନରମ ଗଳାରେ କହିଲା–“ଗଉର ଭାଇ ! ତୁମର ପିଲାଳିଆ କଥା କାଳେ କାଳେ ଗଲାନି ?”

 

ତୁମେ ତୁମରି ପ୍ରେମିକାକୁ ଏମିତି ବାରଜଣଙ୍କ ଆଖିରେ ଛିଡ଼ା କରାଇ କ’ଣ ପାଅ ? ମୁଁ ତ ସବୁ ତୁମରି । ତୁମେ ମୋତେ ପର ଭାବୁଛ କାହିଁକି ? ମୋର ଇଜ୍ଜତ ଗଲେ ତୁମକୁ ବାଧା ଲାଗିବନି !

 

ଗୌର ତା’ର ଚୋରିଲାଇଟିଟି ଟିପି ଧରିଲା ସୁକୀ ମୁହଁରେ । ଆଲୁଳାୟିତ କେଶ ତା’ର ମୁହଁର ଏଣେତେଣେ ବିଞ୍ଛାଡ଼ି ହୋଇ ପଡ଼ିଥିଲା । ଲୁହ ଦୁଇଧାର ଗଣ୍ଡ ଦେଶକୁ ବୋହି ମୁହଁରେ ଦୁଇଟି ସୃଷ୍ଟି କରିଥିଲା ଅସ୍ପଷ୍ଟ ଚିହ୍ନ ।

 

ଗଉର ହାତକୁ ଧରିଲା ତା’ର । ଗେଲରେ ପଚାରିଲା ସେ “କାନ୍ଦୁଥିଲୁ କିଲୋ ତୁ ।”

 

ବିକୃତ ହସଟିକିଏ ହସି ସେ କହିଲା–“କନ୍ଦଉଛ ତୁମେ, କାନ୍ଦିବିନି ।”

 

ଗଉର ଟିକିଏ ଚାପାଗଳାରେ କହିଲା–“ତତେ ମନାକଲି ତୁ ଫେରେ ଅମାନିଆ ହେଇ”...... ଅଟକିଗଲା ସେ ।

 

ସଙ୍ଗେ ସଙ୍ଗେ ସୁକୀ କହିଲା–“ଭୁଲ୍‍ କରିଛି ମୁଁ–ମୋତେ କ୍ଷମାଦବନି ତୁମେ ?” ଦୁଆରଟି ଟିକିଏ ଖୋଲ ବୋଲି ସେ ଆଉ କହିପାରୁ ନ ଥାଏ । କାରଣ ଗଉର ଜାଣିବ ସେ ଖାଲି ଦୁଆର ଖୋଲିବାକୁ ଏମିତି ବାହାନା ଦେଖେଇ କହୁଛି ତାକୁ ।

 

ପୁଣି ଗଉର ହସି ହସି କହିଲା–“ଘରକୁ ଯିବୁ ଏଥର–ତୋର ରାତିବୁଲା ସରିଲା ?”

 

ତୁମର ଇଚ୍ଛା ଯାହା–ତୁମେ ଛାଡ଼ିଲେ ଯିବି–ନୋହିଲେ ତୁମ ପାଖରେ ଆଜି ରହିଲି । ସୁକୀ ମୁହଁପୋତି ଛଳନାରେ କହିଲା ।

 

“ଆଚ୍ଛା ! ତେବେ ମୁଁ ଯାହା କହିବି ତୁ କରିବୁତ ! ମୋ ଆଡ଼କୁ ଟିକିଏ ଚାହାଁ ।”

 

ମୁଁ କେବେ ଅବାଧ୍ୟ ହେଇଛି ତୁମ କଥାରେ । ଆଜି କାହିଁକି ଏମିତି ପଚାରିଲ ?

 

ତେବେ ଭଲ କଥା । ଏ ସୁଯୋଗ ତୁ ଛାଡ଼େନି ସୁକୀ ! ମୋ ସଙ୍ଗରେ ଚାଲିଆ ଯିବା ଏ ତୋଟା ମାଳକୁ–ଗଉର କହି ହାତ ଧରିଲା ତା’ର ।

 

କ’ଣ ସେ କରିବ ମନେମନେ ଭାବିଲା । ମଦୁଆର ମଦ ନିଶାଟା ଜୋର ଧରିଛି । ନାହିଁ କଲେ ସେ କ’ଣ ଛାଡ଼ିବ ? ସେ କହିଲା କିଛି ଆପତ୍ତି ନାହିଁ...ହେଲେ !

 

“ଫେରେ ଅସୁବିଧା କ’ଣ ରହିଲା ସେଥିରେ ତୋର ।” ଅସୁବିଧା ଏତିକି ତେଣେ ନନା ଦୁଇଘଣ୍ଟା କାଳ ବାହାରେ ବସିଲେଣି । ମୋତେ ଡାକି ଡାକି ଥକିବେଣି । ଜରୁଆ ଦିହରେ ସେ କାକରରେ ସିମିତି କେତେ ବେଳଯାଏଁ ବସି ରହିବେ ?

 

ସୁକୀ ପୁଣି କହିଲା–ତୁମେ ଚାଲୁନା ଆମ ଘରେ ଆଜି ରହିବ । ମୁଁ ମୋର ହାତ ଗଢ଼ା ପିଠା ଖାଇବାକୁ ଦେବି ତୁମକୁ ।

 

ହଉ ! ବୁଝିଲି । ମୁଁ ଚାବିଖୋଲିଲେ ତୁ ଘରେ ପଶିଯାଇ ଦୁଆର ଲଗେଇ ଦବୁ ଭିତରୁ ଯେବେ–ମୁଁ ବାହାରେ ରହି କ’ଣ କରିବି ? ଗଉର କହିଲା ଭ୍ରୂଲତାକୁ ତା’ର ନଚେଇ ।

 

ମୁଁ କ’ଣ ମନା କରୁଚି କି ? ତୁମେ ଦୁଆର ଫିଟାଇ ଆଗେ ପଶ ଘର ଭିତରେ–ତା’ପରେ ଯାଇଁ ମୋ କଥା ।

 

ଗଉରର ମନ ମାନିଲା ଏଥିରେ । କୁହୁକିନୀର କୁହୁକ ମାୟା ସେ ଜାଣି ପାରିଲାନି । ଦୁଆର ଖୋଲିଦେଲା ସେ । ସୁକୀ ଚତୁରୀ ପଣିଆ ଦେଖାଇ କହିଲା–ଆଗଚାଲ ।

 

ଗଉର ଘର ଭିତରେ ଦେଲା ପାଦ ମାତ୍ର ତା’ର ଦେହ ଅଜଣା ଭୟରେ କାହିଁକି ଥରି ଉଠିଲା । ସୁକୀ ତା’ ପଛେ ପଛେ ପଶିଲା ଭିତରକୁ ।

 

“ତୁମେ ଏଇଠି ଛିଡ଼ାହୋଇଥାଅ–ମୁଁ ଯାଉଛି ନନାକୁ ଦୁଆର ଫିଟେଇ ଦେଇ ଆସେ । କହିଲା ସୁକୀ ।

 

ଗଉର ମନରେ ଆହୁରି ହେଲା ଭୟ । ମାହାପାତ୍ରେ ସଭାରେ କହିଥିବାର ସେ ଶୁଣିଛି–ନିଜେ ସେ ବାଡ଼ି କବାଟରେ ଲଗାନ୍ତି ଚାବି–ଝିଅ ତାଙ୍କର ବାହାରକୁ କେବେ ଯାଏନି । ଯଦି ମାହାପାତ୍ରେ ବାଡ଼ି ପଟକୁ ଆସନ୍ତି ତେବେ ତ ସର୍ବନାଶ ।

 

ସେ ପୁଣି କହିଲା–“ନନା ତୋର ଚାବିଦେବାକୁ ଆସିବେ କାଳେ ।”

 

ସୁକୀ ଧରିଲା ସେଇଠି କଥା–ତା’ର ଜ୍ଞାନ ଉଦୟ ହେଲା ମନରେ । ସେ କହି ପକାଇଲା ନନା ଆସିବେ ନିଶ୍ଚୟ । ସେ ଚାବି ଦେଇ କୁଞ୍ଚିଟି ଏଇ ଠଣା ପାଖରେ ରଖି ଚାଲି ଯାଆନ୍ତି । ତୁମେ ବାହାରେ ଥାଅ–ମୁଁ ଦୁଆର ବନ୍ଦ କରିଯାଉଛି–ସେ ଚାବି ଦେଇସାରିଲେ ମୁଁ ପୁଣି ଖୋଲି ଦେବି ଯେ । ଏଇ କଥା ପାଇଁ ଏତେ ଡର ?

 

ଗଉର ସୁନା ପିଲାଙ୍କ ପରି ଚାଲିଗଲା ବାହାରକୁ । ସୁକୀ ମୁହଁକୁ ବିକୃତ କରି ପକାଇଲା ବାଡ଼ି ଦୁଆର କବାଟ ।

 

ନିଦରୁ ଉଠିଲା ପରି ଆଖି ମଳିମଳି ଚାଲିଲା ସେ । ସେତେବେଳକୁ ମହାପାତ୍ରେ ବିରକ୍ତ ହୋଇ ଆଉ ଦୁଇଥର ଦୁଆର ବାଡ଼େଇ ସାରିଲେଣି !

 

ହଁ–ହଁ ! ନନା ମୁଁ ଶୋଇ ପଡ଼ିଥିଲି । ତୁମେ କେତେବେଳୁ ଆସିଲଣି କି ? କଥା ବାହାନାରେ ସେ ଫିଟାଇଲା ଦାଣ୍ଡ କବାଟ । ମହାପାତ୍ରେ ସୁକୀର ମୁହଁ ଆଉ ଦିହକୁ ଆଖିଟେକି ଚାହୁଁ ଚାହୁଁ ପଶିଲେ ଘରେ ।

 

ସେ ଖାଲି ଏତିକି ଶୁଣିଲା–“ସୁକୀ ତୁ ମୋ ଉପର ମୁହଁ ତଳକୁ କଲୁ ସିନା ।” ନନାଙ୍କର ହୃଦୟର ବେଦନା ସେ ବୁଝିଲା । ଏଣୁତେଣୁ କେତେ କଥା ଭାବୁଭାବୁ ତା’ର ଆଖିପତା କେତେବେଳେ ଢାଙ୍କି ହୋଇଗଲା ସେ ଜାଣିନି ।

 

ଗଉରଟି ବିଚାରା ଗାଁ ଚଉକିଆ ପରି ସେହି ଘନ ଅନ୍ଧକାର ଭିତରେ ରାତିସାରା ଉଜାଗର ରହି ନିରାଶରେ ଘରକୁ ଫେରିଲା । ସେତେବେଳକୁ କୁଆଁ ତାରାଟା ନାଲି ଟହଟହ ହୋଇ ପୂର୍ବ ଆକାଶରେ ଦେଖାଯାଉଥିଲା ।

 

ଭଲକୁ ସମସ୍ତେ କହନ୍ତି ଭଲ । ଦେଖିବାର ଜିନିଷ ଥାଏ ଯେଉଁଠି ସମସ୍ତେ ରୁଣ୍ଡ ହୁଅନ୍ତି ସେଇଠି । ଅନ୍ୟାନ୍ୟ ପଞ୍ଚାୟତର ଲୋକେ ଧାଡ଼ିବାନ୍ଧି ଚାଲିଛନ୍ତି ଶିଖରପୁର ଗାଁ’କୁ । କ’ଣ ସେମାନେ ଦେଖିବେ ବୋଲି ଆସିଛନ୍ତି ଏମିତି ?

 

ସବୁ ପଞ୍ଚାୟତରେ କାମ କରୁଛନ୍ତି ଜଣେ ଜଣେ ଗ୍ରାମସେବକ, ମାତ୍ର ତାଙ୍କ ତାଲିମିର କୌଶଳ ସେ ଫୁଟେଇ ପାରିଲେନି ସେଇଠି । ଲୋକମାନେ ଚିଡ଼ନ୍ତି ଖାଲି । ସେମାନଙ୍କୁ ବତେଇବାକୁ କେହି ନାହିଁ–ଶିଖେଇବାକୁ ଯିଏ ଅଛି, ସିଏ ଖାଲି ଶୋଇ ଶୋଇ ଗଣି ନେଉଛି ଦରମା ଗଣ୍ଡାକ ମାସ ଶେଷରେ । ସମସ୍ତେ କରନ୍ତି ଆପତ୍ତି ନରିବାବୁକୁ ନେବାକୁ ତାଙ୍କ ପାଖକୁ ।

 

ବି.ଡ଼ି.ଓ ମହାଶୟ ଅଳ୍ପକେ ପାଇଲେ ରକ୍ଷା । ସେ ବୁଲି ବୁଲି କାହିଁ କେଉଁ ପଞ୍ଚାୟତରେ ଦେଖିଲେନି ସରକାରଙ୍କର ଯୋଜନାର ସୂଚନା । ତାଙ୍କ ମହତ୍‍ ରଖିଲା ନରି–ତାଙ୍କ ଚାକିରି ରହିଲା ତା’ ସକାଶେ । ମନ୍ତ୍ରୀ ହେଲେ ଝୁସି ଶିଖରପୁର ପଞ୍ଚାୟତର କାମସବୁ ଦେଖି । ସେ ପୁଣି ଗ୍ରାମସେବକ ନରି ସକାଶେ କହିଛନ୍ତି ଲେଖିବାକୁ ଉପର ଚାକିରି ପାଇଁ । ତାଙ୍କ ପଦନ୍ନୋତି ପାଇଁ ସେ କରିଛନ୍ତି ସୁପାରିସ ।

 

ଗ୍ରାମବାସୀ ସମସ୍ତେ ଖୁସି ହେଉଥାନ୍ତି । କାହିଁ ଦିଲ୍ଲୀ, କାହିଁ ପାହାଡ଼ ତଳର ଅନ୍ଧାର ପଲ୍ଲୀ କ’ଣ ଏଇ ଶିଖରପୁର । ମନ୍ତ୍ରୀ ଚାଲି ଆସିଲେ ସେଇଠିକି । ଗୋଟିଏ ନୁହଁ ଦୁଇଟି ନୁହଁ ଏକସଙ୍ଗରେ ପନ୍ଦର କି କୋଡ଼ିଏ ଜିପ୍‍ ଗାଡ଼ି ଧାଡ଼ି ବାନ୍ଧି ଠିଆହେଲେ ଏଇ ଗାଁ ବନ୍ଧହୁଡ଼ା ପାଖେ । କେହି ପଚାରୁ ନ ଥିଲେ ତାଙ୍କୁ–ଏଇ ଗାଁ ଭୂଇଁ ମାଡ଼ୁ ନଥିଲେ କେହି । ତାଙ୍କୁସବୁ ଦେଖିବାକୁ ଟାଣି ଆଣିଲା କିଏ ? ନରିବାବୁର କଥା ମନେପଡ଼େ ତାଙ୍କର । ସେ ଛୋଟିଆ ସଡ଼କଟି ଯାହାକୁ ରାତିଦିନ ଲାଗି ସେମାନେ କରିଛନ୍ତି ତିଆରି, ସେହିସିନା ଟାଣି ଆଣିଲା ସମସ୍ତଙ୍କୁ ତାରି ବୁକୁରେ ଚଲେଇ, ଦେଖେଇ ଦବାକୁ ତାଙ୍କରି କାମସବୁ–ଚିହ୍ନେଇବାକୁ ଅଚିହ୍ନା ପଲ୍ଲୀବାସୀଙ୍କି । ଖୁସି ହୋଇ ଯା’ନ୍ତି ସମସ୍ତେ ।

 

ଅନ୍ୟାନ୍ୟ ପଞ୍ଚାୟତର ଲୋକେ ମୁହଁ ଶୁଖାନ୍ତି କେତେ । ତାଙ୍କର ଗାଁ’କୁ କେହି ଗଲେନି–କାହାର ପାଦ ପଡ଼ିଲାନି ଗାଁ ଭୂଇଁରେ ଦିନେ । ସେ ଚାହୁଁଛନ୍ତି ଗ୍ରାମସେବକ ନରି ପରି ଜଣେ ଲୋକ-। ସେ ଆପତ୍ତି କଲେଣି କେତେ ବି.ଡ଼ି.ଓ.ଙ୍କ ପାଖେ । ମାତ୍ର ସେ କ’ଣ କରିବେ-? ସେ ଲୋକମାନଙ୍କୁ ସବୁ ବୁଝାନ୍ତି । ସବୁ ଗ୍ରାମସେବକ ସମାନ–ତାଲିମ ପାଇଁଛନ୍ତି ଏକାଠି–କାମ ଶିଖିଛନ୍ତି ସମସ୍ତେ । କିଏ ଭଲ କିଏ ମନ୍ଦ କହି ହବନି ଜମା । କାମରୁ ଜଣାପଡ଼େ ଭଲମନ୍ଦ କଥା-। ସେ ଭଲ ଗ୍ରାମସେବକ ତାଙ୍କୁ କେଉଁଠୁ ଦେବେ ? ସେ କ’ଣ ଏଗୁଡ଼ାଙ୍କୁ ହାତରେ ତିଆରି କରୁଛନ୍ତି କି ?

 

ମାସକରେ ଥରେ ଥାଏ ତାଙ୍କର ଗୋଟିଏ ସଭା ବ୍ଲକଅଫିସରେ–ସେଇଠି ବି.ଡ଼ି.ଓ ଚିଡ଼ନ୍ତି ବହୁତ । ନାଲିଆଖି ଦେଖେଇ ଧମକାନ୍ତି ଏଇ ଗ୍ରାମସେବକମାନଙ୍କୁ । ନରିର ପ୍ରଶଂସା ଶୁଣିଲେ ଅନ୍ୟମାନେ ମୁହଁ ଶୁଖାନ୍ତି । କଣ୍ଡରା ଟୋକାଟା ବେଶୀ ପାଠ ପଢ଼ିନି ସେମାନଙ୍କ ଠାରୁ–ଛୁଇଁଲେ ତାକୁ ସମସ୍ତେ ସ୍ନାନ କରନ୍ତି ଆଉଥରେ । ସେ କିମିତି କିଣିଲା ଲୋକଙ୍କ ମନ କଲା ଏତେ କାମ ସବୁ । ତାରି ନାଁ ସେମାନେ ଶୁଣୁଛନ୍ତି ସବୁଆଡ଼େ । ତାଙ୍କୁ ପଚାରୁ ନାହାନ୍ତି କେହିହେଲେ । ସେମାନେ ପ୍ରକୃତରେ ତା’ ପରି ଖଟି ନାହାନ୍ତି । କୌଶଳରେ ଗାଁର ଲୋକଙ୍କ ମନ ବାନ୍ଧିପାରି ନାହାନ୍ତି । ସେଇଥି ପାଇଁ ସେମାନେ ଆଜି ଏତେ ପଛରେ ।

 

ଶିଖରପୁର ପଞ୍ଚାୟତର ଯୁବକସଂଘ ସବୁଠି କରିଛି ବେଶୀ ନାଁ । ସଂଘର ଯୁବକମାନେ ନରିପାଖ ଛାଡ଼ୁ ନାହାନ୍ତି । ତାଙ୍କ ମନରେ ଆଉ ଭେଦଭାବ କିଛି ନାହିଁ । ମନ୍ତ୍ରୀ ମହାଶୟ ଖୁସିହୋଇ ପୁରସ୍କାର ଦେଇଛନ୍ତି ତାଙ୍କୁ ପଚାଶ ଟଙ୍କା । ଗାଁ ଲୋକେ କେହି ଜାଣି ନଥିଲେ ଏମିତି ହେବବୋଲି-। ଛୋଟିଆ ମନ ଏମିତି ହୁଏ ଉଚ୍ଚ । ଟିକି ଗାଁକୁ ଜାଣନ୍ତି ବଡ଼ ବଡ଼ ଲୋକ । ଛୋଟ କଥା ବଢ଼ି ବଢ଼ି ଏମିତି ହୁଏ ବୃହତ ।

 

ଯୁବକସଂଘର ଭାଇମାନଙ୍କୁ ସେ ଶିଖାଇଥିଲା ଗୋଟିଏ ଛୋଟ ଏକାଙ୍କିକା ନାଟକ । ତାବଲା ବଜାଇବା ଜାଣିଛି ସେ–ହାରମୋନିୟମରେ ହାତଅଛି ବେଶି ତା’ର–ବାଉଁଶର ବଇଁଶୀ ରନ୍ଧ୍ରରେ ସେ ସ୍ୱର ତୋଳେ କେଡ଼େ ମଧୁରରେ । ସେ ନିଜେ ଶିଖିଥିଲା ତାଲିମ କେନ୍ଦ୍ରରେ । ଅନେକ ବାଦ୍ୟଯନ୍ତ୍ର ଶିଖିବା ପାଇଁ ସୁବିଧା ଥାଏ । ସେହି ସୁବିଧା ପାଆନ୍ତି ସମସ୍ତେ । ମାତ୍ର ଯିଏ ତାକୁ କଲା ବେଶୀ ଆୟତ୍ତ–ନେଲା ନାଆଁ । ନରିର ଗାନ୍ଧାର ବିଦ୍ୟା ପ୍ରତି ବେଶୀଥିଲା ଆଗ୍ରହ । ତାଲିମ ସେ ପାଇଛି ଦୁଇ ବର୍ଷକାଳ । ସେ ଏ ଯନ୍ତ୍ରପାତି ସବୁ ବଜେଇ ଶିଖିଲା ସେଇଠି ।

 

ନାଟକଟି ଲେଖିଥିଲା ସେ ନିଜେ ନାମ ରଖିଥିଲା ‘ହରିଜନ’ । ମଞ୍ଚ ନିର୍ମାଣ ହୋଇଥିଲା ଲୋକଙ୍କ ହାତରେ ତାରି ପରାମର୍ଶରେ । ଭଡ଼ାକୁ ଆଣିଥିଲା ଦୃଶ୍ୟ ପରଦା ସବୁ । ଏକଥା ଜାଣି ନଥିଲେ କେହି । ବି.ଡ଼ି.ଓ.ଙ୍କର ଧାରଣା ବି ନଥିଲା ନରି କରିଛି ଏମିତି ସବୁ କାମ ଗାଁଟିରେ । ଶେଷରେ ନରି ଚିତ୍ତବିନୋଦନ ପାଇଁ ସମସ୍ତଙ୍କ ମନକୁ ଟାଣିଲା ରଙ୍ଗମଞ୍ଚ ପାଖକୁ । ହାରମୋନିୟମର ମଧୁରସ୍ଵର ସଙ୍ଗେ ବଂଶୀର କୋମଳ ସ୍ଵର ତରଙ୍ଗ ବାଜି ଉଠୁଥିଲା ଏକତାଳରେ-। ତବଲାର ତାନ ଆହୁରି କରୁଥିଲା ମଣିଷର ଅଳସ ଭରା ମନରେ ବିଜୁଳିର ଚମକ ସୃଷ୍ଟି-। ନାଟକଟି ଦେଖି ସମସ୍ତେ ହେଲେ ଆତ୍ମହରା । ଯୁବକସଂଘର ନାଁଟା ହେଲା ବିଖ୍ୟାତ ଚାରିଆଡ଼େ-

 

ସୁକୀ ଗଣୁଥାଏ ଟଙ୍କିକିଆ ନୋଟ୍‍ଗୁଡ଼ିକୁ ଏକଠାରୁ ଦଶ ପର୍ଯ୍ୟନ୍ତ ଥରକୁ ଥର–ପ୍ରଶଂସା ପତ୍ରଟି ଦେଖି ଖୁସି ହେଉଥାଏ ମନେମନେ । ପ୍ରଦର୍ଶନୀରେ ପ୍ରଥମ ହୋଇ ସେ ପାଇଥିଲା ଚିତ୍ରଶିଳ୍ପ ସକାଶେ ଦଶଟଙ୍କା । ମାତ୍ର ମନ୍ତ୍ରୀ ମହାଶୟ ମହିଳା ସମିତିକି ପରିଦର୍ଶନ କରି ହେଲେ ଖୁସି । ସେ ସମ୍ପାଦିକାକୁ ଦେଇଛନ୍ତି ଏକଶତ ଟଙ୍କା । ସେଥିରେ ସିଲେଇ ମିସିନି କିଣା ହେବାପାଇଁ ଠିକ୍‍ କରିଛି ସେ ।

 

ସବୁ ଜିନିଷ ଦେଖିଗଲେ ସମସ୍ତେ । ମାତ୍ର ଯେଉଁମାନେ କରିଥିଲେ ଏସବୁ, ସେମାନେ ନଥିଲେ ପାଖରେ । ମନ୍ତ୍ରୀ ଇଚ୍ଛାକଲେ କ’ଣ ପଚାରିବାକୁ କେଜାଣି, ସେ ଡକାଇ ପଠାଇଲେ ସଂଘର ମହିଳା ମେମ୍ବରମାନଙ୍କୁ । ଗାଁର ବୁଢ଼ାବୁଢ଼ା ଲୋକେ ଆପତ୍ତି ଉଠେଇଲେ କେତେ । ସମାଜ ବିରୋଧ କାମ । କୁଆଡ଼ିକା ମରଦଗୁଡ଼ାକ ଏକାଠି ହୋଇଛନ୍ତି ସେଠି–ଗାଁର ଭୁଆସୁଣୀ ପୁଣି ଆସିବେ ତାଙ୍କ ଆଗକୁ ? ୟେଟା ସେମାନେ ବଞ୍ଚି ଥାଉଁ ଥାଉଁ କରେଇ ଦେବେନି ।

 

ମାତ୍ର ସୁକୀ ତା’ର ସହକର୍ମୀମାନଙ୍କୁ ବୁଝେଇଲା ଏ ବିଷୟରେ କେତେ । ସେମାନେ ଘର କଣରେ ଆଉ କେତେଦିନ ଲୁଚି ବସିଥିବେ ସିମିତି । ଦେଶପାଇଁ କାମ କରିବାକୁ ହେବ–ଏ ଜାତିର ନିଦ ଭାଙ୍ଗିଛି ଆଜି–ସେମାନଙ୍କୁ ଡକରା ଆସିଛି । ସେମାନେ ଜାଣୁ ଜାଣୁ ଛାଡ଼ିବେ କିମିତି-?

 

ସୁକୀକି ଲାଜ ଲାଗୁଥାଏ ବେଶୀ । ସେ ସମସ୍ତଙ୍କ ସାମନାରେ ଫୁଲମାଳଟିଏ କିମିତି ପକେଇବ ମନ୍ତ୍ରୀଙ୍କ ଗଳାରେ । ପଛରେ ଥାଆନ୍ତି ଅନ୍ୟାନ୍ୟ ଯୁବତୀମାନେ । ସେ ସାହସର ସହିତ ମନ୍ତ୍ରୀକି ଫୁଲର ହାରଟି ପିନ୍ଧାଇ ଦେଉଁ ଦେଉଁ ସେ ହସିହସି ତା’ ହାତରୁ ଗ୍ରହଣ କଲେ । ଏକ ସଙ୍ଗରେ ହେଲା ତାଳିବୃଷ୍ଟି । ସେ ମୁହଁପୋତିଲା ଟିକିଏ–କାରଣ ଶହଶହ ଆଖି ତାରି ରୂପ ପସରାକୁ କଟମଟ କରି ଚାହିଁ ରହିଥିଲେ ଯିମିତି ।

 

ନରିବାବୁ ସବୁଥିରେ ଅଗ୍ରଣୀ–ତାଙ୍କର ନେତା ଯିମିତି–ସେ ଜଣଜଣ କରି ଚିହ୍ନେଇ ଦେଲା ସମସ୍ତିଙ୍କି ମନ୍ତ୍ରୀଙ୍କ ସାମନାରେ । ସମ୍ପାଦିକା ହିସାବରେ ତା’ର ମହିଳା ସମିତି ବିଷୟରେ କିଛି କହିବାର କଥା–ତାକୁ ସେ ସବୁ ଅକଲ ଦେଇଥିଲେ ନରିବାବୁ ସେ ଆଗରୁ ସମସ୍ତଙ୍କ ସାମନାରେ କହି ନଥିଲା କେବେ । ତା’ର ୟେ’ଟା ପ୍ରଥମ ବକ୍ତୃତା ଆରମ୍ଭ କଲା ସେ ।

 

ସେ ଦେଖିଲା ସମସ୍ତେ ଚାହିଁଛନ୍ତି ତାକୁ । କିଏ କିମିତି କେତେବେଳେ ଆଖିଫେରେଇ ନଉଛି ସୁବିଧା ଦେଖି । ମାତ୍ର ଜଣେ ଯୁବକ ହୃଷ୍ଟପୁଷ୍ଟ ଅଙ୍ଗରେ ଆଧୁନିକ ପୋଷାକର ପରିପାଟିରେ ସଜ୍ଜିତ ହୋଇ ଚାହିଁ ରହିଛନ୍ତି ତାକୁ । ତାଙ୍କର ଆଖିପତା ଆଉ ପଡ଼ୁନି ଯିମିତି । ଆଖିର ପିତୁଳା ସ୍ଥିର-। ଏହି ଅପଲକ ଭରା ଚାହାଣି ସୁକୀକି ଭଲ ଲାଗୁନଥିଲା ଜମା । ସେ ମନେମନେ ଭାବୁଥିଲା–ସେ ଲୋକଟି କିଏ ? ତାଙ୍କର ଆଖିକି ସେ ପ୍ରଥମରୁ ଶେଷଯାଏଁ ମିଞ୍ଜେଇ ଦେଇଛନ୍ତି ରମଣୀର ରୂପ ଲାବଣ୍ୟକୁ ଉପଲବ‌୍ଧି କରିବା ପାଇଁ ।

 

ମନ୍ତ୍ରୀ ଫେରି ଯାଇଛନ୍ତି ସତ, ମାତ୍ର ଲୋକଙ୍କ ମନରେ ଗାଁର ଉନ୍ନତି ପାଇଁ ମନ ହାଇଁପାଇଁ ହୋଇ ଉଠିଥିଲା । ଭଲ ଜିନିଷକୁ ସେମାନେ ଅଧିକ ଭଲକରି ସମସ୍ତିଙ୍କ ସାମନାରେ ରଖି କିମିତି ନାଁ ନେବେ ଏହି କଥା ଭାବୁଥାନ୍ତି ।

 

ସୁକୀର ମନ ଯେମିତି ଦାରୁଣ ଆଘାତରେ ଛଟପଟ ହେଉଥାଏ । ସେ ଦିନର ରାତି ଘଟଣାକୁ ଭାବିଲେ ତା’ର ଦିହ ଶିତେଇ ଉଠେ । ମନରେ ପଶେ ଚମକ । କେତେକଷ୍ଟ ସହି ଅନ୍ଧାରରେ ଦରାଣ୍ଡି ହୋଇ ସେ ଯାଇଥିଲା କ’ଣ ନରିବାବୁଠୁଁ ଏୟା ଶୁଣିବାକୁ । ସେ କାହିଁକି ଇମିତି ତାକୁ କହିଲେ ? ସେ ତ କିଛି ବୁଝି ପାରୁନାହିଁ ।

 

ଭଉଣୀ ବୋଲି ସମ୍ବୋଧନ କରି ସେ ନିରାଶ କରିଛନ୍ତି ତାକୁ । ତା’ର ଆଶାଭରସା ସବୁ ଯାଇଛି । ଧରିଥିବା ନାଆମଙ୍ଗ ଡୁବି ଯାଇଛି ଗଭୀର ଜଳରେ । ସେ କାହାକୁ ମନର କଥା କହିବ । ଯାହାକୁ କହନ୍ତା ସେ କଲେ ଶେଷରେ ନିରାଶ । ରାତି ଅଧରେ ବାଡ଼ି ଦୁଆର କବାଟରେ ଚାବି ଲଗେଇଲା ଗଉରଟା । କାହିଁକି ସେ ଏତେ ହଇରାଣ କଲା ? ମଦୁଆଟା କାହିଁକି ତା’ ପିଛା ଧରିଛି ଏମିତି ! ତାକୁ ଯେଉଁ ଦାଗ ଦେଇଛି ସେ ରାତିରେ, ତା’ର ରାଗଥିବ କେତେବେଳେ ପୁଣି ଶୁଝେଇବ ତା’ ଉପରେ ।

 

ବଳବନ୍ତରାଏ ତାରିପାଇଁ ହେଇଛନ୍ତି ଗାଁରୁ ବାହାର । ଏକଘରିଆ । ତାଙ୍କୁ କଥା କହୁ ନାହାନ୍ତି କେହି । ସମସ୍ତଙ୍କର ରାଗ ତା’ ଉପରେ ! ସେ ତେବେ କାହିଁକି ରହିବ ଏ ଗାଁ ଖଣ୍ଡକରେ ? ସମସ୍ତଙ୍କର ମଙ୍ଗଳପାଇଁ ସେ ଚାଲିଯିବି କୁଆଡ଼େ ଯିମିତି ଆଉ ତାକୁ କେହି ଦେଖିବେନି ତା’ ନାଁ ଶୁଣିବାକୁ ପାଇବେନି ।

 

ତା’ର ମନର ଆଶା ହୃଦୟର ଦମ୍ଭ ଶେଷରେ ଭାଙ୍ଗିଲେ ନରିବାବୁ । ସେ ଆଶା କରିଥିଲା ତା’ର ସବୁ ସେ । “କାହିଁ, ସେ ତାକୁ ପର କରିଦେଲେ । ପାଖରୁ ଛାଡ଼ିବାକୁ କଥା ଦେଲେ–ଛୋଟ ଉପହାରଟିଏ ଜାଚିଲେ ଭଉଣୀ କହି । ସେ କ’ଣ ସେଇ ଉପହାର ପାଇଁ ଧାଇଁଯାଇଥିଲା ଏତେ ରାତିରେ ତାଙ୍କ ପାଖକୁ ? ସେ ଆଶା କରିଥିଲା କ’ଣ–ପାଇଲା ପୁଣି କି ଜିନିଷ !”

 

ସେ ପୁଣି ହେଲା ଆଶ୍ଚର୍ଯ୍ୟ । ନରି ବାବୁଟାକୁ ସବୁଜଣା । ଗାଉଣା ବାଜଣା ସଙ୍ଗକୁ ରଙ୍ଗମଞ୍ଚ ଉପରେ କଉତୁକିଆ ପାର୍ଟ କରି କେତେ ହସେଇଛି ସମସ୍ତଙ୍କୁ । ଏତେ ପ୍ରକାର ରଙ୍ଗ ଆସେ ତାଙ୍କୁ ? ସେ ଜାଣିଲା ସେଇଠି । ସମସ୍ତେ କହନ୍ତି ଛୁଆଁ, ମାତ୍ର ଦୁର୍ଯୋଗକୁ ସେ ଜନ୍ମ ହୋଇଛନ୍ତି ସିନା କଣ୍ଡରା ଘରେ, କିନ୍ତୁ ମନଟା ତାଙ୍କର ବଡ଼ ।

 

ସେ ତାଙ୍କୁ ଛାଡ଼ିବନି । ଏମିତି ଠକିଲେ ସେ ଶୁଣିବନି ତାଙ୍କ କଥା । ଭାବୁଥିଲା ସୁକୀ ବସି ଚଉରାମୂଳେ ।

 

ମହୁରିଟା ବାଜି ଉଠିଲା ଗାଁ ଦାଣ୍ଡରେ । ମନ ଥରିଲା ସୁକୀର ମହୁରିର କୁହାଟମରା ଡାକରାରେ ସତକୁ ସତ ସେ କ’ଣ ଛାଡ଼ି ଚାଲିଯିବ ସମସ୍ତଙ୍କି ଏ ଗାଁ ଭୂଇଁରୁ ? କାହାକୁ ସେ ବାହା ହେଇଛି–କେବେ ସେ ବେଦିରେ ବସିଛି–କାହାର ହାତ ଧରିଛି ପୁଣି–କିଛିତ ମନେନାହିଁ ତା’ର ।

 

ସେ ଖାଲି ଶୁଣିଛି ସମସ୍ତଙ୍କଠୁଁ । ପାଞ୍ଚସାତ ବରଷ ତଳେ ତାକୁ ବାପା ମାଆ ଲୁଚେଇ କରିଛନ୍ତି ବାହା ଏମିତି ଗୋଟିଏ ଆଠ ଦଶ ବରଷର ଅଜଣା ପିଲା ସାଙ୍ଗରେ । ସମାଜ କ’ଣ କହିଛି ଏମିତି ପିଲା ଖେଳପରି କରିବାକୁ ହାତକୁ ଦିହାତ ? ଏ ସବୁ ଲୋକଙ୍କ ମନଗଢ଼ା କଥା–ଫେକଚାମୀ–ବାହାଦୁରି ! ଯିଏ ନଦେଖିଛି ଥରେ–କିଛି ଜାଣିନି ଜମା ତାକୁ କିମିତି ବାପା ମାଆ ମନଇଚ୍ଛା ଟେକି ଦିଅନ୍ତି ଅନ୍ୟକୁ । ଏଇଥି ପାଇଁ ସମାଜ ଭିତରେ ଘୂରି ବୁଲୁଛନ୍ତି ଅସଂଖ୍ୟ ବାଳୁତ ବିଧବା । ଜୀବନ ଯୌବନ ନଷ୍ଟ ହୋଇଛି ତାଙ୍କର ।

 

ଶୁଣିଲା କଥାରେ ଭୁଲିଯିବନି ସେ । ବାହାଘର ତା’ର । ବାପା ମାଆଙ୍କର କିଛି ନାହିଁ ଏଥିରେ । ଗ୍ରାମବାସୀଙ୍କର ସ୍ୱାର୍ଥନାହିଁ ଜମା । ସେ ବାହାହେବ ଦେଖିଚାହିଁ–ସଂସାର ଗଢ଼ିବ ତା’ର ଅନ୍ୟସଙ୍ଗେ ଯାହାକୁ ସେ ମନ ଦେଇଛି–ହୃଦୟକୁ ବିକିଛି ଆତ୍ମହରା ହୋଇ । ସେ କରିବ ପ୍ରତିବାଦ ଏଥିରେ । ମନର ମିଳନ ହୃଦୟର ବନ୍ଧନ ହେଲା ଦାମ୍ପତ୍ୟ ଜୀବନର ସୁଖ ସମ୍ପଦ । ଏ ସମାଜଗଢ଼ା ବନ୍ଧନ–ଲୋକ ଦେଖାଣିଆ ବାହା–ମନ ଭୁଲାଣିଆ କଥାକୁ ସେ ପସନ୍ଦ କରିବ କିମିତି ? ତା’ର ଏଥିରେ ହେବ ସର୍ବନାଶ । ଅମଙ୍ଗଳକୁ ସେ ଜାଣି ଜାଣି ବରଣ କରିବନି । ସେ ସିମିତି ରହିବ ଅବିବାହିତା । ପୁଆଣୀ ହୋଇ ବୋହୂ ବେଶରେ ଠିଆ ହେବନି ଅନ୍ୟ ପାଖରେ ।

 

ସାହି ମାଇପେ–ତା’ର ସାଙ୍ଗ ବଉଳ ଚାଲି ଆସିଲେ ତର ତରରେ ତା’ ପାଖକୁ । ତାକୁ ବେଢ଼ିଗଲେ ସମସ୍ତେ । ସୁକୀ କଥା କହି ପାରିଲାନି । ମୁହଁ ପୋତି ବସିଥାଏ ସିମିତି ।

 

ତାକୁ କିଏ କହିଲେ କେତେକଥା । ତା’ର ବରଟା ଜାଦୁଆ; କିଏ କହିଲା ରୋଗା । ରୂପ ବର୍ଣ୍ଣନା କରି ପକେଇଲା ଜଣେ । ତାକୁ ସେଗୁଡ଼ାକ ଭଲ ଲାଗୁନଥିଲା ଶୁଣିବାକୁ ।

 

ତା’ ସଙ୍ଗେ ଲଗେଇଲେ କେତେ କାନ୍ଦିବାକୁ । ସେ ଛାଡ଼ିଯିବ ସମସ୍ତିଙ୍କୁ–ଏ ଗାଁରୁ ହେବ ବିଦାୟ । ଆଖିରେ ଲୁହନାହିଁ–ମନରେ ବିଷାଦ ନାହିଁ–ସେ ମୂକହେଇ ବସି ରହିଛି କାହିଁକି ? ସମସ୍ତେ ହୁଅନ୍ତି ଠରାଠାରି । ଭାଉଜମାନେ ଗେଲରେ କହନ୍ତି–“ସେ ଗୋଡ଼ଟେକି ବସିଛି ଯିବ ବୋଲି ଘଇତା ଘର । କାନ୍ଦିବ କାହିଁକି ? ଏ ଯୁଗକୁ କାନ୍ଦଣା ଉଠିଗଲାଣି । ମୁହଁ ଲୁଚା ଛପିଲାଣି । ମୁଣ୍ଡ ଓଢ଼ଣା ଖସିଲାଣି ।”

 

ସେ ଆଉ ବସି ପାରିଲାନି ବାଡ଼ିପାଖ ଚଉରା ମୂଳେ । ମୁହଁ ପୋତି ଉଠି ଆସିଲା ଘରକୁ । ଘରେ ସେ ଦେଖିଲା ପୂରି ରହିଛନ୍ତି ସାହି ମାଇପେ; ମରଦ ସବୁ । ଯିବ ଅବା କୁଆଡ଼େ ? ତା’ର ମନକୁ ବାନ୍ଧିବାକୁ ସମସ୍ତେ ଜାଲ ଘେରେଇଛନ୍ତି ଯିମିତି । ମହୁରିଆଟା ଦାଣ୍ଡ ପଟେ ମହୁରି ଫୁଙ୍କି ଫୁଙ୍କି ହାଲିଆ ହେଲାଣି । ମହୁରିର ସ୍ୱର ନରମି ଆସୁଥିଲା ଯିମିତି ।

 

ସେ ଦେଖିଲା ବୋଉ ତା’ର ବାଧିକାରେ ପଡ଼ି ସୁଦ୍ଧା କୁନ୍ଥେଇ କୁନ୍ଥେଇ ଉଠିଛି । ବଳ ପାଉନି ଦିହରେ । ସେ ବସି କାନ୍ଦୁଛି ମଝିଘରେ । ସେ ଉପାୟ ପାଇଲାନି ଆଉ । ବୋଉ ପାଖରେ ଯାଇଁ ପହଞ୍ଚିଲା । ଝିଅକୁ ଦେଖି ମାଆର କୋହ ଉଠିଲା ବେଶୀ । ସୁକୀ ସେଇଠି ଶୋଇ ପଡ଼ିବାକୁ ଯାଉଥିଲା ମାତ୍ର ମାଆ ତା’ର ଜାବୁଡ଼ି ଧରି ବାହୁନି କାନ୍ଦିଲେ କେତେ । ସାହି ମାଇପେ ସମସ୍ତେ କଲେ ଆଖି ଛଳଛଳ ଲୁହରେ । ସୁକୀର ମନ ଭିତରେ ଉଠିଲା କୋହ ସମସ୍ତିଙ୍କ ମୁହଁକୁ ଚାହିଁ ।

ଗାଁଟି ଯାକର ଲୋକେ ରୁଣ୍ଡ ହୋଇଛନ୍ତି ସେଇଠି ଯେଉଁଠି ଥୁଆହୋଇଛି ଦୁଇଟି ସବାରି ଦୁଇକଡ଼ରେ । ଗୋଟିଏ ସବାରି ଆସେ ବୋହୂ ଯିବାପାଇଁ । ବର ଥିଲେ ଆସେ ପାଲିଙ୍କି ସିନା । ଦୁଇଟି ସବାରି ଆସିଛି କାହିଁକି ? ପୁଣି ଅଲଗା ଅଲଗା ଭାବେ ସଜବାଜ ହୋଇ ରହିଛନ୍ତି ମହାପାତ୍ରଙ୍କର ଦାଣ୍ଡ ଦୁଆର ସାମନାରେ । ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ସେୟା । କିଏ କାହାକୁ ପଚାରି ପାରେନା । ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁ ରହନ୍ତି । ମହାପାତ୍ରେ ଅଫିମ ନିଶାରେ ମୁହଁତଳକୁ କରି ଆଖିବୁଜି ଢୁଳଉଥାନ୍ତି ସିମିତି ।

ଗୋଟିଏ ଦରବୁଢ଼ା ଲୋକ ବସିରହିଛି ମହାପାତ୍ରଙ୍କର ପିଣ୍ଡା ଉପରେ । ମୁଣ୍ଡର ଧଳାବାଳତକ ଧାନବିଲର ବାଳୁଙ୍ଗା ପରି ବେଶ୍‍ ଜଣା ଯାଉଥିଲା ତାଙ୍କର । ଧଳା ସିଲ୍‍କିର ପଞ୍ଜାବିଟା ଦେହକୁ ଘୋଡ଼େଇ ରଖିଥିଲା ଆରାମରେ । ପାନର ବୋଳରେ ପାଟି ଭିତରର ଦାନ୍ତଗୁଡ଼ିକ ହୋଇଥିଲେ ରଙ୍ଗାୟୀତ ।

ଖାତକ ଦୁଆରେ ଜମିଦାର ଯେଉଁ ଠାଣିରେ ବସିଥାନ୍ତି–ଲୋକଟି ଜଣାଯାଉଥିଲା ସିମିତି-। ସେ ଚାହୁଁଥାଏ ବସି ଗାଁ ଲୋକଙ୍କ ମୁହଁକୁ । ଲୋକେ ଅଜଣା ମଣିଷର ଅଦେଖା ମୁହଁଟିକୁ ଉଣ୍ଡୁଥାନ୍ତି ବାରମ୍ବାର ।

 

ଆଉ ଜଣେ ମରଦ ବସିଛି ଘର ଭିତରେ । ସମସ୍ତେ ଜାଣନ୍ତି ତାକୁ । ହରିପୁରରୁ ସେ ଆସିଛି ବୋହୂଡାକି । ଲେଖାରେ ସେ ହେବ ସୁକୀର ଦିଅର । ସପ ମସିଣା ଉପରେ ସେ ବସିଛି କୁଣିଆ ହେଇ । ଦଶ ବାର ବରଷର ପିଲାଟିଏ ପେଣ୍ଟସାର୍ଟ ହଳେ ପିନ୍ଧି ଘରେ ଟହଲ ମାରୁଛି । ଯେଉଁଠି ବେଶୀ ମଣିଷ ରୁଣ୍ଡ ସେ ଟୋକାଟି ଚାହିଁ ରହିଛି ସେଇଠି । ସୁଳୀକ ଧରି ସାଇ ମାଇପେ ଯେଉଁଠି ରଡ଼ି ଛାଡ଼ିଥାନ୍ତି ପିଲାଟି ସେଇଠି ତାଙ୍କ ମୁହଁକୁ ଚାହିଁ ଲୁହରେ ଆଖି କରୁଛି ଛଳଛଳ ।

 

ସନ୍ଧ୍ୟାବେଳ ଗଡ଼ିଯାଇ ରାତି ହେଲା ଦୁଇଘଡ଼ି । ମହୁରିର ତାଳେ ତାଳେ ରଡ଼ି ଛାଡ଼ିଲେ ଗହୀର ମାଳରେ ପହରିକିଆ ବିଲୁଆ । ରାଧାମୋହନଙ୍କ ମନ୍ଦିର ବେଢ଼ା କମ୍ପିଉଠିଲା ସନ୍ଧ୍ୟା ଆଳତି ପାଇଁ ଘଣ୍ଟ କାହାଳୀର ତାନରେ । ହରିପୁରରୁ ଆହୁରି କୁଣିଆ ଆସି ହେଲେଣି ହଜାର । ତାଙ୍କ ମନରେ କେତେ ଉତ୍ସାହ ଆନନ୍ଦ ଲହଡ଼ି ଭାଙ୍ଗୁଥାଏ କେଜାଣି ? ବାହା ପୁଆଣୀରେ ସମସ୍ତେ ହୁଅନ୍ତି ସିମିତି । ଭୋଜି ଖାଇବାକୁ ପେଟ ରଖିଥାନ୍ତି ଖାଲି । ଚାହୁଁଥାନ୍ତି କେଉଁଠି ହୋଇଛି ଖନ୍ଦାଶାଳ–ଭୋଜନ ପୂର୍ବରୁ ରନ୍ଧନର ଯେଉଁ ସୁମଧୁର ଆଘ୍ରାଣ ଭୋକକୁ ବଢ଼ାଏ ଦି’ଗୁଣ ।

 

ସମସ୍ତେ ଚାହିଁଛନ୍ତି ମହାପାତ୍ରଙ୍କୁ । ମଦାପାତ୍ରେ ମୁହଁପୋତି ବସିଛନ୍ତି ତଳକୁ । ହରିପୁରୁ ଲୋକେ ବୁଲିବୁଲି ଚାହୁଁଥାନ୍ତି ସବାରିଟା ଆଡ଼େ ଆଉ ପାନ ପାକୁଳି ଆରାମରେ ବସିଥିବା ଲୋକଟି ମୁହଁକୁ । କେହି କାହାକୁ କହୁ ନାହାନ୍ତି ମନର କଥା ଏ ଗହଳିରେ ।

 

କଥା ଛପି ରହେନା । ବେଳଜାଣି ବାହାରି ଆସେ ଆପେ ଆପେ ମନକୁ । ନରିବାବୁ ଯାଇଥିଲା କେଉଁଗାଁକୁ ଫସଲ ଦେଖି । ସେ ବସାକୁ ଫେରୁ ଫେରୁ ରାତି ଘଡ଼ିଏ । ଗାଁ’ ମୁଣ୍ଡରୁ ମହୁରିର କରୁଣ ସ୍ୱର ଶ୍ରବଣ କରି ତା’ର ମନ ବିକଳ ହୋଇ ଉଠିଲା । ସେ ପଚାରି ପାରୁନି କାହାକୁ-। ଖାଲି ବିଶ୍ୱାସ କରୁଛି ଯାହା ଶୁଣିଥିଲା ସେଇ ରାତିରେ ସୁକୀ ଯିବବୋଲି ତା’ର ଶାଶୁଘରକୁ ପୁଆଣୀ ହେଇ । ସେ କ’ଣ ଶେଷଥର ପାଇଁ ତାକୁ ଦେଖିବନି । ଜାଣିଜାଣି ସେ କରିଛି ଭୁଲ୍‍-। ସେ ପଚାରି ପାରିଲାନି ଆଗରୁ । ତା’ର ହାତକୁ ଦିହାତ କରିଛନ୍ତି ବାପ ମାଆ ପିଲାଦିନୁଁ-। ସେ ପରଜିନିଷ ଉପରେ କଲା ଲୋଭ–ଅନ୍ୟକୁ ଅସୁବିଧାରେ ପକାଇବାକୁ ପାଞ୍ଚିଲା କୌଶଳ-। ବାହାହୋଇଥିବା ଝିଅକୁ ସେ ଭଲପାଇଲା କାହିଁକି ଇମିତି ?

 

ପାଦ ଦୁଇଟି ଆସ୍ତେ ଆସ୍ତେ ଚାଲିଥାନ୍ତି ଆଗକୁ ନରିର । ସେ ଜାଣୁନି କୁଆଡ଼େ ଯାଉଛି-। ରୂପସୀ ସୁକୀର ସଲଜଭରା ମୁହଁଟି ନାଚି ଉଠିଲ ତା’ ଆଖି ଆଗରେ । ସେ ଦିନ ରାତିର ଘଟଣା ଉଙ୍କି ମାରିଲା ମନରେ ପୁଣି । ସୁକୀ ପ୍ରଶ୍ନର ସେ ଦେଲା ଉତ୍ତର । କ’ଣ ବୋଲି ସେ କହିଥାନ୍ତା ଆଉ ? ବାହାହେବା ଝିଅକୁ ଭଉଣୀ ବୋଲି ସମ୍ବୋଧନ କଲା ସେ ବାଧ୍ୟ ହୋଇ-। ସେ ଯେ ଫୁଲକଢ଼ି ପରି ପତ୍ର ଉଢ଼ାଳରେ ଲୁଚି ରହି ତା’ର ଛପିଲା ମନର ଅନାହୂତ ପ୍ରେମକୁ ଜାଚି ଦେଇଛି କେଉଁ ଛୁଆ ଭଅଁର ପାଖରେ । ସେ ଜାଣିନି ତା’ର ସାଥୀ କିଏ ? ସେ ମନ୍ତୁରା ଫୁଲକୁ ଛୁଇଁବାକୁ ସମସ୍ତଙ୍କର ଡର । ଖାଲି ଚାହିଁବ ସିନା–ପାଖକୁ ଯିବାକୁ ମନା–ଛୁଇଁଲେ ଅପରାଧ-। ସେ ସେଥିପାଇଁ ହେଲା ଦୂରଛଡ଼ା–ଭଉଣୀ ବୋଲି କଲା ସମ୍ବୋଧନ ।

 

ତାକୁ ଆଶ୍ଚର୍ଯ୍ୟ ଲାଗିଲା ସୁକୀରା କଥାରେ ସେ ଦିନ । ସେ ମୁହଁ ଶୁଖେଇ କହି ପକେଇଲା–“ନା ନା ସେ ତାଙ୍କର ଭଉଣୀ ନୁହେଁ । ତେବେ ଆଉ କ’ଣ ସେ ତା’ର-? ପୁଣି କହିଲା–ମନ ସମର୍ପି ଦେଇଛି ତାଙ୍କୁ । ଦୁନିଆଁରେ ତାଙ୍କଛଡ଼ା ତା’ର ଆଉ କେହି ନାହିଁ–ତାକୁ ଜୋର କରି ସେ ଠେଲି ଦେଉଛନ୍ତି କାହିଁକି ଅନ୍ୟ ପାଖକୁ ?” ସେ ଠିକ୍‍ କରି ପାରିଲାନି କିଛି । ସୁକୀର ମନକୁ ସେ କିଣି ମଧ୍ୟ ଭଲକରି କିଣି ପାରିନି । ବୁଝି ପାରିଲିନି ତା’ର ମନ ଗହନର ଗୋପନ କଥା ସେ ଯାହା ଖୋଲିଥିଲା ତା’ ପାଖରେ ।

 

ତା’ ମନରେ ପ୍ରଶ୍ନ ଉଠେ କେତେ–“ସେ ତା’ର କିଏ ? ତାକୁ ଡାକିବ କ’ଣ ବୋଲି ?” ଭଗ୍ନୀ ସ୍ନେହ ପରିବର୍ତ୍ତେ ସେ ରୂପଦେବ ଆଉ କିମିତି କହି ?

 

ଏହି ଭାବନା ଭିତରେ ସେ କେତେବେଳେ ଆସି ବସା ପାଖରେ ପହଞ୍ଚିଲାଣି ତାକୁ ଜଣାନାହିଁ । ବାରଣ୍ଡାରେ ତାକୁ ଅପେକ୍ଷା କରି ଜମା ହୋଇଥିଲେ କେତେଲୋକ । ଜରୁରୀ ଖବର କ’ଣ ଦେବାକୁ ସେ ପହଞ୍ଚିଛନ୍ତି ଆସି କେତେବେଳୁ । ନରିର ମନରୁ ତନ୍ଦ୍ରା ଭାଙ୍ଗିଲା । ସେ ପ୍ରକୃତିସ୍ଥ ହୋଇ ହସିହସି ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।

 

ଲୋକେ କହିଲେ–“ନରିବାକୁ ତୁମେ ଯାଇଥିଲ କେଉଁଗାଁକୁ ?” ଏଣେ ଘର ଭିତରେ ପାଣି ଆଣ୍ଠୁଏ । କଥା କ’ଣ ଏମିତି କିଛି ସାଂଘାତିକ ଘଟଣା ଘଟିଛି ତା’ ଅନୁପସ୍ଥିତିରେ ସତେ ? ସେ ଆଗ୍ରହରେ ଶୁଣିବାକୁ ଚାହିଁରହିଲା ଲୋକଙ୍କ ମୁହଁକୁ ।

 

ସେମାନେ କହିଲେ–ମହାପାତ୍ରେ ଏ ଗାଁର ପୁରୁଖାଲୋକ ହୋଇ ସମସ୍ତଙ୍କ ନାକନିଶ ତଳେ ପକାଇଲେ ସିନା ? ବିହାହିତା ଝିଅକୁ ପୁଣି ସେ ଦେବାକୁ ବସିଛନ୍ତି ଆଉ କାହାକୁ ? ସୁକୀର ପୁଆଣୀ ଘର ଆଜି । ହରିପୁରରୁ ଲୋକେ ଆସି ପହଞ୍ଚିଛନ୍ତି ସବୁ । ସବାରି ପଠେଇଛନ୍ତି ବୋହୂ ଯିବାପାଇଁ । ଦାଣ୍ଡ ଦୁଆରେ ଥୁଆ ହୋଇଛି ସଜହୋଇ । କଥାକୁ ଦେଖ ! ମହାପାତ୍ରେ କଥା ଦେଇଛନ୍ତି ସେ କୁଆଡ଼ିକା ଲୋକ କେଜାଣି ଆସି ଡେରା ପକେଇଚି ଦୁଆର ମୁହଁରେ ତାଙ୍କର । ସେ ପୁଣି ଆଣି ଆସିଛି ଆଉ ଗୋଟାଏ ସବାରି । ସୁକୀକି ସେ ନେବ ବୋହୂ କରି । ଏ ଉଭୟପକ୍ଷଙ୍କ ସଂଘର୍ଷ ତୁଟିବ କିମିତି ? ସେ ନ ଆସିଲେ ମହାପାତ୍ରଙ୍କୁ କହିବ କିଏ ?

 

ନରିର ମୁଣ୍ଡ ଝାଇଁ ମାରିଲା ଏ କଥାରେ । ସୁକୀ ତା’ର ଯାଉଛି ପୁଣି ଅନ୍ୟକୁଆଡ଼େ । ତା’ ପାଟିରୁ କଥା ବାହାରିଲାନି ପଦେ । କ’ଣ ସେ ଉତ୍ତର ଦେବ ଗାଁ ଲୋକଙ୍କୁ । ତା’ର ଅନୁମାନ ଠିକ୍‍ ରୂପ ନେଇଛି । ମହାପାତ୍ରଙ୍କର ଚାକିରି ଗଲା । ଜମିଦାରଙ୍କ ଦିଅଁ ଦେଉଳ ନେଲା ଏଣ୍ଡଆମେଣ୍ଟ । ବୁଢ଼ା ବୟସରେ ଅଫିମ ଟିକିଏ ବିନା ସେ ହେଉଛନ୍ତି ବାରଦୁଆର ଶୁଣ୍ଢିପିଣ୍ଡା । ସରକାର ନିଶା ନିବାରଣ କରିଛନ୍ତି । ଅଫିମ ଭରିକି କୋଡ଼ିଏ ଟଙ୍କା । ମାହାପାତ୍ରଙ୍କୁ ସେ ଯେତେ ବୁଝେଇଲା ଓଷଦ ଖାଇ ଏ ନିଶାଛାଡ଼ । ସେ କ’ଣ ତା’ କଥା ଶୁଣିଲେ ? ଏବେ କେଉଁଠୁଁ କିଛି ଟଙ୍କା ପକେଇଥିବେ ହାତରେ ! ଝିଅକୁ ବିକିବେ ଶେଷରେ ।

 

ସେ ପୁଣି ଟିକିଏ ଛେପ ଢୋକି କହିଲା ଗାଁ ଲୋକଙ୍କୁ–“ମହାପାତ୍ରେ କ’ଣ କହୁଛନ୍ତି ଏବେ ।”

 

ଲୋକେ କହିପକେଇଲେ ଏକ ସ୍ଵରରେ–“ସେ କ’ଣ କାହା କଥା ଶୁଣୁଛନ୍ତି ନାଁ ବୁଝୁଛନ୍ତି-?” ଖାଲି ମୁହଁ ତଳକୁ କରି ଗୁମ୍‍ମାରି ବସିରହିଛନ୍ତି ତାଙ୍କ ଦାଣ୍ଡଘରଟିରେ । ହରିପୁର ଲୋକ ବୋହୂ ଡାକି ଆସି ସିମିତ ବସିଛନ୍ତି ଉପାସରେ । କୁଣିଆ ଚରଚା ନାହିଁ–କାହାସଙ୍ଗେ କଥା ନାହିଁ-। ରାତି ଆସି ହେଲାଣି ପହରେ । ସେ ଲୋକେ ଏମିତି ହଇରାଣ ହେଲେ ସେମାନଙ୍କୁ କେତେ ନିନ୍ଦା ନହେବ ? ଗାଁ ଲୋକ ପଠେଇଥିଲେ ସିନା ହରିପୁରକୁ ତାଙ୍କ ବୋହୂକୁ ଶୀଘ୍ର ଏ ଗାଁ ଭୂଇଁରୁ ନେବାଲାଗି । ସେମାନେ ଦୋଷ ଦେବେ ତାଙ୍କୁ । ମହାପାତ୍ରଙ୍କୁ ଏ ଅପମାନ ସିନା କାଟୁନି; ବେଶୀ ଲାଜଲାଗୁଛି ଗ୍ରାମବାସୀଙ୍କି ।

 

ଗାଁ କଥାରେ ନରି କ’ଣ କହିବ ? ସେ ତ ଅଜାତି–ଛୁଆଁ । ସମାଜର କେତେତଳେ ଯାଇଁ ସେ ରହିଛି । ବିଲେଇ କୁକୁରକୁ ଛୁଇଁଲେ ଲୋକେ ଛୁଆଁ ହୁଅନ୍ତିନି ମାତ୍ର ତାକୁ ଛୁଇଁଲେ ଲୋକେ ଗାଧାନ୍ତି । ସେ କୁକୁର ବିଲେଇଠୁ ଆହୁରି ତଳେ । ସେଇଥି ପାଇଁ କେତେଦିନ ତଳେ ରୋଗରେ ପଡ଼ି ସେ କଲବଲ ହେଉଥିଲା । ତା’ ପାଖ କିଏ ମାଡ଼ୁ ନ ଥିଲେ ଜମା । ଆଜି ଟିକିଏ ଲୋକଙ୍କ ମନ ମାନିଛି ବୋଲି ସେ ଗାଁ ନ୍ୟାୟରେ ତାଙ୍କ ସମାଜ କଥାରେ କ’ଣ କହି ମେଣ୍ଟେଇବ-? ତାକୁ ଘୃଣାଲାଗିଲା ବେଶୀ । ମନ ମାନିଲାନି ଲୋକଙ୍କ କଥାରେ । ସେମାନଙ୍କ ବାହା ପୁଆଣୀରେ ସେ କାହିଁକି ନେବ ଭାଗ ।

 

ସେ ଲୋକଙ୍କୁ କ’ଣ କହି ଫେରେଇବ । ତା’ର ମୁଣ୍ଡକୁ ଅକଲ ଢୁକିଲାନି କିଛି । ସେ ଖାଲି କହିଲା ମାହାପାତ୍ରଙ୍କର ଝିଅ ତାଙ୍କ ମନ ଯେଉଁଠି ପାଇଲା ସେ ଦେଲେ ସେଥିରେ ଆମ ତମର ଯାଏ ଆସେ କେତେ ? ବାପ ହେଇ ଝିଅର ସୁବିଧା ସେ ଦେଖିବେ । ସାଇପଡ଼ିଶା ସବୁ ସାହାଯ୍ୟ ଦେବେ ସିନା ! ଆଉ କ’ଣ କରି ପାରିବେ ?

 

ନରି କଥାରେ ଗାଁ ଲୋକଙ୍କ ମନ ମାନିଲାନି । ସେମାନେ ଏ କଥା ଭିଆଇଛନ୍ତି । ସୁକୀର ପୁଆଣୀ ହେଇଯିବା ପାଇଁ ଖବର ପଠେଇଛନ୍ତି ହରିପୁରକୁ । ତାଙ୍କରି କଥାରେ ବରପକ୍ଷ ପଇସା ଖର୍ଚ୍ଚ କରିଛି କେତେ । ଭୋଜିଭାତ କଥା ତ ଛାଡ଼ କୁଣିଆମାନେ ଘରେ ପୂରି ରହିଥିବେ । ଏ ସବୁ ହେଲା ତାଙ୍କରି ପାଇଁ । ଦୋଷ ଗାଁ ଲୋକଙ୍କର । ହରିପୁରୁ ଲୋକେ ନିନ୍ଦା କରିବେ ଶିଖରପୁର ଗାଁକୁ । ସମସ୍ତେ କହିବେ ଏ ଗାଁ ଲୋକଙ୍କର ଜବାବ ନାହିଁ–କଥାରେ ଠିକ୍‍ନାହିଁ । ଏ ସବୁ କଥା ବେଶୀ ବାଧା ଲାଗୁଛି ତାଙ୍କୁ । ନରିର ଏଇ କେତେପଦ ମନ ଭୁଲାଣିଆ କଥାରେ ସେ ରାଜି ହୁଅନ୍ତେ କିମିତି ?

 

ସମସ୍ତେ ଜିଦ୍‍କଲେ ଯିବାକୁ ମାହାପାତ୍ରଙ୍କର ଦୁଆରକୁ । ନରି ତାଙ୍କ କଥା ଭାଙ୍ଗି ପାରିଲାନି ଆଉ । ସେ ଲୋକଙ୍କ ସଙ୍ଗେ ଚାଲିଲା ଗାଁ ଭିତରକୁ । ଦୂରରୁ ଚାହିଁଲା ଲଣ୍ଠନଟିଏ ଜଳୁଛି ମହାପାତ୍ରଙ୍କ ଦୁଆରେ । ପିଣ୍ଡାତଳେ ଥୁଆ ହେଇଛି ଦୁଇଟି ସବାରି ଏକତ୍ର ହେଇ ।

 

ଲୋକେ ଚାଲିଛନ୍ତି ଆଗେ ଆଗେ ତାଙ୍କ ପଛରେ ଚାଲିଛି ନରି । ମାହାପାତ୍ରଙ୍କ ଦୁଆରେ ସମସ୍ତେ ଯାଇ ହେଲେ ରୁଣ୍ଡ । ଦାଣ୍ଡ ପିଣ୍ଡା ଉପରକୁ ଉଠିଲେ ସମସ୍ତେ ମାତ୍ର ନରି ରହିଲା ତଳେ । ତା’ର ମନ ହେଉନଥିଲା ଯିମିତି ଲୋକଙ୍କ ସଙ୍ଗରେ ଯାଇ ବସିବାକୁ ମହାପାତ୍ରଙ୍କ ପିଣ୍ଡାରେ ।

 

ନରି ଚାହୁଁଥାଏ ଖାଲି ସେଇ ଲୋକଟିକି ଯିଏ ପିଣ୍ଡାଟି ଉପରେ ଖୁମ୍ବକୁ ଆଉଜି ବସିଛି । ତା’ ପାଖରେ ଜଳୁଥିଲା ସେଇ ଲଣ୍ଠନ ଆଲୁଅଟି ।

 

ଗାଁ ଲୋକେ ଦେଖିଲେ ନରିବାବୁ ତଳେ ଛିଡ଼ା ହୋଇଛନ୍ତି । ଉପରକୁ ଆସିନାହାନ୍ତି । ସେମାନେ ଇସାରା ଦେଲେ ତାଙ୍କୁ ଆସିବାକୁ । ସାନ ପିଣ୍ଡାଟିରେ ଏତେ ଲୋକ ବସିବାକୁ ସ୍ଥାନ କାହିଁ ? ଦାଣ୍ଡଘର ବଖରାଟିରେ ସମସ୍ତେ ରୁଣ୍ଡହେଲେ । ଆରପାଖ ଘରେ ବସିଥାନ୍ତି ମହାପାତ୍ରେ । ଲୋକେ ଡାକିଲେ ତାଙ୍କୁ ପାଖକୁ । ମହାପାତ୍ରେ ଆସିବାକୁ ନାରାଜ । ସେ ଲୋକଙ୍କ ସାମନାରେ କି ସଫେଇ ଦେବେ । ନିଜେ ତ ଭୁଲ୍‍ କରିଛନ୍ତି । ସମସ୍ତଙ୍କ ଆଗରେ ଚୋର ପାଲିଟିଛନ୍ତି ।

 

ଏଣେ ନରି ସେହି ପିଣ୍ଡା ଉପରେ ବସିଥିବା ପୌଢ଼ ଲୋକଟି ସଙ୍ଗେ କ’ଣ ସବୁକଥା ହେଉଥାଏ । ନରିର ମନର ଭାବନା ଠିକ୍‍ ମିଳିଗଲା ଯାହା ସେ ଆଗରୁ ଭାବିଥିଲା ମହାପାତ୍ରଙ୍କର ସମନ୍ଧରେ । ଏହି ଲୋକଟି ପାଖରୁ ମହାପାତ୍ରେ ଦୁଇଶହଟଙ୍କା ନେଇଛନ୍ତି ଝିଅକୁ ତାଙ୍କର ଦେବେବୋଲି ସୁଦୂର ଧାନମଣ୍ଡଳ ରାଇଜକୁ । ନରି ବେଶ୍‍ ଜାଣିଲା ଲୋକଟି ତା’ର ଜିଲ୍ଲାର । ସେ ଲକ୍‍ଠକ୍‍ କରି ଲୋକଙ୍କୁ କହି ପଇସା ଦେଇ କନିଆଁ କିଣେ–ଆଉ ଅଧିକା ଲାଭରେ ନେଇ ଜୁଟେଇ ଦିଏ ଅନ୍ୟଜଣକୁ । ତା’ର ହେଲା ଏଟା ପେଶାବୃତ୍ତି ।

 

ଗାଁ ଲୋକଙ୍କୁ ଘର ଭିତରେ ଦେଖି ମହାପାତ୍ରେ ମୁଣ୍ତରେ ଗୋଟେ ଠେକାବାନ୍ଧି ଦିହରେ ଚାଦରଟିଏ ଘୋଡ଼େଇ ହୋଇ ଥରି ଥରି ଆସିଲେ ଦାଣ୍ଡ ଘରକୁ । ଲୋକେ ତାଙ୍କୁ ଅପେକ୍ଷା କରି ବସିଥିଲେ ସେଇଠି । ଗ୍ରାମସେବକ ନରିବାବୁ ହାତଯୋଡ଼ି ନମସ୍କାର କଲା ମହାପାତ୍ରଙ୍କୁ । ମହାପତ୍ରେ ଲୋକଙ୍କ ପାଖରେ ମୁହଁପୋତି ବସି ରହିଲେ ।

 

ଲୋକେ ଆରମ୍ଭ କଲେ କଥା–ଆଜି ପୁଆଣୀଘର ପରା ସୁକୀର ? ଦାଣ୍ଡରେ ପଡ଼ିନି ଚିତା–ଆମ୍ୱ ତୋରଣ ବନ୍ଧା ହେଇନି ଦୁଆରେ । ହୁଳହୁଳି ଶଙ୍ଖର ଶୁଭ ସଂକେତ ଶୁଣା ଯାଉନି କାହିଁକି ? କୁଣିଆମାନେ ତାଙ୍କର ମର୍ଯ୍ୟାଦା ପାରିଲେନି । ତାଙ୍କ କଥା କେହି ବୁଝିନି । ଖନ୍ଦାଶାଳରେ ନିଆଁ ଜଳୁନି । ସମସ୍ତେ ଚରଚା ହେବେ କିମିତି ?

 

ଯୁବକସଂଘର ମୁଖିଆନେତା କହିଲେ–ସେ’ତ ଯାହାସବୁ ହେଇଛି । ଏ ପୁଣି କ’ଣ ? ହରିପୁରକୁ ସେମାନେ ଦେଇଥିଲେ ଖବର । ଗୋଟିଏ ସବାରି ଆସିଛି ବୋହୂ ଡକରା ପାଇଁ । ତା’ ପାଖରେ ଆଉ ଗୋଟିଏ ପୁଣି ଥୁଆ ହେଇଚି କାହିଁକି ? ସୁକୀ ତାଙ୍କର କେଉଁ ସବାରିରେ ଯିବ । ଗାଁ ଲୋକେ ଏ ରହସ୍ୟ କ’ଣ ଜାଣିନାହାନ୍ତି ଜମା । ସେ ଲୋକଟି ବେଳ ଥାଉଁଥାଉଁ ଆସି ଦୁଆରେ ଜଗି ବସିଛି । ସେ ପୁଣି କିଏ ? କାହାକୁ କଥା କହୁନି । ମହାପାତ୍ରଙ୍କର ଏଥିରେ କ’ଣ ଭିତିରି ଖବର ଅଛି ଜଣାନ୍ତୁ ।

 

ଆଉଜଣେ କହିଲା–ଗାଁରେ ସମସ୍ତେ ଘର କରିଥାଇଁ । କେତେବେଳେ କେଉଁ କଥା ଆସେ । ବିପଦ ପଡ଼ିଲାବେଳେ ଗାଁର ଭାଇ ହିସାବରେ ଗାଁ ଲୋକେ କାନ୍ଧ ପକେଇବେ ସିନା । ସେଥିରେ ମହାପାତ୍ରେ ତାଙ୍କର ଅସୁବିଧା କ’ଣ କହି ନାହାନ୍ତି କାହାକୁ ।

 

ମହାପାତ୍ରେ ନିରବ । ସେ ଆଉ କ’ ଣ କହନ୍ତେ । ଗ୍ରାମବାସୀ ଯେ ଯାହା ମନକୁ ପାଇଲା କହି ଚାଲିଛନ୍ତି । ସେ ଶୁଣୁଛନ୍ତି ଖାଲି ସିମିତି ।

 

ନରି ଜାଣିଲା ସବୁକଥା–ସେ ଲୋକଟିଠାରୁ ବୁଝିଗଲା ସବୁ । ସେ କ’ଣ କହିବ ମହାପାତ୍ରଙ୍କୁ । ଦୋଷ ବୋଲି କହିଲେ ଲୋକେ ମନରେ ରୋଷ କରିବେ । ଅପ୍ରିୟ ସତ୍ୟ କଥା କହି ମହାପାତ୍ରଙ୍କ ମନରେ କଷ୍ଟ ଆଣିବାକୁ ସେ ଇଚ୍ଛା କରିନଥିଲା । ମାତ୍ର ଲୋକେ ଚାହିଁ ବସିଛନ୍ତି ତା’ ମୁହଁକୁ । ସେ କ’ଣ କହି ମେଣ୍ଟେଇବ । ଗ୍ରାମବାସୀଙ୍କ ସମ୍ମାନ ରହିବ । ଖାଲି ବସି ରହିବାକୁ ଏତେଲୋକ ତାକୁ କ’ ଣ ଟାଣିଆଣିଛନ୍ତି ଏଠିକି ? ସେ ଭାବୁଥିଲା କିମିତି ଏ ଦାଣ୍ଡ ଦୁଆରେ ବସିଥିବା ଲୋକଟିକୁ ଆଗ କରିବ ବିଦାୟ ।

 

ସେ କହିଲା ଖୁବ୍‍ ନରମ ଭାବରେ ସମସ୍ତଙ୍କୁ । ଆପଣମାନେ କାହିଁକି ଏତେ କଥା ପଚାରୁଛନ୍ତି ମହାପାତ୍ରଙ୍କୁ । ତାଙ୍କର ଅବସ୍ଥା ହୋଇଛି ଆଜି ସେଇୟା । ଅଭାବ ପଡ଼ିଲେ ଲୋକ ଯାହାକରେ ସେ ତାହା କରିଛନ୍ତି । ଏ ଯୁଗରେ କିଏ କାହାକଥା ବୁଝୁଛି । ସେ ଲୋକଟି ସଙ୍ଗେ କଥାବାର୍ତ୍ତା କଲାଣି ସେ । ତାଙ୍କରି ଜିଲ୍ଲାର ଲୋକ । ସୁକୀକି ବୋହୂକରି ନେବାକୁ ତା’ର ଭାରି ମନ-। ସେ ଖାଲି କନିଆ ବେଶ ଆଉ ଅଳଙ୍କାର ପାଇଁ ମାହାପାତ୍ରଙ୍କୁ ଦୁଇଶହ ଟଙ୍କା ଗଣି ଦେଇଛି-। ମାହାପାତ୍ରେ ଅଭାବରେ ପଡ଼ି ତାକୁ ଖର୍ଚ୍ଚ କରି ପକେଇଛନ୍ତି । ଏଇଲାଗେ ଟଙ୍କା ପାଇବେ କୁଆଡ଼ୁ ଯେ ଖର୍ଚ୍ଚ କରି ପୁଆଣୀଘର ଉଠେଇବେ । ଖାଇବା ବିନା ସେ ହଇରାଣ ହେଉଛନ୍ତି-। କୁଣିଆ ଚରଚା କରିବେ କୁଆଡ଼ୁ ?

 

ଏ ସବୁ କଥାରେ ମହାପାତ୍ରଙ୍କର ମଳିନ ମୁଖ ଟିକିଏ ଉଜ୍ଜ୍ୱଳ ଦେଖାଗଲା । ନରି କଥା ତାଙ୍କ ବିକଳ ମନକୁ ଦେଉଥିଲା ଆଶ୍ୱାସନା । ସେ ମୁହଁଟେକି ସଳଖିହେଇ ବସିଲେ ।

 

ଘରେ ମାଇପିଗୁଡ଼ାକ ଗାଲରେ ହାତଦେଇ ଯିମିତି ଶୁଣୁଥାନ୍ତି ଛିଡ଼ା ହେଇ । ସୁକୀ ଘର ଭିତରେ ଥାଇ ନରିର କଥାକୁ କାନ ଡେରି ଶୁଣୁଥାଏ । ମନେମନେ ସେ ଗାଳି ଦେଉଥାଏ କେତେ ନିଜକୁ । ସେ କାହିଁକି ବଞ୍ଚିରହିଲା ଶୁଣିବାକୁ ଏକଥା ସବୁ । ଆଉ ଗୋଟିଏ ଲୋକ ଆସିଛି ସବାରି ଘିନି ତାକୁ ନେବାକୁ ବୋହୂକରି । ନନା ତା’ର ବିକିଛନ୍ତି ତାକୁ ଦୁଇଶହ ଟଙ୍କାରେ । ସେ ତ ଏସବୁ ବିକାକିଣା କଥା ଜାଣିନି । ମଣିଷ ବିକା କିଣା ହୁଅନ୍ତି କିମିତି ? ଦରିଦ୍ର ଘରେ ଜନ୍ମହୋଇ ସେ ବିକ୍ରି ହେଲା ଅନ୍ୟ ପାଖରେ ବାପା ମା’ଙ୍କ ଛୋଟିଆ ସଂସାରଟିକୁ ଚଳେଇବାକୁ । ତା’ ଆଖିରେ ଆସିଲା ଲୁହ ।

 

ନରି ପୁଣି ଆରମ୍ଭ କଲା କଥା । ବିବାହିତା ଝିଅ ଅନ୍ୟଆଡ଼େ ପୁଣି ବାହାହୋଇ ଯିବ କିମିତି ? ଏଟା ଗାଁକୁ ନିନ୍ଦା । ସମସ୍ତେ ଶୁଣିଲେ କ’ଣ ମନେ କରିବେ । ମହାପାତ୍ରଙ୍କ ପବିତ୍ର ବଂଶମର୍ଯ୍ୟାଦା ଉପରେ ଲାଗିବ କଳଙ୍କର ଦାଗ । ସେ ଲୋକଟି ଚାଲିଯିବ ତା’ର ଦୁଇଶହ ଟଙ୍କା ନେଇ । ତା’ପରେ ହରିପୁର କୁଣିଆ ହେବେ ଚରଚା । ପୁଆଣୀଘର ବିଧି ବିଧାନ ହେବ ।

 

ସମସ୍ତେ ଚାହିଁ ରହିଲେ ନରି ମୁହଁକୁ । ଟଙ୍କା କେଉଁଠୁ ପାଇବେ ମାହାପାତ୍ରେ ୟିଲାଗି ଗଣିବେ ସେ ଲୋକକୁ । ସମସ୍ତେ ସମସ୍ତିଙ୍କି ଚାହିଁଲେ ।

 

ଦାଣ୍ଡ ପିଣ୍ଡାରେ ବସି ଢୁଳଉଥିବା ଲୋକଟି ଏକଥା ଶୁଣି ଉଠି ଆସିଲା ଆଗକୁ । ସେ କହିଲା–ଟଙ୍କା ଦେଇଛି କ’ଣ ଫେରସ୍ତ ନେବାକୁ । ସେ ନେବ କନିଆଁ ବୋହୂକରି ଘରକୁ । ଭଡ଼ାରେ ଆଣିଛି ସବାରି–ଗଣିଛି ପଇସା ଗଉଡ଼ମାନଙ୍କୁ ତାଙ୍କର ମଜୁରୀ ବାବଦକୁ ।

 

ନରି ସଙ୍ଗେ ସଙ୍ଗେ ରାଗିଗଲା ଲୋକଟି ଉପରେ ତା’ର ପ୍ରତିବାଦ କଥାଶୁଣି । ସେ କହିଲା–ଟଙ୍କା ଦେଇଛ ମାହାପାତ୍ରଙ୍କୁ ବୋଲି ତା’ର କିଛି ପ୍ରମାଣପତ୍ର ଅଛି । କିଏ ଦେଖିଛି ଟଙ୍କା ଗଣିବା ସମୟରେ । କାହାକୁ ପଚାରି ସେ ଦେଇଥିଲା ଟଙ୍କା ତାଙ୍କୁ । ଟଙ୍କା ନ ପାଇଲେ ସେ କ’ଣ କରିବ ? ନରି ଜାଣି ନଥିଲା ଲୋକଟି ବ୍ୟବସାୟ କରୁଛି ଇମିତି । ସେ ନାଲି ଆଖି ଦେଖାଇ କହିଲା–“ପୁଲିସ ଜିମା କରିବି ତୁମକୁ ଯେବେ ସିମିତି କିଛି ପାଟିତୁଣ୍ଡ ଆରମ୍ଭ କରିବ ।”

 

ଲୋକଟି ଟିକିଏ ଦବିଗଲା । ଗ୍ରାମବାସୀମାନେ ଖୁସିହେଲେ ତା’ ଧମକରେ । ସମସ୍ତେ ଜାଣିଥିଲେ ନରିବାବୁ ମଲାମାଛିକି ମର ବୋଲି କହନ୍ତିନି । ସାଧାସିଧା ପିଲା ଦାଣ୍ଡରେ ଗଲାବେଳେ ମୁହଁ ଟେକି ଚାହିଁଦିଏନି କାହାକୁ । ସେ ଫେରେ ଇମିତି ରାଗନ୍ତି । ସେ ଯେଉଁ ଲୋକଟିକି ଡରୁଥିଲେ କଥା କହିବାକୁ ସେ ତାକୁ ଶିଖେଇଲା ଅକଲ । ଲୋକେ ଚାହିଁ ରହିଲେ ନରିବାବୁ ମୁହଁକୁ ।

 

ଅଜଣା ଲୋକଟି ମନରେ ଭୟ ହେଲା ବେଶୀ । ତା’ର ଦୁଇଶ ଟଙ୍କା ବୁଡ଼ିବାକୁ ଯାଉଛି-। ଟଙ୍କାପାଇଁ କାହା ଆଗେ ସେ ଗୁହାରି କରିବ ? ଗାଁ ଲୋକେ ସବୁ ଏକଜୁଟ ହେଲେଣି-। ଏଥିରେ ପ୍ରତିବାଦ କଲେ ଶେଷରେ କଇଦୀଖାନାକୁ ଯିବାକୁ ପଡ଼ିବ ।

 

ଆଗରୁ କରିଥିବା ମନ୍ଦକର୍ମମାନ ତା’ର ମନେ ପଡ଼ିଗଲା ଗୋଟି ଗୋଟି ହୋଇ । ସେ କେତେ ନିରୀହା ବାଳିକାଙ୍କୁ ନେଇ ଗୋରୁ ମୂଲେଇବା ପରି ଅନ୍ୟପାଖେ ବିକିଛି । ଜୀବନ ସହିତ ଖେଳ ଖେଳି ପୁଣି ତାଙ୍କର ଅମୂଲ୍ୟ ଜୀବନକୁ ନଷ୍ଟ କରିଛି ସେ ।

 

ମନରେ ଘୃଣାଭାବ ଆସିଛି କେଉଁ ନାରୀର ସେ ବନ୍ଧୁବାନ୍ଧବଙ୍କୁ ପରିତ୍ୟାଗ କରି ଡେଇଁଛି କୂଅ ପୋଖରୀକୁ–ଖାଇଛି ହଳାହଳ ବିଷ କଲବଲ କରି ମାରିବାକୁ ଜୀବନକୁ । ଭାବିଲେ ସବୁକଥା ତା’ର ମୁଣ୍ଡ ହୁଏ ଗରମ । ସେମାନଙ୍କର ଉତ୍ତପ୍ତ ନିଃଶ୍ଵାସରେ ସେ ଯିମିତି ପୋଡ଼ି ଜଳି ଯାଉଛି । ଏତେ ଟଙ୍କା ପାଇଲା ସେ । ତାକୁ ଅଣ୍ଟିଲାନି କିଛି । ସେ ତ୍ୱଟିକଟା ଧନ ଅଣ୍ଟେନି କାହାକୁ । ଶେଷକୁ ବୃଦ୍ଧବୟସ ଆସି ପହଞ୍ଚିଲା । ସେ ସେହି ବିଦ୍ୟା ପୁଣି ଧରିଛି ।

 

ମନକୁ ତା’ର ପାପ ଛୁଇଁଲା । ସେ ମହାପାପୀ ତା’ର ପରିତ୍ରାଣ ଆଉନାହିଁ । ଏ ବିଦ୍ୟାକୁ ଛାଡ଼ିବ ସେ । ତାକୁ କ’ଣ ଆଉ ଧନ୍ଦା ମିଳୁନି କିଛି । ଏ ବାଟରେ ସେ ଯିବ କାହିଁକି ? ଅଜଣା ଭୟରେ ତା’ର ମନଟି ଥରି ଉଠିଲା ।

 

ସେ ହାତଯୋଡ଼ି ସଭା ମଧ୍ୟରେ କହିଲା–ତା’ର ଟଙ୍କା ଦରକାର ନାହିଁ । ସେ ଭୁଲ୍ କରିଛି ସବୁ । ସେ ଭୁଲ୍ ପାଇଁ କ୍ଷମା ଦିଅନ୍ତୁ ଗ୍ରାମବାସୀମାନେ । ଇସାରା ଦେଲା ଗଉଡ଼ମାନଙ୍କୁ ସେ ସବାରି ଟେକିବାକୁ ।

 

ସମସ୍ତେ ହେଲେ ଆଶ୍ଚର୍ଯ୍ୟ । ଲୋକଟିର ହଠାତ୍‍ କାହିଁକି ହେଲା ପରିବର୍ତ୍ତନ । ତା’ର ମନ ଭିତରେ ବସା ବାନ୍ଧିଥିବା ଭୂତ ଛାଡ଼ି ପଳେଇଲା ଏଇ ପଦେ କଥାରେ । ସେ କହୁଥିଲା କ’ଣ-? ଏବେ ମନକୁ ମନ କହିଲା ପୁଣି କ’ଣ ? ତା’ ମନରେ ଏ ଚେତନା ଆଣିଲା କିଏ-? ହୃଦୟ ହେଲା କମିତି ପରିବର୍ତ୍ତନ ? କେଉଁ ଦେବତା ତା’ର କଣ୍ଠରେ ବିଜେକଲେ ଆସି ।

 

ଲୋକଟି ଚାଲି ଯାଉଥିବାର ଦେଖି ନରି ଡାକ ପକେଇଲା ପଛରୁ । “ଏ ! ଏ ! ଶୁଣନ୍ତୁ ଟିକିଏ” ଆପଣ ଚାଲି ଯାଉଛନ୍ତି କୁଆଡ଼େ ? ଏତେ ରାତିରେ; ପୁଣି ଆପଣଙ୍କର ଦେଇଥିବା ଟଙ୍କା ନ ନେଇ । ଲୋକଟି ବୁଲି ଚାହିଁଲା ପଛକୁ । ସମସ୍ତେ ଚାହିଁ ରହିଛନ୍ତି ତାକୁ । ପାଦ ତା’ର ଅଟକି ଗଲା ସେଇଠି ।

 

କହିଲା ସେ ସବୁକଥା ଗାଁ ଲୋକଙ୍କୁ–ବିଦାୟ ମାଗିଲା ଯିବାକୁ । ପୁଣି ତାକୁ ଅଟକାଇଲେ କାହିଁକି ସେମାନେ । ସେ ଟଙ୍କା ନେବ କାହାଠୁଁ ? କାହାକୁ ସେ କିଛି ଦେଇନି । ସେ ବ୍ରାହ୍ମଣକୁ ଦାନ କରିଛି ତା’ର କରିଥିବା ପାପରୁ ମୁକ୍ତି ପାଇବାପାଇଁ । ସେ ଦାନ ସେ ଗ୍ରହଣ କରିବ ପୁଣି କିମିତି ?

 

ସମସ୍ତେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲେ ତା’ ମୁହଁକୁ । ଲୋକଟି ଏ ସବୁ କ’ଣ କହୁଛି । ତା’ର ମୁଣ୍ଡ ବିଗିଡ଼ି ଯାଇଛି । ସମସ୍ତେ ସନ୍ଦେହ କଲେ ତାକୁ ।

 

ମହାପାତ୍ରେ କହିଲେ–ସେ ଟଙ୍କା ଦୁଇଶ ନେଇଛନ୍ତି ତାରିଠୁଁ । ଝିଅକୁ ଦେବେ ବୋଲି କଥା କରିଥିଲେ ତା’ ସଙ୍ଗେ । ସେ ଲୋକର ଭୁଲ୍ ନାହିଁ କିଛି । ସବୁ ଦୋଷ ତାଙ୍କରି ।

 

ସେ କହିଲେ ଟଙ୍କା ଫେରେଇବ ତା’ର ମାତ୍ର ହାତରେ ତାଙ୍କର କପର୍ଦ୍ଦକ ସୁଦ୍ଧା ନାହିଁ । ଅଫିମ ଖିଆରେ ସେ ଉଡ଼େଇ ଦେଇଛନ୍ତି ସବୁ ।

 

ନରି ସେହି ଅଚିହ୍ନା ଲୋକଟିକୁ ପାଖରେ ବସିବାକୁ କହିଲା । ସେ ବସିବାକୁ ସଭାରେ ସଂକୋଚ ବୋଧ କରୁଥିଲା ଯିମିତି । ନରି ହାତଧରି ସ୍ନେହରେ ଟାଣିଆଣି ବସେଇଲା ତାକୁ । ସେ ବୟସରେ ସମସ୍ତଙ୍କଠୁଁ ବଡ଼ । ବୟୋଜ୍ୟେଷ୍ଠ ପିତୃତୁଲ୍ୟ । ଶିକ୍ଷା ଦେବ ସେ ସମସ୍ତଙ୍କୁ । ତାଙ୍କରି ପୁଅନାତି ପରି ସମସ୍ତେ ଘେରି ବସିଛନ୍ତି ଆଜି । ସେ ଏମିତି କହି ଚାଲି ଯାଉଛନ୍ତି କୁଆଡ଼େ ?

 

ଲୋକଟି କ’ଣ ଭାବିଲା କେଜାଣି । ତା’ର କରିଥିବା ଦୁଷ୍କର୍ମ ସବୁ ବଖାଣି ବସିଲା । ଲୋକେ ଶୁଣୁଥାନ୍ତି ସବୁ । ଆଖିପତା ଟେକି ହେଇଯାଉଥାଏ ସେମାନଙ୍କର । ମାହାପାତ୍ରଙ୍କର ଆଖିପତା ପଡ଼ୁନି । ଗାଁ ମାଇପେ ଆଖି ମିଟିକା ମାରୁ ନାହାନ୍ତି । ଆରେ ! ଏ ଭିତରେ ପୁଣି ଏତେ କଥା ? ନର ମାୟା ନାରାୟଣଙ୍କୁ ଅଗୋଚର । ସୁକୀକି ସେ ଟଙ୍କାଦେଇ ଧରି ନେଉଥିଲା ବିକିବାକୁ ହାଟ ବଜାରରେ ବୁଲେଇ ବିକନ୍ତି ଯିମିତି ଗାଈ ଗୋରୁଙ୍କୁ । ଲୋକଟି ବି ଆଖି ଛଳ ଛଳ କରୁଥିଲା ଲୁହରେ ।

 

ସୁକୀ ଶୁଣିଲା ସବୁ । ତା’ର ଲୁହ ବନ୍ଦ ହେଇଗଲା ଆଖିରୁ । କାଠ ପାଲଟିଲା ଦିହଟା । ଜିଭ କାମୁଡ଼ି ପକେଇଲା ସେ । ଘରୁ ଉଠିଆସି ଛିଡ଼ା ହେଲା ସାହିମାଇପିଙ୍କ ପାଖରେ ।

 

ସୁକୀ ଚାହିଁଥାଏ ନରିବାବୁ ମୁହଁକୁ । ସେ ଆଜି ଘର କଥାରେ–ସମାଜ ବିଷୟରେ ଗାଁ ଲୋକଙ୍କୁ ଦେବେ ନିଷ୍ପତ୍ତି । ସେ ବିଚାରପତି ଏ ଗାଁର ।

ଗାଁ ଲୋକେ କହିଲେ ଟଙ୍କା କେଉଁଠୁ ଆସିବ ଏତେ । ତାଙ୍କୁ କିମିତି ଦିଆଯିବ ତାଙ୍କ ପାଉଣା । ସମସ୍ତଙ୍କ ମୁଣ୍ଡରେ ସେଇ ଚିନ୍ତା ପଶିଛି ।

ନରି କହିଲା–ବସି ରହିଲେ କ’ଣ ଟଙ୍କା କେଉଁଆଡ଼ୁ ଚାଲି ଆସିବ । ଏଇଟା ଗ୍ରାମକୁ ନିନ୍ଦା–ଲୋକହସା କଥା । ସମସ୍ତେ ସମସ୍ତିଙ୍କ ମୁହଁକୁ ଚାହିଁରହିଲେ ସିନା, ଟଙ୍କା କିଏ କରୁଛି ବାହାର-। ଜଣା ପଡ଼ିଲା କାହାରି ପାଖରେ ଯିମିତି କିଛି ନାହିଁ ଦବାକୁ–ଆଉ ଟଙ୍କା କୁଆଡ଼ୁ ଆସିବ କେହି କହିଲେନି ପଦେ ।

ନରି ଲୋକଙ୍କର ମନଜାଣିଲା । ସେ ଆଉ କ’ଣ କହନ୍ତା ? ଥଙ୍ଗେଇ ଥଙ୍ଗେଇ କହିଲା ମନ୍ତ୍ରୀ ଯେଉଁ ଟଙ୍କା ମହିଳା ସମିତି ପାଇଁ ଦାନ କରିଥିଲେ, ସେ ଟଙ୍କା ରଖିଛି ସୁକୀ । ବାକି ପଚାଶଟଙ୍କା ଯୁବକସଂଘ ସେକ୍ରେଟେରୀ ଦିଅନ୍ତୁ ତାଙ୍କୁ ଯାହା ମିଳିଥିଲା ଦାନ । ସେ କାଢ଼ିଲା ନିଜେ ତା’ର ଛାତି ପକେଟରୁ ପଚାଶଟଙ୍କା ସରକାର ଯାହା ଦେଇଥିଲେ ଆଳୁ ବିହନ କିଣିବାକୁ ।

ତା’ର ତୁଣ୍ଡରୁ କଥା ସରିନି ଖଡ଼କରି ସୁଟକେଶଟା ଫିଟାଇ ସୁକୀ ଟଙ୍କା ପୁଳାଟା ବଢ଼େଇଲା ସାହିମାଇପିଙ୍କି । ଜଣଙ୍କ ହାତରୁ ଆଉ ଜଣକୁ ହେଇ ସେ ଟଙ୍କା ଚାଲି ଆସିଲା ସଭା ମଧ୍ୟକୁ । ନରି ପାଖରେ ନରତ୍ତମ ଟଙ୍କା ଆଣି ଥୋଇଲେ । ସମୁଦାୟ ହେଲା ଦୁଇଶ ଟଙ୍କା । ନରି ଟଙ୍କା ଗଣି ଦେଲା ଲୋକଟିକୁ ତା’ର ପାଉଣା ।

ଲୋକଟି ଟଙ୍କା ହାତରେ ଧରିଲା । ସେ ପୁଣି ସଭାରେ ହାତଯୋଡ଼ି କହିଲା–ସବୁ ଟଙ୍କା ସେ ଦେଲା ପୁଣି ଦାନ ସେହି ମହିଳା ସମିତିକି ସରଳା ବାଳିକାଙ୍କର ଉପକାର ପାଇଁ । ତାଙ୍କରି ଧନ ସେ । ତା’ର କିଛି ନାହିଁ ଏଥିରେ । ଏ ଦାନ ଗ୍ରହଣ କରି ତାକୁ ମୁକ୍ତି ଦିଅନ୍ତୁ ।

 

ସମସ୍ତେ ଚାହିଁ ରହିଛନ୍ତି ସିମିତି–ଲୋକଟି ହାତଯୋଡ଼ି ମୁଣ୍ଡରେ ଲଗାଇଲା–ସେହି ଘନ ଅନ୍ଧକାର ଭିତରେ କୁଆଡ଼େ ଲିଭିଗଲା ।

 

ଗାଁ ଲୋକେ ଉଠିଆସିଲେ ପଦାକୁ । ଦେଖିଲେ ଗୋଟିଏ ସବାରି ଥୁଆ ହୋଇଛି ଦାଣ୍ଡ ଦୁଆରେ ।

 

ନରି କହିଲା ଏଥର ସବୁ ହେଲା । ମାହାପାତ୍ରେ ତାଙ୍କର କୁଣିଆ ଚରଚା କରନ୍ତୁ । ରାତି ପାହିଲେ ସଅଳ ସଅଳ ସୁକୀ ଯିବ ତା’ର ଶାଶୁଘରକୁ । ସେମାନେ ସବୁ ବାହାରିଲେ ଯିବାକୁ । ଆଗେ ଆଗେ ନରି ପଛରେ ଗ୍ରାମବାସୀ ଓହ୍ଲେଇଲେ ପିଣ୍ଡା ଉପରୁ ତଳକୁ ।

 

ମହାପାତ୍ରେ ଲଣ୍ଠନଟି ଟିକିଏ ତେଜିଦେଇ ପଛେ ପଛେ ଆସି ଦାଣ୍ଡ ଦୁଆରେ ଛିଡ଼ାହୋଇ କହିଲେ–“ଆହୁରି ସରିନି ବାକି ଅଛି । ଆପଣମାନେ ଭୋକ ଉପାସରେ ମୋ’ପାଇଁ କେତେ କଷ୍ଟ ସହିଲେ ମାତ୍ର କଥା ଅଧାହେଇ ରହିଲା ।”

 

ଚାଲି ଯାଉଥିବା ଲୋକଙ୍କର ପାଦ ପୁଣି ଅଟକି ଗଲା । ସେମାନେ ବୁଲି ଚାହିଁଲେ ପଛକୁ । ମାହାପାତ୍ରେ ଲଣ୍ଠନଟି ଟେକି ଧରି ଉଦ୍‍ବିଘ୍ନ ମନରେ ଚାହିଁ ରହିଛନ୍ତି ଗାଁ ଲୋକଙ୍କୁ ।

 

ନରି କହିଲା–“ଆଉପୁଣି କ’ଣ ରହିଲା ଏଥିରେ । ମହାପାତ୍ରେ ପୁଣି ଡାକିଲେ କାହିଁକି-?” ସମସ୍ତେ ପୁଣି ଫେରି ଆସିଲେ ତଳୁ ଉପରକୁ । ସେତିକିବେଳେ ନରି ନରତ୍ତମ କାନରେ କ’ଣ ଚୁପ୍‍ ଚୁପ୍‍ କରି କହିଲେ । ସେ କେତେକଙ୍କୁ ନେଇଗଲା ଘରଆଡ଼େ । ମାହାପାତ୍ରେ ପଡ଼ିଥିବା ସପମସିଣାକୁ ଝାଡ଼ିଦେଇ ପୁଣି ବିଛେଇ ଦେଲେ ଦାଣ୍ଡଘରଟିରେ । ଉଠି ଯାଇଥିବା ଲୋକ ପୁଣି ବସିଲେ ତା’ ଉପରେ ।

 

ମାହାପାତ୍ରେ କହିଲେ–“ସେ ଛାଡ଼ିବେନି ତାଙ୍କର ଝିଅକୁ ହରିପୁର ଗାଁକୁ ପୁଆଣୀ କରି ।

 

ସମସ୍ତେ ଚାହିଁଲେ ତାଙ୍କ ମୁହଁକୁ । ଏ ପୁଣି କି କଥା ? ବାହାହେବା ଝିଅକୁ ସେ ସାଇତି ରଖିବେ କାହିଁକି ? ଝିଅ ଘିଅ ସାଇତି ହୁଏନି । ବେଶୀ ଦିନକୁ ବହୁତ କଥା ବାହାରେ । ସେଥିପାଇଁ ଗାଁ ଲୋକେ ସୁକୀର ସଅଳ ବିଦାୟକୁ ସ୍ଵାଗତ କରୁଥିଲେ ।

 

ସମସ୍ତେ ପଚାରିଲେ ଗୋଟିଏ କଥା । ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚୀର ଚିହ୍ନ....କାହିଁକି ?

 

ମାହାପାତ୍ରେ ଆଉ କିଛି କହିପାରିଲେନି, ସେ ଖାଲି ମୁଣ୍ଡ ହଲେଇ ନାହିଁ କରୁଥାନ୍ତି । ମୁହଁଟି ସେ ବିକୃତ କରି ବସିଥାନ୍ତି ସିମିତି ।

 

ଲୋକେ କହିଲେ–ସେ ତେବେ ବାହା ଦେଉଥିଲେ କାହିଁକି ? ତାଙ୍କର ତ ବ୍ରାହ୍ମଣ କୁଳ–ପିଲା ବାହା–ବାଳୁତ କାଳରୁ ଜଣକୁ ଜଣେ ଆଶାକରି ବସିରହିଥିବ ଚାହିଁ । ହରିପୁର କୁଣିଆମାନେ ସମସ୍ତେ ଆଜି ବସି ରହିଛନ୍ତ ଆଶା ପୂରଣ ପାଇଁ । ତାଙ୍କ ଆଶା ସେ ଭାଙ୍ଗିବେ କିମିତି ?

 

ହରିପୁରର ବରଯାତ୍ରୀ ଏକାଠି ହୋଇ ଯେ ଯେଉଁଠି ଘୁମଉଁ ଥିଲେ ସବୁ ଚେଇଁ ଉଠିଲେଣି । ଶୋଇଥିବା ଗୋଖର ଦିହରେ ଆଘାତ ଲାଗିଲେ ଯିମିତି ସେ ଫଣା ଟେକି ଗର୍ଜନ କରି ଚାହେଁ–ହରିପୁରର ବରଯାତ୍ରୀମାନେ ସିମିତି ଚାହିଁ ରହିଛନ୍ତି ମାହାପାତ୍ରଙ୍କୁ ।

 

ତାଙ୍କ ମନରେ ଏ’କି ଦାରୁଣ ଆଘାତ ? ତାଙ୍କର ଆଉ କିଛି ବାକି ନାହିଁ । ସବୁ ସରିଛି । କରଜ କରି ହଜାରେ ଟଙ୍କା ଆଣି ହରିମିଶ୍ରେ ଲଗେଇଛନ୍ତି ପୁଆଣୀଘରେ । କୁଣିଆ ବନ୍ଧୁବାନ୍ଧବରେ ଘର ପୂରିଛି । ଭୋଜିଭାତରେ ଖନ୍ଦାଶାଳ ଉଛୁଳୁଛି । ହୁଳହୁଳିରେ ଘର କମ୍ପିଛି । ନୂଆ ପାଟଶାଢ଼ି କିଣା ହେଇଛି । ବନ୍ଧୁବାନ୍ଧବ ସଙ୍ଖୋଳା ମର୍ଯ୍ୟାଦା ପାଇଁ ନୂଆବସ୍ତ୍ର ମାନ କିଣା ହେଇ ସାଇତା ହୋଇଛି । ସବାରି ଆସିଲା ଭଡ଼ାରେ । ଗଉଡ଼େ ନେଲେ ତାଙ୍କ ମଜୁରି । ଟଙ୍କା ସବୁ ଶେଷ । ସେଥିପାଇଁ ମନରେ କାହାର ଦୁଃଖ ନାହିଁ । ସମସ୍ତେ ଚାହିଁ ବସିଛନ୍ତି ସବୁ ଶେଷକରି ଆନନ୍ଦ ମନରେ ନୂଆ ବୋହୂର ମୁହଁ ଦେଖିବାକୁ । ସେ ଭୁଲିବେ ତାଙ୍କର ଶ୍ରମ–ଲଭିବ ମନରୁ କଷ୍ଟ–ଉଭେଇବ ଶରୀରର କ୍ଳେଶ । ଟଙ୍କା ତ ଖର୍ଚ୍ଚ ହେଲା–ସେ ଆଉ ଫେରିବନି । ତା’ ବଦଳରେ ପାଇଥାନ୍ତେ ସେମାନେ ସୁନା ବୋହୂଟିଏ । ଏବେ ଶୁଣିଲେ ନାସ୍ତି ବାଣୀ । ଏଇ ନାହିଁ ଶବ୍ଦ କେଡ଼େ ଦାରୁଣ ଭାବରେ ଆଘାତ କରେ ମଣିଷର ହୃଦୟକୁ । ସେ ଆଘାତ ଅନୁଭବ କରୁଛନ୍ତି ହରିପୁର ଗ୍ରାମର ମିଶ୍ର ବଂଶ ।

 

ନରି ଭାବିଲା ମନେମନେ ଗୋଟିଏ ହାତରେ ତାଳି ବାଜେନା । ନିଶ୍ଚୟ ଭିତରେ କିଛି ରହସ୍ୟ ଅଛି । ତା’ର ସୁକୀ ପାଇଁ ସେ ବାହାର କରିବ ଆଜି । ପାଟ ଦଉଡ଼ିକି ବନସ୍ତର ହାତୀ ବନ୍ଧାପାଇଁ ସେ ଛାଡ଼ି ଦେବନି । କୁକୁର ବେକରେ ସେ କର୍ପୂର ମାଳ ପିନ୍ଧେଇବାକୁ ଯାଉଛି ସିନା ? ମାଙ୍କଡ଼ଟା ଶାଳଗ୍ରାମର ମର୍ଯ୍ୟାଦା ଜାଣିବ ବା କ’ଣ ? କି କଥା ଅଛି ଏ ଭିତରେ ସେ ଶୁଣିବାକୁ ଭାରୀ ଆଗ୍ରହୀ ହୋଇ ଉଠିଛି ଆଜି । ତା’ର ଭୋକଶୋଷ ସବୁ ମଲାଣି । ସୁକୀ ତା’ର କୁଆଡ଼େ ଗଲା–ସେ ଟିକିଏ ଦେଖନ୍ତା ତାକୁ । କାଲି ସକାଳେ ଦେଖା ପାଇ ନପାରେ ।

 

ହରିପୁର ଗାଁର ଲୋକେ ଯେତେକ ଆସିଥିଲେ ବରଯାତ୍ରୀରେ ସମସ୍ତେ ଚିଡ଼ୁଛନ୍ତି ମନେମନେ । ତାଙ୍କୁ ଖାଇବାକୁ ମୁଠିଏ କେହି ଦେଇନି । ରାତି ହେଲାଣି ଦଶଘଡ଼ି । ମହାପାତ୍ରଙ୍କ ଘରେ ଚୁଲି ଜଳିନି । ତାଙ୍କ ପେଟ ଜଳିଲାଣି ଭୋକରେ । ସେ ହେବେ ସମନ୍ଧା ସମନ୍ଧି–ବୋହୂକରି ନେବେ ଘରକୁ ଏଇ ଗାଁର ଝିଅକୁ । ସେମାନେ ସେଥିରୁ ପାଇବେ କ’ଣ ? ଭଲ ରକମ ମୁଠିଏ ଖାଇଲେ ତାଙ୍କର ହେଲା ।

 

ମହାପାତ୍ରେ ନାହିଁ କଲେ ଝିଅକୁ ଛାଡ଼ିବାକୁ ମିଶ୍ର ଘରକୁ । ସେଥିରେ ତାଙ୍କର ଯାଏ ଆସେ କେତେ । ଖାଇବାକୁ ମିଳିଲାନି ମୁଠିଏ । ସେମାନେ କାହିଁକି ଆସିଥିଲେ ବରଯାତ୍ରୀ ହୋଇ-? କ’ଣ ଉପାସ ଭୋକରେ ରାତି କଟେଇବାକୁ ଆସିଥିଲେ ଏତେ ଦୂରରୁ ?

 

ନରି ଆରମ୍ଭ କଲା କଥା । ମହାପାତ୍ରଙ୍କର ଅସୁବିଧା କ’ଣ ଯେ ସେ ଝିଅକୁ ପଠେଇବେନି ହରିପୁରୁକୁ । ଆଜି ସୁକୀର ପୁଆଣୀଘର । ହୁଳହୁଳିରେ ଘର ଉଛୁଳୁଥାନ୍ତା । ଭୋଜିଭାତରେ ଘର ଭାସୁଥାନ୍ତା । ସେ ଆନନ୍ଦ ହେବାର କଥା । ମୁଣ୍ଡରେ ହାତମାରି ଏମିତି ଚିନ୍ତା କରୁଛନ୍ତି କ’ଣ ?

 

ମହାପାତ୍ରଙ୍କ ଧ୍ୟାନ ଭାଙ୍ଗିଲା ନରି କଥାରେ । ସେ କହିଲେ–“ବାବୁ ମୋ ଝିଅ ବାହା ହେଇନି କାହାକୁ ?” ଏଟା ଗୋଟାଏ ବାହାନା ତାଙ୍କର । ବାହା ନ ହୋଇ ପୁଆଣୀ ହେଇ ସେ ଯିବ କୁଆଡ଼େ ? ତା’ର ମଙ୍ଗଳ ଉତ୍ସବ ହେଇଥିଲେ ମୁଁ କ’ଣ ଏମିତି ଗୁମ୍‍ମାରି ବସି ରହିଥାନ୍ତି ଏଠି ?

 

ସମସ୍ତେ ପ୍ରତିବାଦ କଲେ ଜୋରରେ–ଗର୍ଜି ଉଠିଲେ ରାଗରେ “କ’ଣ ବାହା ହେଇନି !” ସୁକୀ ତାଙ୍କର ହରି ମିଶ୍ରଙ୍କ ବଡ଼ ପୁଅକୁ ବାହା ହେଇଛି । ଯାହା ଶୁଣିଛନ୍ତି ଗ୍ରାମବାସୀମାନେ ।

 

ନରି ପଚାରିଲା ଆଗ୍ରହରେ ଲୋକଙ୍କୁ । ସେମାନେ ଗାଁ’ରେ ରହି ବାହାଘର କ’ଣ ଦେଖି ନାହାନ୍ତି–ଖାଲି ଶୁଣିଛନ୍ତି ବୋଲି କହୁଛନ୍ତି କାହିଁକି ?

 

ବୁଢ଼ାବୁଢ଼ାମାନେ କହି ପକେଇଲେ ବ୍ରାହ୍ମଣଘର ବାହା ଲୁଚା ଛପାରେ ହୁଏ–ତାହା କେହି ଜଣନ୍ତିନି । ତେଣୁ ସେ କିମିତି ଦେଖିଲେ ଯେ, ସଭା ମଧ୍ୟରେ ଭୁଲ୍‍ଟାଏ କହି ବସିବେ ।

 

ମିଶ୍ର ଆପଣେ ରାଗିଗଲେ ଭାରି । ସେ ମହାପାତ୍ରଙ୍କ ଆଗକୁ ଆସି କହିଲେ–“ଦେଖ, ସମନ୍ଧି ! ସିମିତି ମିଛ କଥା କୁହନି । ବାହାଘର ହେଇନି ତ ଆଉ କ’ଣ ବାକି ଅଛି ?” ପୁରୀ ମହାପ୍ରସାଦରେ ଦୁଇ ସମନ୍ଧିଆଣୀ ଯେତେବେଳେ ନିୟମକଲେ ନିଜ ପୁଅ ଝିଅକୁ ହାତକୁ ଦି’ହାତ କରିବାକୁ ସେଥିରେ ସବୁ ସରିଛି । ଲୋକଙ୍କୁ ସିନା ଫାଙ୍କିବ । ମହାପ୍ରସାଦ ହଳା ହଳ ବିଷ, ସେ ତାକୁ ଅବମାନନା କରି ଯିବେ କୁଆଡ଼େ ?

 

ମହାପାତ୍ରେ କହିଲେ–“ସେଗୁଡ଼ାକ ମାଇପି କଥା–ପାଣ ବାରତା ।” ମୁଁ ତାକୁ ମାନେନା–ଜମା ପସନ୍ଦ କରେନି । ଜାଣୁ ଜାଣୁ କିମିତି ଗୋଟିଏ ଜଡ଼ା ହାତରେ ଅମୂଲ୍ୟ ରତ୍ନକୁ ଟେକି ଦେବି ?

 

ନରି ଶୁଣି ଆଶ୍ଚର୍ଯ୍ୟ ହେଲା–ଗୋଟାଏ ଜଡ଼ାଲୋକ ସଙ୍ଗେ ପୁଣି ବାହାଘର ସୁକୀର ? ସେ ବିଶ୍ୱାସ କରିପାରିଲାନି । ଏ ଲୋକମାନେ କ’ଣ ସବୁ ଅନ୍ଧ । ଦେଖି ଚାହିଁ ବାହାଘର କରନ୍ତି ନାହିଁ କାହିଁକି ?

 

ମହାପାତ୍ରଙ୍କର ଏହି ବାକ୍ୟ ବାଣରେ ଆଘାତ ପାଇଲେ ମିଶ୍ର ବଅଁଶ । ସେମାନେ କ୍ରୋଧରେ ଗର୍ଜି ଉଠି ଠିଆହେଲେ । ଲୁଗାପଟା ଭିଡ଼ି ହୋଇ ମାଡ଼ ମାରିବାକୁ ତିଆର ହୋଇଗଲେ ସବୁ । ନରି ଦେଖୁଥାଏ ତାଙ୍କ ଆଖିଗୁଡ଼ାକ ରାଗରେ ନାଲ୍ ପଡ଼ିଲାଣି । ଗର୍ଜ୍ଜନ ତର୍ଜ୍ଜନରେ ତଣ୍ଟି ବସି ଗଲାଣି । ଏହି ପାଟି ଶବ୍ଦରେ ଶୋଇଥିବା ପିଲା, ବୁଢ଼ା ସବୁ ଚାଲି ଆସିଲେଣି ପଦାକୁ । ସମସ୍ତେ ଘେରିଛନ୍ତି ମହାପାତ୍ରଙ୍କୁ ।

 

ଗୋଟିଏ ବିରାଟ ଆଲୁଅ ଦେଖିଲେ ସମସ୍ତେ । ଅନ୍ଧାରଗୁଡ଼ାକ ଦୂରକୁ ଦୂରକୁ ଆପେ ଆପେ ଠେଲି ହୋଇଗଲା ଏଇ ଲାଇଟ ଆଲୁଅରେ । ନରତ୍ତମ ଯୁବକସଂଘର ପେଟ୍ରୋମାକ୍‍ସ ଲାଇଟ୍‍ଟା ଲଗାଇ ଆଣିଛି; ତା’ ସଙ୍ଗରେ ପୁଣି ଦି ଗଣ୍ଡା ମରଦ ଟୋକା । କିଏ କ’ଣ ସବୁ ଧରିଛନ୍ତି-। ଆସି ସମସ୍ତେ ପହଞ୍ଚିଲେ ସେଇଠି ।

 

ଦୁଇ ଦଳର ଭାବି ଗଣ୍ଡଗୋଳକୁ ଶାନ୍ତି କଲା ସେଇ ଉଖୁଡ଼ା ବୋଝଟା–ଚୁଡ଼ାଘଷା ଡାଲାଟି । ପୁଣି କଦଳୀ ଆସିଛି କାନ୍ଧିଏ । ଆଟିକାଏ ଦହି ତା’ ସାଙ୍ଗକୁ । ସମସ୍ତେ ଚାହିଁଲେ ସେ ଆଡ଼କୁ । ପାଟି ବନ୍ଦ ହୋଇଗଲା ସମସ୍ତଙ୍କର ।

 

ନରି କହିଲା–“ଆପଣମାନେ ରହିଯାନ୍ତୁ ଟିକିଏ । ଭୋକରେ ପେଟ ଜଳୁଛି ମନ ହେଉଛି ଛଟପଟ ସେଥିରେ କଥା ପଡ଼ିବ କ’ଣ ।”

 

ବରଯାତ୍ରୀମାନେ ବସିଗଲେ ଆଗ ସେ ଯିମିତି ଖୋଜୁଥଲେ ଏସବୁ । ୟାକୁ ସବୁ ଏଠିକି ପଠେଇଲା କିଏ ? କାହାର ବ୍ୟବସ୍ଥା ଇୟେ ।

 

ମିଶ୍ର ଆପଣେ ଜମା ବସିଲେନି ଖାଇବାକୁ । ତାଙ୍କ ମନରେ ହୋଇଛି ଦୁଃଖ ସେ ଆଉ ଖାଇବେ କ’ଣ ? ମହାପାତ୍ରଙ୍କର କଥାରେ ତାଙ୍କର ଭୋକିଲା ପେଟ ଶୀତଳ ହେଇଛି ।

 

ନରି ଛାଡ଼ିଲାବାଲା ନୁହେଁ । ସେ କରିଛି ଏ ଯୋଗାଡ଼ । ନରତ୍ତମକୁ କହି ଉଖୁଡ଼ା ପାଗ କରେଇଲା । ଚୁଡ଼ା କୁଟି ଚୁଡ଼ାଘଷା ବରାଦ କରିଛି ସିଏ । ନଡ଼ିଆ ଆସିଲା ବାଡ଼ିପାଖ ଗଛରୁ । ତା’ପରେ ପାଚିଲା କଦଳୀ କାନ୍ଧିଏ ଆଣିଲା ନରତ୍ତମ ଯୁବକସଂଘ ଘର ପାଖରେ ହୋଇଥିବା ବଗିଚାରୁ । ନରିର ହାତ କାମ ଏ ସବୁ । ଫୁଲ ଫଳ ଭରା ବଗିଚାଟି ମଝିରେ ଯିମିତି ଛିଡ଼ା ହେଇଛି ମହିଳା ସମିତିର ଘର ଖଣ୍ଡିକ । ଫଳ ଉଦ୍ୟାନ ମଧ୍ୟ ଘେରି ରହିଛି ଯୁବକସଂଘର ଛୋଟିଆ ଘରଟିକି-। ସବୁ ନରିର ପରାମର୍ଶ–ଲୋକଙ୍କର ନିଜହାତ ତିଆରି କାମ । ସେ ମିଶ୍ରଙ୍କୁ ବୁଝାଇ ବସାଇଲା-। ସେ ବୁଝିବ ତାଙ୍କ କଥା–ଆଜି ହେବ ସବୁ ନିଷ୍ପତ୍ତି ।

 

ଇସାରା ଦେଲା ସେ ଲଗାଇବାକୁ କଦଳୀପତ୍ର ସବୁ ।

 

ସେ ଦେଖୁଥାଏ ପତ୍ର ସବୁ ପଡ଼ି ତା’ ଉପରେ ଭୁଜା, ଉଖୁଡ଼ା, ଚୁଡ଼ାଘଷାମାନ ଲାଗିଲା । ଦହି ଗିନାଏ ଲେଖାଏଁ ଢାଳି ଦେଇ ଗଲା ଜଣେ । ଭୋଜନ ଚଲିଲା ଜୋର୍ ସୋରରେ । ରାତି ବେଶୀ ହେଲାଣି ବୋଲି ସାଇ ସାଇପେ ଗଲେଣି ଯେଝା ଘରକୁ । ଅଗଣା ବାରଣ୍ଡା ସବୁ ପୂରିଗଲା ଲୋକରେ ।

 

କୁଣିଆଁ ଚର୍ଚ୍ଚା କଲା ନରି । ସମସ୍ତେ ତା’ ମୁହଁକୁ ଚାହିଁ ରହିଥାନ୍ତି ଖାଲି । ଗ୍ରାମବାସୀଙ୍କି ସିୟେ ବସେଇଲା । ବାଧ୍ୟ କଲା ଗଣ୍ଡିଏ ଖାଇବାକୁ । ନିଜେ ମଧ୍ୟ ବାଦ୍‍ଗଲାନି ସେଥିରୁ । ବ୍ରାହ୍ମଣିଆମାନେ ଚୁଡ଼ା ଦହିକି ବେଶ୍‍ ଭଲ ପାନ୍ତି । ସେ ଆଗ୍ରହରେ ଟାଙ୍କିଦେଲେ ପେଟେ ପେଟେ । ପାଣି ମୁନ୍ଦିଏ ମୁନ୍ଦିଏ ପିଇ ସବୁ ଲମ୍ବା ହେକୁଟି ମାନ ମାରି ଆସନ ଛାଡ଼ିଲେ ।

 

ଗାଁ ବାଲା କହିଲେ–“ନରି ବାବୁଟା ରଖିଲା ତାଙ୍କର ମାନ–ଏ ଗାଁର ଇଜ୍ଜତ ।” ମହାପାତ୍ରେ ଏ ସବୁ କାହୁଁ ପାଇଥାନ୍ତେ ଯେ ପରଷିଥାନ୍ତେ ଏତେ ଲୋକଙ୍କୁ । “ଧନ୍ୟ ଧନ୍ୟରେ ପିଲା ! –ସେ ତାଙ୍କ ପାଇଁ କ’ଣ ନ କରିଛି ?”

 

ସୁକୀ ସବୁ ଶୁଣୁଥାଏ–କବାଟ କଣରେ ଆଖି ଖୋଲି ଉଣ୍ଡୁ ଥାଏ । ସମସ୍ତେ ଖାଉଛନ୍ତି ତାଙ୍କରି ଘରେ । ତାଙ୍କର ଆଜି ବାହାଘର–ପୁଆଣୀଘର । କାହା ସଙ୍ଗେ ? ମନରେ ପ୍ରଶ୍ନ ଉଠେ ତା’ର । ନରିର ପ୍ରଫୁଲ୍ଲିତ ବଦନଟିକି ସେ ଚାହେଁ ଖାଲି । କିଛି ଭାବି ପାରେନି ।

 

ସେ ଚାଲିଗଲା ଛୋଟିଆ ଆଟୁଘରଟିକୁ ଯେଉଁଠି ମା’ ଦଶଭୁଜା ଦୁର୍ଗା ମନ୍ଦାର ଫୁଲରେ ବିମଣ୍ଡିତା ହୋଇ ବସିଛନ୍ତି । ସନ୍ଧ୍ୟାବେଳ ଆଳତି କରି ନ ଥିଲା । ସେ କାନ୍ଦ ବୋବାଳିରେ ଦୁର୍ଗାଙ୍କୁ ପାସୋରି ପକେଇଥିଲା । କେଡ଼େ ଭୁଲ୍‍ଟାଏ କଲା ସେ ? ତାକୁ କେହି ଛାଡ଼ିଲେନି ଟିକିଏ ଠାକୁରାଣୀ ଘରକୁ ପଶିବାକୁ । ସମସ୍ତେ ଯିମିତି କାମ ଧନ୍ଦାରେ ଲାଗିଥିଲେ ।

 

ସୁକୀ ସଞ୍ଜ ସକାଳେ ମୁଣ୍ଡ ଲଗେଇ ପ୍ରଣତି ଢାଳେ ଦୁର୍ଗାଙ୍କ ପାଖରେ । ଦୁର୍ଗା ସହସ୍ର ନାମ ପୁସ୍ତକଟାକୁ ପଢ଼େ ଆରମ୍ଭରୁ ଶେଷ ଯାଏଁ । ନନା ଯାହା ପୂଜା କରିଥାନ୍ତି ସେହି ପ୍ରସାଦ ସେବନ କରେ ସେ । ଆଜି ସେ ଠାକୁରାଣୀଙ୍କି ଭୁଲିଛି–ଏ ଗାଁ ଛାଡ଼ି ଯାଉଛି ସମସ୍ତଙ୍କୁ ପଛରେ ପକେଇ ।

 

ଠାକୁର ଘରେ ପୁଣି ଲଗେଇଲା ଘିଅ ଦୀପଟି ସେ । ମନେମନେ ଆବୃତ୍ତିକଲା ଦୁର୍ଗା ସହସ୍ର ନାମକୁ । ଆଣ୍ଠୁମାଡ଼ି ବସିରହିଲା ଆଖି ବୁଜି । କ’ଣ ସେ ଜଣାଉଥିଲା ପ୍ରଣତି ଢାଳି ମହିଷାମର୍ଦ୍ଦିନୀଙ୍କ ପାଖରେ ସେ ଜାଣେ ।

 

ଏଣେ ଖିଆପିଆ ସରି ଫେରେ ପଡ଼ିଲା କଥା । ମହାପାତ୍ରଙ୍କ ଏକା ଜିଦ୍‍; ସେ ହରି ମିଶ୍ରଙ୍କର ଜଡ଼ା ପୁଅ ହାତରେ ତାଙ୍କର ସୁକୁମାରୀ ସୁକୀ କି ଟେକି ଦେବେନି ।

 

ନରି କହିଲା–“ଆପଣ କ’ଣ ଜାଣି ନଥିଲେ ସେ କଥା କହି ପାରୁନି ବୋଲି । ରାଜି ହେଉଥିଲେ କିମିତି ?”

 

ନାହିଁ ! ନାହିଁ ! ସେଟା ପିଲା ସମୟରେ ଜଣା ଯାଉନଥିଲା ଜମା । ପିଲାମାନେ ଖନେଇ ଖନେଇ କହନ୍ତି ସବୁବେଳେ ।

 

ସେ କଥା ଏତେବେଳେ ଜଣା ପଡ଼ିଲା ସିନା ! ପ୍ରସ୍ତାବ ଥିଲା ବାହାପାଇଁ ମାତ୍ର କିଛି ହେଇନି ମୋ ଜାଣିବାରେ ।

 

ହରିମିଶ୍ରେ କହିଲେ–“ନୀଳାଚଳଧାମ କଥା ପାସୋରି ପକଉଛ ମହାପାତ୍ରେ । ତୁମେ ଦୁଇପ୍ରାଣୀ ଟେକି ଦେଇଛ ତୁମ ଝିଅକୁ ସେଇଠି । ଏବେ କାହିଁକି କଥା ହୁଡ଼ୁଛ ?”

 

ନରି ବସି ଶୁଣୁଥାଏ ସବୁକଥା । ଗାଁ ଲୋକେ ବସିଥାନ୍ତି କେହିଅବା ଢୁଳଉଥାନ୍ତି ତଳକୁ ମୁହଁପୋତି ।

 

ମିଶ୍ରେ ଯାହା କହିଲେ ସେ କଥା ସେ ନିଜେ କରି ନାହାନ୍ତି ତାଙ୍କ ଘରଣୀ ସବୁ କରିଛି ବୋଲି ମହାପାତ୍ରେ କହିଲେ । ସେ ପୁଣି ଆରମ୍ଭ କଲେ କଥା ।

 

ନୀଳାଚଳଧାମର ଝୁଲଣଯାତ୍ରା ସମୟ । କେତେଆଡ଼ୁ ଆସିଥାନ୍ତି ଲୋକେ । ଯାତ୍ରୀମାନେ ଆସିଥାନ୍ତି ଅନେକ ରାଜ୍ୟରୁ । ପଶ୍ଚିମା ଯାତ୍ରୀସବୁ ଭିଡ଼ ଜମେଇଥାନ୍ତି ବେଶୀ । ସେ ଯାଇଥିଲେ ଯିମିତି ନିଜର ପିଲା ଛୁଆକୁ ନେଇ, ଏଇ ମିଶ୍ରେ ଯାଇଥିଲେ ସିମିତି ଝୁଲଣ ଦେଖିବାକୁ ପୁରୀ ଧାମକୁ ।

 

ଏମାର ପୁରୀର ସବୁଠୁଁ ବଡ଼ ମଠ । ସେଇଠି ବଡ଼ କୁଞ୍ଜ ବେଶୀ କାରିଗରୀ କାମଖଞ୍ଜା ହୋଇଥାଏ । ବିଜୁଳି ବତୀରେ କୁଞ୍ଜଟି ଡଉଲ ଦିଶୁଥାଏ ଭାରୀ । ମଠରେ ଗୋଟିପୁଅ ନାଚ ଚାଲିଥାଏ । ଏହି ସମୟରେ ଦଉଡ଼ି ଟଣା ଘେର ଭିତରେ ସେ ଚାଲିଥାନ୍ତି ଦେଖିବାକୁ ଏମାରକୁ । ଲୋକ ଭିଡ଼ କାହିଁରେ କ’ଣ ? ଠେଲି ପେଲି ହୋଇ ଯାଇ ପହଞ୍ଚିଲେ କୁଞ୍ଜପାଖେ । ସୁନାର ମଦନମୋହନ ମୂର୍ତ୍ତି ବିଜେ କରିଛନ୍ତି ସେଇଠି । ବିଜୁଳି ଆଲୁଅଗୁଡ଼ିକ ହଟଚମଟ ଦେଖେଇଲା ପରି ଲିଭୁଥାଏ ପୁଣି ଜଳି ଉଠୁଥାଏ

 

ସେ ଆଗ୍ରହରେ ଝିଅକୁ ଏସବୁ ଦେଖେଇବେ ବୋଲି ପଛକୁ ବୁଲେଇଲେ ମୁହଁ । ହାତ ବଢ଼େଇଲେ ଧରିବେ ବୋଲି । କାହିଁ; ସେ ତ ନାହିଁ । ଗଲା କୁଆଡ଼େ । ବୋଉ ତା’ର ହେଲା ଅଥୟ-। ଭୋ–ଭୋ ରଡ଼ି ଛାଡ଼ିଲା । ଲୋକମାନେ ଚାହିଁଲେ ସବୁ । କ’ଣ ହେଇଛି ପଚାରିଲେ-। ଘଡ଼ିଏ ହାରମୋନିୟମ, ତାବଲାର ଲହର ବନ୍ଦ ହୋଇଗଲା ।

 

ଯେତେବେଳେ ଶୁଣିଲେ ସମସ୍ତେ ଝିଅ ତାଙ୍କର ହଜି ଯାଇଛି ବୋଲି, ସମସ୍ତେ ମୋଡ଼ିଲେ ମୁହଁ । ଯାତ୍ରା ଗୋଳରେ ସିମିତି ହୁଏ । ୟା’ଟା କିଛି ନୂଆକଥା ନୁହେଁ । କାଳେ କେଉଁଠି ଥିବ ? ଏହି ଆଶ୍ୱାସନା ବାଣି ଶୁଣିଲେ ସେ ସସସ୍ତିଙ୍କଠୁଁ ।

 

ମାଆ ତା’ର ଯାଚିଲା କେତେ ଦିଅଁ ଦେବତାଙ୍କୁ ମାତ୍ର କେହି ଗୁହାରି ବୁଝିଲେନି । ହଳକଯାକ କାନ୍ଦି କାନ୍ଦି ପଶିଲେ ଜଗନ୍ନାଥଙ୍କ ମନ୍ଦିରରେ । ସେଇଠି କହିଲା ସୁକୀବୋଉ–“ଯେବେ ତାଙ୍କ ଝିଅକୁ କେହି ଆଣିଦିଏ, ତା’ ଘରକୁ ସେ ବୋହୂକରି ଛାଡ଼ିବେ ।” ଦୈବଯୋଗକୁ ଦେଖ, ମନ କଥା ତାଙ୍କର ମନରେ ଅଛି–ଏଇ ମିଶ୍ରେ ତାଙ୍କରି ଝିଅକୁ ଧରି ଖୋଜି ଖୋଜି ବୁଲୁଛନ୍ତି ତାଙ୍କୁ । ଜଗନ୍ନାଥଙ୍କର ବେଢ଼ା ଭିତରେ କୁଞ୍ଜ ପାଖେ ଭେଟ ହେଲା ସମସ୍ତିଙ୍କର । ଝିଅକୁ ସେ ମହାପାତ୍ରଙ୍କ ଜିମା କରେଇଲେ ।

 

ମାଇପି କଥା ଯାହା ବାହାରିଲା ତୁଣ୍ଡରୁ ସେଇଟା ବେଦର ଗାର–ଯିମିତି ଅଣ ବାହୁଡ଼ା । କାନ୍ଦ ତା’ର ବନ୍ଦ ହେଲା–ଲୁହ ପୋଛି ସେ ତା’ର ମନର କଥା ବ୍ୟାଖ୍ୟାନ କଲା ମିଶ୍ରଙ୍କ ଘରଣୀ ଆଗରେ ।

 

ଦୁଇ ନାରୀ ଏକାଠି ହୋଇ ଜଗନ୍ନାଥଙ୍କ ସାମନାରେ ସତ୍ୟକଲେ–“ମୋ ଝିଅ ସଙ୍ଗେ ହେବ ତୁମ ପୁଅର ବାହାଘର ।” ବ୍ରାହ୍ମଣ ଭୋଜନୀ ଚାଲିଲା–ସତ୍ୟପାଠ ମନ୍ତ୍ର ବୋଲା ହେଲା । ସମସ୍ତେ ରହିଲେ ସାକ୍ଷୀ । ଗାଏ ମୋଟ ପାଞ୍ଚଟି ମୁଦ୍ରା ଖର୍ଚ୍ଚ ହେଲା ସେ ଦେଲେ ଅଧେ ବାକି ଅଧକ ତାଙ୍କର । ଇମିତିରେ ହେଲା ସବୁ ଶେଷ । ସମସ୍ତେ ଫେରିଲେ ଘରକୁ ।

 

ସେହି ଦିନଠୁଁ ଲାଗିଲା ଦିଆ ନିଆ–ଖିଆପିଆ କେତେ କ’ଣ । ଲୋକେ ଜାଣିଲେ ସେମାନଙ୍କର ହେଇଛି ସମନ୍ଧ–ବାହାଘର ସବୁ । ଅସଲ କଥାଟି ଜାଣନ୍ତିନି କେହି ।

 

ଏଇଟା ସତ କଥା । ତାଙ୍କର ମନଥିଲା ବାହା କରେଇଥାନ୍ତେ ମିଶ୍ରଙ୍କ ପୁଅ ସଙ୍ଗେ । ମାତ୍ର କଥା କହି ପାରୁନି–ଜଡ଼ାଟା, ତାକୁ କାହିଁକି ବାହା କରେଇବେ ଝିଅ ସଙ୍ଗେ ? ଖାଲି ତାଙ୍କ ଝିଅ ବୋଲି ନୁହେଁ ଯେ, କେହି ଅବଳା ଯେବେ ଆସେ ଭ୍ରମରେ ତା’ର ସୁନାର ସଂସାର ହେବ ଚୂନା । ମହାପାତ୍ରେ ଏତିକି କହି ଚୁପ୍‍ ମାରି ବସିଲେ ।

 

ମିଶ୍ରେ କହିଲେ–“ହେଉ ! ହେଉ ! ତୁମକଥା ଜଣାଗଲା ।” ବଡ଼ ପୁଅଠାରେ ଖୁଣଟାଏ ପାଇଲ ସିନା–ସାନଟିକୁ ଦିଅ–ତା’ର ତ କିଛି ସିମିତି ନାହିଁ । କର୍ମ କର୍ମାଣି କରୁଛି–ଢେରେ ଢେରେ ପଇସା ଚାଉଳ ଜେଜମାନଙ୍କଠୁଁ ବୋହି ଆଣୁଛି ନିତି ।

 

ନରି ଟିକିଏ କଥାକୁ ବଞ୍ଚେଇ କହିଲା–ମିଶ୍ର ଆପଣେ ଠିକ୍‍ କଥା କହିଛନ୍ତି । କାଳକାଳକୁ ବନ୍ଧୁ ଭାବଟା ରହୁ । ଆଗରୁ ତ କଥା ଛିଡ଼ିଛି । ସଭିଏଁ ଜାଣିଛନ୍ତି ଘଟଣାଟା କ’ଣ ? ଶେଷରେ ନିରାଶ କଲେ ମନରେ ତାଙ୍କର କଷ୍ଟ ହେବ ।

 

ଗ୍ରାମବାସୀ କହିଲେ–“ଆରେ ଏ ଭିତରେ ଏତେ କଥା ଘଟିଛି–ସେମାନେ କିଛି ଜାଣନ୍ତିନି ।” ବ୍ରାହ୍ମଣ ଘରତ; ବାହା ସରିଛି ବୋଲି ସମସ୍ତଙ୍କୁ ଜଣା । ବାହାଘର ଜମା ହେଇନି । ସମସ୍ତେ ମୁହଁ ମୋଡ଼ିଲେ ।

 

ସୁକୀର ମନଟି ଠାକୁରଙ୍କ ପାଖରେ ଥିଲେ ସୁଦ୍ଧା କାନଟି ଥିଲା ବାହାରର କଥା ଶୁଣିବାକୁ । ସେ ଚମକି ପଡ଼ିଲା–ପୁଣି ଜଡ଼ା ଭାଇ ଛୋଟା ସଙ୍ଗେ ତା’ର ବାହାଘର ? ଦୀର୍ଘନିଃଶ୍ଵାସଟିଏ ପକେଇ ପ୍ରଣତି ଢାଳିଲା ମା’ ଦୁର୍ଗାଙ୍କ ପାଖରେ ।

 

ନରି କହିଲା “ମିଶ୍ରେ ଯାହା କହିଲେ ସେଟା ଉତ୍ତମ ପ୍ରସ୍ତାବ, ତା’ର ଜବାବ ଦିଅନ୍ତୁ ମହାପାତ୍ରେ ।

 

ମହାପାତ୍ରେ ଟିକିଏ ବିଚାର କରି କହିଲେ–ତାଙ୍କର ଇଚ୍ଛା ମଧ୍ୟ ସେୟା । ହେଲେ ପରେ ସେ ଏ କଥା ବୁଝି କହିବେ । ଝିଅକୁ ତାଙ୍କର ବେଶୀ ଗୁଡ଼ାଏ ବୟସ ହୋଇ ଯାଇନି । ଆଉ ବରଷେ ସେ ରହୁ ତାଙ୍କ ପାଖରେ । ତା’ପରେ ଯାଇଁ ଯେଉଁ କଥା ।

 

ଲାଇଟି ଟିରୁ ସେତେବେଳକୁ ତେଲ ସରି ଆସିଥିଲା । ସେଇଟା ଉଡ୍‍ ଉଡ୍‍ କରି ଦୁଇଥର ଶବ୍ଦ କରି ପୁଳାଏ ନାଲି ଧୂଆଁ ଉପରକୁ ଛାଡ଼ି ଧପ୍‍କରି ଲିଭିଗଲା । ଚାରିଆଡ଼ ଅନ୍ଧକାର । ଲୋକେ ଦରାଣ୍ଡି ଦରାଣ୍ଡି ଚାଲିଲେ ଘରମାନଙ୍କୁ ।

 

ସକାଳ ପାଇଲା ଯିମିତି, ସମସ୍ତେ ରୁଣ୍ଡ ହେଲେ ଆସି ମହାପାତ୍ରଙ୍କ ଦୁଆରେ–ଦେଖିଲେ ସବାରି ନାହିଁ କି କୁଣିଆ ନାହାନ୍ତି । ସୁକୀ ଶୋଇଥିଲା ତା’ ବୋଉ ପାଖରେ, ମଝିଘରେ ।

 

ଜଙ୍ଗଲ ଭିତରେ କେତେ ଅନାବନା ବୃକ୍ଷଲତା ମାଡ଼ି ରହିଥାନ୍ତି; ତା’ର ହିସାବ କିଏ ରଖେନି । ବଡ଼ ବଡ଼ ଶାଳ ପିଆଶାଳ ସାଗୁଆନ ଗଛଗୁଡ଼ିକରେ ଜଙ୍ଗଲ ବିଭାଗର ବସିଥାଏ ନମ୍ୱର-। ହାମରର ଚିହ୍ନ । ଛୋଟ ଗଛକୁ ପଚାରେ କିଏ ? ସିମିତି ବଡ଼ ବଡ଼ ଲୋକଙ୍କୁ ଚିହ୍ନନ୍ତି ସମସ୍ତେ-। ଛୋଟ ଲୋକ ଲୁଚି ରହିଥାଏ ଘନ ଅନ୍ଧକାର ପଲ୍ଲୀ କଣରେ ।

ସଜ୍ଜେଇ ଜାଣିଲେ ସବୁ ସୁନ୍ଦର । ଲୋକଙ୍କ ମନକୁ ଭୁଲାଏ । କାମ କରିବାକୁ ଆଗ୍ରହ ଆସେ ମନରେ ।

ବଗିଚାଟି ଦେଖିବାକୁ ଖୁସିଲାଗେ ସମସ୍ତଙ୍କୁ । ଫୁଲ ଫଳ ଗଛଗୁଡ଼ିକ ଧାଡ଼ିବାନ୍ଧ ଠିଆ ହୋଇଥାନ୍ତି ସରାଗରେ ।

ଲୋକଙ୍କର ମନ ବଗିଚାର ମାଳି ଏଇ ଗ୍ରାମସେବକ । ସେ ଯିମିତି ଶିଖେଇବ ଲୋକେ ସିମିତି କରିବେ । ଭଲ ଜିନିଷକୁ ସମସ୍ତେ କରନ୍ତି ଆଦର ।

ବଣରେ ବଣମଲ୍ଲୀ କେତେ ପୁଟି ଝାଉଁଳେ, ତାକୁ ଦେଖି ପାରନ୍ତିନି କେହି । ଝାଉଁଳା ବଣମଲ୍ଲୀ ପରି ପଲ୍ଲୀ ଗାଁର କଳା ଚାତୁରୀ ଲୁଚି ରହି ଝାଉଁଳି ଯାଏ ସିମିତି ।

ଆଦିକନ୍ଦ ବାବୁ ବସି ଭାବୁଥିଲେ ତାଙ୍କ ଅଫିସ ଘରଟିରେ । ରୂପସୀ ସୁକୀର ରୂପର ନିଆଁ ଦପ୍‍ ଦପ୍‍ ହୋଇ ଜଳି ଉଠୁଥିଲା ତାଙ୍କ ଆଖି ଆଗରେ । ପଲ୍ଲୀ ବାଳିକାମାନେ ଇମିତି ସଭାରେ ଦିଅନ୍ତି ବକ୍ତୃତା; ସେ ଜାଣି ନଥିଲେ ଆଗରୁ ।

ସେ କେତେ ବ୍ଲକରେ କାମକରି ଆସିଛନ୍ତି–କେତେ ସଭାରେ ବକ୍ତୃତାମାନ ଶୁଣିଛନ୍ତି, ମାତ୍ର ଜଣେ ଷୋଡ଼ଶୀ ପଲ୍ଲୀ ରମଣୀ ମୁଖରୁ ଗଭୀର ତତ୍ତ୍ଵପୂର୍ଣ୍ଣ ଭାଷା ସେ ଶୁଣି ନାହାନ୍ତି କେବେ । ସେ ଜାଣିଲା ଏ ସବୁ କିମିତି ?

 

ପର ମୁହୂର୍ତ୍ତରେ ଭାବିଲେ ଗ୍ରାମସେବକ ନରି କଥା–ସେ ନିଶ୍ଚୟ ଦେଇଛି ଏ ଶିକ୍ଷା । ସବୁ ପଞ୍ଚାୟତରେ ତା’ର ପ୍ରଶଂସା ସେ ଲୋକଙ୍କ ମୁହଁରୁ ଶୁଣିଛନ୍ତି । ଯେଉଁଠି ଏତେ ବାରଣ; ଛୁଆଁ ରୋଗ ଲାଗି ରହିଛି, ସେ କିମିତି ପଲ୍ଲୀ ଯୁବତୀମାନଙ୍କ ମନକୁ ମନେଇଲା । ଆଶ୍ଚର୍ଯ୍ୟ ଲାଗିଲା ତାଙ୍କୁ ।

 

ସେ ଦିନ ସେ ମଟର ଜିପ୍‍ଟି ଛୁଟେଇଥିଲେ ରାତି ଅଧରେ ସେଇ ଗାଁ ଭିତରେ । ନରି ଜରରେ କମ୍ପୁଥିଲା । ତାକୁ ଗାଁ ଲୋକେ ପଚାରୁ ନ ଥିଲେ ପଦେ । ସେଇ ଟୋକୀ ଖଣ୍ଡକ ରାତି ଅଧରେ ହାବୁଡ଼େ ପଡ଼ିଲା ତାଙ୍କର । ମୋଟର ଆଲୁଅରେ ତା’ର କଳା ଚିକ୍‍କଣ ବାଳଗୁଡ଼ିକ ଚିକ୍‍ ଚିକ୍‍ କରୁଥିଲା । ସେ ଭଲ ଭାବରେ ଦେଖିପାରି ନଥିଲେ ତାକୁ । ପଣତ କାନିରେ ମୁହଁକୁ ଢାଙ୍କି ସେ ଚାଲିଗଲା କୁଆଡ଼େ ।

 

ସେ ପୁଣି ନିଜେ ଦେଖିଛନ୍ତି ସଭା ଭିତରେ । ଯୁବତୀଟି ବେଳେବେଳେ ନରି ଆଡ଼େ ଚାହିଁ ମୁହଁ ଫେରେଇ ନେଉଥିଲା ତା’ର । ୟା ଭିତରେ କିଛି ନିଗୂଢ଼ ରହସ୍ୟ ଥିଲା ପରି ତାଙ୍କୁ ଜଣାଗଲା ।

 

ତା’ ବିଷୟରେ ସବୁକଥା ଜାଣିବାକୁ ଇଚ୍ଛା ହେଉଥିଲା ତାଙ୍କର । ସେ କିମିତି ପଚାରିବେ ଏ କଥା । କାହାକୁ କହିବେ ମନର ଅଭିଳାଷ ।

 

ପୁଣି ଭାବନ୍ତି ମନେମନେ ସେ ଜଣେ ଯୁବକ । ଚାକିରି କରିଛନ୍ତି–ପୁଣି ସେଥିରେ ଗୋଟିଏ ଅଜଣା ପଲ୍ଲୀ ଯୁବତୀ ବିଷୟରେ ଜାଣିବା ତାଙ୍କର କି ଆବଶ୍ୟକ ?

 

ସେ ଲୋକଙ୍କଠୁଁ ଶୁଣିଛନ୍ତି ଯୁବତୀଟି ବ୍ରାହ୍ମଣ ଘରର ଝିଅ । ସେ ନିଜେ ପୁଣି ଜାତିରେ ବ୍ରାହ୍ମଣ । ଅମାନିଆଁ ମନ ତାଙ୍କର ଧାଇଁଯାଏ କ’ଣସବୁ ଖୋଜିବାକୁ–ଅଲୋଡ଼ା କଥାରେ ହାତ ଦେବାକୁ ।

 

ନରିକି ସେ ବେଶ୍‍ ଭଲ ପାଇଲେ ଏଇଥି ପାଇଁ । କେତେ ଛଳନା କରି ପଚାରିଲେ ତାକୁ ଗାଁ କଥା ପଞ୍ଚାୟତର ଭଲମନ୍ଦ ସବୁ । ବେଳେବେଳେ ମହିଳା ସମିତି କଥା ସେ ପଚାରିଛନ୍ତି । କିନ୍ତୁ ଖୁବ୍‍ ସାବଧାନ ସହକାରେ ଏଣୁ ତେଣୁ କହି କଥା ମେଣ୍ଟାନ୍ତି । ଅସଲ କଥାଟି କହିବାକୁ ତାଙ୍କ ତୁଣ୍ଡ ଲେଉଟେନି । ଜିଭଟାକୁ କିଏ ଟାଣିଧରେ ।

 

ସେ ପୁଣି ଦେଖନ୍ତି ଚାରିଆଡ଼କୁ ଚାହିଁ । ବିରାଟ ଅଫିସ ଗୃହ ତାଙ୍କରି ପାଇଁ ସରକାର ଗଢ଼ିଛନ୍ତି । କେତେ କିରାନି ନଥିପତ୍ର ଲେଖିବାକୁ ବସିଛନ୍ତି ତାଙ୍କରି ହୁକୁମକୁ ଚାହିଁ । ସଂପ୍ରସାରଣ ଅଫିସରମାନେ ତାଙ୍କ ତଳେ ଅଛନ୍ତି ବ୍ଲକ କାମ ଦେଖିବା ପାଇଁ । ସମସ୍ତଙ୍କୁ ଦରମା ଦେବେ ସେ–ନିଯୁକ୍ତିପତ୍ର ବାହାରିବ ତାଙ୍କରି କଲମ ମୁନରୁ । ଶହଶହ ଏକର ଭୂଇଁ ଚାଷ ହେବ ତାଙ୍କରି ପଦେ କଥାରେ । ସାମାନ୍ୟ ବାଳିକାଟିର ମନକୁ ସେ କିଣିପାରି ନାହାନ୍ତି । ଏତେ ଭାବୁଛନ୍ତି ବସି ତା’ପାଇଁ-? ସେ ମନରେ ଗର୍ବ କରନ୍ତି–ହୃଦୟକୁ ଦମ୍ଭ ଦିଅନ୍ତି । ପଦ ମର୍ଯ୍ୟାଦାକୁ ପୂଜା କରନ୍ତି ।

 

ସେ ପୁଣି ଭାବନ୍ତି ଜୟା ପିଅନଟା କହୁଥିଲା–“ଏଇ ଯୁବତୀଟି ସଙ୍ଗେ ନରିର ଅଛି ଗୁପ୍ତ ପ୍ରେମ କୁଆଡ଼େ ।” ସେ ବିଶ୍ୱାସ କରନ୍ତିନି ସେ କଥାକୁ । କଣ୍ଡରା ଟୋକାଟା ସେ ପୁଣି ଖଣି ଭିତରର ମଣିକି ହାତ ପତଉଛି । ଲୋକଙ୍କ କଥା ସବୁ ମିଛ ।

 

ପାଉଁଶ ଭିତରେ ନିଆଁ ଛପି ରହିଲା ପରି ତାଙ୍କ ମନରେ ରୂପସୀ ସୁକୀର ରୂପର ନିଆଁଝୁଲ ଟିକକ ଲୁଚି ରହିଛି ।

 

କାଗଜଟି ଉପରେ ସେ ଏଣୁତେଣୁ ଗାର ଟାଣୁ ଟାଣୁ ମନରେ ଠିକ୍‍ କଲେ ଯେ ନରି କି ନିଶ୍ଚୟ ପଚାରିବେ ।

 

ହଜିଲା ଜିନିଷ ଖୋଜିଲା ଠେଇଁ । ନରି କେତେବେଳୁ ଆସି ହାତଯୋଡ଼ି ବି.ଡ଼ି.ଓଙ୍କ କଡ଼ପଟେ ଛିଡ଼ାହୋଇ ରହିଛି ତାଙ୍କୁ ଜଣାନାହିଁ । ସୁକୀର ରୂପ ସାଗରରେ ତାଙ୍କ ମନ ମୀନ ଯିମିତି ବୁଡ଼ି ରହିଥିଲା ।

 

ସେ ଚାହିଁ ଦେଖିଲେ ନରି ଛିଡ଼ାହେଇଚି ଆସି ପାଖରେ । ତାଙ୍କର ସେ ଭାବନା ଉଭେଇଗଲା କୁଆଡ଼େ । ଚଉକିଟି ଉପରେ ସେ ସିଧାଭାବରେ ବସିଲେ ଗମ୍ଭୀର ହୋଇ ।

 

ନରି ତାଙ୍କୁ ନମସ୍କାର କଲା–ସେ ଟିକିଏ ହସି ତାକୁ କହିଲେ–ଆସ ନରି ତୁମପାଖରେ ମୋର ବହୁତ କାମଅଛି, ବସ ଏ ଚଉକିରେ ।

 

ନରି ଛିଡ଼ାହୋଇଥାଏ ସିମିତି । ସେ ବିଶ୍ଵାସ କରିପାରିଲାନି । ତାକୁ ବି.ଡ଼ି.ଓ କାହିଁକି ଏମିତି ସ୍ନେହ ଆଦରରେ ବୁଡ଼େଇ ଦେଇଛନ୍ତି ଆଜି ।

 

ପୁଣି ଆଦିକନ୍ଦ ବାବୁ କହିଲେ–“ବସ ନରି, ଛିଡ଼ାହେଇ ରହିଲ କାହିଁକି ?”

 

ନରିର ଆଉ ଉପାୟ ନଥିଲା କିଛି, ବି.ଡ଼ି.ଓଙ୍କ ଆଗ୍ରହରେ ସେ ହେଲା ଆଗ୍ରହୀ । ମୁହଁପୋତି ଛିଡ଼ା ହେବାକୁ ଆଉ ମନ ହେଲାନି ତା’ର । ଚଉକିଟାକୁ ଆସ୍ତେ ଆସ୍ତେ ଟାଣି କଡ଼େଇ ହେଇ ବସିଲା ସେ । ମୁହଁଟି ତା’ର ତଳକୁ ହୋଇଥାଏ ସିମିତି । ବଡ଼ ହାକିମଙ୍କ ପାଖରେ ଛୋଟ କର୍ମଚାରୀମାନେ ଇମିତି ଦେଖାନ୍ତି ଭକ୍ତି, ସମ୍ମାନ ସବୁ ତାଙ୍କର ପଦମର୍ଯ୍ୟାଦାର ଅଭ୍ୟର୍ଥନା ଲାଗି ।

 

“ଆଚ୍ଛା, ନରି । ତୁମେ ଏତେ ଲାଜ ସଙ୍କୋଚ ଭରା ମନରେ କିମିତି କାମ କର ତୁମ ପଞ୍ଚାୟତରେ !” ପଚାରିଲେ ଆଦିକନ୍ଦ ବାବୁ । ଚଉକିରେ ଲୋକ ଯିମିତି ବସନ୍ତି ଠିକ୍‍ ସିମିତି ବସ । ଚଉକିଟାକୁ କଷ୍ଟହେବ ବୋଲି ଦେହଟାରୁ ଅଧେ ପଦାରେ ରଖିଛ କାହିଁକି ?

 

“ଛିଃ, କି ଲଜ୍ୟା । ବି.ଡ଼ି.ଓ. ମହାଶୟ ତା’ ପ୍ରତି ଏପରି ଆକ୍ଷେପ କଲେ କାହିଁକି ? ଏଥିରୁ ସେ କିଛି ବୁଝି ପାରୁନି । ଛୁଆଁ ଜାତି ସଙ୍ଗେ ସେ ମିଶିଯିବାକୁ କାହିଁକି ଚାହିଁଲେ ! କାଳେବେଳେ ନାହିଁ, ଅଦିନିଆଁ ମେଘପରି ଏ ସ୍ନେହବାରି କାହିଁକି ସେ ଢାଳୁଛନ୍ତି ଆଜି ? ତାଙ୍କର କ’ଣ ସେ କରିଛି ! ସେ ଜାଣିବାରେ କିଛି ତ ସିମିତି କରିନି ।”

 

ତାକୁ ଲାଜଲାଗିଲା ବେଶୀ । ଚଉକିଟି ଉପରେ ସଜାଡ଼ି ହୋଇ ବସିଲା ସେ । ଏହି ସମୟରେ ହେଡ଼୍‍ କିରାନି କ’ଣ ଗୁଡ଼ାଏ କାଗଜପତ୍ର ଆଣି ଟେବୁଲ ଉପରେ ଥୋଇଲେ । ଆଦିକନ୍ଦ ବାବୁ ଆଖି ବୁଲେଇ ଦେଖୁ ଦେଖୁ କଲମଟି ଉଠେଇ ଦସ୍ତଖତ କରୁଥାନ୍ତି । ପାଖରେ ଛିଡ଼ା ହେଇ ବୁଝେଇ ଦେଉଥାନ୍ତି ହେଡ଼୍‍ କିରାନି ସବୁ ।

 

ନରି ଚଉକିଟି ଉପରେ ବସି ଭାବୁଥାଏ ଗଲା ପାହାନ୍ତି ପହର କଥା । କାହାର ମୁହଁ ଚାହିଁଛି ସେ ସକାଳୁ । ତା’ର ସେଥିପାଇଁ ଶୁଭ ଘଟିଛି । ବଡ଼ ହାକିମ ଆଦର କରିଛନ୍ତି ତାକୁ । ପାଖରେ ତାଙ୍କର ଚଉକିରେ ବସିଲା । ମନେମନେ ଭାବୁଥାଏ ସେ । ତା’ର ବହୁତ ଲୋକଙ୍କ ସଙ୍ଗେ ଦେଖା–କେତେ କଥା ଆଲୋଚନା । କହାର ମୁହଁ ଚାହିଁଲା ସେ ସକାଳୁ !

 

ତା’ର ମନେ ପଡ଼ିଗଲା ସନ୍ଧ୍ୟା ପହର କଥା । ନିଧି ମହାପାତ୍ରେ ଜରୁଆ ଦିହରେ ବାଙ୍କୁଲି ବାଡ଼ିକି ଠୁକୁ ଠୁକୁ କରି ତା’ ଦୁଆର ପାଖରେ ପହଞ୍ଚିଲେ ଆସି । ସେତେବେଳକୁ ନରି ହାଲିଆ ହୋଇ କାହିଁ କେଉଁଆଡ଼ୁ ଆସିଥିଲା । ନିଜର କର୍ମକ୍ଳାନ୍ତି ଶରୀରଟିକି ସେ ଲୋଟେଇ ଦେଇଥିଲା, ସପ ମସିଣାଟି ଉପରେ ।

 

“ନରି ବାବୁ ଅଛ କିଓ ଘରେ”–ଡାକ ଶୁଭିଲା ବାହାରୁ । ବୁଜି ହୋଇଥିବା ଆଖିପତା ଖୋଲି ହୋଇଗଲା ତା’ର । ସେ ଉଠି ପଡ଼ିଲା ମସିଣାରୁ । ଦାଣ୍ଡ ଦୁଆରକୁ ଯାଇଁ ଦେଖେତ ମହାପାତ୍ରେ ଆସିଛନ୍ତି । ସେ ଡାକେନି ତାଙ୍କୁ । ନିଜେ ଘର ଭିତରକୁ ପଶିଗଲେ ସେ । ତାରି ସପ ମସିଣା ପାଖରେ ବସିପଡ଼ିଲେ ମୁଣ୍ଡରେ ହାତ ଦେଇ ।

 

ତାଟକା ହେଲା ନରି । ମହାପାତ୍ରେ ଯିଏ ମାଡ଼ୁ ନଥିଲେ ଏ ଦୁଆର । ତା’ର ଛାଇ ପଡ଼ିଲେ ଗାଧୋଉ ଥିଲେ–ନରି ନାଁ ଶୁଣିଲେ ନାକ ଟେକୁଥିଲେ–ଆଜି ଛୁଆଁ ଅଛୁଆଁ ବାରଣ ଜମା ନାହିଁ । ବିନା ଡାକରାରେ ଆପେ ଆପେ ଆସି ପହଞ୍ଚିଛନ୍ତି ତାଙ୍କ ମନକୁ । କ’ଣ ତାଙ୍କର କାମ ତା’ ପାଖରେ ?

 

ସେ ଟିକିଏ ହସି ପଚାରିଲା–“ଆପଣ ବାଧିକା ଦିହରେ ଏତେ ରାତିରେ ଆସିଲେ କାହିଁକି ? କିଛି କହିବାର ଥିଲେ ଡକେଇ ପଠେଇ ଥିଲେ ମୁଁ ନିଜେ ହାଜର ହୋଇଥାନ୍ତି ଆପଣଙ୍କ ପାଖରେ ।”

 

ମହାପାତ୍ରେ କିଛି ନକହି କାନ୍ଦି ପକେଇଲେ । ଲୁଗା କାନିରେ ଲୁହ ପୋଛୁ ପୋଛୁ ସେ କହିଲେ–“ନରି ବାବୁ ! ଏ ବୁଢ଼ା ବୟସରେ ମୁଁ କେତେ ହଇରାଣ ନ ହେଲି ! ଚାକିରି ଗଲା ମୋର-। ଜମିଦାର ଘର ଦେଉଳ ନେଲା ଏଣ୍ଡାଉମେଣ୍ଟ । ମୁଁ ପଇସାଟିଏ ପାଇଲିନି ଖରଚକୁ-। ବାର ଦୁଆର ବୁଲି ଏମିତି ହାତ ପତେଇ ମୁଁ କେତେଦିନ ଚଳିବି ଅବା । ଅଫିମ ଟିକିଏ ବିନା ମୋ ମୁଣ୍ଡ ବିନ୍ଧେ । ଘରୁ ବାହାରି ପାରେନି ପଦାକୁ । ଗୋଡ଼ ହାତ ଦରଜରେ ଛୁଇଁ ହୁଏନି । ରାତିରେ ଦିହ ସରପୀଡ଼ା ହୋଇ ଜର କୁଟେ । ମୋ’ପାଇଁ ବ୍ଲକ ଅଫିସିରେ ବୁଝି ଦିଅନ୍ତୁ ଖଣ୍ଡିଏ ପିଅନ ଚାକିରି । ତା’ ନହେଲେ ବି.ଡ଼ି.ଓ.ଙ୍କ ଘରେ ରୋଷେଇ କରିଦେବି ମୁଁ । ବ୍ରାହ୍ମଣ ଲୋକ ଭଲ ରୋଷେଇ ଜାଣେ । ଦେଉଳ ବାଡ଼ିରେ ନାମକରି ଆସିଛି ।” ଏତିକି କହି ମହାପାତ୍ରେ ତୁନି ହେଲେ-

 

ନରି ଭାବିଲା ମନେମନେ ମହାପାତ୍ରଙ୍କ ବିଷୟରେ । ଦିହରେ ଯେତେବେଳେ ବଳ ଥିଲା, ଏଇ ମହାପାତ୍ରେ ସେ ଯାହା ଶୁଣିଛି ଲୋକଙ୍କଠୁଁ ମହାବଳ ବାଘପରି ଖେପାମାରି, ଏ ଗାଁକୁ ସେ ଗାଁ ଦଉଡ଼ୁଥିଲେ ବଇଦ ବୃତ୍ତି କରି । ମେଳା ମଉଛବରେ ତାଙ୍କୁ ଆଗ ଡାକରା । ବାହାପୁଆଣି ଓଷା ବରତରେ ଲୋକ ଖୋଜନ୍ତି ତାଙ୍କୁ । କର୍ମ କର୍ମାଣିରେ ଧୁରନ୍ଧର ସେ । ବହୁତ ପଇସା ରୋଜଗାର କରିଛନ୍ତି ମାତ୍ର କିଛି କରିପାରି ନାହାନ୍ତି । ଭବିଷ୍ୟତ ଚିନ୍ତାନାହିଁ । ଖାଲି ଟେଳାକୁ ଟେଳା ଅଫିମ ଖାଇ ନିଶାରେ ଢୁଳେଇଲେ ସେ । ଆଜି ଯେତେବେଳେ ବୁଢ଼ା ହେଲେ ଦିହରୁ ବଳ ଖସିଲା ଜାଣିଲେ ନିଜକଥା । ସେ କିମିତି ଚଳିବେ ବୋଲି ଚିନ୍ତା ଆସିଲା ମୁଣ୍ଡକୁ ।

 

ପୁଣି ସେ ନିଜେ କେତେ ବତେଇଛି ଅଫିମ ଛାଡ଼ିବାକୁ । ସରକାର ନିଶା ନିବାରଣ କରିଛନ୍ତି । ଆଉ ଅଫିମ ମିଳିବନି । ଓଷଦ ଖାଇ ଛାଡ଼ନ୍ତୁ ତାକୁ । ସେ କ’ଣ ତା’ କଥା ଶୁଣିଲେ ? ଖାଲି ଅଫିମ ନିଶାର ଗଭୀର ତତ୍ତ୍ଵମାନ ସେ ବଖାଣିଲେ ତା’ ଆଗରେ । ଯେ ନଖାଉଛି ଅଫିମ, ଏ ଦୁନିଆଁରେ ସେ ମଣିଷ ନୁହେଁ । ସଂସାର ଭିତରର ଏ ହେଲା ଗୋଟିଏ ଚିଜ, ତାକୁ ନ ଖାଇବ ମଣିଷ କିମିତି ? ସେତେବେଳେ ରାଇଜ କିଣିଲା ପରି ଲାଗୁଥିଲା ତାଙ୍କୁ ।

 

ନରି ଭାବିଲା ମନେମନେ ଏ ଅଫିମ ନିଶାଟା ମଣିଷକୁ ପଙ୍ଗୁକରେ । ଦିହରୁ ଶିରୀତୁଟେ । କନ୍ଧରୁ ଲକ୍ଷ୍ମୀ ଛାଡ଼ନ୍ତି । ଶୁଭ୍ର ମୁହଁଟି ପଡ଼େ କଳା କାଠ । ଉପର ମୁହଁ ତଳକୁ କରି ଲୋକେ ବସନ୍ତି ମୁଣ୍ଡରେ ହାତଦେଇ ।

 

ଏଇ ଅଫିମ ନିଶାପାଇଁ ଝିଅକୁ ସେ ବିକୁଥିଲେ ସେ ଦିନ ଦୁଇଶ ଟଙ୍କା ନେଇ । ବୁଦ୍ଧିଜ୍ଞାନ ସବୁ ଲୋପକରେ ୟେ କଳାକୃଷ୍ଣ ଟିକକ ।

 

ସେ ମନଭାଙ୍ଗି ଦିଅନ୍ତେ କାହିଁକି ମହାପାତ୍ରଙ୍କର । ବୁଢ଼ାଟା କେତେ ଆଶାକରି ଅନ୍ଧାର ରାତ୍ରିରେ ଦରାଣ୍ଡି ଦରାଣ୍ଡି ହୋଇ ଆସିଥିଲେ ତା’ ପାଖକୁ ।

 

ସେ କଥା ଦେଲା ତାଙ୍କୁ କାଲି ସକାଳୁ ସାଙ୍ଗ ହେଇ ଯିବାକୁ ବ୍ଲକ ଅଫିସିକୁ । ତାଙ୍କ ପାଇଁ ସେ ବି.ଡ଼ି.ଓ.ଙ୍କୁ ସବୁ ବୁଝେଇ କହିବ । ଚାକିରି ପାଇଁ ସୁବିଧା କରିବ ।

 

ଉପାସେ ଅଛନ୍ତି ଦୁଇଦିନ ହେଲା ମହାପାତ୍ରେ । ସୁକୀ ତା’ର ଝଡ଼ି ଯିବଣି କିଛି ନ ଖାଇ-। ବିକଳ ଲାଗିଲା ବେଶୀ ତାକୁ । ସେ ମହାପାତ୍ରଙ୍କୁ କହିଲା–“କିଛି ଭାବିବେନି ଏ ଚାଉଳ ପରିବା ଗଣ୍ଡାକ ମିଳିଥିଲା ମଦନପୁର ପଞ୍ଚାୟତରୁ । ନାହିଁ କରୁ କରୁ ଲୋକେ ବାନ୍ଧିଦେଲେ ତା’ ଗାମୁଛାରେ-। ସେ ଭାଙ୍ଗି ପାରିଲାନି ତାଙ୍କ କଥା । ସେତକ ନିଅନ୍ତୁ ସେ ଘରକୁ ।

 

ମହାପାତ୍ରେ ମନାକଲେ । ଲୋକେ ଦେଇଛନ୍ତି ସ୍ନେହରେ ତାଙ୍କୁ । ସେ ପୁଣି କାହିଁକି ଦାନ କରିବାକୁ ବସିଛନ୍ତି ଏ ସବୁ ।

 

ମାତ୍ର ନରି କହିଲା ତା’ର ଅଭାବ ନାହିଁ କିଛି । ପରିବାଗୁଡ଼ାକ ସୁଖିଯିବ–ଫୋପଡ଼ା ହେବ । ସେ ଯାଆନ୍ତୁ । ସକାଳେ ସେ ନେଇ ଘର ପାଖେ ପହଞ୍ଚାଇ ଦେବ ।

 

ମହାପାତ୍ରେ କହି ପକେଇଲେ–ସତ କଥା । ସକାଳୁ ସେ ଉଠିପାରିବେନି । ତାଙ୍କୁ ସଅଳ ସଅଳ ଉଠେଇ ଦେଲେ ସେ ତା’ ସାଥିରେ ବ୍ଲକ ଅଫିସି କି ଯିବେ । ବୁଢ଼ା ଏହା କହି ବାଙ୍କୁଲି ବାଡ଼ିଟି ଠୁକୁଠୁକୁ କରି ବାହାରିଲେ ଯିବାକୁ । ନରି ଆଲୁଅ ଦେଖେଇ ଦେଲା ତାଙ୍କୁ ।

 

ନରି ସେ ଦିନ ରାତିରେ ଆଉ ଶୋଇନି । ସେ ଖାଲି ଭାବୁଥିଲା ଏଣୁ ତେଣୁ କଥା । ସୁକୀ କି ସେ ଦେଖିବ ଟିକିଏ । ସେ ଝଡ଼ି ଯିବଣି ଖାଇବା ବିନା । ଯୌବନର କାଉଁରୀ ପରଶ ସୁକୀର ସୁକୋମଳ ଅଙ୍ଗକୁ ଛୁଇଁଲା ବେଳକୁ ସେ ମୁଠିଏ ପାଉନି ଖାଇବାକୁ ଦୁଇବେଳା । ମନଟା ତା’ର ଛାଟିପିଟି ହେଲା ।

 

ସୁକୀର ମନ ଗହନର ଗୋପନ କଥାକୁ ସେ ଖୋଲିଥିଲା ସେ ଦିନ ରାତିରେ ସେଇ ସପ ମସିଣା ଉପରେ ବସି । ବିବାହିତା ଝିଅ ବୋଲି ଜାଣି ସେ ତାକୁ ପୂରେଇଲାନି ପାଖରେ । ଦୂରଛଡ଼ା ହେଲା ତା’ ପାଖରୁ । ଭଉଣୀ ବୋଲି ଡାକିଲା । ସେ କିନ୍ତୁ ଲୁହ ଗଡ଼େଇଲା ଆଖିରୁ । ଭଉଣୀ ନୁହେଁ ସେ ତା’ର । ଆଉ କ’ଣ ସେ ତା’ର ? ସେ ତା’ର ସବୁ । ହୃଦୟର ଦେବତା । କହିପକେଇଲା ମନଖୋଲି ସେ ।

 

ସେ ବିଶ୍ୱାସ କଲାନି ସୁକୀର କଥାକୁ । ସମାଜର ବନ୍ଧନ ସେ ଏଡ଼ିଦେଇ ପାରିବନି । କଣ୍ଡରା ଟୋକାଟା ସଙ୍ଗେ ସେ ଆସି ଗଢ଼ିବ ତା’ର ଘରସଂସାର । ମନ ତା’ର ମାନିଲାନି । ସୁକୀ ବାୟାଣୀଟା । କେତେବେଳେ କ’ଣ କହି ପକଉଛି ଠିକଣା ନାହିଁ । ତା’ କଥାରେ ସେ କାହିଁକି ପଡ଼ିବ-! ଏଗୁଡ଼ାକ ଶୁଣିଲେ ଦୋଷ–ଭାବିଲେ ପାପ ।

 

ତେବେ କାହିଁକି ତା’ପାଇଁ ଏତେ ଭାବୁଛି । ପ୍ରାଣ ତା’ର କାନ୍ଦି ଉଠୁଛି । କି ସ୍ନେହରେ ସେ ବାନ୍ଧି ଦେଇଛି ତା’ର ହୃଦୟକୁ । ପର ଝିଅ ସେ । ଆଜି ଅଛି କାଲି ଯିବ ପର ଘରକୁ । ତା’ପାଇଁ ମିଛଟାରେ ଭାବି ଭାବି ସେ ହେବ ପାଗଳ ସିନା ! ଭୋକ ବନ୍ଦ ହେଲା–ମୁଣ୍ଡ ଗରମ ହେଲା, ଆଖିକି ନିଦ ଆସିଲାନି ଜମା । ସେହି ଖଣ୍ଡିଆ ସପ ମସିଣାଟି ଉପରେ ଚିତହୋଇ ପଡ଼ି ସେ ଘରର ରୁଅ ବାଉଁଶକୁ ଚାହିଁ ରହିଲା ଖାଲି ।

 

ତହିଁଆରଦିନ ରାତି କଣେ ପାଇନି । କାଉ, କୁକୁଡ଼ା, ବସାରୁ ବାହାରି ନାହାନ୍ତି–ଏ ସମୟରେ ନରି ଉଠିଲା ଶେଯରୁ ।

 

ଦୁଆର ଫିଟାଇ ଚାହିଁଲା ବାହାରକୁ–ଜାଲୁ ଜାଲୁକା ଅନ୍ଧାର ଘେରି ରହିଛି ଚାରିଆଡ଼େ । ସେ ଭାବିଲା ପାହାନ୍ତା ପହର–କେହି ଉଠି ନ ଥିବେ ଶେଯରୁ । ସେ ଚାଲିଯିବ ମହାପାତ୍ରଙ୍କ ଦୁଆରକୁ ସଅଳ ସଅଳ ।

 

ସେହି ଗାମୁଛା କାନିରେ ବନ୍ଧା ହୋଇଥିବା ଚାଉଳ ପରିବାକୁ ସେ ହାତରେ ଓହଳେଇ ଚାଲିଲା ଗାଁ ଭିତରେ ।

 

ମହାପାତ୍ରଙ୍କ ଘର ଖଣ୍ଡେ ଦୂର ଅଛି ସେ ଦେଖିଲା, ଜଣେ କେହି ଓଢ଼ଣା ଟାଣି ବସି କ’ଣ କରୁଛି । ଡିବିରିଟିଏ ପାଖରେ ଜଳୁଛି ମିଞ୍ଜି ମିଞ୍ଜି ହୋଇ । ସେ ଆଉ ଟିକିଏ ପାଖକୁ ଯାଇ ଦେଖିଲା ଝୋଟିରେ ଚିତା ସବୁ ପକଉଛି ସେ । ଡିବିରର କ୍ଷୀଣ ଆଲୋକ ଝୋଟିଚିତା ପାଖରୁ ଅନ୍ଧାର ପୁଳାକ ଠେଲି ଦେଇଥିଲା ଦୂରକୁ । ସ୍ପଷ୍ଟ ବାରିନେଲା ସବୁ ।

 

ସେହି ଦୁଆର ପାଖରେ ଗୋଡ଼ ଅଟକି ଗଲା ତା’ର । ଯେଉଁଠି ପଡ଼ୁଥିଲା ଝୋଟିଚିତା । ତାକୁ ଲାଜଲାଗିଲା ବେଶୀ । କାହା ଦୁଆର ଏଇଟା । କିଏ ପକାଉଛି ରାତିରୁ ଉଠି ଚିତା । ସେ କାହିଁକି ତା’ ପାଖରେ ଛିଡ଼ା ହୋଇ ରହିବ ? ରାତି ପାହି ଆସୁଛି । ଗାଁ ଦାଣ୍ତ ଚହଳ ପଡ଼ିବ ଏଇନେ-। ଗୋଟିଏ ଅଜଣା ବୋହୂ ଭୁଆସୁଣୀ ପାଖରେ ଚୋରଙ୍କ ପରି ସେ ଚାହିଁ ରହିଥିବ ଖାଲି-। ଲୋକେ ତାକୁ କହିବେ କ’ଣ ? ମୁଣ୍ତ ତା’ର ଝିମା ମାରିଲା । ତ୍ୱଟିରୁ ଛେପ ଶୁଖିଲା ।

 

ସେ ପୁଣି ସନ୍ଦେହ କଲା ମନରେ, ଏଇଟା ନୁହେଁ ମହାପାତ୍ରଙ୍କ ଦୁଆର । ସେ ଚାହିଁଲା ଗାଁ ଏ ମଣ୍ଡରୁ ସେ ମୁଣ୍ତଯାଏଁ । ପୁଣି ଗଣିଲା ସବୁଘର । ଚାହିଁଲା ପଛପଟକୁ ପଥର ଚଉରାଟା ଝଙ୍କାଳିଆ ତୁଳସୀଗଛକୁ ମୁଣ୍ଡରେ ମୁଣ୍ଡେଇ ଛିଡ଼ା ହୋଇଛି ଅନ୍ଧାର ଭିତରେ । ସେ ଜାଣିଲା ମହାପାତ୍ରଙ୍କ ଦୁଆର ସାମନା ଏଇ ଚଉରା ଗଛକୁ ସେ ଦେଖିଛି କେତେଥର । ଏଇ ଚଉରା ମୂଳେ କାର୍ତ୍ତିକ ମାସରେ ପଡ଼େ କେତେ ଚିତା ପଞ୍ଚମୁରୁଜରେ । ହବିଷ କରିଥାନ୍ତି ଗାଁର ବୃଦ୍ଧାନାରୀମାନେ । ପୁଣି ଦେଖିଛି ସେ ଗାଁ ବାଳିକାଙ୍କ ଜହ୍ନିଓଷା ସେଇଠି । ହୁଳହୁଳିରେ ସ୍ଥାନଟି କମ୍ପିଯାଏ । ସେ ବି ଯାଉଛି ଆସୁଛି ଅନେକ ବାର ଏଇ ବାଟରେ ଅନ୍ୟ ଗାଁମାନଙ୍କୁ । ଆଉ ଭୁଲିବାର ନୁହେଁ ।

 

ଯୁବତୀଟି ତାକୁ ପଛକରି ଚିତା ପକାଉଥିଲା ତରବରରେ । ରାତିପାହିବା ପୂର୍ବରୁ ସେ ଯିମିତି ଶେଷ କରିବ ତା’ର କାମ । ଯୋଗକୁ ପାହାନ୍ତି ଥଣ୍ଡା ପବନଟା ଚାଲି ଆସିଲା କୁଆଡ଼ୁ କେଜାଣି । ଝଲକାଏ ପବନରେ ଡିବିରିର କ୍ଷୀଣ ଶିଖାକୁ ଲିଭାଇ ଦେଇଗଲା । ହାତ ରହିଗଲା ଯୁବତୀଟିର । ଅନ୍ଧାର ମାଡ଼ି ବସିଲା ଚିତା ଉପରେ । ସେ ଚମକି ଚାହିଁଲା ପଛକୁ । କିଏ ଲିଭେଇଲା ତା’ ଡିବିରିଟି ?

 

ଭୂତଟା ପରି ଜଣେ କିଏ ଛିଡ଼ା ହେଇଚି ଟିକିଏ ଦୂରରେ ବାରି ହେଉନଥିଲା କିଛି ସେ ଜାଲୁ ଜାଲୁଆ ଅନ୍ଧାରରେ । ସେ ଚମକି ଛେପ ପକେଇଲା ଛାତିରେ । ମନରେ ହେଲା ଭୟ “କାଳେ ଯେବେ ଗଉରଟା ଛପି ଛପି ଆସି ଇମିତି କିଛି କରିଥିବ ସେ ଦିନ ରାତିରେ ତାକୁ ଯାହା କରିଥିଲା ।” ଦପ୍‍ ଦପ୍‍ ହେଇ ଛାତିଟା ପଡ଼ିଲା ଉଠିଲା । ଝୋଟି କାଠିଟା ହାତରୁ ଖସି ପଡ଼ିଲା ତଳେ ।

 

ମୁହଁଟିକି ଦେଖିଲା ନରି–ବାରି ନେଲା ସବୁ । ତା’ର ସେ ଆଦରର ସୁକୀ, ଯେ ପକଉଥିଲା ଚିତାର ଝୋଟି ଦାଣ୍ଡପିଣ୍ଡା ତଳେ ।

 

ସେ ତା’ର ଲାଜକୁ ଠେଲିଦେଲା ଦୂରକୁ । ଡାକିଲା ସୁକୀ ବୋଲି । ସେତେବେଳକୁ ଭୟରେ ସୁକୀ ଚାଲି ଯାଉଥିଲା ଘରକୁ । ପାଟି ବାରିଲା ନରି ବାବୁର । ପାଦ ଅଟକି ଗଲା ତା’ର । ମୁହଁ ତଳକୁ ପୋତି ଛିଡ଼ା ହେଲା ସେ ।

 

ତା’ର ମନ କ’ଣ ହେଲା କେଜାଣି; ସେ ଟିକିଏ ପାଖକୁ ଚାଲି ଆସି ଚାରିଆଡ଼କୁ ଚାହିଁ ଗୋଡ଼ତଳେ ନରିର ଓଳଗି ହେଲା । ନରି ଆଦରରେ ତଳୁ ଉଠାଇଦେଲା ତାକୁ; ବଢ଼େଇଲା ହାତକୁ ତା’ର ଗଣ୍ଠିଲିଟି । ସେ ନଧରି କାବା ହେଇ ଚାହିଁ ରହିଲା ଖାଲି ।

 

ସେ କହିଲା–“ସୁକୀ, ୟାକୁ ନେ ଘରେ ରଖିବୁ । ଆଉ ନନାଙ୍କୁ ତୋର ଉଠେଇ ଦବୁ ଟିକିଏ, ଆମେ ଦୁହେଁ ଯିବୁ ସଅଳ ସଅଳ ବ୍ଲକ ଅଫିସିକି । କାଲି ଯାଇଥିଲେ ସେ ରାତିରେ ଅଣ୍ଡାଳି ହୋଇ ମୋରି ପାଖକୁ । ଏ ବୟସରେ ସଂସାର ଚଳେଇବେ ସେ ଚାକିରି କରି–ପଇସା ପାଇଁ ମୁଣ୍ଡ ବିକିବେ ପର ଦୁଆରେ ।

 

ସେ ଆଉ କିଛି କହି ପାରିଲାନି । ସୁକୀର ମୁଖମଣ୍ଡଳଟି ସଜ ଫୁଟା ଗୋଲାପ ପରି ଦିଶୁଥିଲା କାନ୍ତ କମନୀୟ ।

 

‘‘ସେ କ’ଣ ୟିଲାଗେ ଉଠିବେ ଯେ ଉଠେଇବି ତାଙ୍କୁ ।” ଏହାକହି ଘର ଭିତରେ ପଶିଲା ସୁକୀ । ସେତେବେଳକୁ ଖୁଉଁ ଖୁଉଁ କାଶ ଶୁଣାଯଉଥିଲା ବାହାରକୁ ମହାପାତ୍ରଙ୍କର ।

 

ସେ ଖାଲି ଏତିକି ଶୁଣିଲା–ମହାପାତ୍ରେ କହୁଥିଲେ ଝିଅକୁ ଟିକିଏ କମଳଟା ତାଙ୍କ ଦିହରେ ଘୋଡ଼େଇ ଦେବା ଲାଗି । ତାଙ୍କୁ ରାତିରୁ ଜର । କିମିତି ଯିବେ ନରି ସଙ୍ଗରେ ବ୍ଲକ ଅଫିସିକି । ସେ ତାଙ୍କ ପାଇଁ ବି.ଡ଼ି.ଓ ପାଖରେ ଟିକିଏ ସୁପାରିସ୍‍ କରିବେ । ଦିହ ଭଲ ହେଲେ ସେ ଆଉଦିନେ ଯିବେ ଦେଖା କରିବାକୁ ।

 

ନରି ଭାବିଲା ଉତ୍ତମ କଥା । ବୁଢ଼ାଟାକୁ ଟାଣିଟାଣି ସେ ନିଅନ୍ତା କୁଆଡ଼େ ? କି ଚାକିରି ଅବା ସେ କରିବେ ? ସେତେବେଳକୁ ହସ ହସ ବଦନରେ ସୁକୀ ଆସି ପହଞ୍ଚିଲା ଦାଣ୍ଡ ଦୁଆରେ ।

 

ସେ କହିଲା–“ନରି ବାବୁ; ପିଣ୍ଡା ଉପରକୁ ଆସ । ତଳଟାରେ କାହିଁକି ଛିଡ଼ା ହେଇ ରହିଛ ସେତେବେଳୁଁ । ଗୋଡ଼ ଫାଟି ଫାଟି ପଡ଼ିବଣି ?

 

ତା’ର କଷ୍ଟକୁ ସୁକୀ ଯିମିତି ଅଙ୍ଗେ ଲିଭେଇଛି ! ଏ କ’ଣ କହୁଛି ସିୟେ । ରାତି ପାହି ଆସିଲାଣି । ଲୋକେ ଦେଖିଲେ କ’ଣ କହିବେ ତାକୁ । ଟିକିଏ କଥାକୁ ଲୋକେ ମାଜି କରନ୍ତି ମୋଟ । ତିଳକୁ ତାଳ କରିବାରେ ତାଙ୍କର ଆଗ୍ରହ ବେଶୀ । ସେ ଆଉ ଛିଡ଼ା ହେଇ ରହିବ କାହିଁକି-? ପୁଣି କେଉଁ ସାହସରେ ପିଣ୍ଡା ଉପରକୁ ସେ ଡାକୁଛି ତାକୁ ।

 

ସେ ପଚାରିଲା–“ନନା କ’ଣ କହିଲେ !”

 

ନନାଙ୍କୁ ରାତିରୁ ଜର; ସେ ଯିବେନି ଆଜି । ଏଇକଥା କହିବାକୁ କହିଲେ । ଲାଜବନତ ମୁଖରେ କହିଲା ସୁକୀ ।

 

ତେବେ ମୁଁ ଯାଉଛି କହି, ମୁହଁ ବୁଲେଇଲା ନରି ।

 

ପଛରୁ ଡାକିଲା ସୁକୀ... “ଶୁଣମ ଟିକିଏ ।”

 

କିଏ ସେ ଡାକିଲା ବୋଲି ସେ ଫେରି ଚାହିଁଲା ପୁଣି । ସୁକୀ ହସ ହସ ମୁହଁରେ ଛିଡ଼ା ହେଇ ରହିଛି ସିମିତି !

 

ଡାକିଲୁ କି ମତେ ସୁକୀ ! ପଚାରିଲା ସେ ଗମ୍ଭୀର ହେଇ !

 

“ଡାକନ୍ତିନି ତ ଆଉ କ’ଣ, ! ଅଧାକଥା ଶୁଣି ଚାଲିଗଲେ କିଏ କ’ଣ ଛାଡ଼େ !”

 

“ତେବେ କହ, କ’ଣ କହୁଛୁ । ତେଣେ ଡେରି ହେବ ମତେ ।”

 

ପିଣ୍ଡା ଉପରକୁ ଆସୁନା ! ଏତେ ବାଟରେ ଥାଇ କିଏ କହିଲାଣି ମନର କଥା ଯେ–ମୁଁ କହିବି ।

 

କଅଣ ତା’ର ମନର କଥା ସେ କହିବ ତା’ ଆଗରେ । ଆଗ୍ରହ ଲାଗିଲା ତାକୁ ବେଶୀ । ମନ ନ ଥିଲେ ବି’ ସେ ଚାରିଆଡ଼କୁ ଥରୁଟିଏ ଚାହିଁଦେଇ ଚଢ଼ିଲା ପିଣ୍ଡା ଉପରକୁ ।

 

ସୁକୀ ଲାଜ ଲାଜ ହୋଇ କହିଲା–ଅଫିସିରୁ ଫେରିଲେ ଆମ ଘରକୁ ଆସିବ । ତମେ ଖାଇବ ଆଜି ଏଇଠି । ସମସ୍ତଙ୍କ ଘରେ ଆଜି ପିଠା ପଣା ଭାସୁଛି...ଆଉ ତୁମେ...ଅଟକିଗଲା ସେ-

 

ସେ ଜାଣିଲା ତା’ର ମନର କଥା । କହି ପକାଇଲା–ଆଜି କ’ଣ କି ? ଏତେ ପିଠାପଣା ସବୁ ହବ କାହିଁକି ?

 

ଅଜିପରା ମାଣବସା ଗୁରୁବାର । ପ୍ରତ୍ୟେକ ହିନ୍ଦୁ ପରିବାରର ଆଦରର ଦିନ । ଘରେ ଘରେ ପିଠାପଣା–ପୂଜା–ମାଜଣା–ଧୂପ–ଦୀପରେ କମ୍ପି ଉଠିବ । ହୁଳହୁଳିରେ ଗାଁ ଚମକିବ । ସବୁରି ପ୍ରାଣରେ ଆନନ୍ଦର ଲହର ଖେଳିବ ।

 

ଓଃ ! ସତେ, ସେଇଥିପାଇଁ ତେବେ ରାତିରୁ ଉଠି ଦୁଆରେ ପଡ଼ୁଥିଲା ଚିତା, ଝୋଟି ସବୁ-। ନିଜ ଗାଁ କଥା ମନେ ପଡ଼ିଗଲା ତା’ର । ଇମିତି ଘରେ ତା’ର ଟିକି ଭଉଣୀଟି ରାତିରୁ ଉଠି ଚିତା ପକାଉଥିବ ଦାଣ୍ଡ ପିଣ୍ଡା ତଳେ । ମନଟା ତା’ର ଭାବନାରେ ମଜ୍ଜିଗଲା ।

 

ପୁଣି କହିଲା ସୁକୀ–“କ’ଣ ଭାବୁଛ ମନରେ ! ତୁମେ ଆସିବାକୁ ମୁଁ ଚାହିଁଥିବି–ଖାଇ ନଥିବି–ତୁମକୁ ମୋ ରାଣ ନିଶ୍ଚୟ ଆସିବ ।”

 

ନରି କିଛି ନ କହି ହସି ହସି ମୁହଁଟି ବୁଲେଇ ଚାଲିଲା ଗାଁ ଦାଣ୍ଡରେ । ଗାଁମୁଣ୍ଡ ବଙ୍କ ବୁଲିଲା ପର୍ଯ୍ୟନ୍ତ ମଝିରେ ମଝିରେ ସେ ଚାହୁଁଥାଏ ସୁକୀକି । ସେ ସିମିତି ହସହସ ବଦନରେ ଚାହିଁ ରହିଥାଏ ତାକୁ । ସେଇ ଚାହାଣିରେ ଥିଲା ଯେଉଁ ମାଦକ–ସେ ନିଶାରେ ତା’ର ଘାରି ହେଲା ମନ–ଝାଇଁ ମାରିଲା ଦିହ । ଅନ୍ତରରେ ଉଠିଲା ପ୍ରେମର ଜୁଆର ।

 

ସରଳା ଅବଳା ସେ–ଭଲମନ୍ଦ କଥା କିଛି ଜାଣେନା । ଯାହା ମନକୁ ଆସିଲା ବ୍ୟକ୍ତକଲା ଛନ୍ଦଛଇଳ ରୀତିରେ । ତାଙ୍କ ଘରକୁ ସେ ଯିବ କିମିତି ? ବସିବ କେଉଁଠି ? ଲୋକେ କ’ଣ କହିବେ ? ସେ ପୁଣି ବାଢ଼ି ଦେବ ତା’ର ହାତ ତିଆରି ପିଠାପଣା ସବୁ ତା’ ପାଖରେ । ନ ଗଲେ ସେ ପୁଣି ଖାଇବନି ଜମା । ଜିଦ୍‍ ତ କମ୍‍ ନୁହେଁ ତା’ର ? ମନେ ପଡ଼ିଲା ସେଇ କେତେ ପଦ ସରମ ଜନିତ ମୁଖର ନରମ ବୋଳା କଥା–‘‘ଘରକୁ ଆମର ଆସିବ, ପିଠା କରିଥିବି ଖାଇବ । ଭୁଲିବିନି, ତୁମକୁ ମୋ ରାଣ ।”

 

ଏଇ କେତେପଦ କଥାରେ ସେ ନ ହସି ରହିପାରିଲାନି; ପାଟି ତା’ର ଫିଟିଗଲା । ହସର ତରଙ୍ଗରେ ଘର ଉଛୁଳିଲା । ସେତେବେଳକୁ ବିଲ୍‍ଗୁଡ଼ିକ ଦସ୍ତଖତ କରି ଆଦିକନ୍ଦ ବାବୁ ଚାହିଁଥିଲେ ତାରିଆଡ଼େ । ହେଡ଼୍‍ କିରାନି କାଗଜପତ୍ର ସଜାଡ଼ୁଥିଲେ ନେଇଯିବା ପାଇଁ ତାଙ୍କର ଅଫିସିକି ।

 

ତା’ର ଧ୍ୟାନ ଭାଙ୍ଗିଲା । ଚମକି ଚାହିଁଦେଲା ଆଗକୁ । ଏଇଟା ଗୋହିରି ବିଲ କିମ୍ବା ଗାଁ ଦାଣ୍ଡ ନୁହେଁ । ସୁକୀ ଚାହିଁଥିଲା ପାହାନ୍ତାରେ ସିନା । ସେ ହସିଦେଲା ଅଫିସ ଘରେ କାହିଁକି ? ଆଦିକନ୍ଦ ବାଦୁ କଟମଟ କରି ଚାହିଁ ରହିଛନ୍ତି ତାକୁ ଏକଲୟରେ । ସେ ଲାଜରେ ସଢ଼ିଗଲା ସେଇଠି-। ମୁଣ୍ଡ ନଇଁଗଲା ଆପେ ଆପେ । ଅଜଣା ଭୟରେ ଦିହଟା ଥରି ଉଠିଲା ଖାଲି ।

 

ମନ ଉପରେ ବିରକ୍ତ ହୋଇ ସେ ଗାଳିଦେଲା କେତେ । ବସି ରହିଛି ବି.ଡ଼ି.ଓ ଙ୍କ ଆଗ ସାମନା ଚଉକିରେ, ପୁଣି ଅଫିସ ଘରେ । ତା’ର ଅମାନିଆଁ ମନଟା ସ୍ଵପ୍ନ ଦେଖୁଥିଲା ପାହାନ୍ତି ପହରର ଛପି ଛପିକା ଅନ୍ଧାର ଭିତରେ ନାଲି ଗୁଲୁଗୁଲୁ ପଦ୍ମ ପାଖୁଡ଼ା ମୁହଁରେ ସୁକୀର ମୁଡ଼ୁକି ହସ ଟିକକ ।

 

ମନ ତାକୁ ଭୁଲେଇଲା କ୍ଷଣକ ପାଇଁ–ଜଡ଼ ଦେହଟାକୁ ଚଉକି ଉପରେ ଥୋଇଦେଇ ସେ ଚାଲିଯାଇଥିଲା ତିନି ମାଇଲ ପଛକୁ ସେହି ଆମ୍ବ ତୋଟା ଘେରା ପାହାଡ଼ ତଳର ଗାଁ ପାଖକୁ । ମନର ଶୋଷ ମରିନଥିଲା । ମନ ଅମାନିଆଁ ହେଇ ଦଉଡ଼ି ଗଲା ପଲ୍ଲୀ ଅବଳାର ଗୋଲାପୀ ଅଧରର ସ୍ମିତହାସ୍ୟ ଟିକକ ଉପଲବ୍ଧି କରିବାକୁ ।

 

ଚାରି ଦିନର ଅନ୍ନ କାଙ୍ଗାଳ ଅନ୍ନ ମୁଠିଏ ଦେଖିଲେ ଯିମିତି ବିକଳ ହୁଏ–ତା’ର କାଙ୍ଗାଳ ମନ ଆଜି ହେଇଥିଲା ସିମିତି ।

 

“ଛିଃ, ! ଛିଃ ! କି ଲଜ୍ୟା ।” ମୁହଁ ଟେକି ପାରିଲାନି ସେ ।

 

ଆଦିକନ୍ଦ ବାବୁ ଏଣେ ଚାହିଁ ରହିଛନ୍ତି ତା’ ମୁହଁକୁ ଏକଲୟରେ । ସେ ଇମିତି ଭୁଲ୍‍ କଲା କାହିଁକି ? ବିନା ମେଘରେ ବଜ୍ରପାତ ପରି କଥା ନ ଥାଇ ସେ ସୃଷ୍ଟିକଲା ଛନ୍ଦ । ଚୋରୀ କରି ଲୋକେ ଖସି ପଳାନ୍ତି, ଆତ୍ମଗୋପନ କରନ୍ତି, ମାତ୍ର ସେ ବିନା ଅପରାଧରେ ହୋଇଛି ଦୋଷୀ । ସେ ଦୋଷକୁ ସେ ମାନିଛି । ଅଯଥା ସୃଷ୍ଟି କରିଛି ସନ୍ଦେହ । ତା’ର କୈଫିୟତ ସେ କ’ଣ ଦେବ ଏବେ ।

 

ତା’ର ଧ୍ୟାନ ଭଙ୍ଗକରି ପ୍ରଶ୍ନ କଲେ ଆଦିକନ୍ଦ ବାବୁ–“ନରି ହସିଲ କାହିଁକି ? କେଉଁଠୁଁ କିଛି ପାଇଲକି ?’’

 

“ଛିଃ ! ଲାଜ ଲାଗିଲା ତାକୁ । ଚାହିଁ ପାରିଲାନି ସେ ବି.ଡ଼ି.ଓ.ଙ୍କ ଆଡ଼େ ।”

 

କାରଣ ନ ଥାଇ ହସିଲେ ଲୋକେ କହିବେ ପାଗଳ । ସେ ଆଜି କାହାପାଇଁ ବାତୁଳ । ତା’ର ମୁଣ୍ଡଟାକୁ ସୁକୀ ବିଗାଡ଼ିଲା । ସିଏ କାହାର ଛାଇ ଦେଖି ବାୟାହେଲା ।

 

ସେ ଆଉ ଅଧିକ ଭାବିବାକୁ ଦେଲାନି । ଗୋଟେ କିଛି ନ କହିଲେ ରକ୍ଷାନାହିଁ । ଆଦିକନ୍ଦବାବୁ ଛାଡ଼ିବାର ଲୋକ ନୁହଁନ୍ତି । ମନ ପାଇଲା ପର୍ଯ୍ୟନ୍ତ ପ୍ରଶ୍ନ ବାଣରେ ତାକୁ ଅଥୟ କରିବେ ଆଜି ।

 

ସେ ମନରୁ ବାହାରକଲା ବୁଦ୍ଧି । ଦରହସିତ ମୁହଁରେ ଆରମ୍ଭ କଲା କଥା ।

 

“ଆଜ୍ଞା, ମଣିଷ ଜାଣୁ ଜାଣୁ ଭୁଲ୍‍କରି ବସେ । ସେଇ ଶିଖରପୁର ଗାଁର ନିଧି ମହାପାତ୍ରେ–ହାତରେ ଧନ ସମ୍ପତ୍ତି କିଛି ନାହିଁ–ଚୁଲି ଜଳୁନି ଜମା ଘରେ, ସେଥିରେ ପୁଣି ଟେଳା ଟେଳା ଅଫିମ ଖିଆ । ଯେତେ ମନା କଲି ସେ କ’ଣ ଶୁଣିଲେ–ଦିଅଁ ପୂଜା ଗଲା କୁଆଡ଼େ–ବଇଦ ବୃତ୍ତି ଛାଡ଼ିଲେ । ଏବେ ଟଙ୍କା ଅଭାବରେ କରିବେ କ’ଣ ? ଶେଷକୁ ଝିଅକୁ ବିକିବାକୁ ଦୁଇଶହ ଟଙ୍କା ଆଣିଲେ ଜଣେ କନ୍ୟା ବ୍ୟବସାୟୀଙ୍କଠୁଁ । ଝିଅକୁ ବାହା କରେଇଥିଲେ ହରିପୁରରେ । ସେ ଦିନ ମୁଁ ଗସ୍ତରୁ ଫେରିଲା ବେଳକୁ ତାଙ୍କ ଦୁଆରେ ଦୁଇଟି ସବାରି ଥୁଆ ହେଇଥିଲା ।

 

ରାତି ହେଲାଣି ଅଧ । କୁଣିଆ ଚର୍ଚ୍ଚା ନାହିଁ । ରନ୍ଧାବଢ଼ା ନାହିଁ । ଲୋକଗୁଡ଼ାକ ଘୂରି ବୁଲୁଥିଲେ ଏଣେତେଣେ । ତାଙ୍କୁ କୌଣସିମତେ ବିଦାୟ କରିବାକୁ ପଡ଼ିଲା । ନରି ଟିକିଏ ଚୁପ୍‍ ରହିଲା ଏତିକି କହି ।

 

ଆଦିକନ୍ଦ ବାବୁ କହିଲେ–“ଭଲ କଲ ! କଳି ମୀମାଂସା ତୁଟେଇଲ । ସମସ୍ତେ ଖୁସିରେ ଗଲେ ଘରକୁ । ଆଉ ତୁମେ ହସିବାର କ’ଣ ରହିଲା ଏଥିରେ ।”

 

“ନାହିଁ ଆଜ୍ଞା, ସବାରି ଯୋଡ଼ାକ ଆସିଥିଲା ବୋହୂଡାକି । ବୋହୂ ଗଲାନିକି ଭୋଜି ହେଲାନି । ଆସିଲା ସବାରି ଖାଲି ଖାଲି ଗଲା ବି ସିମିତି । ସେଇଥି ପାଇଁ ହସ ଲାଗିଲା ଯେ, ହସିଦେଲି ।”

 

ନା–ନା, ନରି । ତୁମେ ସବୁ ମିଛ କଥା କହିଲ ମୋ ଆଗେ । ସବାରି ଆସିଥିଲା ଖାଲି, ଗଲା ଖାଲି, ସମସ୍ତେ ଜାଣିଲେ, ମୁଁ ବି ଶୁଣିଲି । ହେଲେ ମୁଁ ତ କାହିଁ ହସିଲିନି । ତୁମେ ହସିଲ କାହିଁକି ?

 

ସାର୍ ! ସେଗୁଡ଼ାକ ନିଜେ ମୁଁ ଦେଖିଛି, ଅନୁଭବ କରିଛି । ତାଙ୍କ କଳିତକରାଳ ଭାଙ୍ଗିଛି ବୋଲି ମନରେ ଭାବିଲାବେଳେ ସେଗୁଡ଼ାକ ଆଖି ଆଗରେ ନାଚି ଗଲା । ସେଇଥି ପାଇଁ...ଅଟକି ଗଲା ସେ । ସେ ଗଣ୍ଡଗୋଳ ଭିତରେ ଆଉ କାହାର ଗୋଲାପୀ ମୁହଁ ତୁମ ଆଖି ସମାନାରେ ନାଚି ଯାଇ ନାହିଁତ ?

 

ନରିର ମୁହଁ ଶୁଖିଗଲା । ସେ ଆଉ କଥା କହି ପାରିଲାନି । ଆଦିକନ୍ଦବାବୁ କିମିତି ଜାଣିଲେ । ସେ କ’ଣ ସକାଳେ ଗାଁ ଆଡ଼େ ଯାଇଥିଲେ କିମ୍ବା ସୁକୀ ସଙ୍ଗରେ ଦାଣ୍ଡ ପିଣ୍ଡାରେ କଥା ହେବାର ଆଖିରେ ଦେଖିଛନ୍ତି ! ନ ହେଲେ ହଠାତ୍‍ କିମିତି ସେ କହି ପକେଇଲେ ।

 

ସେ ପୁଣି ଦେଖୁଥାଏ ବି.ଡ଼ି.ଓ କ’ଣ ଗୋଟାଏ କାଗଜ ଧରି ପଢ଼ୁଥାନ୍ତି । ସମୟେ ସମୟେ ଆଖିପତା ତାଙ୍କର ଟେକି ହୋଇ ଯାଉଥାଏ । ତାତ୍ସଲ୍ୟ କରି ମଝିରେ ମଝିରେ ସେ ହସୁଥାନ୍ତି ।

 

ନରି ବଡ଼ ଅଡ଼ୁଆରେ ପଡ଼ିଲା । ସକାଳୁ ସୁକୀର ମୁଖ ଦର୍ଶନ କରି ଆସିଥିଲା ବୋଲି ଖୁସି ହେଉଥିଲା ସିନା ! ଏ ଖାଲି ଅମଙ୍ଗଳର ସୂଚନା । ସେ ଯେଉଁ କାଗଜଟାକୁ ମନେମନେ ପଢ଼ୁଛନ୍ତି, ସେଥିରେ କ’ଣ ଏ ସବୁ କଥା ଲେଖା ହୋଇଛି–କାଲି ପାହାନ୍ତି ପହରର ଘଟଣା ଅବା ତୋଳିଛି ପ୍ରତିବିମ୍ବ ? କିଛି ବୁଝିପାରିଲାନି ସେ ।

 

“ଆଚ୍ଛା, ନରି ! ମୁଁ ପଚାରୁଛି ଯାହା ତୁମେ କୁହ ! ମହାପାତ୍ରଙ୍କ ଝିଅକୁ ତୁମେ କାହିଁକି ତା’ର ଶାଶୁଘରକୁ ଛାଡ଼ିଦେଲନି ? ତୁମେ କ’ଣ ତାକୁ ରଖିବ ?’’

 

ଏ କି କଥା ସେ ପଚାରିଲେ, ହୃତକମ୍ପ ହେଲା ତା’ର । ପାଟି ବାଉଳି ଗଲା ଉତ୍ତର ଦେବାକୁ ।

 

ମନକୁ ଚାପି ସଦମ୍ଭରେ ସେ ଉତ୍ତର ଦେଲା–“ନା ସାର୍‍, ସେ ହେଉଛି ବ୍ରାହ୍ମଣ ଘରର ଝିଅ, ଆଉ ମୁଁ ହେଉଛି କଣ୍ଡରା ଘରର ପିଲା ।” ଏଇଟା କିମିତି ସମ୍ଭବ ଯେ ଆପଣ ମନରେ ଭାବୁଛନ୍ତି ?

 

“ମୁଁ ଭାବିବାରେ କିଛି ନାହିଁ । ତୁମେ ଯେଉଁଠି ଅଛ–ଯେଉଁ ଲୋକଙ୍କ ପାଇଁ କାମ କରୁଛ, ସେମାନେ ଲେଖିଛନ୍ତି ତୁମ ନାଁରେ । ଦେଖ ଏ କାଗଜ ! ଏଗୁଡ଼ାକ କ’ଣ ମିଛ, ଆଉ ତୁମେ ଯାହାସବୁ ବଖାଣିଗଲ ସବୁ ସତ କଥା ?

 

ତାଟକା ହେଲା ନରି । କିଏ ସେ ଲେଖିଲା ଇମିତି ତା’ ନାଁରେ । ସେ ଭାବୁଥାଏ ବସି ସିମିତି ।

 

ଆଦିକନ୍ଦ ବାବୁ ଅଳ୍ପହସି କହିଲେ–“ସତ କଥା କହିବ ମୋ ଆଗରେ ନରି; ବିପଦ ପଡ଼ିଲେ ରଖିବି ମୁଁ–ଚାକିରି ଉପରେ ଆଞ୍ଚ ଆସିଲେ ଘଣ୍ଟ ଘୋଡ଼େଇବି ମୁଁ । ସବୁ କଥାରେ ତୁମର ହାକିମ–ତୁମର ସବୁ ମୁଁ । ତୁମେ ଜାଣି ଜାଣି କଥାଟାକୁ ଲୁଚାନି । ମୋର ଅଧିକ ସନ୍ଦେହ ବଢ଼ାନି । ତୁମେ ଲୁଚେଇଲେ କଥା ଲୁଚିବନି । ତୁମର କୀର୍ତ୍ତିକଳାପ ଏଇ କାଗଜରେ ଗୋଟି ଗୋଟି ହୋଇ ବର୍ଣ୍ଣିତ ହୋଇଛି । ତୁମେ ଫାଙ୍କିବାର ଆଉ ବାଟ ନାହିଁ ।”

 

ନରି ଜାଣିଲା ଆଦିକନ୍ଦ ବାବୁଙ୍କର ଜିଜ୍ଞାସା ପ୍ରବଳ ହୋଇ ଉଠିଛି । ସେ କ’ଣ କହି ବୋଧ ଦେବ ତାଙ୍କୁ । ଧନୀ ଜମିଦାର ବଳବନ୍ତରାଏ ଲେଖିଥିବେ ୟାକୁ । ସେ ସନ୍ଦେହ କଲା ତାଙ୍କୁ-। ସେ ଶେଷରେ ଦାଉ ସାଧିଲେ ନିରୀହ ଗ୍ରାମସେବକ ଉପରେ ।

 

ହଠାତ୍‍ ବି.ଡ଼ି.ଓ. ଡାକିଲେ ହେଡ଼୍‍ କିରାନିଙ୍କୁ । ଚଷମାଟି ଆଖିରୁ ବାହାର କରି ଲୁଗା କାନିରେ ପୋଛି ପୋଛି ଆସି ପହଞ୍ଚିଲେ ବୃଦ୍ଧ କିରାନି ଦେବବାବୁ ।

 

ଆଦିକନ୍ଦବାବୁ ରାଗମିଶା ଗଳାରେ କହିଲେ–ସବୁ ଗ୍ରାମସେବକମାନେ ଷ୍ଟାଫ ମିଟିଙ୍ଗିକି ଆସିଲେଣି ?

 

“ହଁ ଆଜ୍ଞା ! ପାନ ଚୋବାଉ ଚୋବାଉ କହିଲେ ଦେବବାବୁ ।”

 

ବି.ଡ଼ି.ଓ. ଆକ୍ଷେପ କରି କହିଲେ ନରି କି ଚାହିଁ–“ଦେବବାବୁ ସମସ୍ତଙ୍କର ଦରମା ଦେବ ମାତ୍ର ୟା’ଙ୍କର ଦରମା ବନ୍ଦ କରିବ ।” ନରି ନାଁରେ ବହୁତ ଅଭିଯୋଗ ଅଛି ।

 

ମୁଣ୍ଡ ହଲେଇ ଦେଇ ଚାଲିଗଲେ ଦେବବାବୁ ଆରପଟ ଘରକୁ ।

 

ନରିର ମୁଣ୍ଡ ଗୋଳମାଳ ହୋଇଗଲା । ସେ ଆଜକୁ ଚାରିମାସ ହେଲା ଘରକୁ ଗୋଟାଏ ସୁଦ୍ଧା ପଇସା ଦେଇନି । ବାପା ତା’ର ବେମାର ପଡ଼ିଛି–ମାଆର ଅବସ୍ଥା କହିଲେ ନସରେ । ଖାଇବା ବିନା ଛୋଟ ଭଉଣୀଟି ଝଡ଼ି ଯିବଣି ।

 

ଲୋକଙ୍କ ସକାଶେ ପଇସା ଖର୍ଚ୍ଚ କରି ସେ ଦରମାକୁ ଉଡ଼େଇ ଦେଇଛି । ହାତରେ କପର୍ଦ୍ଦକ ସୁଦ୍ଧା ନାହିଁ । ଭାବିଥିଲା ସଅଳ ସଅଳ ଦରମା ଗଣ୍ଡାକ ପାଇ ଗାଁକୁ କିଛି ପଠେଇ ଥାଆନ୍ତା । ବାପାକୁ ରୋଗ ଶଯ୍ୟାରେ ଦେଖିବାକୁ ଯିବାକୁ ଛୁଟି ମିଳିଲାନି ତାକୁ–ଲୋକେ ଛାଡ଼ିଦେଲେନି ଜମା । ଘର ଛାଡ଼ିଲା–ଗାଁ’କୁ ଭୁଲିଲା–କାହାକୁ ପଚାରିଲାନି ଏଇ କାମ ପାଇଁ–ଲୋକଙ୍କ ମଙ୍ଗଳ ସକାଶେ । ତାକୁ ପୁଣି ଏ ବିପତ୍ତି ଦେଲା କିଏ ?

 

ସେ କ’ଣ ଖାଇବ, ଚଳିବ କିମିତି ? ମହାପାତ୍ରଙ୍କ ଘରେ ସେ ପାଇଥିବା ଚାଉଳ ପରିବା ସବୁ ଗଣ୍ଠିଲି ବାନ୍ଧି ଦେଇ ଆସିଲା । ଏଣୁ ଗଲେ ସେ ରହିବ ଉପାସ । କାହାକୁ ସେ ହାତ ପତେଇବ ପଇସା ପାଇଁ । କିଏ ତାକୁ ଏତେ ଟଙ୍କା ଦେବ ଚଳିବାକୁ ।

 

କର୍ତ୍ତବ୍ୟନିଷ୍ଠ ହୋଇ, ଭଲକାମ କରି ଆଜି ସେ କ’ଣ ତା’ର ଯୋଗ୍ୟ ପୁରସ୍କାର ପାଇଲା-? ତାରି ସାଙ୍ଗ ଭାଇମାନେ ମାସକ ଯାକ ଘରେ ଶୋଇ ତା’ ଆଗରେ ଗଣି ନେବେ ଦରମା, ଆଉ ସେ ଫେରିଯିବ ଖାଲି ହାତରେ ମୁହଁ ଶୁଖେଇ !

 

ପୁଣି ପ୍ରଶ୍ନକରି ତା’ର ଭାବନାକୁ ଭଙ୍ଗକଲେ ଆଦିକନ୍ଦ ବାବୁ । “ନରି ! ତୁମେ ସତକଥା କହ–ନୋହିଲେ ଜିଲ୍ଲା କଲେକ୍ଟରଙ୍କୁ କହି ତୁମକୁ ବହୁଦୂର ବ୍ଲକକୁ ବଦଳି କରିବି ।”

 

ଏ କଥାରେ ବଜ୍ର ପଡ଼ିଲା ପରି ଲାଗିଲା ତାକୁ । ସେ ମୁହଁଟି ଶୁଖେଇ କହିଲା–ମହାଶୟ, ମୋର କିଛି ଦୋଷ ନାହିଁ ଏଥିରେ । ଆପଣ ସେ ପଞ୍ଚାୟତକୁ ଅନେକ ଥର ଯାଇଛନ୍ତି, ମୋ ବିଷୟରେ ଲୋକଙ୍କଠୁଁ ସବୁ ଶୁଣିଛନ୍ତି–ଅଧୀନ ଆଉ କ’ଣ ଅଧିକ କହି ଆପଣଙ୍କୁ ଖୁସି କରେଇବ ।

 

ତେବେ ତୁମ ନାଁରେ କିଏ ଲେଖିଲା ବୋଲି ଭାବୁଛ ? ପଚାରିଲେ ବି.ଡ଼ି.ଓ. ।

 

“ଆଜ୍ଞା ! ମୋର ସମସ୍ତେ ସମାନ । କାହା ବିପକ୍ଷରେ ମୁଁ ହସିବି ? ନ ପଚାରିଲା ଲୋକଙ୍କ ସଙ୍ଗେ କଥା ଆମର–ନ କହିବା ଲୋକ ମୁହଁରେ ଫୁଟାଉ ଆମେ ହସ । ତେବେ ଗାଁ ଜମିଦାର ବଳବନ୍ତରାଏ । ସେ ସମ୍ପତ୍ତିଶାଳୀ ଲୋକ । ଏଥିରେ ନିଶ୍ଚୟ ଅସୁବିଧା ଘଟିଛି ତାଙ୍କର । ତେଣୁ ମୋର ଶୀଘ୍ର ବିଦାୟ ପାଇଁ ସେ କରିଥିବେ ଯୋଗାଡ଼ ।”

 

“ଆଚ୍ଛା ! ସେ କଥା ମୁଁ ବୁଝିବି । ତୁମେ ମୋତେ କହ–ସେ ଦିନ ଯେଉଁ ଅବଳାଟି ହସ ହସ ବଦନରେ ଫୁଲମାଳା ଅର୍ପଣ କଲା ମନ୍ତ୍ରୀକି, ଅନର୍ଗଳ ଭାବେ ବକ୍ତୃତା ଦେଇ ଚାଲିଲା କେତେ କ’ଣ, କାରୁକାର୍ଯ୍ୟରେ ପ୍ରଥମ ହେଲା, ପୁରସ୍କାର ପାଇଲା, ସେ କିଏ ?” ଏକ ସ୍ୱରରେ ଆଦିକନ୍ଦ ବାବୁ କହିଗଲେ ।

 

ନରି ଜାଣିଲା ତାଙ୍କ ମନର କଥା । ସେ ଚାହୁଁଛନ୍ତି ସେହି ଯୁବତୀକି କରିବେ ବୋଲି ନୂଆ ଘରସଂସାର । ତାରି ପ୍ରେମକୁ ସେ ହୃଦୟରେ ରଖି କହୁନାହାନ୍ତି କାହିଁକି ? ଅଯଥା ନିରୀହ ଗ୍ରାମସେବକଟା ଉପରେ ପଡ଼ୁଛି ପାହାର ।

 

ନରି ଟିକିଏ ରହି କହିଲା–“ସେ ପରା ସେହି ନିଧି ମହାପାତ୍ରଙ୍କର ଏକମାତ୍ର କନ୍ୟା–ତା’ ନା ସୁକାନ୍ତୀ ।”

 

ବେଶ୍–ବେଶ୍, ତୁମରି ନାଁରେ ସେହି କଥା ଲେଖାହେଇ ଆସିଛି । ତୁମେ ତାକୁ କୁଆଡ଼େ ଭଲ ପାଉଛ । ଛାଡ଼ିଦେଲନି ପୁଆଣୀ ହୋଇ ଯିବାକୁ । ଏଇ ଦେଖ୍‍ । ଏଇଥିରେ ସବୁ ଲେଖା ହୋଇ ଆସିଛି । ଅଜଣା ଭୟରେ ଛାତିଟା ତା’ର ଦପ୍‍ଦପ୍‍ ହୋଇ ପଡ଼ିଲା ଉଠିଲା । ମନ ଭିତରେ ବୋହିଲା ପ୍ରବଳ ବାତ୍ୟା । ପ୍ରଫୁଲ୍ଲ ବଦନଟି ଝାଉଁଳି ପଡ଼ିଲା ।

 

ସେ କହିଲା–ସୁକୀ ବିବାହିତା ନୁହେଁ, ଖାଲି ବାହା ପ୍ରସ୍ତାବ ମାତ୍ର ଥିଲା ହରିପୁର ମିଶ୍ରଙ୍କ ପୁଅ ସଙ୍ଗେ । ସେଟା ଜଡ଼ାଟାଏ ବୋଲି ମହାପାତ୍ରେ ଝିଅକୁ ଦେବାକୁ ମନାକଲେ । ତେବେ ସୁବିଧା ଦେଖି ତୁମେ ତାକୁଇ ପ୍ରେମରେ ପକାଇ ସବୁ ଯୋଗାଡ଼ କରି ଦେଇ ସାରିଲଣି । ଆଉ କେହି କହିବାକୁ ନାହିଁ । ବାଟ ସବୁ ସଫା ।

 

ସେ ପୁଣି କହିଲେ–“ତୁମେ ଯେଉଁ ଛୁଆଁ ଅଛୁଆଁ କଥା କହୁଛ ସେଥିରେ କ’ଣ ଅଛି । ପ୍ରେମ ଛୁଆଁ ମାନେନି, ଜାତି ଅଜାତି ଶୁଣେନି । ମନ ମାନିଲେ ଜୀବନ ଦିଏ ପ୍ରେମିକ ପ୍ରେମ ପାଇଁ । କେଦାର ଗୌରୀ କଥା ପଢ଼ିଥିବ–‘ନରି’ । କ’ଣ ସବୁ ସେଥିରେ ହୋଇଚି ।

 

ନରି ମନରେ ଚେତା ପଶିଲା–ସତରେ କ’ଣ ସୁକୀ ତା’ର । ସମସ୍ତେ କହିଲେ ତା’ ନାଁରେ । ଶେଷକୁ ବି.ଡ଼ି.ଓ ଦେଲେଣି ଦୋଷ ।

 

ଦୁନିଆଁ ଆଖିରେ ଧୂଳିଦେଇ ମଣିଷ ଚୋରିକରି ଚାଲିଥାଏ । ଯେତେବେଳେ ସେ ଧରାପଡ଼େ–ଅସଲ କଥାଟି ଜଣାପଡ଼େ–ସେ ହୁଏ ଚୋର । ଆଜି ତାରି ହୋଇଛି ସେୟା ।

 

ପର ମୁହଁରୁ ଏହି ପ୍ରେମକଥା ଶୁଣିଲେ ପ୍ରେମିକର ଛାତି ଗର୍ବରେ ଫୁଲିଯାଏ–ମନ ହୁଏ କୁଣ୍ଢେ ମୋଟ । ଆଦିକନ୍ଦବାବୁ କଥାଗୁଡ଼ାକ ନରିକି ଲାଗୁଥିଲା ଯିମିତି ସେ ଗୋଟିଏ ବଡ଼ କାମରେ ହାତ ଦେଇଛି । ତା’ ପିଛା ସମସ୍ତେ ଧରିବେ ଏଇଥି ପାଇଁ ।

 

ଚୋରି କରିବା ମନ୍ଦକାମ, ମହାପାପ । ହେଲେ ଚୋରି କରି ଯେ ଖସିଗଲା ଅସଂଖ୍ୟ ଗୁଇନ୍ଦାଙ୍କ ଆଖିରେ ଧୂଳିଦେଇ, ସେ ହେଲା ବାହାଦୁରି–ସବୁଠୁଁ ଭଲ ମଣିଷ । ଏ ଚୋରୀତ ଟଙ୍କା ପଇସାର ନୁହେଁ–ନୁହେଁ ଲୁଟ ତରାଜ–ଦଙ୍ଗା ହେଙ୍ଗମା–କପଟ ଜୁଆଚୋରି ଚାଲବାଜି ଅବା ଆଉ କିଛି । ତେବେ ଏ ଆଉ କି’ ଚୋରୀ । କିଏ ସତେ କହେ ତାକୁ ୟେ ହେଲା ମନ ଚୋରୀ ପ୍ରେମ ଚୋରୀ !

Unknown

 

ମନ ଭିତରେ ଛପି ଛପିକା ଜୁଆର ଉଠେ କେତେ–ସେ ଢେଉ ଯିମିତି ତା’ର ମନ ଭିତରର ସୁନା ବୋଇତକୁ ଉଠଉଛି ପୁଣି ପକଉଛି । ସମୁଦ୍ର ବକ୍ଷ ଆନ୍ଦୋଳିତ କରି ଜୁଆର ଚାଲିଆସେ କୂଳକୁ–ଶୁଖିଲା ପୁଳିନକୁ କରେ ପ୍ଳାବନ ଘଡ଼ିକରେ । ଆଜି ସିମିତି ତା’ର ମନ ସମୁଦ୍ରରେ ଉଠିଛି ଜୁଆର । ସେ ଢେଉ ଆଉ କୂଳମାନୁନି, ସବୁ ଯିମିତି ଡୁବେଇ ଦେବାକୁ ବସିଛି ।

 

ନରି ବିନ୍ଦୁ ବିନ୍ଦୁ ଝାଳ ପୋଛିଲା ତା’ର କପାଳରୁ । ଦେହର କାମିଜଟା ଓଦା ସଲବଲ ହୋଇ ଠାଏଁ ଠାଏଁ ଭିଜି ଗଲାଣି । ଶୀତ ଦିନଟାରେ ସମସ୍ତେ ଥରନ୍ତି ଶୀତରେ–ଢାଙ୍କିଥାନ୍ତି ଦିହଟାକୁ କେତେ ପ୍ରକାର ଗରମ ପୋଷାକରେ । କିନ୍ତୁ ନରି ଦିହରେ ତ କିଛି ନାହିଁ, ଖାଲି ପତଳା କାମିଜ ଖଣ୍ଡେ । ସେ କାହିଁକି ଝାଳରେ ଓଦା ହେଇ ପଡ଼ୁଛି ଏତେ ଥଣ୍ଡା ଆଉ ଜାଡ଼ରେ ।

 

ତା’ ମନରେ କିଏ ଜାଳିଛି ନିଆଁ–ସେ ଅଗ୍ନିରେ ତା’ର ଦେହଟି ତାତିଛି ଡହଡହ ହେଇ–ମନ ବି ହେଇଚି ନାଲ ଟହ ଟହ କମାରଶାଳର ପାଚିଲା ଲୁହାଖଣ୍ଡ ପରି ।

 

ସେ ଆଉ ଚୁପ୍‍ ମାରି ବସି ରହିଛି କାହିଁକି ? ଭୟ ଲାଗେ ମନକୁ ମଣିଷର ଯେତେବେଳ ପର୍ଯ୍ୟନ୍ତ ଭୟର କାରଣଟି ଆସି ଆଗରେ ଛିଡ଼ା ହୋଇ ନଥାଏ । ଯେତେବେଳେ ଭୟ ଆସି ପାଖରେ ପହଞ୍ଚେ–ମଣିଷ ଆଉ ଭୟକରି କିଛି ଲାଭ ନାହିଁ । ଭୟ କରୁଥିଲେ ସେ ଭୟ ଶେଷରେ ହେବ ତା’ର ମୃତ୍ୟୁର କାରଣ । ଏହି ମୃତ୍ୟୁ ମୁଖରୁ ନିଜକୁ ବଞ୍ଚେଇବା ପାଇଁ ମଣିଷ ଖୋଜେ ବାଟ–ରଚନା କରେ କୌଶଳ–ମନରେ ପାଞ୍ଚେ ଉପାୟ ।

 

ଏହି ଉପାୟ ଯେତେଶୀଘ୍ର ମୁଣ୍ଡକୁ ଢୁକେ–ସେ ପାଏ ରକ୍ଷା । ବିଳମ୍ବ ହେଲେ ସର୍ବନାଶ-

 

ସେ ଆଦିକନ୍ଦ ବାବୁଙ୍କ ମନ କଥା ଜାଣିଲା । ଫୁଟିଲା ଫୁଲକୁ ଲୋଭ ନଥାଏ କାହାର । ଆଦିକନ୍ଦ ବାବୁଙ୍କର ମନ ଭ୍ରମରଟି ସୁକୀର ଗୋଲାପୀ ମୁଖ ମଣ୍ଡଳରୁ ମଧୁ ଚୁମ୍ବନ କରିବାକୁ ଘୂରି ବୁଲୁଥିଲା ସେ ଦିନ । ତାଙ୍କର ଅପଲକ ନେତ୍ରଯୁଗଳ କ୍ରୂର ବ୍ୟାଧର ତୀକ୍ଷ୍ଣଶର ସଦୃଶ ସୁକୀପରି କୋମଳ ହରିଣୀ ଅଙ୍ଗରେ ଗଳିଯିବା ପାଇଁ ବାଟ ଖୋଜୁଥିଲେ ।

 

ସେ ପୁଣି କହିଲା ବି.ଡ଼ି.ଓ.ଙ୍କୁ ମନେମନେ ଆକାଶ କୁସୁମ ତୋଳିବା–ଖଣି ଭିତରର ମଣିକୁ ଲୋଭ କରି ସପନ ଦେଖିବା–ସରଗର ଚାନ୍ଦକୁ ହାତ ବଢ଼େଇବା ଯିମିତି, ସୁକାନ୍ତୀ ପରି ସୁକୋମଳ ଅବଳା ରତ୍ନଟିକୁ ପାଇବା ତା’ ପକ୍ଷେ ସିମିତି ।

 

“ସାର୍ ! ଆପଣ ଯାହା ଭାବନ୍ତୁ ପଛକେ, ସେହି ଏକା ଆପଣଙ୍କ ମନଲାଖି । ସତେ କେଉଁ ବିଧାତା ଆପଣଙ୍କ ପାଇଁ ସ୍ଵର୍ଗ ଅପ୍‍ସରୀଟିଏ ଆଣି ଏ ମର୍ତ୍ତ୍ୟ ଭୂଇଁରେ ଥୋଇଛି । ଆପଣଙ୍କର ସେ । ଜାଣୁ ଜାଣୁ ହଳାହଳ ବିଷରେ ହାତ ଦେବ କିଏ ?”

 

କଥାଟା ଆଦିକନ୍ଦ ବାବୁଙ୍କ ମନକୁ ବେଶ୍‍ ପାଇଲା । ସେ ତାହାହିଁ ଶୁଣିବାକୁ ଯିମିତି ଖୋଜୁଥିଲେ କାହା ମୁହଁରୁ । ଆଜି ନରି ତାଙ୍କୁ କହିଛି ମନର କଥା–ସେ ସୁବିଧା କରିବ ସବୁ ତାଙ୍କରି ପାଇଁ ।

 

ସେ ଟିକିଏ ମୁଡ଼ୁକି ହସା ଦେଇ କହିଲେ–“ନରି, ତୁମେ ମତାପାତ୍ରଙ୍କୁ ବୁଝେଇ କହିବ ସେ ତାଙ୍କର ଝିଅକୁ ବାହା କରାନ୍ତୁ ମୋ ସଙ୍ଗେ । କିଛି ଅଭାବ ରହିବନି ତାଙ୍କର ।”

 

ନରି ମୁଣ୍ଡ ହଲାଇ ହଁ ଭରିଲା । ସେ ନିଶ୍ଚେ ଚେଷ୍ଟା କରିବ । ସୁକୀକି କହିବ । ମାହାପାତ୍ରଙ୍କୁ ବି’ ବୁଝେଇବ । ଯିମିତି କାମ ହେବ ସିମିତି ସେ କରିବ । ଏଇଥି ପାଇଁ ସେ ଭାବନ୍ତୁନି କିଛି ।

 

ଆଦିକନ୍ଦ ବାବୁ ସେହି ଦରଖାସ୍ତ କାଗଜଟି ନରି ସାମନାରେ ଚିରି ଟିକି ଟିକି କରି ଅଳିଆ କାଗଜ ବୁହା ଡାଲାଟିରେ ପକେଇ ଦେଲେ । ସେ କହିଲେ–ଦେଖ, ନରି ! ଏ ଲୋକଗୁଡ଼ାକ ଭଲ ନୁହଁନ୍ତି । ହଇରାଣରେ ପକେଇବାକୁ କରିଥାନ୍ତି ଇମିତି ।

 

ସେ ଘଣ୍ଟିଟି ଉପରେ ହାତମାରି କ୍ରିଂ କ୍ରିଂ ବଜେଇଲେ । ଘଣ୍ଟି ଶବ୍ଦ ଶୁଣି ଜୟା ପିଅନ ଚମକି ପଡ଼ିଲା । ସେ ବାହାରେ ଗୋଟିଏ ଷ୍ଟୁଲ୍‍ ଉପରେ ବସି ଘୁମଉଁ ଥିଲା । ପଡ଼ି ଯାଇଥାନ୍ତା । ସେ ନସରପସର ହେଇ ଧାଇଁ ଆସିଲା ଅଫିସ ଘର ଭିତରକୁ ।

 

ଡାକ ହେଡ଼୍‍ କିରାନିଙ୍କି ଆଦିକନ୍ଦ ବାବୁ କହିଲେ ପିଅନକୁ । ସେ ତର ତର ହୋଇ ଚାଲିଗଲା ଆରପଟ ଘରକୁ ।

 

ସେ ପୁଣି କହିଲେ ନରିକି । ମହାପାତ୍ରଙ୍କୁ ଡାକିଆଣିବ ଏଠିକି । ଡେରି କରିବନି । ସୁକାନ୍ତୀକି କହିବ ସେ ବୁଲି ଆସିବ ଏଣେ । ତା’ ସଙ୍ଗେ ଟିକିଏ କଥା ଅଛି । ସେ ମୋତେ ଜାଣିନି ଜମା । କଥାବାର୍ତ୍ତା ହେଲେ ସେ ମଙ୍ଗିବ ଯେ ।

 

ଆଗକୁ ଚାହିଁ ଚମକି ପଡ଼ିଲେ ସେ । ବୃଦ୍ଧ କିରାନି ଦେବବାବୁ ଚଷମା ଭିତରେ ତାଙ୍କୁ କଣେଇ ଚାହିଁ ରହିଛନ୍ତି ସିମିତି । ସେ କେତେବେଳୁ ଆସି ସବୁ ଶୁଣିଥିବେ ତାଙ୍କ କଥା । କ’ଣ ସେ ଭାବିବେ ? ଜଣେ ଉଚ୍ଚ କର୍ମକର୍ତ୍ତା ହେଇ ସେ ପରଝିଅ ଉପରେ ଲୋଭ କରିଛନ୍ତି–ତାକୁ ନିଜର କରିବାକୁ କୌଶଳ ପାଞ୍ଚିଛନ୍ତି ।

 

ସେ ଟିକିଏ ନରମ ଗଳାରେ ଏଣେତେଣେ ଚାହିଁ କହିଲେ ଦେବବାବୁ ! ନରିର ଦରମା ଦେଇଦେବ । ଗରିବ ଲୋକ ସେ । ଟଙ୍କା ନ ପାଇଲେ ହଇରାଣ ହେବ ।

 

ହଁଟିଏ ମାରି ପାକୁଆ ପାଟିରେ ପାନ ଚୋବାଇ ଚୋବାଇ ଚାଲିଲେ ଦେବବାବୁ ତାଙ୍କ ଅଫିସ ଘରକୁ ।

 

ନରି ନମସ୍କାରଟି କରି ନେଲା ବିଦାୟ । ଆଦିକନ୍ଦ ବାବୁ ତାକୁ ଚାହିଁ ରହିଥାନ୍ତି ସିମିତି !

 

ନରି ଯାଇଁ ପହଞ୍ଚିଲା ଦେବବାବୁଙ୍କ ପାଖରେ । ସେ ଦଶଟଙ୍କିଆ ନୋଟ୍‍ ବିଡ଼ାରୁ ଟଙ୍କା ଗଣୁ ଗଣୁ କହିଲେ–“ଧନ୍ୟରେ ପ୍ରେମ–ଶୁଖିଲା କାଠରୁ ପାଣି ଯେ ଝରାଏ–ମନରେ ଆଣେ ନବୀନ ପୁଲକ–ଉଚ୍ଛୃଙ୍ଖଳ ଜୀବନକୁ ବାନ୍ଧେ ଘଡ଼ିକରେ–ଧନ୍ୟ ତା’ର ମହିମା ।”

 

ବାବୁ ! ତୁମର ଦରମା ବନ୍ଦ କରିବାକୁ କିଏ କହିଲା–ପୁଣି ମୁହୂର୍ତ୍ତକରେ ଗଣି ଦେବାକୁ କିଏ ଆଦେଶ କଲା । ସବୁ ମୂଳରେ ରହିଲା ପ୍ରେମ । କି ପ୍ରେମ ମନ୍ତ୍ର ଦେଲ ଯେ ହାକିମଙ୍କ ଅଜଣା ମନରେ ଛୁଇଁଲା କାଉଁରୀ ପରଶ । ସେ ଉଚ୍ଛନ୍ନ ହେଲେ ପୁଣି ତୁମ ପାଇଁ ।

 

ହେଉ ବାବୁ ! ଆମକୁ ସେଥିରୁ ମିଳିବ କଅଣ ? ଗଣିନିଅ ଭଲ କରି ତୁମ ଟଙ୍କା–କାଳେ କେଉଁଠି ଗୋଟିକ ସହିତ ଅନ୍ୟଟି ବାନ୍ଧିହେଇ ଯାଇଥିବ ! ଶେଷରେ ଏ ବୃଦ୍ଧ କିରାନି ଉପରେ ପଡ଼ିବ ଚଡ଼କ ।

 

ବ୍ୟସ୍ତ ହୁଅନ୍ତୁନି । ବନ୍ଧନ ହେଲାଣି ମୁକୁଳା । ସେ ଆଉ କାହିଁକି ପୁଣି ବାନ୍ଧି ହେବେ ଏ ବଅସରେ । ଟଙ୍କା ଗଣି ନେଉ ନେଉ କହିଲା ନରି ।

 

ବୃଦ୍ଧ କିରାନି ଦେବବାବୁ ବୁଝିଲେ ତା’ର ମରମ । ସେ ଚଷମା ଭିତରେ କଣେଇ ଚାହିଁ ପାକୁଆ ପାଟିରେ ହସିଲେ ଟିକିଏ । ନରି ଯୋଡ଼ହସ୍ତରେ ନମସ୍କାରଟିଏ ପକେଇ ଚାଲିଲା ବିଲ ଗୋହିରି ଭିତରେ କେତେ ଅଙ୍କାବଙ୍କା ରାସ୍ତା ଦେଇ ସେହି ଶିଖରପୁର ଗାଁ’କୁ ।

 

ଜ୍ୟେଷ୍ଠ ମାସ ଗଡ଼ିଯାଇଛି । ଝାଞ୍ଜିଖରା କମିଛି । ମାତ୍ର ଭୂଇଁରୁ ତାତି ଛାଡ଼ିନି । ପହିଲି ଆଷାଢ଼ର ଅସରାଏ ମେଘ କେଉଁଆଡ଼ୁ ଆସି ଭୂଇଁକି ଓଦା କରିଦେଇ ଗଲା । ତତଲା ଲୁହାରେ ପାଣି ମୁଠାଏ ଯିମିତି ପଡ଼ିଲେ ହୁଏ ଅଦୃଶ୍ୟ ଏଇ ଭୂଇଁ କୁଆଡ଼େ ଶୋଷିନେଲା ସେ ପାଣି ଟିକକ ।

 

ଭୂଇଁର ବାମ୍ଫ ଜାତହେଲା ଖାଲି । ଲୋକେ ବୈଶାଖ ମାସ ଝାଞ୍ଜି ଖରା ସହିଛନ୍ତି କିନ୍ତୁ ଏ ଗରମ ହୁଳା ସହି ହେଉନି ଜମା । ଟିକିଏ ପବନ ନାହିଁ । ଖାଲି ଗୁଳୁଗୁଳି ହେଉଚି ।

 

ବୁଢ଼ା ବୁଢ଼ାମାନେ କହିଲେ ଜଗନ୍ନାଥ ମହାପ୍ରଭୁ ସୁନାକୂଅର ପାଣି ଗାଧେଇ ଅଣସର ଘରେ ପଡ଼ିଛନ୍ତି । ତାଙ୍କୁ ଜର କରିଛି । ଆଖି ବନ୍ଦ କରି ସେ ପଡ଼ିଛନ୍ତି ।

 

ନେତ୍ରଉତ୍ସବ ଦିନ ସେ ଚକ୍ଷୁ ଖୋଲିବେ । ବଡ଼ଦାଣ୍ଡରେ ଭାଇ ଭଉଣୀ ରଥରେ ବସି ଯିବେ ଗୁଣ୍ଡିଚା ଯାତକୁ । ସେତେବେଳେ ଯାଇଁ ଏ ଗୁଳୁଗୁଳି କମିବ । ପୃଥିବୀ ଥଣ୍ଡା ହେବ । ଲୋକେ ଶାନ୍ତି ପାଇବେ ।

 

ଏଇ ସମୟଟା ବାଡ଼ି ଠାକୁରାଣୀଙ୍କର ବିଜେ କରିବା ବେଳ । ପୁରୁଷୋତ୍ତମରେ ରଥ ଯାତକୁ ଏଇ ଠାକୁରାଣୀ ବି ଯାଆନ୍ତି । ଲୋକ ଗହଳିରେ ପଶି ସେ ରଥଯାତ ଦେଖନ୍ତି । ଯାହା ଉପରେ ହୁଏ ଶରଧା ତାକୁ ସିଏ ଟାଣି ନିଅନ୍ତି ତାଙ୍କ କୋଳକୁ । ଗୋଟିଏ ନୁହେଁ, କି ଦୁଇଟି ନୁହେଁ, ଶହ ଶହ ଲୋକକୁ ସେ ଘଡ଼ିକରେ ଆଦର କରି ପଠାନ୍ତି ଆରପୁରକୁ । ସେଇଥି ପାଇଁ ଲୋକେ ଠାକୁରାଣୀ ହାବୁଡ଼େ ପଡ଼ିବାକୁ ଡରନ୍ତି । ତାଟି କବାଟ ଦେଇ ଘରେ ଲୁଚନ୍ତି ।

 

ଅଇଁଠି ପଧାନଙ୍କୁ କାଲି ରାତିରୁ ଧରିଛି ଝାଡ଼ା । ବାନ୍ତି ହେଉଛି ତା’ ସାଙ୍ଗକୁ । ସେ ସକାଳୁ ଉଠି ପରୁନାହାନ୍ତି । ସେଇ ଶେଯ ଉପରେ ହାଣ୍ଡି ହାଣ୍ଡି ଦେଇ ତରଳ ଝାଡ଼ା ବୋହି ଯାଉଛି-। ଗୋଡ଼ରୁ ଉଠିଲାଣି ବାକୁଲା । ଲୋକଙ୍କ ମନରେ ହେଲାଣି ଭୟ । ସେ ଆଉ କେଇ ନୁହେଁ ବିଜେ କରିଛନ୍ତି ବାଡ଼ି ଠାକୁରାଣୀ ଗାଁ’ରେ ।

 

ଦିନ ଦି’ପହର ଡେଇଁ ଚହଳ ପଡ଼ିଲା ଗାଁ’ରେ । ପଧାନେ ଆଉ ଏ ପୁରରେ ନାହାନ୍ତି । ସମସ୍ତେ ଡରିଲେ ବେଶୀ । ଦିନବେଳଟାରେ ତାଟି କବାଟ ସବୁ ବନ୍ଦ । କେହି କାମକୁ ଯାଇନାହାନ୍ତି-। କାହା ସଙ୍ଗେ କାର ଭେଟ ନାହିଁ । ସମସ୍ତଙ୍କ ମନରେ କୋକୁଆ ଭୟ ।

 

ଗାଁର ବୁଢ଼ା ବୁଢ଼ୀ ଲୋକେ ଅକଲ ଦେଲେ ସମସ୍ତଙ୍କୁ । ଢୋଲିଆକୁ ଡାକ ଠାକୁରାଣୀ ପାଖକୁ । ଢୋଲ ବଜେଇ ସେ କଳସୀ ଉଭା କରୁ । ଧୂପ ଦୀପ ମାଜଣା ହେଉ । ମଦ କୁକୁଡ଼ା ନ ଆଣିଲେ ଠାକୁରାଣୀ ରାଗେ ବେଶୀ ।

 

ନରି ନଥିଲା ଗାଁରେ । ସେ ବେଳ ଗଡ଼ିଲା ବେଳକୁ ଗାଁ ଭୂଇଁରେ ଦେଲା ପାଦ । ବାଟରୁ ଶୁଣିଲା ବାଜୁଛି ଗୋଟିଏ ଢୋଲ । ମନରେ ତା’ର ଭାବିଲା ସେ, କାହାର କ’ଣ ବାହା ପୁଆଣୀ ହେଇଥିବ ଅବା ନାଟ ତାମସା କିଛି ଗାଁକୁ ଆସିଥିବ । ଢୋଲ ଶବ୍ଦକୁ ବାରି ବାରି ସେ ହାଜର ହେଲା ଠାକୁରାଣୀଙ୍କ ପାଖରେ ସେଇ ବରଗଛ ମୂଳେ । ଏ କ’ଣ ହେଉଛି ? ଗୋଟିଏ ମାଇପି ବାଳ ମୁକୁଳା କରି ବେତ ଧରି ଖାଲି ଡିଆଁ ମାରୁଛି ଆଉ ଢୋଲିଆଟା ଝାଳ ସଲବଲ ହେଇ ତା’ ପଛରେ ଦଉଡ଼ି ପିଟୁଛି ଢୋଲ ।

 

ଠାକୁରାଣୀଙ୍କ ପାଖରେ ପଣାହାଣ୍ଡି ଥୁଆ ହେଇଛି–କୁକୁଡ଼ା ଦୁଇଟି ବନ୍ଧା ହେଇ ପଡ଼ିଛନ୍ତି-। ମଝିରେ ମଝିରେ ବନ୍ଧନରୁ ମୁକୁଳିବାକୁ ଗୋଡ଼କୁ କରୁଛନ୍ତି ଛଟପଟ ।

 

ଏ ଦୃଶ୍ୟ ଦେଖି ସେ କାବା ହେଲା । କାହାକୁ ସେ ପଚାରିବ ଅବା । ଗାଁ ଲୋକେ ଆଖିବୁଜି ଦୁଇହାତ ଯୋଡ଼ି ଧ୍ୟାନମଗ୍ନ । କ’ଣ ଆଜି, ସେ ବୁଝିପାରିଲାନି କିଛି । ସେ ଦେଖିଲା ଗୋଟିଏ ଶବକୁ ଚାରିଜଣ କୋକେଇରେ ଧରି ଚାଲିଛନ୍ତି ପାହାଡ଼ ତଳ ମଶାଣିକି । ତା’ ମନରେ ବେଶୀ ହେଲା ସନ୍ଦେହ । ସେ ଦଉଡ଼ି ଯାଇଁ ଲୋକଙ୍କୁ ପଚାରିଲା ସବୁ । ଲୋକେ ଛାନିଆଁ ହେଇଛନ୍ତି ଯିମିତି ।

 

ନରି ଜାଣିଲା ହଇଜା ଧରିଲାଣି ଜଣକୁ । ସେ ଲୋକ ମଲା ସିନା ତା’ ସଙ୍ଗରେ ଆହୁରି ଟାଣିନେବ କେତେଟାକୁ । ସେ କ’ଣ କରିବ ? ଲୋକଙ୍କୁ ବୁଝେଇଥିଲା ଦିନେ, ଛବି ସବୁ ଦେଖେଇଥିଲା ହଇଜା ରୋଗ ବିଷୟରେ । ତା’ କଥା କେହି ଶୁଣି ନାହାନ୍ତି । ଠାକୁରାଣୀ ବୋଲି ସେ ମାନି ଚଳିଛନ୍ତି କେଉଁକାଳରୁ । ସେ ଆଉ ଡେରି କଲାନି । ସଙ୍ଗେ ସଙ୍ଗେ ହେଲ୍‍ଥଇନ୍‍ସିପେକ୍ଟରଙ୍କୁ ଖବର ଦେଲା । ଲେଖି ଜଣେଇଲା ବ୍ଲକ ଅଫିସିକି । ପୁଣି ତା’ର କାମ କ’ଣ ? ଲୋକଙ୍କୁ ସେ କିମିତି ବୁଝେଇ ପ୍ରତିଷେଧକ ଇଞ୍ଜେକ୍‍ସନ ଦେବ । ସେ ପୁଣି ପହଞ୍ଚିଲା ବରଗଛ ମୂଳେ ।

 

ସେ ଦେଖିଲା ଅପଛରା ମା’ ସିନ୍ଦୂର କଲିଏ ମାରି ଝୁଲୁଚି । ତାକୁ ଦୁଇ ଚାରିଜଣ ଭିଡ଼ିଧରିଛନ୍ତି । ସେ ଖାଲି କହୁଛି–“ଏ ଗାଁରୁ ମୁଣ୍ଡ ନେବି । ମୋତେ କେହି ପଚାରିଲେନି । ଛୁଆଁ ଭଲ ବାରିଲେନି ।” ସମସ୍ତଙ୍କୁ ଶେଷ କରିବି କହି ସେ କୁହାଟ ମାରିଲା ଗୋଟେ । ଲୋକେ ଗୋଡ଼ତଳେ ଲମ୍ବ ହେଇ ପଡ଼ିଛନ୍ତି । କେତେବେଳେ ବେତରେ ସେ ପାହାରେ ପାହାରେ ପିଟୁଛି । ଲୋକେ ଯିମିତି ସେ ମାଡ଼କୁ ସାଦରରେ ଗ୍ରହଣ କରି ସିମିତି ଭୂଇଁରେ ମୁଣ୍ଡ ଲଗେଇ ଶୋଇ ରହିଛନ୍ତି ।

 

ସେ ଢୋଲିଆକୁ କହିବାକୁ ଡାକିଲା କେତେ । ମାତ୍ର କେହି ଶୁଣିଲେନି ତା’ କଥା । ଏହି ସମୟରେ ସେ ଦେଖିଲା–ଗଉର କାହିଁକି ଦଉଡ଼ିଛି । ତା’ର ମୁହଁରେ ଆକସ୍ମିକ ଭୟର ଚିହ୍ନ । ସେ କାହାକୁ କିଛି ପଚାରି ପାରୁନି । ଗାଁରେ ବଳବନ୍ତ ରାଏ ବାସନ୍ଦ ହେଇ ରହିଛନ୍ତି । କେହି କଥା କହୁ ନାହାନ୍ତି ତାଙ୍କୁ । ସେ ବିକଳରେ ନରିର ହାତ ଧରି ପକେଇ ଭୋ’ ଭୋ’ ହେଇ କାନ୍ଦି ପକେଇଲା । କଥା କ’ଣ ନରି ବୁଝି ପାରିଲାନି କିଛି । ତାକୁ ବୋଧ ଦେଇ ପଚାରିଲା । ଗଉର ଖାଲି କହିଥିଲା ତା’ର ସଂସାର ସରିଲା–ବାପା ତା’ର ଝାଡ଼ା ବାନ୍ତିରେ ପଡ଼ିଛନ୍ତି ।

 

ନରି ଆଉ ଡେରି କଲାନି । ଗାଁ ଲୋକେ ପଚାରୁ ନାହାନ୍ତି ଜମିଦାରଙ୍କୁ । ପଦେ କଥାରେ ବାସନ୍ଦ କରି ରଖିଛନ୍ତି । ତା’ର ସମସ୍ତେ ସମାନ । ସେ କାହିଁକି ଗାଁ ଲୋକଙ୍କ କଥା ଶୁଣିବ-। ବିପଦ ବେଳେ ସାହାଯ୍ୟ ଦେବା ମଣିଷର କର୍ତ୍ତବ୍ୟ । ସେ ଡେରି ନକରି ଗଉର ସାଙ୍ଗରେ ଗଲା ତାଙ୍କ ଘରକୁ । ବଳବନ୍ତରାଏ ଖଟଟି ଉପରେ ସିମିତ ନୋଚିକୋଚି ହେଇ ପଡ଼ିଛନ୍ତି । ଆଖିପତା ଭିତରକୁ ପଶିଗଲାଣି । କଥା କହିପାରୁନାହାନ୍ତି ସେ । ତାକୁ ଚିହ୍ନି ପାରିଲେନି ।

 

ଝାଡ଼ା ବାନ୍ତିରେ ବୁଡ଼ି ରହିଥିବା ଲୁଗାଗୁଡ଼ାକ ଅଲଗା କରି ପକେଇଲା ସେ । ଭଲ ଲୁଗା ପିନ୍ଧେଇଲା ତାଙ୍କୁ । ଗଉରଟା ସିମିତି କାଠଟି ପରି ଛିଡ଼ା ହେଇଥାଏ ।

 

ଏହି ସମୟରେ ବ୍ଲକ ଜିପ୍‍ଟିର ଆବାଜ ଶୁଭିଲା । ନରି ବାହାରକୁ ଯାଇଁ ଦେଖିଲା–ଡାକ୍ତର ଖୋଜୁଛନ୍ତି ତାକୁ । ଦଉଡ଼ି ଗଲା ଜୋରରେ । ସେଇ ଠାକୁରାଣୀଙ୍କ ପାଖରେ ପହଞ୍ଚିଥିଲେ ଡାକ୍ତର । ସେ ଇଞ୍ଜେକ୍‍ସନ ନେବାକୁ କହିଲା ଲୋକମାନଙ୍କୁ ।

 

ସିରିଞ୍ଜି ଉପରେ ଲମ୍ବ ସୂଚିଟାକୁ ଦେଖି ଲୋକେ ଛାନିଆଁରେ ଯାଇଁ ପଶିଲେ ଘରେ । ତା’ କଥା କେହି ରଖିଲେନି । ଡାକ୍ତରଙ୍କୁ ନେଇ ସେ ଗଲା ବଳବନ୍ତରାଏଙ୍କ ଘରକୁ । ଦିହେଁ ଲାଗିଲେ ବହୁତ । ଗ୍ଲୁକୋଜ ପାଣି ଦେଲେ ରୋଗୀକୁ । ନାଡ଼ିଜମା ଲାଗିଲାନି ହାତକୁ । ସାଲାଇନ ଇଂଜେକ୍‍ସନ ଫୋଡ଼ିଲେ ମାତ୍ର କିଛି ଫଳ ହେଲାନି । ବଳବନ୍ତରାଏଙ୍କୁ ଆରପୁରରୁ ଆସିଲା ଖବର-। ସେ ରାତି ଦୁଇଘଡ଼ି ଠେଇଁ ମରି ଶୋଇଲେ ସେଇ ତକ୍ତାପୋଷ ଖଟଟି ଉପରେ ।

 

ପ୍ରତିଷେଧକ ଇଂଜେକ୍‍ସନ ନେବାକୁ କେହି ବାହାରିଲେନି ଘରୁ, ମାତ୍ର ସୁକୀ ନେଲା ଆଗ । ତା’ର ମହିଳା ମେମ୍ବରମାନଙ୍କୁ ସେ ଘରୁ ଟାଣି ଆଣିଲା ଗୋଟି ଗୋଟି କରି । ଆଉ ସବୁ ବୋହୂ ଭୁଆସୁଣୀ ଓଢ଼ଣା ଟାଣି ହାତଟି ମାନ ଦେଖେଇ ଦେଲେ ପଦାକୁ ଇଂଜେକ୍‍ସନ ନେବାକୁ ।

 

ମରଦମାନଙ୍କୁ ବେଶୀ ଲାଗିଲା ଲାଜ । ସେ ତାଟି କବାଟ ଫିଟେଇ ମୂଷା ଗାତରୁ ବାହାରିଲା ପରି ଚାଲି ଆସିଲେ ପଦାକୁ । ସମସ୍ତେ ନେଲେ ଇଂଜେକ୍‍ସନ । ସେ ସେତେବେଳେ କହୁଥାଏ–ୟେଟା ଗୋଟାଏ ରୋଗ । ଠାକୁରାଣୀ ନୁହେଁ । ପାଣି ଗରମ କରି ଛାଣି ପିଅ । ମାଛିଙ୍କି ସାବଧାନ । ଖାଇବା ପଦାର୍ଥ ଖୋଲା ନରଖି ଢାଙ୍କି ରଖ । ପେଟକୁ ଖାଲି ନରଖି ସଅଳ ଖାଦ୍ୟ ଖାଇଲେ ରୋଗ ପାଖ ପଶେନି ।

 

ଦଶପଚିଶି ଏକାଠି ହୋଇଗଲେ ନରି ସଙ୍ଗେ । ବ୍ଲିଚିଂ ପାଉଡର ଆଉ ପଟାସ ସବୁ ବାଲିଟିରେ ଫେଣ୍ଟି ଢାଳିଲେ କୂଅ ପୋଖରୀରେ । ଡାକ୍ତର ଚାଲିଗଲେ ବ୍ଲକ ଗାଡ଼ିରେ । ମାତ୍ର ନରିର ସରିନଥିଲା କାମ ।

 

ସେ ଗାଁ ଲୋକଙ୍କୁ କେତେ ବୁଝେଇଲା ସବୁ । ଏଇ ଗାଁର ଜମିଦାର ସେ । ତାଙ୍କ ନାଁ କିଏ ନ ଜାଣିଛି । ଆଜି ସିନା ଇମିତି ହେଲା ବୋଲି ସମ୍ପତ୍ତି ହରେଇଲେ ସେ । ସେ ଆପଣଙ୍କର ମନ୍ଦ କରନ୍ତୁ ବା ଭଲ କରନ୍ତୁ ଆଉ ଦେଖିବାକୁ ଆଜି ନାହାନ୍ତି । ସମସ୍ତଙ୍କଠୁଁ ବିଦାୟ ନେଇ ଯାଇଛନ୍ତି ଆରପୁରକୁ । ଏବେ ତାଙ୍କ ମଲା ଶରୀରଟା ପଡ଼ିଲାଣି ଅନେକବେଳୁ । ସେ ହଇଜା ରୋଗରେ ମରିଛନ୍ତି । ସେ ମୁର୍ଦାର ବାସି ହେଲେ ଗାଁକୁ ଅହିତ । ରୋଗ ଜୀବାଣୁ ଡେଇଁବେ । ଚାଲ ନେଇ ଜଳେଇ ଆସିବା ମଶାଣିରେ ।

 

ସମସ୍ତେ ନାହିଁକଲେ । କିଏ କହିଲା ସେ ଧରିବାକୁ ହେବନି । ଘରେ କାହାର ସ୍ତ୍ରୀ ଗର୍ଭବତୀ, ସେ ମୁର୍ଦାର ଛୁଇଁବନି–ଏମିତି କଥା ବାହାନା ଦେଖେଇ ସମସ୍ତେ ଖସିଲେ ଗୋଟି ଗୋଟି ହୋଇ ।

 

ନରି ଆଉ ବିଚରା କ’ଣ କରିବ ? ଗଉରଟା ମୁଣ୍ଡରେ ହାତଦେଇ ସିମିତି ବସିଛି । ତା’ କଥା କିଏ ବା ଶୁଣୁଛି । ଘରେ ଏକଲା ମଣିଷ ସେ । ବାପ ଥିଲା ବୋଲି ସେ କିଛି ଜାଣୁ ନଥିଲା । ମାଆର ସ୍ନେହ ସରାଗରୁ ବଞ୍ଚିତ ସେ ପିଲାଦିନୁ । ବାଳୁତ ସମୟରୁ ଜନନୀଙ୍କି ହରେଇଛି । ଆଜି ସେ ହାତକୁ ହେଇନି ଦିହାତ । ଘର କଥା କିଛି ଜାଣିନି । ବାପା ଛାଡ଼ି ଦେଇଗଲେ ତାକୁ । ତା’ ପାଟିରୁ କଥା ବାହାରୁନି ଆଜି । ସେ ମୂକ ପାଲଟି ଯାଇଚି ଯିମିତି ।

 

ନରି ତାକୁ ଦେଲା ଦମ୍ଭ । ଗାଁ ଲୋକେ ପଚାରିଲେନି କିଛି । ବିପଦ ବେଳେ ବୋଧ ଦେଲେନି କେହି । ବାପ ତା’ର ମରିପଡ଼ିଛି ହଇଜାରେ–ଶବ ସଂସ୍କାର ପାଇଁ ବାହାରିଲେନି ସୁଦ୍ଧା ଜଣେ ।

 

ଅଣ୍ଟାଭିଡ଼ିଲା ନରି । ଗଉର ଧଇଲା ଗୋଟିଏ ପାଖ ଆଉ ସେ ଟେକିଲା ପାଖେ । ବଳବନ୍ତରାଏଙ୍କ ମୃତଦେହକୁ ଟେକି ନେଲେ ସେ ପାହାଡ଼ ତଳକୁ ।

 

ରାତି ଅଧ ସମୟ । ଚାରିଆଡ଼େ ଶୂନଶାନ୍‍ । ଅନ୍ଧାରରେ ମୁହଁକୁ ମୁହଁ ଦିଶୁନି । ସେ ଚାଲିଛନ୍ତି ଦି’ ଜଣ ଶବ କାନ୍ଧେଇ ତୋଟା ମାଳରେ ।

 

କି ଭୟଙ୍କର ରାତି ? ନରିର ପଥର ହୃଦୟ ମଧ୍ୟ ତରଳିଗଲା । କୋକିଶିଆଳିଗୁଡ଼ାକ ଲଟା ବୁଦା ତଳେ ଖେଁ–ଖାଁ ଶବ୍ଦକରି କାମୁଡ଼ା କାମୁଡ଼ି ହେଉଥିଲେ । ତୋଟା ଗହଳର ଆମ୍ବ ଗଛରେ କେଉଁଠି ଲୁଚି ରହି ହୁଳୁହୁଳା ଚଢ଼େଇଟା କୁନ୍ଥଉଥିଲା ବିକୃତ ସ୍ଵରରେ । ମଣିଷ ବିପଦ ସମୟ ଭିତରେ ଆହୁରି ବିପଦର ସୂଚନା ପାଏ–ତାହାହିଁ ସମସ୍ତଙ୍କ ଜୀବନରେ ଘଟେ । ସେ ଯାଇଁ ପହଞ୍ଚିଲେ ପାହାଡ଼ ତଳେ ।

 

ନରି ଜାଣିଛି ହରିବୋଲ ଦଳେଇ ତା’ର କୁକୁଡ଼ାଗୁଡ଼ାଙ୍କୁ ଜଗି ପଡ଼ିଛି ବାଡ଼ିପାଖ ପଡ଼ିଆରେ । ସେ ଗଉରକୁ ମୁର୍ଦାରଟା ପାଖରେ ଜଗେଇ ଦେଇ ଦଳେଇଙ୍କ ପାଖକୁ ଆସିଲା ନିଆଁପେଡ଼ି ମାଗିବାକୁ ।

 

ଦଳେଇ ସେତେବେଳକୁ ବିଲୁଆଗୁଡ଼ାଙ୍କୁ ପାଟିକରି ହୁରୁଡ଼ାଉ ଥିଲେ । ନରିର ପାଟି ଶୁଣି ସେ ଆଶ୍ଚର୍ଯ୍ୟ ହେଲେ । ଡାକିଲେ ବଗିଚା ଭିତରକୁ ।

 

ନରି ସବୁକଥା କହିଲା–ଦଳେଇଏ ଜମାକିଛି ଜାଣି ନଥିଲେ । ଘଡ଼ିଏ ପର୍ଯ୍ୟନ୍ତ ସେ ତାଟକା ହୋଇ ରହିଲେ । ବେଳ ଥାଉଁ ଥାଉଁ ସେ ଜାଣିଥିଲେ ଯେ ଅଇଁଠି ପ୍ରଧାନଙ୍କ ମୁର୍ଦାରଟା ଏଇ ପାଖଦେଇ ଗଲା । ପୁଣି ବଳବନ୍ତରାଏ ଚାଲିଗଲେ । ଆଶ୍ଚର୍ଯ୍ୟ ଲାଗିଲା ତାକୁ । ସଂସାର ପ୍ରତି ତିକ୍ତଭାବ ଆସିଲା ।

 

ଗାଁ ଲୋକେ କେହି ଆସି ନାହାନ୍ତି ତାଙ୍କ ସାଙ୍ଗରେ । ସେ ଦୁଇଜଣ କିମିତି ଆଣିଲେ ମୁର୍ଦାରଟା ଟେକି ଟେକି ଏତେ ଅନ୍ଧାର ରାତିରେ । ପୁଳାଏ କାଠ, ଗୋଟିଏ ଟାଙ୍ଗିଆ ନେଇ ବାହାରିଲେ ଦଳେଇଏ ନରି ସାଙ୍ଗରେ ।

 

ଶବ ପୋଡ଼ା ସରିଲା ବେଳକୁ ରାତିପାହି ଆସୁଥିଲା ।

 

ପଶ୍ଚିମ ଆକାଶରେ ରଙ୍ଗର ଢେଉ ଖେଳୁଥିଲା । ସଂସାରକୁ ଶେଷ କିରଣ ଦାନ କରି ତପନ ଡୁବିଗଲେଣି କେତେବେଳୁ । କିରଣର ଆଭା ବିକିରଣ କରିଥିଲା ବୃକ୍ଷ ଶାଖାର ସବୁଜ ପତ୍ରରେ । ପକ୍ଷୀର କାକଳିରେ କୋଳାହଳ ସୃଷ୍ଟି କରୁଥିଲା ଗାଁ ତୋଟାମାଳ । ଧେନୁପଲ୍ଲ ଗୋଧୂଳି ଲଗନରେ ଚାଲିଥିଲେ ଆଶ୍ରା କରିବାକୁ ଶାନ୍ତ ପଲ୍ଲୀକଣ । ଚାଷୀର ହଳ କେତେବେଳୁ ଫେରି ଆସିଥିଲା ବିଲ ମାଳରୁ । ମଜୁରିଆ ମଜୁରୀ ଧରି ଫେରି ଆସିଥିଲା ନୀଡ଼କୁ ତା’ର । ପଲ୍ଲୀ ସୀମନ୍ତିନୀ ଗଣ ସଞ୍ଜବତି ଥୋଇ ଢାଳିଲେଣି ପ୍ରଣତି । କେଡ଼େ ମଧୁର ସେ ସନ୍ଧ୍ୟା ।

 

ଶିଖରପୁର ଗାଁରେ ପଡ଼ିଛି ଚହଳ । ସମସ୍ତେ କୁହାକୁହି ହେଉଛନ୍ତି ନରିକି ଛାଡ଼ି ଦେବେନି ପାଖରୁ । ଅନ୍ୟ ଗୋଟିଏ ନୂଆ ଗ୍ରାମସେବକ ଆସି ହାଜର । ନରିଠୁଁ କାଗଜପତ୍ର ସବୁ ବୁଝିନେଲେଣି ସେ । କାମ କରିବ ନରି ସ୍ଥାନରେ ଏ ଗାଁ ଭୂଇଁରେ । ପ୍ରତିବାଦ କଲେ ସମସ୍ତେ । କେତେ ଦରଖାସ୍ତ ଲେଖା ହେଇଗଲା । ସରକାରୀ କଳ କଥା । ଯାହା ନିୟମ, କାମ ହେବ ସମିତି-। ତାଙ୍କ କଥା କେହି ଶୁଣିଲେନି ।

 

ନରିର ଚାକିରି ଗଲା । କ’ଣ ପାଇଁ ସରକାର ଏମିତି କଲେ ବୁଝାମଣା । ଭଲ ଲୋକର ମୁଣ୍ଡରେ ଚଡ଼କ । ଯିଏ ପରପାଇଁ କାମ କଲା ତା’ ଉପରେ ବିପଦ ।

 

ନରି ତହିଁଆରଦିନ ତା’ର ଗଣ୍ଡିଲିପତ୍ର ବାନ୍ଧି ବିଦାୟ ମାଗିଲା ଗାଁବାଲାଙ୍କୁ । ଦୁଆର ଦୁଆର ସେ ବୁଲିଲା । ଲୋକେ କିଣି ହେଇଥିଲେ ତା’ ସ୍ନେହରେ । ମୁହଁ ଶୁଖେଇଲେ ସମସ୍ତେ । ଗଣ୍ଠିଲି ଛଡ଼େଇ ନେଲେ ତା’ ହାତରୁ । ତାକୁ ସେ ଛାଡ଼ିଦେବେନି ଏ ଗାଁ ଭୂଇଁରୁ ।

 

ସମସ୍ତେ କହିଲେ–ସରକାର କଲେ ଅନ୍ୟାୟ । ସେ କଥା ସେମାନେ ଲେଖି ଜଣେଇଛନ୍ତି ମନ୍ତ୍ରୀଙ୍କ ପାଖକୁ ଭୁବନେଶ୍ୱର । ଉତ୍ତର ଆସିନି କିଛି । କିଏ ନେଇଛି ତା’ ଚାକିରି । ସେମାନେ ବୁଝିବେ ସବୁ ।

 

ନରି କେତେ କାକୁତି ମିନତି ହୋଇ ବୁଝେଇଲା ତାଙ୍କୁ । ଭଲ ହୋଇଛି ଚାକିରି ଯାଇଚି-। ସେ ସେଥିପାଇଁ ଚିନ୍ତା କରୁନି । ବିନା ଦରମାରେ ଲୋକଙ୍କ ସେବା କରିବାରେ ତା’ର ଆଗ୍ରହ ବେଶୀ । ସେ ଗାଁକୁ ଯାଇ ବାପା ମା’କୁ ଦେଖି ଆସିବ ଟିକିଏ । ବାଧିକିରେ ପଡ଼ିଥିଲେ ସେମାନେ-। ସେ ଯାଇନି ଟିକିଏ ପଚରା ସଙ୍ଖୋଳା କରିବାକୁ ।

 

ଗାଁ ଲୋକେ ଛାଡ଼ିଦେଲେନି ତାକୁ । ରହିବାକୁ ଜାଗା ଦେବେ ସେମାନେ–ଖାଇବା କଥା ବୁଝିବେ ତା’ର । ସେ ତାଙ୍କୁ ଛାଡ଼ି କୁଆଡ଼େ ଯିବ କାହିଁକି ?

 

ନରି ସିନା କହିଦେଲା ସିମିତି; କିନ୍ତୁ ମନ ଭିତରେ ପହଞ୍ଚିଲା ଆସି ଭାବନା । ଭୂଇଁ ବାଡ଼ି କିଛି ନାହିଁ । ଚାକିରି କରି ଚଳୁଥିଲା ସେ, ଘରକୁ ପଠାଉଥିଲା ସୁବିଧା ଦେଖି ଟଙ୍କା । ବାପା ମା’ ଚଳିବେ କିମିତି ? ତା’ର ସାନ ଭଉଣୀକି ସେ ହାତକୁ କରିବ ଦି’ହାତ ବୋଲି ଭାବିଥିଲା ଏଇ ସାଲରେ । ସବୁକଥା ତା’ର ହେଇଛି ପଣ୍ଡ ।

 

ଛିଣ୍ଡା କମିଜଟା ଦିହରେ ତା’ର ଲାଖିଥାଏ ସିମିତି । ମୁଣ୍ଡର ବାଳଗୁଡ଼ାକ ବଢ଼ି ପିଠିକି ଲୋଟିଲାଣି । ମୁହଁର ଦାଢ଼ିଗୁଡ଼ାକ ଘୋଡ଼େଇ ପକେଇଲାଣି ବେକ ଆଉ ଛାତିକି ତା’ର । କେଡ଼େ ହୀନିମାନ ବେଶ ସେ ହେଇଚି ଆଜି । ତାକୁ ଏ ଦଶା ଦେଲା କିଏ ?

 

ସଂସାର ଜଞ୍ଜାଳ କରିନପାରି ଲୋକେ ଛାଡ଼ନ୍ତି ସମାଜ । ଭାଇବନ୍ଧୁ କୁଟୁମ୍ବଙ୍କୁ ପଛରେ ପକେଇ ଜୀବନ କାଟନ୍ତି ନିରାଡ଼ମ୍ବରରେ । ଦାଢ଼ି ଛାଡ଼ନ୍ତି ମୁହଁରେ–ଜଟ କରନ୍ତି ମୁଣ୍ଡକୁ । ତପସ୍ୟା କରନ୍ତି ଯାଇଁ କେଉଁ ଜଙ୍ଗଲ ଭିତରେ ।

 

ପୁଣି କିଏ ଯୁବତୀର ଛପିଲା ମୁହଁକୁ ଦେଖିବାକୁ ଆଶାକରି ବସିଥାଏ । ପ୍ରେମିକକୁ ଚିତା କୋଟି ଚାଲେ ଅନ୍ୟ ସଙ୍ଗରେ ଗଢ଼ିବାକୁ ତା’ର ସଂସାର । ବ୍ୟର୍ଥ ପ୍ରେମିକ ବିଚରା ଛାଡ଼େ ଦାଢ଼ି ଚିନ୍ତାରେ ।

 

କିଏ ମାନସିକ କରେ ମନରେ ପୁତ୍ର ଲାଭ ପାଇଁ । ଚାକିରି ପାଇଁ କାହାର ପଣ । ରୋଗରୁ ମୁକ୍ତି ଲାଭ ପାଇଁ ଠାକୁର ପାଖରେ ଯାଚିଥାଏ କିଏ ବାଳ ପକେଇବାକୁ । ଏଇ ଦାଢ଼ିର ଏତେ ମାହାତ୍ମ୍ୟ । ମନର କାମନାକୁ ପୂରଣ କରିବା ଆଶାରେ ସମସ୍ତେ କରିଥାନ୍ତି ଇମିତି । ସେ ବାଦ ଗଲାନି ସେଥିରୁ । ଦାଢ଼ି ନିଶ ବଢ଼ିଚାଲିଲେ ସିମିତି ମନର ଆଶା ପୂରଣ ପାଇଁ I ଲକ୍ଷ୍ୟସାଧନ ପାଇଁ ଦାଢ଼ିଗୁଡ଼ିକ ମୁଖରେ ବିରାଜୁଥିଲା ପ୍ରାଚୀନ ମୁନି, ଋଷିଙ୍କର ପବିତ୍ର ନାମକୁ ସ୍ମରଣ କରି । ଅତୃପ୍ତ କାମନା ଭିତରେ ତୃପ୍ତି ଆଣେ ମସ୍ତକର ଜଟା ପୁଣି ମୁଖର କେଶ ।

 

ସୁକୀ ମୁହଁକୁ ସେ ଚାହିଁପାରେନି ଲାଜରେ । ମୁଖର ଦାଢ଼ି ମୁଣ୍ଡର ବର୍ଦ୍ଧିତ କେଶ ତାକୁ ବନେଇଛି ବାବାଜି । କେତେଥର ସେ କହିଲାଣି ନରିକି–ଏଗୁଡ଼ାକ କାଟି ପକେଇବାକୁ । ମୁହଁକୁ ଅସୁନ୍ଦର କରି ପକେଇଛି ଏ ଦାଢ଼ି ପୁଳାକ ।

 

ମନକଥା ବୁଝିଛି ନରି ତା’ର । ଆଖିକି ସୁକୀର ଭଲ ଦିଶୁନି ଏ ଦାଢ଼ି ପୁଳାକ ନରି ମୁହଁରେ ଦେଖିଲେ । ହେଲେ କାଟିବାକୁ ତା’ର ହାତ ଯାଏନି । ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରି ସେ ରଖିଛି ଦାଢ଼ି । ତା’ର କାମନା ପୂରଣ ହେଲେ ସେ କାଟିବ ତାକୁ ।

 

ଚାକିରି ଗଲା ତା’ର ମାତ୍ର ସେ କର୍ତ୍ତବ୍ୟ ପଥରୁ ତିଳେହେଲେ ପଛେଇନି । ଏବେ ସୁଦ୍ଧା ବିନା ଦରମାରେ ଲୋକଙ୍କ ପାଇଁ କାମ କରୁଛି । ପରାମର୍ଶ ପାଇଁ ଲୋକେ ଗଦା ହୁଅନ୍ତି ତା’ ପାଖରେ । ସେ ସେଥିରେ ପାଏ ଆନନ୍ଦ । ଭୋକଶୋଷ ଭୁଲିଯାଏ ।

 

ସେ ଏଇ କେତେଦିନ ଭିତରେ ଘରୁ ପାଇଲା ଟେଲିଗ୍ରାମ । ବାପା ତା’ର ରୋଗ ଶଯ୍ୟାରେ । ଦେଖିବାକୁ ସେ ନରିକି ଡକେଇଛନ୍ତି ପାଖକୁ ।

 

ଗାଁ ଲୋକେ ବୁଝିଲେ ତା’ର ଅସୁବିଧା । ଚାନ୍ଦାକରି ଦେଲେ ପଇସା ତାକୁ, ଗାଡ଼ି ମଟରରେ ଖର୍ଚ୍ଚାଦେଇ ଯିବ ବୋଲି ଗାଁ ଭୂଇଁକି ।

 

ମାଘ ମାସିଆ ଶୀତ । ଜାଡ଼ରେ ଦେହ ଥରୁଛି । ସନ୍ଧ୍ୟା ହେଉଁ ହେଉଁ ଲୋକଙ୍କର କବାଟ ବନ୍ଦ । ଘର ଭିତରେ ହେଁସ କତରା ଢାଙ୍କିହେଇ ବସିଛନ୍ତି ଲୋକେ । ସୁକୀ ଲଣ୍ଠନଟି ଲଗେଇ ଦେଇ ଦାଣ୍ଡ ଘରଟିରେ ଚୁପ୍‍ ହେଇ ବସିଛି । ମନରେ ତା’ର ଭାବନା, ନନା ପଡ଼ିଛନ୍ତି ଜରରେ–ବୋଉ ବି ବହୁଦିନ ହେଲା ବାଧିକାରେ । ସେ କାହାକଥା ବୁଝିବ । ଉଭୟଙ୍କୁ ଦେଖିଲେ ମୁଣ୍ଡ ଝାଇଁ ମାରେ I ତାକୁ ଭଲ ଲାଗେନି କିଛି । ସେ କେତେ କଥା ଭାବେ–“ସତେ ତା’ର ନନା ଆଉ ବୋଉ ଛାଡ଼ିଗଲେ ସେ ଏକଲା କରିବ କ’ଣ? ଚଳିବ କିମିତି ?”

 

ନରିବାବୁ ଯିଏ ତା’ର ଜୀବନକୁ ବଞ୍ଚେଇଲେ ପାଣି ଭିତରୁ; ତାଙ୍କୁ ସେ ଆଶାକରି ବସିଥିଲା I ମାତ୍ର ଆଶା ତା’ର ଆଶାରେହିଁ ରହିଲା । ନରିବାବୁର ଚାକିରି ଗଲା । ସେ ଦାଣ୍ଡର ଭିକାରି ପରି ଦାଢ଼ିଛାଡ଼ି ବାର ଦୁଆର ବୁଲିଲେ । ମନରେ ରୋଗ ତାଙ୍କୁ ଶେଷରେ କରିବ ପାଗଳ । ସେ ବି ତାଙ୍କର କଥା ଭାବିଭାବି ହେବ ବାୟାଣୀ ।

 

ତା’ର ଭାବନା ଭିତରେ ପହଞ୍ଚିଲା ଆସି କାଇଁଚ । ତା’ର ଆଦରର ସାଙ୍ଗ–ପିଲାଦିନର ସାଥୀ–ସୁଖ ଦୁଃଖର ସଙ୍ଗିନୀ, ସେ ପୁଣି ମରିବାକୁ ବସିଥିଲା ସେ ଦିନ । ସେ ମୁହୂର୍ତ୍ତର ଦୃଶ୍ୟ ସୁକୀର ଆଖି ଆଗରେ ନାଚି ଗଲା ଖାଲି । କେତେ ବିକଳ ହେଇ ସେ କାନ୍ଦିଲା ତା’ ପାଖରେ । ହାତରେ ଧରିଥିଲା ବିଷ ପୁଡ଼ିଆ । କେଉଁ ମୁହୂର୍ତ୍ତରେ ଖାଇଥାନ୍ତା ଜଣାନାହିଁ । ହାତରୁ ଛଡ଼େଇ ଫିଙ୍ଗିଲା ସେ । ଗାଳି ଦେଲା କେତେ ତାକୁ ।

 

ଶ୍ରେଷ୍ଠ ମଣିଷ ଜୀବନ । କେତେ ତପସ୍ୟାର ଫଳ ଏଇ ମଣିଷ ଜନ୍ମ । ସୃଷ୍ଟିର ସବୁ ଜୀବ ଉପରେ ଶ୍ରେଷ୍ଠ ସିଏ । ଦୁନିଆର ପ୍ରଭୁ–ଭାଙ୍ଗୁଛି ପୁଣି ଗଢ଼ୁଛି ସଂସାରକୁ କେତେ ପ୍ରକାରେ ଏଇ ମଣିଷ । କାଇଁଚକୁ କେତେ ବୁଝେଇଲା ସେ । ନିଜର ଜୀବନକୁ ସେ କଲବଲ କରି ମାରିବ କାହିଁକି ଇମିତି ?

 

ପିଲାଦିନୁଁ ମା’ ବାପ କି ସୁଖ ଦେଖିବେ ବୋଲି ବାହା କରିଥିଲେ ତାକୁ ପ୍ରତାପପୁରରେ-। ତାକୁ ବି ମା’ ବାପ ସିମିତି ପ୍ରସ୍ତାବ କରି ରଖିଥିଲେ ପିଲାଦିନୁଁ ବାହା ଦେବାକୁ ହରିପୁରରେ-

 

ଜୀବନ ସହିତ ମା’ବାପ ଖେଳନ୍ତି ଖେଳ ଯାହାପୁଣି ଶେଷରେ କାଳହୁଏ । କାଇଁଚର ବର କାମ କରୁଥିଲା କଲିକତା ମୁଲକରେ । ମଣିଷର ଜୀବନ କଥା କିଏ କହିବ କ’ଣ ଘଟିବ କେତେବେଳେ । କାହୁଁ ମାଡ଼ି ଆସିଲା ହିନ୍ଦୁ, ମୁସଲମାନ କଳି । ହେଲା ଲୁଟତରାଜ ଦଙ୍ଗା ହେଙ୍ଗାମ–ହଣାକଟା । ସେଇଠି ଟଳି ପଡ଼ିଲା ରାଜୀବ–କାଇଁଚର ଆଦରର ସାଥୀ ।

 

ଦୁଇମାସର ଖବର । ରାଜୀବ ଫେରିଥାନ୍ତା ଗାଁ’କୁ କେଡ଼େ ଉଚ୍ଚାଟ ମନରେ । କାଇଁଚ ପୁଆଣୀ ହେଇ ଯାଇଥାନ୍ତା ପ୍ରତାପପୁର ଗାଁକୁ ତା’ର ନୂଆବନ୍ଧୁ ସଙ୍ଗେ ଗଢ଼ିବାକୁ ଘରସଂସାର । ଦଇବ ସହିଲାନି । ହୀନ କପାଳିର ମନର ଆଶା ମେଣ୍ଟିଲାନି ।

 

ବିଧବା ହେଲା ସେ । ତାକୁ କେହି ପଚାରିଲେନି ପଦେ । ଯେ ଦେଇଥାନ୍ତେ ଆଶ୍ୱାସନାର ବାଣୀ–ସେ ଯାଇଁ ରହିଲେ ଅଜଣା ରାଇଜରେ । ବାପ ମା’ ଛେଉଣ୍ଡ ପିଲା ସବୁ ଇମିତି ।

 

କାଇଁଚ ତାରି ବୟସର ପିଲାଝିଅଟା । ମିଛିମିଛିକା କଣ୍ଢେଇ ଖେଳ ପରି ସେ ବାହା ହୋଇଥିଲା ପିଲାଦିନୁଁ । ତା’ର ଛାଇ ପଡ଼ିନି କେଉଁ ପୁରୁଷ ପାଖରେ । ବାପ ମା’ ନିଶ୍ଚିନ୍ତ ହେଇ କାମ ବଢ଼େଇ ଚାଲିଯାଇଛନ୍ତି ଆରପୁରକୁ । ବଡ଼ଭାଇ ଆଉ କ’ଣ ବୁଝିବ ତା’ କଥା ।

 

ଗାଁ ଲୋକେ କେତେକଥା କହନ୍ତି । ସାଇ ମାଇପେ ଢଗ ମେଲନ୍ତି । ବାହାହେବା ଝିଅ ଦୁତୀୟ ହେଇ ଯିବ କିମିତି ? ତା’ର କର୍ମକୁ ତ ଅଣ୍ଟିଲାନି ।

 

କାଉଁଚର ଗୋଟିଏ ବୋଲି ଭାଇ, ସବୁ ଶୁଣି ସେ ମୂକ ପାଲଟି ଗଲା । ଭାବି ପାରିଲାନି କ’ଣ କରିବ ବୋଲି ଭଉଣୀ ପାଇଁ ।

 

ସୁକୀ ମନେମନେ ଭାବିଲା–ସେ ବୁଝିବ କାଇଁଚ କଥା । ତା’ର ସେ ପିଲା ଦିନର ସଙ୍ଗିନୀ । ତାକୁ ସେ ଖଞ୍ଜିଦେବ ପୁଣି ଗୋଟିଏ ନୂଆ ସାଥୀ ସଙ୍ଗେ । ପିଠିକି ଆଉଁଶି ସେ କାଇଁଚକୁ ଡାକି ନେଲା ଘରକୁ ।

 

କାଇଁଚ କହିଲା–“ସୁକୀନାନୀ ! ଘର ଭିତରଟାରେ ଏକଲାଟା ବସି ବସି ଚିଡ଼ିଲାଗିଲାଣି ଲୋ–ସେଇଥିପାଇଁ ଅନ୍ଧାର ରାତି ନମାନି ଆସିଲା ତୋରି ପାଖକୁ । ମଉସାଙ୍କ ଦିହ କିମିତି ଅଛି କିଲୋ ? ଚାଲିଲୁ, ମୁଁ ଟିକିଏ ଦେଖେ ତାଙ୍କୁ ।

 

ସୁକୀ ଦେଖେଇ ଦେଲା ନନାଙ୍କୁ । ସେ ଆସିଛି ତାଙ୍କୁ ଦେଖିବାକୁ ଏତେ ରାତିରେ ! ମହାପାତ୍ରେ ଥରଥର ଗଳାରେ କହିଲେ ହେଉ ହେଉ ! ତା’ର ଦୁଃଖର ରାତି ପାଇଯାଉ । ନୂଆ ସଂସାର ଗଢ଼ୁ କିମିତି । ସେ ଆଶୀର୍ବାଦ କଲେ କେତେ କାଇଁଚକୁ ।

 

ପୁଣି କହିଲେ ସେ । ଦି’ ସାଙ୍ଗ ଏକାଠି ହେଇ ଗପସପ କର ମଝିଘରେ । ମୋର ଦିହ ଟିକିଏ ଭଲ ଲାଗିଲାଣି । କିଛି ବ୍ୟସ୍ତ ହୁଅନା ଝିଅ ।

 

ନନାଙ୍କଠୁଁ ଆଦେଶ ପାଇଲା ସେ । କାଇଁଚକୁ ଟାଣିନେଲା ଗମ୍ଭୀରି ଘରକୁ । ତା’ର ମନ ଗହନର ଛପିଲା କଥାକୁ ସେ କହିବ ବୋଲି ଯିମିତି ଖୋଜି ବୁଲୁଥିଲା । ଆଜି ଠିକ୍‍ ବେଳ ପାଇଛି ସେ । ସବୁ ଖୋଲି କହିବ କାଇଁଚକୁ ।

 

ଘରଭିତରେ ବସିଲେ ଦୁଇସାଙ୍ଗ ଏକାଠି ହେଇ । ପେଟରାଟି ଟାଣି ସେ କ’ଣ ସବୁ ଦେଖିଲା । ଚିଠିଟାକୁ ଏପଟ ସେପଟ ଓଲଟାଇଲା କେତେ । ମନ ଭିତରେ ତା’ର କେତେ ଭାବନା ଖେଳିଗଲା ସେ ଦିନର ଘଟଣାକୁ ନେଇ ।

 

ନରି ବାବୁର ଚାକିରି ଗଲା ବିନାକାରଣରେ । ତା’ ଜାଗା ପୂରଣ କଲା ଅନ୍ୟଜଣେ ଆସି-। କାମ ନାହିଁ, ଧନ୍ଦା ନାହିଁ, ଶୋଇ ଶୋଇ ଗଣିନିଏ ସେ ମାସକୁ ମାସ ଦରମା । ସରକାର ଇମିତି ଲୋକଗୁଡ଼ାକୁ କିମିତି ଦିଅନ୍ତି ଦରମା ? ଆଶ୍ଚର୍ଯ୍ୟ ଲାଗିଲା ତାକୁ ।

 

ସେ ନୂଆ ଗ୍ରାମସେବକଟାର ସାହସ ତ କମ୍‍ ନୁହେଁ ? ସେ ଦିନ ଶାଢ଼ି ବ୍ଲାଉଜ, ସ୍ନୋ ପାଉଡର କେତେ କ’ଣ ସେ ଜାଚିଲା ତାକୁ । ଚିଠିଟାକୁ ବି ଦେଲା । ମନ ନଥିଲା ତା’ର ନବାକୁ । ହେଲେ ଚିଠିଟିର ମର୍ମ ସେ ବୁଝିଲା । ବଡ଼ ହାକିମ କଣ୍ଟ ଦେଇଛନ୍ତି ତାକୁ । ଆଦର କରି ପଠେଇଛନ୍ତି ଏତେ ଜିନିଷ ତା’ପାଇଁ । ସେ କାହିଁକି ଛାଡ଼ନ୍ତା ତାକୁ । ହସି ହସି ନେଲା ସେ ନୂଆ ଗ୍ରାମସେବକ ହାତରୁ ।

 

ନରିବାବୁ ବି କେତେ ଲଢ଼ିଛି ବି.ଡ଼ି.ଓ.ଙ୍କ ପାଇଁ । ତାକୁ ସେ ଭଲ ପାଆନ୍ତି ସବୁଠୁଁ ବେଶୀ-। ସେ ରାଜି ହେଉନି କାହିଁକି ବାହାଦେବାକୁ ? ସୁକୀ ମନାକରି ଦେଲା ସିନା ସେଦିନ ନରିବାବୁଙ୍କୁ, କିନ୍ତୁ ହଁ ଭରିଥିଲେ ଚାକିରି ରହିଥାନ୍ତା ତାଙ୍କର । ତାରି ନାହିଁ ଶବ୍ଦରେ ତା’ ଚାକିରି ରହିଲାନି-। ସେ ଜାଣି ଜାଣି ଦୋଷ କରିଛି ସବୁ ।

 

କ’ଣ ଏତେ ଭାବୁଛୁ କିଲୋ ସୁକୀନାନୀ; କହି ହାତରୁ ଛଡ଼େଇ ନେଲା ସେ ଚିଠିଟା କାଇଁଚ । ଦୁଇ ସାଙ୍ଗ ପଢ଼ିଲେ ବସି ଯାହା ସବୁ ଲେଖା ହୋଇଥିଲା ସେଥିରେ । ଗହଣାପତ୍ର ମେଲେଇ ଦେଖେଇଲା ସୁକୀ କାଇଁଚକୁ । ଶାଢ଼ି ବ୍ଲାଉଜ ସବୁ ଦେଖି ତାଟକା ହେଲା କାଇଁଚ । ଜିଭ କାମୁଡ଼ିଲା ସେ ।

 

ସୁକୀ କହିଲା–“ନାଇଁଲୋ କାଇଁଚ ! ତୁ ଭୁଲ୍‍ ବୁଝେନି । ପରକୁ ଆପଣାର କରିହୁଏ ଏଇ ଟଙ୍କା ପଇସାର ଲୋଭ ଦେଖେଇ । ଶାଢ଼ି ବ୍ଲାଉଜ ଗହଣାକୁ ଉପହାର ଦେଇ । ଏଗୁଡ଼ାକ ପ୍ରେମ ସହିତ ଜଡ଼ିତ ହୋଇ ସବୁକାଳେ ଥାଆନ୍ତି । ଲାଞ୍ଚ ନ ଦେଲେ କ’ଣ କେଉଁ କାମ ହେଲାଣି ମନକୁ ? ଆଦିକନ୍ଦବାବୁ ବେଶ୍‍ ବୁଝିଛନ୍ତି । ସେ ଯୁବତୀର ମନକୁ କିଣିବାକୁ ବହୁତ ଧନ ଖର୍ଚ୍ଚ କରିଛନ୍ତି । ଏଇଟା ଭଲ ପାଇବାର ପ୍ରଥମ ସୂଚନା । ପ୍ରେମ ରାଇଜର ପ୍ରଥମ ଦୁଆର । ସେ ଦୁଆରର ସନ୍ଧାନ ସେ ପାଇଛନ୍ତି ।

 

ଦୁଇ ସାଙ୍ଗ ଏକାଠି ବସି ଗପସପ ହେଲେ ଢେର ରାତି ଯାଏଁ । ଚିଠିର ଉତ୍ତର କାଇଁଚ ଲେଖିଲା ବସି ତା’ ହାତ ଅକ୍ଷରରେ । ମାତ୍ର ସୁକୀ ଚିଠିଟି ପଢ଼ି ଡାକୁଥିଲା କ’ଣ ସବୁ । କ’ଣ ତାଙ୍କର କଥାବାର୍ତ୍ତା ଟୁପୁରୁଟାପର ତାଙ୍କୁ ଜଣା । ଏ ବାର୍ତ୍ତା ଦିକାନରୁ ତୃତୀୟକୁ ଡେଇଁନି ଜମା ।

 

ଡିବିରି ଆଲୁଅଟାର ଶିଖା କ୍ରମେ କମି ଆସିଲା । ବଟିବାନ୍ଧିଲାଣି ତା’ ମୁହଁରେ । ତେଲ ଅଛିକି ନାହିଁ ହଲେଇଲା ସୁକୀ ହାତରେ ଧରି । ଆଲୁଅଟା ଲିଭି ଗଲା ଦପ୍ କରି–ଚାରିଆଡ଼ ହେଲା ଅନ୍ଧାର ।

 

ମଣିଷ ମନ ଭିତରେ ଯେତେବେଳେ ବହେ ଝଞ୍ଜା ପବନ, ସେ ହୁଏ ଅର୍ଦ୍ଧପାଗଳ । ପ୍ରଫୁଲ୍ଲ ବଦନଟି ହୁଏ ବିକୃତ । କମନୀୟ ଆଖିପତା ଉପରେ ପଡ଼େ କଳାଦାଗ–ବୁକୁତଳେ ଗଣିହୁଏ ହାଡ଼ । ମସ୍ତକର କେଶ ଅଯତ୍ନଭାବେ ଉଡ଼େ ଫୁରୁଫୁରୁ ହୋଇ । ମୁଖର ଦାଢ଼ି ମୁହଁକୁ କରେ ଆହୁରି ଅସୁନ୍ଦର । ନରିର ଆଜି ସେଇ ଦଶା । ତାକୁ ବଗଲଗଡ଼ରେ କେହି ଚିହ୍ନିପାରୁ ନାହାନ୍ତି । ଏତେ ଦିନ ପରେ ସେ ଧାଇଁଯାଇଥିଲା ଜନ୍ମ ଭୂଇଁକି । କ’ଣ ଦେଖିବ ବୋଲି ସେ ଗଲା । ତାକୁ କିଏ ଟାଣିନେଲା ଏତେ ଦୂର ପଥ ।

 

ପରିବାରର ସ୍ନେହବନ୍ଧନରେ ସେ ବାନ୍ଧି ହୋଇଥିଲା । ସେଥିପାଇଁ ମନ ତା’ର ଟାଣି ହୋଇଗଲା । ମାତ୍ର ଦୁଃଖ ତା’ର ବଢ଼ିଲା । ହୃଦୟର ସ୍ପନ୍ଦନ ବନ୍ଦ ହେଇଗଲା ମୁହୂର୍ତ୍ତେ ।

 

ନରମ ଛାତିଟା ତା’ର ହୋଇଛି ପଥର ପରି ସହିବାକୁ ଦାରୁଣ ନିର୍ଯ୍ୟାତନା ଭିତରେ ଦୁଃଖର ବଜ୍ର ମୁଷ୍ଟି ପ୍ରହାର । ସେ ସହିବନି ତ ଆଉ ସହିବ କିଏ ?

 

ଗାଁରେ ଚିହ୍ନିପାରିଲେନି କେହି । ତା’ର ଲମ୍ବା ଲମ୍ବା ମୁଖର ଦାଢ଼ି ଅଚିହ୍ନା କରି ରଖିଲା ତାକୁ । ଗାଁ ଭୂଇଁ ଛାଡ଼ିଲା ସେ କେଉଁ ଆଶାରେ । ପୁଣି ଜନ୍ମ ଭୂଇଁକି ଫେରିଛି କ’ଣ ଧରି । ଗାଁ ଲୋକେ ତାଟକା ହୁଅନ୍ତି । କାହିଁକି ସେ ହୋଇଚି ଇମିତି ବେଶ । କେହି କହନ୍ତି ସେ ହେଇଛି ବୈରାଗୀ । କାହାର କଥାରେ ବାରବୁଲା ଫକୀରଟା । ଖୁଣୀ ଆସାମୀ ପରି ସେ ଫେରାର୍‍ ହେଇଛି ଦାଢ଼ି ଛାଡ଼ି ଗୁଇନ୍ଦା ଆଖିରେ ଧୂଳି ଦେବାକୁ । ଗାଁ ପିଲାଏ ତାଳି ମାରି କୁହାଟ ଛାଡ଼ନ୍ତି ଦାଢ଼ିଆ ବାବା ! ଦାଢ଼ିଆ ବାବା !

 

ଗାଁରୁ ପାଇଲା ଯେଉଁଦିନ ସେ ଖବର ବାପା ପଡ଼ିଛନ୍ତି ବେମାରି, ଦିହ ତାଙ୍କର ଅତି ସାଙ୍ଘାତିକ, ନରିପୁରରୁ ବିଦାୟ ନେଇ ସେ ଚାଲିଲା ଗାଁ ଅଭିମୁଖେ । ଆଶା କରି ସେ ଧାଇଁ ଆସିଥିଲା ବୃଦ୍ଧ ପିତାଙ୍କର ନିଷ୍କ୍ରିୟ ବଦନକୁ ଦେଖିବ ବୋଲି ରୋଗ ଶଯ୍ୟାରେ । ରେଳ ଗାଡ଼ିଟା ଦୁମ୍‍ଦୁମ୍‍ ହୋଇ ପହଞ୍ଚିଗଲା କଟକ ଷ୍ଟେସନରେ । ସେ ତରବରରେ ଚାଲିଲା ମଟର ପାଖକୁ । ସଡ଼କ ରାସ୍ତା ଉପରେ ମଟରଟା ଓହ୍ଲେଇ ଦେଇ ଚାଲିଗଲା କେଉଁଆଡ଼େ ଧୂଳି ଉଡ଼େଇ ।

 

ସନ୍ଧ୍ୟାବେଳ । ନରି ଚାଲିବ ପୁଣି ତିନି ମାଇଲ ବାଟ । ଗାଁ ମୁହାଁ ଚଲାରାସ୍ତା ବିଲ ଗହୀର ତୋଟାମାଳ ଭିତରେ ପଶି ସେ ଚାଲିଲା । ବାଟ ତାକୁ ଜଣା ଗଲାନି । ସେ ଚାହୁଁଥାଏ ଗାଁ ଆଡ଼େ । ଆଉ କେତେ ବାଟ ଅଛି ପହଞ୍ଚିବାକୁ ସେ ଛୋଟିଆ ପଲ୍ଲୀ ଗାଁଟିରେ ।

 

ଠିକ୍‍ ତୋଟା କଡ଼ରେ ସେ ଦୂରରୁ ଦେଖିଲା ନିଆଁ । ସେ ନିଆଁ ଜଳୁଛି ଶିଖାଟେକି । ବାଉଁଶ ବୁଦାଗୁଡ଼ାକ ପାର ହେଉ ହେଉ ସେ ନିଆଁକୁ ସେ ଆଉ ଦେଖି ପାରିଲାନି । ପୁଣି ତୋଟା ଗହଳି ଡେଇଁ ବାହାରିଲା ପଦାକୁ । ଫେରେ ନିଆଁଟା ସିମିତି ଦେଖାଗଲା । ତା’ ମନରେ ପାପ ଛୁଇଁଲା କେତେ । ମନ ଭିତରେ ପ୍ରଶ୍ନ ଉଠିଲା । “ଏ କି ନିଆଁ–ଘର ପୋଡ଼ି ନିଆଁ ନା ବଣ ପୋଡ଼ି ନିଆଁ ?” ନଦୀ ଭିତରେ ଧୀବର ମାଛ ମାରିବାକୁ ଏମିତି ଜାଳିଥାଏ ନିଆଁ ତା’ର ଛୋଟିଆ ଡଙ୍ଗାଟିରେ ବସିରହି । ଆଲୋକର ଲୋଭ ଦେଖାଇ ସେ ମାଛମାନଙ୍କୁ ଟାଣିଆଣେ ମୃତ୍ୟୁ ମୁଖକୁ । ଫେରେ ଭାବେ ସେ । ବାପା ତା’ର ପଡ଼ିଥିଲେ ଜରରେ । କାଳେ କ’ଣ ହେଲା କି ? ଗାଁ ମଶାଣିରେ ନିଆଁ ଜଳୁଛି, ସେ ଦେଖିଲା । ସେ ଜିଭ କାମୁଡ଼ିଲା । କାହିଁକି ଏମିତି ଭାବିଲା ଆଜି ? ଆଖିରେ ତା’ର ଭରିଲା ଲୁହ । ସେ ଚାହିଁପାରିଲାନି ଅନ୍ଧାରରେ । ହିଡ଼ ଉପରୁ ଗୋଡ଼ ଖସିଲା ଦି’ଥର ବିଲ ଗହୀରକୁ । ଆଣ୍ଠୁ ପାଖଟା ଛିଡ଼ି ବୋହିଲା ରକ୍ତ ।

 

ପରକଥାକୁ ଲୋକ କାନ ଦିଏନି । ନିଜ କଥାରେ ସେ ମନ୍ଦ ପାଞ୍ଚେ ଆଗ । ଭଲ କରିବାକୁ ଯାଇ ମନ ଭିତରେ ଆସି ପହଞ୍ଚେ ଅଶୁଭ ଲକ୍ଷଣମାନ ।

 

ନରିର ଆଖି ଦୁଇଟା ଚାହିଁ ରହିଥିଲେ ସେଇ ଦୀପ୍ତିମନ୍ତ ଅନଳଶିଖା ଆଡ଼େ । ମନଟି ଭିତରେ ଛୋଟିଆ କୁଟୀରଟିର ରୂପ ନାଚି ଉଠୁଥିଲା ଯିମିତି । ବାପାଙ୍କର ଶୋଇଲା ଘର ସେ ଦେଖିପାରିଲା ଏତେ ବାଟରେ ଥାଇ । ମା’ଆ ଭଉଣୀଙ୍କର ଚଳପ୍ରଚଳ, କଥୋପକଥନ, ସେ ଯିମିତି ସବୁ ଶୁଣି ପାରୁଛି । ସତରେ ଆଖି ଦୁଇଟି ସିନା ଆଗରେ ଯାହାପାଏ ଦେଖେ; ମନ ଭିତରେ ଯେଉଁ ଆଖି ଯୋଡ଼ିକି ଲୁଚି ରହିଛନ୍ତି ସେ’ତ ଅତୀତ–ବର୍ତ୍ତମାନ–ଭବିଷ୍ୟତର ଘଟଣାକୁ ଦେଖି ପାରନ୍ତି ହଜାର ହଜାର ମାଇଲ ଦୂରରୁ ।

 

ସେ ଦେଖିଲା ଅଗ୍ନିର ଲେଲିହାନ ଶିଖା ଆଉ ଦେଖା ଯାଉନି । ପାଉଁଶରେ ପରିଣତ ହେବା ଆଗରୁ ନିଆଁର ଯେଉଁ ଡହକ ରଡ଼ ତାହା ଲୀନ ହୋଇଥିଲା ।

 

ଘରେ ପହଞ୍ଚିଲା ସେ । ଛାତିଟା ତା’ର ଦାଉଁ ଦାଉଁ ହୋଇ ପଡ଼ିଲା ଉଠିଲା ଖାଲି ଅଜଣା ଭୟରେ । ଘରଟି ଭିତରୁ ଶୁଣାଯାଉଥିଲା କ୍ରନ୍ଦନ ଧ୍ଵନି । ସେ ଆଉ କାହାର ବିକଳକଣ୍ଠର ଆର୍ତ୍ତନାଦ-? ତାରି ମା’ର ଆଉ ସୁକୁମାରୀ ସାନ ଭଉଣୀଟିର ।

 

ସାହିମାଇପେ ଘେରିଗଲେ ତାକୁ । ସମସ୍ତଙ୍କ ମୁଖରେ ଯିମିତି ଗୋଟିଏ କଥା–ଆଉ କାହିଁକି ସେ ଆସିଲା କ’ଣ ଦେଖିବାକୁ ?

 

ପ୍ରକୃତରେ ତା’ର ଭାବନା ଠିକ୍‍ ହେଲା । ବାପା ତାକୁ ଦେଖିବେ ବୋଲି ଆଶାକରି ଚାହିଁ ରହିଥିଲେ କେତେ ? ତାଙ୍କ ଜିଅନ୍ତା ଶରୀରଟା ଘର ଭିତରେ ନ ଦେଖି–ଦୂରରୁ ଦେଖିଲା ଜୁଇ ଭିତରେ । “ଆହା ! ଜନ୍ମଦାତା ସେ” । କେତେ ବିକଳଜନିତ ଆକୁଳ ପ୍ରାଣରେ ଚାହିଁ ରହିଥିଲେ ଦେଖିବେ ବୋଲି ପୁଅର ମୁହଁ ।

 

ସବୁ ଦିନପାଇଁ ମୁହଁ ଲୁଚେଇଲେ ସେ । ତାଙ୍କର ମନର ଆଶା ପୂରଣ ହେଲାନି । ସେ ଦେଖି ପାରିଲେନି ତାକୁ । ନରି ଚାହିଁ ପାରିଲାନି ତାଙ୍କର ବିଦାୟକାଳୀନ ମୁଖକୁ ଥରେ । ତା’ର ସବୁ ଗଲା, ଆଉ ଚେଷ୍ଟା କଲେ ଦର୍ଶନ ପାଇବନି । ସେ କାହାକୁ ବାପା ବୋଲି ଡାକିବ ଆଉ । ସମ୍ଭାଳି ପାରିଲାନି ସେ । ଭୋ’କରି ରଡ଼ି ଛାଡ଼ି କାନ୍ଦି ପକେଇଲା । ତା’ର ଏ କୋହ ପଥର ଛାତିକି ତରଳାଇ ଫୁଟି ବାହାରିଛି । ତାକୁ ରୋକିବା ବଡ଼କଷ୍ଟ ।

 

କ୍ରନ୍ଦନରତା ମାଆ ଭଉଣୀଙ୍କର କରୁଣ ଦୃଶ୍ୟ ସେ ଦେଖିବାକୁ ବଞ୍ଚିଲା କାହିଁକି ? ତାକୁ ସେ କେତେ ବୁଝେଇଲା ମାତ୍ର ଅମାନିଆଁ ମନ ବୋଧ ହୁଏନି ସହଜେ ।

 

ଭାଇକି ଦେଖିଲା ବାବାଜି ବେଶରେ ମାଣିକ । ତା’ର ଆହୁରି ଉଠିଲା କୋହ । ସେ କାହିଁକି ଫେରିଛନ୍ତି ଯୋଗୀ ବେଶରେ ଏ ଗାଁ ଭୂଇଁକି ?

 

ମାଆ କାନ୍ଦି କାନ୍ଦି ଗଡ଼ୁଥିଲା ତଳେ । ସେ ବାଧିକି ଥିଲା ବହୁତ ଦିନୁଁ । ତଣ୍ଟି ପଡ଼ିଗଲାଣି-। ପାଟି ଫିଟୁନି । ଖାଲି ଗଁ ଗଁ ଶବ୍ଦ ମଝିରେ ମଝିରେ ଶୁଭୁଛି ।

 

ବାଧିକାରେ ପଡ଼ିଥିଲା ସ୍ୱାମୀ ସଙ୍ଗେ । ସେ ବଞ୍ଚିରହିଲା କାହିଁକି ? ତାକୁ ଛାଡ଼ିଦେଇ ସେ ଚାଲିଗଲେ ଆରପୁରକୁ । ମନରେ ସେଇ ଘୃଣାଭାବ । ସେ କ’ଣ କଲେ ? ତାକୁ ଡାକି ନନେଲେ କିଆଁ ? ସ୍ୱାମୀ ହୀନା ନାରୀର ସମାଜରେ ନଥାଏ କିଛି । ସେଇ ହେଲେ ସବୁ ତା’ର ଆରାଧ୍ୟ ଦେବତା ପରମେଶ୍ଵର । ତାଙ୍କ ବିନା ତା’ର ଗତି ମୁକ୍ତି କିଛି ନାହିଁ ।

 

ମନର ରୋଗ ମାଡ଼ି ବସିଲା ବେଶୀ । ସତକୁ ସତ ପାଞ୍ଚୋଟି ଦିନ ଯାଇନି ମାଆ ଚାଲିଲେ ବାପାଙ୍କ ପଛରେ ସେ ପୁରକୁ । ବାପା ଯିମିତି ଖୋଜୁଥିଲେ ତାକୁ ଆର ପୁରରେ ଥାଇଁ । ଏକଲା ରହିବାକୁ ମନ କରୁ ନଥିଲେ ସେ ସରଗ ରାଇଜରେ ।

 

ମାଆର ମଲା ଦିହଟାକୁ ସେ କାନ୍ଧରେ ପକାଇ ଚାଲିଲା ମଶାଣି ପଦାକୁ । ସେ କାଠ ପାଲଟିଗଲା । ଆଉ କାନ୍ଦିବାକୁ ବେଳ ପାଇଲାନି । କର୍ଣ୍ଣ ବଧିର ପ୍ରାୟ । ଆଖି ଦେଖି ସୁଦ୍ଧା କିଛି ଦେଖି ପାରୁନି । କି କାମ କରୁଛି ସେ ଜାଣି ପାରୁନି । ହାତ କରୁଛି କାମ ସିମିତି । ଗୋଡ଼ ଦୁଇଟା ଚାଲିଛନ୍ତି ତାଙ୍କର କର୍ତ୍ତବ୍ୟ ପଥରେ ମାତ୍ର ମନଟି ତା’ର ଅଟଳ–ଅସ୍ଥିର–ଅଧୀର ।

 

ସେ ମୁଣ୍ଡରେ ହାତ ଦେଇ ବସି ରହିଲେ କ’ଣ କିଏ ଛାଡ଼ିବ ତାକୁ ! ତା’ର କର୍ତ୍ତବ୍ୟ କ’ଣ-? ଖାଲି ଛାତିଟାକୁ ପଥର କରି ବସିଗଲେ ହେଲାନି । ସମସ୍ତେ ଚାହିଁ ବସିଛନ୍ତି ତାକୁ । ବାପା ମା’ଙ୍କ ଅତୃପ୍ତ ଆତ୍ମାକୁ ତୃପ୍ତ କରିବ ସେ । ସେମାନେ ନରକ ଯନ୍ତ୍ରଣାରେ ଘାଣ୍ଟିହେବେ । ଏ ପୁଅ ହୋଇ ଜନ୍ମ ହୋଇଥିଲା କାହିଁକି ? ନରକ ପୁରୀରୁ ଉଦ୍ଧାର କରିବ ସେ ତାଙ୍କୁ । ସେଥିପାଇଁ ଦରକାର ପଇସା । ହାତରେ ତା’ର ଧନ ନାହିଁ । ଏଣେ ଚାକିରି ଯାଇଛି । ତା’ର ଭବିଷ୍ୟତ ଚିନ୍ତା ଜମା ନାହିଁ-। ସେ ହାତ ପତେଇ କାହାକୁ ମାଗିବ ପଇସା । କିଏ ଦେବ ତାକୁ ।

 

ଆଦିକନ୍ଦବାବୁ କେତେ ବୁଝେଇଲେ ତାକୁ । କହିଲେ–ନରି ତୁ ପ୍ରୋଭିଡେଣ୍ଟ ଫଣ୍ଡରେ ଟଙ୍କା ରଖେ । ସବୁବେଳେ ଏକଲା ମଣିଷଟା ଏତେ ଖର୍ଚ୍ଚ କ’ଣ କରି ପକଉଛୁ । ସେ ବି ବୁଝେଇଥିଲେ ଏଇ ବିଷୟରେ । ଆରେ ବାହା ପୁଆଣୀ, ମଲା, ମୂତିକା, ଜର ବାଧିକାରେ ତତେ କିଏ ଦେବ ଶହ ଶହ ଟଙ୍କା । ତୋର ଏହି ଅଳ୍ପ ସଞ୍ଚିତ ଧନ ଦଶଟଙ୍କା ବଢ଼ି ହେବ ହଜାର ହଜାର । ସେ ଆଖି ଆଗରେ ଦେଖିଛି ହେଡ଼୍‍କ୍ଲର୍କ ସେଦିନ ଶହ ଶହ ଟଙ୍କା ଟ୍ରେଜେରୀରୁ ଆଣି ଖାଲି ଲୋକଙ୍କୁ ଦେଲା ତାଙ୍କ ପ୍ରୋଭିଡେଣ୍ଟ ଫଣ୍ଡର ସଞ୍ଚୟ ଟଙ୍କା । ତେବେ ଜାଣିଶୁଣି ହରେଇଲା ତାକୁ ।

 

ପୁଣି ସରକାରଙ୍କର ତାଙ୍କ କର୍ମଚାରୀଙ୍କ ପାଇଁ ଯେଉଁ ଅବଦାନ ତାହା କଥାରେ କହି ହେବନି । ଜୀବନବୀମାକୁ ଆଣି ଦରମା ସଙ୍ଗେ ସେ ଯୋଡ଼ିଛନ୍ତି । କେତେ ଗ୍ରାମସେବକ ତାଙ୍କର ନାଁଟିମାନ ଦେଇ ଦରମାରୁ କଟେଇ ରଖିଲେ ଟଙ୍କା । ସେ ଖାଲି ଚାହିଁଲା । ତା’ର ଇଚ୍ଛା ହେଲାନି ଜମା ଏସବୁ କାମ କରିବାକୁ ।

 

ଏବେ ସେ ଜାଣିଲା କେତେ ଅସୁବିଧାରେ ମଣିଷ ପଡ଼େ । ସେ କିମିତି ଉଦ୍ଧାର ପାଇବ ଏଥିରୁ ?

 

ସେ ପୁଣି ଭାବେ–ଏଗୁଡ଼ାକ ଭାଣ୍ଡାମି । ଯିଏ ମଲା ସିଏ ଗଲା ତା’ ବାଟରେ । ତା’ପାଇଁ ଏତେ ଶୁଦ୍ଧିକ୍ରିୟା ବ୍ରାହ୍ମଣ ଭୋଜନୀ ସବୁ କ’ଣ ? ଏଗୁଡ଼ାକ ସେ ମାନିବନି ।

 

ଆଗରେ ଦେଖେ ସମାଜ ଘେରି ରହିଛି ତାକୁ । ଜାତିଆଣ ଲୋକେ ଟାକି ବସିଛନ୍ତି ସବୁ-। ସେ ନକରି ଯିବ କୁଆଡ଼େ ? ଦୁନିଆଁ ଭିତରେ ଘର କଲେ ସମସ୍ତଙ୍କ ସଙ୍ଗେ ମିଶି ଚଳିବ-। ସେମାନେ ଯାହା ସବୁ କରିବେ ସେ କରିବାକୁ ବାଧ୍ୟ ।

 

ବେଦ ପୁରାଣ କ’ଣ ସବୁ ମିଛ ? ଏତେ ମନ୍ତ୍ରପାଠ ବେଳ ଲଗ୍ନ ଦେଖା ହୁଏ କାହିଁକି ? ଯିଏ ଯାହା ମନ କଲେ ତ କରି ପକାନ୍ତା ସିମିତି । ଏତେ ପୂଜା, ଆରାଧନା, ଭୋଜିଭାତ, ବନ୍ଧୁବାନ୍ଧବ, ପଚରା ସଙ୍ଖୋଳା ଲାଗିରହିଥାନ୍ତା କାହିଁକି ?

 

ବିଦ୍ରୋହୀ ମନ ତା’ର ଆପେ ଆପେ ନଇଁ ଆସେ । ସେ ମାନିବ ସମାଜକୁ । ଶୁଦ୍ଧି ହେବ ବାପା ମା’ଙ୍କୁ । ବ୍ରାହ୍ମଣ ଭୋଜନ ଚାଲିବ । ପୁରୋହିତ ମନ୍ତ୍ରପାଠ କରି ପାପରୁ କରିବେ ମୁକ୍ତି ତାକୁ । ବନ୍ଧୁବାନ୍ଧବ ଦଶା ଖଟିବେ । ନୂଆ ବସ୍ତ୍ର ପିନ୍ଧିବେ ସେମାନେ । ସବୁତ ବିଧି ବିଧାନ ଅଛି । ବହି ପଢ଼ୁଥିଲେ ସବୁ ବାହାରୁଥିବ ଗୋଟିଗୋଟି ହୋଇ । ମାତ୍ର ଏ ସବୁ ପାଇଁ ଟଙ୍କା । ସେ କାହୁଁ ପାଇବ ? ବେଦ ପୁରାଣରେ ତ ଲେଖାନାହିଁ । ତାକୁ ସେ ଯୋଗାଡ଼ କରିବ କେଉଁଠୁ ? ମୂଳ ହେଲା ଟଙ୍କା । ସେ ଆସିବା ସଙ୍ଗେ ସଙ୍ଗେ ଅନ୍ୟସବୁ କେତେ ମାତ୍ର । ସମସ୍ତଙ୍କୁ ବାନ୍ଧି ଆଣିବ ଏଇ ଟଙ୍କା ତା’ର ମନ ମୋହିନୀ ରୂପ ଦେଖେଇ ।

 

ମାଣିକର ମୁହଁକୁ ଚାହେଁ ସେ । ତା’ର ନିରାଶ ଜନିତ ବଦନଟି ବେଶୀ କୋହ ସୃଷ୍ଟି କରେ ନରି ହୃଦୟରେ । ଛେଉଣ୍ଡ ପିଲାଟି, ତା’ର କିଏ ଅଛି ଆଉ ? ବାପା, ମାଆ, ଭାଇ ସବୁହେଲା ସେହି । ତା’ କଥା କିଏ ବୁଝିବ ? ସେ ତ ପିଲାନୁହଁ ଆଜି ଅଝଟ କରିବ ଭାଇ ସଙ୍ଗେ ଆଗପରି ଗେଲରେ ଲଦିହେଇ ଭାଇ ପିଠିରେ ।

 

ସେ ହେଇଛି ଯୁବତୀ । ଭାଇକି ଦେଖିଲେ ସଳଖି ଠିଆହୋଇ ପାରେନି । ମୁହଁକୁ ଚାହିଁଲେ ଆଖିପତା କରେ ତଳକୁ । ଶହେପଦ କଥାରେ ପାଟିରୁ ଉତ୍ତର ବାହାରେନି ପଦେ । ସେହି ମାଣିକ ଥିଲା କ’ଣ ଆଜି ହେଲାଣି କିମିତି ? ସମୟ ଆସିଲେ ଦୁନିଆଁ ଶିଖାଏ ଲାଜ ସଂକୋଚ କେତେ କ’ଣ ?

 

ସେ ତାକୁ କରିବ ପୁଣି ହାତକୁ ଦିହାତି । ସାନ ବୋହୂଟିଏ ହେଇ ଯିବ ସେ ପରଘରକୁ ଗଢ଼ିବାକୁ ତା’ର ସୁନାର ସଂସାର । ସେ ଏସବୁ କରିବ କିମିତି ? ସବୁରି ମୂଳରେ ରହିଲା ଟଙ୍କା । ଧନ ନ ଥିଲେ ପାଖରେ, ସିମିତି ବସିଥିବା କେହି ପଚାରିବେନି ପଦେ । ତେବେ ସେ କିମିତି ଶୁଦ୍ଧିହେବ ? ଘର ଖଣ୍ଡିକ ବିନା ଆଉ ସମ୍ପତ୍ତିବାଡ଼ି କିଛି ନାହିଁ । ଜମି ଥିଲା ମାଣେ ଯେ ବାପା ମା’ ବିକି ଭାଙ୍ଗି ଚଳିଲେ ଏତକ ଦିନ । ଶେଷକୁ ଘର ଡିହଟି ସେ ଛାଡ଼ିଦେଇ ଯାଇଛନ୍ତି ୟା’ ମାରଫତରେ । ତା’ର ସବୁ ସମ୍ପତ୍ତି ସେଇ ଚାଖଣ୍ଡକ ଘର । ତାକୁ ସେ ବିକିଲେ ରହିବ କେଉଁଠି ?

 

ମାଗି ଯାଚି ଚଳେଇବାର କାମ ୟେ ନୁହେଁ । କିଏ ବା ତାକୁ ଏତେଗୁଡ଼ାଏ ଟଙ୍କା ଦାନ ଦେବ ? କେଉଁ ଭରସାରେ ସିଏ ପରଦୁଆରେ ଯାଇଁ ହାତ ବଢ଼େଇବ । ସମସ୍ତେ କହିବେ ଚାକିରି କଲା ଏତେଦିନ; ପଇସା କ’ଣ ନାହିଁ ତା’ ପାଖରେ । ଏକଲା ମଣିଷ ସେ–କ’ଣ ଖର୍ଚ୍ଚ କଲା ଏତେ-

 

ସରକାର ଏଣେ ଆଳୁ ବିହନ ଅସମୟରେ ଦେଇ ନ ବିକି ପାରିବାରୁ ତା’ର ପ୍ରତି ମାସରେ ଦରମା କାଟି ରଖନ୍ତି । ସେ କଥା ଗାଁ ଲୋକେ କାହିଁ ବୁଝିବେ ? ଲୋକଙ୍କ ସୁବିଧା ପାଇଁ ସେ ଜବାବ ଅନୁଯାୟୀ ହାତରୁ ଖର୍ଚ୍ଚକରି ଆଳୁ ବିହନ, ମୁଗ ବିହନ, ଚାରାଗଛ ସବୁ ଯୋଗେଇ ଦିଏ । କିଏ ବା ଦିଅନ୍ତି ପଇସା, କାହାର ବା ମନେ ପଡ଼େନି । ନରି ଜାଣିଶୁଣି ଆଉ ମାଗେନି । ଇମିତି ସବୁ ଟଙ୍କା ଯାଇଛି ତା’ର ।

 

ଏ ଯୁଗ ବି ମାଗିବାର ଯୁଗ ନୁହେଁ । ଖାଲି ପଇସାର ଖେଳ । କୌଶଳରେ ଯିଏ ଯେତେ ଉପାର୍ଜନ କରିପାରିଲା ସେଇ ଏକା ଚାଲାକ ଚତୁର ମଣିଷ । ଖାଲି କଥାରେ ଲାଭ ନାହିଁ । ପାଟି ଫିଟେଇଲେ ଖର୍ଚ୍ଚା ଲାଗିବ । ବାକି ବୁକର କିଛି ନାହିଁ । ଶାସ୍ତ୍ରଜ୍ଞାନକୁ ସ୍ମରଣ କରେଇଲେ ମୁହଁକୁ ଚାହାନ୍ତିନି । କହିଲେ କହନ୍ତି “ଆଲୋ ମଉସା, ଜଡ଼ ପଇସା ।”

 

ସେ ଅଧିକ ଚିନ୍ତାକରିବାକୁ ମନକୁ ଦେଲାନି । କାହାକୁ କାହିଁକି ମାଗିବ ପଇସା । କିଏ ନାକ ଟେକିବ, କିଏବା ଥଟା କରିବ ତାକୁ । ଶେଷରେ ମନର ନିଷ୍ପତ୍ତି ତା’ର ବିକିବ ଘରଡିହ ଖଣ୍ଡକ କାହାକୁ । ଯାହା ପାଇବ ସେଥିରେ ସେ ଚଳେଇବ ଶୁଦ୍ଧିକ୍ରିୟା ।

 

ତା’ପରେ ମନରେ ପୁଣି ପ୍ରଶ୍ନ ଉଠେ । ଜନ୍ମମାଟି ଏଇଗାଁ ତା’ର ଯେଉଁଠି ବାପେ ଗୋସେଇଁବାପେ ଜନ୍ମ ହୋଇଥିଲେ ଏଇ ଚାଖଣ୍ଡକ ଜାଗାରେ । ସେ ୟାରି ଅନ୍ତୁଡ଼ିଶାଳରେ ଦିନେ କୁଆଁ କୁଆଁ ହେଇ କାନ୍ଦିଛି । ଆଜି ମଣିଷ କରିଛି ତାକୁ ଏ ଗାଁ ଭୂଇଁ । ଆଶ୍ରୟ ଦେଇଛି କୋଳ ଭିତରେ ଏଇ ମାଟିର ସରଗ ତା’ର ଝାଟିମାଟି ଘେରା କୁଡ଼ିଆଟି । ୟାକୁ ସେ ବିକିବ ଅନ୍ୟକୁ । ଏ ଗାଁର ମାୟା ତୁଟିବ, ବନ୍ଧନ ହେବ ଛିନ୍ନ, ମମତା, ସ୍ନେହ ତୁଟିବ ସବୁ । ସେ ପୁଣି ପାଦ ପକେଇ ଛିଡ଼ା ହେବ କେଉଁଠି ?

 

ବାହାର ଦୁନିଆଁ ଭିତରେ କାମକରି କର୍ମକ୍ଳାନ୍ତ ହୋଇ ଫେରେ ସେ ଘରକୁ । ତାକୁ ବୁକୁରେ ସ୍ଥାନଦିଏ ଏଇ ତା’ର ମାଟିର ସରଗପୁରୀ । କେତେ ଆଦରରେ ସେବାକରେ ସେ ଶ୍ରମ ଯୁକ୍ତ ଶରୀରରେ ସ୍ୱେଦବାରି ସିଞ୍ଚି । ଘର୍ମାକ୍ତ ଶରୀରକୁ କରେ ଶୀତଳ–ଉତପ୍ତ ପ୍ରାଣରେ ଆଣେ ପୁଲକ । ନା ! ନା ସେ ୟାକୁ ବିକି ଦବନି ଅନ୍ୟକୁ ଚିରଦିନ ଲାଗି । ଥରେ ଗଲେ ଆଉ ସେ ଫେରେନି । ଗାଁ ମାଟିର ମୋହ ତୁଟେ । ମଣିଷ ହୁଏ ସର୍ବହରା ।

 

ଘର ଖଣ୍ଡକ ଦେଲା ସେ ବନ୍ଧକ ମହାଜନ ପାଖେ । ଦୁଇଶ ଟଙ୍କା ସେ ଆଣି ଶୁଦ୍ଧିକ୍ରିୟା କଲା । ପ୍ରେତାତ୍ମା ଉଦ୍ଧାର ପାଇଲେ । ବନ୍ଧୁବାନ୍ଧବ ସବୁ ଗଲେ ଯେଝା ଘରକୁ । ସେ ଏବେ ଯିବ କୁଆଡ଼େ ? ତା’ର ତ ଘରନାହିଁ । ସେ ଦଖଲ ବନ୍ଧକ ଦେଇ ସାରିଛି ଗାଁ ମହାଜନକୁ । ସେ ଘର ଦଖଲ କରିବେ କାଲି ।

 

ସେ ଠିକ୍‍ କଲା ଯିବ ଶିଖରପୁର ଗାଁକୁ । ଯେଉଁଠି ସେ ଖୋଲି ଦେଇଛି ତା’ର କର୍ମମୟ ଜୀବନର ବିଭିନ୍ନ ଯୋଜନା । ମାତ୍ର ମାଳି ଛେଳି ପୋଷିପାରେନା ତା’ର ବଗିଚା ପାଇଁ । ସେ କିମିତି ନେବ ଯୁବତୀ ଝିଅଟିକି ସାଙ୍ଗରେ । ଲୋକେ ତାକୁ କହିବେ କ’ଣ ?

 

ତା’ର ଯେଉଁ ବସାଘର ସେ କ’ଣ ଆଉ ଅଛି ? ସେଥିରେ ରହିଲାଣି ଆଉଜଣେ । ମାଣିକ ଗଲେ ରହିବ କେଉଁଠି ? ସେ ସିନା ଏଣେତେଣେ ବୁଲି ଜୀବନ କଟାଉଛି । ଭଉଣୀଟାକୁ ସାଙ୍ଗରେ ନେଇ ବୁଲିବ କୁଆଡ଼େ ?

 

ତେବେ ସେ ଏଠି ଆଉ କେଉଁଠି ରହିବ ? ନିଜ ଗାଁରେ ବେଶୀ ଗୁଜବ । ନାନା ବିଚାର ପକାନ୍ତି ସବୁ । ପ୍ରବାସରେ ସିମିତି ନଥାଏ କିଛି । ସମସ୍ତେ ସ୍ନେହ ଦେଖାନ୍ତି–ଆଦର କରନ୍ତି । ସେ ତା’ର ସୁକୁମାରୀ ସୁନା ଭଉଣୀଟିକି ସଙ୍ଗରେ ନେଇ ଚାଲିଯିବ ଗାଁ ଛାଡ଼ି ବାହାର ଦୁନିଆଁକୁ । ତା’ର ମନର କଥା ସେ କହିଲା ମାଣିକକୁ । ସେ ବି ଭାଇ କଥାରେ ହେଲା ରାଜି । ଆଉ ଏକଲା ଯୁବତୀ ଝିଅଟା ରହନ୍ତା କାହା ପାଖରେ !

 

ବଡ଼ି ଭୋରୁ ଭାଇ ଭଉଣୀ ଆଗପଛ ହେଇ ବାହାରିଗଲେ ଗାଁ ଛାଡ଼ି ଅନ୍ୟ ଏକ ଗାଁର ବାସିନ୍ଦା ହେବାକୁ । ତାଙ୍କୁ କେହି ଆଉ ଯିମିତି ଦେଖିନି ବଗଲଗଡ଼ରେ ସେ ଦିନ ସକାଳୁ ।

 

ଗାଁ ଗଣ୍ଡାରେ ଚହଳ କମେ ରାତି ଦୁଇଘଡ଼ିଠିଁ । ଲୋକେ ଫେରିଥାନ୍ତି ବିଲ ବାଡ଼ିରୁ ହାଲିଆ ହେଇ । ସଞ୍ଜ ବୁଡ଼ୁବୁଡ଼ୁ ମୁଠିଏ ଖାଇ କାଠଟି ପରି ମାଟିର କୁଡ଼ିଆ ଭିତରେ ବିଶ୍ରାମ ନିଅନ୍ତି ସେମାନେ ।

 

ଶିଖରପୁର ଗାଁଟି ଆଜି ଶୂନଶାନ୍‍ । ରାତି ହେଲାଣି ପହରେ । ପହରିକିଆ ବିଲୁଆଗୁଡ଼ାକ ନିଶବ୍ଦ ରାତ୍ରିର ଘଣ୍ଟାପରି ପଲ୍ଲୀଗାଁକୁ ଜଣେଇ ଦେଲେ ସମୟ । ସମସ୍ତଙ୍କର ତାଟି କବାଟ ବନ୍ଦ । ଶୀତ ଟିକିଏ ପଡ଼ିଛି । କୋହଲିଆ ପବନଟା ଉତ୍ତର ପଟୁ ହେମାଳ ଟାଣି ଆଣିଛି । ଥଣ୍ଡା ଭୟରେ ଲୋକେ ପଶିଛନ୍ତି ଘର ଭିତରେ ।

 

ସୁକୁରୀ ମା’ କାହିଁକି ଉଠିଥିଲା ବାଡ଼ିପଟକୁ ସେ ଚମକି ପଡ଼ିଲା । ସୁକୀ ଘର ତା’ ଘରଠୁଁ ଦୁଇ ଘର ଛଡ଼ା । ତାକୁ ଜଣାଗଲା ଟୁପୁରୁ ଟାପର, ଫୁସୁରୁ ଫାସର, କେତେକ’ଣ । ବୁଢ଼ୀ ଆଉ ଟିକିଏ ଆଗକୁ ଯାଇ ଗଛ ଉହାଡ଼ରେ ଠିଆ ହେଲା ।

 

ଚାରିଜଣ ଲୋକ ସବାରି ଧରି ସୁକୀ ଘର ପଟୁ ଚାଲିଗଲେ କୁଆଡ଼େ ? ସେ ଅନ୍ଧାରରେ ଜାଣି ପାରିଲାନି କିଛି । କାହିଁକି ଆସିଥିଲା ସବାରିଟା ପୁଣି କିଏ ଗଲା ସେଥିରେ କୁଆଡ଼େ ?

 

ସକାଳୁ ଉଠି ତରବରରେ ସୁକୁରୀ ମା ଚାଲିଲା ସୁକୀ ଘରକୁ ସେ ଆଉ କିଛି ପଚାରି ପାରିଲାନି ବାପା ମାଆ କତରା ଲାଗି ହେଇ ପଡ଼ିଛନ୍ତି ସିମିତି । ସୁକୀ ତାଙ୍କର ପାଖରେ ବସି ଲୁହ ଗଡ଼ଉଛି ଖାଲି ।

 

ସୁକୁରୀ ମାଆକୁ ଦେଖି ସୁକୀ ପାଖକୁ ଡାକିଲା । ଆଈ ସକାଳୁ କୁଆଡ଼େ ଆଇଲ ବୋଲି ପଚାରିଲା । ବୁଢ଼ୀ ରାତିର ଘଟଣା ସବୁ କହିଲା ନାତୁଣୀ ଆଗେ ।

 

ସୁକୀ ମନେମନେ ହସିଲା । କେହି ଦେଖି ନଥିବେ ବୋଲି ସେ ମନେକରିଥିଲା ସିନା ! ମାତ୍ର ଏ ବୁଢ଼ୀଟା ରାତ୍ରିରେ ଦେଖିଛି ସବୁ । ସୁକୀ କହିଲା “କାହିଁ କିଛିତ ସେ ଜାଣିନି ।’’

 

ସୁକୁରୀ ମା ଗାଁ ଯାକ ବୁଲି ଏଇକଥା ପ୍ରଚାର କଲା । ସମସ୍ତେ ସମସ୍ତଙ୍କ ଘର ଖୋଜିଲେ । କିଏ ଆଉ ଗଲା ସବାରିରେ ।

 

ନରତ୍ତମ ଯାଇଥିଲା ବ୍ଲକ ଅଫିସ ଆଡ଼େ । ସେ ଦେଖିଆସି ଗାଁରେ କହିଲା କେତେ ରନ୍ଧା ହେଉଛି ଭୋଜିଭାତ । ଲୋକେ ଗଦା ହେଇଛନ୍ତି ଅନେକ । ବଡ଼ ବଡ଼ ହାକିମ ଖୋରଧା, ପୁରୀରୁ ମଟର ନେଇ ଆସିଛନ୍ତି ନିମନ୍ତ୍ରଣ ପାଇ । ଲାଇଟି ସବୁ ଜଳୁଛି ଚାରିଆଡ଼େ ।

 

ପଚାରିଲା ସେ ଲୋକଙ୍କୁ ଯେଉଁମାନେ କାମ କରୁଥିଲେ ବ୍ଲକ ଅଫିସିରେ । କ’ଣ ହେଉଛି କି ଆଜି ? କାହିଁକି ଏତେ ରୋଷନି–ଭୋଜିଭାତ–ନିମନ୍ତ୍ରଣ ? ସମସ୍ତେ କହିଲେ ବି.ଡ଼ି.ଓ.ଙ୍କର ପରା ଆଜି ବାହାଘର । କନିଆଁ ଆସିଛି କାଲି ରାତିରୁ । ସବାରି ପଠା ହେଇଥିଲା......ସେଇଠି ଅଟକିଲେ ସେମାନେ । କଥା ବୁଲେଇଲେ କେତେ । କେଜାଣି ସବାରି ଯାଇଥିଲା କୁଆଡ଼େ ସେ ଜାଣନ୍ତିନି ।

 

ଗାଁରେ ଜାଣିଲେ ସମସ୍ତେ । କାହିଁକି ଆସିଲା ସବାରି–ସଜହୋଇ ଗଲା କିଏ ବୋହୂ ବେଶରେ । ମନ କଥା ରହିଲା ମନରେ । ପାଟି ଫିଟେଇଲେନି କେହିହେଲେ ଜଣେ । ସମସ୍ତେ କହିଲେ–“ଭଲହେଲା ଏଡ଼େ ବଡ଼ ହାକିମ ଯେବେ ଲୋଭ କଲେ ଗାଁ ଝିଅ ଉପରେ; ତେବେ ତାଙ୍କର ସେଥିରେ ମଙ୍ଗଳ ।’’

 

ମାତ୍ର ଅଜଣାରେ ଏଗୁଡ଼ାକ ହେଲା କିମିତି ? ତା’ର କେହି ନ ଥିଲେ ତ ଅଛନ୍ତି ସେମାନେ–ଏ ଗାଁର ଲୋକେ ତା’ର ଭାଇବନ୍ଧୁ କୁଟୁମ୍ବ । ତାଙ୍କୁ ନ ପଚାରି ଚୋରପରି ରାତିଅଧରେ କନିଆଁ ନେବା ନିହାତି ବେକୁବ୍‍ କାମ । ସମସ୍ତେ ପ୍ରତିବାଦ କଲେ ଏଥିରେ । ଚାଲିଲେ ଏକମୁହାଁ ଦଶ ପଚିଶ ଗାଁର ଲୋକେ ପଚାରିବାକୁ ବି.ଡ଼ି.ଓ.ଙ୍କୁ ଆଉ ଯୋଗ ଦେବାକୁ ବାହାଘରରେ ।

 

ଶିଖରପୁର ଗାଁର ସଦଳବଳେ ଯୁବକମାନଙ୍କର ଆଗମନ ଦେଖି ଆଦିକନ୍ଦବାବୁ ଭୟକଲେ ମନରେ । କାଳେ ହେବ ଗଣ୍ଡଗୋଳ । ସବୁ ଫିକର ଜଣା ପଡ଼ିବ । ଶେଷରେ ଚୋର ହେବେ ସିୟେ ।

 

ମନେମନେ ପୁଣି ଭାବିଲେ ସେ । ନିଜହାତରେ ଚିଠି ଲେଖିଲା ସୁକାନ୍ତୀ ତାଙ୍କ ପାଖକୁ-। ଦିନବାର ସମୟ ଠିକ୍‍ କରି ଲେଖିଲା ସେ ପଠାଇବାକୁ ସବାରି । ତା’ କଥା ଅନୁସାରେ ସବାରି ଗଲା । ସେ ଆସିଲା ଖୁସି ମନରେ । ଏ ଲୋକଗୁଡ଼ାକ ପାଗଳଙ୍କ ପରି ଧାଇଁଛନ୍ତି ଏଠିକି କାହିଁକି-?

 

ସେ ପୁଣି ଦରାଣ୍ଡିଲେ ସେ ଚିଠିଟି । ଆଉ କ’ଣ ତାଙ୍କର ଭୁଲ୍‍ ରହିଗଲା ପଢ଼ିବାରେ ? ଆଉ ଥରେ ଆଖି ପକେଇଲେ ସେ । ଠିକ୍‍ ଅଛି । ବଢ଼ିଆ ଲେଖା । ପ୍ରସ୍ତାବଗୁଡ଼ିକ ମନ୍ଦନୁହେଁ ସୁକୀର । ଆଜି ବାହାଘର । ଆଉ ତିନିଦିନ ପରେ ଚଉଠି ରାତିରେ ସେ ଦେଖିବେ ତା’ର ପଣତଘୋଡ଼ା ଛପିଲା ମୁହଁ ।

 

ଗାଁ ଲୋକଙ୍କ ପାଖରେ ଯାଇଁ ସେ ପହଞ୍ଚିଲେ । ଲୋକେ ଦେଖି ତାଙ୍କୁ ନମସ୍କାର କଲେ-। ଆଦିକନ୍ଦବାବୁ ହେଲେ ଭାରି ଖୁସି ।

 

ସେମାନଙ୍କର ଆପତ୍ତି ସେ ଜଣେଇଲେ । ତାଙ୍କ ଗାଁର ଝିଅ; ବୋହୂ ହୋଇ ଆସିଲା ଏଠିକି । ସେ ତାକୁ ନିଜର କଲେ–ମନକୁ କିଣିଲେ କିମିତି କେଜାଣି–ତାଙ୍କର ସେଥିରେ ଯାଏ ଆସେ କେତେ ? ମାତ୍ର ତାଙ୍କୁ ନିମନ୍ତ୍ରଣ କଲେନି କାହିଁକି ? ଭୋଜି ସେ ଖାଇବେ କିମିତି ?

 

ଆଦିକନ୍ଦବାବୁ ଖୁସିହେଲେ ବେଶୀ । ଏ ଗାଁ ଲୋକଗୁଡ଼ାକ ଏତେ ଭଲ । ସେ କାହିଁକି ଭୟ କରୁଥିଲେ ଅଯଥା । ଦୋଷ ଦେଉଥିଲେ ସମସ୍ତିଙ୍କି ।

 

ସେ ଲୋକଙ୍କୁ ଡାକିନେଇ ବସାଇଲେ ଗୋଟିଏ ସତରଞ୍ଜି ଦରି ଉପରେ । ଚଉକି ଉପରେ ବସିଥିଲେ ଆଉ ସବୁ ବଡ଼ ବଡ଼ ହାକିମମାନେ ଯିଏ ଯେଉଁଠି ଖୁସି ମନରେ ।

 

ବାହାଘର ସରିଛି । ଲୋକେ ଯାଇଛନ୍ତି ଯେଝା ଘରକୁ ଭୋଜି ଖାଇ ସାରି । ତିନୋଟି ଦିନ ମୁହୂର୍ତ୍ତକ ପରି ଗଡ଼ିଗଲା କୁଆଡ଼େ ।

 

ଆଜି ଚତୁର୍ଥୀ–ବାସର ରାତି । ଆଦିକନ୍ଦବାବୁ ଖୁସି ହେଉଥିଲେ କେତେ । ଅଜଣା ଝିଅଟିର ଲାଜରା ମୁହଁଟିକି ଦେଖିବେ ବୋଲି । ତାଙ୍କ ମନ କେଉଁଥିରେ ଲାଗୁ ନଥାଏ । ସୁକୀର ମୁହଁ ଥରେ ଦେଖିଥିଲେ କେବେ ସଭା ଭିତରେ ମନ୍ତ୍ରୀ ଆସିଲା ଦିନ । ଆଉ ଦେଖି ନାହାନ୍ତି ସେ ଦିନୁଁ । ତା’ର ରୂପ କିମିତି ତାଙ୍କ ମନରୁ ଲିଭି ଲିଭି ଆସିଲାଣି । ସେ ଖାଲି ସ୍ୱପ୍ନ ଦେଖନ୍ତି ସୁନ୍ଦର ମୁହଁଟିଏ ଆସି ତାଙ୍କ ଆଖି ଆଗରେ ଝଲସି ଯାଉଛି । ଆଜି ସେ ଦେଖିବେ ତାକୁ ନିରୋଳାରେ । କଥା ହେବେ କେତେ ତା’ ସାଙ୍ଗରେ । ରାତିଟି କଟେଇବେ ଅନିଦ୍ରାରେ ତାରି ପାଖରେ ।

 

ଚତୁର୍ଥୀ ଭୋଜି ରନ୍ଧା ଚାଲିଛି । ବ୍ଲକ କର୍ମକର୍ତ୍ତାମାନେ ତତ୍ତ୍ୱ ନେଉଛନ୍ତି ଏପଟ ସେପଟ ବୁଲି । ମାତ୍ର ଆଦିକନ୍ଦବାବୁଙ୍କର ମନ କେଉଁଥିରେ ଲାଗୁ ନଥାଏ । ସେ ଖାଲି ଦେଖୁଥାନ୍ତି ବେଳକୁ । ଚାହୁଁଥାନ୍ତି ହାତବନ୍ଧା ଘଡ଼ିକି ବାରମ୍ବାର । କେତେବେଳେ ସେ ଉଦ୍‍ବିଘ୍ନ ଚିତ୍ତରେ ଚାହାନ୍ତି, ପଶ୍ଚିମ ଆକାଶର ନାଲ ଟହଟହ ସୂର୍ଯ୍ୟଦେବତାଙ୍କ ଆଡ଼େ । କିମିତି ଶେଷ ହେବ ଦିନ, ମାଡ଼ି ଆସିବ ରାତି-। ସେ ଅନ୍ଧାର ରାତ୍ରିରେ ଦରାଣ୍ଡି ହେଇ ଯିବେ ଦେଖିବାକୁ ପୁନେଇଁ ଚାନ୍ଦର ଆଲୁଅ-। ତାଙ୍କୁ ମିଳିଥିବା ସରକାରୀ ବସାଘରଟିରେ ସେ ଛାଡ଼ି ଦେଇଛନ୍ତି ସୁକୀକି । ଏକୁଟିଆଟି ସେ କ’ଣ କରୁଥିବ ସେଠି ?

 

ମନ ତାଙ୍କର ମାନେନି । ପୁଣି ବାହାନା ଦେଖେଇ ସେ ନିଜ ବସା ବାରଣ୍ଡା ଆଡ଼େ ଘୂରି ବୁଲନ୍ତି । ଘରକୁ ଖବର ପଠେଇଥିଲେ । ରାଗରେ ବାପା ଆସିନାହାନ୍ତି । ମାଆ, ଭଉଣୀ ଆଉ କେତେଜଣ ବନ୍ଧୁବାନ୍ଧବ ଆସିଛନ୍ତି ବାହାଘରକୁ । ବାପା କନିଆ କରିଥିଲେ ଠିକଣା । ମାତ୍ର ପୁଅର ମନଇଚ୍ଛା ବିବାହରେ ସେ ରାଜି ହେଲେନି ଜମା । ପ୍ରତିବାଦ କରି ଆସି ନାହାନ୍ତି ।

 

ଆଦିକନ୍ଦବାବୁ ଟିକିଏ ଭାବନ୍ତି ବସି । ବାପା ଆସିଲେନି ବାହାଘରକୁ । ମାତ୍ର ସେ ଯେତେବେଳେ ସୁକାନ୍ତୀର ସଜଫୁଟିଲା ଫୁଲ ପରି ମୁହଁଟିକି ଦେଖିବେ; ବଳେ ବଳେ ବୋହୂକରି ଘରକୁ ନେବେ । ତାଙ୍କର ମନ ଯାହା ମାନିଲା । ଯାହାକୁ ନେଇ ସେ ଶାନ୍ତିରେ କରିବେ ଘରସଂସାର, ସେ ଦେଖିଚାହିଁ ତାକୁ ଆଣିଛନ୍ତି । ବାହାଘର ଅନ୍ୟର ନୁହେଁ । ନିଜର । ସେଥିରେ କାହାର କିଛି କହିବାର ନାହିଁ ।

 

ତାଙ୍କର ଏଇ ଭାବନା ଭିତରେ ବେଳ ଆସି ବୁଡ଼ିଲା । ଧରିଣୀକି ଅନ୍ଧାର କରି ସୂର୍ଯ୍ୟ ଲୁଚିଲେ ପଶ୍ଚିମ ଆକାଶର ପାହାଡ଼ ତଳେ ।

 

ରାତି ଯହୁଁ ଯହୁଁ ବଢ଼ୁଥାଏ; ଆଦିକନ୍ଦବାବୁଙ୍କ ଈପ୍‍ସିତ ମନଭିତରେ କେତେ ରଙ୍ଗିନୀ ଚିତ୍ର ଆଙ୍କିହେଇ ଯାଉଥାଏ ଆପେ ଆପେ । ବାସରରାତି ସମସ୍ତଙ୍କ ଜୀବନରେ ଥରେ ଆସେ । ତାକୁ ସମସ୍ତେ କରନ୍ତି ଉପଭୋଗ । ଆଜି ପାଳି ପଡ଼ିଲା ତାଙ୍କର । ସେ ଅନୁଭବ ନକରି ଛାଡ଼ିବେ କିମିତି ?

 

ହାତ ଘଡ଼ିକି ଚାହିଁଲେ ସେ । ଏଗାର ବାଜିବାକୁ ଦଶମିନିଟ୍‍ ବାକି ଅଛି । ମନରେ ତାଙ୍କର ଉଚ୍ଚାଟ । ସେ ଆଉ କେତେ ମିନିଟ୍‍ ପରେ ଯିବେ ସୁକୀ ପାଖକୁ । ଘର କଣରେ ବୋହୂ ବେଶରେ ଓଢ଼ଣା ଢାଙ୍କି ବସିଥିବ ସେ ।

 

ସେ ଯାଇଁ ପହଞ୍ଚିବେ ସେଇଠି । କ’ଣ ବୋଲି ଡାକିବେ । ଆଗ କଥା ଆରମ୍ଭ କରିବେ କିମିତି ? ତା’ର ବଳିଲା ବଳିଲା ବାହୁଲତାକୁ ଜାବୁଡ଼ି ଧରିବେ ନିଜ ହାତରେ । ଢାଙ୍କିଥିବା ଓଢ଼ଣାକୁ ଟାଣିବେ ସେ ଦେଖିବାକୁ ଚାନ୍ଦ ବଦନକୁ–ପଚାରିବେ କେତେ ସ୍ନେହବୋଳା କଥା ।

 

ଭୋଜିଭାତ ଖିଆ ସରିଲା । ଆଲୁଅଗୁଡ଼ାକ ଲିଭି ଆସି ହେଲା ଅନ୍ଧାର । ଡାକରା ଆସିଲା ତାଙ୍କୁ ଯିବାକୁ ଘରକୁ । ଉଚ୍ଚାଟ ମନ ତାଙ୍କର ହାଇଁ ପାଇଁ ହେଲା । ଦିହ ଗୋଟାକରେ ଖେଳିଲା ଅପୂର୍ବ ଶିହରଣ । ସେ ପହଞ୍ଚିଲେ ବାସର ଘରେ ଯେଉଁଠି ଓଢ଼ଣା ଟାଣି ବସି ରହିଛି ନବବିବାହିତା ପତ୍ନୀ ।

 

ଘର ଭିତରେ ଆଲୁଅଟା ଜଳୁଥିଲା ମିଞ୍ଜିମିଞ୍ଜି ହେଇ । ଆଗକୁ ପଲଙ୍କଟି ଉପରେ ବିଛେଇ ଦିଆହେଇଛି ତୁଳିକା ଶଯ୍ୟା । ତା’ ଉପରେ ମଖମଲ କନାର ନାନା ଫୁଲ ପରିବେଷ୍ଟିତ ଚିତ୍ରିତ ବିଛଣା ଚଦରଟି ଢାଙ୍କି ରହିଚି ଶେଯକୁ । ଧଳା ରଙ୍ଗର ମଶାରିଟା ବେଶ୍‍ ମାନୁଥିଲା ପଲଙ୍କଟି ଉପରେ । ଫୁଲର ମାଳ କୁଞ୍ଚିତ ହେଇ ମଶାରି ବାଡ଼ରେ ଘେରି ରହି ବାସର ଗୃହଟିକୁ ଆହୁରି କରୁଥିଲା ସୁନ୍ଦର । ଲେଭେଣ୍ଡରର ମୃଦୁଗନ୍ଧରେ ଗୃହଟି ହେଇଥିଲା ଆମୋଦ ପୂର୍ଣ୍ଣ । କର୍ପୂର ମାଳରୁ ବାସ ଛୁଟୁଥିଲା ଚାରିଆଡ଼େ । ଚନ୍ଦନବାସ ଧୂପକାଠିରୁ ପ୍ରୀତି ସୁଆଗର ମନ୍ଦଗନ୍ଧ ବିଚ୍ଛୁରିତ ହେଉଥିଲା ।

 

ଆଦିକନ୍ଦବାବୁ ଆଜି ହେଇଛନ୍ତି ଆତ୍ମହରା । ଘରଟି ବାସରେ ଚହଟୁଛି । ତାଙ୍କ ଦିହଟି ବାସନାରେ ଭରି ଯାଇଥିଲା । ମନର ବାସନା ପୂର୍ଣ୍ଣ କରିବାକୁ ସେ ଆଗେଇଗଲେ ଆଗକୁ ।

 

ପଣତ ଢଙ୍କା ମୁହଁଟିକି ଦେଖିବେ ବୋଲି ସେ ହାତ ବଢ଼େଇଲେ । ମାତ୍ର ହାତ ଗଲାନି ସେ ଆଡ଼କୁ । ଟିକିଏ ଅଟକିଗଲେ ସେ । ପୁଣି ସେ ଚିନ୍ତାକଲେ । ଆଉ ଭୟ କରିବେ କାହାକୁ ? ହାତଧରି ବାହାହେଲେ ତାକୁ । ସେ ହେଲା ତାଙ୍କର ସବୁ । ତାଙ୍କର ଅଧିକାର ଅଛି ଟାଣିବାକୁ ପଣତ–ଦେଖିବାକୁ ମୁହଁ, ଆଉ ପଚାରିବାକୁ ସବୁକଥା । ସେ ହାତପକେଇଲେ ଦେହ ଉପରେ ତା’ର ।

 

ଅପୂର୍ବ ଶିହରଣ ସେ ଅନୁଭବ କଲେ । ଯୁବତୀଟିର ଦେହଟିରେ ସୃଷ୍ଟି ହେଇଥିଲା କମ୍ପନ । କାରଣ କ’ଣ ସେ ବୁଝିପାରିଲେନି । ଥରିଲା ଦିହଟିକୁ ସେ ହସ୍ତ ସଞ୍ଚାଳନ କରି କେତେ ଆଶ୍ୱାସନା ଦେଲେ । ମାତ୍ର ବେଳକୁ ବେଳ ବେଶୀ ଥରୁଥିବାର ସେ ଅନୁଭବ କଲେ । ତାଙ୍କର ମନରେ ଜାତ ହେଲା ସନ୍ଦେହ । ସେ ଟିକିଏ ଜୋରରେ ଟାଣି ପକେଇଲେ ଓଢ଼ଣା । ସେ ଓଢ଼ଣା ଜମା ଖସିଲାନି ମୁଣ୍ଡରୁ । ଚତୁରୀ ଯୁବତୀ ଦୁଇହାତ ମୁଠାରେ ଟାଣିଧରିଛି ଆଣ୍ଟରେ ।

 

“ଏ କ’ଣ ? ମୋ ଉପରେ ରାଗ କରିଛ ନା କ’ଣ ! ମୁହଁ ଲୁଚେଇ କେତେ ସମୟ ରଖିବ ସିମିତି ! ସୁକୀ, ମୋର ଆଶା ପୂରଣ କର ।” ଏଇ କେତେପଦ କଥା ଶୁଣି ଯୁବତୀଟି ଢଳିପଡ଼ିଲା କାନ୍ଥ ଆଡ଼କୁ ।

 

ଆଦିକନ୍ଦବାବୁଙ୍କ ମନରେ ସନ୍ଦେହ ହେଲା ବେଶୀ ! ସୁକୀ ବୋଲି ଡାକିଲେ ଯୁବତୀଟି ଥରୁଛି ଏମିତି କାହିଁକି ? ସେ ଜୋର କରି ଟାଣିଲେ ଓଢ଼ଣା–ଦେଖିଲେ ମୁହଁ । ମନବୋଧ ହେଲାନି ତାଙ୍କର ସେ ଦେଖାରେ । ସେ ପୁଣି ଟାଣି ଟାଣି ନେଲେ ଆଲୁଅ ପାଖକୁ ଦେଖିବାକୁ ମୁହଁ–ଚିହ୍ନିବାକୁ ସେ କିଏ ?

 

ଚମକି ପଡ଼ିଲେ ଆଦିକନ୍ଦବାବୁ । ସର୍ବନାଶ । ଏ ଯେ ସୁକୀ ନୁହେଁ । ସେ ମନମୋହିନୀ ରୂପ ମାଧୁରୀ ପରିବର୍ତ୍ତେ ପାଇଲେ କ’ଣ ଟାଏ । ଏ ଫିକର କାହାର ? ଯେ କରିଛି ଇମିତି ତାକୁ ସେ ଉଚିତ ଶାସ୍ତି ନ ଦେଇ ଛାଡ଼ିବେନି କେଭେଁ । ସେ କ’ଣ କରିବେ କିଛି ଠିକ୍‍ କରି ପାରିଲେନି ।

 

ରାଗମିଶା ଗଳାରେ ସେ ପଚାରିଲେ ଯୁବତୀଟିକି । କାଇଁଚ ଖୋଲି କହିଲା ସବୁ ତାଙ୍କ ଆଗରେ । ଏ କଥା ଲୁଚିବାର ନୁହେଁ । ସେ ଲୁଚାନ୍ତା କାହିଁକି ?

 

ଆଦିକନ୍ଦବାବୁ ମୁହଁପୋତି ପାଗଳଙ୍କ ପରି ଫେରିଲେ ସେ ଘରୁ । ରାତିସାରା ନିଦ ନାହିଁ ଆଖିକି । ଘଡ଼ିକର ଆନନ୍ଦ ତାଙ୍କର ଦୁଃଖରେ ପରିଣତ ହେଲା । ସେ କାହାକୁ କହିବେ ଏକଥା । ନିଜେ ସବୁ ଭୁଲ୍‍ କରି ବସିଛନ୍ତି ।

 

ଦୁଇଦିନ ହେଲା ଅନ୍ନପାଣି ଛୁଇଁ ନାହାନ୍ତି । କୌଣସି ଆଡ଼େ ଯାଇ ନାହାନ୍ତି–କାହାକୁ ଦେଖାକରୁ ନାହାନ୍ତି । ମୂକହେଇ ପଡ଼ି ରହିଛନ୍ତି ସେ ଦଉଡ଼ିଆ ଖଟଟି ଉପରେ ।

 

ବୋଉ ଆସି ଡାକିଲାଣି କେତେଥର । ଭଉଣୀ, ଦିହରେ ତାତି ଅଛିକି ବୋଲି ଦେଖି ଯାଉଛି ବାରମ୍ଵାର । ସେ ଅଯଥା ତାଙ୍କ ମନରେ ସୃଷ୍ଟି କରିବେ କାହିଁକି ସନ୍ଦେହ ! ବୋଉଠୁଁ ଶୁଣିଲେ ସେ ଯୁବତୀଟି ତେଣେ ଦୁଇଦିନ ହେଲା କିଛି ଖାଇନି । ଠାକୁରଙ୍କ ଘରେ ମୁଣ୍ଡ ନୁଆଁଇ ସିମିତି ପଡ଼ିରହିଛି । ଖାଇବାକୁ ଡାକିଲେ ଶୁଣୁନି । ଆଖିରେ ତା’ର ଲୁହ ।

 

ଆଦିକନ୍ଦବାବୁ ସବୁ ଶୁଣନ୍ତି, ମାତ୍ର କିଛି କହି ପାରନ୍ତିନି । ସେ ଭାବି ଭାବି କରନ୍ତି ପ୍ରଳାପ-। ପାଗଳ ପରି ରାଗରେ ମୁଣ୍ଡର ବାଳକୁ ଜାବୁଡ଼ି ଧରି ଟାଣନ୍ତି । କେଉଁଥିରେ ପାଇଲେ ଶାନ୍ତି-। ତାଙ୍କର ଦିହରେ ତାତି । ଜରରେ ମୁହଁ ଦିଶୁଛି ଫଣଫଣ । ଆଖିପତା ବନ୍ଦ ହେଇ ରହିଚି ସିମିତି-

 

କେତେବେଳେ ତାଙ୍କର ତାତି କମିଛି । ସେ ଆଖି ଖୋଲି ଚାହିଁଛନ୍ତି । କମଳା, ନାସପାତି ବେଦନା ଫଳରେ ଘରଟି ହେଇଛି ସଜ୍ଜିତ । ଆଉ କେହି ସେଠି ନ ଥିଲେ । ପାଖରେ ବସି ଗୋଡ଼ ଆଉଁଶି ଦେଉଥିଲା କାଇଁଚ ।

 

ଦୁନିଆଁର ଚକ ଘୂରୁଛି । କେତେବେଳେ ହେଉଛି ଅଦଳ ବଦଳ ନୂଆ ହେଉଛି ପୁରୁଣା–ପୁରୁଣା ଯାଇ ତା’ ଜାଗାରେ ଆସୁଛି ଆଉ ଜଣେ । ଚକେ ଘୁଞ୍ଚିଲେ ବାରହାତ । ଆଜି ଯେ ହସ ହସ ବଦନରେ କହୁଛି କଥା, ଆର ମୁହୂର୍ତ୍ତରେ ମିଶିଲାଣି ମାଟିରେ । ଘଡ଼ିକରେ ହୁଏ ପରିବର୍ତ୍ତନ । ବିଚିତ୍ର ଏ ଦୁନିଆଁ । ତାରି କୋଳରେ ଭଙ୍ଗାଗଢ଼ା ଚାଲିଛି ଇମିତ ଅନବରତ । କାହାର ବଢ଼ୁଛି ଐଶ୍ୱର୍ଯ୍ୟ–କାହାର ପୁଣି ସର୍ବନାଶ ।

 

ସୁଖ ଆଉ ଦୁଃଖ ଦୁଇଟି ବୈମାତୃକ ଭାଇ । ତାଙ୍କର ମନ ତଫାତ୍‍, ବିଚାର ଭିନ୍ନ–ମତଲବ ଅଲଗା । ଅଧିକ ସୁଖ ସମ୍ପଦ ମଣିଷ ମନରେ ଆଣେ ଆନନ୍ଦ । ସେ ଦେଖେ କେତେ ସୁନେଲି ସ୍ଵପ୍ନ । ଭୁଲେ ସମସ୍ତିଙ୍କୁ ।

 

ଦୁଃଖ ଉପରେ ଦୁଃଖ ଲଦି ହେଲେ ମଣିଷ ହୁଏ ଅଧୀର–ଦୁନିଆଁ ପ୍ରତି ତା’ର ଆସେ ବିତୃଷ୍ଣା । କ୍ଷୋଭ ଜାତ ହୁଏ ମନରେ । ଖୋଜେ ସେ ଆକୁଳ ପ୍ରାଣରେ କାହାର ଭରସା ।

 

ଆଜି ନରିର ଦୁଃଖ ମନରେ ପୁଣି ଗୋଟିଏ ଦୁଃଖ ଆସି ଦେଖା ଦେଲା । ତାରି ଭାଗ୍ୟ ଭୋଗ କରିଛି ସୁକୀ । ସେ ବଞ୍ଚିଲା ଦେଖିବ ବୋଲି ସବୁ । ମାତ୍ର ସୁକୀ ଗଲା କୁଆଡ଼େ ?

 

ସେ ଯିମିତି ଗୋଡ଼ ପକେଇଚି ଶିଖରପୁର ଗାଁରେ ଶୁଣିଲା ଆଦରର ସୁକୀ ଆଉ ତା’ର ନାହିଁ । ସେ ଭାବିଥିଲା ଆଦିକନ୍ଦବାବୁ ଚେଷ୍ଟା କରିଥିଲେ ପାଇବେ ବୋଲି ତାକୁ । ସେଇଥି ପାଇଁ ଚାକିରି ଗଲା ତା’ର । ସୁକୀ ରାଜି ହେଲାନି ତା’ କଥାରେ । ଏବେ ମଙ୍ଗିଥିବ ଯେବେ ବାହାହେଇ ଯାଇଥିବ ତାଙ୍କୁ । ସେ ଶୁଣିଲା ବି.ଡ଼ି.ଓଙ୍କ ବାହାଘର ସରିଛି ଏଇ କେତେଦିନ ହେଲା ପୁଣି ଏଇ ଗାଁ ଝିଅ ସାଙ୍ଗେ । ମନରେ ବିଚାରିଲା ସୁକୀ ତା’ର ମନ ମୁତାବକ ବର ପାଇଲା । ସେ ତ ଆଗରୁ ତାକୁ ବହୁତ ବୁଝେଇଚି ଆଦିକନ୍ଦ ବାବୁଙ୍କୁ ବାହା ହେବାକୁ । ପେଟରେ ଭୋକ ରଖି ମୁହଁରେ ଲାଜ କରୁଥିଲା କାହିଁକି ?

 

କିନ୍ତୁ ଗାଁ ଲୋକେ ତ ସେ କଥା କିଛି କହୁନାହାନ୍ତି । ତା’ର ସଠିକ୍‍ ଖବର ସେ କାହାରିଠୁ ପାଇଲାନି । ମନରେ ହେଲା ବେଶୀ ସନ୍ଦେହ । ପାପ ଛୁଇଁଲା କେତେ । ସମସ୍ତେ ନିରୀହା ଯୁବତୀଟି ଉପରେ ରଖିଥିଲେ ଆଖି । ମନ ଭିତରେ କୁହୁଳୁଥିଲା ଆଶାର ନିଆଁ–ନବ ଛଇଳିର ରୂପଲାବଣ୍ୟକୁ ଜାଳିପୋଡ଼ି ଭସ୍ମ କରିବାକୁ । ଘର ଖୋଲା–ଦୁଆର ମେଲା ସେ ଏବେ ଗଲା କୁଆଡ଼େ ?

 

ପୁଣି ଶୁଣିଲା ସେ ଲୋକଙ୍କଠୁଁ ଏକ ଦାରୁଣ ଘଟଣାର କରୁଣ ଚିତ୍ର । ସେ ଚାଲିଗଲା କେତେଟା ଦିନ ଟିକିଏ ଦେଖିବ ବୋଲି ବାପାକୁ ତା’ର ମଲା ଶେଯରେ । ବାପା ମାଆ ଉଭୟଙ୍କୁ ହରେଇ ସେ ନିରାଶ ମନରେ ଫେରିଲା ଏଇ ଗାଁକୁ ପୁଣି ମାଣିକ ସଙ୍ଗରେ । ସେ ଦେଖିପାରିଲାନି ମହାପାତ୍ରଙ୍କୁ ଥରେ । ସୁକୀ କି ଛାଡ଼ି ବାପା ବୋଉ ତା’ର ଚାଲିଗଲେ ଆରପୁରକୁ । ତାରି ଦଶା ଭୋଗ କରିଛି ସୁକୀ । ହେଲେ ସେ ସବୁ ଦେଖି ଅଙ୍ଗେ ଲିଭେଇବାକୁ ବଞ୍ଚି ରହିଲା ମାତ୍ର ସୁକୀ ତା’ର ଗଲା କୁଆଡ଼େ ?

 

ଗାଁ ଲୋକେ କହି ଚାଲିଥାନ୍ତି ଗଲା ଦିନର ଘଟଣା । ମହାପାତ୍ରେ ତାଙ୍କର ସ୍ତ୍ରୀ ଇମିତି ଦିନେ ସକାଳୁ ଶୋଇ ରହିଛନ୍ତି ସୁଖ ନିଦ୍ରାରେ ଯେଉଁ ନିଦକୁ କେହି ସହଜରେ ଭାଙ୍ଗି ପାରନ୍ତିନି । ସୁକୀ କାନ୍ଦ ବୋବାଳି ଛାଡ଼ିଲା ଗାଁ ମଝିରେ । ଲୋକେ ରୁଣ୍ଡହେଲେ ଅନେକ ତାଙ୍କ ଘରେ । କ’ଣ ହେଲା ବୋଲି ସମସ୍ତେ ହାଉଳି ଖାଇଲେ । ଅଧେ ଲୋକ ଗାଁ ଦାଣ୍ତରେ–ବାକି ଅଧକ ମହାପାତ୍ରଙ୍କ ଘର ଭିତରେ । ସମସ୍ତେ କୁହାକୁହି ହେଲେ ଦୁଇପ୍ରାଣୀ ଯିମିତି କଥାବାର୍ତ୍ତା ହେଇ ଏ ମରଭୂଇଁକି ଛାଡ଼ିଲେ ।

 

କୋକେଇ ସଜକଲେ ଗ୍ରାମବାସୀ । ଦୁଇପ୍ରାଣୀଙ୍କି ଲଦିଲେ ନେଇ ସେଥିରେ । ଅହ୍ୟ ବୋହୂ ଭୁଆସୁଣୀମାନେ ହୁଳହୁଳି ଦେଲେ–ଶଙ୍ଖୁଆ ଶଙ୍ଖ ଫୁଙ୍କିଲା । ଅହ୍ୟ ଡେଙ୍ଗୁରା ବାଜି ଉଠିଲା ଘନ ଘନ । ଫୁଲରେ ବନ୍ଦେଇଲେ ସମସ୍ତେ ଦୁହିଁଙ୍କି ଏକାଠି ହେଇ ଯିମିତି ବନ୍ଦାଣ ହେଇଥିଲା ଦିନେ ବାହାବେଦୀ ଉପରେ । ସେ ଶୁଭ ଲଗ୍ନ ଆଉ ଆଜିର ଘଟଣା ଭିତରେ ତଫାତ୍‍ କ’ଣ ?

 

ମହାପାତ୍ରଙ୍କ ସ୍ତ୍ରୀ ନବବସ୍ତ୍ର ପରିଧାନ କରି ଆଖିବୁଜି ନୂଆବୋହୂ ହେଇ ଦିନେ ଇମିତି ଓଢ଼ଣା ଟାଣି ବସିଥିଲେ କଣରେ । ମାତ୍ର ଆଜି ସେ ସେହି ନୂଆବସ୍ତ୍ର ଢାଙ୍କି ହେଇ ଆଖି ବୁଜିଛନ୍ତି ତ-?

 

ସମସ୍ତେ କହିଲେ–“ପୁଣ୍ୟବତୀ ସେ, ପତିପରାୟଣା ନାରୀ । କାହିଁକି ସ୍ୱାମୀକି ଛାଡ଼ି ଏକଲା ରହନ୍ତା ସେ । ସ୍ୱାମୀସଙ୍ଗେ ସୁଖରେ ଚାଲିଗଲା ଆର ପୁରକୁ ।”

 

ଏ ମରସଂସାରରେ ସତରେ ବନ୍ଧନତେଜି ଏକଲା ରହି ହୁଏନି । ବହୁତ ଦୁଃଖ, ଜଞ୍ଜାଳ ଭିତରେ ଜଣେ ତୃପ୍ତିପାଏନା ରହିବାକୁ । ସେ ମନେମନେ ଯିମିତି ଖୋଜେ ଆଉ ଜଣକୁ ତା’ ସାଥିରେ ରହିବାକୁ ଯାହାକୁ ସେ କହିବ ମନର କଥା, ଗୋପନବାର୍ତ୍ତା ଆଉ ପ୍ରୀତି ସମ୍ଭାଷଣ ।

 

ଲୋକଙ୍କର ଏହି ବର୍ଣ୍ଣନା-ଚାତୁରୀରେ ନରିର ମନହେଲା ଆହୁରି ପାଗଳ । ଆଖି ତା’ର ଖୋଜି ବୁଲିଲା ଏଣେତେଣେ ସୁକୀ କି ପାଇବାକୁ । ସେ’ତ ଆଦିକନ୍ଦବାବୁଙ୍କ ସଙ୍ଗରେ ବାହା ହେଇନି । ତେବେ ତାକୁ କେହି ଲୋଭ ଦେଖାଇ ଟାଣିନେଲା ଗଢ଼ିବ ବୋଲି ତା’ର ସୁନାର ସଂସାର-। ପୁଣି ଭାବେ ସେ କେତେ ଅଶୁଭ କଥା । ତାକୁ କେହି ଯଦି ବଳତ୍କାର କରି ଧରି ନେଉ ନେଉ ସେ ରାଜି ନ ହୋଇ କାଳେ ଆତ୍ମହତ୍ୟା କରିଥିବ ? କାଳେ କେଉଁ ଦୁର୍ବୃତ୍ତର ଅତ୍ୟାଚାରରେ ତା’ର ପ୍ରାଣବାୟୁ ଉଡ଼ି ଯାଇଛି ନିର୍ମମ ଯନ୍ତ୍ରଣା ଭିତରେ । ସେ କିଛି ଠିକ୍‍ କରି ପାରିଲାନି-

 

ଅନ୍ୟ କାହାରିଠୁଁ ସେ ଶୁଣିବାକୁ ପାଇଲା, ସୁକୀ ଡେଇଁପଡ଼ିଲା ନିଆଁ ଭିତରକୁ ଯେଉଁଠି ବାପା ମା’ ତା’ର ପୋଡ଼ା ହେଉଥିଲେ । କିଏ କହିଲା ଦରପୋଡ଼ା ଅବସ୍ଥାରେ ସିୟେ କୁଆଡ଼େ ଗଲା କେହି ଜାଣନ୍ତିନି । ଆଉ କେହି କେହି କହନ୍ତି ସେ ବେହୋସ ହେଇ ପଡ଼ି ରହିଥିଲା ସେଇ ମଶାଣି ପଦାରେ । ଅଧିକାଂଶ କହିଲେ ସେ ବାପ ମା’ ସଙ୍ଗେ ପୋଡ଼ି ହେଇ ପରିଣତ ହେଇଛି ପାଉଁଶରେ-। ନରି ସବୁ ଶୁଣିଲା କିଛି ଠିକ୍‍ କରି ପାରିଲାନି । କେତେଟା ଦିନରେ ସେ ଦେଖିଲା ସବୁ ହେଇଛି ଓଲଟ ପାଲଟ ।

 

ଭାଇର ଶୁଖିଲା ମୁହଁକୁ ଚାହୁଁଥାଏ ଖାଲି ମାଣିକ । କାହାକଥାରେ ସେ ହେଇଛନ୍ତି ତନ୍ମୟ । କାହାପାଇଁ ଆତ୍ମହରା । ସେ ଭାବୁଥିଲା ମନେମନେ ।

 

ନରି ଚାହିଁଲା ମାଣିକର ମୁହଁକୁ । ତାକୁ ସେ ରଖିବ କେଉଁଠି ? କାହାକୁ କହିବ ଯୁବତୀ ଝିଅଟାକୁ ଆଶ୍ରୟ ଦେବାକୁ । ଚିନ୍ତାମଗ୍ନ ହୋଇ ବସିରହିଛି ସେ ନରତ୍ତମ ନାୟକଙ୍କ ଦାଣ୍ଡପିଣ୍ଡାରେ । କେହି ତା’ର ଭଉଣୀ କଥା ପଚାରୁ ନାହାନ୍ତି ପଦେ । କେଉଁଠି ସେ ଆଶ୍ରୟ ପାଇବ ଟିକିଏ !

 

ଏହି ସମୟରେ ପହଞ୍ଚିଲେ ହରିବୋଲ ଦଳେଇ ସେଇଠି । ସେ ହସି ହସି ପ୍ରଣାମ କଲେ ନରିକି । ନରି ବି ପ୍ରଣାମ ଜଣାଇ ଟିକିଏ ହସିଲା । ଦଳେଇଏ ହାତଧରି ପକାଇ ଟାଣିଲେ ନରିକି ଯିବାକୁ ତାଙ୍କର ବସାକୁ । ସେ ଜାଣି ପାରିଛି ସବୁ । ବାପା ମା’ ମରିଛନ୍ତି । ମୁଣ୍ତରେ ଗୋଟିଏ ସୁଦ୍ଧା ବାଳ ନାହିଁ । ବାପ ମାଙ୍କୁ ଶୁଦ୍ଧି ହେଇ ବାଳ କାଢ଼ିଛି ସେ । ଏକମାତ୍ର ଭଉଣୀକି ଧରି ଆସିଛି ଏଇ ଗାଁକୁ ।

 

ନରି କିଛି ବୁଝିପାରିଲାନି । ଖାଲି ବଲବଲ କରି ଚାହିଁ ରହିଲା ଦଳେଇଙ୍କ ମୁହଁକୁ । ଦଳେଇଏ ପୁଣି କହିଲେ–“ଆଉ ଭାବୁଛ କ’ଣ ବାବୁ । ତୁମେ ମୋତେ ବଞ୍ଚେଇଛ । ଭାସି ଯାଉଥିବା ଡଙ୍ଗା ଅଟକାଇଚ । ମୁଁ ତୁମର କିଛି କରି ପାରିଲିନି । ଏତିକି ଅନୁରୋଧ କରୁଛି ଭଉଣୀଟି ସହିତ ମୋର ଛୋଟିଆ କୁଡ଼ିଆଟିରେ ପାଦ ପକେଇଲେ ଖୁସି ହେବି ।”

 

ନରିର ଗୋଟି ଗୋଟି ହେଇ ଗଲାଦିନର ଘଟଣାଗୁଡ଼ିକ ନାଚି ଉଠିଲା ଆଖି ଆଗରେ । ଦିନେ ଏଇ ଦଳେଇଏ ପାଗଳ ହେଇଥିଲେ । ଗାଁ ଲୋକେ ପିଲାରୁ ବୁଢ଼ା ଯାଏଁ ଇଟା ପଥର ଫିଙ୍ଗି ଏଣୁତେଣୁ କହି ଅଧିକ କରିଥିଲେ ପାଗଳ ତାକୁ ।

 

ଦଳେଇଙ୍କ ସ୍ତ୍ରୀ ପାଞ୍ଚଟି ସନ୍ତାନର ମାଆ । ପିଲାଙ୍କ ଜଞ୍ଜାଳ କରି ନ ପାରି ସ୍ଵାମୀର ପାଗଳାମୀ ଦେଖି ଜୀବନ ଦେଉଥିଲା ଦିନେ ରେଳଚକା ତଳେ । କାଲି ପରି ଲାଗୁଛି ତାକୁ । ସେ ବୁଝେଇ ଫେରେଇ ଆଣିଲା ତାକୁ ।

 

ଅଧିକ ସନ୍ତାନ କରି କି ଛଟପଟ ହୁଏ ମଣିଷ ? ସେ କଥା ଭାବୁଥିଲା ଗୋଟି ଗାଟି କରି । ଦଳେଇଙ୍କ ପାଗଳାମୀ ସେହି କରିଛି ଭଲ । ତାରି କଥାରେ ସନ୍ତାନ ନିରୋଧ କଲା ସେ । ନରି କି ମାନିଲା ଗୁରୁପରି । ପୁଣି ନରି ତାଙ୍କ ପାଇଁ କରିଛି କେତେ ମେହେନତ । କୁକୁଡ଼ା ପାଳନ ବତେଇଲା ସେ । ଗାଁ ଲୋକେ ନାକ ଟେକିଲେ ମାତ୍ର ଦଳେଇଏ ସରକାରଙ୍କଠୁଁ ମିଳିଥିବା ମାସିକିଆ କୁକୁଡ଼ା ଛୁଆକୁ ନେଇ ଲୁହା ତାରଜାଲି ଘେରେଇଲା ନିଜର ବାଡ଼ିପାଖ ପଡ଼ିଆରେ । ତା’ ସାଙ୍ଗକୁ ଫସଲ କେତେକ’ଣ ? ଫଳଫୁଲରେ ଭାସୁଛି ସେ ବଗିଚା । ଅଣ୍ଡା ବିକ୍ରି ଚାଲିଛି ଦଳେଇଙ୍କର । ସେ ଏକଲା କାହିଁକି, ଗାଁ ଲୋକେ ବୁଝିଲେଣି କୁକୁଡ଼ା ଚାଷଟି ଗୋଟିଏ ଲାଭଜନକ ବେଉଷା । ଦଳେଇଙ୍କ ହାତରେ କିଛି ପଇସା ହେଲାଣି । ସେ ପିଲାଙ୍କୁ ତାଙ୍କର ତୋଟା ଜଗିବା, ଗାଈଗୋଠ ନେବାରୁ ଟାଣିଆଣି ସ୍କୁଲରେ ବସେଇଲେଣି । ଝାଟିମାଟିର ଘରଟି ବି ସିମେଣ୍ଟ ଇଟା ଯୋଡ଼େଇରେ ସଜ୍ଜିତ ହୋଇ ବଗିଚାଟି ଭିତରେ ଛିଡ଼ା ହୋଇଛି ।

 

ସେଇଥି ପାଇଁ ସେ ତା’ ଉପରେ ଆଜି ଏତେ ଖୁସି । ସେ ମନା କରନ୍ତା କାହିଁକି ? ନିଜ ଭଉଣୀର ଆଶ୍ରୟ ପାଇଁ ସେ ଭାବୁଥିଲା ବସି ଭଗବାନ ତାକୁ ବାଟ ଦେଖେଇଲେ । ସେ ଖୁସି ହୋଇ ଦଳେଇଙ୍କ ପଛେ ପଛେ ଚାଲିଲା ତାଙ୍କ ଘରକୁ । ମାଣିକ ମଧ୍ୟ ଭାଇର ପିଛା ଧରିଲା ।

 

ଲୋକଙ୍କ ଅଜଣାରେ ନରି ସଞ୍ଜ ସକାଳେ ଚାଲେ ମଶାଣି ପଦାକୁ ଯେଉଁଠି ପୋଡ଼ା ହେଇଛନ୍ତି ମହାପାତ୍ରେ ଆଉ ତାଙ୍କର ଘରଣୀ । ସେ ତନଖି କରି ଦେଖେ ସେ ପାଉଁଶ ଗଦାକୁ । ହାତରେ ମଶାଣି ପାଉଁଶକୁ କରେ ମୁଠା ମୁଠା । ଛୋଟ ଛୋଟ ହାଡ଼ ଖଣ୍ଡି ମାନ ଗୋଟେଇ ଏକାଠି କରେ । ଛନକା ପଶେ ତା’ ଛାତିରେ । ଏହି ପାଉଁଶ ଭିତରେ ସୁକୀର ମୁହଁ ସେ ଦେଖେ । ମୁଣ୍ଡର ଖପୁରୀକି ସେ କଟମଟ କରି ଚାହିଁରହେ । ସୁନ୍ଦର ମୁହଁ ଦିନେ ଏମିତି ହାଡ଼ ଖୋଳପାରେ ଗଡ଼େ ମଶାଣି ପଦାରେ । ସୁକୀପାଇଁ ସେ ଛାଡ଼ିଥିବା ମୁହଁର ଦାଢ଼ି କାଟିଲା । ସେ ଦେଖିବାକୁ ରହିଲାନି କାହିଁକି ? ତା’ର ହସ ହସ ମୁହଁ ଲୁଚେଇଲା ପାଉଁଶ ଗଦାରେ । ସେ କାହାପାଇଁ ବଞ୍ଚିରହିବ ? ସେ ମରିଛି ତା’ର ଅଜଣାରେ ଆଜି, ତାରି ପଥ ଅନୁସରଣ କରିବ ସେ । ବେଳବୁଡ଼ି ହୁଏ ଘଡ଼ିଏ ରାତି । ଅନ୍ଧାରରେ ଯେତେବେଳେ ମୁହଁକୁ ମୁହଁ ଦିଶେନି, ବିଲୁଆଗୁଡ଼ାକ ପାହାଡ଼ ତଳର କିଆ ବଣରୁ ରଡ଼ି ଛାଡ଼ନ୍ତି ହୁକେ–ହୋ ! ହୁକେ–ହୋ ! ସେ ରାବରେ ନରିର ଧ୍ୟାନ ଭାଙ୍ଗେ । ସେ ନିରାଶ ହେଇ ଫେରେ ଘରକୁ ।

 

ନରି କେତେକ ସମୟରେ ଦେଖେ ଆଦରର ମାଣିକ ତା’ର ଦଳେଇଙ୍କ ଘରେ ନ ଥାଏ-। ସେ ଲୋକଙ୍କ କାମ କରିବାକୁ ବିଲ-ବାଡ଼ିକି ଯାଏଁ । ଭଉଣୀଟି ବି ସାହିପଡ଼ିଶାରେ ବୁଲି ଭଲମନ୍ଦ ବୁଝେ । ଗଉର ଏକୁଟିଆ ମଣିଷ । ସେ ନରିର ସାହାଯ୍ୟ ଭୁଲିନି । ସେ ଦିନ ଘନ ଅନ୍ଧାର ରଜନୀରେ ମଲାବାପକୁ ତା’ର ପିଠିରେ ପକାଇ ନେଇଥିଲା ମଶାଣି ପଦାକୁ । ସେ କେତେ ଡାକିଛି ନରିକି ଆଉ ମାଣିକକୁ ତା’ ଘରେ ରହିବାକୁ । ମାତ୍ର ଦଳେଇଙ୍କର ସ୍ନେହରେ ବାନ୍ଧିହେଇ ସେ ରହିଲା ଯାଇଁ ତାଙ୍କ ଘରେ ।

 

ଗଉର ମନରେ ବିଷାଦ ଭରି ଯାଇଛି । ବାପା ତା’ର ଛାଡ଼ିଗଲେ ଆର ପୁରକୁ । ଏଡ଼େ ବଡ଼ ପ୍ରକାଣ୍ଡ ଘରଟାରେ ସେ ଜଣେ କିମିତି ଚଳିବ ? ତାକୁ କିଏ ସାହାଭରସା ହେବ ସବୁକଥାରେ-। ଚିନ୍ତାରେ ତା’ର ଦିହ ଝଡ଼ି ଯାଇଚି । ରୋଗ ମାଡ଼ି ବସିଲାଣି ଶରୀରରେ । ସେ ମୂକହେଇ ପଡ଼ି ରହିଛି ଘରେ ।

 

କେତେଥର ଗଉର ନରିକି ଡାକିଛି ପାଖକୁ । ନରି ତା’ର ସେବା କରିଛି ଏଇ ରୋଗ ଶଯ୍ୟାରେ । ମାଣିକ ମଧ୍ୟ ଭାଇ ସାଙ୍ଗରେ ଯାଇଁ ଦେଖିଛି ଅନେକ ବାର । ସେ ପରର ଦୁଃଖ ସହି ପାରେନି । ନିଛାଟିଆ ବେଳେ ଆସି ପାଣି ଟୋପାଏ ଦିଏ ଗଉର ମୁହଁରେ । ଚୁଲି ଲଗେଇ ଦିଏ ମାଣିକ । ଭାତ ରାନ୍ଧି ପରଷେ । ଘର ପାଇଟି କରେ ସବୁ ।

 

ଗଉର ଜରରେ ଥରୁଥିଲା ବେଳେ ସେ ଆଶ୍ଵାସନା ଦିଏ ତାକୁ । ଦିହରେ କମ୍ପ ଆସିଲାବେଳେ ମାଡ଼ି ବସି ଜାବୁଡ଼ି ଧରେ କେତେ । ଗୋଡ଼ ହାତ ଚିପି ଦିଏ ଗଉରର । ଜର ଟିକିଏ ଛାଡ଼ିଲା ପରେ ସେ ବଲବଲ କରି ଚାହିଁରହେ ମାଣିକ ମୁହଁକୁ । ତା’ର ମନରେ କେତେ ଭାବନା ଖେଳେ । ଯୁବତୀଟିର ବର୍ତ୍ତୁଳ ଅଙ୍ଗଟିକି ସେ ପାଇବାକୁ ମନକରେ ସବୁଦିନ ପାଇଁ ।

 

ସେବାରେ ମଣିଷ କିଣେ ମଣିଷ ମନକୁ । ଛୁଆଁ ଅଛୁଆଁ ଭେଦ ତୁଟେ । ଗଉର ମନରେ ମାଣିକର ରୂପ ବସାବାନ୍ଧି ରହିଛି । ସେ ସବୁବେଳେ ଖୋଜେ ମାଣିକକୁ ।

 

ଗାଁ ଲୋକେ ହୁଅନ୍ତି ଭୁଟୁର ଭାଟର କେତେ । ମାଣିକ ନାଁରେ ଦୁର୍ନାମ ହେଲା ଚାରିଆଡ଼େ । ନରିର କାନରେ ପଡ଼ିଲା ଭଉଣୀର କଥା । ସେ ସମ୍ଭାଳିପାରିଲାନି ଆଉ । ଲୋକଙ୍କଠୁଁ ଶୁଣେ ସବୁ ସିନା, ସେ ମାଣିକକୁ ପଚାରି ପାରେନି କିଛି ।

 

ସେ ଜାଣିଛି ଭଉଣୀ ତା’ର ଖରାପ କାମରେ ହାତ ଦିଏନି । ଭାଇକି ତା’ର ଭାରି ଭୟ । ଲୋକେ ସହି ନ ପାରି ଦୁର୍ନାମ ଗାଇ ବୁଲୁଛନ୍ତି । ଖାଲି ସେ ଭଉଣୀ କି ନଜର ଉପରେ ରଖିବ ଏଇ ଆଶାରେ ମନାକଲା ତାକୁ କାହାଘରକୁ ଯିବାକୁ । ଯୁବତୀ ଝିଅ ନାଁରେ ବାରକଥା ଉଠିଲେ ତା’ର ସେ ହୁଏ କଳଙ୍କ ପସରା । ହାତକୁ ଦି’ହାତ ସେ ହେବ କିମିତି ?

 

ଗଉରର ଦିହ ଭଲ ହେଲାଣି ମାଣିକର ସେବାରେ । ସେ ଚାହୁଁଛି ମାଣିକକୁ କରିବ ତା’ର ଘରର ଘରଣୀ, ବାହାହବ ତାକୁ । ସେ ଶୁଣିଲା ଲୋକେ କେତେ କଥା କହିଲେଣି ନିରୀହା ଅବଳାଟିକି । ସେଇଥି ପାଇଁ କେତେଦିନ ହେଲା ସେ ଆସିନି ତା’ ଘରଆଡ଼େ । ସେ କ’ଣ କରିବ ଏବେ ? ନରିକି ନ କହି ସେ କିମିତି ଯୋଗାଡ଼ କରିବ ବାହାଘର । କାଳେ ଯଦି ତା’ ପ୍ରସ୍ତାବରେ ସେ ରାଜି ନ ହୁଏ ।

 

ଗଉରର ମନ କ’ଣ ହେଲା କେଜାଣି ସେ ଡକେଇ ପଠେଇଲା ଆସିବାକୁ ମାଣିକକୁ । ମାଣିକ ଭାଙ୍ଗି ପାରିଲାନି କଥା । ସେ ଭାଇ ବୋଲରେ ଥିଲା ସିନା ! କିନ୍ତୁ ଗଉରର ସ୍ନେହ ବନ୍ଧନରେ ଯିମିତି ବାନ୍ଧିହୋଇ ପଡ଼ିଥିଲା । ଲୋକଙ୍କ କଥାକୁ ଭୟକରି ସେ ବାହାରୁ ନଥିଲା ପଦାକୁ-। ମାତ୍ର ଆଜି ଡାକରା ଆସିଲା ତାକୁ । ସେ ଗଉର ପାଖକୁ ନଯାନ୍ତା କିମିତି ?

 

ବେଳ ରତରତ ସମୟ । ନରି ଫେରୁଛି ହରିପୁର ଗାଁରୁ ଲୋକେ ଲଗେଇଛନ୍ତି ତା’ ସଙ୍ଗରେ ପାର୍ଥିପତ୍ର ଦାଖଲ କରିବାକୁ ସେ ଅବାକ୍‍ ହେଲା । ଯେଉଁ ଗାଁକୁ ଗଲା ସମସ୍ତେ କହିଲେ ସେଇ ଗୋଟିଏ କଥା । ସେ ତାଙ୍କର ନେତା, ଅଗ୍ରଣୀ । ସବୁ । ବିଧାନସଭା ପାଇଁ ସଭ୍ୟପଦ ସକାଶେ ସେମାନେ ଭୋଟ ଦେବେ ତାକୁ । କିଛି ଚିନ୍ତା ନାହିଁ । ସେ ଚାହୁଁଛନ୍ତି ନରିକି ।

 

କେତେ ଗାଁ ବୁଲି ବୁଲି ସେ ଆସିଛି । ଆଜି ଯାଇଥିଲା ହରିପୁରକୁ । ସେ ଗାଁ ଲୋକେ ସମସ୍ତେ ଖୁସି । ସେ ସଭ୍ୟପଦକୁ ଏକା ଯୋଗ୍ୟ । ତାଙ୍କ ଅଞ୍ଚଳର କାମ ହେବ । ନରିକି ସେ ଆସନ୍ତା ଭୋଟରେ ଛିଡ଼ା କରେଇବେ ।

 

ନରି ଆସି ପହଞ୍ଚିଲା ଦଳେଇଙ୍କ ଘରେ । ସେ ବୁଲିବୁଲି ଏଣେତେଣେ ଚାହିଁଲା । କାହିଁ ଦେଖିଲାନି ମାଣିକକୁ । ମନରେ ରାଗ ଆସିଲା ତା’ର । ସେ ପୁଣି ତା’ ମନା ନ ମାନି ଗଲା କୁଆଡ଼େ ?

 

ସେ ଆଗ ଚାଲିଲା ଗଉର ଘରକୁ । ସମସ୍ତେ କହନ୍ତି ଗଉର ସାଙ୍ଗରେ ମାଣିକର ଅଛି ଭାବ, ପ୍ରୀତି । ସବୁ । କାନ ଶୁଣିଛି କେତେଥର ମାତ୍ର ଲୋକଙ୍କ କଥା ବିଶ୍ଵାସ କରିନି ସେ ।

 

ଆଜି ସେ ପହଞ୍ଚିଲା ଗଉର ଘରେ । ମନ ତା’ର ଚିଡ଼ି ଉଠିଲା ଭାରି । କ’ଣ ସେ ଦେଖିଲା ଆଜି ? ଲୋକଙ୍କ କଥା ଭୁଲ୍‍ ନୁହେଁ । ତା’ର ବୁଝିବା ଭୁଲ୍‍ । ଗଉର ଶୋଇ ରହିଛି ଚିତ୍‍ ହେଇ । ମାଣିକ ବସିଛି ତା’ର ଗୋଡ଼ ତଳେ, ଖଟ ଉପରେ । ସେ ହାତ ସଞ୍ଚାଳନ କରୁଥିଲା ଗଉରର ପାଦରେ ।

 

ମୁଣ୍ଡ ତା’ର ଗରମ ହେଲା । ଉପର ମୁହଁ ହେଲା ତଳକୁ । ସେ ଚାହିଁପାରିଲାନି କାହା ମୁହଁକୁ । ଲାଜରେ ମାଣିକ ପୋତିଲା ମୁହଁ । ଭୟରେ କଥା ବାହାରିଲାନି ଗଉର ତୁଣ୍ଡରୁ ।

 

ଗଉର ଉଠିଆସିଲା ଖଟ ଉପରୁ । ମୁଣ୍ଡିଆ ମାରିଲା ତଳେ ମଥାରଖି ନରି ପାଦ ପାଖରେ । ସେ ଭୟଭୀତ ହେଇ ଥଙ୍ଗେଇ ଥଙ୍ଗେଇ କହିଲା, “ଭାଇ ! ତୁମେ ଆଜି ମୋର ବନ୍ଧୁ । ମାଣିକ ମୋର ସବୁ । ତୁମେ ତାକୁ ପ୍ରଦାନ କର ମୋ ହାତରେ । ମୋ ଜୀବନକୁ ସେ ରଖିଛି ତା’ର ଅଦମ୍ୟ ଚେଷ୍ଟା ଆଉ ସେବା ବଳରେ ।” ତାକୁ ପାଇଲେ ସେ ଜୀବନରେ ଶାନ୍ତି ପାଇବ ।

 

ନରିର ମନ ଭିତରେ ଗଉରର କଥାଗୁଡ଼ାକ ଢୁକୁ ନ ଥିଲା ଜମା । ଖାଲି ଚାଲବାଜି କଥା । ଖଣ୍ଡେଇତ ପିଲା ସିୟେ । କଣ୍ଡରା ଘରର ଝିଅ ମାଣିକ । ସେ ପୁଣି ବାହାହେବ ତାକୁ । ଆଶ୍ଚର୍ଯ୍ୟ ଲାଗିଲା ନରିକି । ଏ କ’ଣ ସେ କହୁଛି ? ସାମାନ୍ୟ କଥାରେ ସମାଜ ତାକୁ କରିଛି ବାସନ୍ଦ-। ନିଆଁପାଣି ମନା । ସେ ପୁଣି ଏଡ଼େ ହୀନ କାମରେ ହାତ ଦେଇ ଆଗେଇବ କିମିତି ?

 

ପୁଣି ଗଉର କହିଲା ତାକୁ । ଭୟ କରିବାର କିଛି ନାହିଁ । ସେ ମନ ଦେଇଛି ତାକୁ । ମାଣିକକୁ ପ୍ରଦାନ କରିବ ସେ ତା’ ହାତରେ । ଲୋକଙ୍କ କଥା ସେ ଶୁଣିବନି । ସମାଜର କୁତ୍ସିତ ବନ୍ଧନକୁ ସେ ଛିନ୍ନ କରିବ ଆଜି । ସମସ୍ତଙ୍କ ଆଖି ସାମନାରେ ସେ ମାଣିକକୁ ଘରଣୀ କରି ନେବ ତା’ର ଘରକୁ ।

 

ନରିର ତୁଣ୍ଡରୁ ବାହାରି ପଡ଼ିଲା ପଦେ କଥା...ଅସମ୍ଭବ ।

 

ନାହିଁ; ସଂସାରରେ କିଛି ଅସମ୍ଭବ କଥା । ମନ ଥରେ ଗଲେ ସିୟେ ଆଉ ଫେରେନି । ଅସମ୍ଭବ ପୁଣି ହୁଏ ସମ୍ଭବ । ହସିହସି କଥାଗୁଡ଼ାକ କହି ଯାଉଥିଲା ଗଉର ।

 

ସେତେବେଳକୁ ମାଣିକ ତଳକୁ ମୁହଁପୋତି ପଣତ ଲୁଗାକୁ ମୁଣ୍ଡରେ ପକେଇ ବାଡ଼ିପାଖ ଦୁଆର ଖୋଲି ଚାଲିଗଲାଣି କୁଆଡ଼େ । ନରି ସନ୍ଦେହ ମନରେ ଫେରିଲା ଗଉର ଘରୁ ।

 

ବାଟରେ ଭାବି ଭାବି ଚାଲିଚି ସେ । ସତେ କ’ଣ ଭଗବାନ ତା’ର ଗୁହାରି ଶୁଣିଛନ୍ତି ? ଗଉର ବାହାହବ ତା’ର ହତଭାଗିନୀ ଭଉଣୀକି । ତା’ର ମୁଣ୍ଡରୁ ଚିନ୍ତା ଯାଆନ୍ତା । ସେ ନିଶ୍ଚିନ୍ତ ହୁଅନ୍ତା ସବୁଦିନ ପାଇଁ !

 

ଦଳେଇଙ୍କ ଦୁଆର ମୁହଁରେ ସେ ଦେଖିଲା ଗୁଡ଼ାଏ ଲୋକ ଜମା ହେଇଛନ୍ତି । କ’ଣ ପାଇଁ ସେ ଆସିଛନ୍ତି ? ମନରେ ତା’ର ଭୟ, କାଳେ ସେ ପଚାରିବେ ମାଣିକ କଥା । କାହିଁକି ସେ ଯାଇଥିଲା ସଞ୍ଜବେଳୁଟାରେ ଗଉର ଘରକୁ ।

 

ଲୋକେ ତାକୁ କୁଣ୍ଢେଇ ପକେଇଲେ ସେଇଠି । କାଗଜ ଗୋଟିଏ ଧରେଇଦେଲେ ହାତରେ । ସେ ଆଦେଶ ପାଇଛି ସରକାରଙ୍କଠୁଁ–ତାରି ଚାକିରି ପୁଣି ହେଇଚି । ଭୁଲ୍‍ ତା’ର ନୁହେଁ । ଗାଁ ଲୋକଙ୍କ ଦରଖାସ୍ତ ସବୁ ସରକାର ଶୁଣିଛନ୍ତି । ବଡ଼ ବଡ଼ ହାକିମ ଆସି ଏ ବିଷୟରେ ତଦାରଖ କରିଛନ୍ତି । ତା’ର କିଛି ଭୁଲ୍‍ ନାହିଁ । ସେ ମିଛଟାରେ ଚାକିରିରୁ ତଡ଼ା ଖାଇଥିଲା ।

 

ସମସ୍ତେ ହେଲେ ଖୁସି । ମାତ୍ର ନରି ମନଟି ବିଷାଦରେ ପୂର୍ଣ୍ଣ । ସେ କାଗଜଟି ତା’ର ହାତରୁ ଖସି ପଡ଼ିଲା ତଳେ । ଆଖିରୁ ବୋହି ପଡ଼ିଲା ଦୁଇଧାର ଲୁହ । ଲୋକେ ବୁଝିପାରିଲେନି କିଛି । ଚାକିରି ପାଇଲେ ଲୋକ ହୁଅନ୍ତି ଖୁସି । ହଜିଥିବା ଧନ ଖୋଜି ପାଇଲେ ସମସ୍ତେ ହୁଅନ୍ତି ଆନନ୍ଦ । କିନ୍ତୁ ନରିବାବୁଟା କାନ୍ଦିଲା କାହିଁକି ? ତା’ର କ’ଣ ହେଇଛି କି ?

 

ସେ କାଗଜଟି ନରି ଉଠାଇଲା ତଳୁ । ପୁଣି ତା’ର ପଛ ପାଖରେ କ’ଣ ସବୁ ଲେଖିଲା । ଲୋକେ ଦେଖୁଥାନ୍ତି ଛିଡ଼ାହେଇ ସିମିତି । ଓଡ଼ିଆରେ ସେ ଲେଖିଛି । ସମସ୍ତେ ଦେଖିଲେ । ତା’ର ଆଉ ଚାକିରି ଦରକାର ନାହିଁ । ସେ ଲୋକଙ୍କର ସେବକ ଆଜି । ଗାଁ ପାଇଁ କାମ କରୁଛି । ଲୋକେ ଦେଉଛନ୍ତି ଖାଇବାକୁ ତାକୁ–ପୁଣି ରହିବାକୁ ଭଲଘର । ପର ପାଖେ ମୁଣ୍ଡବିକି ତା’ର ସ୍ଵାଧୀନମନର କଥାକୁ ସେ ବିକି ଦେବନି କ୍ରୀତଦାସ ପରି । ଟଙ୍କା ପଇସାର ଲୋଭ ତା’ର ନାହିଁ । ସରକାରୀ ଟଙ୍କା କିଛି ନୁହେଁ ସେହିହେଲା ଲୋକଙ୍କର ଝାଳ ନିଗିଡ଼ା ଧନ ଯାହା ଗଦା ହେଇ ରହିଛି ଉତ୍କଳଲକ୍ଷ୍ମୀଙ୍କ ଗନ୍ତାଘରେ । ସେ ଲୋକଙ୍କଠୁଁ ତା’ର ମଜୁରୀ ପାଉଛି–ସ୍ନେହରେ ହେଇଛି ବାନ୍ଧି । ପୁଣି ସ୍ଵାଧୀନ ମନକୁ ପର ପାଖରେ ବିକି ପରାଧୀନ ସ୍ଵୀକାର କରିବ କାହିଁକି ?

 

ଲୋକେ ହେଲେ ତାଟକା । ଯେଉଁ ଚାକିରି ପାଇଁ ସମସ୍ତେ କରନ୍ତି ଅଜସ୍ର ଚେଷ୍ଟା–ହୁଅନ୍ତି ବିକଳ । ନରି ମନାକଲା ତାକୁ ? ଏଇଟା କିଛି ଭଲକଥା ନୁହେଁ । କିଏ କହିଲା–ସିୟେ ହେଇଛି ପାଗଳ । ସମସ୍ତେ କୁହାକୁହି ହେଲେ ମୁଣ୍ଡ ତା’ର ବିଗିଡ଼ି ଯାଇଛି ।

 

ମଣିଷ ଅବସ୍ଥା ଚକ୍ରରେ ପଡ଼ି କରି ପକାଏ ଭୁଲ୍‍ । ଦୁଃସାହାସିକ କାମଗୁଡ଼ାକ ସିମିତି । କେଉଁଠି ମଣିଷର ଅଭିଳଷିତ ପଦାର୍ଥକୁ ଆଣିଦିଏ ପାଖକୁ ତା’ର, କାହିଁ ବା ଠେଲିଦିଏ ତାକୁ ଦରିଆ ମଝିକି ବୁଡ଼ି ମାରିବାକୁ । ସେଇକଥା ଘଟିଛି ଆଦିକନ୍ଦବାବୁଙ୍କର । ସେ ଆଖିବୁଜିଛନ୍ତି, କ’ଣ ଖାଉଛନ୍ତି–ପାଟି ଜାଣୁନି । ଲୋକେ ଡାକିଲେ କାନ ଶୁଣୁନି । ହାତଟି ଗାଲ ପାଖରେ ଦେଇ ସେ ମଉନ ହେଇ ବସିଛନ୍ତି ।

 

ତାଙ୍କୁ ଏ ରୋଗଶେଯରୁ ଉଠେଇଲା କିଏ ? ସେ ଭାବିଥିଲେ ସିମିତି ଆଖିବୁଜି ପଡ଼ିଥାନ୍ତେ କେତେଦିନ । ସେହି ମହିଳାଟି ତାଙ୍କ ପାଗଳାମୀ ଲୋପ କରିଛି । ମସ୍ତିଷ୍କ ଭିତରେ ଯେଉଁ ପିଶାଚଟା ବସାବାନ୍ଧି ରହି ସଇତାନି ଆରମ୍ଭ କରୁଥିଲା ତାକୁ ସେ ଘଡ଼ିକରେ ଫୁଙ୍କି ଉଡ଼େଇ ଦେଲା । ତାହାରି ସେବାରେ ସେ ଉଠିଲେ ରୋଗ ଶଯ୍ୟାରୁ । ରୋଗରେ ପଡ଼ି ସେ ଛଟପଟ ହେଉଥିଲେ–ମହିଳାଟି ତାଙ୍କ ସେବାରେ ଲାଗି ସିମିତି ଛଟପଟ ହେଉଥିଲା । ସେ ଅନାହାରରେ ରହିଲେ କେତେଦିନ–ସେ ଦୁଃଖ ରମଣୀର ହୃଦୟରେ ଗଭୀର ଭାବେ ଜମାଟ ବାନ୍ଧିଲା । ସେ ବି ଛାଡ଼ିଲା ଆହାର । ଦିନରାତି ଜଗିବସିଲା ପାଖରେ । ଧନ୍ୟ ନାରୀ–ସେଇଥିପାଇଁ ମଣିଷ ଖୋଜେ ଗୋଟିଏ ସାଥୀ–ତା’ର ଭଲମନ୍ଦ କଥା ବୁଝିବାକୁ ।

 

ସେ ପାଇଛନ୍ତି ଉତ୍ତମ ନାରୀ । ତାଙ୍କ ମନଲାଖି ଜୀବନ ସଙ୍ଗିନୀ । ସେ ତାକୁ ପରିତ୍ୟାଗ କରିବେ କାହିଁକି ? କୌଶଳରେ ମନକୁ ତାଙ୍କର କିଣି ଦେଲା ? ମୁଣ୍ଡ ନଇଁଯାଏ–ମନ ମାନିଯାଏ ଏଇ ସ୍ନେହ ଟିକକ ପାଇଁ ।

 

ତଥାପି ରାଗ ଆସେ ମନରେ ତାଙ୍କର । କିଏ ତାଙ୍କୁ ଶକ୍ତ ଭାବରେ ମନାକରେ କାଇଁଚକୁ ଗ୍ରହଣ କରିବାକୁ । ସେ ତାଙ୍କର ଯୋଗ୍ୟାନାରୀ ନୁହେଁ । ଜାତିରେ ବହୁତ ତଳେ । ସମାଜ ନାକ ଟେକେ । ସେ ତାକୁ କିମିତି ଦେବେ ଆଶ୍ରୟ ? ନା ! ନା; ସେ ତା’ କରିପାରିବେନି ।

 

ପୁଣି ମନରେ ପ୍ରଶ୍ନ ଉଠେ ତାଙ୍କର । ନିରୀହା ଝିଅଟା ତା’ର ବା’ ଭୁଲ୍‍ କ’ଣ ? ସେ କାହିଁକି ବିଚାରନ୍ତା ଭଲମନ୍ଦ କଥା । ଭାସିଯାଉଥିବା ଲୋକ ଆତୁରରେ କୁଟା ଖିଅକୁ ଯିମିତି ହାତ ବଢ଼ାଏ–କାଇଁଚ ପାଇଚି ସିମିତି ଆଶ୍ରୟ । ତା’ର ଭଙ୍ଗା ସଂସାରକୁ ସେ ଗଢ଼ିଛି–ହଜିଲା ଧନ ସେ ଖୋଜି ପାଇଚି । ତା’ର ବିକଳ କ୍ରନ୍ଦନ ଶୁଣିଛନ୍ତି ପରମେଶ୍ଵର । ତା’ର ତ ଏଥିରେ ଭୁଲ୍‍ କିଛି ନାହିଁ । ସେ ମହାବେଦୀ ଉପରେ ଗ୍ରହଣ କରିଛନ୍ତି ତାକୁ । ସମସ୍ତେ ଜାଣିଲେ ତାଙ୍କର ସେ ପତ୍ନୀ–ଜୀବନ ସଙ୍ଗିନୀ, ଅର୍ଦ୍ଧାଙ୍ଗିନୀ ସବୁ କିଛି ।

 

ସୁକୀର ମୁଖମଣ୍ଡଳଟି ନାଚି ଉଠିଲା ତାଙ୍କ ଆଖିରେ । ସେ ଶୁଣିଲେ ଲୋକଙ୍କଠୁଁ–ବାପ ମା’ର ଚିତା ଅଗ୍ନିକି ଡେଇଁ ତା’ର ଜୀବନକୁ ସେ ବଳି ଦେଇଛି । କାହାପାଇଁ ସେ ଏ ଜଘନ୍ୟ କାମ କଲା । ନିଜର ଜୀବନକୁ ନିଜ ହାତରେ ହତ୍ୟା କଲା ସିୟେ । ଘୃଣାରେ ତାଙ୍କର ଆଖିପତା ଟେକି ହେଇଗଲା । ମୁହଁଟି ହେଲା ବିକୃତ । ସୁକୀ ପାପିନୀ । ସେ ସମାଜ ଭୟରେ; ଦାରିଦ୍ର୍ୟତାକୁ ଡରି ନିଃସହାୟା ଅବସ୍ଥାରେ ଗୁରୁତର ପାପ କରିଛି । ସେ ତାକୁ ଆଶାକରି ବସିଥିଲେ ସିନା–ତା’ର ମନ ନ ଥିଲା ବାନ୍ଧି ହେବାକୁ ତାଙ୍କ ସ୍ନେହମୟ ବନ୍ଧନରେ ।

 

ସେତେବେଳକୁ ଟ୍ରେ’ ଭିତରେ ଚା’-ଜଳଖିଆ ଧରି ପାଖରେ ପହଞ୍ଚିଲା ଆସି କାଇଁଚ । ଆଦିକନ୍ଦବାବୁ ଚା’ କପ୍‍ଟି ଉଠେଇ ନେଉ ନେଉ ଚାହିଁ ରହିଥିଲେ କାଇଁଚର ଦରହସିତ ମୁହଁକୁ ।

 

ନରି ଆସି ଅପେକ୍ଷା କରିଛି ବାହାରେ । ସେ ଦେଖା କରିବ ଆଦିକନ୍ଦବାବୁଙ୍କୁ । ସେ ନିଯୁକ୍ତିପତ୍ର ପଠେଇ ଦେଇଥିଲେ ତା’ ପାଖକୁ । ସେ ଧରି ଆସିଛି ପୁଣି ତାଙ୍କ ପାଖକୁ ।

 

ପିଅନ ଆସି ଖବର ଦେଲା ଆଦିକନ୍ଦବାବୁଙ୍କୁ ଘର ଭିତରେ । ଆଦିକନ୍ଦବାବୁ ନରି ନାଁଟା ଶୁଣି ଚମକି ପଡ଼ିଲେ । ତା’ର ହେଲା ଚାକିରି ପୁଣି । ସେ ଖାଲି ଚିହ୍ନା ପଡ଼ିଲେ ସିନା ? ଯାହା ପାଇଁ ସେ ତା’ ଚାକିରି ନେଲେ ଶେଷରେ ସେ ଚିତାଗ୍ନିରେ ଝାସ ଦେଇ ଚିତା କାଟିଲା “ଅଫିସିରେ ତା’ର କାମ, ଘରକୁ ସେ କାହିଁକି ଆସିଛି ଦେଖା କରିବାକୁ । ସେ ଚାହାନ୍ତିନି ତା’ ମୁହଁ ଚାହିଁବାକୁ ।”

 

ନରି ବାହାରେ ଥାଇ ଶୁଣୁଥାଏ ସବୁ । ପିଅନଟି ଆସି ତାକୁ କହିବା ଆଗରୁ ସେ ଧରେଇଲା ଗୋଟିଏ କାଗଜ ଆଉ ବାହାରିଲା ଯିବାକୁ ।

 

ପିଅନ ଆଣି କାଗଜଟି ଥୋଇଲା ବି.ଡ଼ି.ଓ.ଙ୍କ ଟେବୁଲ ଉପରେ । ଆଦିକନ୍ଦବାବୁ କାଗଜଟି ଉଠେଇ ଦେଖିଲେ । ସରକାରଙ୍କର ପୁନଃର୍ନିଯୁକ୍ତି ପତ୍ରଟି ସେ ଯାହାକୁ ପଠେଇଥିଲେ ସେ ପୁଣି ଫେରେଇ ଦେଲା କାହିଁକି ?

 

ଏପଟ ସେପଟ କରୁ କରୁ ସେ ଦେଖିଲେ ଆଦେଶପତ୍ର ପଛପାଖେ କ’ଣ ଗୁଡ଼ାଏ ଓଡ଼ିଆରେ ଲେଖା ହେଇଚି । ଆଗ୍ରହ ହେଲା ତାଙ୍କ ମନରେ । ସେ ଆଖି ପକେଇଲେ ତା’ ଉପରେ-

 

ପଢ଼ିସାରି ଗୁମ୍‍ମାରି ସେ ବସିପଡ଼ିଲେ । ନରି ପୁଣି ତାଙ୍କୁ ଦେଲା ଶିକ୍ଷା । ପ୍ରକୃତରେ ଏ ମହାଶିକ୍ଷାରୁ ତାଙ୍କର ବହୁତ କଥା ଶିଖିବାର ଅଛି । ଚାକିରି ଜୀବନଟା ପରାଧୀନତା । ମନର ଅସଲ କଥାଟା ଖୋଲି ହୁଏନା କାହାପାଖରେ । ଉପର ହାକିମଙ୍କୁ ଡରିମରି ଚଳିବାକୁ ହୁଏ । ଠିକ୍‍ ବୁଝିଛି ନରି । ସେ ଚାକିରି କରିବନି–ତା’ର ସ୍ଵାଧୀନ ମନକୁ ସେ ପରକୁ ବିକିବନି । ସେ ସିମିତି କରିବ କାମ ସମାଜ ପାଇଁ–ଲୋକଙ୍କ ପାଇଁ–ଦେଶ ପାଇଁ !

 

ତାଙ୍କ ମନ ଥୟ ହେଲାନି ଆଉ । ସେ ଉଠିଲେ ଚଉକି ଉପରୁ ଦେଖିବେ ବୋଲି ନରିକି–ପଚାରିବେ କ’ଣ ସବୁ ।

 

ବାହାରକୁ ଆସିଲେ । ବାରଣ୍ଡାରେ ବୁଲିଲେ । ଏଣେତେଣେ ଚାହିଁଲେ । କାହିଁ କେଉଁଠି ସେ ଦେଖିଲେନି ନରିକି । ସେ ଗଲା କୁଆଡ଼େ ?

 

ସେ ଦେଖିଲେ ଦୂର ଗହୀର ମାଳରେ ଜଣେ କେହି ଚାଲିଚି ଏକମୁହାଁ । ସେ ମନେମନେ ଭାବିଲେ ସୁକୀ ତାଙ୍କୁ ଦେଲା ଶିକ୍ଷା ସମାଜର ବନ୍ଧନ ହୁଏ କିମିତି ? ପୁଣି ନରି ଶିଖେଇଲା ସ୍ଵାଧୀନ ମନର ବନ୍ଧନ ତାଙ୍କୁ । ଯେଉଁଥିରେ ସେ ବାନ୍ଧିଲା ସମସ୍ତଙ୍କ ମନ ।

 

ନରି ଗାଁମୁଣ୍ଡରୁ ଶୁଣିଲା ଶୁଭ ଶଙ୍ଖଧ୍ଵନି–ହୁଳହୁଳି ଆଉ ମହୁରିର କରୁଣ କୁହାଟ ମରା ସ୍ୱର । ସେ ଦେଖିଲା ଗଉର ଘରେ ଗାଁ ଲୋକେ ହେଇଛନ୍ତି ରୁଣ୍ଡ । ସାହି ମାଇପେ ହୁଳହୁଳି ଦେଉଛନ୍ତି । ଭୋଜିଭାତରେ ସଭିଏଁ ଭାସୁଛନ୍ତି । ସମସ୍ତେ କହିଲେ ଆଜି ଗଉରର ବାହାଘର । ନରିର ମୁଣ୍ଡରେ ବିଛା କାମୁଡ଼ିଲା । ସେ କିମିତି କହୁଥିଲା ମାଣିକକୁ ବାହା ହବ ବୋଲି ? ସରଳା ଅବଳାର କଅଁଳ ମନକୁ ସେ ଆଘାତ କଲା ସରଳତାର ସୁଯୋଗ ନେଇ । ମଣିଷ ମନ ଭିତରେ ଏମିତି ସଇତାନ ବସା ବାନ୍ଧିଥାଏ । ସେ କାହାକୁ ଦୁନିଆଁରେ ବିଶ୍ଵାସ କରିବ ଆଉ ? ସୁକୀ ମଧ୍ୟ ବିଶ୍ଵାସରେ ବିଷ ଖୁଆଇଲା ତାକୁ । ଏ ଗାଁ ଲୋକେ କ’ଣ ସବୁ ସିମିତି ?ସେ ମନେମନେ ଠିକ୍‍କଲା ଏ ଗାଁ ଛାଡ଼ିଯିବ ରହିବ ଜଙ୍ଗଲରେ ଯେଉଁଠି ନରରୂପୀ ବ୍ୟାଘ୍ରର ଦୃଷ୍ଟି ପଡ଼ିବନି । ବଣରେ ବାଘ ସଙ୍ଗେ ବନ୍ଧୁ ବାନ୍ଧି ଚଳିହେବ । ମଣିଷଗୁଡ଼ାକ ବାଘଠୁଁ ଅତି ଭୟଙ୍କର । ତାଙ୍କ ପାଖେ ସେ ରହିବନି ଜମା ।

 

ଗାଁ ବରଗଛ ପାଖେ ଦୁଇ ଚାରିଜଣ ନସର ପସର ହେଇ ଧାଇଁଛନ୍ତି କୁଆଡ଼େ । ତାକୁ ଦେଖି ଦଉଡ଼ି ଆସିଲେ ସେମାନେ । ନରିର ମନରେ ବେଶୀ ଭୟ ହେଲା । କାଳେ ସେମାନେ ତାକୁ ଖତମ କରିବାକୁ ଇମିତି ଧାଇଁଛନ୍ତି ।

 

ଧଇଁ ସଇଁ ହେଇ ସେମାନେ ଧଇଲେ ନରିର ହାତ । ଟେକି ନେଲେ ଶୂନ୍ୟେ ଶୂନ୍ୟେ । ସେ କିଛି ବୁଝିପାରିଲାନି । ତା’ ହଲକ ଶୁଖିଲା । ପାଟିରୁ କଥା ବାହାରିଲାନି ।

 

ସେ ଦେଖିଲା ବେଦୀ ପାଖରେ ବୋହୂ ବେଶରେ ନଇଁ ବସିଛି କିଏ । ଗଉର ବସିଛି ମୁକୁଟ ପିନ୍ଧି । ତାକୁ ଆଣି ଛାଡ଼ିଲେ ଗାଁ ଲୋକେ ସେଇଠି ।

 

ସେ ଚାହୁଁଥାଏ ଏପଟ ସେପଟ ବୁଲି । ସମସ୍ତେ କହିଲେ ବେଦିକିଯାଆ–ଲଗ୍ନ ଗଡ଼ିଲାଣି-। ସାହି ମାଇପେ ହସିଲେ ହେଁ...ହେଁ...ହେଇ ! ସେ କାହାକୁ ଚାହିଁ ପାରିଲାନି ଲାଜରେ-

 

ବାରିକବୁଢ଼ା କାହୁଁଆସି ଜୋଡ଼ ପିନ୍ଧାଇଲା ତାକୁ । ବାବୁ, ତୁମ ଭଉଣୀର ବାହାଘର । ତୁମେ ବେଦୀରେ ବସି ବାହା ଦିଅ; ଚାହିଁଛ କ’ଣ ?

 

ବିଶ୍ଵାସ କରିପାରିଲାନି ସେ । ସତରେ ମାଣିକ ତା’ର ବସିଛି ବୋହୂ ବେଶରେ । ଗଉର ତା’ର ଆଜି ଭାଇବନ୍ଧୁ କୁଟୁମ୍ବ ସବୁ । ଆଖିପତା ତା’ର ଛଳଛଳ ହେଲା ଲୋତକରେ । ସେ ଚାହିଁ ପାରିଲାନି ଭଲକରି କାହା ମୁହଁକୁ ।

 

ପାଞ୍ଚୋଟି ବର୍ଷ ଗଡ଼ିଯାଇଚି । ନୂଆ ମନ୍ତ୍ରୀମଣ୍ଡଳ ଆସନ ଅଳଙ୍କୃତ କରିବେ ଓଡ଼ିଶାର ବିଧାନସଭା ଗୃହରେ । ସବୁ ଅଞ୍ଚଳକୁ ମଟରଗାଡ଼ି ଛୁଟିଛି । ଲୋକମାନେ ଜମାହେଇ ଶୁଣୁଛନ୍ତି କେତେକଥା । ଭୋଟ ପ୍ରଚାରରେ ମାତିଛନ୍ତି ସମସ୍ତେ ।

 

ଲୋକଙ୍କ ମନକୁ ଭୁଲେଇବା ସମୟ ୟିଏ । ରାଜନୈତିକ ଦଳସବୁ ରାଜନୀତି ଖେଳ ଖେଳିଲେ କେତେ । ଲୋକଙ୍କୁ ମନେଇବା ଗୋଟେ ବହାଦୁରି କାମ । ବଳ କଷାକଷି ସମୟ ଏଇ ଭୋଟ ବେଳେ । କେହି କେହି ଟଙ୍କାର ସୁଅ ଛୁଟେଇ ଦିଅନ୍ତି ଲୋକଙ୍କ ମନକୁ କିଣିବା ପାଇଁ । ଆଉ ତର ନାହିଁ କାହାକୁ । କଥାରେ ଅଛି “ଚଷା ହୁଡ଼ିଲେ ବରଷେ–ଭୋଟର ହୁଡ଼ିଲେ ପାଞ୍ଚ ବରଷ ।”

 

ପଲ୍ଲୀ ଗାଁର ଝିଅଟିଏ । ମୁଣ୍ଡରେ ଓଢ଼ଣାଟାଣି ଘର ଘର ବୁଲି କ’ଣ ସବୁ କହୁଛି । ବୋହୂ ଭୁଆସୁଣୀମାନେ ତା’ କଥାରେ ମାତିଗଲେଣି । ସା’ନ୍ତରାପୁର ଗାଁରେ ସାନପିଲାମାନେ ଡେଇଁ ବୁଲି ପାଟି କରୁଛନ୍ତି–“ନରିବାବୁକୁ ଭୋଟ ଦିଅ ।” ସମସ୍ତେ ହୁଅନ୍ତି ତାଟକା । ତରୁଣୀଟିର ହସହସ ମୁହଁରୁ କଥା ଶୁଣିବାକୁ ସାହି ମାଇପେ ରୁଣ୍ଡହେଇ ଯା’ନ୍ତି ଏକାଠି । ତା’ର ଗୋରା ତକ ତକ ଦିହକୁ ଚାହିଁ ରହିଥାନ୍ତି ସମସ୍ତେ । କଥାର ମଧୁର ବନ୍ଧନରେ ସେ ଯିମିତି ବାନ୍ଧିଚି ସମସ୍ତିଙ୍କୁ ।

 

ସମସ୍ତେ ଦେଖନ୍ତି ଯୁବତୀଟି, ହରିପୁର, ଛୋଟରାପୁର, ମାଣିକପୁର, ଇମିତି କେତେଖଣ୍ଡ ଗାଁ ଗୋଟିଏ ଶଗଡ଼ ଗାଡ଼ିରେ ଘୂରି ବୁଲୁଚି । ଘରେ ଘରେ ପଶି ସାହିମାଇପିଙ୍କୁ ସେ ବୁଝଉଛି ଭୋଟ କଥା । ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି ଏସବୁ ଦେଖି । ସେ କାହିଁକି ନରିବାବୁ ପାଇଁ ପ୍ରଚାର କରୁଚି ଇମିତି ।

 

ଆହୁରି ଦେଖନ୍ତି, ପାକୁଆ ବୁଢ଼ାଟିଏ ଧଳା କଇଁ ଫୁଲିଆ ଦମ୍ବୁଡ଼ି ବଳଦ ଯୋଚି ଶଗଡ଼ ଅଡ଼େଇ ନେଇ ଚାଲିଚି ଗାଁକୁ । ଛପରା ଗାଡ଼ି ଭିତରେ ଏଇ ଟୋକୀ ଖଣ୍ଡକ ବସିଯାଏ ସବୁଦିନ ।

 

ଶଗଡ଼ ଯିମିତି ଫିଟାଏ ବୁଢ଼ା ଗାଁମୁଣ୍ଡରେ, ଯୁବତୀଟି ଓହ୍ଲେଇ ପଡ଼ି ଚାଲେ ସମସ୍ତିଙ୍କ ଘରକୁ । ଅଚିହ୍ନା ମାଇପିଟା କାହୁଁ ଅଇଲା ଭାବି ଗାଁର ଯୁବକ ଟୋକା ପିଛା ଧରନ୍ତି ତା’ର । କ’ଣ ସବୁ ଭାବନ୍ତି ସେମାନେ ପଚାରିବାକୁ । ମାତ୍ର ଅଜଣା ତରୁଣୀ ଜଣେ ଆସିଛି । ତାଙ୍କର ସେଥିରେ ଯାଏ ଆସେ କେତେ ।

 

ମାତ୍ର ମନମାନେନି ତାଙ୍କର । କେହି କେହି ଅଜଣା କଥା ଜାଣିବାକୁ ଘୂରି ବୁଲନ୍ତି । ଅଚିହ୍ନା ଲୋକ ସଙ୍ଗେ କଥା ହେବାକୁ ମନ ବଳାନ୍ତି । ବୁଢ଼ା ପାଖେ ପାଖେ ଜଗିଥାନ୍ତି । କଥା ଛଳରେ ପଚାରି ଦିଅନ୍ତି ଏଇ ତରୁଣୀଟି କିଏ ?

 

ବୁଢ଼ାଟି ପାକୁଆ ପାଟିରେ ପାନ ପାକୁଳି କହି ପକାଏ–“ସେ ପରା ମୋର ଝିଅ !” ଲୋକେ ଆଉ କିଛି କହି ପାରନ୍ତିନି । ଯେଝା କାମରେ ଯାନ୍ତି ।

 

ପରଗାଁରେ ଏଣୁତେଣୁ କହି ସେ ଆସିଲା । ନିଜ ଗାଁ ଲୋକେ ପଚାରିଲେ କେତେ କଥା–ସେ ତାଙ୍କୁ ଠକିବ କିମିତି ? ଫାଙ୍କିଲେ ଗାଁ ବାଲା ଧରିବେ । ସେ ହେବ ହଇରାଣ । ସମସ୍ତଙ୍କର ଗୋଟିଏ ପ୍ରଶ୍ନ । ସେ ଏଡ଼େ ସୁନ୍ଦର ତରୁଣୀଟିକି ଆଣିଲା କେଉଁଠୁଁ ?

 

ନଟିଆ ପଧାନଙ୍କ ଅକଲ ଗୁଡ଼ୁମ୍‍ । ସେ କି ଜବାବ ଦେବ ୟାର । ସମସ୍ତେ ଜାଣନ୍ତି ପିଲାଝିଲା କିଛି ନାହିଁ । ଘରେ ଏକଲା ମଣିଷ ସିୟେ । ସେ କ’ଣ କହି ଲୋକଙ୍କ ମନକୁ ବୋଧ ଦେବ ।

 

ସେ ଆଉ ସମ୍ଭାଳି ପାରିଲାନି । ପାନ ପାକୁଳି ଆରମ୍ଭ କଲା କଥା ।

 

ଦିନେ ଇମିତି ସଞ୍ଜବେଳେ ସେ ଫେରୁଥିଲା ଶଗଡ଼ ନେଇ ସଡ଼କ ବାଟରେ । ବେଳବୁଡ଼ିଲେ ପଧାନଙ୍କ ଆଖିକି ଦିଶେନି ବୋଲି ସେ ଟାକରା ଫୁଟେଇ ବଳଦଙ୍କୁ ଅଡ଼ାଇ ଆଣୁଥିଲେ ଗାଁ ମୁହାଁ । ସଡ଼କଟା ନିଛାଟିଆ ହୋଇଥିଲା । ସେ ଆସି ପହଞ୍ଚିଲା ଶୋଲରୀ ପାହାଡ଼ ପାଖରେ ଯେଉଁଠି ତିଆରି ହେଇଚି ଗୋଟିଏ ନୂଆ ରେଳଷ୍ଟେସନ । ସନ୍ଧ୍ୟାବେଳେ ଯେଉଁ ଗାଡ଼ିଟା ଆସେ ଦକ୍ଷିଣରୁ–ଦୁଇମିନିଟି ଛିଡ଼ା ହେଇଯାଏ ସେଇଠି । ଆଉ ସବୁ ଗାଡ଼ିଗୁଡ଼ାକ ସିଧାସିଧା ବାଟ କାଟନ୍ତି ।

 

ସେହି ରାସ୍ତାକଡ଼ରୁ କିଛି ଦୂରରେ ଏଇ ତରୁଣୀଟି ବସି କାନ୍ଦୁଥିଲା । ଅନ୍ଧାରରେ ସେ ଭଲକରି ବାରିପାରିଲାନି କିଛି । କେହି ଜଣେ ମରଦ ଆଶ୍ୱାସନା ଦେଉଥିଲା ତାକୁ । ରେଳରେ ଚଢ଼ି ଯିବାପାଇଁ ସେ ଟିକଟ୍‍ କିଣିଥିଲା ଦୁହିଁଙ୍କ ପାଇଁ । ଗାଡ଼ିଟା ୟିଲାଗେ ଆସି ଲାଗିଯିବ ଷ୍ଟେସନରେ ।

 

ରମଣୀଟିର କୋହ ଉଠୁଥିଲା ବେଶୀ । ସେ ନାହିଁ କରୁଥିଲା ତା’ ସଙ୍ଗରେ ଯିବାକୁ । ସେ ଆସିଛି ଏକଲା–ଯିବ ବି ସିମିତି । ତା’ର ସାଥୀ ଲୋଡ଼ା ନାହିଁ । ମରଦଟା ତା’ କଥାରେ କାନ ନ ଦେଇ ହାତ ଧରି ଷ୍ଟେସନ ଆଡ଼େ ଭିଡ଼ୁଥିଲା ।

 

ପଧାନେ ଏ କଥାରେ ସମ୍ଭାଳନ୍ତେ କେତେକେ । ଶଗଡ଼ଟାକୁ ଅଟକାଇଲା ସେ । ଗୋରୁ ହଳକୁ ଚୁ’ଚୁ, କରି ଆଉଁଶି ଡେଇଁ ପଡ଼ିଲେ ଶଗଡ଼ ଉପରୁ ତଳକୁ ।

 

ସେ ଯିମିତି ପହଞ୍ଚିଛି ଯୁବତୀଟି ପାଖରେ ସେ ଧକେଇ କାନ୍ଦିଲା ଖାଲି । ନିରାଶ ସମୟରେ ଆଶାର ସଞ୍ଚାର ପରି ସେ ଯୁବତୀଟିର ଥିଲେ ସାହାଭରସା ସବୁ । ଲୋକଟି ତାଙ୍କୁ ଦେଖି ସେହି ଅନ୍ଧାରରେ ଲୁଚିଗଲା କୁଆଡ଼େ ।

 

ଯୁବତୀଟି ଆପେ ଆପେ ଉଠି ଆସି ଶଗଡ଼ ପାଖରେ ହାଜର ହେଲା । ସେ ତା’ର ଡେଣା ଧରି ଶଗଡ଼ ଉପରକୁ ଉଠେଇଲା ।

 

ଲୋକମାନେ ପଧାନଙ୍କ କଥାକୁ ଶୁଣୁଥାନ୍ତି ସବୁ କାନ ଡେରି । ସେ କଥାରେ ଯିମିତି ସମସ୍ତେ ଜଡ଼ି ଯାଇଥିଲେ ।

 

ତା’ପରେ ସମସ୍ତେ କହିଲେ ଆରମ୍ଭ କର ପଧାନେ–ସେଇଠୁ କ’ଣ ହେଲା ।

 

ପଧାନ ପୁଣି ପାନପାକୁଳି ଆରମ୍ଭ କଲା କଥା । ଝିଅଟିକି ଶଗଡ଼ରେ ବସେଇ ଆଣିଲା ଗାଁକୁ । ତା’ ବିଷୟରେ କେତେ କ’ଣ ପଚାରିଲା ସେ ।

 

ଯୁବତୀଟି ଖାଲି ଏତିକି କହିଲା–ତା’ର ଘର ଏଠି ନୁହେଁ । କଟକ ଜିଲାର ବହୁଦୂର ପଲ୍ଲୀ ଗାଁଟିରେ ତା’ର ଘର । ମା’ ବାପ ଏକାଠି ମଲେ । ତା’ର ଆଉ ସଂସାରରେ କେହି ନାହାନ୍ତି । ଜଣେ ଲେଖାଯୋଖା ଭାଇ ଚାକିରି କରନ୍ତି କୁଆଡ଼େ ସେ ଜାଣେନି ।

 

ଗାଁରେ ସମସ୍ତଙ୍କର ଆଖିଥିଲା ତାରି ଠେଇଁ । ଇଜ୍ଜତକୁ ଡରି ସେ ଭାଇକି ଖୋଜି ଖୋଜି ରେଳରେ ଯିବ ବୋଲି ଆସିଥିଲା ଜଗତପୁର ଷ୍ଟେସନକୁ । ଲୋକଟାଏ କଟକରେ ଓହ୍ଲେଇ ଦେବାକୁ କହି ତାକୁ ଭୁଲେଇ ଆଣିଲା ଏତେବାଟ । ପାହାନ୍ତା ପହର ସମୟ । ଲୋକଟାକୁ ଯିମିତି ଲାଗିଛି ନିଦ ଯୁବତୀଟି ଦେଖିଲା ଗାଡ଼ି ଅଟକିଲା ଏଇ ଶୋଲରୀ ଷ୍ଟେସନରେ । ସେ ଉପାୟ ନପାଇ ଓହ୍ଲାଇ ପଡ଼ିଲା ସେଇଠି ।

 

ଦିନଯାକ ଉପାସ । କେବଳ ଗାଲରେ ହାତ ଦେଇ ସେ ବସି କାନ୍ଦୁଥିଲା ଷ୍ଟେସନ ପାଖ ବରଗଛ ଛାଇରେ । ଲୋକେ କେତେ ଆସି ପଚାରିଲେ । ସୁନ୍ଦରୀ ମାଇପିଟାଏ ଦେଖିଲେ ଲୋକେ ତାଙ୍କ ପ୍ରେମ ବନିଶୀରେ ଥୋପଗୁନ୍ଥନ୍ତି ଯୁବତୀ ମନମୀନକୁ ଟାଣି ନେବାକୁ । ମାତ୍ର ସେ କାହ କଥାରେ ଜବାବ ନଦେଇ ଗୁମ୍‍ମାରି ରହିଥିଲା ।

 

ପୁଣି ଦୁଃଖପରେ ଆହୁରି ଦୁଃଖ । ସନ୍ଧ୍ୟାବେଳ ଗାଡ଼ିରେ ଜଣେ କେହି ତାକୁ ଟାଣି ନେବାକୁ ବସିଥିଲା । ତା’ର ବିକଳ କାନ୍ଦଣା ଶୁଣି ସେ ଶଗଡ଼ ରଖି ଦଉଡ଼ିଲା ତା’ପଖକୁ ।

 

ତାକୁ ଆଣି ସେ ରଖିଛି ସେଇ ଦିନଠୁଁ । ଆଉ କିଛି କଥା ନାହିଁ ଏଥିରେ ।

 

ଆଉ ଜଣେ ପ୍ରଶ୍ନକଲା । ସେ କେଉଁ ଗାଁର ଯୁବତୀଟିଏ । ସେ ୟେ ଅଞ୍ଚଳ ପାଇଁ ଭୋଟ ପ୍ରଚାର କରୁଛି କିଆଁ ? ତା’ର ଏଥିରେ କ’ଣ ଅଛି ?

 

ପଧାନେ ବଡ଼ ଅଡ଼ୁଆରେ ପଡ଼ିଲେ । ସେ ପୁଣି ପାକୁଆ ପାଟି ମେଲା କରି କହିଲେ–“ତୁମେ ଯାହା ଭାବୁଛ ମୁଁ ମଧ୍ୟ ସିମିତି ଭାବିଲି ।” ହେଲେ ତା’ର ଏକା ଜିଦ୍‍, ସେ ଘରେ ଘରେ ବୁଲି କହିବ–ସାଇ ମାଇପିଙ୍କି ବତେଇବ । ଶିକ୍ଷିତ ଝିଅ ନା । ତା’ ମନ ସମ୍ଭାଳୁଛି କେତେକେ-! ସେଇଥି ପାଇଁ ଗୋରୁଗାଡ଼ିରେ ବୋହି ନେଉଛି ସେ ଗାଁରୁ–ଗାଁକୁ !

 

ପଧାନଙ୍କ କଥାରେ ଗାଁ ଲୋକେ ପୂରା ବିଶ୍ୱାସ କଲେନି । ତାଙ୍କର ସନ୍ଦେହ ମନ ଯିମିତି ଘୂରି ବୁଲୁଥିଲା ଆଉ କ’ଣ ଜାଣିବାକୁ ।

 

ଭୋଟ ଦିଆ ସରିଲା । ବୁହା ହେଇ ଗଲା ବାକ୍ସ ସବୁ ଭୋଟ ଗଣତି ହେବାକୁ ଖୋରଧା ମାଜିଷ୍ଟ୍ରେଟଙ୍କ ଅଫିସିକି ।

 

ଲୋକ ହେଇଛନ୍ତି ରୁଣ୍ଡ । ଭୋଟ ଗଣତି ଚାଲିଚି । ବାକ୍ସ ଗଣତିରେ କିଏ ଆଗଉଚି ପୁଣି ପଛରେ ପଡ଼ୁଛି କିଏ । ଲୋକେ ତାଳି ଦେଉଛନ୍ତି ବାହାରେ ଥାଇ । ଶିଖରପୁର ଗାଁ ଲୋକେ ଦଶ ପଚିଶ ଜଣ ଯାଇଥାନ୍ତି ଖୋର୍ଦ୍ଧା ମୁଲକକୁ ନରିବାବୁର ଭୋଟ ଖବର ଶୁଣିବାକୁ । ସମସ୍ତଙ୍କ ମନରେ ଆଗ୍ରହ । ଚାହିଁଛନ୍ତି ସମସ୍ତେ କିଏ ପାଇବ ବେଶୀ ଭୋଟ ।

 

ବେଳ ରତ ରତ ବେଳକୁ ଗଣତି ହେଲା ଶେଷ । ମାଜିଷ୍ଟ୍ରେଟ ସାହେବ ଘୋଷଣା କଲେ ଫଳ । ପାଞ୍ଚଜଣ ସଭ୍ୟଙ୍କୁ ପରାସ୍ତ କରି ନରହରି କାଣ୍ଡି ଜୟଲାଭ କରିଛନ୍ତି । ତାଙ୍କର ଭୋଟ ଗଣତିରେ ଅଧିକା ହେଇଚି । ଯାଇଥିବା ଗାଁ ଲୋକେ ଆନନ୍ଦରେ ନାଚିଲେ । ମନ ତାଙ୍କର କୁଦା ମାରିଲା ଏକାଡିଆଁରେ ଚାଳିଶ ମାଇଲ ବାଟ କିମିତି ପାର ହେଇ ଯାଇ ପହଞ୍ଚିବେ ଗାଁରେ ।

 

ମଟରରୁ ଓହ୍ଲେଇ ଲୋକେ ଚାଲିଲେ ଗାଁ ମୁହାଁ । ରାତି ଦି’ଘଡ଼ି ଠେଇଁ ସମସ୍ତେ ପହଞ୍ଚିଲେ ଗାଁରେ । ନରି ଶୋଇରହି କ’ଣ ଭାବୁଥିଲା କେଜାଣି । ଲୋକେ ଆନନ୍ଦରେ ବିଭୋର ହେଇ ଶୂନ୍ୟେ ଶୂନ୍ୟେ ଟେକି ନେଲେ ତାକୁ । ନରି କାବା ହେଇ ଚାହିଁଥାଏ । ସମସ୍ତେ କହୁଥାନ୍ତି ସେ ତାଙ୍କର ନେତା–ଲୋକ ପ୍ରତିନିଧି ଏ ଅଞ୍ଚଳର ଆଦର୍ଶ କର୍ମ୍ମୀ ।

 

ଲୋକେ କଲେ ଭୋଜିଭାତ, ନାଟ ତାମସା କେତେ କ’ଣ । ତାଙ୍କ ଆନନ୍ଦ କହିଲେ ନସରେ । ମାତ୍ର ସମସ୍ତେ ଦେଖନ୍ତି ନରିବାବୁର ମନଟି ମରିଯାଇଚି । ଖାଲି ଶୁଖିଲା ମୁହଁରେ ଲୋକ ଦେଖାଣିଆଁ ହସ ଟିକିଏ ହସୁଛି ସେ ।

 

ଗାଁଟି ଯାକର ଲୋକେ ଏକାଠି ହେଇ ଜିଦ୍‍ ଧରିଛନ୍ତି । “କାହିଁକି ସେ ଇମିତି ଚିନ୍ତାମଗ୍ନ ହୋଇ ବସିଛନ୍ତି । ମନରେ ଆନନ୍ଦ ନାହିଁ ମୁହଁରେ ହସ ନାହିଁ । ତାଙ୍କୁ ଏଗୁଡ଼ାକ ଭାରି ଖରାପ ଲାଗୁଛି । କ’ଣ ତାଙ୍କର ଅତୃପ୍ତ ଆଶା ମନ ଭିତରେ ରହି ଯାଇଛି ସେ କ’ଣ ପୂରଣ କରିପାରିବେନି ତାକୁ ?”

 

ନରିର ଆଖିପତା ଏଇ କେତେପଦ କଥାରେ ହେଲା ଛଳ ଛଳ । ସେ ମୁହଁ ପୋତିଲା ତଳକୁ । ମନେମନେ ଭାବିଲା–ଲୋକେ କ’ଣ କହିବେ ତାକୁ । ଛିଃ, ସେ କାହିଁକି ସୁକୀ ବିଷୟରେ ଏତେ କଥା ଭାବୁଛି ?

 

ଏମ୍.ଏଲ୍.ଏ. ହେଇ ଯିବ ବିଧାନସଭାକୁ, ମାତ୍ର ଗୋଟିଏ ତରୁଣୀ ପାଇଁ ଲୋତକ ଗଡ଼େଇଲେ ଲୋକହସା ହେବାହିଁ ସାର । ଲୋକେ କ’ଣ ଭାବିବେ ? ସେ ତ ଛାଡ଼ିଗଲା ଆର ପୁରକୁ । ତାକୁ ଦେଖିବାକୁ ସୁଦ୍ଧା ରହିଲାନି ମୁହୂର୍ତ୍ତେ । ତା’ ବିଷୟରେ ଭାବି ପାଗଳ ହେଲେ ଲାଭ କ’ଣ ? ସେ ମନକୁ ବୋଧ ଦେଲା କେତେ ।

 

ଅମାନିଆଁ ମନଟା ସେ କଥା ମାନିଲାନି । ତାରି ରୂପ, ହସ ହସ ମୁହଁ, ନାଚିଲା ଖାଲି ଆଖି ଆଗରେ । ସତରେ ସିୟେ ହେଇଥିଲା ତା’ପାଇଁ ପାଗଳ । ଆଜି ଖୁସି ଖବରରେ ସେ ହେଇଥାନ୍ତା ଆତ୍ମହରା । ଆନନ୍ଦର ଢେଉ ଭିତରେ ସେ ଖେଳୁଥାନ୍ତା ଦୋଳି ।

 

ତାରି ହସିଲା ମୁହଁକୁ ଚାହିଁ ସେ ଆଗେଇ ଯାଇଚି କାମରେ । ତାରି କଥାରେ ସେ କିଣିଛି ସମସ୍ତିଙ୍କ ମନକୁ । ଶକ୍ତି ଦାୟିନୀ ସେ । ସାମାନ୍ୟ ନାରୀ ନୁହେଁ । ମନ୍ତ୍ରଶକ୍ତି ବଳରେ ସେ ଗାଁ ଲୋକଙ୍କ ପଥର ଛାତିକି ତରଳେଇ ଦେଲା । ତାରିଠୁଁ ପାଇଛି ସେ ନୂଆ ଉବ୍ଦୀପନା–ଜାଗରଣ । ସବୁ । ଯେଉଁ ଆଦର୍ଶ ସେବାର ମଞ୍ଜି ସେ ପୋତି ଦେଇଗଲା–ତାରି ବୃହତ୍‍ ଛାଇରେ ଆଶ୍ରୟ ନେଇଛନ୍ତି ଏଇ ଗ୍ରାମବାସୀମାନେ । ସେହି ଆଦର୍ଶ ବୃକ୍ଷର ଫଳ ତୋଳିଲା ଆଜି ନିଜେ ସେ । ଦେଖିବାକୁ ସୁଦ୍ଧା ରହିଲାନି ସୁକୀ ।

 

ସେ ପଣ କଲା ଆଜିଠୁଁ ଆଉ ଚାହିଁବନି ଯୁବତୀର ମୁଖମଣ୍ଡଳକୁ । ତାଙ୍କର କଟାକ୍ଷ ଚାହାଣି ପାଷାଣ ହୃଦୟକୁ ତରଳାଏ–ଯୋଗୀ ଋଷିଙ୍କ ଟାଣମନକୁ ଭୁଲାଏ । ସାମାନ୍ୟ ନାରୀ ପ୍ରେମରେ ମଣିଷ ହୁଏ ପାଗଳ । ତାକୁ ନ ପାଇଲେ ସେ ଘୂରିବୁଲେ ହାଟ ବଜାରରେ ବ୍ୟର୍ଥ ପ୍ରେମିକ ସାଜି ।

 

କେତେଦିନ ପରେ ନୂଆ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ପାଇଁ ରାଜ୍ୟପାଳ କଲେ ଘୋଷଣା-। ନରିବାବୁ ପାଖରେ ଆସି ପହଞ୍ଚିଲା ଖବର । ସେ ଯିବ ଭୁବନେଶ୍ଵରକୁ ଯେଉଁଠି ଗଢ଼ା ହେଇଚି ବିଧାନସଭା ମଣ୍ଡପ । ସେ ବସିବ ଲୋକଙ୍କ ସାଥିରେ, କାହିଁ କେଉଁ ଅଞ୍ଚଳରୁ ସେମାନେ ତା’ ପରି ଭୋଟପାଇ ଆସିଥିବେ ସେଠିକି ।

 

ଲୋକେ ନେଇ ନରିବାବୁକୁ ଛାଡ଼ିଲେ ଶୋଲରୀ ଷ୍ଟେସନ ପାଖରେ । ରେଳଗାଡ଼ିଟା ଦକ୍ଷିଣ ଆଡ଼ୁ ଭୁସୁଭୁସୁ ମାଡ଼ିଆସି ଛିଡ଼ା ହେଇଗଲା ପ୍ଲାଟଫର୍ମ ପାଖରେ । ନରିବାବୁ ଚଢ଼ିଲେ ଗାଡ଼ି-। ଯାତ୍ରାକଲେ ଭୁବନେଶ୍ଵର ଅଭିମୁଖେ । ଗାଁ ଲୋକେ ଜୟଗାନ ଦେଇ ଫେରିଲେ ଘରକୁ !

 

ମନ୍ତ୍ରୀମଣ୍ଡଳ ଗଢ଼ା ହେଲା । କାଗଜରେ ବାହାରିଲା ନୂଆ ମନ୍ତ୍ରୀଙ୍କ ନାଁ ସବୁ । ନରିବାବୁ ହେଇଚି ଗୋଟିଏ ମନ୍ତ୍ରୀ । ଗାଁ ଲୋକେ ଦେଖିଲେ ସମାଜ । ସମସ୍ତେ କହିଲେ ସିୟେ ଓଡ଼ିଶାର ଶ୍ରେଷ୍ଠ ଜନନାୟକ–ଗୋଷ୍ଠୀ ଉନ୍ନୟନର ଭାଗ୍ୟବିଧାତା ।

 

ଦିନେ ସମସ୍ତେ ଦେଖିଲେ ମନ୍ତ୍ରୀଙ୍କର ଆସିଲା ଗସ୍ତ ତାଲିକା । ସେ କାହିଁ ଯିବେନି ଶିଖରପୁର ଗାଁକୁ ଛାଡ଼ି । ସେଇଠି ହେବ ସଭା ।

 

ଲୋକେ ଖୁସିହେଲେ କେତେ । ଗାଁକୁ ଗାଁ ଖବର ଗଲା । ଆସି ପହଞ୍ଚିବେ ନୂଆମନ୍ତ୍ରୀ । ତାଙ୍କରି ଭୋଟ କାଗଜର ଇମିତି କରାମତି । ପନ୍ଦରଟା ଦିନ ଯାଇନି ନରିବାବୁ ହେଲାଣି ମନ୍ତ୍ରୀ, ସେ ବି ଭୁଲିନି ତାଙ୍କୁ । ଗସ୍ତ ପକେଇଚି ମଫସଲ ଗାଁକୁ । ଯେଉଁଠି ସେ କରି ଯାଇଚି ସବୁ କାମ ଲୋକଙ୍କ ମଙ୍ଗଳ ପାଇଁ ।

ଗାଁ ଲୋକଙ୍କ ଆଖିକି ନିଦ ନାହିଁ ଜମା । ରାସ୍ତା ସଫା ହେଉଚି । ତୋରଣମାନ ବନ୍ଧା ହେଉଚି କେଉଁଠି । ସଭା ମଣ୍ଡପ ନିର୍ମାଣ ଚାଲିଛି । ସମସ୍ତେ ଏକଜୁଟ ହେଇଛନ୍ତି । କାମ କରୁଛନ୍ତି ମନପ୍ରାଣ ଢାଳି ।

ଦିନ ଦୁଇଘଣ୍ଟା ସମୟ । ଆଗପଛ ହେଇ ତିନୋଟି ମୋଟର ଗାଡ଼ି ଛୁଟି ଆସିଲା ଭୁବନେଶ୍ୱରରୁ । ଆଗ ମଟରଟି ସାମନାରେ ଫର୍‍ ଫର୍‍ ହେଇ ତ୍ରିରଙ୍ଗୀ ପତାକାଟିଏ ଉଡ଼ୁଥିଲା ଖାଲି । ନରିବାବୁ ବସିଥିଲେ ସେଇ ମଟର ଭିତରେ ।

ଲୋକେ ଆଗ ଦେଖିଥିଲେ ବଡ଼ ବଡ଼ ସହର ବଜାରରେ ଏହି ପତାକାଟା ଉଡ଼ୁଥିଲା କୋଠାବାଡ଼ି ଉପରେ । ଅଫିସି ମାନଙ୍କରେ । ଏବେ ସେ ଦେଖିଲେ ଗାଁ ଗହଳି ଭିତରେ ସେଇ ପତାକା ମନ୍ତ୍ରୀଙ୍କ ମଟର ଆଗରେ ଫର୍‍ ଫର୍‍ ଉଡ଼ି ବାଟ କଢ଼େଇ ଆଣିଛି ସୁଦୂର ମଫସଲ ଗାଁକୁ । ଧନ୍ୟ ସେ ପତାକା । ଚାଖଣ୍ଡେ କନାର ଏତେ କରାମତି । ସେମାନେ ବିଶ୍ୱାସ କଲେ ଆଜି ।

ମଟରଟିରୁ ଓହ୍ଲେଇଲେ ନରିବାବୁ । ତାଙ୍କୁ ପାଛୋଟି ନେଲେ ଗାଁ ଲୋକେ । ବରଗଛ ମୂଳେ ଫିଟିଛି ଗୋଟିଏ ଶଗଡ଼ । ନରି ଚାହିଁଲା ସେ ଆଡ଼କୁ । ସେଇ ଧଳା ବଳଦ ହଳକ ପଧାନଙ୍କର ଯାହାକୁ ବଳବନ୍ତରାଏ ଜୋର୍‍କରି ଟାଣି ନେଉଥିଲେ ଦିନେ ନିଜ ଗୁହାଳକୁ । କୋଡ଼ିଏ ଟଙ୍କା ଦେଇ ମୁକୁଳେଇଲା ସିଏ । କାଲିପରି ଲାଗୁଛି ତାକୁ । ପାଞ୍ଚବରଷ ବିତି ଗଲାଣି । ଯେଉଁ ମହାଜନଙ୍କର ରାଗ ତା’ ଉପରେ, ସେ ତାକୁ କାନ୍ଧରେ ପକେଇ ଅନ୍ଧାର ରାତ୍ରିରେ ବୋହି ନେଇଥିଲା ମଶାଣି ପଦାକୁ । ସେ ଭାବୁଥିଲେ ଏଇ କଥା, ମାତ୍ର ତାଙ୍କର ଆଖି ଯୋଡ଼ିକ ଶଗଡ଼ ଉପରୁ ଛପରା ଗାଡ଼ିଟି ଭିତରେ କ’ଣ ଦେଖୁଥିଲା କେଜାଣି ।

ତରୁଣୀଟିଏ ମୁହଁ କାଢ଼ି ଚାହିଁଥିଲା ତାଙ୍କୁ । ନରିର ଆଖି ସଙ୍ଗେ ତା’ ଆଖି ହେଲା ମେଳ-। ନରି ଲଜ୍ୟା ବୋଧ କଲା । ସୁକୀର ମୁଖମଣ୍ଡଳ ସଙ୍ଗେ ଏଇ ଯୁବତୀଟିର ଖୁବ୍‍ ସାମଞ୍ଜସ୍ୟ ଥିଲା-। ତା’ର ମନେ ପଡ଼ିଗଲା ପ୍ରତିଜ୍ଞାକଥା । ସେ ଚାହିଁବନି କେଉଁ ଅବଳା ମୁହଁକୁ ପୁଣି ଚାହୁଁଛି କିମିତି-?

ସଭା ମଣ୍ଡପ ପାଖକୁ ଗଲାପର୍ଯ୍ୟନ୍ତ ସେ ଚାହୁଁଥାଏ ଖାଲି ଶଗଡ଼ ଉପରେ ଛପରା ଗାଡ଼ି ଭିତରେ ଥିବା ରୂପସୀଟିକି ।

ପଧାନ ବୁଢ଼ା ଡାକିଲା ନରତ୍ତମକୁ ଆଉ ହରିବୋଲ ଦଳେଇଙ୍କି ପାଖକୁ । ଚୁପ୍‍ ଚୁପ୍‍ କରି କ’ଣ ସବୁ କହିଲା କାନରେ ତାଙ୍କର । ସେମାନେ ଭାରିଖୁସିହେଲେ ପଧାନଙ୍କ ଗୁପ୍ତକଥା ଶୁଣି-

ସଭା କାର୍ଯ୍ୟ ଆରମ୍ଭ ହେଲା । ସଭାପତି ଭାବରେ ଆସନ ଅଳଂକୃତ କଲେ ନରିବାବୁ ।

ସଭାମଧ୍ୟରେ ହାତଯୋଡ଼ି ଠିଆହେଲା ନରତ୍ତମ । ସମସ୍ତେ ଚାହିଁଲେ ତାକୁ । ସେ କ’ଣ କହିବାକୁ ଯାଉଥିଲା । ହୁଣ୍ଡାହେଇ ବୁଲୁଥିଲା ଦିନେ ଏଇ ନରତ୍ତମ । ଯୁବକସଂଘର ସେକ୍ରେଟେରୀ ପଦରେ ନରି ବାଛିଚି ତାକୁ । ତାରି ଶିକ୍ଷା ସବୁ ।

ନରତ୍ତମ କହିଲା “ଯେଉଁ ଗାଁ ଭୂଇଁ ନୁଖୁରା ହେଇ ପଡ଼ିଥିଲା ଆଜି ହସିଉଠିଲା କାହା ହାତ ମେହେନତରେ ?” ଯାହା ହାତର କୌଶଳ ସିୟେ ଆଜି ମୁଖ୍ୟ ଅତିଥି ଭାବେ ବସିଛନ୍ତି ସମସ୍ତଙ୍କ ସାମନାରେ ।

ସମସ୍ତେ ତାଳି ଦେଲେ ଆନନ୍ଦରେ ।

ପୁଣି ସେ ଆରମ୍ଭକଲା–ଆଜି ବଡ଼ ଆନନ୍ଦର ଦିନ ସେ ମନ୍ତ୍ରୀ ହେଇ ଫେରିଛନ୍ତି ସେଇ ଗାଁ ଭୂଇଁକି । ସେ କରିଛନ୍ତି ସବୁ ନିଜେ ତାଙ୍କ ପାଇଁ ଗାଁ ଲୋକେ କରି ନାହାନ୍ତି କିଛି । ଜଣେ କହିଛି ତାଙ୍କପାଇଁ କାମ । ସେ ହେଉଛି ଜଣେ ଗାଉଁଲି ମହିଳା । ତାରି ହାତରୁ ସେ ଫୁଲମାଳା ଗ୍ରହଣ କରିବେ । ତା’ର ଅଦ୍ୟମ ଚେଷ୍ଟା ଆଉ ପରିଶ୍ରମର ଫଳ ସେ ଭୋଗ କରିଛନ୍ତି ନିଜେ । ସମସ୍ତଙ୍କ ତରଫରୁ ନିବେଦନ କରୁଛି ତା’ର ମାଳା ସେ ଗ୍ରହଣ କରନ୍ତୁ । ଏତିକି କହି ସେ ବସିଲା ।

ଚମକି ପଡ଼ିଲା ନରି । ଚାରିଆଡ଼କୁ ସେ ଚାହିଁଲା । କ’ଣ ସ୍ୱପ୍ନ ନା ସତ ? କେତେ ଉଚ୍ଚପଦସ୍ତ କର୍ମଚାରୀ ଚାହିଁରହିଥାନ୍ତି ତାକୁ । ସେ କାହାଠୁଁ କିମିତି ଗ୍ରହଣ କରିବ ଫୁଲମାଳ ?

ଯେ ଦେଇଥାନ୍ତା ବରଣମାଳା ସେ ଲୁଚିଲା କୁଆଡ଼େ । ସେ ପଣ କରିଛି କେଉଁ ଯୁବତୀର ମୁହଁକୁ ଚାହିଁବିନି ! ଆଜୀବନ ବାହା ନହେଇ ରହିବ ସିମିତି । ତେବେ ତା’ର ପ୍ରତିଜ୍ଞା ଏଇଠି ହେଲା ଶେଷ । ଗାଁ ଲୋକଙ୍କ କଥା ସେ କିମିତି ଭାଙ୍ଗିବ ?

ତା’ର ଧ୍ୟାନ ଭାଙ୍ଗିଲା । ତା’ ଆଗରେ ପାଞ୍ଚସାତ ଜଣ ଯୁବତୀ ଆସି ଛିଡ଼ା ହୋଇ ରହିଛନ୍ତି କେତେବେଳୁ । ତା’ର ମନେପଡ଼ିଲା ତିନି ବର୍ଷ ତଳର କଥା । ଇମିତି ଦିନେ ମନ୍ତ୍ରୀ ଆସିଥିଲେ ଏଇ ଗାଁକୁ ସେ ମହିଳା ସମିତି ସଭ୍ୟମାନଙ୍କୁ ଚିହ୍ନାଇ ଦେଇଥିଲା ଗୋଟି ଗୋଟି କରି । ଆଜି ପୁଣି ତାକୁ ଚିହ୍ନାଇବ କିଏ ?

ସେ କଣେଇ ଚାହିଁ ମୁହଁ ପୋତିଲେ ପୁଣି । “କି ସୁନ୍ଦର ଝିଅଟିଏ ସେ ।” ୟାକୁ ତ ସେ ଦେଖିଥିଲା ଶଗଡ଼ ଉପର ଛପରାଗାଡ଼ି ଭିତରେ ଏଇ ଅଧଘଣ୍ଟାକ ପୂର୍ବରୁ । ଫୁଲମାଳ ଧରି ସେ ଛିଡ଼ା ହେଇ ରହିଛି । କେତେ ସମୟ ସେ ସିମିତି ଛିଡ଼ା ହେଇ ରହିଥିବ ? ପ୍ରତିଜ୍ଞା ତା’ର ସେ ଭାଙ୍ଗିବ । ଫୁଲମାଳ ଗ୍ରହଣ କରିବ ତା’ ହାତରୁ ମୁହଁକୁ ଚାହିଁ ।

ମୁହଁଟେକି ଚାହିଁଲା ସେ ଯୁବତୀକି । ଫୁଲର ମାଳା ସାହସ କରି ପିନ୍ଧାଇଲା ସେ ନରିକି-

ନରି ଚାହିଁଛି ସିମିତି । କିଛି କହି ପାରୁନି । ତା’ର ଆଦରର ସେ । ମରିଥିଲା ବୋଲି ଶୁଣିଥିଲା, ମାତ୍ର ତା’ର ଅଶରୀରୀ ଛାୟା କ’ଣ ପିନ୍ଧାଉଛି ଫୁଲମାଳା ଆଜି ?

ସେତେବେଳକୁ ଶୁଭଶଙ୍ଖ, ହୁଳହୁଳି ଶବ୍ଦରେ ସଭାମଣ୍ଡପଟି ପୂରି ଉଠିଲା ।

ସୁକାନ୍ତୀ ଆଉ ନରି ଦିହରେ ଖାଲି ପଡ଼ୁଥିଲା ମୁଠା ମୁଠା ଫୁଲ ।

ତ୍ରିରଙ୍ଗୀ ପତାକାଟି ବାୟୁଲହରରେ ଫର୍‍ ଫର୍‍ ହୋଇଥିଲା ।

Image